Unknown

 

 

 

 

 

 

 

 

 

 

 

ଅନ୍ୟରୂପ-ରୂପାନ୍ତର

ମହାପାତ୍ର ଶ୍ରୀ ନୀଳମଣି ସାହୁ

 

ବିଷୟ-କ୍ରମ

 

୧.

ଉପୋଦ୍‍ଘାତ

୨.

ଅସ୍ତସୂର୍ଯ୍ୟର ରଙ୍ଗ

୩.

କପୋତପକ୍ଷୀ ଗୁରୁ ମୋର

୪.

ଦୁଇ ଶୂନେ ଶୂନ୍

୫.

ମୂର୍ଚ୍ଛିତ ବିଷାଦ

୬.

ଇତିଉକ୍ତଂ ଜାରଜେନ

୭.

ବହ୍ୱାରମ୍ଭେ

୮.

ଅନ୍ୟରୂପ-ରୂପାନ୍ତର

୯.

ସମୁଦ୍ର ନୀଳକୁଣ୍ଡ ଓ ନୀଳବର୍ଣ୍ଣ ଶୃଗାଳର ଉପାଖ୍ୟାନ

୧୦.

ଶବଯାତ୍ରାର ଶେଷଦୃଶ୍ୟ

୧୧.

ବିହଙ୍ଗର ଉଚ୍ଚାକାଂକ୍ଷା

୧୨.

ଶେଷ ସନ୍ଧ୍ୟାର ପ୍ରଳାପ

☆☆☆

 

ମୋର ଅଭିନ୍ନାତ୍ମା ଅଗ୍ରଜ

 

ଶ୍ରୀଯୁକ୍ତ କୁଳମଣି ମହାପାତ୍ର

 

ଆପଣ ଉଣେଇଶ ବୟାଳିଶିର ସ୍ୱାଧୀନତା ଆନ୍ଦୋଳନରେ ବିପୁଳ ପ୍ରାଣାବେଗରେ ଝାସ ଦେଇଥିଲେ । କାରାଦଣ୍ଡ ବରଣ କରିଥିଲେ । ଆପଣ ବଞ୍ଚିରହିଲେ–ମାତ୍ର ଆପଣଙ୍କ ବ୍ୟକ୍ତିଗତ ଭବିଷ୍ୟତ ସହିଦ ହୋଇଗଲା । ଏହି ତ୍ୟାଗ ଲାଗି ଆପଣ ଦେଶଠାରୁ ଆଜି ପର୍ଯ୍ୟନ୍ତ କିଛି ପ୍ରତ୍ୟାଶା ବା ଦାବି କରିନାହାନ୍ତି । ଆପଣ ମହାନ୍ ପ୍ରତିଭା ଓ ହୃଦୟବୃତ୍ତିର ଅଧିକାରୀ ନିଷ୍କାମ ସଂଗ୍ରାମୀ ବୀର ପୁରଷ । ଆପଣ ଆମ ବଂଶକୁ କୀର୍ତ୍ତିମାନ୍ କରିଛନ୍ତି । ମୋର ପରମ ଭକ୍ତି ଓ କୃତଜ୍ଞତାର ନିଦର୍ଶନ ସ୍ୱରୂପ ଏ ଗ୍ରନ୍ଥଟି ଆପଣଙ୍କ ପାଦତଳେ ଉତ୍ସର୍ଗ କରୁଛି । ଇତି ।

 

କଟକ

 

ଶ୍ରୀରାମନବମୀ

ନୀଳମଣି

ତା ୧ । ୪ । ୭୪

 

☆☆☆

 

ଉପୋଦ୍‍ଘାତ

 

ସ୍ଵାଧୀନତୋତ୍ତର ଓଡ଼ିଆ ଗଳ୍ପ ସାହିତ୍ୟରେ ଫକୀରମୋହନଙ୍କ ସାର୍ଥକ ଉତ୍ତରସୂରୀ ଭାବରେ ଯେଉଁସବୁ ଗାଳ୍ପିକ ପ୍ରତିଷ୍ଠା ଅର୍ଜନ କରିଛନ୍ତି, ସେମାନଙ୍କ ମଧ୍ୟରୁ ମହାପାତ୍ର ଶ୍ରୀ ନୀଳମଣି ସାହୁ ଅନ୍ୟତମ । ଶ୍ରୀ ସାହୁ ଓଡ଼ିଆ ଗଳ୍ପପାଠକମାନଙ୍କର ଗଭୀର ଅନୁରାଗଭାଜନ । କିନ୍ତୁ କେତେକ ଏକଦେଶଦର୍ଶୀ ସ୍ଵଳ୍ପଧୀସମାଲୋଚକ ତାଙ୍କ ନାମରେ ହାସ୍ୟରସିକ ବୋଲି ଯେଉଁ ମିଥ୍ୟାପବାଦ ରଟନା କରିଛନ୍ତି ତାହା ଆମ ସୂକ୍ଷ୍ମ ରସବୋଧ ବିରୁଦ୍ଧରେ ସବୁବେଳେ ସାକ୍ଷ୍ୟ ଦିଏ । ସେ ବରଂ କୋମଳ କାରୁଣ୍ୟର ଚିତ୍ରାଙ୍କନରେ ଅସାଧାରଣ । ସବୁ ସମୁନ୍ନତ ଜୀବନଧର୍ମୀ ଗଳ୍ପ ଭଳି ଭାସମାନ ଲଘୁହାସ୍ୟର ଛଟା ତାଙ୍କ ଗଳ୍ପର ଉପରିଭାଗରେ ନାହିଁ ବୋଲି ନୁହେଁ । କିନ୍ତୁ ତାହା କେଉଁଠି ହେଲେ ଶେଷ କଥା ନୁହେଁ । ପ୍ରତ୍ୟେକଟି ଗଳ୍ପର ସେହି ଉର୍ମିଳ ହାସ୍ୟ ଅନ୍ତରାଳରୁ ଚିରସଜଳ କାରୁଣ୍ୟର ଗଭୀର ଆର୍ତ୍ତିତ ଅଶ୍ରୁ ସ୍ପଷ୍ଟ ବାରି ହୁଏ । ‘ସୁମିତ୍ରାର ଉତ୍ତାଳ ହାସ୍ୟ ତଳୁ ଅଶ୍ରୁର ଏକ ଗମ୍ଭୀର ଅନ୍ତଃସ୍ରୋତ କ’ଣ କାହାକୁ ବୁଝାଇ କହିବାକୁ ହେବ ? ଓଡ଼ିଆ ସାହିତ୍ୟରେ ଶ୍ରୀ ସାହୁ ଜଣେ ବଡ଼ ଆବେଗସମୃଦ୍ଧ ଶୁଭ ବିଶ୍ୱାସୀ ଶିଳ୍ପୀ । ପ୍ରଗାଢ଼ ମାନବିକ ଆବେଗ ଓ ଉଦଗ୍ର ସହାନୁଭୁତି ତାଙ୍କର ବଡ଼ ଦୁର୍ବଳତା । ମଣିଷର ଦୟନୀୟ ଲୋଭ, ଅବିମୃଶ୍ୟକାରୀତା ଅଶାଳୀନ ନିଲର୍ଜତା ଓ ମୁଢ଼ ନିର୍ବୋଧତାକୁ ସେ ଯେତେ ବ୍ୟଙ୍ଗବିଦ୍ରୁପ କରନ୍ତି ତା’ଠାରୁ ବେଶି ଅଶ୍ରୁପାତ କରନ୍ତି, ମାନବୀୟ ଅସହାୟତା ଓ ବିପର୍ଯ୍ୟୟ ପାଇଁ । ଗଳ୍ପର ବକ୍ତବ୍ୟ ଥାଏ ସବୁବେଳେ ଆଶଦ୍ୟୋତକ । ପ୍ରତ୍ୟେକଟି ଗଳ୍ପ ତାଙ୍କର ତେଣୁ ଅଳ୍ପ ବହୁତେ କୌତୁକ–ମଧୁର, ବେଦନା–ଗଭୀର ଓ ଆସ୍ଥା ବିଶ୍ୱାସପୂର୍ଣ୍ଣ । ଅଧିକନ୍ତୁ ଗଳ୍ପେ ଗଳ୍ପେ ତାଙ୍କର ସଞ୍ଚାରି ଥାଏ ନିଜସ୍ଵ ଅନୁଭୂତିର ସ୍ପର୍ଶ, ଆବେଗ ଉଚ୍ଛାସର ଉଲ୍ଲାସ ଓ ବାକ୍‍ବିନ୍ୟାସର ଶୋଭନ ବୈଦଗ୍‍ଧ୍ୟ । ଅନେକତ୍ର ଆବେଗ ଓ କାବ୍ୟପ୍ରବଣତାର ଉପଦ୍ରବରେ କ୍ଷୁଦ୍ର ଗଳ୍ପର ବିଧିନିଷେଧ ସଙ୍କୋଚନରେ ଅପସରି ଯାଇଛି, ତା’ର ଘନପିନଦ୍ଧ ସଂଯତ ଆଂଶିକ, ରମ୍ୟରଚନା ଓ କ୍ଷୁଦ୍ର ଉପନ୍ୟାସର ଆକସ୍ମିକ ଆବିର୍ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେଣୁ ଓଡ଼ିଆ ଗଳ୍ପର ଆଙ୍ଗିକ ଚେତନାକୁ ଶ୍ରୀ ସାହୁ ନିଶ୍ଚିତ ଭାବରେ ବହୁ ବୈଚିତ୍ର୍ୟରେ ମଣ୍ଡି ଥିଲେ ହେଁ, ତା’ର ଭୂଗୋଳକୁ ଯଥେଷ୍ଟ ସଂପ୍ରସାରିତ କରିଥିଲେହେଁ କ୍ଷତି ବି କିଛି କମ୍ କରିନାହାନ୍ତି । ଗଳ୍ପର ଉପକରଣକୁ ସେ ବଢ଼ାଇ ଦେଇଛନ୍ତି ଯଥେଷ୍ଟ, ଚରିତ୍ରଗୁଡ଼ିକର ପୂର୍ଣ୍ଣ ବିକାଶ ସାଧନ କରିବାକୁ ଚାହିଁଛନ୍ତି ଓ ଈଙ୍ଗିତ–ଧର୍ମିତା ଅପେକ୍ଷା କାହାଣୀ ପରିଣାମ ଉପରେ ବିଶେଷ ଦୃଷ୍ଟି ରଖିଛନ୍ତି । କେଉଁଠି କିଛି ସଂଶୟ କି ଛାୟାଛନ୍ନତା ଶେଷ ପର୍ଯ୍ୟନ୍ତ ରଖିନାହାନ୍ତି । ହଠାତ୍ ତେଣୁ ପାଠକ ମନେ କରନ୍ତି ଅନୁମାନ ଓ କଳ୍ପନା ବଳରେ ସେଥିରୁ ଅର୍ଜନ କରିବାର କିଛି ନାହିଁ–ସବୁ ସ୍ପଷ୍ଟ ଉଦ୍‍ଘାଟନ । ଆଜିର କ୍ଷୁଦ୍ରଗଳ୍ପ କ’ଣ ଅଭ୍ୟସ୍ତ ରୀତିବନ୍ଧନ ଓ ଆଙ୍ଗିକ ଚେତନାକୁ ଧରିବସିଛି ? ନା । ତାହା ବେଶ୍ ସ୍ୱଚ୍ଛନ୍ଦ ଓ ଗତିଶୀଳ । ଶ୍ରୀ ସାହୁ ତା’ର ଏହି ସଚେତନାକୁ ଧରି ସ୍ଵଚ୍ଛନ୍ଦତା ଦିଗରେ ଉତ୍ସାହିତ କରିଥିବାରୁ ତାହାର କୃତଜ୍ଞ ହେବା କଥା । ଅଧିକନ୍ତୁ ତାଙ୍କ ଗଳ୍ପର ଆବେଦନ ସ୍ପଷ୍ଟ ଓ ନିଃସଂଶୟ ବୋଲି ଯାହା ପ୍ରଥମରୁ ମନେ ହୁଏ ତାହା କିନ୍ତୁ ଶେଷ କଥା ନୁହେଁ । ଅଧିକାଂଶ ଗଳ୍ପ ପ୍ରାଣଧର୍ମରେ ବଡ଼ ପ୍ରତୀକାତ୍ମକ । ସେଗୁଡ଼ିକର ରସ, ବ୍ୟଞ୍ଜନା ଓ ପରିପୂର୍ଣ୍ଣ ଉପଲବ୍‍ଧି ନିର୍ଭର କରେ ପାଠକର ବୁଦ୍ଧି, ବିଦ୍‍ବତ୍ତା, ଅନୁମାନ ଓ କଳ୍ପନା ଉପରେ । ପାଠକଙ୍କୁ ଗଳ୍ପରୁ ଆନନ୍ଦ ଅର୍ଜନ କରିବାକୁ ହୁଏ । ଗଳ୍ପ ପାଠ ପରେ ସଚେତନ ପାଠକ ମନରେ ଗଳ୍ପର ପ୍ରତୀକାତ୍ମକ ଚରମ ପରିଣତି ଉଦ୍ଭାସିତ ହୋଇଥାଏ । ତେଣୁ ତାଙ୍କ ଗଳ୍ପ ପ୍ରଥମରୁ ଯେପରି ସହଜ କୌତୁକାତ୍ମକ ମନେହୁଏ, ଶେଷ ପର୍ଯ୍ୟନ୍ତ ଆଦୌ ସେପରି ନୁହେଁ । ପାଠକ ସେହି ହାସ୍ୟକୌତୁକର ସାମାନ୍ୟ ସଞ୍ଚୟରୁ ସନ୍ତୁଷ୍ଟ ହୋଇ ଫେରିଲେ ଗଳ୍ପର ଅନେକ କିଛି ରସରହସ୍ୟ ଚିରକାଳ ଅନଧିଗତ ରହିଯିବ । ଅନ୍ୟ ପକ୍ଷରେ ମହାପାତ୍ର ନୀଳମଣି ରଚନାଶୈଳୀ ଓ ଟେକ୍‍ନିକରେ ବିଚିତ୍ରଭାବେ ପ୍ରୟୋଗ ଓ ପରୀକ୍ଷାବାଦୀ । ପ୍ରତିଟି ଗଳ୍ପ ତା’ର ବିଷୟବସ୍ତୁ ଅନୁରୂପ ଏକ ନୂତନ ଭାଷାରୀତି ଓ ରଚନାଶୈଳୀରେ ସମୃଦ୍ଧ ଓ ସେଥିଲାଗି, ନୂତନତାର ବିଚିତ୍ର ସ୍ଵାଦରେ ନିତ୍ୟ ପରିପୂର୍ଣ୍ଣ ।

 

‘ଅନ୍ୟରୂପ ରୂପାନ୍ତର’ ଶ୍ରୀ ସାହୁଙ୍କର ନୂଆ ପୁରୁଣା କେତେକ ଗଳ୍ପର ସଙ୍କଳନ । ଅନେକ ଦୃଷ୍ଟିରୁ ଏହି ସଙ୍କଳନ ଉଭୟ ଓଡ଼ିଆ ସାହିତ୍ୟ ଓ ଗାଳ୍ପିକଙ୍କ ଗଳ୍ପ ରଚନା କ୍ଷେତ୍ରରେ ନୂତନତାର ଇଙ୍ଗିତ ବିଚ୍ଛୁରଣ କରେ । ଅସ୍ତରଙ୍ଗର ସୂର୍ଯ୍ୟ, କପୋତପକ୍ଷୀ ଗୁରୁ ମୋର ମୂର୍ଚ୍ଛିତ ବିଷାଦ, ଅନ୍ୟରୂପ ରୂପାନ୍ତର–ଆଦି ଗଳ୍ପର ମୂଳଥୀମ୍ ରୂପାନ୍ତର ପ୍ରକ୍ରିୟା । ଦେହରୁ ଦେହାତୀତକୁ, ଲାଳସାରୁ ବାସନାଲୋକକୁ, କୁତ୍ସିତ ଅଶ୍ଳୀଳତାରୁ ଶୋଭନ ସୌନ୍ଦର୍ଯ୍ୟକୁ । ସ୍ଥୂଳରୁ ସୂକ୍ଷ୍ମକୁ, କାମୁକତାରୁ ପ୍ରେମକୁ, ସ୍ଵାର୍ଥରୁ ପରାର୍ଥକୁ, ବିଷାଦରୁ ଆନନ୍ଦକୁ ଓ ଆବର୍ଜନାରୁ ରୂପକୁ ଲମ୍ବି ଯାଇଛି ଏହି ଦୀର୍ଘ ରୂପାନ୍ତର ପ୍ରକ୍ରିୟା । ଗଳ୍ପର ଚରିତ୍ରଗୁଡ଼ିକ ଅପୂର୍ବ । ସେହି ଚରିତ୍ରଗୁଡ଼ିକ ଗଳ୍ପର ଶିଳ୍ପକୌଶଳକୁ ନିୟନ୍ତ୍ରଣ କରି ନେଇଛନ୍ତି । ସୁସମ୍ବନ୍ଧ ଆଖ୍ୟାନ ଭାଗ, ବନ୍ଧାଧରା, ପ୍ଳଟ ଘଟନାର ଦ୍ରୁତ ସଂଘଟନ କି ନାଟକୀୟ ପରିଣତି ତେଣୁ କେଉଁଠି ନାହିଁ । ଗାଳ୍ପିକ ସେହିସବୁ ପରିକଳ୍ପିତ ଚରିତ୍ର–ଜୀବନର ବିଚ୍ଛିନ୍ନ କେତୋଟି ଘଟଣା, କେତୋଟି ମାନସିକ ଅବସ୍ଥା ବା ଚିନ୍ତାଧାରାକୁ ପୃଥକ କରିନେଇଛନ୍ତି ଓ ସେଗୁଡ଼ିକର ଶିଳ୍ପସୁଲଭ ବର୍ଣ୍ଣନା ମଧ୍ୟରୁ ଚରିତ୍ରର ଅନ୍ତର୍ନିହିତ ବୈଶିଷ୍ଟ୍ୟକୁ ବ୍ୟଞ୍ଜିତ ରଖିଛନ୍ତି । ଚରିତ୍ରର ପ୍ରତିନିଧିମୂଳକ ଯେଉଁ କେତେକ ଆଚରଣ, ଚିନ୍ତା ବା ମାନସିକ ଅବସ୍ଥା, ଓ ସଂଳାପାଦି ସେ ବାଛି ନେଇଛନ୍ତି ତାହା ଆପାତଃ ଦୃଷ୍ଟିରେ ପ୍ରଥମେ ଉଦ୍ଦେଶ୍ୟହୀନ ଓ ନୈମିତିକ ମନେ ହୋଇପାରେ । କିନ୍ତୁ ସେସବୁ ମଧ୍ୟରେ ଆବେଗ–ବିଚିତ୍ର ମାନସିକ ଅବସ୍ଥାର ସୂକ୍ଷ୍ମ କାବ୍ୟାତ୍ମକ ବର୍ଣ୍ଣନାର ସଂସ୍ଥାପନା ଦ୍ଵାରା ଯେଉଁ ସମଗ୍ରତାର ରୂପ ପ୍ରକଟିତ ରହିଛି, ତାହା ପରିପୂର୍ଣ୍ଣତା ଲାଭ କରିବାକୁ ପାଠକର କଳ୍ପନା ଓ ଅନୁଭୂତିକୁ ଅପେକ୍ଷା ରଖେ । ଗଳ୍ପ ତେଣୁ ପରିପୂର୍ଣ୍ଣତା ଲାଭ କରିବ ପାଠକର କଳ୍ପନାର ସମୁନ୍ନତି ମଧ୍ୟରେ । ପାଠକ ଗଳ୍ପରୁ ଯେଉଁ ଆନନ୍ଦ ଅନୁଭବ କରିବେ, ତାହା ତାଙ୍କୁ ଅର୍ଜ୍ଜନ କରିବାକୁ ହେବ । ଚରିତ୍ରମନର ଅଜ୍ଞାତ ଅନିଚ୍ଛାକୃତ ବିଶୃଙ୍ଖଳା ସୃଷ୍ଟି କରାଉଥିବା ଶକ୍ତିଗୁଡ଼ିକୁ ଶିଳ୍ପୀ ସତର୍କତା ସହିତ ଲକ୍ଷ୍ୟ କରିଛନ୍ତି ମାନବିକ ସମ୍ବେଦନାର ବ୍ୟାପକ ପରିଧିରେ ସେ ନୂଆ ଏକ ନୈତିକ ମୂଲ୍ୟ ଫୁଟାଇବାକୁ ଚାହାନ୍ତି । ତାଙ୍କର ଏହି ଦୃଷ୍ଟିଭଙ୍ଗୀ ତଳେ ଗତାନୁଗତିକତା ପ୍ରତି ଜାଗ୍ରତ ରହିଛି ତିରସ୍କାର ଓ ବିଦ୍ରୋହ, ନବୀନ ନୈତିକ ମୂଲ୍ୟ ସ୍ଥାପନ ପ୍ରତି ପ୍ରବଳ ଆଗ୍ରହ । ଏହି ବିଶେଷ ଦୃଷ୍ଟିଭଙ୍ଗୀ ଚରିତ୍ରଗୁଡ଼ିକୁ ଚଞ୍ଚଳ କରି ଦେଇଛି–ସେମାନେ ନିଜ ଅନ୍ତରର ଦୁର୍ଜ୍ଜେୟ ପ୍ରେରଣା ଓ ଅନ୍ତର୍ଦ୍ୱନ୍ଦର ତୀବ୍ର ବିକ୍ଷୋଭର ବଶବର୍ତ୍ତୀ ହୋଇ ଜୀବନ ପଥରେ ଭାସି ଚାଲିଛନ୍ତି । କାହାର ପ୍ରାୟ ଆତ୍ମକର୍ତ୍ତୃତ୍ୱ ନାହିଁ କି ଅବସ୍ଥାକୁ ଆୟତ୍ତାଧୀନ କରିବାକୁ ବିଶେଷ ପ୍ରୟାସ ନାହିଁ । ଅନ୍ତରର ଭାବାନୁଭୂତି ପାଖରେ ସଚେତନ ଆତ୍ମସମର୍ପଣ କରିବା ଛଡ଼ା କେହି ଗତ୍ୟନ୍ତର ଦେଖି ନାହାନ୍ତି । ଅନ୍ତରେ ଏହି ତୀବ୍ର ଭାବାନୁଭୂତି ଚରିତକୁ ଯେଉଁ ଏକ ବିଶିଷ୍ଟ ମୁହୂର୍ତ୍ତରେ ନେଇ ପହଞ୍ଚାଇ ଦିଏ ସେହିଠାରେ ଗଳ୍ପର ଉପସଂହାର ଘଟିଛି । ଅଧିକାଂଶ ଚରିତ ତେଣୁ ମୂଳଉତ୍ସରେ ଏକପ୍ରକାର । ମଣିଷ ଜୀବନ ସେ ସମଷ୍ଟିଗତ ଏକ ଅବିଚ୍ଛିନ୍ନ ସତ୍ତା–ତାହା ଚରିତଗୁଡ଼ିକର ଏହି ସଦୃଶ୍ୟବୋଧରୁ ଶିଳ୍ପୀ ଜଣାଇ ଦେବାକୁ ଚାହାନ୍ତି । ତେଣୁ ଆମୂଳାନ୍ତ ଏକପ୍ରକାର ଚରିତ ଦେଖି ତାହାକୁ ଶିଳ୍ପର ଦୁର୍ବଳତା ମନେ କରିବା ସମୀଚୀନ ନୁହେଁ । ମୂଳତଃ ନୈବ୍ୟକ୍ତିକ ଜୀବନ ସ୍ତରରେ ପ୍ରତ୍ୟେକ ମଣିଷ ସମାନ ନୁହନ୍ତି କି ? ପରିକଳ୍ପିତ ସେହିସବୁ ଚରିତ୍ର ମଧ୍ୟରେ ଗତାନୁଗତିକ ଜୀବନଯାତ୍ରାର କ୍ଳାନ୍ତି, ନୈରାଶ୍ୟ, ବ୍ୟର୍ଥତା, କ୍ଷୁବ୍‍ଧତା ନିରାନନ୍ଦତା ଓ ଶୂନ୍ୟତା କିଛି କମ୍ ପ୍ରାଧାନ୍ୟ ଲାଭ କରିନାହିଁ । କିନ୍ତୁ ସେହିଠି ଶିଳ୍ପୀ ସେମାନଙ୍କୁ ଛାଡ଼ିଯାଇ ପାରିବେ ନାହିଁ । ସେ ଏକାନ୍ତ ସମ୍ବେଦନଶୀଳ ଓ ସହାନୁଭୂତିମୟ ଚିତ୍ତରେ ଚରିତ୍ରକୁ ଦେଖିଛନ୍ତି ତାହାର ନିଃସହାୟତା ଓ ଏକାକୀତ୍ ମଧ୍ୟରେ । ବ୍ୟକ୍ତିତ୍ଵର ମାପରେ ମଣିଷ ମଣିଷ ଭିତରେ ଅନତିତ୍ରମଣୀୟ ସ୍ୱତନ୍ତ୍ରତା ରହିଛି । ମଣିଷ ମଣିଷକୁ ସବୁବେଳେ ବୁଝେ ବୋଲି ଆଦୌ ମନେ ହୁଏ ନାହିଁ । ମଣିଷର ଆଶା ଆକାଙ୍‍କ୍ଷା ସହିତ ତା’ର ବାସ୍ତବ ଜୀବନର ଅସାମଞ୍ଜସ୍ୟ ଅନେକ । ଅନାତ୍ମୀୟ ଓ ଅସାମଞ୍ଜସ୍ୟମୟ ଏହି ପୃଥବୀରେ କିନ୍ତୁ ଚରିତ୍ରଗୁଡ଼ିକୁ ସେ ପାର୍ଥିବ ଆଶା ଆକାଙ୍‍କ୍ଷା ଘେନି ସନ୍ତୁଷ୍ଟ ହେବାକୁ ଛାଡ଼ିଯାଇ ନାହାନ୍ତି । ସେମାନଙ୍କର ଯେପରି ଅତ୍ୟାବଶ୍ୟକ ବସ୍ତୁ କିଛି ହଜି ଯାଇଛି । ସହଜରେ ଖୋଜି ପାଇ ହେବ ନାହିଁ । ଏହି ଭାବ, ଏହି ଗଭୀର ଆବେଗ ଓ ବେଦନାମୟ ଅନୁଭୂତି ସେମାନଙ୍କ ଆଚାର ଆଚରଣ ଓ ଚିନ୍ତାରେ ପ୍ରକଟିତ ହୋଇଛି । ଶିଳ୍ପୀ ମଣିଷର ଚିନ୍ତା ଓ କାର୍ଯ୍ୟାବଳୀର ଗୋପନ ଭୟ ଦିଗରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ମଣିଷର ଅନ୍ତର୍ଜୀବନ ଦେଖିବାର ନୂଆ ବାଟ ବତାଇଛନ୍ତି । ତେଣୁ ଅଧିକାଂଶ ଗଳ୍ପ ଦେଶକାଳର ସୀମା ଡେଇଁ ମଣିଷର ମନୋଜୀବନର ଇତିହାସରେ ପରିଣତ ହେବାକୁ ଉନ୍ମୁଖ ରହିଛନ୍ତି । ଗଳ୍ପର ପୁରୁଷ ଚରିତ୍ର ଅପେକ୍ଷା ନାରୀ ଚରିତ୍ରଗୁଡ଼ିକ ଆହୁରି ସୁନ୍ଦର ଓ ଅଭିନବ । ସେମାନେ ପୁରୁଷକୁ କେଉଁଠି ବିପଥରେ ନେଇ ନାହାନ୍ତି–ନାରୀ ସ୍ଵୟଂ ଭାଗବତ କରୁଣାବାହିନୀ–ବିଶ୍ଵର ଅନ୍ତଲୌକବାସିନୀ । କେବଳ ରକ୍ତ ମାଂସର ବିଗ୍ରହ ନୁହେଁ । କଲ୍ୟାଣରୂପିଣୀ ସେହି ନାରୀ ପଥପ୍ରଦର୍ଶକ ନ ହେଲେ ମଣିଷ ତା’ର ଚେତନାର ଊର୍ଦ୍ଧ୍ଵକୁ ଉଠିପାରେ ନାହିଁ । ସେମାନେ ଗଳ୍ପରେ ସବୁଠି ପୁରୁଷକୁ ଅତି ମର୍ତ୍ତ୍ୟଲୋକକୁ ତୋଳି ନେଇଛନ୍ତି । ପୁରୁଷର ଦେହ ମନ ପ୍ରାଣର ସବୁ ରୂପାନ୍ତର ନାରୀସମନ୍ୱିତ ନ ହୋଇ ରହିପାରେ ନାହିଁ । ଅନ୍ୟରୂପ–ରୂପାନ୍ତରର ନାରୀ ମୂର୍ତ୍ତିଗୁଡ଼ିକ–ମନୋରମା, ଶ୍ରୀମତୀ ଛୋଟରାୟ, କୃଷ୍ଣା ଚୈଧୁରୀ ସ୍ମରଣ କରାଇ ଦିଅନ୍ତି ମହାଳବି ଗେଟେଙ୍କ ଅମରବାଣୀକୁ ‘The Eternal Womanly draws us above. ନାରୀ ସମ୍ପର୍କର ଏହାଠାରୁ ବଳି ସୁନ୍ଦର କଥା ଆଉ କ’ଣ ଥାଇପାରେ ? ଗଳ୍ପର ଆଖ୍ୟାନ, ବକ୍ତବ୍ୟ ଓ ଚରିତ୍ରକୁ ଗାଳ୍ପିକଙ୍କ କବିସୁଲଭ ସୌନ୍ଦର୍ଯ୍ୟ ଚେତନା ଓ କାବ୍ୟାବେଶପ୍ରବଣତା ସମାଚ୍ଛନ୍ନ କରି ରହିଛି । ଗଳ୍ପର ପ୍ରକାଶ ଓ ଶୈଳୀ ବାରବାର ଚିତ୍ର ଚରିତ୍ର ଘଟନା ସହିତ ସଙ୍ଗତି ରକ୍ଷା କରି ବଦଳିଛି–କେଉଁଠି ଚରିତ୍ରର ଆତ୍ମକଥନତ କେଉଁଠି ଲେଖକଙ୍କ ଆବେଗକଳ୍ପିତ ବର୍ଣ୍ଣନା–କେଉଁଠି ନୀର୍ଲିପ୍ତ ବିଶ୍ଳେଷଣ ତ ଆଉ କେଉଁଠି ଅନ୍ତର୍ଭାଷଣର ଆତ୍ମକଳନା । ଭାଷା ଅନାୟତ୍ତ ନୁହେଁ । କେଉଁଠି ତାହା ଲଘୁହାସ୍ୟଚପଳ ହୋଇ ଉଠିଛି ତ କେଉଁଠି ପୁଣି ହୋଇ ଉଠିଛି କରୁଣ ଅଶ୍ରୁ ‘ସଜଳ, କେଉଁଠ ଭାବପ୍ରବାହ (କାବ୍ୟକୁତୁହଳରେ ଭାସିଯାଇଛି ତ ଆଉ କେଉଁଠି ଜୀବନ ବିଶ୍ଳେଷଣରେ ହୋଇଉଠିଛି ତୀକ୍ଷଣ ଓ କଠିନ । ପୁଣି ଏକାଧିକ ବିଶେଷଣ ପ୍ରୟୋଗରେ ଅପୂର୍ବ ଭାବବ୍ୟଞ୍ଜନାମୟ । ପାଖକୁ ପାଖ ଅନେକ ବିଶ୍ଳେଷଣ ରହି ଭାବର ପ୍ରକାଶପଥକୁ ସୌନ୍ଦର୍ଯ୍ୟରେ ମଣ୍ଡିଛନ୍ତି, ଯେପରି–ଘନ ନିବିଡ଼ ଧର୍ଷଣକାମଉଷ୍ଣଆଶ୍ଳେଷ–ଅଦ୍ଭୁତ ପାଶବିକ ମାଂସଳ ଉଷ୍ମ କମନାର ତାତି–ସଂଗୁପ୍ତ ବେଦନାର କ୍ଷୁବ୍‍ଧ ଅବୋଧ ଓ କାରଣହୀନ କାରୁଣ୍ୟର ଧ୍ଵନି (ଅସ୍ତସୂର୍ଯ୍ୟର ରଙ୍ଗ)–ନିରୀହ ଅମାୟିକ ଅଥଚ ନିର୍ବୋଧ ମାୟାଚ୍ଛନ୍ନ ନାରୀମୂର୍ତ୍ତି–ଶିଶୁସୁଲଭ ଏକାନ୍ତ ନିର୍ଭରତାର ନିବୋଧ ଅସହାୟ କାତରତାର ଛାୟା–ଆଃ ! କି ସୁନ୍ଦର ଏକାନ୍ତ ନିର୍ଭରଶୀଳ ଶିଶୁ ସୁଲଭ ଅସହାୟ ମୂଢ଼ ମୁହଁଟିଏ–ସୃଜନକ୍ଷମ ଅଭୁତ ସଂପ୍ରେରଣାମୟୀ ପ୍ରେମ–ଶୁଭସୁନ୍ଦର ବିଷାଦମଧୁର ସ୍ଵର ମୂର୍ତ୍ତିଟିଏ । ଭାଷାର ଚିତ୍ରବ୍ୟଞ୍ଜନା ଓ ଭାବଦ୍ୟୋତନା, ଲକ୍ଷ୍ୟ କରିବାର କଥା । ଭାବପ୍ରବଣ ଏହି ଭାଷାଶିଳ୍ପୀଙ୍କ ସୂକ୍ଷ୍ମ ମଧୁର ସହାନୁଭୂତିମୟ ସ୍ଵଭାବ ସହିତ ମିଶି ଯେତେବେଳେ ଉତ୍କୁଳ ହୋଇ ଉଠିଛି, ସେତେବେଳେ କ୍ଷୁଦ୍ରଗଳ୍ପର ରୀତିବନ୍ଧନ ବହୁଦୂରକୁ ଭାସିଯାଇଛି । ସବୁଗୁଡ଼ିକ ଗଳ୍ପ ତେଣୁ ଦୀର୍ଘ ଓ ଅସଂଯତ । କ୍ଷୁଦ୍ରଗଳ୍ପର ଟେକ୍‍ନିକ ଦୃଷ୍ଟିରୁ ‘ଅନ୍ୟରୂପ–ରୂପାନ୍ତର’ରେ ଠିକ୍ କ୍ଷୁଦ୍ରଗଳ୍ପ କାହିଁ ? ତେବେ ଏଥିରେ ପାଠକକୁ ଅଭିଭୂତ କଲାଭଳି ସାମଗ୍ରୀର କୌଣସି ଅଭାବ ନାହିଁ । କପୋତ ପକ୍ଷୀ ଗୁରୁ ମୋର’ ଠିକ୍ ସିନା କ୍ଷୁଦ୍ରଗଳ୍ପ ନୁହେଁ । ତେବେ ଓଡ଼ିଶାର କେଉଁ ପାଠକକୁ ତାହା ପୁଣି ଅଭିଭୂତ ନ କରିଛି ? ଏହି ସଙ୍କଳନର ପ୍ରତ୍ୟେକଟି ଗଳ୍ପ ଅନେକାଂଶରେ ‘ମୂର୍ଚ୍ଛିତ ବିଷାଦ’ ଗଳ୍ପର କୁମାରୀ ମଞ୍ଜୁ ପରି ମର୍ତ୍ତ୍ୟ ଓ ଅତିମର୍ତ୍ତ୍ୟକୁ ସେତୁପରି ଯୋଡ଼ି ଦେଇଛନ୍ତି । ବାସ୍ତବ ଜୀବନର ସେବା ଓ ଦାୟିତ୍ୱ ଗ୍ରହଣରେ ମଞ୍ଜୁର କୌଣସି ଔଦାସୀନ୍ୟ ନାହିଁ–ଅଥଚ ନିର୍ଲିପ୍ତଭାବରେ ସେଥିରୁ ସେ ମୁକ୍ତିପାଇ କେତେବେଳେ ବିହରି ସାରିଲାଣି ଆଦର୍ଶ ଆଧ୍ୟାତ୍ମିକ ଅମର୍ତ୍ତ୍ୟଲୋକରେ ! ଖିଲି ଖିଲି ତା’ର ଖିଆଲି ହସ ଦେଖି କେହି ତାକୁ ପାଗଳିନୀ ବୋଲି ସନ୍ଦେହ କରିପାରନ୍ତି–ମାତ୍ର ସେ ଆଦୌ ପାଗଳିନୀ ନୁହେଁ ସେ ସବୁ କଥାକୁ ଆପଣା ଭିତରକୁ ନିଏ ଅଥଚ କାହାପ୍ରତି ଅନୁରାଗ କି ଅଭିଯୋଗ ପୋଷଣ କରେ ନାହିଁ–ସେ ସବୁ ପରେ ପରେ ତା’ର ଖିଲିଖିଲି ହସ ଭିତରେ ରୂପାନ୍ତରିତ ହୋଇ ଫୁଲ ପରି ଫୁଟିଉଠନ୍ତି । ଗଳ୍ପଗୁଡ଼ିକୁ ଯେ କେହି ଖାମଖେୟାଲି କଳ୍ପନା ବୋଲି ମନେ କରିପାରନ୍ତି–ମାତ୍ର ସେଗୁଡ଼ିକ ବାସ୍ତବ ଜୀବନର ସବୁ ଜଞ୍ଜାଳକୁ ସ୍ଵୀକାର କରିଛନ୍ତି । କେବଳ କୌଣସି ଏକ ବିଶିଷ୍ଟ ମୁହୂର୍ତ୍ତରେ ବାସ୍ତବ ଜୀବନର ଊର୍ଦ୍ଧ୍ଵକୁ ଉତ୍ତୀର୍ଣ୍ଣ ହେଇ ଯାଇଛନ୍ତି–ସେହି ମୁହୂର୍ତ୍ତଟିକୁ ଉପଲବ୍‍ଧିକୁ ନ ଆଣିଲେ ଗଳ୍ପଗୁଡ଼ିକର ମୂଲ୍ୟ କଳନାରେ ଭୁଲ ବୁଝାମଣା ରହିଯିବ ।

 

ସଙ୍କଳନରୁ ସବୁ ଗଳ୍ପର ସୌନ୍ଦର୍ଯ୍ୟ ଫେଡ଼ି ଦେଖାଇବାର ଅବକାଶ ନାହିଁ । ପ୍ରତ୍ୟେକଟି ରସ ରହସ୍ୟମୟ । ଅସ୍ତରଙ୍ଗର ସୂର୍ଯ୍ୟ ନାମଟିରୁ ଗଳ୍ପର ସୌନ୍ଦର୍ଯ୍ୟ ଝରିପଡ଼େ । ଅସ୍ତ ମୁହୂର୍ତ୍ତର ପୁଣି ଏତେ ରଙ୍ଗ ! ମନୋରମା ସମୟର ଏକ ଅସ୍ତିତ୍ଵହୀନ ମୁହୂର୍ତ୍ତରେ–ନିବିଡ଼ ଘନ ଉଦାର ମହାନନ୍ଦମୟ ସୃଜନଶୀଳ ଅନ୍ଧକାର ଆଲୋଡ଼ନ ଭିତରେ ନୂତନ ସୃଷ୍ଟଭ୍ରୂଣର ବ୍ୟଞ୍ଜନାକୁ ପରମବିଶ୍ୱାସରେ ଗ୍ରହଣ କରି ନେଉଛି ଆଉ ଠିକ୍ ସେହି ସମୟରେ ପ୍ରସୂତିଭବନରୁ ଭାସି ଆସୁଛି ଭୂମିଷ୍ଠ ଶିଶୁର ଆନନ୍ଦ ବେଦନାମୟ ସଙ୍ଗୀତ କୁଆଁ କୁଆଁ...ଏହି ଦୁଇଟି କ୍ରିୟାର ବ୍ୟବଧାନକୁ ପରିପୂର୍ଣ୍ଣ କରି ଦେହଚେତନା ବିଦେହୀ ଏକ ସାର୍ବଜନୀନ ବାତ୍ସଲ୍ୟରେ ରୂପାନ୍ତରିତ ହୋଇଯାଉଛି । ମନୋରମା ଅନୁଭବ କରୁଛି ସଦ୍ୟପ୍ରସୂତିର ସମସ୍ତ କ୍ଳାନ୍ତି । ତାଙ୍କର ସୃଷ୍ଟି କ୍ଷମତାତ୍ୟାଗୀ କମଳକୁ ଦେହ ସମର୍ପଣ କରିବା ସହିତ ବୈଷ୍ଣବୀର ପ୍ରସବ ବେଦନା କାହିଁ ନା କାହିଁ ଏକ ଅବିଛେଦ୍ୟ ସମ୍ପର୍କ ସୂତ୍ରରେ ଛନ୍ଦି ହୋଇଯାଇଛି–ଦେଶ କଳାତୀତ ସେହି ମିଳନ ବିନ୍ଦୁଟିକୁ ଉପଲବ୍‍ଧିକୁ ନ ଆଣିଲେ ଗଳ୍ପଟି ଦୁର୍ବୋଧ୍ୟ ରହିଯିବ । କପୋତ ପକ୍ଷୀ ଗୁରୁ ମୋର ଏକ କ୍ଲାସିକ ସୃଷ୍ଟି । ଓଡ଼ିଆମାନଙ୍କ ପାଇଁ ତା’ର ଏକ ବିଶିଷ୍ଟ ଆବେଦନ ଅଛି । ଓଡ଼ିଆ ଭାଗବତ ପୁରୀର ଜଗନ୍ନାଥ ଓ ଆମ ସଂସାରର ବୁଢ଼ା ବୁଢ଼ୀ ଏ ସବୁ ଅପୂର୍ବ ଭାବାବେଗ ଡୋରିରେ ଛନ୍ଦିହୋଇ ପଡ଼ିଛନ୍ତି । ପ୍ରାଚୀନ ମୂଲ୍ୟ ବୋଧର ବନ୍ଧନ ଛିଡ଼ି ଛିଡ଼ି ଆସୁଛି । ନୂତନ ମୂଲ୍ୟବୋଧ ସ୍ପଷ୍ଟ ହୋଇ ଉଠି ନାହିଁ–ଦ୍ଵନ୍ଦ ଓ ସଂଶୟ ଭିତରୁ ବୁଢ଼ା ସହଜ ସ୍ଵାଭାବିକ ନିଃସଂଶୟ ପଥ ବାଛି ନେଇଛି–ସାଧନା ତା’ର ଜ୍ଞାନ ବୈରାଗ୍ୟର । ଏବେ କିନ୍ତୁ କରୁଣା ସ୍ପର୍ଶରୁ ମୁକ୍ତି ସୁଲଭ ହୋଇଗଲା । କିନ୍ତୁ ବୁଢ଼ୀ ମନୁଆ ବୋଉ ? ପ୍ରଥମେ ସେ ସଂସାର କାଟି ପାରି ନାହିଁ । ସାଧନା ତା’ର ପ୍ରେମ ଓ କରୁଣା, ବୈରାଗ୍ୟ ଅନ୍ତନିର୍ହିତ । ପ୍ରେମର ନୈର୍ବ୍ୟକ୍ତିକ ରସାନୁଭୂତି ପାଖରୁ ବୈରାଗ୍ୟ ଦୂରରେ ରହିପାରେ ନାହିଁ । ତେଣୁ ଆପାତତଃ ମୂଢ଼ ନାରୀଟିର ମୁହୂର୍ତ୍ତକେ ଅପୂର୍ବ ରୂପାନ୍ତର ହୋଇଗଲା–ବୁଢ଼ାର ରୁଦ୍ରାକ୍ଷମାଳାଟିକୁ ଗଳାରେ ପିନ୍ଧି ବୁଢ଼ାର ଚିତ୍ରଟିକୁ ଛାତିରେ ଜାକି ସେ ପୋଡ଼ି ହୋଇ ମୃତ୍ୟୁବରଣ କରିଛି–ମୃତ୍ୟୁ କି ତାକୁ ମାରି ପାରେ ? ଦରପୋଡ଼ା ତା’ର ଦେହ ଭିତରୁ ଶୁଦ୍ଧୋଜ୍ଜାଳ ରୂପର ପ୍ରକଟିତ ହୋଇଗଲା ବିଶ୍ଵର ଚିରନ୍ତନ ପ୍ରେମିକାଟି–ପ୍ରେମର, ଅନୁରାଗର ଓ ଲୀଳାର ଅପୂର୍ବ ନାରୀ ଚେତନାଟି ଭକ୍ତିର ଓ ପ୍ରୀତିର-। ତାକୁ କିଏ ପୁଣି ନ ବନ୍ଦିବ ? ଆମ ବୁଢ଼ୀଆଇଙ୍କ ଭିତରେ ଚିର ସଂଗୁପ୍ତ ପ୍ରେମିକା ଚେତନାଟିକୁ ଲେଖକ ଦେଖି ଦେଖାଇ ଦେଲେ । କିଛି ନୂଆ କଥା ନୁହେଁ–ଅଥଚ ସମ୍ପୂର୍ଣ୍ଣ ନୂଆ ଅନୁଭବର କଥା-। ‘ମୂର୍ଚ୍ଛିତ ବିଷାଦ’ ଓ ‘ଅନ୍ୟରୂପ ରୂପାନ୍ତର’ ଅନେକାଂଶର ନୂଆ । ଶ୍ରୀ ଅରବିନ୍ଦ ଦର୍ଶନ ଓ କ୍ଷୁଦ୍ରଗଳ୍ପର ଆର୍ଟ ନିର୍ବିରୋଧ ମିଳନରେ ଯୋଡ଼ା ଜଗତ ଓ ଜୀବନର ରୂପାନ୍ତର ପ୍ରତ୍ୟାଶା–ତହିଁରୁ ଉଙ୍କିମାରୁଛି ସୁଖଦୁଃଖର ବହୁଊର୍ଦ୍ଧ୍ଵରେ ଜଗତ ଓ ଜୀବନକୁ ମୂର୍ଚ୍ଛିତ କରିଦେବାକୁ ଶୁଭ୍ର ସୁନ୍ଦର ବିଷାଦମଧୁର ସ୍ଵର ମୂର୍ତ୍ତିଟିଏ । ‘ମୁର୍ଚ୍ଛିତ ବିଷାଦର’ । ଶ୍ରୀମତୀ ଛୋଟରାୟ ମୁର୍ଚ୍ଛିତ ବିଷାଦର ସୁନ୍ଦର ବିଗ୍ରହ । ସମଗ୍ର ଗଳ୍ପଟି ଏକ ରୂପକ । ଆଧୁନିକ ଆତ୍ମ–ସଚେତନ ଭଦ୍ର ମଣିଷଟି ମୁକ୍ତି ଚାହେଁ–କିନ୍ତୁ ମୁକ୍ତି ବାସନାର ବ୍ୟାକୁଳ ଉତ୍‍କ୍ଷିପ୍ତତାରେ ଡଙ୍ଗାରେ ନଙ୍ଗର ଖୁଣ୍ଟରୁ ନ ଫିଟେଇ ସେ ରାତିସାରା ଆହୁଲା ମାରିବାରେ ଲାଗିଯାଏ । ପ୍ରତି ସକାଳେ ଦେଖେ ଡଙ୍ଗା ଯେଉଁଠି ଥିଲା ସେଇଠି ଅଛି–ନୈରାଶ୍ୟ ଓ ଜଡ଼ତା ତା’ର କର୍ମଫଳ । ପାଖରେ ସଂସାର ପଡ଼ିଛି ଠିକ୍ ତା’ର ମହାଅଭିମାନୀ ସଂଯତବାକ୍ ବୃଦ୍ଧ ପକ୍ଷାଘାତଗ୍ରସ୍ତ ମାସୋକିଷ୍ଟ ବାପାଙ୍କ ପରି । ବ୍ୟକ୍ତିଗତ ସ୍ତରରେ ଶେଠୀ ନିଜ ପୀଡ଼ାରୁ ସୁଖ ଆଦାୟ କରିବାକୁ ହୁଏ । ଭଉଣୀ ମଞ୍ଜୁ କିନ୍ତୁ ସ୍ଵର୍ଗ ଓ ମର୍ତ୍ତ୍ୟକୁ ଛୁଇଁ ଛୁଇଁ କବିତାପରି ଫୁଟିଛି–ପାପ ବୋଧ ପୀଡ଼ିତା ପୃଥିବୀର ଗୋଟିଏ ଫୁଲ ସେ ମାତ୍ର । ପତ୍ନୀଲୀଳା ଓ ମାତା ଯେପରି ପାପବୋଧରୁ ତ୍ରାହି ପାଇବାର କାମନା–ତାଙ୍କର ପ୍ରତ୍ୟାଶା ସ୍ଵର୍ଗରୁ କରୁଣା ଝରି ପୃଥିବୀର ପାପରାଶି ଧୋଇ ନେବ । କିନ୍ତୁ କରୁଣା ଝରି ଆସେ ନାହିଁ–ପ୍ରତି ମୁହୂର୍ତ୍ତରେ ମନେ ହୁଏ–ଏଇ ସଂସାର ଧ୍ଵଂସ ହେଲା । ଏଇ ସଙ୍କଟ କାଳରେ ଓହ୍ଲାଇ ଆସିଲେ ଆନନ୍ଦ ମଧୁର ନୈର୍ବ୍ୟକ୍ତିକ ବିଷାଦ ଶ୍ରୀମତି ଛୋଟରାୟ ରୂପରେ-। ତାଙ୍କ ଦର୍ଶନରେ ନିରଞ୍ଜନ ସଂଗୁପ୍ତ ପାପଡ଼ୋର ଛିଡ଼ିଲା ମଞ୍ଜୁର ହସ ଓ ଶ୍ରୀମତିଙ୍କ କଣ୍ଠ ସଙ୍ଗୀତ ମୁର୍ଚ୍ଛିତ ବିଷାଦର ଦୁଇଟି ରୂପ–ଗୋଟିଏ ପ୍ରେରଣା ଓ ଅନ୍ୟଟି ସ୍ଵୟଂ ରୂପାନ୍ତର ପ୍ରକ୍ରିୟା ମୂର୍ତ୍ତ ଏକ ମୂର୍ଚ୍ଛନାର ପ୍ରାଣବତୀ ବିଗ୍ରହ । ଦୁଃଖରୁ ଆତ୍ମରକ୍ଷା କରି କେହି ସୁଖୀ ହୋଇପାରି ନାହିଁ । ଦୁଃଖ ମଧ୍ୟରେ ହିଁ ଦୁଃଖର ପରିତ୍ରାଣ ମିଳେ । ଦୁଃଖ ନୈର୍ବ୍ୟକ୍ତିକ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଥିଲେ ସୁଖରେ ରୂପାନ୍ତରିତ ହୁଏ । ଆନନ୍ଦ ସାଧ୍ୟ ହେଲେ ସାଧନା ବିଷାଦ । ସେଠି କେହି ସୁଖୀ ହୁଏ ନାହିଁ କି ଦୁଃଖୀ ହୁଏ ନାହିଁ–ହୋଇଥାଏ କେବଳ ମୁର୍ଚ୍ଛିତ । ‘ଅନ୍ୟରୂପ–ରୂପାନ୍ତର’ ଆମ ପ୍ରେମହୀନ ଜୀବନ ଉପରେ ଏକ ପ୍ରଚଣ୍ଡ ଆଘାତ । ନିଶାଶରେ ତା’ର ଉଭୟ ବ୍ୟଙ୍ଗ ଓ କରୁଣାର ବାର୍ତ୍ତା ପ୍ରେମହୀନ ଜୀବନ ଓ ଜଗତ–ବ୍ୟକ୍ତି, ସମାଜ ଓ ରାଷ୍ଟ୍ର–କଟକ ସହର ପରି ସୁନ୍ଦର ! ଘୋର ଆବର୍ଜନାମୟ ମନୁଷ୍ୟ ପୁରୀକ୍ଷରେ ପରିପୂର୍ଣ୍ଣ । ସୁନ୍ଦର ଓ ସରସ ହେବାର ସବୁ ସମ୍ଭାବନା ଥାଉ ଥାଉ ବଡ଼ ଅଭଦ୍ର ଭାବରେ ତାହା ସଂସ୍କୃତିହୀନ । ପ୍ରେମକୁ ଅସ୍ଵୀକାର କରି ଗୋକୁଳାନନ୍ଦ ଚୌଧୁରୀ ଜଗତ୍‍ବ୍ୟାପୀ ପ୍ରତିଷ୍ଠା ଅର୍ଜିଥିଲେ, ଆଜି ଜୀବନର ପଶ୍ଚିମ ଦିଗନ୍ତରେ ଉପଲବ୍‍ଧି କରୁଛନ୍ତି ଶୂନ୍ୟତା–ଦିଗବିଦିଗଶୂନ୍ୟ ଶୂନ୍ୟତା–କିଛି ପାଇ ନାହାନ୍ତି ଯେପରି–କିମ୍ବା ପାଇ ହରେଇଛନ୍ତି ସବୁ କିଛି-। ବ୍ୟାକୁଳ ଅନୁସନ୍ଧାନ କାହାର ବ୍ୟର୍ଥ ହୁଏ ନାହିଁ । ସେ ଭେଟିଲେ ଏବେ ସୁକୁମାରୀକୁ–ପ୍ରେମର ସଂଯୋଗସୂତ୍ର ଲଳିତାକୁ–ହାତରେ ତା’ର ପବନ ପଶା ବେଲୁନ୍ ଚଢ଼େଇ । ତାକୁ ଦେଖିଲାମାତ୍ରେ ଦୀର୍ଘ ମର୍ମନ୍ତୁଦ ବିସ୍ମରଣ ମଧ୍ୟରୁ ଚୌଧୁରୀ ଆତ୍ମରକ୍ଷା କରି ମଧୁର ସତେଜ ଫୁଲକରେ ଫାଟି ପଡ଼ିଲେ–ଭେଟିବେ ସେ କୃଷ୍ଣାଦିଦୀକୁ–ପ୍ରେମମୟୀ ନାରୀର ଶାଶ୍ଵତୀ ମୂର୍ତ୍ତିକୁ । ପ୍ରେମର ସ୍ମୃତି ତାଙ୍କୁ ରୂପାନ୍ତରିତ କରିଦେଲ ।–ସେ ହେଲେ ପବନ ପଶା ବେଲୁନ୍ ଚଢ଼େଇଟିଏ–ବେଶ୍ ହାଲୁକା ବେଶ୍ ସ୍ଵଚ୍ଛନ୍ଦ–ଏବେ ମାଟିର ମୋହ କଟେଇ ସ୍ୱର୍ଗାଲୋକକୁ ଉଡ଼ିଯିବେ । କଟକ ସହରକୁ ପ୍ରେମ ଦେବେ, ବାଟ ସଫା କରାଇବେ । କଟକ ପାଇଁ କ’ଣ ଗୋଟିଏ ପବନ ପଶା ବେଲୁନ୍ ଯଥେଷ୍ଟ ? ସାହିବାଲାଏ କ’ଣ କଟକକୁ ସୁନ୍ଦର ହେବାକୁ ସୁଯୋଗ ଦେବେ ? ନିରୁତ୍ତର ଏହି ଜିଜ୍ଞାସାରେ ଆମକୁ ଛାଡ଼ି ଦେଇଛନ୍ତି ଗାଳ୍ପିକ । ଇତିଉକ୍ତଂ ଜାରଜେନ–ଅନ୍ୟ ଏକ ଉଦ୍ଭଟ ଗଳ୍ପ-। ଥୀମ୍ ତା’ର ନୂଆ–ଆଙ୍ଗ୍ରିୟଙ୍ଗମ୍ୟାନ୍‍ର (କ୍ରୁଦ୍ଧ–ଚାରୁଣ୍ୟ) ଆଇଡ଼େଣ୍ଟିଟିଟି (ଆତ୍ମ–ପରିଚୟ) ଅନୁସନ୍ଧାନ । ନାମହୀନ ଆଇଡ଼େଣ୍ଟିଟିହୀନ ଯୁବକ ଖୋଜୁଛି ତା’ର ବାପାକୁ । ପ୍ରତିଷ୍ଠିତ ଜୀବନର ସବୁ ମୂଲ୍ୟବୋଧକୁ ତା’ର ପ୍ରଶ୍ନ ଓ ଜିଜ୍ଞାସା ଭାଙ୍ଗି ଦେଉଛନ୍ତି–ଯୀଶୁ ଖ୍ରୀଷ୍ଟ ସ୍ୱାମୀ ବିବେକାନନ୍ଦ, ଓ ଶ୍ରୀଅରବିନ୍ଦଙ୍କଠାରୁ ସେ ସାନ୍ତ୍ଵନା ଖୋଜିପାଉନାହିଁ । ଗଳ୍ପଟି ସମ୍ପୂର୍ଣ୍ଣ ଆଜିର ଯୁବକର ମଗ୍ନଚୈତନ୍ୟର କଥା । ଯୁବକ ଆଜି ନାମହୀନ–ଆଇଡ଼େଣ୍ଟିଟିହୀନ–ସେଥିଲାଗି ତା’ର ଆନନ୍ଦର ସୀମା ମଧ୍ୟ ନାହିଁ । କିନ୍ତୁ ଏହି ଫାଲକନ୍ (ଗଳ୍ପର ସବୁ ଯୁବକ ଯୁବତୀ ନାମହୀନ–ଯେ କୌଣସି ନାମରେ ତାକୁ ଡାକିଲେ ଚଳିବ) ଅଦ୍ଭୁତ ଏକ ଚିତ୍ର–ସେ ଏକାଧାରରେ ଆଜିର ହିରୋ ଓ ଭିଲେନ୍-। ହୋସରେ ନ ଥାଇ କି ହୋସରେ ଅଛି । ବାପାକୁ ଖୋଜୁଛି–ଲେଖକ ଯେପରି ତାକୁ ନେଇ ଶ୍ରୀଅରବିନ୍ଦ ଆଶ୍ରମରେ ପହଞ୍ଚାଇ ଦେଲେ । ନିଜ ଭିତରେ ନିଜର ବାପା ବିଦ୍ୟମାନ–ତାଙ୍କୁ ଚିହ୍ନିବାକୁ ହେଲେ ପ୍ରଥମେ ମାତୃ ଚେତନାର ଉଦବୋଧନ ପ୍ରୟୋଜନ । ଯଥାର୍ଥ ମାଙ୍କୁ ଭେଟିଲେ ବାପା ଅପରିଜ୍ଞାତ ରହିବେ ନାହିଁ–ତେବେ ଗଳ୍ପଟି ପ୍ରଚାର ଧର୍ମୀ ନୁହେଁ–ଯୁଗେ ଯୁଗେ ଭାରତୀୟଗଣ–ନାରୀ ଶକ୍ତିକୁ ଅଙ୍ଗୀକାର କରି ଈଶ୍ଵରଙ୍କୁ ଉପଲବ୍‍ଧିକୁ ଆଣିଛନ୍ତି ।

 

ଏହି ଗଳ୍ପ–ସଂକଳନର ଭୂମିକା ଲେଖିକାର ସୌଭାଗ୍ୟ ଲେଖକକୁ ସୁଲଭ ହୋଇଥିବାରୁ ସେ କୃତାର୍ଥ ହୋଇଛି । ଗାଳ୍ପିକ ତାହାର ଉଭୟ ଆନ୍ତରିକ ଧନ୍ୟବାଦ ଓ ଅଭିନନ୍ଦନ ଗ୍ରହଣ କରନ୍ତୁ ।

 

ରେଭେନ୍‍ସା କଲେଜ

ଅଧ୍ୟାପକ ଶ୍ରୀ ଦାଶରଥି ଦାସ

କଟକ–୩

 

☆☆☆

 

ଅସ୍ତ ସୂର୍ଯ୍ୟର ରଙ୍ଗ

 

ଡ୍ରେସିଂ ଟେବୁଲ ପାଖେ ବସି ମୁହଁରେ କୋମଳ ପ୍ରସାଧନର ରଙ୍ଗୀନ ପ୍ରଲେପ ଘଷୁଥିଲେ ମିସ୍ ମନୋରମା ମିଶ୍ର । ସ୍ଥାନୀୟ ସବ୍ଡ଼ିଭିଜନାଲ ହାସପାତାଳର ଲେଡ଼ି–ଆସିଷ୍ଟାଣ୍ଟ–ସର୍ଜନ କୁମାରୀ ମନୋରମା ମିଶ୍ର । ନିଠେଇନିଠେଇ ଦେଖୁଥିଲେ ଦର୍ପଣରେ ନିଜର ମୁହଁକୁ । ଇସ୍-! ସମଗ୍ର ମୁଖମଣ୍ଡଳରେ ଗତିଶୀଳ ସମୟ–ରଥଚକ୍ରର କେତେ ଘୋଷରା ବାଟ ରେଖାଙ୍କିତ ହୋଇ ସ୍ପଷ୍ଟ ଦିଶିଲାଣି । ଆକ୍ଷିପତା ତଳେ ତଳେ ଜମି ଆସିଲାଣି ଉତ୍ତର ତିରିଶିର ପାଉଁଶିଆ ମେଘ-!

 

ସମୟ ଚାଲିଗଲାଣି । ଚାଲିଯାଇଛି; ମାତ୍ର ରଖିଯାଉଛି ତାଙ୍କ ମୁହଁ ଉପରେ ତା’ର ରୁକ୍ଷତାର ପଦଚିହ୍ନ, ତା’ର ବ୍ୟର୍ଥତାର କାଳିମା ।

 

ଏ ସବୁକୁ ସେ ବାଧ୍ୟ ହୋଇ ନିରୁପାୟ ଭାବରେ ବହୁ ପୂର୍ବରୁ ସ୍ଵୀକାର କରିଛନ୍ତି । ବେଳେ ବେଳେ ମଧ୍ୟ ସେ ଏସବୁ ପ୍ରତି ନିର୍ଲିପ୍ତ ହୋଇ ପଡ଼ିଛନ୍ତି ।

 

ଆଜି କିନ୍ତୁ ସେ ଏହି ବ୍ୟର୍ଥତାକୁ, ଏଇ ନୈରାଶ୍ୟକୁ, ଏଇ ରୁକ୍ଷତାକୁ ବା ଏହି କାଳିମାକୁ ସ୍ୱୀକାର କରିବା ଲାଗି ପ୍ରସ୍ତୁତ ନୁହନ୍ତି ।

 

ବାହାରେ ଶ୍ରାବଣର ବର୍ଷଣମୁଖର ରାତ୍ରିର ଘନ ଅନ୍ଧକାର । ଏଇ ବର୍ଷାମେଦୁର ଶୀତଳ ରାତିର ଅନ୍ଧକାର ଭିତରେ ଯେପରି ଜୀବନର ତୃଷ୍ଣା ବିଦ୍ୟୁତ୍‍ର ଝଲକରେ ପୁଣି ଜଳି ଉଠୁଛି । ଆଉ ଦେହ ଓ ମନର ପ୍ରତିଟି ମାଂସ ଆଉ ସ୍ନାୟୁର ଅଣୁ ପରମାଣୁ ସେହି ବିଦ୍ୟୁତ୍ ସ୍ପର୍ଶରେ ତାତି ଉଠୁଛନ୍ତି–ମାତି ଉଠୁଛନ୍ତି । ହୁ ହୁ ହୋଇ ବୃକ୍ଷଲତାକୁ ଦୋହଲାଇ ଦେଇ–ଥରାଇ ଦେଇ–ଜଳକଣାସିକ୍ତ ବର୍ଷାବାୟୁ ଝରକା ଦେଇ ଘର ଭିତରକୁ ପଶିଆସୁଛି । ଆଉ–ସେହି ହୁ ହୁ ଉନ୍ମତ୍ତ ବତାସ ଭିତରେ ଯେପରି ବିଗତ ଯୌବନର ବୁଭୁକ୍ଷୁ ପ୍ରେତ ଆର୍ତ୍ତନାଦ କରିଉଠୁଛି !!

 

କମଳ ମିଶ୍ର ଖବର ପଠାଇଛି–ସେ ଆଜି ରାତି ଆଠଟାରେ ଏଠି ଆସି ପହଞ୍ଚିବ । ତା’ର ଖାଇବା ଲାଗି ପ୍ରସ୍ତୁତ କରିବାକୁ ହେବ ।

 

କିନ୍ତୁ କାହିଁ କମଳ ? ଘଡ଼ିରେ ଯେ ଆଠଟା ବାଜିଗଲାଣି ! ଆଜି ଅବଶ୍ୟ ତାଙ୍କର ହାସପାତାଳରୁ ଆସିବା ଟିକେ ଡେରି ହୋଇଗଲା । ଆସିଷ୍ଟାଣ୍ଟ ସର୍ଜନ ଛୁଟି ନେଇଛନ୍ତି । ଚାରି ଦିନ ପର୍ଯ୍ୟନ୍ତ ଡାକ୍ତରଖାନାର ସମସ୍ତ ଭାର ତାଙ୍କରି ଉପରେ । ସାନ ଡାକ୍ତର ସମ୍ପୂର୍ଣ୍ଣ ଅନଭିଜ୍ଞ–ପଶ୍ଚିମବଙ୍ଗର କେଉଁ ଏକ ଅଖ୍ୟାତ ମେଡ଼ିକାଲ୍ ସ୍କୁଲରୁ ପାଶ୍ କରି ଓଡ଼ିଶାର ଡାକ୍ତର ଅଭାବ ପୂରଣ କରୁଛନ୍ତି ଏଠି । ଦୁଇ ତିନି ବର୍ଷ ହେଲା ଚାକିରି କଲେଣି; ଅଥଚ ରୋଗ ବା ଔଷଧ ସମ୍ପର୍କରେ ମୌଳିକ ଧାରଣା ଏପର୍ଯ୍ୟନ୍ତ ବି ନାହିଁ । ବଡ଼ ଡରୁଆ । ଗୋଟିଏ ବଥ ଅପରେସନ କଲାବେଳେ ବି ବୁଦ୍ଧି ଦିଶେ ନାହିଁ–ହାତ ଥରେ ! ସାମାନ୍ୟ ସଲ୍‍ଫା ଔଷଧର ପ୍ରୟୋଗରେ ବି ମାତ୍ରା ଜ୍ଞାନ ନାହିଁ । ଏଭଳି ଲୋକ ନେଇ କ’ଣ ଡାକ୍ତରଖାନା ଚଳେ ? ସବୁ ପ୍ରକାର ରୋଗୀ ଆସି ଜୁଟନ୍ତି ଲେଡ଼ି ଡକ୍ଟରଙ୍କ ପାଖରେ । ସିଷ୍ଟର, ନର୍ସ, ଧାଈ, ବେହେରା ସମସ୍ତେ ସବୁ କଥାରେ ଲେଡ଼ି ଡାକ୍ତରଙ୍କୁ ଇ ବ୍ୟସ୍ତ କରନ୍ତି ।

 

ଆସିଷ୍ଟାଣ୍ଟ ସର୍ଜନ ନାନା କାରଣରୁ କର୍ତ୍ତବ୍ୟ ପରାଙ୍‍ମୁଖ । ତାଙ୍କ ଭିତରେ ସବୁବେଳେ ଅବଶୋଷ–ତାଙ୍କ ସାଙ୍ଗର ଲୋକେ ସିଭିଲସର୍ଜନ ହେଲେଣି ଅଥଚ ସେ ଏମିତି ପଡ଼ିଛନ୍ତି । ଘରୋଇ ବ୍ୟାପାରରେ ବି ତାଙ୍କର ବହୁତ ଅସୁବିଧା ଅଛି । ସବୁବେଳେ ସେ ଅନ୍ୟମନସ୍କ । ବଡ଼ ନିର୍ଲିପ୍ତ ଭାବେ–ନିସ୍ପୃହ ଭାବେ ସେ କେବଳ ଡିଉଟି କରିଯାନ୍ତି । ଫଳରେ ଅଧିକାଂଶ ସମୟ ବଡ଼ ଗୋଟାଏ ସବ୍ଡ଼ିଭିଜାନାଲ୍ ହାସପାତାଳର ବହୁମୁଖୀ ଦାୟିତ୍ଵ–ଗାଇନାକୋଲୋଜିରୁ ମାଟରନିଟି–ମେଡ଼ିସିନ୍‍ରୁ ଅପରେସନ୍–ପାଥୋଲୋଜିରୁ ଫାମିଲି ପ୍ଲାନିଂ ପର୍ଯ୍ୟନ୍ତ ସବୁ କଥା ତାଙ୍କ ଉପରେ ହିଁ ପଡ଼େ । ତା’ ବାଦ୍ ପୁଣି ଅଫିସିର ଯାବତୀୟ ଫାଇଲ କାମ ।

 

ଆସିଷ୍ଟାଣ୍ଟ ସର୍ଜନ ତୋଷାମଦ କଲା ଭଳି କହନ୍ତି–

 

ତୁମର ତ ସଂସାର ନାହିଁ ମନୋରମା ! ସନ୍ନ୍ୟାସିନୀ ତୁମେ । ଦେଶସେବା–ଜନସେବା କରିଯାଅ–ଫଳ ପାଇବ ପଛରେ । ମଲେ ସ୍ୱର୍ଗବାସ ନିଶ୍ଚୟ । ଆମେ ସବୁ ସଂସାରୀ ଲୋକ । ଟିକିଏ ଆମ ଲାଗି ତ୍ୟାଗ ସ୍ଵୀକାର କର, ଧର୍ମ ହେବ ।

 

ଲେଡ଼ି ଡାକ୍ତର ମନୋରମାଙ୍କ ଓଠରେ ଏକ ଜ୍ୟୋତିହୀନ ହସର ଲେଖା ଫୁଟିଉଠେ । ମନେ ମନେ ଭାବନ୍ତି ମନୋରମା–

 

ସତ କଥା–ସେ ସନ୍ନ୍ୟାସିନୀ । ତାଙ୍କର ସଂସାର ନାହିଁ । ସଂସାର ତାଙ୍କ ଲାଗି ନୁହେଁ, ସେଇ କେବଳ ସଂସାର ଲାଗି ।

 

କିନ୍ତୁ ସେ କ’ଣ ସଂସାରକୁ ଡାକି ନ ଥିଲେ ? ସଂସାର ବି ତାଙ୍କୁ କ’ଣ ଦିନେ ଡାକି ନ ଥିଲା ? ସେ ମଧ୍ୟ ସଂସାରର ଡାକକୁ ଶୁଣୁଥିଲେ । ଆଉ ସଂସାର ବି ତାଙ୍କ ଡାକକୁ ଶୁଣିଥିଲା । ମାତ୍ର କ’ଣ ହେଲା ?

 

ସଂସାର ଡାକିଲା–ମାତ୍ର ଡାକିଦେଇ ପୁଣି ଆପଣା ବାଟରେ ଚାଲିଗଲା । ଅପେକ୍ଷା କଲା ନାହିଁ । କାହା ଅପେକ୍ଷା କରିବା ସଂସାରର ଧର୍ମ ନୁହେଁ ।

 

କାଲି ପରି ମନେ ପଡ଼ୁଛି । ମନେ ପଡ଼ିଲେ ଇ ହୃଦୟ ହାହାକାର କରିଉଠେ । ଟିକିଏ ବେଶୀ ବୟସରେ ଇ ସେ ପାଠ ପଢ଼ା ଆରମ୍ଭ କରିଥିଲେ । ଡାକ୍ତରୀ ପାସ୍ କଲାବେଳକୁ ତାଙ୍କୁ ପ୍ରାୟ ବେଶି ବର୍ଷ ଅତିକ୍ରମ କରିଯାଇଥିଲା । ମାଆ ମରିଥିଲା ପିଲାଦିନୁ........ବାପା ଠିକ୍ ସେହି ବର୍ଷ ମରିଗଲେ । ନିଜର ହୋଇ କେବଳ ସାନଭାଇଟିଏ । ସେତେବେଳକୁ କଲେଜରେ ନାମ ଲେଖାଇଥାଏ । ବାପା ଥିଲେ ସାମାନ୍ୟ ଜଣେ ଶିକ୍ଷକ ଗୋଟିଏ ଗ୍ରାମ୍ୟ ସ୍କୁଲରେ । କିଛି ତାଙ୍କର ସଞ୍ଚୟ ନ ଥିଲା । ଫଳରେ ସାନଭାଇଟିକୁ ମଣିଷ କରିବାର ଦାୟିତ୍ୱ ପଡ଼ିଥିଲା ତାଙ୍କରି ଉପରେ ।

 

ମାତ୍ର ଠିକ୍ ସେହି ସମୟରେ ତାଙ୍କ ଆଗରେ ପ୍ରଣୟ ଆଉ ପରିଣୟର ପ୍ରସ୍ତାବ ନେଇ ଠିଆହେଲେ ଡାକ୍ତର ଶୁଭେନ୍ଦୁ ଚୌଧୁରୀ । ଅଳ୍ପଦିନ ହେଲା ସେ ତାଙ୍କର ସ୍ତ୍ରୀକୁ ହରାଇଥାନ୍ତି । କ୍ଲାସରେ ପଢ଼ାଉ ପଢ଼ାଉ ମନୋରମା ଉପରେ ତାଙ୍କର ଦୃଷ୍ଟି ପଡ଼ିଥିଲା । ମନୋରମାଙ୍କର ଶାନ୍ତ ସଂଯତ ମଧୁର ବ୍ୟବହାରରେ ସେ ମୁଗ୍‍ଧ ହୋଇଥିଲେ । ଚବିଶି ବର୍ଷ ବୟସ୍କା ମନୋରମାଙ୍କର ଦେହ ଓ ମନର ମାଧୂର୍ଯ୍ୟ ମଧ୍ୟ ତାଙ୍କର ହୃଦୟକୁ ସ୍ପର୍ଶ କରିଥିଲା ।

 

ତିନୋଟି ସନ୍ତାନଙ୍କର ଜନକ ହେଲେ ବି ଡା: ଶୁଭେନ୍ଦୁଙ୍କର ଚେହେରାରେ ତା’ର କୌଣସି ପ୍ରଭାବ ପଡ଼ି ନଥିଲା । ସୁନା ପରି ରଙ୍ଗବଳିଷ୍ଠ ଗଢ଼ଣ । ମୁହଁରେ–କଥାରେ–ଆଉ ଚାଲିଚଳନରେ ଯୁବକୋଚିତ ଉଦ୍ଦାମ ତେଜ ଆଉ ଉତ୍ସାହ ଫୁଟି ଉଠୁଥିଲା । ମାତ୍ର ଡା: ଶୁଭେନ୍ଦୁଙ୍କର ମନ ଥିଲା ଖୁବ୍ ବେଶୀ ସାଂସାରିକ । କିଛିଦିନ ପରେ ଡା: ଶୁଭେନ୍ଦୁ ଦିନେ ଡାକି କହିଲେ–

 

ବିବାହ ଲାଗି ପ୍ରସ୍ତୁତ ହୁଅ ମୀନୁ ! ବିବାହ ବ୍ୟତୀତ ନିଷ୍ଫଳ ଆସାମାଜିକ ପ୍ରଣୟଲୀଳାରେ ମୋର ବିଶ୍ୱାସ ନାହିଁ–ଆସ୍ଥା ମଧ୍ୟ ନାହିଁ । ମୁଁ ତ ଆଉ କଲେଜ ପିଲା ନୁହେଁ ଯେ–ଏମିତି ଗୋଟାଏ ରୋମାଣ୍ଟିକ୍ କୁହୁଡ଼ି ଭିତରେ ପହଁରୁଥିବି ଜୀବନଯାକ !!

 

କଥାଟା ଅବଶ୍ୟ ଖୁବ୍ ଭଲ ଶୁଣାଯାଉ ନ ଥିଲା କାନକୁ ସେତେବେଳ ମନୋରମାଙ୍କର, ମାତ୍ର ତାଙ୍କର ହୃଦୟରେ ଡା: ଶୁଭେନ୍ଦୁଙ୍କର ଏଇ ଡାକର ପ୍ରତିଧ୍ଵନି ଆଲୋଡ଼ିତ ହୋଇ ଉଠିଥିଲା । ସେ ନିଜେ ମଧ୍ୟ ବିବାହ ଲାଗି ବ୍ୟଗ୍ର ହୋଇ ପଡ଼ିଥିଲେ । କିନ୍ତୁ ସେ ସାନଭାଇଟି ଯେ ସେପର୍ଯ୍ୟନ୍ତ ମଧ୍ୟ ନିଜ ଦାୟିତ୍ୱ ନିଜେ ମୁଣ୍ଡାଇବାକୁ ସମର୍ଥ ହୋଇ ନାହିଁ ! ସେଥିଲାଗି ଇଙ୍ଗିତରେ ସେ ଜଣାଇଥିଲେ–ଆଉ କିଛିଦିନ ସମୟ ଦେବା ଲାଗି–ଅପେକ୍ଷା କରିବା ଲାଗି । ମାତ୍ର ଡା: ଶୁଭେନ୍ଦୁ ରାଜି ହେଲେ ନାହିଁ ।

 

ସମୟକୁ ବିଶ୍ୱାସ କରି ଅପେକ୍ଷା କରିବାର ସମୟୋଚିତ ବୁଦ୍ଧି ମୋର କଟିଯାଇଛି ମୀନୁ-! ମୋର ମଧ୍ୟ ଯଥେଷ୍ଟ ସମୟ ହୋଇଗଲାଣି । ସମୟକୁ ନେଇ ଆଉ ଥରେ ରୋମାଣ୍ଟିକ୍ ଖେଳ ଖେଳିବାକୁ ମୋର ସମୟ ବା କାହିଁ ? ମୁଁ ବିବାହ ଚାହେଁ, ମୋର ପତ୍ନୀ ଦରକାର–ପ୍ରିୟା ନୁହେଁ-। ମୋର ତିନିଟା ପିଲାକୁ ଏତେ ଦିନ ସମ୍ଭାଳିବ କିଏ ? ତାଙ୍କର ମାଆ ଦରକାର ।

 

ଅବଶ୍ୟ ସେତେବେଳେ ଅଭିମାନ ଆସିଥିଲା ମନୋରମାଙ୍କ ମନରେ । ଯେଉଁ ପ୍ରେମ ଅପେକ୍ଷା କରିବାକୁ ପ୍ରସ୍ତୁତ ନୁହେଁ, ସେ ପ୍ରେମକୁ କ’ଣ ବିଶ୍ଵାସ କରାଯାଇପାରେ ଆଜୀବନ ?

 

ଡା: ଶୁଭେନ୍ଦୁ ଅପେକ୍ଷା କରି ନ ଥିଲେ । ଅନ୍ୟ ସ୍ଥାନରେ ବିବାହ କରିଥିଲେ । ଆଜି ଡା: ଶୁଭେନ୍ଦୁ ଜଣେ ନମଜାଦା ଡାକ୍ତର । ଅନେକ ଯଶ, ଅର୍ଥ ଓ ସମ୍ମାନ ଉପରେ ପ୍ରତିଷ୍ଠିତ ଏକ ସୁଖୀ ପରିବାର ଭିତରେ ତାଙ୍କର ଜୀବନ ଶାନ୍ତି ଓ ସନ୍ତୋଷ ଭିତରେ ଇ କଟୁଛି ।

 

ଆଜି ଅବଶ୍ୟ ତାଙ୍କ ଲାଗି ମନରେ ଆଉ ଅଭିମାନ ନାହିଁ । ଯଥେଷ୍ଟ ଭଦ୍ର, ସଂଯତ ଆଉ ବୁଦ୍ଧିମାନ ଲୋକ ଏଇ ଡା: ଶୁଭେନ୍ଦୁ । କାହାକୁ ଠକନ୍ତି ନାହିଁ କାହା ପାଖରେ ବି ଠକି ହେବାକୁ ସେ ନିଜକୁ ଦିଅନ୍ତି ନାହିଁ । ରୋକଠୋକ୍ କଥା । ସାଂସାରିକ ବୁଦ୍ଧିରେ ପରିପକ୍ଵ ଏଇ ଡା: ଶୁଭେନ୍ଦୁ । ଜୀବନ ତାଙ୍କ ଆଗରେ ଅତି ବାସ୍ତବ–ମଣିଷର ଆନାଟୋମୀ ପରି । ମନର ଖିଆଲ ଭିତରେ ଜୀବନଟାକୁ କାଣ୍ଡଜ୍ଞାନଶୂନ୍ୟ ହୋଇ ପକାଇଦେବାକୁ ସେ କହନ୍ତି ବୋକାମି–ବୁଦ୍ଧିହୀନ ଭାବପ୍ରବଣତା । ଫୁଲର ରଙ୍ଗ ଆଉ ବାସ୍ନାରେ ଉନ୍ମତ୍ତ ହୋଇ ଯେଉଁମାନେ ଜୀବନଯାକ ସେଇ ରଙ୍ଗରେ ଇ ହୋରି ଖେଳି ବସନ୍ତି–ଆଉ ସେଇ ବାସ୍ନାରେ ଇ କୁହୁଡ଼ି ପହଁରନ୍ତି–ସେମାନେ କବି । ମୁଁ କିନ୍ତୁ ମୀନୁ, ଡାକ୍ତର । ମୁଁ ଫଳକାମୀ । ଫଳ ମୋ ପକ୍ଷରେ ସତ୍ୟ ହୋଇପାରେ; ମାତ୍ର ତାହା କେବଳ ଫଳର ଜନନୀ ହିସାବରେ । କିନ୍ତୁ ଫୁଲର ରଙ୍ଗ ଆଉ ସୌରଭ ମୋ ପକ୍ଷରେ ମୁଖ୍ୟ ନୁହେଁ-। ଆଚ୍ଛା ଥାଅ ମୀନୁ–ମୁଁ ଚାଲିଲି ।

 

ସେ ଚାଲିଗଲେ । ଚାଲିଗଲେ ସେ ଆପଣା ବାଟରେ । ଆଉ ପଛକୁ ଚାହିଁଲେ ନାହିଁ ।

 

କିଛିଦିନ ଲାଗି ମନଟା ଭାରି ହୋଇ ଉଠିଥିଲା । ହୃଦୟ ଭିତରେ ଶୂନ୍ୟ ବୋଧ ହୋଇଥିଲା । କେତେ ରାତି ବିଛଣାରେ ନିଦ ହୋଇ ନ ଥିଲା । ଆକ୍ଷିର ଲୁହରେ ତକିଆ ଭିଜିଥିଲା-

 

କିନ୍ତୁ କ୍ରମେ ସବୁ ଭୁଲି ହୋଇଗଲା ଛାଏଁ ଛାଏଁ । ଫୁଲର ରଙ୍ଗ ଆଉ ସୌରଭର ମାୟାକୁ ଭଲ ନ ପାଇ–ବିଶ୍ୱାସ ନ କରି ଯେଉଁ ଫଳକାମୀ ପୁରୁଷ ଅବହେଳାରେ, କୌଶଳରେ ତା’ର ଗାର ଡେଇଁ ଚାଳିଗଲା–ତା’ ଲାଗି ଫୁଲର ରଙ୍ଗ ଅଣୁମାତ୍ର ବି ମଳିନ ହେଲା ନାହିଁ । ଫୁଲର ସୌରଭ ଏତେ ଟିକିଏ ବି ଉତ୍ତପ୍ତ ହେଲାନାହିଁ ।

 

କିନ୍ତୁ ଆଉ ହେଲା ନାହିଁ । ଆଉ ଜମ୍ମା ହେଲା ନାହିଁ । ତା’ପରେ ଆଉ କାହାକୁ ମନ ଦେଇ ଭଲ ପାଇପାରିଲେ ନାହିଁ ମନୋରମା । କାରଣ ଆଉ ଯେଉଁମାନେ ଡା. ଶୁଭେନ୍ଦୁଙ୍କ ପରେ ଆସିଥିଲେ ପ୍ରଣୟର ମଧୁଗୁଞ୍ଜନରେ ମନୋରମାଙ୍କ ମନ–କାନନକୁ ଝଙ୍କୃତ କରି–ତାଙ୍କ ମନକାନନର ସମସ୍ତ ଫୁଲ ଏକ ଅଭିମାନକ୍ଷୁବ୍‍ଧ ତୀବ୍ର ଉପେକ୍ଷାର ହସରେ ସେମାନଙ୍କୁ କେବଳ ଚାହିଁରହିଲେ–ହସିଦେଲେ । ଭଳିଲେ ନାହିଁ–ଢଳିଲେ ନାହିଁ–ଛଳିଲେ ବି ନାହିଁ ।

 

ସେମାନେ ବି ଆସିଥିଲେ କେବଳ ସୌରଭଭୋଜୀ–ରଙ୍ଗ–ଲୋଲୁପୀ ଦାୟିତ୍ଵହୀନ ନିଷ୍ଫଳ କାମନାର କ୍ଷଣିକ ଉତ୍ତେଜନା ନେଇ । ମାତ୍ର ମନୋରମା ତ ଆଉ ପିଲା ନ ଥିଲେ !

 

ବାସ୍–ସେଇ ଦିନୁ ବହୁକାଳ କଟିଗଲାଣି । ଏମିତି ନିଃସଙ୍ଗ ଅର୍ଥହୀନ ଅଫଳପ୍ରସୁ ଏଇ ଜୀବନ । ଫୁଲର ରଙ୍ଗ ବର୍ତ୍ତମାନ ମଉଳିଗଲାଣି–ବାସନା କମି ଆସିଲାଣି । ଆଉ ଏଇ କେତେ ଦିନ ଧରି ଶରୀରରେ କିଞ୍ଚିତ୍ ଅନାବଶ୍ୟକ ମେଦବୃଦ୍ଧିର ଆଶଙ୍କା ଦେଖାଦେଇଛି ।

 

ଏଇ ନିରର୍ଥକ ଜୀବନ ପ୍ରତି ବେଳେ ବେଳେ ବଡ଼ ଅସହିଷ୍ଣୁ ହୋଇଉଠନ୍ତି ଡା: ମନୋରମା ଦେବୀ । ଇସ୍–ବଡ଼ ଦୁଃସହ ଏଇ ନିଃସଙ୍ଗ ନିଷ୍ଫଳ ଜୀବନର ଜ୍ଵାଳା । ଏଇ ଏକା ଏକା ଅର୍ଥ ଉପାର୍ଜ୍ଜନ କରିବାରେ ଆଉ ବଞ୍ଚିବାରେ କି ଅବା ସାର୍ଥକତା ଅଛି ଜୀବନର ? ବହୁ ଅର୍ଥ ସେ ଉପାର୍ଜ୍ଜନ କଲେଣି । ବ୍ୟାଙ୍କରେ ଦିନକୁ ଦିନ ସଞ୍ଚିତ ଅର୍ଥର ଅଙ୍କ ମୋଟ ହୋଇଉଠୁଛି । ଆଉ ଏଣେ–ବେକଠାରୁ ପେଟ ପର୍ଯ୍ୟନ୍ତ ଦିନକୁ ଦିନ ଏଇ ଅନାବଶ୍ୟକ ମାଂସ ଆଉ ଚର୍ବିର ସ୍ତର–

 

ଜୀବନର ସବୁ ରସ ଶୁଖିଆସୁଛି ।

 

ଆଉ କେତୁଟା ଦିନ ବା ? ଖୁବ୍ ବେଶୀ ହେଲେ ଆଉ ବର୍ଷ ପାଞ୍ଚଟା କି ଛଅଟା । ଆକ୍ଷି ପିଛୁଳାକେ ଗୋଟି ଗୋଟି ହୋଇ ସମୟସମୁଦ୍ରର ଛଅଟା ଢେଉ ବ୍ୟର୍ଥତାର ବେଦନାରେ ବେଳାଭୂମିରେ ମୁଣ୍ଡ କଚାଡ଼ି ପୁଣି କୁଆଡ଼େ ଲୀନ ହୋଇଯିବ ।

 

ସେ କିନ୍ତୁ ଏମିତି ରୋଗୀ ଦେଖୁଥିବେ–ନାଡ଼ି ଚିପୁଥିବେ–ଆକ୍ଷି ଟେକୁଥିବେ–ଜିଭ ଦେଖୁଥିବେ–ପେଟ ଟିପୁଥିବେ–ଔଷଧ ଲେଖୁଥିବେ–ଗର୍ଭିଣୀ ନାରୀର ପେଟରୁ ଛୁଆ ବାହାର କରି ଚାଲିଥିବେ ।

 

ଓଃ !!!

 

ବଡ଼ ଦର୍ପଣ ଆଗରେ ମୁହଁ ଉପରେ ପ୍ରଲେପ ଘଷି ଆକ୍ଷିପତା ତଳୁ କାଳିଚା ଦାଗକୁ ଲିଭାଇ ହଠାତ୍ ସେ ଅନୁଭବ କଲେ–ସତେ ବା ଆଉ ତାଙ୍କର ହାତରେ ବଳ ନାହିଁ ! ହାତ ଘୋଳି ହୋଇପଡ଼ୁଛି । ସେ ଆଉ ମୁହଁରେ ସ୍ନୋ ମଧ୍ୟ ଲଗାଇପାରିବେ ନାହିଁ । ବିରକ୍ତ ହୋଇ ଡ୍ରେସିଂ ଟେବୁଲ ଉପରେ ହାତ କଚାଡ଼ିଲେ ଡା: ମନୋରମା । ମୁହଁ ଉପରୁ ବିଗତ ସମୟର ଏଇ ଘୋଷରା ଦାଗପୁଡ଼ାକୁ ସେ ଆଉ ଲିଭାଇପାରିବେ ନାହିଁ । ଆକ୍ଷି ତଳୁ ବ୍ୟର୍ଥଜୀବନର ନିରାଶ କାଳିମାକୁ ସେ ଆଉ ପୋଛିପାରିବେ ନାହିଁ ।

 

କିନ୍ତୁ ବାହାରେ ଶ୍ରାବଣର ଝଡ଼ ରାତି କ୍ରମେ ନିବିଡ଼ ହୋଇଉଠୁଛି । ବର୍ଷଣସ୍ନିଗ୍‍ଧ ଏଇ ଶୀତଳ ରାତିର ଘନ ଅନ୍ଧକାର ଭିତରେ ମୁହୁର୍ମୁହୁ ଏଇ ବିଦ୍ୟୁତର ସ୍ଫୁରଣ ଯେମିତି ତାଙ୍କରି ଭୋଗଲାଳସୀ ପ୍ରେତର ନିଶ୍ୱାସ ପରି ଗଛଲତାକୁ ଦୋହଲାଇ ଦେଇ ହୁ ହୁ କରି ଝରକା ବାଟେ ପଶିଆସୁଛି ଏହି ବର୍ଷାମତ୍ତ ତାମସୀ ରାତିର ହାୱା ।

 

କମଳ ମିଶ୍ର ଖବର ପଠାଇଛି–ଆଜି ଆଠଟା ବେଳେ ନିଶ୍ଚୟ ପହଞ୍ଚିବ । ଖାଇବ ମଧ୍ୟ ଆଜି ସେ ଏଇଠି । କିନ୍ତୁ କାହିଁ କମଳ ?

 

ରୋଷେଇ ଘରେ ହାରାମଣି କୁକୁଡ଼ା ସିଝାଉଛି । କମଳ ଏଯାଏଁ ବି ଆସିଲା ନାହିଁ । ଆଠଟା ଯେ ବାଜିଗଲା !!

 

ପୁଣି ତତ୍ପର ହୋଇଉଠିଲେ ମନୋରମା । ପ୍ରସାଧନ ଶେଷ କରିବାକୁ ହେବ ଚଞ୍ଚଳ ।

 

ନାଃ–ଯେ କୌଣସି ପ୍ରକାରେ ତାଙ୍କୁ ଲିଭାଇବାକୁ ପଡ଼ିବ ବିଗତ ସମୟର ଏଇ ବ୍ୟର୍ଥରୁକ୍ଷ ପଦଚିହ୍ନଗୁଡ଼ିକୁ ! ବ୍ୟର୍ଥଜୀବନର ସମସ୍ତ କାଳିମାରୁ ମୁକ୍ତ ପୂର୍ଣ୍ଣଚନ୍ଦ୍ରର ଔଜ୍ଜଲ୍ୟରେ ଉଭାସିତ କରି ଦେବାକୁ ହେବ ତାଙ୍କ ନିଜର ମୁଖଚନ୍ଦ୍ରଟିକୁ–ଆଜି ରାତିଟା ଲାଗି ଅନ୍ତତଃ ।

 

କମଳ ଏଇ ଝଡ଼ ରାତିର ଅନ୍ଧାର ଭିତରେ ଦେଖି ଯେମିତି ଚମକି ପଡ଼ିବ । ଆଉ ତା’ର ସେଇ ସ୍ଵଭାବ ମଧୁର ଆବେଗ ଉତ୍ତାପ ଦେଇ କବିତ୍ଵ କରିଉଠିବ–

 

ଏଇ ଯେ–ଅମାବାସ୍ୟାରେ ଚନ୍ଦ୍ର ଦେଖିପାରୁଛି ଡାକ୍ତର !

 

ପ୍ରସାଧନର କାର୍ଯ୍ୟ ଶେଷ କରି ମନୋରମା ଶାଢ଼ି ଖୋଜି ବସିଲେ । ଟ୍ରଙ୍କ ଭିତରୁ ବାହାର କଲେ ଗୋଟାଏ ଝଲମଲ ପତଳା ଲାଲ ରଙ୍ଗର ଶାଢ଼ୀ । ଆଉ ତା’ ସଙ୍ଗକୁ ମ୍ୟାଚ୍ କରି ଗୋଟାଏ ତୀବ୍ର ହଳଦୀ ରଙ୍ଗର ବ୍ଲାଉଜ୍ ।

 

ବେଶ୍ ଦିଶିବ । ପିନ୍ଧିସାରି ମନେ ମନେ ଉଲ୍ଲସିତ ହୋଇଉଠିଲେ ମନୋରମା–ଆଉ ହସିଲେ ମଧ୍ୟ ମନେ ମନେ । ଦେହରୁ ରଙ୍ଗ ଛାଡ଼ି ଆସିଲାଣି; ମାତ୍ର ବଡ଼ ବିଶ୍ଵସ୍ତ ଏଇ ଶାଢ଼ିଟାର ରଙ୍ଗ । ଶାଢ଼ି ଆଉ ବ୍ଳାଉଜ୍‍ର ଏଇ ରଙ୍ଗ ଯେମିତି ତାଙ୍କର ପଇଁତ୍ରିଶି ବର୍ଷର ରଙ୍ଗହୀନ ମନଟାକୁ ବି ରଙ୍ଗର ନିଆଁରେ ଜଳାଇଦେଲା ! ସେ ଜଳିଉଠିଲେ ।

 

ଜଳିଉଠି ସେ ଆସି ପୁଣି ବଡ଼ ଦର୍ପଣଟା ଆଗରେ ଠିଆ ହେଲେ । ଆଃ, ତାଙ୍କର ଆକ୍ଷି ଆଗରେ ସେ ଏ କଅଣ ଦେଖୁଛନ୍ତି ! ଏ ଯେ ରଙ୍ଗ ଆଉ ରୂପର ଗୋଟାଏ ଜ୍ଜଳନ୍ତ ଅଗ୍ନିଶିଖା !!

 

ଆପଣାର ଛବିରେ ଆପେ ଉନ୍ନତ୍ତ ହୋଇଉଠିଲେ ଡା: ମନୋରମା ।

 

କମଳ ଏ ଯାଏଁ ବି ଆସିଲା ନାହିଁ !

 

ଆସିବ କିନ୍ତୁ କମଳ ଆଜି ।

 

ନିଶ୍ଚୟ ଆସିବ !!

 

ଏଇ ବର୍ଷଣମୁଖର ଝଡ଼ଝଞ୍ଜାକୀର୍ଣ୍ଣ ତାମସୀ ରାତିରେ କିଏ ଆଉ ତାଙ୍କୁ ଏଠି ଆଜି ରାତିଟିର ବରଣୀୟ ଅତିଥି ରୂପେ ସ୍ଵାଗତ କରିପାରିବ ?

 

ଆସିବ ସେ ନିଶ୍ଚେ !!

 

କିନ୍ତୁ କାହିଁ ? ଆଠଟା ବାଜିଗଲା ଯେ– !!

 

ଡା: ମନୋରମା ଡ୍ରେସିଂ ଟେବୁଲ ପାଖେ ପୁଣି ଥରେ ବସିଲେ । ବୟସର ସମସ୍ତ କ୍ଳାନ୍ତି–ସମସ୍ତ ଅବସାଦ–ସମସ୍ତ ବ୍ୟର୍ଥସଂଗ୍ରାମର ରେଖା ଏଇ ପ୍ରଲେପର ପ୍ରସାଧନ ତଳେ ଲୁଚିଯାଇଛି । ଆଉ ମୁଣ୍ଡରେ କେଶର ଏଇ ବିପୁଳ ସମ୍ଭାର–ସମସ୍ତ ଅଯତ୍ନ ସତ୍ତ୍ୱେ–ଅବହେଳା ସତ୍ତ୍ୱେ–ଏ କେଶର ତେଜ ଏଯାଏଁ ବି ମଉଳି ନାହିଁ । ତା’ର ପରିମାଣର ବିପୁଳତା ତଥାପି ମଧ୍ୟ କମି ନାହିଁ । ତାଙ୍କ ସାଙ୍ଗରେ ବହୁ ଝିଅ ଲାଣ୍ଡି ହୋଇଗଲେଣି । କେତେକଙ୍କର କେଶ ପାଚିବାକୁ ବି ଆରମ୍ଭ କଲାଣି । ସେଥିଲାଗି ମେଡ଼ିସିନ-ଜଗତର ସମସ୍ତ ଔଷଧ ସେମାନେ ବ୍ୟବହାର କରିଛନ୍ତି; କିନ୍ତୁ କିଛି ଫଳ ହୋଇନାହିଁ । ସେମାନେ ଈର୍ଷା କରନ୍ତି ମନୋରମାଙ୍କର ଏହି ବିପୁଳ କୃଷ୍ଣ କେଶସମ୍ଭାରର ଐଶ୍ୱର୍ଯ୍ୟ ପ୍ରତି ।

 

ଠିକ୍ ମଝିରୁ ସୁନ୍ଥା କାଟିଦେଲେ ଦୁଇ ପଟକୁ ସମାନ ହୋଇ ଆଉଜିଯାଏ ଦୁଇଟି ଘନକୃଷ୍ଣ ତରଙ୍ଗିତ କେଶର ପ୍ରବାହ । ଦୁଇଟି ବେଣୀ କରି ତାକୁ ସେ ପଛପଟେ ଦୁଇଆଡ଼ୁ ଆଣି ଛନ୍ଦି ଦିଅନ୍ତି । ଆଉ ଦୁଇ ବେଣୀର ମୂଳରେ ଲଗାଇ ଦିଅନ୍ତି–କେବେ ବା ଦୁଇଟି ଚମ୍ପା–କେବେ ବା ଦରଫୁଟା ଦୁଇଟି ଗୋଲାପ–ନତୁବା ରକ୍ତ କରବୀର । ଅବଶ୍ୟ ପଛପଟ ବେକ ମୂଳ ତାଙ୍କର ସେମିତି ମାଂସଳ ଆଉ ସ୍ୱତନ୍ତ୍ର ଭାବେ ସୁନ୍ଦର ।

 

ଆଜି ବି ସେହିଭଳି ସେ କେଶସଜ୍ଜା କରିଛନ୍ତି । ବିଶେଷ କିଛି ପରିପାଟୀ ନାହିଁ କି ତା’ର ବେଶୀ କିଛି ଆବଶ୍ୟକତା ବି ନାହିଁ ।

 

ଦର୍ପଣରେ ଆପଣାର ମୁହଁକୁ ଚାହିଁ ଆଉଥରେ ଉଲ୍ଲସିତ ହେଲେ କୁମାରୀ ଡା: ମନୋରମା ।

 

କମଳ ମିଶ୍ର ନିଶ୍ଚୟ ଖୁବ୍ ଗୋଟାଏ ଲମ୍ବା ପ୍ରଶସ୍ତି ଗାଇବ ଖୁବ୍ ଆବେଗଜଡ଼ିତ କଣ୍ଠରେ–ଖୁବ୍ କବିତ୍ଵପୂର୍ଣ୍ଣ ରସାଣିତ ଭଙ୍ଗୀରେ । ତା’ର ବେଶୀ କିନ୍ତୁ ଆକ୍ଷି ପଡ଼େ ତାଙ୍କର ଏଇ କେଶସଜ୍ଜା ଉପରେ । ଭାରି ଲୋଭ ମଧ୍ୟ ତା’ର ସେଥିଲାଗି । କେତେ କ’ଣ କହିଯାଏ । ମୁହେଁ ମୁହେଁ ଗାଇଯାଏ କବିତା । ସତେ କି ଏଇ କେଶରାଶିର ବିହ୍ୱଳ ବନ୍ଦନା ଗାଉଛି !!....

 

ତୁମର ଏଇ କେଶର ଅନ୍ଧକାର ମନ ଭିତରେ ଅତୀତ ବିଦିଶାର ସ୍ୱପ୍ନିଳ ନିଶା ଜଗାଇଦିଏ ଡାକ୍ତର !

 

...ଆଚ୍ଛା, ମୁଁ ଯଦି କହେ ଡାକ୍ତର ! ମୁଁ ତୁମ ଅପେକ୍ଷା ତୁମର ଏଇ କେଶକୁ ଇ ପ୍ରେମ କରେ–ତୁମେ କ’ଣ ଖୁବ୍ ବେଶୀ ଅପମାନିତ ମନେ କରିବ ?

 

ମୁଁ ଯଦି କହେ–ମୁଁ ତୁମର ଏଇ ମନୋରମ କେଶ–ଉଦ୍ୟାନର ମାଳାକାର ହେବାକୁ ଚାହେଁ–ତୁମେ କ’ଣ ଅନୁମତି ଦେବ ନାହିଁ ଡାକ୍ତର ?

 

ମନୋରମାଙ୍କ ମୁହଁରେ ନବୋଢ଼ା କିଶୋରୀ ବାଳିକାର ପ୍ରଣୟମୁଗ୍‍ଧ ବ୍ରୀଡ଼ା ରଙ୍ଗୀନ୍ ହୋଇଉଠେ । ସେ ପ୍ରସଙ୍ଗ ବଦଳାଇ ଅନ୍ୟ ବାହାନା ଦେଖନ୍ତି ।

 

କାହିଁକି ବାଜେ କଥା ଗପୁଛନ୍ତି କୁହନ୍ତୁ ନା ? ବସନ୍ତୁ ଆଜି ଖାଇଛନ୍ତି କି ନାହିଁ ? ଆଗରୁ ନ କହିଲେ କିନ୍ତୁ ଖାଇବାକୁ ମିଳିବ ନାହିଁ ।

 

କମଳ ଭାବପ୍ରବଣ ହୋଇ କହେ–

 

ପେଟରେ କ୍ଷୁଧା ଲାଗି କ’ଣ ମୁଁ ଏଠାକୁ ଧାଇଁଆସେ ଡାକ୍ତର ? ବହୁଦିନର ଉପାସୀ ଆତ୍ମାର ତାଡ଼ନାରେ ମୁଁ ତୁମ ପାଖକୁ ଧାଇଁ ଆସିଛି ।

 

ମନୋରମାଙ୍କୁ ଭଲ ଲାଗେ । ଜୀବନରେ ସେ ଏଭଳି ମଧୁର ପ୍ରଗଳ୍‍ଭ ପ୍ରଶସ୍ତି–ଏଭଳି ପ୍ରଣୟାତୁର ଭାବପ୍ରବଣ ଚାଟୁବାଣୀ କାହା ମୁଖରୁ ଶୁଣି ନାହାଁନ୍ତି । ସେହି ବହୁଦିନ ତଳର ତାଙ୍କ ଜୀବନ–ବସନ୍ତର ପହିଲି କୋକିଳ ଡା: ଶୁଭେନ୍ଦୁ ଶେଖର–ଖୁବ୍ ବାସ୍ତବବାଦୀ, ରୋକ୍‍ଠୋକ୍ କଥା । ସବୁ କଥା ତାଙ୍କର ଅତି ସ୍ପଷ୍ଟ ଭାବରେ–ଅର୍ଥପୂର୍ଣ୍ଣ । ତାଙ୍କର ଡାକରେ ଜାୟାର ଚଟୁଳ ସତ୍ୟତା ଥିଲା; ମାତ୍ର ନ ଥିଲା ତହିଁରେ ମାୟାର ଏଇ ସ୍ୱପ୍ନିଳ ଧ୍ୱନିମାଧୁର୍ଯ୍ୟ । ସେ ପତ୍ନୀ ଚାହୁଁଥିଲେ–ପ୍ରିୟା ନୁହେଁ । ସେ ଚାହୁଁଥିଲେ ଜୀବନସଙ୍ଗିନୀ–ରସରଙ୍ଗିଣୀ ନୁହେଁ ।

 

ମାତ୍ର ଏଇ କମଳ ମିଶ୍ର ? ଅଦ୍ଭୁତ ସେ । କଅଣ ଯେ ସେ ପ୍ରକୃତରେ ଚାହେଁ–ଏଯାଏଁ ବି ମନୋରମା ଠିକ୍ ଜାଣିପାରି ନାହାନ୍ତି । ଯେତେବେଳେ ସେ ଆସେ–ପାଗଳଙ୍କ ପରି ଗୁଡ଼ାଏ ପ୍ରଳାପ କରେ । କିନ୍ତୁ ବେଶ୍ ଲାଗେ–ଶେଷ ବସନ୍ତର ଏହି ବକୁଳଝରା ଚୂତଶାଖାରେ ଆତ୍ମବିସ୍ମୃତ ଏଇ ସ୍ୱପ୍ନ ବିଳାସୀ ଖିଆଲୀ କୋକିଳଟିର କୁହୁକୂଜନ !! ତା’ର ଏହି ଅସମୟ କୁହୁତାନରେ ସତେ ଯେପରି ବିଗତ ବସନ୍ତର ଏକ ମାୟାମଧୁର ବିଳାପର ରାଗିଣୀ ଭଙ୍ଗାତାରର ଝଙ୍କାରରେ ବାଜିଉଠେ !

 

ଆଉ ତା’ର ଏଇ ପ୍ରଗଳ୍‍ଭ ପ୍ରଳାପ ଭିତରେ ଇ ଯେମିତି ତା’ର ଅସଲ ବ୍ୟକ୍ତିତ୍ୱଟି ପ୍ରକାଶ ପାଇଯାଏ । କିନ୍ତୁ ତଥାପି–କମଳକୁ ବୁଝି ହୁଏନା । ଡ୍ରଇଂ ରୁମରେ ସୋଫା ଉପରେ ଗୋଡ଼ହାତ ଲମ୍ବାଇ ଆରାମରେ ବେଖାତିର ଭାବରେ ସେ ବସେ । ତାହା, ପାନ, ସିଗ୍ରେଟ, ଜଳଖିଆ, ଭାତ, ସବୁ ସେ ବରାଦ କରେ । ମନଇଚ୍ଛା ଗପେ–କବିତା, ଧର୍ମ, ଦର୍ଶନ, ରାଜନୀତି, ମନସ୍ତତ୍ତ୍ୱ ଆଉ ଶେଷରେ ସବୁ କଥାରୁ ଫେରିଆସି ପୁଣି ମନୋରମାଙ୍କ ପ୍ରଶସ୍ତିରୁ ଅଧ୍ୟାୟେ ।

 

ଏମିତି ଗପେ–ଖାଏ–ପିଏ–ପୁଣି ଉଡ଼ିଯାଏ ଫୁର୍‍କିନା–ଶୂନ୍ୟ ଆକାଶର ପକ୍ଷୀ–ତା’ର ଉଡ଼ନ୍ତା ଡେଣାର ହାଓ୍ୱା ଲାଗେ ମନୋରମାଙ୍କ ମନରେ ଦିଗନ୍ତରେ ।

 

ହଜିଯାଏ ସେ କିଛିଦିନ କୁଆଡ଼େ । କିଛି ତା’ର ଖବର ଠିକଣା ମିଳେ ନାହିଁ ।......ପୁଣି କିଛି ଦିନ ପରେ–ହଠାତ୍ ଦିନେ ଆକାଶର ସୀମାହୀନ ଶୂନ୍ୟତା ଭିତରୁ ସାଇଁକିନା ପହଁରିଆସି–ମନୋରମାଙ୍କ ସୁନାର ପିଞ୍ଜରା ଭିତରେ ବସି ସୁନାର ପୋଷା ଶୁକ ପକ୍ଷୀଟିଏ ଭଳି କୂଜନ କରିଉଠେ–

 

ଜୀବନଯାକ ମୁଁ ଯାହାକୁ ଖୋଜି ମାରୁଥିଲି ଡକ୍ତର, ବିନା ଆୟାସରେ ଆଜି ମୁଁ ତାକୁ ପାଇଯାଇଛି । ମୁଁ ଆଜି ଧନ୍ୟ ଡାକ୍ତର ! ତୁମେ କିନ୍ତୁ ନିଜେ ଜାଣନା ସେ କଥା । କସ୍ତୁରୀମୃଗ କ’ଣ ବୁଝିପାରେ ଆପଣା ନାଭିସ୍ଥଳୀର ଗୋପନୀୟ ସୈାରଭର ବିଭବ ? ତୁମରି ଭିତରେଇ ମୋର ସେ ଖୋଜିବା ସାର୍ଥକ ହୋଇଛି । ମୁଁ ଜାଣେ–ତୁମରି–ତୁମରି ଭିତରେଇ ମୋର ବାସନା ପୂର୍ଣ୍ଣ ହେବ ।

 

ମନୋରମା ବୁଝିପାରନ୍ତି ନାହିଁ ତଥାପି । କଅଣ ସେ ପାଇଛି ମୋ ଭିତରେ ? ମୋର ହୃଦୟାଲୋକରେ ତା’ର କେଉଁ ବାସନାର ମୁକୁଳଟି ପ୍ରପ୍ପୁଟିତ ହେବା ଲାଗି ଉତ୍କଣ୍ଠିତ ହୋଇ ରହିଛି-? ହୁଁ–ହୁଁ–ହୁଃ–ହୁଁ ! ପାଗଳଟାଏ ବିଚରା !! ମନୋରମା ମନେ ମନେ କମଳ ଲାଗି ମମତା ଆଉ ସହାନୁଭୂତିରେ ହସିଉଠନ୍ତି ।

 

ବାହାରେ ଶ୍ରାବଣ ରାତିର ବର୍ଷଣମେଦୁର ଅନ୍ଧକାର । ସକାଳପ୍ରହରୁ ଆଜି ବର୍ଷା ଚାଲିଛି-। ମଝିରେ ମଝିରେ କମିଯାଉଛି । ପୁଣି ଅଚାନକ ମାଡ଼ିଆସୁଛି–ଟପ୍ ଟପ୍–ଟପ୍ ଟପ୍ । ଟିଣ ଛାତ ଉପରେ କାଚି ଦେଇଯାଉଛି–ନଚି ଦେଇଯାଉଛି । ବେଳେବେଳେ ସାମାନ୍ୟ ଘଡ଼ଘଡ଼ି । ମଝିରେ ମଝିରେ ଝଲସି ଉଠୁଛି ବିଜୁଳି । ହାରାମଣି କରବୀର, ଚମ୍ପା ଆଉ ମଲ୍ଲୀ ଫୁଲ ତୋଳି ଆଣି ଟେବୁଲ ଉପରେ ରହିଛି । ରୋଷେଇ ଘରେ କୁକୁଡ଼ା ମାଂସ ସିଝୁଛି । ଥଣ୍ଡା ପବନରେ ଭାସିଆସୁଛି ତା’ର ଆଇଁଷିଆ ବାମ୍ଫୁଆ ବାସ୍ନା ।

 

କମଳ ମିଶ୍ର ତଥାପି ଆସିଲା ନାହିଁ !!!

 

ହଠାତ୍ ବାହାରେ କବାଟ ଖଡ଼ଖଡ଼ ଶୁଭିଲା । ଡା: ମନୋରମା ଚଞ୍ଚଳ ହୋଇଉଠିଲେ । କମଳ ଆସିଲା କି !!

 

ପ୍ରସାଧନ ଅବଶ୍ୟ ସରିଗଲାଣି । ଖାଲି ପଛ ପଟେ ଛନ୍ଦା ହୋଇଥିବା ଦୁଇଟି ବେଣୀର ମୂଳରେ ଦୁଇଟା କରବୀର ଲଗାଇଦେଲେ ହେଲା ।

 

ଆହୁରି ଜୋରରେ ବାହାରେ କବାଟ ଖଡ଼ଖଡ଼ ଶୁଭିଲା । ମନୋରମା ଆହୁରି ଚଞ୍ଚଳ ହୋଇଉଠିଲେ । ସେ ହାରାମଣିକୁ ଡାକିଲେ–

 

ହାରାମଣି !

 

କଅଣ ମାଆ ?

 

ଦେଖ ତ ଦାଣ୍ଡରେ କିଏ ଡାକୁଛି ? କମଳବାବୁ ଆସିଲେ କି ?

 

ହାରାମଣି ବାହାରକୁ ଯାଇ ସଙ୍ଗେ ସଙ୍ଗେ ପୁଣି ଫେରିଆସିଲା । ମନୋରମା ବେଣୀ ମୂଳରେ କରବୀର ଦୁଇଟି ଲଗାଇ ସାରିଥିଲେ । କଣ୍ଠରେ ଉତ୍କଣ୍ଠିତା ବାସକସଜ୍ଜା ନାୟିକାର ଉଦବେଗ ଫୁଟାଇ ମନୋରମା ପଚାରିଲେ–

 

କମଳବାବୁ ଆସିଲେ ନା ??

 

ହାରାମଣି ଟିକିଏ ହସିଦେଲା ।

 

ନାଇଁ ମା, କମଳବାବୁ ନୁହନ୍ତି ।

 

ଟିକିଏ ଲାଜେଇଯାଇ ପୁଣି ଯଥାସମ୍ଭବ ଗାମ୍ଭୀର୍ଯ୍ୟ ରକ୍ଷାକରି ମନୋରମା ପଚାରିଲେ–

 

ଆଉ ତେବେ କିଏ ସେ ?

 

ଜଣେ କିଏ ବୈଷ୍ଣବୀ ମାତା ଠିଆ ହୋଇଛନ୍ତି ।

 

ବୈଷ୍ଣବୀ ମାତା ?

 

ହଁ ମା’ ! ଚିତା ଚଇତନ, ମାଳୀ, ଝୁଲାମଣି ସବୁ ତ ଅଛି ।

 

କାହିଁକି ଆସିଛନ୍ତି ପଚାରିଲୁ ନାଇଁ ?

 

କେଜାଣି କାହିଁକି ଆସିଛନ୍ତି ? ପଚାରିଲାରୁ କହିଲେ–ଡାକ୍ତରାଣୀଙ୍କ ପାଖେ କାମ ଅଛି–ଡାକ୍ତରାଣୀଙ୍କୁ ଡାକ ।

 

ଓଃ !!!

 

ଡା: ମନୋରମା ମନେ ମନେ ବିରକ୍ତ ହୋଇ ଉଠିଲେ । ଆଶ୍ଚର୍ଯ୍ୟ ମଧ୍ୟ ହେଲେ । ଏଇଭଳି ଝଡ଼ବର୍ଷା ରାତିରେ ହଠାତ୍ ଏଇ ବୈଷ୍ଣବୀ ମାତାଟିର ବା ଆବିର୍ଭାବ କାହିଁକି ? ହୋଇପାରେ କିଛି ଆର୍ଥିକ ସାହାଯ୍ୟଭିକ୍ଷା କିମ୍ବା ଆଜି ରାତିଟା ଲାଗି ଏଠି ଟିକେ ଆଶ୍ରୟ–ଆତିଥ୍ୟ-। ବୈଷ୍ଣବ, ସନ୍ନ୍ୟାସୀ, ଭିକାରୀ, ସମସ୍ତ ଜାଣନ୍ତି ଲେଡ଼ି ଡାକ୍ତର ବଡ଼ ଦୟାବତୀ । ବିଶେଷତଃ ସାଧୁ ବୈଷ୍ଣବଙ୍କ ଉପରେ ତାଙ୍କର ଅଚଳା ଭକ୍ତି । ବହୁ ସାଧୁ ସନ୍ନ୍ୟାସୀ, ବୈଷ୍ଣବଙ୍କୁ ସେ ପ୍ରକୃତରେ ପ୍ରାୟ ହିଁ ସାହାଯ୍ୟ କରିଥାନ୍ତି । ବୟସ ବଢ଼ିବା ସାଙ୍ଗେ ସାଙ୍ଗେ ଏଇ ଆଧ୍ୟାତ୍ମିକ ଚେତନା ମଧ୍ୟ ତାଙ୍କ ଭିତରେ କ୍ରମେ ଉଦ୍‍ବୁଦ୍ଧ ହୋଇ ଉଠୁଥିଲା । ହୁଏତ ଏଇ ମନଭାବର ସୁଯୋଗ ନେଇ କୈାଣସି ନିରାଶ୍ରୟା ବୈଷ୍ଣବୀ–ହୁଏତ ରାତିଟାର ଆତିଥ୍ୟ ଲାଗି–

 

......କିନ୍ତୁ–ଆଜିର ଏଇ ଦୁର୍ଲଭ ରାତିଟା...! ଓଃ ! ଜୀବନରେ ଗୋଟାଏ ରାତି ଉପରେ ବି କ’ଣ ତାଙ୍କର ପୂର୍ଣ୍ଣ କର୍ତ୍ତୁତ୍ଵ ରହିପାରିବ ନାହିଁ ? ଏହି ନିଃସଙ୍ଗ ବ୍ୟର୍ଥ ନିଷ୍ଫଳ ଜୀବନରେ ଅସଂଖ୍ୟ ଅସହିଷ୍ଣୁ ଘଟଣାହୀନ ରାତିର କ୍ଷତିପୂରଣ ସ୍ୱରୂପ କ’ଣ ଗୋଟାଏ ପୂର୍ଣ୍ଣକାମ ରଜନୀର ପରିପୂର୍ଣ୍ଣ ସୌଭାଗ୍ୟ ବି ତାଙ୍କର କପାଳରେ ଲେଖିନାହାନ୍ତି ତାଙ୍କର ଭାଗ୍ୟ–ଦେବତା ? ଓଃ !!!

 

ବିରକ୍ତିରେ ହାତ ଛିଞ୍ଚାଡ଼ି ମନୋରମା କହିଲେ–ଆଚ୍ଛା, ମୁଁ ଯାଉଛି–ତାଙ୍କୁ କହ–ସେ ଡ୍ରଇଁ ରୁମରେ ବସନ୍ତୁ ।

 

ହାରାମଣି ଚାଲିଗଲା ।

 

ମନୋରମା ପୁଣି ଥରେ ଦର୍ପଣ ଆଡ଼କୁ ଚାହିଁଲେ । ବାହାରେ ଶ୍ରାବଣ ରାତିର ବର୍ଷଣପୂର୍ଣ୍ଣ ଅନ୍ଧକାର ଗାଢ଼ ହୋଇଉଠୁଛି । ଗଛଗୁଡ଼ାଙ୍କୁ ଆପଣାର ମତୁଆଳ ଖିଆଲରେ ଦୋହଲାଇ ଦେଇ, ସାଇଁ ସାଇଁ ଶବଦ କରି ଆର୍ଦ୍ର ଶୀତଳ ହାୱା ଝରକା ବାଟେ ଦମକାକୁ ଦମକା ପଶି ଆସୁଛି ଘର ଭିତରକୁ । ମନୋରମା ନିଜର ଅଙ୍ଗପ୍ରତ୍ୟଙ୍ଗକୁ ଥରେ ଚାହିଁ ପୁଣି ଥରେ ବାହାରଆଡ଼କୁ ମୁହଁ ଟେକିଲେ । କୋଠରୀ ଭିତରେ ଠିକ୍ ଝରକାର ଅଳ୍ପ ପାଖକୁ ତାଙ୍କର ଏଇ ଶୋଇବା ଖଟଟି । ଖୁବ୍ ବିସ୍ତୃତ ଏହି ଖଟଟା । ଛୋଟ ଖଟରେ ସେ ଶୋଇପାରନ୍ତି ନାହିଁ । ଖଟ ଉପରେ ମୋଟା ସ୍ପଞ୍ଜ୍‍ର ଗୋଟାଏ ଡନ୍‍ଲପ ଗଦି । ତା’ଉପରେ ପରିଷ୍କାର ଗୋଟାଏ ଧଳା ବିଛଣା ଚଦର । ଆଉ ତା’ଉପରେ ପଡ଼ିଛି–ଏମ୍ବ୍ରୟଡ଼ରି କରାହୋଇଥିବା ଦୁଇଟା ବଡ଼ ତକିଆ । ସେହି ତକିଆ ଉପରେ ବି କେତେଟା ଚମ୍ପା ଆଉ ମଧୁମାଳତୀର ପେନ୍ଥା ପକାଇ ଦେଇଛି ଆଜି ହାରାମଣି-। କାହିଁକି ପକାଇଛି କେଜାଣି !!!

 

କିନ୍ତୁ ସେହି ଏକୁଟିଆ ଫୁଲପକା ବିସ୍ତୃତ ବିଛଣାଟିକୁ ବଡ଼ ଆତୁର ଭାବେ ଚାହିଁ ରହିଲେ ମନୋରମା । ହଠାତ୍ ତାଙ୍କ ମନ ଭିତରେ ଏକ ତୀବ୍ର ବ୍ୟସ୍ତତାର ଚାଞ୍ଚଲ୍ୟ ଅସ୍ଥିର ହୋଇଉଠିଲା ।

 

ରୋଷେଇଘରୁ ସିଝୁଥିବା କୁକୁଡ଼ା ମାଉଁସର ଗରମ ବାମ୍ଫୁଆ ଆଇଁଷିଆ ଗନ୍ଧ ଏଇ ଥଣ୍ଡା ପବନ ସଙ୍ଗେ ସଙ୍ଗେ ବେଳେ ବେଳେ ଘର ଭିତରକୁ ପଶିଆସୁଛି । ମନୋରମାଙ୍କ ସ୍ନାୟୁ ଭିତରେ ଏକ ଅଦ୍ଭୁତ ପାଶବିକ ମାଂସଳ ଉଷ୍ମ କାମନାର ତାତି ବାମ୍ଫେଇ ଉଠିଲା । ଚଉକି ଉପରେ ସେ ଅଳସେଇ ଉଠିଲେ । ତାଙ୍କର ମନେ ହେଲା ସେ ପଡ଼ିଯିବେ ।

 

ସେ ପଡ଼ିଯାଆନ୍ତେ କି !! କେହି ଯଦି ତାଙ୍କୁ ଜୋର୍‍କରି ତଳୁ ଉଠାଇ ବକ୍ଷରେ ଚାପିଧରନ୍ତା ତା’ର ସମସ୍ତ ବଳ ପ୍ରୟୋଗ କରି !! ଓଃ !!

 

ଠିକ୍ ପରେ ପରେ ସେ ଅନୁଭବ କଲେ–ତାଙ୍କ ଭିତରର ସମସ୍ତ ସ୍ନାୟୁ ଥରି ଉଠୁଛନ୍ତି । ଏକପ୍ରକାର ହଠାତ୍ ଉଷ୍ମତା ଓ ହଠାତ୍ ଶୀତଳରେ ସେ କମ୍ପି ଉଠୁଛନ୍ତି । ସେ ଉତ୍ତାପ ଚାହାନ୍ତି–ଏକ ଘନ ନିବିଡ଼ ଧର୍ଷଣକାମ ଉଷ୍ମ ଆଶ୍ଳେଷର ଉତ୍ତାପ । ଏହି ବର୍ଷଣମୁଖର ଶ୍ରାବଣ ରଜନୀର ଏହି ଆର୍ଦ୍ର ଶୀତଳ ବିଦ୍ୟୁତ୍‍ସ୍ପଷ୍ଟ ନିଃସଙ୍ଗ ଅନ୍ଧକାର ଭିତରେ ଯେପରି ଲୁଚି ରହିଚି–ଏକ ଅନ୍ଧ ଅପୂର୍ଣ୍ଣକାମ ଭୋଗଲାଳସୀ ବ୍ୟଭିଚାରୀ କାମନାର ପ୍ରେତ !! ଏ ରାତି ସେହି ବ୍ୟଭିଚାରୀ କାମନାପ୍ରେତର ପାଶବିକ ଉପଭୋଗ ଲାଗି ହିଁ ଉଦ୍ଦିଷ୍ଟ ।

 

ଡା: ମନୋରମା ଅସ୍ଥିର ହୋଇଉଠିଲେ ।

 

କମଳ ମିଶ୍ର ତଥାପି ଆସିଲା ନାହିଁ !

 

ଘଣ୍ଟାକୁ ଚାହିଁଲେ ମନୋରମା । ସାଢ଼େ ଆଠଟା ବାଜିଗଲାଣି ।

 

କୋଠରୀର ସାମାନ୍ୟ କୋଣକୁ ଟେବୁଲ ଉପରେ କ୍ୟୁବିକ୍ ପଦ୍ଧତିରେ ତିଆରି ଫ୍ରେଞ୍ଚ ପ୍ଲାଷ୍ଟରରେ ଗୋଟିଏ ନଗ୍ନ ବନ୍ଧନଗ୍ନ ଯୁଗଳ ମୂର୍ତ୍ତି । ଆଉ ତା’ର ଛାଇଟା ବେଶ୍ ବଡ଼ ଆକାଶରେ ପଡ଼ିଛି ଧଳା କାନ୍ଥଟା ଉପରେ ।

 

ନାଃ !! ଆଉ ବୋଧେ କମଳ ଆସିବ ନାହିଁ !!

 

ତା’ କଥାରେ କି କିଛି ଠିକଣା ଅଛି ? ବାଇଆଟାଏ–ପାଗଳଟାଏ !!

 

ବୟସ ଚାଳିଶରୁ କମ୍ ହେବ ନାହିଁ । ଜୀର୍ଣ୍ଣଶୀର୍ଣ୍ଣ, ରୋଗା ଚେହେରା ବେଶୀ ଉଚ୍ଚା ମଧ୍ୟ ନୁହେଁ । ମୁହଁର ରଙ୍ଗ ପାଉଁଶିଆ ପଡ଼ି ଆସିଲାଣି । ମୁଣ୍ଡରେ କୁଞ୍ଚୁକୁଞ୍ଚିଆ ବାଳଗୁଡ଼ାକ ବେଶ୍ ଘନ ହେଲେ ବି ବଡ଼ ରୁକ୍ଷ,...ଦିନ ରାତି ସିଗ୍ରେଟ ଫୁଙ୍କୁ ଥିବ, ମନଇଚ୍ଛା ଘୁରୁଥିବ I ବସିଗଲେ–ଗପୁଥିଲେ ଗପୁଥିବ ।

 

ତଥାପି ଲୋକଟାର ବ୍ୟକ୍ତିତ୍ଵର ଗୋଟାଏ ବୈଶିଷ୍ଟ୍ୟ ଅଛି । ସେ ବ୍ୟକ୍ତିତ୍ଵ ପ୍ରଭାବ ପକାଏ–ଆକର୍ଷଣ କରେ ।

 

କିନ୍ତୁ ଏତିକି ମାତ୍ର ତା’ର ପରିଚୟ ନୁହେଁ । କମଳ ମିଶ୍ର ଆଧୁନିକ ଓଡ଼ିଆ ସାହିତ୍ୟରେ ପ୍ରତିଷ୍ଠିତ ଗାଳ୍ପିକ । ଗୋଟାଏ କ୍ଷୟିଷ୍ଣୁ ସାମନ୍ତବାଦୀ ପରିବାରର ଏକମାତ୍ର ବଂଶଧର ଏହି କମଳ । ଏମ୍.ଏ.ପାସ୍ କରିଥିଲା ସାମାଜିକ ବିଜ୍ଞାନରେ କୃତିତ୍ଵର ସହିତ । ସରକାରୀ ଚାକିରି କଲା ନାହିଁ । ନିଜର ଖିଆଲ ଖୁସିରେ ଜୀବନକୁ ନେଇ ଯଥେଚ୍ଛା ଖେଳିଚାଲିଛି କମଳ । କିଛିଦିନ ସରକାର ଦଳ ବିରୁଦ୍ଧରେ ପ୍ରଚାର କଲା–ଗୋଷ୍ଠୀ ଗଢ଼ିଲା । ମନ୍ତ୍ର ରାଜନୀତି ଯେତେବେଳେ ତାକୁ ଜୀବନର ଗୋଟାଏ ଉନ୍ନତ ଲାଭଜନକ ସୋପାନ ଉପରକୁ ଉଠାଇ ଦେବା ଲାଗି ସୁଯୋଗ ଦେଲା, ସେତେବେଳେ ସେ ରାଜନୀତି ଛାଡ଼ି ଖବରକାଗଜରେ କାମ କଲା । ତା’ର ହିତାକାଂକ୍ଷୀମାନେ ତାଭ ଏଇ ସାଂସାରିକ ବୁଦ୍ଧିହୀନତା ଉପରେ ମନ୍ତବ୍ୟ ପ୍ରକାଶ କରନ୍ତେ କମଳ କହିଲା–ରାଜନୀତି ମୋ ପକ୍ଷରେ ଖେଳ ମାତ୍ର–ତାକୁ ନେଇ ଜୀବିକା ନିର୍ବାହ କରିବା ମୋର ଧର୍ମ ନୁହେଁ ।

 

ଖବରକାଗଜ ଚଳାଇବା ସଙ୍ଗେ ସଙ୍ଗେ ସେ ସାହିତ୍ୟ ଅନୁଷ୍ଠାନ ମଧ୍ୟ ଚଢ଼ିଲା–ସାହିତ୍ୟ ପତ୍ରିକା ପ୍ରକାଶ କଲା ଏବଂ ନାନାପ୍ରକାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ଜଣେ ବିଶିଷ୍ଟ ଚିନ୍ତାନାୟକ ବା ନେତା ଭାବରେ ପରିଚିତ ହେଲା ।

 

ଆଜି କମଳ ମିଶ୍ର ଓଡ଼ିଶାର କେବଳ ଜଣେ ପ୍ରତିଷ୍ଠିତ ଔପନ୍ୟାସିକ ବା ଗାଳ୍ପିକ ନୁହେଁ–ଓଡ଼ିଶାର ଯୁବସମାଜରେ ସେ ଜଣେ ପ୍ରତିଷ୍ଠିତ ଚିନ୍ତାନାୟକ ମଧ୍ୟ । ସମାଜର ଓ ମନୁଷ୍ୟ ଜୀବନର ନାନାଦି ସମସ୍ୟା ଓ ତା’ର ସମାଧାନ ଉପରେ କମଳ ପ୍ରବନ୍ଧ ଲେଖେ–ବକ୍ତୃତା ଦିଏ–ଗୋଷ୍ଠୀ ଗଢ଼େ । ଓଡ଼ିଶାର ସାହିତ୍ୟ-ରାଜ୍ୟରେ ଓ ଚିନ୍ତା-ରାଜ୍ୟରେ କମଳ ମିଶ୍ରର ନୂତନ ଅବଦାନ–ତା’ର ନୂତନ ଜୀବନାଲେଖ୍ୟ ବା ଜୀବନ–ଦର୍ଶନ ହେଉଛି–“ଜୀବନବାଦ” ।

 

ଜୀବନର ସର୍ବବିଧ କ୍ଷେତ୍ରରେ ଏହି ‘ଜୀବନବାଦର’ ପ୍ରଚାର ଓ ପ୍ରସାର ହିଁ ଆଜି ତା’ର ଜୀବନର ଲକ୍ଷ୍ୟ ହୋଇପଡ଼ିଛି । ତା’ର ପ୍ରେରଣାରେ ଆଜି ଏ ଦେଶର ସାହିତ୍ୟ ଓ ଶିଳ୍ପ କ୍ଷେତ୍ରରେ ବି ତରୁଣ ଶିଳ୍ପୀ ଓ ଲେଖକମାନେ ‘ଜୀବନବାଦ’ ର ପ୍ରୟୋଗ ଓ ପରୀକ୍ଷା ଚଳାଇଛନ୍ତି ।

 

ଅଥଚ କମଳ ମିଶ୍ର ମଧ୍ୟ ସଂସାର କରିଥିଲା–ଦୁଇଟି ସନ୍ତାନର ଜନକ ହୋଇଥିଲା । ପରେ ପରେ ସେ ନିଜ ସ୍ତ୍ରୀର ଶତ ଆପତ୍ତି ସତ୍ତ୍ୱେ, ପୃଥିବୀର ଲୋକସଂଖ୍ୟା ବୃଦ୍ଧି ବିରୁଦ୍ଧରେ ନିଜର ସୃଷ୍ଟି କରିବା କ୍ଷମତାକୁ ମଧ୍ୟ ଡାକ୍ତରଖାନାରେ ବିସର୍ଜନ ଦେଲା । ସେତେବେଳେ କମଳ ପ୍ରଚାର କରୁଥିଲା–ଜୀବନର ଶତ୍ରୁ ମରଣ ନୁହେଁ, ଜୀବନ ହିଁ ଜୀବନର ଶତ୍ରୁ । ଜୀବନର ସମୃଦ୍ଧି ଲାଗି ଜୀବଜଗତର ଅଯଥା ବୃଦ୍ଧି ଗୋଟାଏ ବିରାଟ ପ୍ରତିବନ୍ଧକ ।

 

ଆଜି ଅବଶ୍ୟ କମଳମିଶ୍ର ତା’ର ମତ ବଦଳାଇଛି । ଆଜି ସେ କହେ–ଜୀବନରେ ସମୃଦ୍ଧି ଲାଗି–ବିକାଶର ଲାଗି–ଆଉ ସ୍ୱାଚ୍ଛନ୍ଦ୍ୟ ଲାଗି–ଜନସଂଖ୍ୟା ନିୟନ୍ତ୍ରଣ ଗୋଟାଏ ଭୀଷଣ ନାରକୀୟ ଧ୍ଵଂସମୁଖୀ ମନର ପରିକଳ୍ପନା । ମଣିଷର ମନ ପରି ପ୍ରକୃତି ଏତେ ଦରିଦ୍ର ନୁହେଁ–ମୁର୍ଖ ନୁହେଁ–ଦାୟିତ୍ଵହୀନ ବି ନୁହେଁ । ପୃଥିବୀରେ ଜନସଂଖ୍ୟା ବୃଦ୍ଧି ପାଇଲେ ତା’ର ଭରଣପୋଷଣ ଲାଗି–ତା’ର ଯଥାଯଥ ପ୍ରତିପାଳନ ଲାଗି–ପ୍ରକୃତି ହିଁ ମଣିଷକୁ ପୁଣି ନୂତନ ପଥ ଦେଖାଇବ । ସମୁଦ୍ରର ଶିଉଳ ଖାଇ ମଧ୍ୟ ମଣିଷ ବଞ୍ଚିବ କିମ୍ବା କେବଳ ବଟିକା ଖାଇ ମଧ୍ୟ ସେ ବଞ୍ଚିବ । ମାଟି ଉପରେ ଜାଗା ନ ହେଲେ ସେ ମାଟିତଳେ ସୁଡ଼ଙ୍ଗ ଖୋଳି ରହିବ–ସମୁଦ୍ର ପାଣି ଉପରେ ଭେଳା ବାନ୍ଧି ନଗର ବସାଇବ–ପାହାଡ଼ ଉପରେ ଘର ବାନ୍ଧିବ । ତା’ଛଡ଼ା ପ୍ରକୃତି ତ ମଣିଷ ଲାଗି କେବଳ ଏଇ ପୃଥିବୀଟାକୁ ତିଆରି କରିନାହିଁ !! ଅନନ୍ତ ବିଶ୍ଵ ବ୍ରହ୍ମାଣ ପଡ଼ିରହିଛି । ମଣିଷ ଯେ କୌଣସି ପ୍ରାଣହୀନ ଗ୍ରହରେ ବି ତା’ର ଜୀବନକୁ ପ୍ରତିଷ୍ଠିତ କରିପାରିବ ।

 

କିନ୍ତୁ ହାୟ !! କାମଳର ଦର୍ଶନ ବଦଳିଲେ ମଧ୍ୟ ସେ ଆଜି ତା’ର ସୃଷ୍ଟି କ୍ଷମତା ହରାଇ ବସିଛି । ଦୁଇଟି ପିଲାଙ୍କ ମଧ୍ୟରୁ ତା’ର ପ୍ରଥମ ସନ୍ତାନ ପୁଅଟି ମାନ୍ତ୍ର ପାଞ୍ଚ ବର୍ଷର ଗୋଟାଏ ଦୁଃସାଧ୍ୟ ରୋଗରେ ସେମାନଙ୍କୁ ଠକିଦେଇ ଚାଲିଗଲା । ଆଉ ବୋଧହୁଏ ସେଇ ଦୁଃଖରେ ପର ସ୍ତ୍ରୀ ମଧ୍ୟ ଅଳ୍ପ ଦିନ ମଧ୍ୟରେ ଆତ୍ମହତ୍ୟା କରି ମଲା । ଆଉ ତା’ର ଆପଣାର ହୋଇ କେବଳ ଝିଅଟିଏ । ତାକୁ ମହାରାଷ୍ଟ୍ରର ଆର୍ଯ୍ୟକନ୍ୟା ମହାବିଦ୍ୟାଳୟରେ ଛାଡ଼ିଦେଇ କମଳ ବର୍ତ୍ତମାନ ଏଇ ‘ଜୀବନବାଦ’ ହିଁ ପ୍ରଚାର କରି ବୁଲୁଛି ।

 

ଆଉ ଥରେ ବିବାହ କଲା ନାହିଁ କମଳ । କିପରି ବା ବିବାହ କରନ୍ତା ? କେଉଁ ନାରୀକୁ ଯେ ସେ ଆଉ ମାତୃତ୍ୱର ଅଧିକାର ବା ସୌଭାଗ୍ୟ ଦେଇପାରିବ ନାହିଁ !! କିଏ ଭଲା ଆଉ ତାକୁ ବିବାହ କରନ୍ତା ?

 

ନିଜର ଖିଆଲରେ ନିଜେ ବଞ୍ଚିତ–ବିଡ଼ମ୍ବିତ ବିଚରା କମଳ !!

 

ବେଳେ ବେଳେ ଖୁବ୍ ଭାବପ୍ରବଣ ହୋଇ କହେ–ମୁଁ ଆଉ କାୟା ଚାହେଁ ନାହିଁ ଡାକ୍ତର ! ମୁଁ ଚାହେଁ ପ୍ରିୟା । ବହୁତ ମୁଁ ଖୋଜିଛି ଡାକ୍ତର, କିଏ ସେହି ମହୀୟସୀ ପ୍ରେମବତୀ କରୁଣାମୟୀ ନାରୀ–ଯିଏ ମୋର ଏହି ସୃଷ୍ଟି କ୍ଷମତାହୀନ ପୌରୁଷକୁ ତା’ର ନିଷ୍କାମ ପ୍ରଣୟ ମାଧୁର୍ଯ୍ୟରେ ଆଜୀବନ ରସସିକ୍ତ କରି ରଖିବ ।

 

କମଳ ଦିନେ କହୁଥିଲା–ସେ କୁଆଡ଼େ ସେଇ ନାରୀକୁ ପାଇଛି !!

 

ସେ ନାରୀ ତୁମେ ଡାକ୍ତର ! ତୁମେଇ ସେହି ପ୍ରେମବତୀ, କରୁଣାମୟୀ, ମହୀୟସୀ ନାରୀ । ଜୀବନରେ ବହୁ ନାରୀଙ୍କ ସଂସ୍ପର୍ଶରେ ଆସିଛି–କିନ୍ତୁ ତୁମେ ଅନନ୍ୟା । ତୁମେ ମୋର ସମସ୍ତ ଦୁର୍ବଳତା ଜାଣି ମଧ୍ୟ ମୋତେ ଭଲ ପାଇଛ । ତୁମେ ଭଲ କରି ଜାଣ–ମୁଁ ତୁମ ଉଦ୍ୟାନର ପୁଷ୍ପକୁ ଫଳବତୀ ଜଗାଇବାରେ ସମ୍ପୂର୍ଣ୍ଣ ଅକ୍ଷମ...ତଥାପି...

 

କ’ଣ ତଥାପି ????

 

ମୁହଁରେ ପ୍ରକାଶ କଲେ ବି ଡାକ୍ତର ମନୋରମା ମନେ ମନେ କିଞ୍ଚିତ୍ ବିରକ୍ତ ମଧ୍ୟ ହୋଇଉଠନ୍ତି। ଛେନାଗୁଡ଼ ବୁଝନ୍ତି ଏଇ ସବୁ କବି, ଶିଳ୍ପୀ ଆଉ ଲେଖକମାନେ । ମଣିଷର ହୃଦୟକୁ ଏମାନେ କଅଣ ବା ବୁଝନ୍ତି ? କେତେ ବା ବୁଝନ୍ତି ? ନିଜ ମନର ମାଧୁରୀ ମିଶାଇ ଏମାନେ ଜଗତର ସୁଆଦ ଚାଖନ୍ତି–ଶୁଖିଲା ହାଡ଼ ଚୋବାଉ ଚୋବାଉ ଗଧିଆ ସେମିତି ନିଜ ଦାନ୍ତମୂଳର ରକ୍ତର ସ୍ଵାଦ ଚାଖି ଆନନ୍ଦ ପାଏ ।

 

ଆପଣା ମନର ରଙ୍ଗ ବୋଳି, ରସ ଲେପି, ରୂପ ଆଙ୍କି, ଏପରି କି ଆପଣା ବୃଦ୍ଧିର ଖିଆଲୀ ଦର୍ଶନ ଦେଇ ଏମାନେ ଚରିତ୍ର ଗଢ଼ନ୍ତି । ବାସ୍ତବ ଜୀବନ ସଙ୍ଗେ କେତେ ପ୍ରଭେଦ ଏମାନଙ୍କ ବର୍ଣ୍ଣିତ ଚରିତ୍ର ଗୁଡ଼ାକର ! ବିଧାତାର ଜଗତ ସଙ୍ଗେ ଖୁବ୍ କମ୍ ମେଳ ଏମାନଙ୍କ ଜଗତର-!!

 

ବିଚରା କମଳ !

 

ଖିଆଲୀ କମଳ !!

 

ଆପଣା ମନର ସୌରଭରେ କସ୍ତୁରୀ ମୃଗ ପରି ଆପେ ପାଗଳ । ସେ କିପରି ବୁଝିବ–ମନୋରମା–ହୃଦୟର କ୍ଷୁଧା ! ସେ କିପରି କଳିବ ତା’ର ଅନ୍ତରର ଅତଳସ୍ପର୍ଶୀ ବେଦନାର ସମୁଦ୍ରକୁ-?

 

କେତେ ଜନନୀର ଗର୍ଭ ବିଦାରଣ କରି ସେ କେତେ ଶିଶୁର ଅସ୍ଫୁଟ କୋମଳ କାକଳିରେ ଏ ଧରଣୀକୁ ସଙ୍ଗୀତ ଶୁଣାଇଛନ୍ତି ନୂତନ ସୃଷ୍ଟିର ସଙ୍ଗୀତ । କିନ୍ତୁ–କିନ୍ତୁ–ଆଜି ପର୍ଯ୍ୟନ୍ତ ସେହି ନୂତନ ସୃଷ୍ଟିର ମଧୁର ଅସ୍ଫୁଟ କୋମଳ କାକଳିର ସଙ୍ଗୀତ ତାଙ୍କ ନିଜ ଦେହରୁ ସମସ୍ତ ସ୍ନାୟୁତନ୍ତ୍ରୀକୁ ଥରାଇ ଦେଇ–କମ୍ପାଇ ଦେଇ–ଜଗତର ଶ୍ରବଣକୁ ଧ୍ୱନିମଧୁର କରି ନାହିଁ ।

 

ଏ କ’ଣ କମ୍ ବଡ଼ ବାର୍ଥତା !

 

ସେ କ’ଣ ଖୋଜି ନାହାନ୍ତି ? ସେ ମଧ୍ୟ ଖୋଜିଛନ୍ତି ଆଜିଯାଏ–ମନେ ମନେ–ସେଇ ପୁରୁଷଟିକୁ–ଯେ ତାଙ୍କ ଭିତରର ଏଇ ଅପୁର୍ଣ୍ଣ ମାତୃତ୍ୱର, ଆକାଂକ୍ଷାଟିକୁ ଚରିତାର୍ଥ କରି ଦେଇ ପାରିବ । ଯାହାର ପୌରୁଷା ଲୋକ ସଂଯୋଗରେ ତାଙ୍କର ମନ–କାନନର ସମସ୍ତ ଫୁଲ–ଏକ ଏକ ହୋଇ ପରିପୂର୍ଣ୍ଣ ସଫଳତାରେ ସାର୍ଥକ ହୋଇ ଉଠିବେ । ସେହି ପୁରୁଷଟିର ମିଳନ ମୁହୂର୍ତ୍ତକୁ ସେ ବି କ’ଣ କମ୍‍ ଉଦ୍ ବେଗର ସହିତ ଅପେକ୍ଷା କରି ଆସିଛନ୍ତି ଆଜିଯାଏଁ ! କିନ୍ତୁ ସେ ପୁରୁଷ ମିଳିନାହିଁ । ମିଳିବ ବି ନାହିଁ !!

 

ଆଉ କମଳ ମିଶ୍ର !!

 

କାହିଁକି ତା’ ପ୍ରତି ସେ ଏତେ ଆକୃଷ୍ଟ ? ସବୁ କଥା ଜାଣି ମଧ୍ୟ ପ୍ରକୃତରେ କାହିଁକି ସେ କମଳ ପ୍ରତି ଏତେ ପ୍ରେମପ୍ରବଣ ? ହୃଦୟର ସମସ୍ତ ଉତ୍ତପ୍ତ ଆତୁରତା ଦେଇ କାହିଁକି ସେ କମଳର ଆସିବା ବାଟକୁ ଏମିତି ଚାହିଁ ବସିଥାନ୍ତି ?

 

ଅଥଚ କମଳ ସଙ୍ଗେ ପରିଚୟ ସେମିତି କିଛି ନାଟକୀୟ ନୁହେଁ । ବହୁ ରୋଗୀଙ୍କ ଭଳି କମଳ ବି ଦିନେ ଆସିଥିଲା ଡାକ୍ତରଖାନା । ପେଟରେ ଲକ୍ଷ ଲକ୍ଷ ଆମିବାଏସିସ୍ ଜୀବାଣୁଙ୍କର ଚକ୍ରାନ୍ତରେ ଉତ୍ପୀଡ଼ିତ ହୋଇ । ଔଷଧ ନେଇ ସେଦିନ ସେ ଚାଲିଗଲା; ମାତ୍ର ପୁଣି ଆସିଲା କିଛିଦିନ ପରେ ଏବଂ ବାରମ୍ବାର ଔଷଧ ଖାଇ ମଧ୍ୟ ସେ ବାରମ୍ବାର ସେହି ଅଭିଯୋଗ ନେଇ ଆସିଲା ।

 

ସେଦିନ ଓପରଓଳି । ହଠାତ୍ କିଞ୍ଚିତ କୌତୂହଳର ଆବେଗ ନେଇ ମନୋରମା ପଚାରିଦେଲେ–

 

ଆପଣ ଏଠି ରହୁଛନ୍ତି କେଉଁଠି ?

 

ଆପଣ ମୋତେ ଜାଣନ୍ତି ?

 

ହଁ, ଜାଣେ । ଆପଣଙ୍କୁ ବା ନ ଜାଣେ କିଏ ? କଲେଜରେ ପଢ଼ିବା ଦିନୁ ଆପଣଙ୍କ ଗଳ୍ପ ଉପନ୍ୟାସ ପଢ଼ିଆସୁଛି । ଆପଣଙ୍କ ଲେଖା ନେଇ ଆମ ମହଲରେ ସେତେବେଳେ ବହୁତ ଆଲୋଚନା ହୁଏ । ଜୀବନର ନାନା ସମସ୍ୟା ଉପରେ ଆପଣ କେମିତି ଅଦ୍ଭୁତ ଭାବରେ ଆଲୋକପାତ କରନ୍ତି.....

 

କ’ଣ ଖୁବ୍ ଭୁଲ କଥା କହେ ?

 

ନା ଭୁଲ କ’ଣ ? କେତେକ କହନ୍ତି ଠିକ୍ । କେତେକ କହନ୍ତି ଭୁଲ । ବାସ୍–ଏଇ ନେଇ ତର୍କ ଚାଲେ–ଆଉ କ’ଣ ?

 

ଆପଣଙ୍କର ନିଜ ମତ କ’ଣ ?

 

ମୋ ମତ କିଆଁ ପଚାରୁଛନ୍ତି ? ମୁଁ ବା ସାହିତ୍ୟର ଜାଣେ କ’ଣ ? ରୋଗ ଆଉ ଔଷଧ ନେଇ ଆମର କାରବାର । ତେବେ ଆପଣଙ୍କର ଅନେକ ଯୁକ୍ତିକୁ ମୁଁ ପସନ୍ଦ ନ କଲେ ବି ଆପଣଙ୍କର ଦୃଷ୍ଟିକୋଣର ମୌଳିକତା ପ୍ରତି ମୋର ଅନ୍ତରର ସମର୍ଥନ ଥିଲା ଓ ଏବେ ବି ଅଛି । ମଣିଷ–ଜୀବନ ପ୍ରତି ଆପଣଙ୍କର ଯେମିତି ଶ୍ରଦ୍ଧା ଆଉ ସହାନୁଭୂତି ଅଛି ମଣିଷର ମୌଳିକ ସମସ୍ୟା ପ୍ରତି ମଧ୍ୟ ଆପଣଙ୍କର ଦୃଷ୍ଟି ସେମିତି ତୀକ୍ଷ୍‍ଣ:

 

କମଳ ମିଶ୍ର ମନୋରମାଙ୍କ କଥା ଶୁଣିଲା କି ନାହିଁ କେଜାଣି–ହଠାତ୍ ଚଉକିଟା ଟାଣିନେଇ ସେ ବସିପଡ଼ିଲା । ତା’ପରେ ବେଶ୍ ଗମ୍ଭୀର ଭାବରେ ଟେବୁଲ ଉପରେ ହାତଭରା ଦେଇ–ସତେ କି ମନୋରମା ପାଖରେ ସେ ଶରଣ ପଶିଛି–ଏମିତି ଭାବରେ ସେ ଆରମ୍ଭ କଲା–କ’ଣ କରିବା କୁହନ୍ତୁ ତ ? କିଛିଦିନ ହେଲା ମୋତେ ଏଇ ଆମିବିକ୍ ଡିସେଣ୍ଟ୍ରି କାବୁ କରିଦେଲାଣି । ଅଥଚ ବାରଆଡେ଼ ହୋଟେଲ ହିଁ ହୋଇଛି ମୋର ଏକମାତ୍ର ଆଶ୍ରୟ ବର୍ତ୍ତମାନ ।

 

କାହିଁକି ଆପଣ ବାରଆଡେ଼ ଘୁରୁଛନ୍ତି ?

 

କମଳ ତା’ର ଜୀବନ–କାହାଣୀ କହିଯାଇଥିବା ବେଶ୍ ସଂକ୍ଷେପରେ । ଶେଷରେ ସେ କହିଲା ।

 

ବର୍ତ୍ତମାନ ମୋର କାମ ହେଉଛି ବିଭିନ୍ନ ସ୍ଥାନରେ ସ୍ୱାଧୀନ ଚିନ୍ତାଶୀଳ ସାଂସ୍କୃତିକ ଗୋଷ୍ଠୀ ଗଢ଼ିବା । ଏହି ଗୋଷ୍ଠିଗୁଡ଼ିକର କର୍ତ୍ତବ୍ୟ ହେବ–ସବୁ ବ୍ୟାପାର ଉପରେ ମୁକ୍ତ ଭାବରେ ଚିନ୍ତା କରିବା । ଏ ଦେଶରେ କେବଳ ରାଜନୀତିକ ଦଳ ଛଡ଼ା ଆଉ ଅନ୍ୟ ଦଳ ନାହିଁ । ବିଭିନ୍ନ ଚିନ୍ତା ଓ ଧାରଣା ଉପରେ ମଧ୍ୟ ଗୋଷ୍ଠୀ ଗଢ଼ାହେବା ଉଚିତ । ଫ୍ରାନ୍ସରେ ଘୁରିଦେଇ ଆସିଲି–ଏହିଭଳି ଅସଂଖ୍ୟ ଧରଣର ଗୋଷ୍ଠୀ ସେ ଦେଶରେ । ଗୋଷ୍ଠୀ ନ ଥିଲେ ଦେଶରେ ଚିନ୍ତାଶୀଳ ସାଂସ୍କୃତିକ ଭିତ୍ତି ପଡ଼ିପାରିବ ନାହିଁ । ଗୋଷ୍ଠୀ ଜରିଆରେ ହିଁ ନିଜର ଚିନ୍ତା ଓ ଧାରଣାକୁ ଦେଶବାସୀଙ୍କ ହୃଦୟ ଭିତରେ ସଞ୍ଚାରିତ କରିହେବ । ସ୍ୱାଧୀନତା ପରେ ଆମେ କେବଳ ରାଜାନୀତିକ ଗୋଷ୍ଠୀ ଗଢ଼ିଛୁ । ଫଳରେ ଆମେ ଜୀବନର ଅନ୍ୟାନ୍ୟ ଅଂଶ ଉପରେ ଏହି ସ୍ୱାର୍ଥସର୍ବସ୍ୱ କ୍ଷମତାଲୋଭୀ ମୂର୍ଖ ରାଜନୀତିକ ଡକାଏତମାନେ ହିଁ ଆଧିପତ୍ୟ ବିସ୍ତାର କରି ସାରିଲେଣି । ତେଣୁ ଖାଲି ରାଜନୀତି ନୁହେଁ–ବୌଦ୍ଧିକ ଓ ସାଂସ୍କୃତିକ କ୍ଷେତ୍ରରେ ବି ଏଭଳି ଗୋଷ୍ଠୀର ଆବଶ୍ୟକତା ବର୍ତ୍ତମାନ ଯଥେଷ୍ଟ ପଡ଼ିଲାଣି ।

 

ପାଗଳର ପ୍ରଳାପ ଭଳି କାନକୁ ଶୁଭୁଥିଲା ସେତେବେଳେ କମଳର ଏହି କଥା ଗୁଡ଼ାକ । କି ବିଚିତ୍ର ଏ ସ୍ୱପ୍ନ !! କି ଅସମ୍ଭବ ଏ ଖିଆଲ !!

 

ଅଥଚ ଏଇ ସ୍ଵାର୍ଥକୈନ୍ଦ୍ରିକ ଅର୍ଥକାରୀ ଦୁନିଆରେ କେବଳ ଚିନ୍ତାକୁ ନେଇ ଗୋଷ୍ଠୀ ଗଢ଼ିବାର ଖିଆଲ ଯେମିତି ଅଦ୍ଭୁତ–ସେମିତି ଚମତ୍କାର ।

 

କମଳର ଏହି ପ୍ରଳାପ ଭିତରୁ ବି ତା’ର ପ୍ରାଣର ଅବେଗ ଓ ବିଶ୍ୱାସର ନିଷ୍ଠା ମନୋରମାଙ୍କୁ ଖୁବ୍ ଭଲ ଲାଗିଥିଲା । ସେ ପଚାରିଥିଲେ କଣ୍ଠରେ କିଞ୍ଚିତ୍ ମଧୁର ଉତ୍ସୁକତା ଦେଇ–

 

ଆପଣ ବର୍ତ୍ତମାନ କେଉଁ ମତ ପ୍ରଚାର କରୁଛନ୍ତି ?

 

ଜୀବନବାଦ ।

 

ତା’ ମାନେ ??

 

ତା’ ମାନେ ଜୀବନର ଜୟଗାନ ।

 

କମଳ ଫେର ବକ୍ତୃତା ଦେଲା । ବେଶ୍ ଉତ୍ତେଜିତ କଣ୍ଠରେ–ଅନୁପ୍ରାଣିତ ହେଲା ଭଳି–ସତେ କି ଆଗରେ ତା’ର ବିରାଟ ଉତ୍ସୁକ ଜନତା–

 

ପ୍ରକୃତରେ ଦେଖିବାକୁ ଗଲେ–ମଣିଷର ସମସ୍ତ ବିଦ୍ୟା, ବୁଦ୍ଧି ଆଉ କାର୍ଯ୍ୟ ଜୀବନକୁ ରକ୍ଷା କରିବାରେ ହିଁ ନିୟୋଜିତ ହେବା ଉଚିତ । ଆମର ରାଜନୀତି, ସମାଜନୀତି, ଅର୍ଥନୀତି, ବିଜ୍ଞାନ, ଧର୍ମ ଓ ଶିଳ୍ପ, ସାହିତ୍ୟ ଆଦି ସବୁ ଜୀବନମୁଖୀ ହେବା ଦରକାର । ଆଧୁନିକ ଯୁବକସମାଜର ମନ ଭିତରେ ଏହି ବିଶ୍ୱାସ ଓ ଚିନ୍ତା ସୃଷ୍ଟି କରିବା ଦିଗରେ ମୁଁ ବର୍ତ୍ତମାନ କାର୍ଯ୍ୟ କରୁଛି ।

 

ମନୋରମା ଟିକିଏ ହସି କହିଲେ–ମାତ୍ର ସମସ୍ତେ ବି ତ ଏଇ କଥା ଚାହାନ୍ତି !!

 

କମଳ ଫେର୍ ଉତ୍ତେଜିତ ହୋଇ ଟେବୁଲ ଉପରେ ଚପେଟାଘାତ କରି କହିଲା–

 

ନା–ସମସ୍ତେ ବର୍ତ୍ତମାନ ସେ କଥା ଚାହୁଁନାହାନ୍ତି । ଆଉ ସେଇଥିଲାଗି କେବଳ–ଆଜି ପୃଥିବୀ ଉପରେ ମୃତ୍ୟୁର ଇଗଲ ଡେଣା ମେଲି ଉଡ଼ୁଛି । ଆଜି ମଣିଷ ଭିତରେ ବଞ୍ଚିବା ଅପେକ୍ଷା ମରିବାର ଆକାଂକ୍ଷା ହିଁ ପ୍ରବଳ ହୋଇଉଠୁଛି । ଜୀବନ ଚାହୁଁଥିଲେ ମଣିଷ ଆଜି ଅନ୍ୟର ଜୀବନରୁ ବିପନ୍ନ କରିବାରେ ସଙ୍କୋଚ ବୋଧ କରନ୍ତା ! ଏଇ ମରିବାର ଇଚ୍ଛା ହିଁ ତାକୁ ଅନ୍ୟକୁ ମରିବାର ଖିଆଲ ଓ ପ୍ରେରଣା ଯୋଗାଉଛି । ଅମର ସମସ୍ତ ମାନବିକ ଜ୍ଞାନ ବା ପ୍ରଜ୍ଞା ବା କର୍ମ କେବଳ ନିଜର ସଂକୀର୍ଣ୍ଣ ସ୍ଵାର୍ଥରେ ଖଣ୍ଡିତ ଜୀବନକୁ କେନ୍ଦ୍ର କରି ଏମିତି ଖଣ୍ଡିତ ଭାବରେ ଜୀବନର ସ୍ୱତନ୍ତ୍ର କରି ଦେଖିବା ମାନେ–ଜୀବନକୁ ହତ୍ୟା କରିବା । ସମସ୍ତ ଜୀବନର ଅଖଣ୍ଡତାକୁ ନେଇ ମଣିଷର ଜ୍ଞାନ, ଅନୁଭୂତି ଓ କାର୍ଯ୍ୟ ନିୟୋଜିତ ନ ହେଲେ ଏ ପୃଥିବୀ ଧ୍ଵଂସ ପାଇଯିବ । ଅତୀତରେ “ଧର୍ମ” ଏ ଦିଗରେ କିଛି ଚେଷ୍ଟା କରିଥିଲା; ମାତ୍ର ପରେ ‘ଧର୍ମ’ କୁ ମଧ୍ୟ ଏଇ ରାଜନୀତି ଗ୍ରାସ କରିଗଲା । ଫଳରେ ଜୀବନଧାରଣ ଲାଗି ଉଦ୍ଦିଷ୍ଟ ଧର୍ମକୁ ନେଇ ରାଜନୀତି “ବିଜ୍ଞାନ” କୁ ଗ୍ରାସ କରି ବସିଛି ଏବଂ ତା’ ସଙ୍ଗେ ସଙ୍ଗେ ଅଜଗର ପରି ପୃଥିବୀର ସମସ୍ତ ମାନବୀୟ ପ୍ରଚେଷ୍ଟାକୁ ତା’ର ଭୀଷଣ କୁଣ୍ଡଳୀ ଭିତରେ ଜଡ଼ାଇ ଧରିଛି । ଆଉ ରାଜନୀତିର ଏହି ଅଜଗର–ଆଲିଙ୍ଗନ ଭିତରୁ ମୁକୁଳିଗଲେ ପୃଥିବୀର ଜୀବନ ନିରାପଦ ହେବ । ମୁ ବର୍ତ୍ତମାନ ସେହି ଉଦ୍ଦେଶ୍ୟରେ ମୋ ଜୀବନକୁ ଉତ୍ସର୍ଗ କରିଛି । “ଜୀବନବାଦ”ର ପ୍ରତିଷ୍ଠା ଲାଗି ମୁଁ ବର୍ତ୍ତମାନ “ରାଜନୀତି” ବିରୁଦ୍ଧରେ ହିଁ ପ୍ରଚାର ଚଳାଇଛି ।

 

କମଳର ଏଇ ପ୍ରଳାପ ଭିତରେ ତା’ର ଅନ୍ତରର ଯେତିକି ବିଶ୍ୱାସ, ନିଷ୍ଠା ଓ ଆବେଗ ପ୍ରକାଶିତ ହୋଇ ପଡ଼ିଥିଲା–ସେତିକିରେ ବି ମନୋରମାଙ୍କର କୋମଳ ହୃଦୟ ଆଲୋଡ଼ିତ ହୋଇପଡ଼ିଲା । ତାଙ୍କ ଭିତରେ ଏଇ ସୃଷ୍ଟିଛଡ଼ା ଜୀବନବାଦୀ ପାଗଳଟି ଲାଗି ଅପୂର୍ବ କରୁଣା ଓ ମମତା ଜାଗିଉଠିଲା । ସେ ପ୍ରେମପ୍ରବଣ ସ୍ନିଗ୍‍ଧ ଚାହାଣୀରେ ଅଳ୍ପ ହସି ଉତ୍ତର ଦେଲେ–ଅବଶ୍ୟ ଟିକିଏ ଲଘୁ ସ୍ଵରରେ ।

 

କିନ୍ତୁ ଆପଣ ନିଜ ଜୀବନଟା ଉପରେ ଏତେ ଅତ୍ୟାଚାର କରୁଛନ୍ତି ଯେ.... ?

 

କ’ଣ କରିବି କୁହନ୍ତୁ । ଅଖଣ୍ଡ ଜୀବନର ବିଜୟ ଲାଗି ମୁଁ ମୋର ଏଇ ଖଣ୍ଡିତ ଜୀବନଟାକୁ ବଳି ଦେଇପାରେ । ସେଥିଲାଗି ମୋର ଶୋଚନା ନାହିଁ । ଅବଶ୍ୟ ପେଟର ଏଇ ଯନ୍ତ୍ରଣାଟା ବେଳେ ବେଳେ ବଡ଼–

 

ନା–ନା ! ଜୀବନର ପ୍ରତିଷ୍ଠା ଲାଗି ଅନ୍ତତଃ ଆପଣଙ୍କୁ ବଞ୍ଚିବାକୁ ପଡ଼ିବ ।

 

କମଳ ହଠାତ୍ ଅନ୍ୟମନସ୍କ ହୋଇପଡ଼ିଲା । ତା’ପରେ ନିର୍ଲିପ୍ତ ଭାବରେ ଚାରିଆଡ଼କୁ କ୍ଷଣକାଳ ଚାହିଁ ବିଦାୟ ନମସ୍କାର ଜଣାଇ ହଠାତ୍ ଉଠପଡ଼ିଲା–

 

ଆଚ୍ଛା ! ଥାଆନ୍ତୁ ଆଜ୍ଞା । ବହୁତ ବିରକ୍ତ କଲି–କ୍ଷମା କରିବେ ।

 

ସତେ କି ସେ ଦୃଶ୍ୟ ମଝିରେ ହଠାତ୍ ଛାଏଁ ପରଦାର ଦଉଡ଼ିଟାକୁ ଟାଣି ପକାଇଦେଇ ରଙ୍ଗମଞ୍ଚ ଉପରୁ ଅନ୍ତରାଳକୁ ଚାଲିଯିବା ଲାଗି ଚଞ୍ଚଳ ହୋଇଉଠିଲା ।

 

କମଳର ଏଇ ହଠାତ୍ ନିର୍ଲିପ୍ତ ଅନ୍ୟମନସ୍କତାରେ ମନୋରମା ଟିକିଏ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ କିନ୍ତୁ ସେ ଅପ୍ରସ୍ତୁତ ଭାବରେ ହେଲେ ବି କିଞ୍ଚିତ୍ ରସାତୁର ଭଙ୍ଗୀରେ କହିଉଠିଲେ–ରହନ୍ତୁ ଆଜ୍ଞା ! ସନ୍ଧ୍ୟା ତ ହୋଇଆସିଲାଣି । ଡାକ୍ତରଖାନା ବନ୍ଦ କରି ମୁଁ ମଧ୍ୟ ଯିବି । ଆସନ୍ତୁ ନା ମୋ ବସା ଆଡ଼େ ସେ ଦୟାକରି–ଟିକିଏ ଚାହା ଖାଇଯିବେ ଅନ୍ତତଃ ।

 

କମଳ ମନୋରମାଙ୍କୁ କୃତକୃତ୍ୟ କଲା ଭଳି ସଙ୍ଗେ ସଙ୍ଗେ ରାଜି ହୋଇଯାଇ ବେଶ୍ ଉଦାର କଣ୍ଠରେ କହିଲା–

 

ଧନ୍ୟବାଦ !!

 

...ବହୁ ସମୟ ସେମାନେ ବଗିଚାରେ ବସି ସେଦିନ ଗପିଥିଲେ । ଏଣୁ ତେଣୁ ବହୁ କଥା-। ମନୋରମାଙ୍କ ଜୀବନର କେତେ ନିଃସଙ୍ଗ ସନ୍ଧ୍ୟା କେତେ ବିଫଳ ପ୍ରତୀକ୍ଷାର ଦୀର୍ଘଶ୍ଵାସରେ ଛୁଟି ହୋଇଯାଇ ଅର୍ଦ୍ଧ ରଜନୀର ତିମିର ଭିତରେ ଲୀନ ହୋଇ ନ ଯାଇଛି !! ମାତ୍ର ସେଦିନର ସେଇ ସନ୍ଧ୍ୟାଟି ! ଆଃ–ଅସ୍ତସୂର୍ଯ୍ୟର ଅଜସ୍ର ରଙ୍ଗର ବର୍ଣ୍ଣାଢ଼୍ୟ ସୁଷମାରେ ଶ୍ରୀମନ୍ତ ଆଉ ମହିମାନ୍ଵିତ ହୋଇ ତାଙ୍କର ମନ–କାନନରେ ଶତ ମନୋରଥର ଐନ୍ଦ୍ରଜାଲିକ ଝଲକ ସୃଷ୍ଟି କରି ଦେଇଥିଲା ସେଦିନର ସେହି ସନ୍ଧ୍ୟାଟି । ଆଉ ସେହି ଅବିସ୍ମରଣୀୟ ସନ୍ଧ୍ୟାଟିର ଅତିଥି ଭାବରେ ବହୁ ଆବେଗ, ବହୁ ଉନ୍ମାଦନା, ଆଉ ବହୁ ଅଧୀର ଆନନ୍ଦ ଉଲ୍ଲାସର ଚମକ ତାଙ୍କ ରକ୍ତରେ ଖେଳାଇ ଦେଇଥିଲା ଏଇ କମଳ ।

 

ଜୀବନକୁ ପୁଣି ଥରେ ଆଶାତୁର ଭାବରେ ଚାହିଁବା ଲାଗି ସେଦିନ ଯଥେଷ୍ଟ ପ୍ରେରଣା ଯୋଗାଇ ଦେଇଥିଲା କମଳ । ସେଇଦିନ ବି ମନୋରମା ପ୍ରସ୍ତାବ ଦେଇଥିଲେ, ଆପଣ ଅନ୍ତତଃ ଏ ସହରରେ ଯେତେ ଦିନ ରହୁଛନ୍ତି–ଆସନ୍ତୁ ଦୟାକରି–ଆମ ଘରେ ଖାଇବେ । ମୋର ତ ରନ୍ଧିବାକୁ ସ୍ତ୍ରୀଲୋକଟିଏ ଅଛି । ଆଉ ବି ମୋର କିଛି ଜଞ୍ଜାଳ ନାହିଁ । ଆସନ୍ତୁ ନା–ଆପତ୍ତି କ’ଣ ?

 

ବୌଦ୍ଧ ସନ୍ନ୍ୟାସୀ ଭିକ୍ଷୁ ପରମକାରୁଣିକ ଉପଗୁପ୍ତ ମଥୁରାର ପ୍ରଖ୍ୟାତଯଶା ପରମ ରୂପବତୀ ନର୍ତ୍ତକୀ ବାସଦତ୍ତାର ଅନୁରାଗଭରା ନିମନ୍ତ୍ରଣକୁ ଉଦାର କରୁଣାର ସ୍ମିତହାସ୍ୟରେ ଗ୍ରହଣ କଲା ଭଳି କମଳ ବେଶ୍ ଗୋଟେ ତଥାଗତ ଉଦାରତାରେ ଅଳ୍ପ ହସି କହିଲା–

 

ତଥାସ୍ତୁ । ଜୀବନର ଜୟ ହେଉ ଡାକ୍ତର ! ସତେ କି ଏତିକି ସ୍ଵୀକୃତି ଦେଇ ସେ ଖୁବ୍ ଗୋଟାଏ କରୁଣା ଦେଖାଇ କୃତାର୍ଥ କଲା ମନୋରମାଙ୍କୁ !! ଆଉ ମନୋରମାଙ୍କୁ ବି କମଳର ଏଇ ଅଙ୍ଗୀକାର ବେଶ୍ ଭଲ ଲାଗିଥିଲା ।

 

...ବାସ୍, ସେହିଦିନୁଁ ବେଳେ ବେଳେ କମଳ ଆସେ ଗୋଟାଏ ଝଡ଼ ଭଳି । ଆଉ ସେଇ ଝଡ଼ ଭଳି ପୁଣି କୁଆଡ଼େ ହଠାତ୍ ବି ଅନ୍ତର୍ଦ୍ଧାନ ହୋଇଯାଏ । କମଳକୁ ବାନ୍ଧିରଖି ହୁଏନା । ଯଦିଓ କମଳ ବାରମ୍ବାର ଚାଟୁବାଣୀ ଶୁଣାଏ–

 

ତୁମେ ମୋତେ କ୍ରମେ ବାନ୍ଧିଦେଲଣି ଡାକ୍ତର ! ଯୁଆଡ଼େ ଯାଉଛି–ତୁମରି ପ୍ରେରଣା ଇ ମୋ ଅନ୍ତରକୁ ନିତ୍ୟ ଏକ ପ୍ରୀତିମଧୁର ସଙ୍ଗୀତର ଆବେଶରେ ସିକ୍ତ କରି ରଖୁଛି । ତୁମ ଭିତରେ ଏକ ମହୀୟସୀ ପ୍ରଣୟିନୀର ଆତ୍ମା ଲୁଚିରହିଛି ଡାକ୍ତର ! ଏକ ନିଷ୍କାମ ପ୍ରେମାସ୍ପଦାର ହୃଦୟ ଦେଇ ତୁମେ ମୋତେ ବାନ୍ଧି ଦେଇଛ । ତୁମ ହାତରେ ମୁଁ ମୋର ଜୀବନକୁ ସମର୍ପିଦେଇ ନିଶ୍ଚିନ୍ତରେ ‘ଜୀବନବାଦ’ ର ପ୍ରଚାର କରି ଚାଲିଛି । ତୁମକୁ ମୁଁ ଭକ୍ତି କରେ ।

 

ମିଛ କଥା !! ଯା !!!

 

ଆପଣା ଭିତରେ ଫୁଲି ଫୁଲି ମନୋରମା ଗେହ୍ଲେଇ ହୁଅନ୍ତି । ଆଉ ତାଙ୍କୁ ଲାଗେ....

 

ସତରେ ବି କମଳକୁ ଭଲ ପାଇ ହୁଏ–ପ୍ରେମ କରିହୁଏ । କମଳର ଚାଟୁବାଣୀକୁ ଅବିଶ୍ୱାସ କରି ହୁଏନା । କମଳ ନିଶ୍ଚିନ୍ତ ଭାବରେ ହୃଦୟବାନ୍, ପ୍ରେମାସ୍ପଦ ।

 

ମାତ୍ର–ହାୟ ବିଚରା କମଳ !

 

କମଳ ନିଓରେଟିକ୍ । ପରିବାର ନିୟନ୍ତ୍ରଣ ଲାଗି ନିଜର ସୃଷ୍ଟିକ୍ଷମତା ହଟାଇସାରିବା ପରେ କମଳ ଆହୁରି ଅସହାୟ ଭାବରେ ନିଓରେଟିକ୍ ହୋଇପଡ଼ିଛି ।

 

ବେଳେ ବେଳେ ମନୋରମାଙ୍କ ହୃଦୟ ବ୍ୟାକୁଳ ହୋଇଉଠେ ।

 

ହାୟ ! ହାୟ ! କମଳର ସମସ୍ତ ଖିଆଲ ଓ ପାଗଳାମି ସତ୍ତ୍ୱେ ଯଦି କମଳର ପୌରୁଷ ସୃଷ୍ଟିକ୍ଷମ ହୋଇ ରହିଥାଆନ୍ତା ॥

 

ସେଇଥିଲାଗି ତ ଯେତେବେଳେ କମଳକୁ ସବୁ କିଛି ସମର୍ପଣ କରିଦେବାକୁ ଦେହ ଓ ମନ ଚଞ୍ଚଳ ହୋଇଉଠେ, କିଏ ଯେପରି ତାଙ୍କର ଅନ୍ତର ଭିତରୁ ବାରଣ କରିଉଠେ–

 

ସାବଧାନ ମନୋରମା । । ଏଇ ନିଷ୍ଫଳ ଉତ୍ତେଜନାକୁ ହଠାତ୍ ସ୍ଵୀକାର କରିନିଅ ନାହିଁ । ଏ ସମର୍ପଣର କିଛି ମୂଲ୍ୟ ନାହିଁ । ଯାହା ତୁମେ ଥରେ ଦେଇଦେବ–ଲକ୍ଷେ ଗୁଣ ମୂଲ୍ୟରେ ସେ ଆଉ ତୁମ ନିକଟକୁ ଫେରିଆସିବ ନାହିଁ । ଏ ବର୍ଷା ଭୂମିକୁ କେବଳ ଆର୍ଦ୍ର କରିବ–ଶୀତଳ କରିବ; ମାତ୍ର ଏ ବର୍ଷାରେ ଫୁଲ ଫୁଟେ ନାହିଁ, ଫଳ ଫଳେ ନାହିଁ । ଅକାରଣ ହେବ ତୁମର ଏ ସମର୍ପଣ ।

 

ଡା: ମନୋରମା ପୁଣି ପଛେଇଯାନ୍ତି–ହଟିଆସନ୍ତି । କମଳର ଆଲିଙ୍ଗନ ଭିତରୁ ସେ ଖୁବ୍ ଧୀରେ ନିଜକୁ ମୁକୁଳେଇ ଆଣନ୍ତି । କମଳ କିନ୍ତୁ ଭାବପ୍ରବଣ ହୋଇ କହିଉଠେ–

 

ବହୁ ନାରୀ ମୁଁ ଜୀବନରେ ଭେଟିଛି ଡାକ୍ତର । ତୁମେ କିନ୍ତୁ ଅନନ୍ୟା । ସମ୍ପୂର୍ଣ୍ଣ ନିଷ୍କାମ ତୁମର ଏଇ ଭଲପାଇବା । ଏଣିକି ମୋର ସମସ୍ତ ଲେଖା ଭିତରେ ମୁଁ ତୁମକୁ ଇ ଚିରନ୍ତନ ନାରୀତ୍ୱର ମହିମାରେ ଫୁଟାଇ ଦେଇ ଯିବି । ତୁମର ପ୍ରେମ ପାଇ ମୁଁ ଧନ୍ୟ ।

 

ହାୟ–ବିଚରା କମଳ ।

 

ବାଇଆଟାଏ ।

 

ବାତୁଳଟାଏ ।

 

କଅଣ ସେ ବୁଝେ ? ଆଉ କିଏ ବା ତା’ର ଅଛି ତାକୁ ବୁଝିବାକୁ ? ଆଉ କେବଳ ଏଇଥିଲାଗି ତ କମଳକୁ କୁଣ୍ଢାଇ ଧରି ଉଚ୍ଚକିତ କଣ୍ଠରେ କାନ୍ଦିବାକୁ ମନହୁଏ ମନୋରମାଙ୍କର ।

 

କାହିଁ–କାହିଁ କମଳ ?

 

ଡା: ମନୋରମା ଅଧୀର ଆଗ୍ରହରେ କୋଠରୀ ଭିତରେ ଘୂରି ଲାଗିଲେ ।

 

ବାହାରେ ଶ୍ରାବଣର ଝଡ଼–ଅନ୍ଧକାର ଆହୁରି ନିବିଡ଼ ହୋଇ ଉଠିଲାଣି । ଘର ଭିତରେ ଚମ୍ପା, କରବୀର ଆଉ ମଧୁମାଳତୀର ଉନ୍ମତ୍ତ ସୁରଭି । ରୋଷେଇ ଘରୁ ସିଝା କୁକୁଡ଼ା ମାଂସର ଆଇଁଷିଆ ଗରମ ବାମ୍ଫୁଆ ବାସ୍ନା ମଧ୍ୟେ ମଧ୍ୟେ ଘର ଭିତରକୁ ପଶିଆସୁଛି । ଅସହ୍ୟ–ଅସହ୍ୟ ଏଇ ପ୍ରତୀକ୍ଷାହତ କାମନାତପ୍ତ ନିଃସଙ୍ଗ ରାତିର ବେଦନାର୍ଦ୍ର ଅଭିଶାପର ଜ୍ଵାଳା ।

 

କମଳ ବୋଧେ ଆଉ ଆସିବ ନାହିଁ ।

ବିଶ୍ୱାସ ନାହିଁ ପାଗଳଟାର କଥାରେ । ବହୁ ବାର କଥା ଦେଇ ମଧ୍ୟ ସେ ଆସେ ନାହିଁ । ଆପଣାର ଖିଆଲରେ ଆପେ ବିଭୋର । ବେଳେବେଳେ ଅଚାନକ ଭାବେ ଆସି ପହଞ୍ଚିଯାଏ । ବହୁଦିନ ହେଲା ଏ ସହର ଛାଡ଼ି କୁଆଡ଼େ ଯାଇଥିଲା ଏବେ ଆସିଛି ଏଠିକି । ସବୁଆଡ଼େ ବୁଲି ବୁଲି ‘ଜୀବନବାଦ’ ପ୍ରଚାର କରୁଛି । ତା’ର ଗପ ଆଉ ଉପନ୍ୟାସ ଲାଗି ମଧ୍ୟ ଘଟଣା ଓ ଚରିତ୍ରର ଯୋଗାଡ଼ କରୁଛି । କାଲି କହି ଯାଇଥିଲା–ଆଜି ରାତି ଆଠୁଟାରେ ଏଠି ଆସି ଖାଇବ ବୋଲି । ତା’ହେଲେ ଏଇ ଝଡ଼ ବର୍ଷା ଦେଖି କ’ଣ ଆଉ ସେ ଆସିଲା ନାହିଁ ।

 

ଉଃ ।

 

କାହିଁ କମଳ ?

 

କାହିଁ ??

 

ଓଃ ।

 

ହାରାମଣି ଆସି ଖବର ଦେଲା–ମା’ । ସେ ମାତାଜୀ ଭାରି ବ୍ୟସ୍ତ ହୋଇ ଡାକୁଛନ୍ତି ।

 

ଡା: ମନୋରମା ବିରକ୍ତିରେ ଉଠି ଠିଆ ହେଲେ ।

 

ଓଃ । ଚାଲ୍ । ଯାଉଛି ।

 

ଡ୍ରଇଁ ରୁମରେ ପଶିଲାମାତ୍ରେ ଇ ସ୍ତ୍ରୀଲୋକଟି ଠିଆ ହେଲା । ପ୍ରାୟ ଚାଳିଶ ବର୍ଷ ବୟସ୍କା, ଦୀର୍ଘଦେହା, କିଞ୍ଚିତ୍ ମେଦବହୁଳା ଗୌରାଙ୍ଗୀ ଗୋଟିଏ ନାରୀ ।

 

ଡା: ମନୋରମା ଭଲକରି ସ୍ତ୍ରୀଲୋକଟିକୁ ଆପାଦମସ୍ତକ ଚାହିଁଲେ । ମସ୍ତକରେ ପୁରୁଷ ଭଳି କର୍ତ୍ତିତ କେଶ । କପାଳରେ ନାସାଗ୍ରବିସ୍ତୃତ ରାମାନନ୍ଦୀ ତିଳକ । ବାହୁ ଓ ଗଳାରେ ରୁଦ୍ରାକ୍ଷର ମାଳା । ଗୈରିକବସନା ଏଇ ମାତାଜୀଟିର ଆପାଦସ୍କନ୍ଧ କିନ୍ତୁ ଖଣ୍ଡିଏ ସୁନ୍ଦର କମ୍ବଳରେ ଆବୃତ ।

 

ମାତ୍ର ସବୁଠାରୁ ଆକର୍ଷଣୀୟ ତା’ର ଏଇ ଖୁବ୍ ବିସ୍ତୁତ ଆକ୍ଷି ଦୁଇଟି । ସେଇ ଆକ୍ଷି ଦୁଇଟାକୁ ଚାହିଁଦେଲାମାତ୍ରେ ଇ ଡା: ମନୋରମାଙ୍କ ହୃଦୟରେ ତାଙ୍କର ସମସ୍ତ ବିରକ୍ତି ଓ ବିସ୍ମୟ ସତ୍ତ୍ୱେ ମାତାଜୀଟି ପ୍ରତି ହଠାତ୍ ଏକ ସମ୍ବେଦନଶୀଳ ମମତା ଜାଗିଉଠିଲା । ତା’ର ସେଇ କଳାକଳା ବିସ୍ତୃତ ଆକ୍ଷି ଦୁଇଟି ଭିତରେ ଯେମିତି ଏକ ଶିଶୁସୁଲଭ ଚପଳ ବେଦନାଭୂତିର ମାୟା ଉଜ୍ଜ୍ଵଳ ହୋଇଉଠିଛି । ସତେ ଯେମିତି ତା’ର ସେଇ ଚାହାଣୀ ଭିତରେ ଏକ ଅବୋଧ ସରଳ ବିଶ୍ୱାସ ସଙ୍ଗେ ଏକ ଦୁର୍ବୋଧ୍ୟ ତିକ୍ତ ବିଡ଼ମ୍ବନାର ଯୁଗ୍ମ ଳୀଳାମାଧୁରୀ ବିଛୁରି ପଡ଼ୁଛି । କିମ୍ଵା ତା’ର ସେଇ ଚାହାଣୀ ଭିତରେ ଯେମିତି ଚେତନ ଓ ଅଚେତନ–ଆଲୋକ ଓ ଅନ୍ଧକାର–ସ୍ୱପ୍ନ ଓ ଜାଗରଣ–ବେଦନା ଓ ବିଦ୍ରୁପ ମିଶି ଏକାକାର ହୋଇ ଯାଇଛନ୍ତି ! ଏଇ କଳାକଳା ବିସ୍ତୃତ ଆକ୍ଷି ଦୁଇଟାରେ ସତେ ବା ସେସବୁ କିଛି ଦେଖିଦେଉଛି ଏବଂ ସଙ୍ଗେ ସଙ୍ଗେ କିଛି ମଧ୍ୟ ଦେଖିପାରୁ ନାହିଁ । କହିବା ବାହୁଲ୍ୟ ଯେ–

 

ଆକ୍ଷି ଦୁଇଟାର ଚାହାଣୀରେ ମନୋରମା ସମ୍ମୋହିତ ହୋଇଗଲେ ।

 

ତା’ପରେ ମାତାଜୀଟିର ଓଠ ଦିଓଟି ଖୁବ୍ ସରୁ ସରୁ (ଆଉ ଈଷତ୍ ଶେତା ହେଲେ ବି–ତାକୁ ନାଲି କହିହେବ) ମାତ୍ର ଦୁଇଟି ରେଖା । ମାତ୍ର ସେ ରେଖା ସ୍ଥିର ନୁହେଁ । ସତେ ବା ଦୁଇଟି କମ୍ପିତ ରେଖା କିମ୍ଵା ଛୋଟ ଛୋଟ ଅମାନିଆ ଢେଉ ଦୁଇଟି । ଅସୀମ ସମୁଦ୍ରର ଅସଂଖ୍ୟ ବୟସ୍କ ଆଉ ବିଶାଳ ଢେଉମାନଙ୍କର ଶୃଙ୍ଖଳିତ ଶୋଭାଯାତ୍ରାରୁ ଲୁଚି ଖସି ଆସି–ଏଠି ଛପିଯାଇ ଖୁଜୁବୁଜୁ ହେଉଛନ୍ତି ଦୁଇଟି ଛୋଟ ପିଲାଙ୍କ ଭଳି । ମାତ୍ର ସେଥିରେ ବି ଯେମିତି ମେଳଛଡ଼ା ଦୁଇଟି ନିର୍ବୋଧ ଶିଶୁଙ୍କର ଅସହାୟ ଅବୋଧ ଆର୍ତ୍ତି ଫୁଟିଉଠୁଚି !! ଏଥିରେ ସନ୍ଦେହ ନାହିଁ ଯେ–ଡା:ମନୋରମାଙ୍କ ହୃଦୟରେ ଏଇ ଓଠ ଦୁଇଟି ମାଧ୍ୟମରେ ମାତାଜୀଟି ପ୍ରତି କିଞ୍ଚିତ୍ ମାୟା ଏଇ ପ୍ରଥମ ଦର୍ଶନରେ ଇ ସଞ୍ଚରିତ ହୋଇଗଲା । କଣ୍ଠରେ ଯଥେଷ୍ଟ ସୌଜନ୍ୟ ଆଉ ସହାନୁଭୂତି ଦେଇ ମନୋରମା ପଚାରିଲେ–

 

କଅଣ ମା’ ? କୁଆଡ଼େ ଏତେ ରାତିରେ ?

 

ଏତିକି ପ୍ରଶ୍ନରେ ମାତାଜୀଟିର ଆକ୍ଷି ଅଶ୍ରୁ ସଜଳ ହୋଇଉଠିଲା । ତା’ର ସମସ୍ତ ମୁଖମଣ୍ଡଳରେ ଏକ ଅବ୍ୟକ୍ତ ବେଦନାର ଛାଇ ମନୋରମାଙ୍କ ଆକ୍ଷିର ଆଲୁଅକୁ ବି ଘୋଡ଼ାଇ ପକାଇଲା । ସେ କହିଲେ–

 

ବସ–ବସ ମା’ ! କୁହ–କ’ଣ ହେଲା ତୁମର ?

 

ମାତାଜୀ କିଞ୍ଚିତ୍ ଯନ୍ତ୍ରଣାଜନିତ କୁନ୍ଥନ ପ୍ରକାଶ କରି–ଖୁବ୍ କଷ୍ଟରେ ସୋଫା ଉପରେ ବସିଲେ ଓ କେତେକ ମୁହୂର୍ତ୍ତ ପରେ ରାଗାନୁଗା ବୈଷ୍ଣବୀୟ ଶୈଳୀରେ ତାଙ୍କର ସମସ୍ତ ଯନ୍ତ୍ରଣାଜନିତ କୁନ୍ଥନକୁ ଚାପି ଚାପି–ମୁହଁରେ ଯଥାସମ୍ଭବ ମୃଦୁ ହାସ ପ୍ରକଟାଇ ବଙ୍ଗ ଭାଷାରେ କହିବାକୁ ଲାଗିଲେ–

 

ବସ ମାଆ ! ତୁମକୁ ଇ ସବୁ କଥା କହିବି ବୋଲି ତ ଏତେ ବାଟ ଧାଇଁଆସିଛି । ମୋର ବ୍ରଜଗୋପାଳର ଅନୁକମ୍ପା ମା’ ! ତୁମର ଲକ୍ଷ୍ମୀ ନାମ ଶୁଣିଥିଲି । ଏତେ କମ୍ ବୟସରେ ଖୁବ୍ ସୁନାମ ଅର୍ଜ୍ଜନ କରିଛ ମା’ ! ମୁଖେ ମୁଖେ ତୁମର ପ୍ରଶଂସା ଶୁଣି ଛୁଟିଆସିଲି । ଯାହା ଦେଖୁଛି ମା’–ତୁମେ ମହାଭାଗ୍ୟବତୀ–ସୁଲକ୍ଷଣୀ । ତୁମର ଏଇ ପରମ ରମଣୀୟ ଚେହେରାରେ ତାହା ସମ୍ପୂର୍ଣ୍ଣ ବ୍ୟକ୍ତ ହୋଇ ପଡ଼ୁଛି । ତାହା କାଇଁକି ହେବ ନାହିଁ ମା’ ! ଗୁରୁ, କୃଷ୍ଣ, ବୈଷ୍ଣବଙ୍କ ଉପରେ ତୁମର ଯେ ଗାଢ଼ ଶ୍ରଦ୍ଧା, ଯେ ଅଚଳା ଭକ୍ତି–ସେଥିରେ ଆପେ ଆପେ ଏପରି ଶ୍ରୀ, ଏପରି–ଔଜ୍ଜଲ୍ୟ, କାନ୍ତି ବ୍ରଜଗୋପାଳର ଦୟାରେ ତୁମେ ପାଇଛ ମାଆଃ ତୁମକୁ ଦେଖି ମୋର ଚକ୍ଷୁ–କର୍ଣ୍ଣର ବିବାଦ ଆଜି ଭଞ୍ଜନ ହେଲା । ତୁମେ ମହାପୁଣ୍ୟବତୀ ମାଃ

 

ମାତାଜୀଟିର କଣ୍ଠସ୍ଵର ଓ କହିବାର ଭଙ୍ଗୀରେ କିଞ୍ଚିତ୍ ବେଦନାମାଧୁର୍ଯ୍ୟର ସ୍ଵାଦ ଥିଲେ ବି ଆପଣାର ପ୍ରଶଂସା ଶୁଣିବା ଲାଗି ମନୋରମାଙ୍କର ବିଶେଷ ଆଗ୍ରହ ନ ଥିଲା । ତେଣୁ ସେଥିଲାଗି ଆଉ ବେଶୀ ପ୍ରଶ୍ରୟ ନ ଦେଇ ସେ କହିଲେ–

 

କ’ଣ ଦରକାର କୁହନ୍ତୁ ଚଞ୍ଚଳ । ମଠ କେଉଁଠି ?

 

ସେହିଭଳି କୁନ୍ଥେଇ କୁନ୍ଥେଇ ମାତାଜୀ କହିଲେ–

 

ମଠ ଆଉ କେଉଁଠି ମାଆ ? ଥାଏ ନବଦ୍ଵୀପେ, ଶ୍ରୀ ଶ୍ରୀ ଗୌରାଙ୍ଗଦେବେର ଜନ୍ମସ୍ଥଳୀ-। ଖୁବ୍ ବାଲ୍ୟ ବୟସେ ବାପ ମାଆ ମୋତେ ବିବାହ ଦେଇଥିଲେ । ଶଶୁରବାଡ଼ି ପାକିସ୍ଥାନେ-। ସ୍ଵାମୀସଙ୍ଗସୁଖ ଜୀବନେ କେବେ ଥରେ ହେଲେ ଭୋଗି ନ ଥିଲି । ସ୍ୱାମୀର ଘର କରିବା ପୂର୍ବରୁ ହଠାତ୍ ଦିନେ ଦଙ୍ଗା ଆରମ୍ଭ ହୋଇଗଲା । ଯେଉଁଦିନ ସ୍ୱାମୀ ସଙ୍ଗେ ମୋର ମଧୁଶଯ୍ୟା ହେବାର କଥା–ସେଇ ଦିନ ଇ ହଠାତ୍ ଦଳେ ଗୁଣ୍ଡା ଆମର ଘର ଉପରେ ଚଢ଼ାଉ କଲେ । ଘାତକମାନଙ୍କ ହାତରେ ମୋର ଶଶୁର, ଶାଶୁ ଓ ଶେଷରେ ମୋର ସ୍ୱାମୀ ମରାଗଲେ । ଦିଅର ମୋତେ ଛାଡ଼ି ପ୍ରାଣ ଭୟରେ କୁଆଡ଼େ ପଳାଇଗଲା । ସାହିର ଅନ୍ୟମାନେ କେହି ପ୍ରାଣ ବିକଳରେ ଆମକୁ ସହାୟ ହେଲେ ନାହିଁ । ପାଷାଣ୍ଡଗଣ ମୋର ସ୍ଵାମୀକୁ ମାରି–ମୋର ସ୍ଵାମୀକୁ ମାରି–ମୋର ଇଜ୍ଜତ ସର୍ବନାଶ କରିବାକୁ ଉଦ୍ୟତ ହୋଇଥିଲେ, ମାତ୍ର ଜୀବନ ବିକଳରେ ମୁଁ ସେଇ ଅନ୍ଧାର ଭିତରେ ଦୌଡ଼ି ପଳାଇଗଲି ଏବଂ ସାହିର ଶେଷ ମୁଣ୍ଡରେ ଗୋଟାଏ ମଠ ଥିଲା–ସେଇ ମଠ ପାଖରେ ପହଞ୍ଚି ଦେଖେ ତ ମଠର ପାଚେରୀ କବାଟ ବନ୍ଦ । ପାଷାଣ୍ତଗଣ ମୋତେ ଅନୁଧାବନ କରୁଥାଆନ୍ତି-। ପାରେରୀ କଡ଼ରେ ମସ୍ତ ଗୋଟାଏ କୂଅ ଥିଲା । ପ୍ରାଣ ବିକଳରେ–ଇଜ୍ଜତ ବଞ୍ଚାଇବା ଲାଗି–ଅନ୍ଧ ଭାବରେ ମୁଁ ସେ କୂଅ ଭିତରକୁ ଡେଇଁ ପଡ଼ିଲି ।

 

ମନୋରମାଙ୍କ ଉତ୍କଣ୍ଠା ବଢ଼ିଗଲା । ସେ କହିଲେ–ଆଚ୍ଛା–ତା’ପରେ ??

 

ତା’ପରେ–ତା’ପରେ–ମା’, ତୁମର ବିଶ୍ୱାସ ହେବ ନାହିଁ–ସେହି କୂଅ ଭିତରେ ପଡ଼ିଯିବା ମାତ୍ରେ ଇ ମୁଁ ଚେତନାଶୂନ୍ୟ ହୋଇ ପଡ଼ିଲି । କିପରି ଭାବରେ କ’ଣ ସବୁ ଘଟିଲା ମୁଁ ଜାଣି ନାହିଁ । ମାତ୍ର ସକାଳ ଯେତେବେଳେ ହେଲା–ମୁଁ ଆକ୍ଷି ମେଲି ଚାହିଁଲି । ଏ କ’ଣ ? ଏ କିଏ ? ପ୍ରେମ, ଆନନ୍ଦ ଓ କରୁଣାର ପ୍ରତିମୂର୍ତ୍ତି ଜଣେ ସନ୍ୟାସୀ ମୋତେ ଟେକି ଧରି ବସିଛନ୍ତି–ଆଉ ମୋର ଆକ୍ଷି ଖୋଲିବା ମାତ୍ରେ ଇ ସେ ତାଙ୍କର ମଧୁର ଆଶ୍ୱାସଭରା ବାଣୀରେ କହିଲେ–

 

ଭୟ ନାହିଁ ମା’ ! ବ୍ରଜଗୋପାଳର ଅଶେଷ କରୁଣା ତୋ ଉପରେ ବର୍ଷିତ ହୋଇଛି । ତୁ ଏକ୍ଷଣି ନିରାପଦରେ ଅଛୁ ।

 

ମନୋରମା ପଚାରିଲେ–

 

କ’ଣ ସେଇ କୂଅ ଭିତରେ ?

 

ହଁ ମା’ ! ସେଇ କୂଅ ଭିତରେ ହିଁ ଶ୍ରୀ ଶ୍ରୀ ବ୍ରଜଗୋପାଳର ଅନୁକମ୍ପା ମୁଁ ପ୍ରତ୍ୟକ୍ଷ କଲି । ମୋର ଭାଗ୍ୟକୁ ନିତ୍ୟାନନ୍ଦ ମଠର ମହନ୍ତ ବୈଷ୍ଣବପ୍ରବର ଶ୍ରୀ ଶ୍ରୀ ଲଳିତା ବାବା ମଧ୍ୟ ଗୁଣ୍ଡାମାନଙ୍କ ଆକ୍ରମଣ ଭୟରେ ଗତ ରାତିରେ ସେଇ କୂଅ ଭିତରେ ଆତ୍ମଗୋପନ କରିଥିଲେ ।

ମୋ’ଠାରୁ ସବୁକଥା ଶୁଣିସାରି ଲଳିତା ବାବା କହିଲେ–ଓ ରେ ମୂଢ଼ା ! ଆଉ ବାରେ ସଂସାର ବାନ୍ଧିବୁ ? ସଂସାରକୁ ଦେଖିଲୁ ତ ! ଆଉ ବାରେ ବିବାହ କଲେ ଆଉ ପାଞ୍ଚଟା ସଂସାରୀଙ୍କ ପରି ଖାଲି ସଂସାର ସଂସାର ହୋଇ ମରିବୁ । ସଂସାର କି ତୋତେ ରକ୍ଷା କରିବ ? ରକ୍ଷା କଲା କି-? ...ବ୍ରଜଗୋପାଳକୁ ବିବାହ କର...ସମର୍ପଣ କରିଦେ ତୋର ନାରୀତ୍ଵ ତା’ର ପାଦତଳେ । ଲୋଟାଇ ଦେ ତୋର ଯୌବନ, ତୋର କାମନା, ତୋର ବାସନା । ସେଇ ଅଖିଳରସାମୃତସିନ୍ଧୁ ପରକୀୟାରସାଭିଳାଷୀ ରାଖାଲ ବାଳକଟାର ଚରଣତଳେ–ଉଦ୍ଧାର ପାଇଯିବୁ ।

ବାବାଙ୍କ କଥାରେ ଦୀକ୍ଷା ନେଲି । ସେତେବେଳେ ମା’ ମୋର ସୋମର୍ଥ ବୟସ । ଉଣେଇଶି କୋଡ଼ିଏରୁ ବେଶୀ ହେବ ନାହିଁ । ଦେହରେ ଭରା ଯୌବନ ଲହଡ଼ୀ ଭାଙ୍ଗୁଥାଏ । ଏଇ ଦେହରେ ସେତେବେଳେ ରୂପର ନିଆଁ ଜଳୁଥିଲା ମା’ ! ମନର ଗଳିକନ୍ଦିରେ କାମନାର ଫୁଆରା ଛୁଟୁଥିଲା–କିନ୍ତୁ ଶ୍ରୀ ବ୍ରଜଗୋପାଳର ଯାହା ଉପରେ ଅନୁକମ୍ପା ହୁଏ ସବୁ ଛାଡ଼ିଛୁଡ଼ି ଦେଇ ସେ ତା’ର ପଛରେ ଛୁଟିଯାଏ ନା କି ମା’ ?

ମନୋରମା ମାତାଜୀଟିର ଫୁଆରା ଭିତରେ ଏକ ସରଳ ଶିଶୁସୁଲଭ ପ୍ରତ୍ୟେୟ ଓ ପ୍ରଶ୍ନ, ଉଭୟର କୌତୂହଳପୂର୍ଣ୍ଣ ପ୍ରକାଶ ଲକ୍ଷ୍ୟ କରିପାରିଲେ ଏବଂ ସଙ୍ଗେ ସଙ୍ଗେ ମାତାଜୀଙ୍କର ରସମଧୁର ଜୀବନକାହାଣୀର ଉତ୍ତାପରେ ତାଙ୍କ ହୃଦୟ ବି ଆଗ୍ରହତପ୍ତ ହୋଇଉଠିଲା । ଏକ ରସଗ୍ରାହୀ ଚିତ୍ତର ସହଜ ବିଶ୍ୱାସ ନେଇ ସେ ଉତ୍କଣ୍ଠିତ ହୋଇ ଶୁଣିବାକୁ ବସିଲେ ।

କିନ୍ତୁ କମଳ କାହିଁ ? କମଳ ଆସିଲା ନାହିଁ ଯେ ଏତେବେଳ ଯାଏ ! ଆସିଥିଲେ ଶୁଣି ନ ଥାନ୍ତା ! ଏଡ଼େ ଚମତ୍କାର କାହାଣୀ !! ଚରିତ୍ର–କାଙ୍ଗାଳ, ଘଟଣା–କାଙ୍ଗାଳ, ତା’ର ଲେଖା ଲାଗି ଖୋରାକ ପାଇଥାନ୍ତା ତ !

ଉଃ !! ବାହାରେ ଶ୍ରାବଣର ଝଡ଼ ମଧ୍ୟ କ୍ରମେ କ୍ରମେ ରସୋନ୍ମତ୍ତ ହୋଇଉଠୁଛି ଯେମିତି-!!

ହଠାତ୍–ସେହି ରାତିର ଦମ୍‍କାଏ ହାୱା ଭଳି ପ୍ରବେଶ କଲା କମଳ ।

ମନୋରମାଙ୍କ ହୃଦୟ ସଙ୍ଗେ ସଙ୍ଗେ ଅଧୀର ଆନନ୍ଦବେଗରେ ନାଚିଉଠିଲା ହେ ଭଗବାନ୍ ! ଏ ରାତି ତା’ହେଲେ ପରିପୂର୍ଣ୍ଣ ହେଲା ! ସାର୍ଥକ ହେଲା ତେବେ ଏଇ ଭରା ଶ୍ରାବଣ ରଜନୀର ଆର୍ଦ୍ରଶୀତଳ ଅନ୍ଧକାରର ଜ୍ଵାଳା !!

କମଳ ବିନା ଭୂମିକାରେ ଘର ଭିତରକୁ ପଶିଆସି ଦେହରୁ ଓଦା ବର୍ଷାତିଟାକୁ କାଢ଼ି ଧରିଲା । ମନୋରମା ସେଇଟି ତା’ ହାତରୁ ଆଣି ଘର ଭିତରକୁ ନେଇ ବାରଣ୍ଡାରେ ଟାଙ୍ଗି ଦେଇ ପୁଣି ଫେରି ଆସିଲେ । ତା’ପରେ କଣ୍ଠରେ କିଞ୍ଚିତ ଅଭିମାନର ଉଷ୍ମତା ଆଣି ପଚାରିଲେ–

ଘଣ୍ଟାରେ କେତୁଟା ବାଜିଛି ?

ଅନନ୍ତ ସମୟକୁ ଗୋଟିଏ ଘଣ୍ଟାର ଡାଏଲ୍ ଭିତରେ ମାପି ହୁଏନା ମନି ! (ଆଜିକାଲି ସେ “ମନି” ବୋଲି ଡ଼ାକେ ।) ତା’ ମାନେ ସମୟ ଜ୍ଞାନଟା ଯେ ପୂରା ଆପେକ୍ଷିକ । ମୋର ସମୟ ଓ ତୁମର ସମୟ କେତେବେଳେ ଏକ ସ୍ରୋତରେ ବହିବ ତୁମେ ଜାଣ ?

କେତେବେଳେ ?

 

ମନୋରମା ଏକ ଶିଶୁସୁଲଭ ନିଶ୍ଚିନ୍ତ ନିର୍ବୋଧ ପ୍ରଗଳ୍‍ଭତାରେ ପଚାରିଲେ ।

 

ଯେତେବେଳେ ଆମେ ସମୟକୁ ପୂର୍ଣ୍ଣରୂପେ ଭୁଲି ଯାଇପାରିବା । ତା’ପରେ

 

ଖୁବ୍ ଗୋଟାଏ ଦାର୍ଶନିକ ଭଳି, ମନୋରମାଙ୍କର ଅଧୀର ଉତ୍କଣ୍ଠା ଆଉ ଆନନ୍ଦକୁ ଧ୍ୟାନ ନଦେଇ କମଳ କହିଚାଲିଲା । ଗୋଟାଏ ବକ୍ତୃତା–ସମୟ ତ ଆପେକ୍ଷିକ ତତ୍ତ୍ଵ ଉପରେ–ନିଜ ଉପଲବ୍‍ଧିର ରଙ୍ଗ ତ ରସର ପ୍ରଲେପ ଦେଇ । ଆଉ ଏଣେ ମାତାଜୀଟି ବିଚାରୀ ନିଜର ସମସ୍ତ ବେଦନା, ଯନ୍ତ୍ରଣା ଓ କୁନ୍ଥନ ସତ୍ତ୍ୱେ ଏକ ସହଜ ମାୟାଚ୍ଛନ୍ନ ରସସିକ୍ତ କୌତୂହଳରେ ଏ ଦୁହିଁଙ୍କର ଏହି ବଚନିକା ଭିତରେ ପରକୀୟା ପୂର୍ବରାଗର ରସୋଲ୍ଲାସମୟ ପ୍ରଗଳ୍‍ଭ ବ୍ୟଞ୍ଜନା ଯେପରି ଗୁଞ୍ଜରି ଉଠୁଛି !! ମାତାଜୀଟିର ଆକ୍ଷିରେ ଏଇ ବାସ୍ତବ ଦୃଶ୍ୟଟି ବି ସ୍ଵପ୍ନ ହୋଇ ଫୁଟିଉଠୁଛି ।

 

କମଳକୁ ଉଦ୍ଦେଶ୍ୟ କରି ମନୋରମା କହିଲେ–ହଉ ! ଦୟାକରି ବକ୍ତୃତା ବନ୍ଦ କରନ୍ତୁ । ଚାହା ଖାଇବ କି ? ନା କଫି ?

 

ଯାହା କିଛି ପାଇଲେ ଧନୀ ହେବି । ଏଇ ଝଡ଼ ରାତିର ଯେ, କୌଣସି ଅବଦାନ–ଚର୍ବ୍ୟ, ଚୋଷ୍ୟ, ଲେହ୍ୟ, ପେୟ, ହୃଦ୍ୟ–ଯାହା କିଛି ପାଇଲେ ବି ଭାବିନେବି ପରମ-ସୌଭାଗ୍ୟ ।

 

ମନୋରମାଙ୍କ ଆକ୍ଷିରେ ଏକ ଆତୁର କୌତୁକ ଝଲମଲ ହୋଇଉଠିଲା । ସେ ହାରାମଣିକୁ ତିନି କପ୍ ଚାହା ଲାଗି ବରାଦ ଦେଲେ । ଏକମାତ୍ର ମଝିରେ ମାତାଜୀଟି ବୈଷ୍ଣବୀ–ସୁଲଭ ବିନୟରେ ବାରଣ କରି ଉଠିଲେ–ମୋତେ ମାଫ୍ କରିବ ମା ! ଆମେ ତ ତୁମ୍ଭମାନଙ୍କ ପରି ସଂସାରୀ ମନୁଷ୍ୟ ନୋହୁଁ । ଶ୍ରୀ ଶ୍ରୀ ବ୍ରଜଗୋପାଳର କୃପାବାରି ବ୍ୟତୀତ ଆମର ତୃଷ୍ଣା ଆଉ କୌଣସି ପାନୀୟରେ ନିବୃତ୍ତ ହୁଏନା ଯେ–ଚାହା ଟାହା ଆମେ ଖାଉ ନାହିଁ ମା’ !!

 

ଏଇ ସମୟରେ ହାରାମଣି ଆସି କହିଲା–

 

ଖାଇବାକୁ ହୋଇଗଲାଣି ମା ! ଆଉ ଏତେବେଳେ ଚାହା ନ ଖାଇ ଆସ ଖାଇବ । ତା’ପରେ ପଛେ ଗପ କରିବ ।

 

କମଳ ତା’ର ସ୍ଵାଭାବିକ ବେଖାତିର ଢଙ୍ଗରେ ସୋଫା ଉପରେ ଚାରିକାତି ଲମ୍ବାଇଦେଇ ଅର୍ଦ୍ଧଶାୟିତ ଅବସ୍ଥାରେ ସିଗ୍ରେଟ ଫୁଙ୍ଗି ଉପରକୁ ଚାହିଁ ମୋଟା ସୁଅରେ ଧୂଆଁ ଛାଡ଼ୁଥିଲା । ହାରାମଣିର ପ୍ରସ୍ତାବରେ ସେ ଏକମତ ହୋଇ କହିଲା–

 

ବାସ୍–ବାସ୍–ତାହାହିଁ ହେଉ ମନି ! ଘର ଭିତରୁ ଫାଉଲ୍ କରୀର ବାସ୍ନା ମନକୁ ଉତ୍ତଳା କରିଦେଲାଣି ।

 

ମନୋରମା କହିଲେ–

 

କିନ୍ତୁ ଆଉ ଟିକିଏ ଅପେକ୍ଷା କଲେ ଭଲ ହୁଅନ୍ତା ପରା ! ତୁମକୁ ମୁଁ ପରିଚୟ କରାଇଦିଏଁ କମଳ ! ଏ ହେଉଛନ୍ତି–ଜଣେ ବୈଷ୍ଣବୀ ମାତାଜୀ !!–ଆଉ–

 

ଏକ କୌତୁକପୂର୍ଣ୍ଣ ଅଥଚ ସମ୍ବେଦନଶୀଳ କଣ୍ଠରେ କିଞ୍ଚିତ୍ ଶିଶୁସୁଲଭ ଚପଳତା ଦେଖାଇ କମଳ କହିଲା–

 

ତା’ ତ ଦେଖିପାରୁଛି । ମାତ୍ର ଏତେ ରାତିରେ–ମାନେ–ଏଇ ଝଡ଼ ଅନ୍ଧାର ବର୍ଷା–ଅର୍ଥାତ୍–ଲେଡ଼ି ଡାକ୍ତରଙ୍କ ଘରେ–ମାନେ–କିନ୍ତୁ–ଅଥଚ–ତଥାପି–ଅର୍ଥାତ୍–

 

ଅର୍ଥାତ୍–ଶୁଣ ତୁମେ । ଗୋଳମାଳ କରନା । ସେ ତାଙ୍କର ଜୀବନର କାହାଣୀ ଶୁଣାଉଛନ୍ତି ।

 

କମଳ ଗୋଟିଏ ଚପଳ ଶିଶୁ ଭଳି ହୋ ହୋ ହୋଇ ହସି ଉଠି ନିଜ ଜଙ୍ଘ ଉପରେ ଚାପଡ଼ା ମାରି ପାଟି କରିଉଠିଲା–

 

ହାଃ ହାଃ ହାଃ–ଜୀବନର ଜୟ ହେଉ ମୀନୁ, ଆଉ ଶୁଣିବା ଦରକାର ନାହିଁ । ମୁଁ ସବୁ ଜାଣିପାରୁଛି । ଚେହେରା ଓ କଥାରୁ ମୁଁ ସବୁ ବୁଝୁଛି । ମାନେ ଏଇ ମହୀୟସୀ ବୈଷ୍ଣବୀପ୍ରବରା ମାତାଜୀଟି ଜୀବନର ସହଜ ଡାକକୁ ହିଁ ସହଜ ମନରେ ଶୁଣିଛନ୍ତି । ଆଉ ସେହି ଜୀବନର ଡାକରେ ହିଁ ଏଇ ଝଡ଼ଝଞ୍ଜାପୂର୍ଣ୍ଣ ରାତିରେ ଲେଡ଼ି ଡାକ୍ତରଙ୍କ ପାଖକୁ ଧାଇଁ ଆସିଛନ୍ତି । ଅର୍ଥାତ୍–ମାନେ–ହାଃ ହାଃ ହାଃ–ଜୀବନକୁ ଅବହେଳା ଦେଖାଇ ଯେଉଁମାନେ ଜୀବନର ସ୍ଵାଭାବିକ ପଥରୁ ଭୁଲରେ ବା ଅଜାଣତରେ ଦୁରେଇଯା’ନ୍ତି–ଜୀବନ ତାଙ୍କ ଉପରେ ଏମିତି ସହଜ ଭାବରେ ପ୍ରତିଶୋଧ ନିଏ । ଠିକ୍ ଅଛି ମାତାଜୀ, ଠିକ୍ ଅଛି–ଜୀବନର ଜୟ ହେଉ । ଜୀବନ ଦେବତା ଜିନ୍ଦାବାଦ୍ । ତଥାପି–କହନ୍ତୁ, ତା’ହେଲେ ଆପଣଙ୍କ ଜୀବନ ଉପରେ ଜୀବନ ଦେବତାଙ୍କର ସେହି ରୋମାଣ୍ଟିକ୍ ପ୍ରତିଶୋଧର କାହାଣୀ । ଚମତ୍କାର ରାତି ହୋଇଛି–

 

ମାତ୍ର ମାତାଜୀ ଟିକେ ସଙ୍କୁଚିତ ଓ ଅପ୍ରତିଭ ହୋଇଉଠି ଆହତ କଣ୍ଠରେ କହିଲେ–

 

ନାଇଁ ବାବା ! ମୁଁ ତ କାହାଣୀ ଟାହାଣୀ ଶୁଣାଇବା ଲାଗି ତୁମମାନଙ୍କ ପାଖକୁ ଆସି ନାହିଁ ! ବ୍ରଜଗୋପାଳଙ୍କ ଆଦେଶରେ ବ୍ରଜଗୋପାଳଙ୍କ ସେବା ଲାଗି ହିଁ ମୁଁ ଏଠିକି ଧାଇଁ ଆସିଛି ।

 

ତା’ହେଲେ କହନ୍ତୁ–ଆପତ୍ତି କାହିଁକି ?

 

ମନୋରମା ଧୀର ଭାବରେ କହିଲେ ।

 

ନା ! ଥାଉ ! ବ୍ରଜଗୋପାଳର ଆଦେଶ–ତୁମ ଛଡ଼ା ଆଉ କହାକୁ ସେ ବ୍ରିତ୍ତାନ୍ତ ଶୁଣାଇବି ନାହିଁ-

 

କମଳା ଉଠି ଠିଆ ହେଲା–

 

ଠିକ୍ ଅଛି ମୀନୁ ! ଚାଲ–ଆମେ ଖାଇନେବା । ତା’ପରେ ତୁମେ ଗୋପନରେ ବସି ଶୁଣିବ ବ୍ରଜଗୋପାଳଙ୍କର ସେଇ ରୋମାଣ୍ଟିକ୍ କୀର୍ତ୍ତିର କାହାଣୀ–ମାନେ ଜୀବନର ଜୟଗାନ ।

 

ମନୋରମା ଆକ୍ଷିରେ ଈଷତ୍ ମଧୁର କଟାକ୍ଷ କରି କମଳ ଉଦ୍ଦେଶ୍ୟରେ ଇଂରାଜୀରେ କହିଲେ–

 

It is cruel–Don’t offend her Kamal !

 

(ଛି–କମଳ ! ଏମିତି ନିଷ୍ଠୁର ଭାବେ ବିଚାରୀକୁ ଅପ୍ରସ୍ତୁତ କର ନାହିଁ ।)

 

କମଳ ସୁନା ପିଲାଟି ଭଳି ତାଳିମାରି କହିଲା–

 

ଆରେ ନାଃ–ରାମ୍–ରାମ୍–କିଏ କହାକୁ ଅପ୍ରସ୍ତୁତ କରୁଛି ବାବୁ ! ମୁଁ ପୁରା ମାନବବାଦୀ–ଜୀବନର ଦାବି ହିଁ ମୋର ଶ୍ରେଷ୍ଠ ଦାବି । କିନ୍ତୁ ବର୍ତ୍ତମାନ ଅବଶ୍ୟ ମୋର ଦାବି–ସିଝାକୁକୁଡ଼ାର ଗୋଟାଏ ମାଂସଲଗା, ମସଲାସିକ୍ତ ଗୋଡ଼–ଆସ ନା...

 

ସେମାନେ ଖାଇବାକୁ ଗଲେ ।

 

କମଳ କୁକୁଡ଼ା ମାଂସ ଭାରି ସୁଖ ପାଏ । ମନଭରି ଖାଇଲା କମଳ । ଖାଇବା ଟେବୁଲ ଉପରେ ମନୋରମା କୁକୁଡ଼ାର ଗୋଟାଏ ମାଂସଲଗା ଗୋଡ଼ କମଳ ପାଟି ପାଖରେ ଧରି ବଢ଼ାଇ ଦେଉଥିଲେ । ଆଉ କମଳ ସୁନା ପିଲାଟି ଭଳି ଆକ୍ଷିବୁଜି ସେଇଟିକୁ ଚୋବାଉଥିଲା । ଖାଇବା ମଝିରେ କମଳ କହିଲା–

 

ଆଜିର ଏଇ ରାତିଟା କେମିତି ଲାଗୁଛି ମୀନୁ !!

 

ଭଲ ଲାଗୁଛି । କିନ୍ତୁ ତୁମେ ଯଦି ନ ଆସିଥାନ୍ତା !!! ଓଃ !!

 

ଆଃ– !!

 

କ’ଣ ହେଲା କମଳ । ମାଂସ ଚୋବାଉଁ ଚୋବାଉଁ ଜିଭ କାମୁଡ଼ି ଦେଲ ନା ?

 

ନା–ନା । ଜିଭ ନୁହେଁ ହେ–ତୁମର ସେଇ “ଓ !!!” ଟାକୁ କାମୁଡ଼ିଦେଲି ଆଃ !!!

 

କ’ଣ ଆଃ !!!

 

ମାନେ–ଓଃ !!!

 

ମନୋରମାଙ୍କ ମୁଁହ ଲାଜ ଓ ଆନନ୍ଦର ଅରୁଣିମାରେ ଲାଲ ହୋଇଉଠିଲା । ମନୋରମାଙ୍କ ଆକ୍ଷିକୁ ଚାହିଁଲା କମଳ । ସେଇ ଆକ୍ଷି ଭିତରେ ଶ୍ରାବଣର ଏଇ ଝଡ଼ ରାତିର ଆର୍ଦ୍ର ଶୀତଳ ଅନ୍ଧକାର ନିବିଡ଼ହୋଇ ଉଠିଛି । କ୍ଷୁଧିତ କାମନାର ଏକ ଉଗ୍ର ବିଲୋଳ ଉଷ୍ମଚାହାଣୀ ତାଙ୍କର ଆକ୍ଷି ଭିତରୁ ବାହାରି ଆସି କମଳର ସ୍ନାୟୁ ଭିତରେ ସେହି କ୍ଷୁଧାକୁ ଇ ସଂକ୍ରମିତ କରିଦେଉଛି । ଆଉ ମନୋରମାର ସେହି ଅପୂର୍ବ ଆକର୍ଷଣୀୟ କେଶର ପରିପାଟୀ । ସେ ଯେମିତି ଗୋଟାଏ ଗଭୀର ଅଥଚ ଉଚ୍ଛାସପୂର୍ଣ୍ଣ ତରଙ୍ଗିତ ନୀଳ ସମୁଦ୍ର ! ଦୁଇ ବେଣୀର ମୂଳ ଦେଶରେ ଏଇ ଚମ୍ପା ଆଉ କରବୀର ଫୁଲଗୁଡ଼ିକ ।

 

ମୋଟ ଉପରେ ତା’ର ଏଇ ଗହନ କେଶ ଭିତରେ ବି ଯେମିତି ଏଇ ତାମସୀ ଝଡ଼ ରାତିର ଅତି ଶୀତୋଷ୍ଣ କାମନାର ଅନ୍ଧକାର ଘୋଟି ରହିଛି !!

 

କମଳ ଅନୁଭବ କଲା–ଡାକ୍ତର ମନୋରମାଙ୍କର ସେଇ ନିଷ୍କାମ ପ୍ରେମ-ତରୁରେ ଆଜି ସତେକି ଅସୁମାରୀ କାମନାର ଫୁଲ ଫୁଟି ଉଠିଛନ୍ତି । ସେଇ ଫୁଲର ମତୁଆଳ ସୁରଭିରେ କମଳର ଦେହ ଓ ମନ ଉଭୟେ ପୁଲକିତ ହୋଇ ଉଠିଲେ ।

 

ଖାଇସାରି କମଳ କହିଲା–

 

ତୁମେ ଯାଅ ମୀନୁ । ଜଲଦି ସେ ମାତାଜୀଟିର ଯଥା ବ୍ୟବସ୍ଥା କରିଦେଇ ଆସ । ମୁଁ ତୁମ ଖଟ ଉପରେ ବସି ଆଜିର ଖବରକାଗଜଟା ପଢ଼ିନିଏଁ ।

 

ଡା: ମନୋରମା ଡ୍ରଇଁ ରୁମ୍‍କୁ ଗଲେ । ମାତାଜୀ ସେହିଭଳି ଅଧୀର ପ୍ରତୀକ୍ଷାରେ ବସି ରହିଛନ୍ତି । ଆଉ ମୁହଁରେ ତାଙ୍କର ଅତି ଅସ୍ଥିର ଆଉ ଅଶ୍ଵସ୍ତିକର ଯନ୍ତ୍ରଣାର ଭାବ ଫୁଟିଉଠୁଛି ।

 

ଆଚ୍ଛା । ହାଃ ଏଥର କୁହନ୍ତୁ–ଆପଣଙ୍କର କଥା ସଂକ୍ଷେପରେ କୁହନ୍ତୁ କିନ୍ତୁ–

 

ମାତାଜୀ କିଛି ସମୟ କୁନ୍ଥାଇଲା ଭଳି ହୋଇ କହିଲେ–

 

ବିଶେଷ ଆଉ କ’ଣ କହିବି ମା’ ? ରାତି ବି ହେଲାଣି ବହୁତ । ତୁମମାନଙ୍କର ଅସୁବିଧା ହେବ । ସଂସାରୀ ମଣିଷ ତୁମେମାନେ । ସଂସାରର ସୁଖ ନେଇ ଭୋଳ ହୋଇଥାଅ । ସେଇ ଭଲ ମା–ସେଇ ବରଂ ଭଲ–

 

ପୁଣି ଟିକିଏ କୁନ୍ଥାଇଲେ ମାତାଜୀ । ତା’ପରେ କହିଲେ–ସଂସାରକୁ ଛାଡ଼ି ବ୍ରଜଗୋପାଳଙ୍କୁ ଧରିଲି । ଆଉ ବ୍ରଜଗୋପାଳ ମୋ ସଙ୍ଗେ ଏ ବୟସରେ ଏମିତି ରସିକତା କଲେ-!!

 

ମନୋରମା ଟେବୁଲ ଉପରୁ “ଫେମିନା” ପତ୍ରିକାଟି ଆଣି ପୃଷ୍ଠା ଓଲଟାଉ ଓଲଟାଉ ପଚାରିଲେ–

 

କ’ଣ କଲେ ବ୍ରଜଗୋପାଳ ?

 

ସେ କଥା ଆଉ କହିବାକୁ ଅଛି ? ଯେତେବେଳେ ଦେହରେ ମୋର ରୂପର ନିଆଁ ଜଳୁଥିଲା–ଯୌବନର ଜ୍ଵାଳାରେ ଯେତେବେଳେ ମୁଁ ପୋଡ଼ି ମରୁଥିଲି–ସେତେବେଳେ କେତେ ବ୍ୟାକୁଳତାରେ ମୁଁ ତାକୁ ଡାକିଛି !! ଆରେ ମୋର ବ୍ରଜଗୋପାଳ ! ଆରେ ଜୀବନ–ସର୍ବସ୍ୱ ! ମୋର ଯୌବନ–ସମୁଦ୍ରର କାଣ୍ଡାରୀ । ଆରେ ତୁଇ କେଉଁଠି ଅଛୁ ? ଆୟ–ଆୟ ମୋର ହୃଦ–ବୃନ୍ଦାବନେ–ହୃଦ–କୁଞ୍ଜବନେ–ବଂଶୀ ବଜାଇବୁ ଆୟ । ଆୟ ମୋର ଯୌବନ–ଯମୁନାରେ କେଳି କରିବୁ ଆୟ । ଆୟ ମୋର ଦେହ–କଦମ୍ବେ ରୋମାଞ୍ଚ ଜଗାଇବୁ ଆୟ । ଆୟରେ ନିଠୁର ଗଉଡ଼ର ପିଲା । ଆୟ ମୋର ମନ–ବୃନ୍ଦାବନେ–ରାସ କରିବୁ ଆୟ । କିନ୍ତୁ–କିନ୍ତୁ–ସେ ଆସିଲା ନାହିଁ ।

 

ମୋର ସକଳ ଧର୍ମ ମିଥ୍ୟା ହେଲା–ମୋର ସକଳ କର୍ମ ବୃଥାରେ ଗଲା–ମୋର ସମସ୍ତ ଡାକ ମହାଶୂନ୍ୟରେ ମିଳେଇଗଲା । ସେ ନିଠୁର ସେତେବେଳେ ଆସିଲା ନାହିଁ । ମୁଁ ତାକୁ କେତେ ଭର୍ତ୍ସନା ବା ନ କଲି !! ଆରେ ନାରୀ–ମନଚୋର । ଆରେ ନାରୀ ପ୍ରାଣଚୋର । ଆରେ ଡକାୟତ । ନାରୀର ମନ ନେଇ–ଅବଳାନାରୀର ପ୍ରାଣ ନେଇ ଏମିତି ଖେଳ ଖେଳନାରେ ।–ତୋର ମଙ୍ଗଳ ହେବ ନାହିଁ । ମୋର ଜାତି ଖାଇଛୁ–କୁଳ ଖାଇଛୁ–ମୋର ଇହକାଳ ଖାଇଛୁ–ମୋତେ ଯଦି ଖାଇବୁ ତ ଖା–କିନ୍ତୁ ଆଉ ମୋତେ ଏପରି ବିରହବ୍ୟଥାରେ ପେଡ଼ି ମାରନାରେ । ଆରେ ନିଠୁର ହରି ! ଷୋଳସହସ୍ର ଗୋପିନୀର ସର୍ବସ୍ଵ ଲୁଣ୍ଠନ କରିଛୁ–ପୁତନା ନାରୀର ପ୍ରାଣ ଶୋଷିଛୁ–ବନର ଦାବାନଳ ଗିଳି ପାର କରିଛୁ–ସେଥିରେ କି ତୋ ମନର ଓରିମାନା ମେଣ୍ଟିଲା ନାହିଁ ? ଖାଆରେ ନିଆଁଗିଳା–ମୋର ଏଇ ପୋଡ଼ା ପ୍ରାଣଟାକୁ ଖାଇବୁ ଯଦି ନେ ଖାଆ !!

 

କିନ୍ତୁ ମା’ !!

 

ମାତାଜୀ ଫେର୍ କିଛି ସମୟ କୁନ୍ଥାଇଲେ । କିନ୍ତୁ ମା’ ! ସେତେବେଳେ ମୋର ଏଇ କାତର ମିନତିରେ ତା’ର ପାଷାଣ ହୃଦୟ ତରଳିତ ହେଲା ନାହିଁ । ସେତେବେଳେ ମୋର ସବୁ ଥିଲା । ସେ ନିଠୁର କିନ୍ତୁ ସେତେବେଳେ ମୋର ପାଖର ଛାଇ ପର୍ଯ୍ୟନ୍ତ ବି ମାଡ଼ିଲା ନାହିଁ ।

 

କିନ୍ତୁ ବର୍ତ୍ତମାନ...ମୋର ଏଇ ବୟସେ...

 

ମାତାଜୀ ଫେର୍ ଟିକେ କୁନ୍ଥାଇଲେ । ଚଉକି ଉପରେ ଟିକିଏ ଏକଡ଼ ସେକଡ଼ ହେଲେ । ଉଃ–ଆଃ–ଓହୋ ।

 

ଡା:ମନୋରମାଙ୍କ ହୃଦୟରେ ରସଲାଳସାର ପ୍ଳାବନ । ତାଙ୍କର ଆକ୍ଷି ଦୁଇଟିରେ ଏକ ଉତ୍ସୁକ ରସକୌତୁକ ଉଜ୍ଜ୍ୱଳ ହୋଇଉଠୁଛି । ସେ ଅଧୀର ଉତ୍କଣ୍ଠାରେ ପଚାରିଲେ–

 

ଓହୋ । କ’ଣ ହେଲା କୁହନା ।

 

ସେ କଥା ଆଉ କେମିତି କହିପାରିବି ମା’ ? କହିବାକୁ ଇ ଲାଜ ଲାଗୁଛି ମତେ । ବ୍ରଜଗୋପାଳ ଲାଗି ନାରୀର ଭୂଷଣ ଲଜ୍ଜା ଛାଡ଼ିଛି । କିନ୍ତୁ ତଥାପି ସେ କଥା କହିବାକୁ ପାଟି ଖୋଲୁ ନାହିଁ ମୋର । ତୁମକୁ ବି ଶୁଣିବାକୁ ଲାଜ ଲାଗିବ ମା’ ।

 

ନାଇଁ–ନାଇଁ–ଆମେ ଡାକ୍ତର । ଆମର ଗୋଟେ ଲଜ୍ଜା କ’ଣ ? କୁହ–ପ୍ରକୃତ ଘଟଣାଟା କ’ଣ କୁହନା ଆଗ ।

 

ସେତେବେଳେ ଆସିଲା ନାହିଁ । ବର୍ତ୍ତମାନ କିନ୍ତୁ ମୋତେ ଏଇ ଫାନ୍ଦରେ ପକାଇ ଦେଇଛି । ମୋ ସାଙ୍ଗରେ ଏଇ ବୟସରେ ପୁଣି ଏମିତି ପରିହାସ ଲଗେଇ ଦେଇଛି । ନଟନାଗର ତ ! କେତେ ନଟ ଜାଣେ ! କେତେ ରସ ଜାଣେ ! ତୁମେ ତ ପାଠ ଶାଠ ପଢ଼ିଛ ମା’ ! ପୁଣି ସାଧୁ ବୈଷ୍ଣବ ଆଦିରେ ତୁମର ବି ଯେମିତି ସୁଦ୍ଧା ଭକ୍ତି ଥାଏ–ତା’ ବି ମୋତେ ଜଣା । ତୁମେ କ’ଣ ଜାଣି ନାହଁ ? ସେ କି କମ୍ ନଟ ଜାଣେ କମ୍ ଯାଦୁ ଜାଣେ !! ଲୀଳାନିଧି ତ ! ନିଜେ ନିଜେ ଲୀଳା କରି ନିଜ ଲୀଳାର ସ୍ଵାଦୁ ନିଜେ ପାଏ । ଲୀଳାନିଧିର ଲୀଳାତତ୍ତ୍ଵ କିଏ ବୁଝିପାରେ ? କାର ଏଡ଼େ ଶକ୍ତି ?

ସେତେବେଳେ ତା’ର ମନ ନ ଥିଲା । ଆଉ କାହାକୁ ନେଇ ଲୀଳା କରୁଥିଲା । ଏତେ ଦିନେ ମନେ ପଡ଼ିଲା ।...ମୋତେ ନେଇ...ତା’ ଆଉ କହିପାରିବି ନାହିଁ ମା... !!

 

କହନ୍ତୁ ନା–ଓଃ ଲଜ୍ଜା କ’ଣ । କହନ୍ତୁ ।

 

......ସରମର ସମୁଦ୍ର ଭିତରକୁ ଠେଲିଦେଇ–ପୁଣି କୁଆଡ଼େ ଚାଲିଗଲା ନିଠୁର । ବର୍ତ୍ତମାନ ମୁଁ କଅଣ କରିବିଟି ।

 

ମାତାଜୀଙ୍କର କଣ୍ଠ ଆର୍ଦ୍ର ହୋଇ ଉଠିଲା । ଆଉ ତାଙ୍କର ସେଇ ସରଳ ଶିଶୁସୁଲଭ ବିସ୍ତୃତ ଆକ୍ଷି ଦୁଇଟି ଅଶ୍ରୁସଜଳ ହୋଇଉଠିଲା । ମନୋରମା କଣ୍ଠରେ କିଞ୍ଚିତ୍ ଉଦାର ସମ୍ବେଦନାଶୀଳ ଉତ୍ତାପ ଦେଇ ଧୀରଭାବରେ ଆଶ୍ୱସ୍ତ କଲା ଭଳି କହିଲେ–

 

କହନ୍ତୁ ନା ପରିଷ୍କାର–କ’ଣ ହେଲା ? ମୁଁ ବୁଝିବି ସବୁ କଥା । ନିଶ୍ଚିନ୍ତରେ କୁହନ୍ତୁ ।

 

ମାତାଜୀ ସେହିଭଳି ଅଶ୍ରୁପ୍ଳାବିତ ଆକ୍ଷିରେ ଚାହିଁ ଗଦଗଦ କଣ୍ଠରେ ପୁଣି କହିଲେ–

 

ତା’ହେଲେ ଶୁଣ ମା’ ।–ସମୁଦ୍ର ଭିତରେ ଶଯ୍ୟା ପାତିଛି–ଆଉ ଶିଶିର ବୃଷ୍ଟିକି ବା ଭୟ କାହିଁକି ? ମୂଳରୁ ତା’ହେଲେ କହେଁ ମା...

 

ସେଦିନ–ସେଦିନ ଦୋଳପୂର୍ଣ୍ଣିମା । ବ୍ରଜଗୋପାଳ ହୋରି–ଖେଳର ଦିନ । ଦିନଯାକ ରଙ୍ଗ ଖେଳରେ ମାତାମାତି ଚାଲିଲା–କେତେ ଜାଗାରେ–କେତେ ରଙ୍ଗର ଲୀଳା କଲା ସେଦିନ ଗୋପାଳର ଛେଲେ । ବିମାନରେ ବସି କେତେ ଦ୍ଵାର ଘୂରିଲା...

 

ସେହିଦିନ ରାତିରେ–ମଠ ବାରଣ୍ଡାରେ ଶୋଇ ଆକ୍ଷି ମେଲି ବ୍ରଜଗୋପାଳ ଲୀଳା ସ୍ମରଣ କରୁଥିଲି । ବାହାରେ ଏତେ ଜ୍ୟୋତ୍ସ୍ନା । ମୃଦୁମନ୍ଦ ମଳୟ ବହି ଆସୁଥାଏ–ଅଦୂରରେ ମଲ୍ଲିକା, ବକୁଳ ଆଉ ନାଗେଶ୍ୱରର ବନ ଦେଇ ଫୁଲର ସୌରଭ ଲୁଟିକରି । ଫୁଲର ଏଇ ମଧୁ ସୌରଭ ମୋର ମନଟାକୁ ଉତ୍ତଳ କରିଦେଲା । ବାହାରେ ଏତେ ଜ୍ୟୋତ୍ସ୍ନା–ଏତେ ମଳୟ–ଏତେ ଫୁଲ–ଏତେ ସୁବାସ । ଏଇଭଳି ମଧୁ ପୂର୍ଣ୍ଣିମାର ରାତିରେ ଶ୍ରୀ ଶ୍ରୀ ବ୍ରଜଗୋପାଳ ଶ୍ରୀ ବୃନ୍ଦାବନରେ ଷୋଳସସ୍ର ଗୋପବଧୁଙ୍କୁ ନେଇ ବସନ୍ତ ରାସ କରିଥିଲେ ।

 

ମୋର ଉଦ୍ଧାରକର୍ତ୍ତା ଗୁରୁଦେବ ଲଳିତା ବାବାଙ୍କର ଜଣେ ତରୁଣ ଶିଷ୍ୟପ୍ରବର–ନାଁ ତାଙ୍କର ଆନନ୍ଦ ବାବା–ଖୁବ୍ ମଧୁର ଗଳା ଭାରି ଚମତ୍କାର ରାସକୀର୍ତ୍ତନ ଗାଇପାରନ୍ତି ସେ–ସେ କୀର୍ତ୍ତନ ଶୁଣିଲେ ଥୁଣ୍ଟା ଗଛରେ ପତ୍ର କଅଁଳେ–ଫୁଲ ଫୁଟେ–ପଥର ତରଳି ବହିଯାଏ ପାଣି ହୋଇ–ଆଉ ପାଣି ହୋଇଯାଏ ପଥର–ବଣର ପଶୁପକ୍ଷୀ ବି ଚକିତ ହୋଇ କାନ ଡେରନ୍ତି । ଏଭଳି କୀର୍ତ୍ତନ ସୁରମୂର୍ଚ୍ଛନାରେ ଅବଳା ନାରୀ ମାତ୍ରେ କି ଛାତି ଧରି ରହିପାରେ ? ପ୍ରତିଦିନ ସନ୍ଧ୍ୟାରେ ସେ କୀର୍ତ୍ତନ କରନ୍ତି–ଝରଝର ହୋଇ ଝରିପଡ଼ୁଥାଏ ତାଙ୍କର ଆକ୍ଷିରୁ ଅଶ୍ରୁର ଧାରା ଯେଉଁମାନେ ସେ କୀର୍ତ୍ତନ ଶୁଣନ୍ତି, ସମସ୍ତେ କାନ୍ଦନ୍ତି । ମୁଁ ବି ସମ୍ଭାଳି ପାରେନା ମା । ମୋର ବି ଛାତି ଫଟାଇ କୋହ ଉଠେ–ଆକ୍ଷି ଫଟାଇ ଝରିଯାଏ ଲୁହର ଝରଣା ।

 

ସେଦିନ ସନ୍ଧ୍ୟାରେ ବି ଆନନ୍ଦ ବାବା କୀର୍ତ୍ତନ ଗାଇଥିଲେ । ବ୍ରଜଗୋପାଳର ଏଇ ବସନ୍ତରାସଲୀଳାର ଅନିର୍ବଚନୀୟ ମାଧୁରୀ ଫୁଟି ଉଠିଥିଲା ତାଙ୍କର କଣ୍ଠର ଲହର ଭିତରେ । ସବୁଦିନ ତାଙ୍କର କୀର୍ତ୍ତନ ସଙ୍ଗେ ମୁଁ ପାଳି ଧରୁଥିଲି । ସେଦିନ ବି ତାଙ୍କର ଗଳା ସଙ୍ଗେ ଗଳା ମିଶାଇ–ସୁର ସଙ୍ଗେ ସୁର ମିଳାଇ ମୁଁ ବିଭୋର ହୋଇ କୀର୍ତ୍ତନ ଗାଉଥାଏ । ଗୋପୀମାନଙ୍କୁ ଚାରି ଦିନରେ ଆସିବି ବୋଲି କହି କୃଷ୍ଣ ମଥୁରାକୁ ଚାଲିଗଲେ–ଆଉ ଆସିଲେ ନାହିଁ–ଦିନ ଦିନ ହୋଇ ମାସେ ଗଲା–ମାସ ମାସ ହୋଇ ବର୍ଷେ ବିତିଲା–ମହାଭାବମୟୀ ପ୍ରେମିକା–ଶିରୋମଣି ଶ୍ରୀ ରାଧା ବିରହବିଚ୍ଛେଦରେ ଆକୁଳ ହୋଇ ଭୂଇଁ ଉପରେ ଗଡ଼ୁଥାନ୍ତି–ସଖୀ ଲଳିତା ତାଙ୍କୁ ବୁଝାଉଥାନ୍ତି–ସଖୀ-! କିଆଁ ଏତେ ଆତୁର ହେଉଛ ? ଆସିବେ ଗୋ–ପ୍ରାଣପ୍ରିୟ ନିଶ୍ଚେ ଆସିବେ–ମାତ୍ର ଶ୍ରୀରାଧା ଦୁଃଖ, ବେଦନା କ୍ରୋଧରେ ଉନ୍ମତ୍ତା ହୋଇ ଗାଇ ଉଠିଲେ–

 

କେ କହ ଆଓବ ମାଧାଇ !!

ବିରହ ପୟୋଧି ପାର କିୟେ ପାଓବ,

ମଝୁ ମନେ ନହି ପତିଆଇ !

ଏଖନ ତଖନ କରି ଦିବସ ଗାମାଓଲ

ଦିବସ ଦିବସ କରି ମାସ

ମାସ ମାସ କରି ବରଷ ଗାମାଓଲ

ଛୋଁଡଲୁ ଜୀବନକା ଆଶ ।

 

ରାଧାର ଏହି ଦୁଃଖରେ ମୋର ବି ଛାତି କରତି ହୋଇଗଲା ମା’ ! ଆନନ୍ଦ ବାବା ଗାଉ ଗାଉ ଭୂଇଁ ଉପରେ ଭାବାବେଶରେ କଚାଡ଼ି ହୋଇ ପଡ଼ିଲେ–ଆଉ କାନ୍ଦି କାନ୍ଦି ଗଡ଼ି ଗଡ଼ି ସେଇ ପଦକ ଇ ଗାଇଲାଗିଲେ କେତେ ସୁରରେ–କେତେ ଭଙ୍ଗୀରେ–ଆଉ ମୂର୍ଚ୍ଛନାରେ । ସତେ କି ଆନନ୍ଦ ବାବା ଇ ଗୋକୁଳର ସେଇ ମହାଭାବମୟୀ ରାଧା ! ମୁଁ କି ଆଉ ନିଜକୁ ସମ୍ଭାଳି ପାରିଲି ମା-। ରାଧାର ଅନ୍ତରର ସେହି କ୍ରୁଦ୍ଧ ଅଭିମାନ ସଙ୍ଗେ ମୋର ଅନ୍ତରର ଅଭିମାନ ମିଶି ଏକାକାର ହୋଇଗଲା–ସଙ୍ଗେ ସଙ୍ଗେ ନିଷ୍ଠୁର ବ୍ରଜଗୋପାଳ ପ୍ରତି ମୋର ମନଟା ବି ତିକ୍ତ ଅଭିମାନରେ ଭରିଉଠିଲା । ଆରେ ନିଠୁର । ସବୁରି ମନର ବୃନ୍ଦାବନରେ ଫୁଲ ଫୁଟାଇଲୁ । ମୋରି ମନର ବୃନ୍ଦାବନରେ ବି କେତେ ଫୁଲ ଫୁଟିଲା ତୋର କରୁଣାରେ । ଜ୍ୟୋସ୍ନାରେ ଭ୍ରମର ହୋଇ ତୁ କେତେ ଫୁଲରୁ ମଧୁ ଲୁଣ୍ଠନ କଲୁ । କିନ୍ତୁ ମୋରି ଉଦ୍ୟାନର ଫୁଲସବୁ ତୋର କି ଦୋଷ କରିଥିଲେ ରେ-? ସବୁ ଫୁଲ ମୋର ଏମିତି ଧୂଳି ଉପରେ ଖସିପଡ଼ିବେ ନିଷ୍ଫଳ ବ୍ୟର୍ଥତାର ଅଭିମନରେ ? ତୋର ଦାରୁଣ ପ୍ରବଞ୍ଚନାରେ ଉଷ୍ମ ନିଶ୍ୱାସର ଝଞ୍ଜାରେ ସବୁ ଫୁଲ ମୋର ଏମିତି କରୁଣ ଭାବରେ ଶୁଖି ଜଳିଯିବେ ? ଖାଲି ଧୂଳି ଆଉ ଝରାଫୁଲର ବ୍ୟର୍ଥତାରେ ଧୂସରିତ ହୋଇଯିବ ମୋର ମନର ଏଇ ବୃନ୍ଦାବନ ? ଆରେ ନିଠୁର । ଆରେ ଗୋପାଲ ରେ ! କଅଣ ତୁ ମୋର କରିଦେଲୁ ? ଜୀବନଟା ସାରା ମୁଁ ତୋତେ କ’ଣ ବା ନ ଦେଇଦେଲି ? ଆଉ କଅଣ ବା ପାଇଲି ମୁଁ । ତୁ ମତେ କ’ଣ ଦେଲୁରେ ପ୍ରବଞ୍ଚକ ? ଶଠ !

 

ଆଉ କହିପାରିଲେ ନାହିଁ ମାତାଜୀ । ତାଙ୍କର ଆକ୍ଷି ଓ କଣ୍ଠ ବାଷ୍ପାଚ୍ଛନ୍ନ ହୋଇଉଠିଲା । ମନୋରମା ସ୍ଵପ୍ନ ଦେଖିଲା ଭଳି ନିବିଷ୍ଟ ଚିତ୍ତରେ ସବୁ ଶୁଣୁଥିଲେ । ମାତାଜୀଟିର ଏଇ ସରଳ ସହଜ ବିଶ୍ଵାସର ଆବେଗପୂର୍ଣ୍ଣ କଥାସ୍ରୋତରେ ସେ ନିଜକୁ ଭସାଇ ଦେଇଥିଲେ । ଆଉ ତାଙ୍କର ଆକ୍ଷିରେ ମଧ୍ୟ ଏକ ସହଜ ବିଶ୍ଵାସର ଅଶ୍ରୁ ବାଷ୍ପାୟିତ ହୋଇ ଉଠିଥିଲା । ଆଉ ଦେହରେ ଏକ ଅପୂର୍ବ ରୋମାଞ୍ଚ ଓ ଶିହରଣରେ ସେ ଥରି ଉଠୁଥିଲେ । ଏଇ ଅବୋଧ ଅଭିମାନର ସୁର୍ ଭିତରେ ଯେମିତି ପ୍ରତିଧ୍ଵନିତ ହୋଇଉଠୁଛି ତାଙ୍କର ହୃଦୟର ଏକ ସଂଗୁପ୍ତ ବେଦନାର କ୍ଷୁବ୍‍ଧ ଅବୋଧ ଓ କାରଣହୀନ କରୁଣ୍ୟର ଧ୍ଵନି !! ଛଳଛଳ ଆକ୍ଷିରେ ସେ କହିଲେ–

 

ହଁ। –ତା’ପରେ ? ତା’ପରେ କ’ଣ ହେଲା ?

 

ଆକ୍ଷିରୁ ଲୁହ ପୋଛି–କଣ୍ଠ ପରିଷ୍କାର କରି ଓ ପୁଣି କିଛି ସମୟ କୁନ୍ଥାଇ–ଏକଡ଼ ସେକଡ଼ ହୋଇ ମାତାଜୀଟି କହିଲେ–

 

କୀର୍ତ୍ତନମଣ୍ଡଳୀରୁ ଉଠି ଆସି–ମୋ ଘର ବାରଣ୍ଡାରେ ଶୋଇ ପଡ଼ିଲି । ଆକ୍ଷିକି କ’ଣ ଆଉ ନିଦ ଆସେ ? ବାହାରେ ପୂର୍ଣ୍ଣିମାର ଚାନ୍ଦ ଅଗଣିତ ଅମୃତ କିରଣର ଧାରାରେ ବହିଯାଉଛି, ମଠର ଉଦ୍ୟାନରେ ଚମ୍ପା, ମଲ୍ଲିକା, ବକୁଳ ଆଉ ନାଗକେଶର ଫୁଲଙ୍କର ମେଳା–ସେଇମାନଙ୍କର ମଥା ଦୋହଲାଇ ସୁବାସ ଲୁଟିଆଣି ମତେଇ ଦେଇ ବହିଯାଉଥାଏ ମୃଦୁମନ୍ଦ ମଳୟ । ମୁଁ ସେମିତି କାନ୍ଦି କାନ୍ଦି ଆକ୍ଷିର ଜଳରେ ମା’ ଧରଣୀକୁ ଆର୍ଦ୍ର କରୁଥାଏ । ବାହାରେ ଏତେ ଜ୍ୟୋତ୍ସ୍ନା–ଏତେ ମଳୟ–ଏତେ ଫୁଲ–ଏତେ ସୌରଭ; ମାତ୍ର ମୋର ମନ ଭିତରେ ଆନନ୍ଦ ବାବାଙ୍କର ସେହି କୀର୍ତ୍ତନର ଶେଷ ପଦକ ଫୁଲି ଉଠୁଥାଏ ।

 

ଏଖନ ତଖନ କରି ଦିବସ ଗମାଓଲ

ଦିବସ ଦିବସ କରି ମାସ

ମାସ ମାସ କରି ବରଷ ଗମାଓଲ

ଛୋଁଡଲୁ ଜୀବନକା ଆଶ ।

 

ମୋ ଭିତରେ ମୋର ଅନ୍ତରାତ୍ମା ଇମିତି ବାହୁନି ଉଠୁଥାଏ ମା’ ! ରୂପ ଗଲା–ଯୌବନ ଗଲା–ଶେଷକୁ ଏଇ ଜୀବନଟା ବି ଏମିତି ଚାଲିଯିବ–ନିଷ୍ଠୁର ବ୍ରଜଗୋପାଳ ଆଉ ମତେ ଧରା ଦେଲା ନାହିଁ–ଧରା ଦେବ ନାହିଁ । ଶୂନ୍ୟ ପଡ଼ିଲା ମୋର ଏଇ ମନର ବୃନ୍ଦାବନ । ଚିରଦିନ ଲାଗି ବ୍ୟର୍ଥ ହେଲା ମୋର ଏହି ଦେହ–ଦେଉଳର ପ୍ରତୀକ୍ଷା–ଯୌବନର ପୂଜ୍ୟବେଦୀ–ଉପରେ ଆଉ ମୋର ମନର ଦେବତା ଅର୍ଚ୍ଚିତ ହେବାକୁ ଆସିଲେ ନାହିଁ–ଆସିବେ ବି ନାହିଁ !!

 

କାନ୍ଦି କାନ୍ଦି ଆକ୍ଷିରୁ ଲୁହ ବୁହାଇ ବୁହାଇ କେତେବେଳେ ଜାଣିନି–ଆକ୍ଷି ଦୁଇଟି ମୋର ଛାଇ ନିଦରେ ବୁଜି ହୋଇଆସିଲା । ମୁଁ ଗହନ ନିଦରେ ଅଚେତନ ହୋଇପଡ଼ିଲି ।

 

ତା’ପରେ–ତା’ପରେ–ତା’ପରେ ମା’, କେମିତି କହିବି ମୁଁ ତା’ପରେ କ’ଣ ହେଲା ??

 

ଡା: ମନୋରମା ଅଧୀର ହୋଇପଡ଼ିଲେ । ସବୁ ଜାଣି ମଧ୍ୟ–ବୁଝି ମଧ୍ୟ–ଉତ୍କଣ୍ଠାରେ ସେ ଚଞ୍ଚଳ ହୋଇପଡ଼ିଲେ ।

 

କୁହନ୍ତୁ ନା !! ହଁ–କହନ୍ତୁ,–ତା’ପରେ !

 

ମାତାଜୀ ଉତ୍ତେଜିତ ହୋଇ କହୁ କହୁ ସାହାସୀ ଯାଉଥାନ୍ତି । ହଠାତ୍ କି ଏକ ତୀବ୍ରବେଦନାରେ ସେ ଚିତ୍କାର କରିଉଠିଲେ । ତା’ପରେ କମ୍ବଳ ଭିତରେ ହାତ ପୂରାଇ ସେ ନିଜର ପେଟରେ ହାତ ଦେଇ କିଛି ସମୟ ଅଧିର ଭାବରେ “ଉହୁ”, “ଆହା” ହେଲେ । ତା’ପରେ ପୁଣି ନିଶ୍ଚଳ ହୋଇ ଉଠି ସେ ପୁଣି ଆରମ୍ଭ କଲେ–

 

ତା’ପରେ–ତା’ପରେ ମା’, ଗଭୀର ନିଦ୍ରାରେ ଯେତେବେଳେ ମୁଁ ଅଚେତନ–ମୋର ପାର୍ଥିବ ଚେତନା ଯେତେବେଳେ ସମ୍ପୂର୍ଣ୍ଣ ଅବଲୁପ୍ତ–ଯେତେବେଳେ ସେହି ତୃରୀୟାଲୋକରେ ମୋର ଆତ୍ମା–ବଧୂ ଅଭିସାରିକା ହୋଇ ଘୂରିବୁଲୁଛି–ସେତେବେଳେ ସେଇ ସ୍ଵର୍ଗୀୟ ଚେତନାଲୋକେ–ସେ ମୋତେ ଧରି ପକାଇଲେ...

 

କିଏ ???

 

ମନୋରମାଙ୍କ ଦେହ ଓ ମନରେ ଏକ ଅପୂର୍ବ ରୋମାଞ୍ଚ ଶିହରିତ ହୋଇଉଠିଲା ।

 

କିଏ ଆଉ ହେବ ମା’ ? ସେଇ–ସେଇ ନିଖିଳ ରସାମୃତ ସିନ୍ଧୁ–ନାରୀଚିତ୍ତଚୋର–ଆନନ୍ଦ ଘନମୂର୍ତ୍ତି–ନିଠୁର !! ହରି–ମୋର ଚିରଦିନର ସ୍ଵପ୍ନର ବ୍ରଜଗୋପାଳ । ମୋତେ ତାଙ୍କର ଆଳିଙ୍ଗନରେ ଭିଡ଼ିଧରି ସେ ମୋର ସର୍ବାଙ୍ଗରେ ଜଡ଼େଇଗଲେ । ମୁଁ ସେତେବେଳେ କି ଏକ ଅଲୌକିକ ଲୋକୋତ୍ତର ସ୍ଵର୍ଗୀୟହ୍ଲାଦିନୀ ଶକ୍ତିର ଅନିର୍ବଚନୀୟ ମହାନନ୍ଦର ସମୁଦ୍ର ଭିତରେ ପଡ଼ିଯାଇଥାଏ । ମୋର ସର୍ବାଙ୍ଗରେ ମହାନନ୍ଦର ପୁଲକ–ଆକ୍ଷିରେ ମହାନନ୍ଦର ଅଶ୍ରୁ–ଲୋମ କୂପେ କୂପେ ପ୍ରଳୟାନନ୍ଦରେ ମୁଁ ପରମାନନ୍ଦଙ୍କ ସଙ୍ଗେ ମିଳିତ ହୋଇ ମହାନନ୍ଦରେ ଚେତନା ହରାଇ ଦେଇଥାଏଁ । ମୁଁ ଜାଣିପାରୁ ନ ଥାଏ–ସେ ମୋଠାରୁ ଆନନ୍ଦ ପାଉଛନ୍ତି କି ମୁଁ ତାଙ୍କଠାରୁ ଆନନ୍ଦ ପାଉଛି !

 

କେତେ ସମୟ ସେ ମୋତେ ତାଙ୍କର ଆଲିଙ୍ଗନ ଭିତରେ ଧରି ରଖିଲେ ମୁଁ ଜାଣିନି । ଯେତେବେଳେ ହଠାତ୍ ମୋର ନିଦ ଭାଙ୍ଗିଗଲା–ସମ୍ପୂର୍ଣ୍ଣ ଭାବରେ ମୋର ପାର୍ଥିବ ଚେତନା ଫେରିଆସିଲା–ସେତେବେଳେ ଆନନ୍ଦ ଅବିଶ୍ୱାସେ ଆକ୍ଷି ମେଲି ଚାହିଁଲି–କେହି କୁଆଡ଼େ ନାହିଁ । ମଠରେ ସମସ୍ତେ ସେ ଯେଉଁଠି ଶୋଇ ଯାଇଛନ୍ତି । ଆକାଶର ଚାନ୍ଦ କେବଳ ବ୍ରଜଗୋପାଳର ପ୍ରେମରେ ପ୍ଲାବିତ ହୋଇ ବହିଯାଉଛି ଧରଣୀ ଉପରେ ଜ୍ୟୋସ୍ନାର ଅଜସ୍ର ଧାରାରେ । ଆଉ ଆକ୍ଷି ମେଲି ଚାହିଁଛନ୍ତି ଉଦ୍ୟାନର ଶତ ଶତ ଫୁଲ ।

 

ନିଦ୍ରାର ଜଡ଼ତା ପୂରାପୂରି କଟିଗଲା । ଚକିତ ହୋଇ ମୁଁ ଭାବିଲି–ଏ କ’ଣ ସତ୍ୟ ? ଏ କ’ଣ ସ୍ୱପ୍ନ ? ନିଜ ଦେହରେ ଗନ୍ଧ ନିଜେ ଇ ଆଘ୍ରାଣ କଲି । ଏ ଯେ କସ୍ତୁରୀ, ଚନ୍ଦନର ସୁବାସ । ଏ ଯେ ବନଫୁଲର ସୌରଭ ! ବନଫୁଲର ମାଳା ପିନ୍ଧି ବନବିହାରୀ ବଜ୍ରଗୋପାଳ ମୋର ଆସିଥିଲେ ମୋ ପାଖକୁ । ଏଥିରେ ଆଉ ସନ୍ଦେହ କ’ଣ ? ମୋର ଏଇ ଧୂଳିମାଟିର ଦେହ ଉପରେ ତା’ର ସେଇ ଦିବ୍ୟଦେହର ସୁବାସ ରଖି–ଯାଇଛି ସେ । ମୋର ସର୍ବାଙ୍ଗକୁ ନିଠେଇ ନାଠେଇ ଦେଖିଲି । ମୋର ସର୍ବାଙ୍ଗରେ ତା’ର ନଖ ଓ ଦଶନର ଆଘାତ ଜ୍ଵାଳା କରୁଥାଏ । ମନଟା ମୋର ଅସୀମ ତୃପ୍ତିରେ ଭରିଉଠିଲା । ଭାବିଲି–ଜୀବନ ମୋର ଧନ୍ୟ ହେଲା–ସାର୍ଥକ ହେଲା ମୋର ଧର୍ମ–ସଫଳ ହେଲା ଏତେ ଦିନ ମୋର ଏଇ ବୈଷ୍ଣବୀ ତପସ୍ୟା !

 

ମନୋରମା ମନ୍ତ୍ରମୁଗ୍‍ଧ ହୋଇ ଶୁଣୁଥାନ୍ତି । ଦେହ ଟାଙ୍କୁରିତ–ମନ ପୁଲକିତ । ତାଙ୍କର ସଚେତନ ଚିତ୍ତର ତର୍କପ୍ରବଣ ଦୃଢ଼ ଅଟଳ ସଂଶୟ ପାହାଡ଼ର ଶୃଙ୍ଗକୁ ଯେମିତି ପୁଞ୍ଜ ପୁଞ୍ଜ ବିଶ୍ୱାସର କୃଷ୍ଣମେଘ ଆବୃତ କରି ପକାଇଛନ୍ତି । ଆଉ ତାରି ପରିମାଣରେ ଯେମିତି ତାଙ୍କର ବାଷ୍ପାଚ୍ଛନ୍ନ ଆକ୍ଷି ଦୁଇଟିରୁ ବହିଆସୁଛି ଅବାରିତ ଅବିରଳ ଝର ଝର ଲୁହର ଝରଣା । ମାତାଜୀ କିଛି ସମୟ କୁନ୍ଥାଇ ସାରି ପୁନଶ୍ଚ କହିଲେ–

 

ପରଦିନ ପ୍ରଭାତରେ ଆନନ୍ଦ ବାବାଙ୍କୁ ମୋର ଏହି ସ୍ଵପ୍ନର ବ୍ରିତ୍ତାନ୍ତ ଜଣାଇଲି । ଆନନ୍ଦ ବାବା ଶୁଣିଲା ମାତ୍ରେ ଇ ଭାବବିଭୋର ହୋଇ ମୋ ଚିବୁକ ଧରି ନାଚି ଉଠିଲେ । ଆଉ ସଙ୍ଗେ ସଙ୍ଗେ କହିଉଠିଲେ ଆନନ୍ଦ ବାବା–

 

ସାର୍ଥକ–ସାର୍ଥକ ହେଲା ତୋର ତପସ୍ୟା ହରିପ୍ରିୟା ! ଆନନ୍ଦ ଘନମୂର୍ତ୍ତି ବ୍ରଜଗୋପାଳର ଅନୁକମ୍ପା ଲାଭ କଲୁ–ଜୀବନ ତୋର ଧନ୍ୟ ହେଲା । ଆନନ୍ଦ–ଆନନ୍ଦ–ହରିପ୍ରିୟା ! ସଚ୍ଚିଦାନନ୍ଦର ରତିବଲ୍ଲଭା ହେବାର ସୌଭାଗ୍ୟ ସହଜରେ ଜୁଟେ ନାହିଁ । ସ୍ୱପ୍ନ ବୋଲି କ’ଣ କହୁଚୁ ତୁ ? ଯେ ସ୍ୱପ୍ନ–ସେଇ ବାସ୍ତବ । ଯେ ବାସ୍ତବ–ସେଇ ସ୍ଵପ୍ନ । ଆନନ୍ଦ ଘନମୂର୍ତ୍ତିର ମିଳନ ଯୋଗରେ ସ୍ୱପ୍ନ ହୁଏ ବାସ୍ତବ–ଆଉ ବାସ୍ତବ ହୁଏ ସ୍ଵପ୍ନ–ଏଥର ସେଇ ଆନନ୍ଦସମୂହରେ ଝାମ୍ପିପଡ଼ ହରିପ୍ରିୟା ।

 

ମୋର ଆକ୍ଷି ଲୁହରେ ଭରିଗଲା । ମୋର ଦେହରେ ଅପୂର୍ବ ଆନନ୍ଦର ରୋମାଞ୍ଚ କଣ୍ଟକିତ ହୋଇ ଉଠିଲା । ସତେ–ସତେ ମୁଁ ଏତେ ଭାଗ୍ୟବତୀ ? ସତେ କ’ଣ ମୁଁ ହରିବଲ୍ଲଭା ? ଆନନ୍ଦ ଆଉ ବେଦନାରେ କାତର ହୋଇ, ଉତ୍‍ଫୁଲ୍ଲ ହୋଇ ମୁଁ ଆନନ୍ଦ ବାବାଙ୍କୁ କୁଣ୍ଢାଇଧରି ଥରି ଥରି କହିଲି–

 

ଏ ଆନନ୍ଦ ସୌଭାଗ୍ୟ ମୋର ଚିରଦିନର ନା ଏଇ କ୍ଷଣିକର ଛଳନାରେ ମୁଁ ବିଡ଼ମ୍ବିତ ହୋଇ ପୋଡ଼ି ମରିବି ବାବା !

 

ଆନନ୍ଦ ବାବା ମୋର ଦୁଇ ହାତକୁ ଧରି ବିଭୋର ହୋଇ ନୃତ୍ୟ କରିଉଠିଲେ–କୀର୍ତ୍ତନର ସୁରରେ ସେ ନାଚି ନାଚି ଗାଇଲେ–

 

କି କହିବିରେ ସହି ! ଆନନ୍ଦ ଓର !

 

ଚିରଦିନ ମାଧବ–ମନ୍ଦିରେ ମୋଓର !!

 

ମୋତେ ଧରି କାନ୍ଦି କାନ୍ଦି, ନାଚି ନାଚି ସେଦିନ ମୋତେ ଆନନ୍ଦ ବାବା ପ୍ରତିଶ୍ରୁତି ଦେଲେ–

 

ବ୍ରଜଗୋପାଳର ଏଇ କରୁଣା ଚିରଦିନ ଲାଗି । ତୋର ପ୍ରତିଟି ରାତିର ସ୍ୱପ୍ନ ଏଇ ଆନନ୍ଦର କରୁଣାରେ ସାର୍ଥକ ହୋଇ ଉଠିବ ଆଜିଠାରୁ ହରିପ୍ରିୟ। ! ତୁ ନିଶ୍ଚିନ୍ତ ରହ ।

 

ସେଇ ଦିନଠାରୁ ମା’–ବହୁ ବାର ବହୁ ଥର–ଆନନ୍ଦ ଘନମୂର୍ତ୍ତି ବ୍ରଜଗୋପାଳର ରାସଲୀଳା ଅନୁଷ୍ଠିତ ହେଲା ମୋ ସାଙ୍ଗରେ । ବହୁବାର–ସେଇ ଦିନଠାରୁ ଅସଂଖ୍ୟ ଥର ତା’ ସଙ୍ଗରେ ସ୍ୱପ୍ନରେ ମିଳିତ ହୋଇଛି–କେତେ ପୂର୍ଣ୍ଣିମାର ନିଶୀଥେ–ଜ୍ୟେତ୍ସାର ଅପରୂପ ବନ୍ୟାରେ–କେତେ ଶ୍ରାବଣର ବର୍ଷଣମୁଖର ଝଡ଼କ୍ଷିପ୍ତ ଉନ୍ନତ୍ତ ରାତିର ଅନ୍ଧକାରରେ–କେତେ ଶୀତର ହିମ ଶୀତଳ ରାତ୍ରର କମ୍ପିତ ଗଭୀରତାରେ–ସେତେବେଳେ ମୁଁ ଗଭୀର ନିଦ୍ର–ଅଚେତନ–ସ୍ୱପ୍ନରେ ଶୁଣିଛି ମୁଁ ତା’ର ପଦର ମଞ୍ଜିର ଧ୍ୱନି–ତା’ର ଆକୁଳ ପ୍ରାଣର ରସବିଧୂର ବଂଶୀର ଡାକରେ ଉନ୍ନାଦିନୀ ହୋଇଛି । ଯାଇଛି ତା’ ନିକଟକୁ–ଆଉ–ଆଉ–ସେଇ ସ୍ଵର୍ଗୀୟ ଚେତନାଲୋକେ–ସ୍ୱପ୍ନରେ ମିଳିତ ହୋଇଛି ତା’ ସଙ୍ଗରେ–ତା’ର ଦୃଢ଼ନିବଦ୍ଧ ଆଲିଙ୍ଗନ ଭିତରେ ଆଜି ମୋର ସମସ୍ତ ଜ୍ଵାଳା ଏକ ଅଖଣ୍ଡ ଆନନ୍ଦର ଦୀପ୍ତିରେ ଜଳିଉଠୁଛି–

 

କିନ୍ତୁ–କିନ୍ତୁ ମା’...

 

ମନୋରମା ଚମକି ଉଠିଲେ ।

 

କ’ଣ କିନ୍ତୁ ? କ’ଣ ହେଲା ? କିନ୍ତୁ ???

 

କିନ୍ତୁ–କିନ୍ତୁ ମା–ମୁଁ କି ସେତେବେଳେ ଜାଣିଥିଲି ଯେ...

 

ମାତାଜୀ ଫେର୍ ଅଟକିଯାଇ କୁନ୍ଥାଇଲେ–ଓ !! ଆଃ !! ଓହୋ ! ଗୋପାଳ ରେ !!!

 

ମନୋରମା ଅଧୀର ହୋଇ ପଚାରିଲେ–

 

ହଁ–କ’ଣ ହେଲା ? କ’ଣ ତୁମେ ଜାଣି ନଥିଲ ?

 

କିନ୍ତୁ–କିନ୍ତୁ ମା’–କ’ଣ ସେତେବେଳେ ଜାଣିଥିଲି ଯେ–ଏ ବୟସରେ–ସେ ମୋ ସଙ୍ଗରେ ଇତର ଲୋକଙ୍କ ଭଳି ଏମିତି ଗୋଟେ ଇୟାର୍କୀ କରିବ ? ଏ ରକମ–ଏତେଟା ତ କେଲେଙ୍କାରୀ ହେବ ବୋଲି ତ ମୁଁ ସେତେବେଳେ ଜାଣି ନ ଥିଲି ! ଓଃ !!!

 

ଫେର୍ ଥରେ ପେଟକୁ ଚିପି ଧରି କୁନ୍ଥାଇ ଲାଗିଲେ ମାତାଜୀ । ମନୋରମାଙ୍କର ପ୍ରତିଟି ସ୍ନାୟୁରେ ଯେମିତି ଏକ ନୂଆ ଜୀବନବୋଧର ନିଆଁ ସଞ୍ଚରି ଯାଇଛି । ସେ ଅସ୍ଥିର ହୋଇ ଉଠିଲେଣି । ତାଙ୍କର ଦେହ ଝିମ୍‍ଝିମ୍ ହୋଇ ଉଠିଲାଣି । ସବୁ ତାଙ୍କର କେମିତି ଗୋଳମାଳ ହୋଇଯାଇଛି । ବାହାରେ ଧାରା ଶ୍ରାବଣର ଏଇ ଆର୍ଦ୍ର ଶୀତଳ ହୁ ହୁ ଅନ୍ଧକାର ଭିତରେ ଯେମିତି ଜୀବନର କ୍ଷୁଧିତ ପ୍ରେମ ଗର୍ଜି ଉଠୁଛି !! ଶୋଇବା ଘରେ ତାଙ୍କର ଶୋଇବା ବିଛଣା ଉପରେ ବସି କମଳ ମିଶ୍ର ଖବରକାଗଜ ପଢ଼ୁଛି । ମନୋରମା ଥର ଥର କଣ୍ଠରେ କହିଲେ–

 

ବେଶ୍ ତ–ବେଶ୍ ହେଲା–ଠିକ୍ ଅଛି–କ’ଣ ? ବର୍ତ୍ତମାନ ତୁମର ଆଉ ଅସୁବିଧାଟା କ’ଣ-?

 

ମାତାଜୀ ଇଷତ୍ ଲଜ୍ଜିତ କଣ୍ଠରେ କୁନ୍ଥାଇ କୁନ୍ଥାଇ କହିଲେ–

 

ସେ କଥା ପୁଣି ପାଟିରେ ଖୋଲି କହିବାକୁ ହେବ ? ତୁମେ ଡାକ୍ତର ହୋଇ ରୋଗୀର ଚେହେରା ଦେଖି ବୁଝିପାରିବ ନାହିଁ ମା ? ସେଇ ଅଶରୀରୀ ପୁନର୍ବାର ରୂପ ନେଇଛି ମୋର ଗର୍ଭରେ !! ଅପ୍ରକଟ ପ୍ରକଟ ହେବାକୁ ବସିଛି । ଅରୂପ ଚାହୁଁଚି ରୂପ ନେବାକୁ ।

 

ଲୀଳାନିଧି ତ ! ଲୀଳା ଲାଗି–ଅପ୍ରାକୃତ ପ୍ରେମର ପ୍ରଚାର ଲାଗି–ଆଉ ପରଜୀୟାରସୋଲ୍ଲାସର ଆଉ ଶୁଦ୍ଧ ରାଗାନୁଗା ଧର୍ମର ପ୍ରତିଷ୍ଠା ଲାଗି–ଆଉ ପୁନର୍ବାର ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କରିବା ଲାଗି–ସେ ତ ବାରମ୍ବାର ଏଇ ମର୍ତ୍ତ୍ୟ ଭୂମିକୁ ଫେରିଆସେ ମର୍ତ୍ତ୍ୟ ଦେବକୀର ଗର୍ଭ ପଥ ଦେଇ ! ଏଥର କିନ୍ତୁ ମୋରି ଗର୍ଭରେ ମୂର୍ତ୍ତି ପରିଗ୍ରହ କରିଛି ଦୁଷ୍ଟ । କଅଣ କରିବି କହ ? ବର୍ତ୍ତମାନ–ମୋର ଏଇ ବୟସରେ ମୋତେ ଏଇ ଜଞ୍ଜାଳରେ ପକାଇଦେବାରେ ତା’ର ଆନନ୍ଦ । ହେଉ–ତା’ର ଇଚ୍ଛା ପୂର୍ଣ୍ଣ ହେଉ । ଇଚ୍ଛାମୟ ତ !! ଆଉ କରିବି କ’ଣ କହ-? ଭାବିଲି–ତା’ ଲାଗି ଯେତେବେଳେ ଥରେ ଲାଜସରମ ବିକିଦେଇଛି–ଆଉ ଯା ହବାର ହେଇଯାଉ-। ବ୍ୟସ୍ତ ହୋଇ ଆନନ୍ଦ ବାବାକୁ କହିଲି ସବୁ କଥା ।

 

ଆନନ୍ଦ ବାବା ସବୁ ଶୁଣି କହିଲେ–

 

ଆର ମୁଢ଼ା ! ବ୍ରଜଗୋପାଳର ପରମ ଦୁର୍ଲ୍ଲଭ ଅନୁଗ୍ରହ ଲାଭ କରି ଧନ୍ୟ ହେଲୁ । ସେଇ ଅଶରୀର ମୂର୍ତ୍ତି ପରିଗ୍ରହ କରୁଛି ତୋର ଗର୍ଭରେ । ଲୀଳାନିଧି ଏଥର ଧରାରେ ପ୍ରକଟିତ ହୋଇ ପ୍ରକଟଲୀଳା କରିବ । ତୁ ଚାଲିଯା ଏ ସ୍ଥାନ ଛାଡ଼ି ପବିତ୍ର ଉତ୍କଳ ଦେଶେ–ନୀଳାଚଳେ । ସେଇଠି–ସେଇ କ୍ଷେତ୍ରରେ ତା’ର ପିଲାଟିକୁ ତାକୁ ସମର୍ପଣ କରିଦେଇ ଆସିବୁ । ସେଇ ନୀଳାଚଳରେ ବ୍ରଜଗୋପାଳ ଗୁପ୍ତ ହୋଇ ଅବସ୍ଥାନ କରିଛି–ବୌଦ୍ଧ ରୂପରେ–ଦାରୁବ୍ରହ୍ମ । ତୁ ଚାଲିଯା ଏଠୁ ନୀଳାଚଳେ ।

 

ବାବାଙ୍କ କଥା ମାନି ନବଦ୍ଵୀପ ଛାଡ଼ି ପଳେଇ ଆସିଲି ନୀଳାଚଳ । ଭାବିଲି–ସେଇଠାରେ ଇ ଏଇଟାକୁ ମୁକ୍ତ କରି ତାରି ପାଖରେ ଛାଡ଼ି ଚାଲିଯିବି । ତା’ର ଇଚ୍ଛା ପୂରଣ ହେଉ । ନୀଳାଚଳକୁ ଆସି–ଜଣେ ବୈଷ୍ଣବ ଗୋସାଇଁଙ୍କଠାରୁ ତୋର ସୁନାମ ଶୁଣିଲି ମା’–ସାଧୁ ବୈଷ୍ଣବ ବୈଷ୍ଣବୀ ଆଉ ଗୁରୁ ଓ କୃଷ୍ଣ ପଦରେ ତୋର ଯେ ଗାଢ଼ ଅନୁରାଗ, ସୁଦ୍ଧା ଭକ୍ତି–ସେ କଥା ମୁଁ ସେଇ ଶ୍ରୀକ୍ଷେତ୍ରରେ ଇ ଶୁଣିଲି ମା !

 

ଆଉ କ’ଣ ଶୁଣିଲି ଜାଣ ମା ? ମାତାଜୀ ଟିକିଏ ମନୋରମାଙ୍କ ପାଖକୁ ଘୁଞ୍ଚିଆସି ଖୁବ୍ ଧୀର ସ୍ଵରରେ ଗୋପନ କଥା ଭଳି କହିଲେ–

 

ଶ୍ରୀ କ୍ଷେତ୍ରରେ ଯେଉଁ ରାତିଟା କଟାଇଥିଲି–ସେଇ ରାତିରେ ଯେତେବେଳେ ମୁଁ ଗଭୀର ନିଦ୍ରାରେ ଅଚେତନ, ସେତେବେଳ ସ୍ୱପ୍ନରେ ପୁଣି ଥରେ ଦେଖାଦେଲେ ବ୍ରଜଗୋପାଳ–ଆଉ ମୋର ମୁଣ୍ଡକୁ ଆଉଁସି ଆଉଁସି କହିଲେ–

 

ଓରେ ! ହରିପ୍ରିୟା ! ମୋର ସନ୍ତାନକୁ ଗର୍ଭରେ ଧାରଣ କରି ତୋର ଭୟ କ’ଣ ? ମୁଁ କହି ଦେଉଛି–କାଲି ସୂର୍ଯ୍ୟୋଦୟ ପୂର୍ବରୁ ତୁ ଏଇ କ୍ଷେତ୍ରଠାରୁ ପନ୍ଦର ମାଇଲ ଉତ୍ତର–ପୂର୍ବ ଦିଗରେ ଏକମୁହାଁ ଚାଲିଯା । ମୋର ସନ୍ତାନକୁ ତୁ ଧାରଣ କଲୁ, ସେ କିନ୍ତୁ ତାକୁ ପାଳନ କରିବ ।

 

ସ୍ଵପ୍ନବାଣୀ ଶୁଣି ତୋ ପାଖକୁ ଧାଇଁଆସିଛି । ଆଜି ଇ ଯା ହେବାର ହୋଇଯିବା ଭଳି ଲାଗୁଛି । ମୁଁ ଅନୁଭବ କରୁଛି ମା’–ଗୋପାଳର ସନ୍ତାନ ଆଉ ବେଶୀ କାଳ ରହିବ ନାହିଁ ମୋ ଭିତରେ ବନ୍ଦୀ ହୋଇ । ଓଃ–ଭୀଷଣ କଷ୍ଟ ହେଉଛି ମା’ !......ତୁ କିନ୍ତୁ ମହାଭାଗ୍ୟବତୀ ମା’–ପରମ ସୁଲକ୍ଷଣୀ ! ତୋର ତପସ୍ୟା ମୋଠାରୁ ବି ଅଧିକ । ମୁଁ ତା’ର ସନ୍ତାନକୁ କେବଳ ଧାରଣ କଲି–ତୁ କିନ୍ତୁ ମା’–ଯଶୋଦାର ଭାଗ୍ୟ ନେଇ ଜନ୍ମ ହୋଇଛୁ–ତୁ ତାକୁ ପାଳନ କରିବୁ ।

 

ଓଃ ଓଃ !! ଯାହା ପଛେ ହେଉ ମା’–ଆଉ ପାରିବି ନାହିଁ–ଯାହା କିଛି କରିବାର–ଦେଖି ବ୍ୟବସ୍ଥା କରିଦେ’ ତ ଏଇକ୍ଷଣି–ଓଃ...ଆଃ ! ...କି କଷ୍ଟ ! ଆଃ !! ଆଃ ହାଃ–ଖୁବ୍ ଦୁଷ୍ଟ ହେବ ଏ ପିଲାଟା ମା–ଯାହା କଷ୍ଟ ଦେଲାଣି ନା !! ଓଃ !! ଓହୋ !!!

 

ନିଜର ଉଦରକୁ ଚାହିଁ–ଉଦର ଉପରେ ଥାପୁଡ଼େଇଲା ଭଙ୍ଗୀରେ ମାତାଜୀ ଫେର୍ କହିଲେ–

 

ଆରେ ରହରେ ଗୋପାଳର ଛେଲେ । ଆଉ କ୍ଷଣକାଳ ବି ଅପେକ୍ଷା କରିପାରିବୁ ନାହିଁ-?? ଦେ’ ମା’, ଦେ’–ଆଉ ବୋଧେ ସମ୍ଭାଳି ପାରିବି ନାହିଁ । ଦେ’ ଦେଖି ବ୍ୟବସ୍ଥା କରି–ଓଃ–ଆଃ । ଆ !!! ହା !!!

 

ସ୍ତମ୍ଭୀଭୂତା ମନ୍ତ୍ରମୁଗ୍‍ଧା ମନୋରମାଙ୍କ ମନ ଭିତରେ ଜଣା ଅଜଣାର–ସତ୍ୟ ଓ ରହସ୍ୟର–ଜ୍ଞାନ ଓ ଭକ୍ତିର–ବିଦ୍ରୁପ ଓ ବିଶ୍ଵାସର–ଘୃଣା ଓ ମମତାର ଏକ ଅଭେଦ ସତ୍ୟାନୁଭୂତି–ସର୍ବୋପରି ଜୀବନକୁ ପରିପୂର୍ଣ୍ଣ ଉଦାରତାର ସହିତ ସହଜ ଭାବରେ ଗ୍ରହଣ କରିନେବାର ଏକ ସମ୍ପୂର୍ଣ୍ଣ ନୂତନ ଅଦ୍ଭୁତ ରୋମାଞ୍ଚ ଓ ଆବେଗମୟ ପୁଲକ ଜାଗିଉଠିଲା । ସେ ମାତାଜୀଙ୍କର ପାଖକୁ ଯାଇ ପରମ ଆବେଶରେ ତାଙ୍କୁ ଆଲିଙ୍ଗନ କରି କହିଉଠିଲେ–

 

ଠିକ୍ ଅଛି–ଠିକ୍ ଅଛି ମା’–ସବୁ ବ୍ୟବସ୍ଥା ମୁଁ ତୁମର ବର୍ତ୍ତମାନ କରିଦେବି । ତୁମେ କିଛି ଚିନ୍ତା କର ନାହିଁ । ଆଉ–ଏକଥା ବି ଜାଣିରଖ, ମୁଁ ତୁମକୁ ନିର୍ଭର ପ୍ରତିଶ୍ରୁତି ଦେଉଛି ଯେ ପ୍ରସବ ପରେ ତୁମର ସେ ପିଲାଟାକୁ ମୁଁ ନିଶ୍ଚୟ ପାଳିବି ।

 

ମାତାଜୀଙ୍କର ମୁହଁଟି ଆନନ୍ଦରେ ଉଜ୍ଜ୍ୱଳ ହୋଇଉଠିଲା । ତାଙ୍କର ସେହି ବିସ୍ତୃତ ଆକ୍ଷି ଦୁଇଟିରେ ସେହି ଶିଶୁସୁଲଭ ସରଳ, ସହଜ, ନିରାପତ୍ତା ଭାବ ବିଶ୍ୱାସ ଓ ଆସ୍ଥା ପୁଣି ଫୁଟିଉଠିଲା । ସେ ଆନତ ଚକ୍ଷୁରେ ଧୀରେ ଧୀରେ କହିଲେ–

 

ତୁମର ତା’ହେଲେ ନିଜର କିଛି ପିଲାପିଲି ନାହିଁ ?

 

ନା ।

 

ବିବାହ କରେଛ ?

 

ନା ।

 

ତେବେ–ସେ ଜଣକ–ମାନେ–ସେ କିଏ ?

 

ମନୋରମା କିଛି କହିଲେ ନାହିଁ । ଆଉ ମାତାଜୀଙ୍କର ଏଇ ବାଳସୁଲଭ ସୌଜନ୍ୟବିରୁଦ୍ଧ ଅନଧିକାର ପ୍ରଶ୍ନରେ ବି ସେ ଏତେ ଟିକିଏ ବି ଆହତ ହେଲେ ନାହିଁ । କିନ୍ତୁ ମାତାଜୀ ପୁଣି ପାଟି ଖୋଲିଲେ–

 

ଓ !! ବୁଝେଛି ମା ! ସବୁ ସେଇ ବ୍ରଜଗୋପାଳର ଅନୁକମ୍ପା ମା’ ! କେତେ ରୂପରେ–କେତେ ମାୟା ଲଗାଇ–କେତେ ଜଣଙ୍କ ନିକଟରେ ସେ ଯେ କେତେ ଲୀଳା କରି ଆନନ୍ଦ ପାଏ–ସେ ତତ୍ତ୍ୱ କିଏ ବୁଝିପାରିବ ? ଲୀଳାନିଧି ତୋ !! ତା’ର କରୁଣାରେ ବୀଜରୁ ଗଛ ହୁଏ–ଆଉ ଗଛ ଦେହରେ ଫୁଲ ଫୁଟେ–ଫୁଲରୁ ଜନ୍ମ ନିଏ ଫଳ–ପୁଣି ସେଇ ଫଳ ଦେହରେ ଇ ପୁଣି ହୁଏ ବୀଜର ଉଦ୍‍ଗମ । ତୁଇ ସୁଲକ୍ଷଣୀ–ମହାପ୍ରେମମୟୀ ମା ! ଜୀବନ ତୋର ସୁଖମୟ ହେଉ–ସାର୍ଥକ ହେଉ ତୋର ଜୀବନ–ଆନନ୍ଦରେ ରହ ମା !

 

ମନୋରମା କିନ୍ତୁ ମାତାଜୀଙ୍କର କୌଣସି କଥାରେ ପାଟି ନ ଫିଟାଇ ହାରାମଣିକୁ ଡାକିଲେ । ଆଉ ହାରାମଣି ସାହାଯ୍ୟରେ ସେ ମାତାଜୀଙ୍କୁ ହାସପାତଳର ପ୍ରସବ ବିଭାଗକୁ ନେଇଗଲେ । ଯଥୋଚିତ ପରୀକ୍ଷାଦି କରିସାରି ସେ ପ୍ରସବର ସମସ୍ତ ବ୍ୟବସ୍ଥା କରିଦେଲେ ଏବଂ ଅଭୟ ଦେଲେ ଯେ–ଆଉ ମାତ୍ର କେତେଘଣ୍ଟା ମଧ୍ୟରେ ପିଲା ପ୍ରସବ ହୋଇଯିବ । କୌଣସି ପ୍ରକାର ଅସ୍ଵାଭାବିକ ପରିସ୍ଥିତି ଆଦୌ ନାହିଁ । ତା’ପରେ ସେ ହାରାମଣି ଓ ଜଣେ ଧାଈକୁ ପ୍ରସୂତି ପାଖରେ ଜଗାଇ ଦେଇ କହିଲେ–

 

ତୁମେ ଦୁହେଁ ଏଠି ଜଗିରହ । ଯଦି ଦରକାର ପଡ଼େ–ତେବେ ମତେ ସଙ୍ଗେ ସଙ୍ଗେ ଘରକୁ ଯାଇ ଖବର ଦେବ । ଆଉ ସୁରୁଖୁରୁରେ ପିଲାଟିଏ ହେବା ମାତ୍ରେ ବି ମୋତେ ସାଙ୍ଗେ ସାଙ୍ଗେ ଖବର ଦେବ ।...

 

ଡାକ୍ତରଖାନାରେ ମାତାଜୀଙ୍କର ସମସ୍ତ ବ୍ୟବସ୍ଥା କରିଦେଇ ଚଞ୍ଚଳ ପଦକ୍ଷେପରେ ଘରକୁ ଫେରିଆସିଲେ ଡାଃ ମନୋରମା । ବାହାରେ ଶ୍ରାବଣ ରାତିର ଝଡ଼ ଆଗ ଭଳି ମାତିଉଠୁଛି । ମନୋରମାଙ୍କ ଶିରାରେ ଶିରାରେ ଜୀବନର ଆକାଂକ୍ଷା ତୀବ୍ରଭାବରେ ବାହିତ ହେବାକୁ ଲାଗିଲା । ତାଙ୍କର ସମସ୍ତ ସ୍ନାୟୁ ଭିତରେ ଜୀବନର ଉତ୍ତେଜନା ତାତି ଉଠିଲା ।

 

ମନୋରମା ଅନ୍ଧ ଆବେଗରେ ଶୋଇବା କୋଠରୀ ଭିତରକୁ ପଶିଗଲେ ।

 

କମଳ ମିଶ୍ର ତଥାପି ତାଙ୍କର ବିଛଣା ଉପରେ ଅର୍ଦ୍ଧଶାୟିତ ହୋଇ ଖବର କାଗଜ ପଢ଼ୁଛି-

 

ସୃଷ୍ଟିକ୍ଷମତାତ୍ୟାଗୀ, ନିର୍ବିକାର, ନିଶ୍ଚିନ୍ତ, ସ୍ଵପ୍ନବିଳାସୀ, ଭାବପ୍ରବଣ, ନିଉରୋଟିକ୍ କମଳ ମନୋରମାଙ୍କର ସେହି ନିଃସଙ୍ଗ ବିସ୍ତୃତ ଶଯ୍ୟା ଉପରେ ତଥାପି ଅର୍ଦ୍ଧଶାୟିତ ଭାବେ ଚେଇଁ ବସିଛି-!!

 

ମନୋରମା ଘର ଭିତରେ ପଶି ଧଡ଼୍‍କିନା କବାଟର ଶିକୁଳି ଲଗାଇଦେଲେ । ତା’ପରେ ସୁଇଚ୍ ଟିପି ଭଜ୍ଜ୍ୱଳ ଆଲୁଅଟା ବି ଲିଭାଇ ଦେଲେ । ଶ୍ରାବଣ ରାତିର ଝଡ଼ଝଞ୍ଜାକ୍ଷିପ୍ତ “ତାମସୀ” ଅନ୍ଧକାରର ଢେଉ ହୁ ହୁ ହୋଇ ଝରକା ବାଟେ ଘର ଭିତରକୁ ପଶିଆସିଲା ।

 

ଆଉ ସେହି ଆର୍ଦ୍ର ଶୀତଳ ଝଡ଼ଝଞ୍ଜାକୀର୍ଣ୍ଣ ଆକାଶର ଅନ୍ଧକାର ଭିତରୁ କ୍ଷୁଧିତ ଜୀବନର ପ୍ରେତ ପରିପୂର୍ଣ୍ଣ ଆନନ୍ଦରେ ମଦମତ୍ତ ଅଟ୍ଟହାସ୍ୟରେ ପୃଥିବୀକୁ କମ୍ପାଇଦେଲା–ହାଃ ହାଃ ହାଃ ହାଃ ହାଃ ହାଃ ।

 

ଘର ଭିତରେ ଜୀବନର ସେଇ ଉଦାର ଆନନ୍ଦର ଅନ୍ଧକାର ସମୁଦ୍ର ଭିତରୁ ମନ୍ଥମାନା ମନୋରମାଙ୍କୁ ଆଲିଙ୍ଗନରେ ଆଶ୍ରୟ ଦେଇ ଆବେଗଜଡ଼ିତ କଣ୍ଠରେ ହସିଉଠିଲା କମଳ–ହାଃ ହାଃ ହାଃ–ଜୀବନର ଜୟ ହେଉ ମୀନୁ !!!

 

ସେହି ପରିପୂର୍ଣ୍ଣ ଆନନ୍ଦର ଉଦାର ଅନ୍ଧକାର ଭିତରେ ସମୟର ଆଉ ଅସ୍ତିତ୍ଵ ନ ଥିଲା । ସମୟର ଅସ୍ତିତ୍ଵକୁ ଅନୁଭବ କରିବାକୁ ତା’ ଭିତରେ କେହି ମଧ୍ୟ ନ ଥିଲେ । ସେମାନେ ଏକ ଅସୀମ ଆନନ୍ଦସମୁଦ୍ରର ଅସଂଖ୍ୟ ତରଙ୍ଗ ଭିତରେ ପରସ୍ପରକୁ ନିବିଡ଼ ଭାବରେ ଭିଡ଼ିଧରି ଦୁଇଟି ତରଙ୍ଗ ଭଳି କେବଳ ଆବର୍ତ୍ତିତ ହେଉଥିଲେ । ସେମାନେ ଉର୍ଦ୍ଧ୍ଵକୁ ଫୁଲି ଉଠୁଥିଲେ–ଘୁ ଘୁ ଗର୍ଜନ କରି ଆଗକୁ ଲହରେଇ ଯାଉଥିଲେ । ଧକ୍‍କା ଖାଇ କଚାଡ଼ି ପଡ଼ୁଥିଲେ–ଶ୍ରାନ୍ତକ୍ଳାନ୍ତ ନିଶ୍ଚେଷ୍ଟ ଦୁଇଟି ତରଙ୍ଗ ବେଳାଭୂମିରେ ଛିନ୍ନଛତ୍ର ହୋଇ ଚୂନାହୋଇ ଫାଟି ଯାଉଥିଲେ । ପୁଣି ସେମାନେ ପଛେଇ ଯାଉଥିଲେ–ଥରି ଥରି ଲହରେଇ ଲହରେଇ–ପଛକୁ ହଟି ଆସୁଥିଲେ । ମହାସମୁଦ୍ରର ଅଥଳସ୍ତମ୍ଭିତ ଜଳରାଶିରେ ମିଶି ଏକାକାର ହୋଇ ଯାଉଥିଲେ । ପୁନଶ୍ଚ ସେହି ଅଥଳ ସ୍ଥିର ଜଳରାଶି ଭିତରୁ ଫେନାୟିତ ଉଚ୍ଛ୍ଵାସରେ ସେମାନେ ଲହରେଇ ଉଠିଯାଉଥିଲେ ଊର୍ଦ୍ଧ୍ଵକୁ । ସେମାନେ ଫେଣେଇ ଯାଉଥିଲେ–ଫିଟି ଯାଉଥିଲେ–ଲୋଟି ଯାଉଥିଲେ–ମିଶି ଯାଉଥିଲେ । ସେଠି କେବଳ ଚାଲିଥିଲା–ତରଙ୍ଗିତ, ଉଚ୍ଛ୍ଵସିତ, ଫେନାୟିତ ସମୂତ୍‍ଥିତ, ବିଚ୍ଛୁରିତ, ଲହରାୟିତ ଜଳରାଶିର ଉତ୍‍ଥଳ ଉଚ୍ଛଳ ଆନନ୍ଦର ଅନୁଭୂତିମୟ ଲୀଳା.........

 

......କ୍ରମେ ସମୁଦ୍ରର ଏହି ଉଚ୍ଛ୍ଵସିତ ଆବର୍ତ୍ତନ ସ୍ଥିର ହୋଇଆସିଲା । ମହୋଦଧିର ଏହି ମହାନନ୍ଦମୟ ପ୍ରଳୟ ଆଲୋଡ଼ନ ଶାନ୍ତ ହୋଇଆସିଲା । ଦୁଇଟି ପରିଶ୍ରାନ୍ତ ପରିକ୍ଳାନ୍ତ ଢେଉ ଭଳି ସେମାନେ ନିଶ୍ଚେଷ୍ଟ ହୋଇ ଶୋଇଗଲେ । ......ସେତେବେଳେ ବି ସମୟର କ୍ରିୟା ଆରମ୍ଭ ହୋଇ ନଥିଲା ।

 

ସେହି ଅନ୍ଧକାର–ସମୁଦ୍ରର ପ୍ରଶାନ୍ତି ମଧ୍ୟରେ ମନୋରମାଙ୍କର ମନେ ହେଲା କିମ୍ଵା ସେ ସ୍ଵପ୍ନ ଦେଖିଲେ–ସେ ଯେମିତି ଇତି ମଧ୍ୟରେ ଏକ ପରିପୂର୍ଣ୍ଣ ଜୀବନର ସତ୍ତାକୁ ନିଜ ଭିତରେ ଧାରଣ କରି ସାରିଛନ୍ତି । ସେ ଅନୁଭବ କଲେ–ଏକ ନୂତନ ସୃଷ୍ଟିର ବେଦନାବୋଧ ଲାଗି ଯେମିତି ତାଙ୍କର ସ୍ନାୟୁମଣ୍ଡଳୀ ପ୍ରସ୍ତୁତ ହୋଇ ଉଠୁଛି । ସେ ଯେମିତି ଏଇ ଆନନ୍ଦର ପ୍ରଳୟ ପ୍ରୟୋଧି ଜଳରେ ସମୁତ୍‍ଥିତା ଏକ ପୁଷ୍ପିତା ଲତା ! ଆଉ ସେହି ଲତାର ପୁଷ୍ପେ ପୁଷ୍ପେ ସତେ କି ଏକ ନୂତନ ଫଳଧାରଣର ସଫଳ ପ୍ରତିଶ୍ରୁତି କୋଡ଼ମେଇ ଉଠୁଛନ୍ତି ! ତାଙ୍କର ସେହି ପ୍ରଳୟାନନ୍ଦର ଉଚ୍ଛ୍ଵାସ–ଆବର୍ତ୍ତନ ମଧ୍ୟରେ ସତେ ବା ନିଜର ଅଜାଣତରେ ସେ ଟାଣି ଆଣି ସାରିଛନ୍ତି–ସେଇ ଅପ୍ରକଟ ଆନନ୍ଦ ଘନମୂର୍ତ୍ତିର ବୀଜ ସତ୍ତାକୁ ନିଜର ଗର୍ଭ ଭିତରକୁ !! ସେହି ନିବିଡ଼ ଘନଉଦାର ମହାନନ୍ଦମୟ ସୃଜନଶୀଳ ଅନ୍ଧକାରର ଆଲୋଡ଼ନ ଭିତରେ ଏକ ନୂତନ ସୃଷ୍ଟିର ଭ୍ରୂଣବ୍ୟଞ୍ଜନାକୁ ସେ ପରମ ବିଶ୍ଵାସରେ ଗ୍ରହଣ କରିନେଲେ ।

 

ଆଉ ତାଙ୍କର ସେହି ବିଶ୍ୱାସ ଭିତରେ ସ୍ୱପ୍ନ ଓ ବାସ୍ତବ, ସତ୍ୟ ଓ ମିଥ୍ୟା, ଚିନ୍ତା ଓ ଅନୁଭୂତି ସବୁ ମିଶି ଏକାକାର ହୋଇଗଲା । ତା’ରି ଭିତରେ ସେ ଅନୁଭବ କଲେ ମାତାଜୀଟିର ସେଇ ସ୍ଵପ୍ନର ବ୍ରଜଗୋପାଳର ସନ୍ତାନଟିକୁ, ଯେପରି ସେ ନିଜେ ଇ ଧାରଣ କରି ନେଇଛନ୍ତି । ଆଉ ଅନୁଭବ ବି କରୁଛନ୍ତି–ସେଇ ନୂତନ ପ୍ରକଟ ସମ୍ଭାବନାର ମହାନନ୍ଦମୟ ଗୁରୁ ଚାପର ବେଦନା-!

 

ମନୋରମା ପ୍ରସବବେଦନାରେ ଅସ୍ଥିର ହୋଇଉଠିଲେ–ଅଣନିଶ୍ୱାସୀ ହୋଇପଡ଼ିଲେ–ହାତ ଗୋଡ଼ ଛାଟିଲେ । ତାଙ୍କର ସମସ୍ତ ମାଂସପେଶୀ, ରକ୍ତବାହୀ ନାଡ଼ୀ ସ୍ନାୟୁ ଓ ଶିରାକୁ ଅକଥ୍ୟ ଯନ୍ତ୍ରଣାରେ ଥରାଇ ଦେଇ–ଝଙ୍କାଇ ଦେଇ–ବିଦାରିତ କରି କିଏ ଯେମିତି ଭିତରୁ ମୁକ୍ତି ପାଇବାକୁ କ୍ଷିପ୍ତ ହୋଇଉଠୁଛି !!!

 

ଓଃ !!

 

ଆଃ !!!

 

ହଠାତ୍ ହାସପାତାଳର ପ୍ରସୂତି ଭବନରୁ ଭାସିଆସିଲା–ଏକ ନୂତନ ମାନବଶିଶୁର ପ୍ରଥମ ଭୂମିଷ୍ଠଜନିତ ଆନନ୍ଦ ବେଦନାମୟ ସଙ୍ଗୀତର କୋମଳ କାକଳି !

 

କୁଆଁ–କୁଆଁ–କୁଉଆଁ

 

କୁଆଁ–କୁଉଆଁ–କୁ–ଉ–ଉ–ଉ–ଉ–ଆଁ !!

 

ମନୋରମାଙ୍କ ନିଦ ଚାଉଁକିନା ଭାଙ୍ଗିଗଲା । ଉତ୍ତେଜନାରେ ଚମକିପଡ଼ି ସେ ଡାକିଉଠିଲେ–

 

କମଳ ! କମଳ ! କମଳ !

 

କିନ୍ତୁ କମଳ କେତେବେଳୁ ବିଛଣାରୁ ଉଠି ବାଥ୍‍ରୁମରେ ପଶି ଦାନ୍ତ ଘଷୁଛି । ବହୁବେଳୁ ଝଡ଼ରାତିର ସେଇ ତାମସୀ ଅନ୍ଧକାରର ଗର୍ଭକୁ ବିଦାରଣ କରି ପ୍ରକଟେଇ ଇଠିଲାଣି ମେଘମୁକ୍ତ ସକାଳର । ସତେଜ ସଜୀବ ସ୍ୱର୍ଣ୍ଣକାନ୍ତି ସୂର୍ଯ୍ୟାଲୋକର ଅକୁଣ୍ଠ ଆଶ୍ୱାସନା ।

 

ମନୋରମା ଆକ୍ଷି ମେଲି ଚାହିଁଲେ–ଆଗରେ ହାରାମଣି ଠିଆ ହୋଇଛି ।

 

ପୁଅଟିଏ ମା’ !!

 

ଏଁ ?? ପୁଅଟିଏ ????

 

ଡା:ମନୋରମା ସଦ୍ୟ ପ୍ରସୂତିର କ୍ଳାନ୍ତି ନେଇ ପୁଣି ଥରେ ବିଛଣା ଉପରେ ଢଳିପଡ଼ିଲେ-

☆☆☆

 

Unknown

କପୋତ ପକ୍ଷୀ ଗୁରୁ ମୋର

–ଏକ–

 

ସ୍ତ୍ରୀଙ୍କ ଉପରେ ଦିନକୁ ଦିନ ମନ ତିକ୍ତ ହୋଇ ଉଠିଲାଣି ତୀର୍ଥବାସୀବାବୁଙ୍କର । ହେବ ନାହିଁ ? ପତ୍ନୀ ହେଉଛି ଅର୍ଦ୍ଧାଙ୍ଗିନୀ–ସର୍ବ ଧର୍ମସାଧନାର ସହଯୋଗିନୀ । ଧର୍ମ, ଅର୍ଥ କାମ, ମୋକ୍ଷ–ଏହି ଚାରି ପୁରୁଷାର୍ଥ କେବଳ ପତ୍ନୀଙ୍କୁ ନେଇ ହିଁ ପ୍ରାପ୍ତ ହୋଇଥାଏ । ମାତ୍ର କ’ଣ ହେଲା ? ଓ ବର୍ତ୍ତମାନ ବି କ’ଣ ହେଉଛି ?

 

ତୀର୍ଥବାସୀବାବୁ ପ୍ରାୟ ବିରକ୍ତହୋଇ ଉଠିଲେଣି । ମନୁଆବୋଉକୁ ନେଇ ଆଉ କିଛି ହେବ ନାହିଁ । ଅନ୍ତତଃ ଧର୍ମ ଆଉ ମୋକ୍ଷସାଧନରେ ମନୁଆବୋଉ ବରଂ ଗୋଟାଏ ଅନ୍ତରାୟ । ଜୀବନଟାଯାକ ସଂସାରଜଞ୍ଜାଳରେ ଘାଣ୍ଟି ହୋଇ କୃମି ପାଲଟିଲାଣି । ତଥାପି ତା’ର ଚେତା ପଶୁ ନାହିଁ । ‘ୟାପ ମୂର୍ଖ, କିଛି ବୁଝିଲା ନାହିଁ । କିଛି ବୁଝିବ ବି ନାହିଁ ।’

 

ଯଥେଷ୍ଟ ତ ହୋଇଗଲା । ବଡ଼ ଦରିଦ୍ର ଅବସ୍ଥାରୁ ପାଠ ପଢ଼ି ସାମାନ୍ୟ ଚାକିରିଟିଏ କରିଥିଲେ । ନିଜର କର୍ମନିପୁଣତା, ସାଧୁତା ଓ ଅଧ୍ୟବସାୟ ଫଳରେ ତାଙ୍କୁ ଚାହିଁ ଚାକିରିର ସେ ଯଥେଷ୍ଟ ଉପରକୁ ଉଠିଛନ୍ତି । ସବୁ ଅଭାବ ଭଗବାନ୍ ଦୂର କରି ଦେଇଛନ୍ତି । ତିନି ପୁଅ, ଗୋଟିଏ ଝିଅ । ସେମାନେ ସବୁ ପାଠ ପଢ଼ି ଜୀବନର ଯଥେଷ୍ଟ ଉନ୍ନତ ସ୍ତରକୁ ଉଠିଲେଣି । ସେମାନେ ବିବାହ କଲେଣି, ଯଥେଷ୍ଟ ଟଙ୍କା କମେଇଲେଣି । ପ୍ରତିପତ୍ତି ବଢ଼ିଲାଣି ସେମାନଙ୍କର । ଘରେ ନାତି, ନାତୁଣୀ, କୁକୁର, ମାଙ୍କଡ଼, ପଶୁପକ୍ଷୀ, ଚାକର ବାକର–ମଟର । ଏଡ଼େ ସାନ କୋଠାଟିକୁ ପିଲାଏ ବଢ଼େଇଦେଲେଣି ରାଜପ୍ରାସାଦ ସ୍ତରକୁ । ଆଉ କାହିଁକି ? ସେମାନଙ୍କ କଥା ଏବେ ସେମାନେ ବୁଝନ୍ତୁ, ତାଙ୍କୁ ରାଜ୍ୟଭାର ସମର୍ପଣ କରିଦେଇ ଏଣିକି ବାନପ୍ରସ୍ଥ କରିବାକୁ ହେବ ।

 

‘ମାତ୍ର ମନୁଆବୋଉ କ’ଣ ବୁଝୁଛି ଏ କଥାର ମର୍ମ ?’ କେତେ କେତେ ଦୁଃଖର ଦିନ ଆସିଛି ସେମାନଙ୍କର ଜୀବନରେ । ଟଙ୍କା ଚାଳିଶିଟି ଦରମା । କୁଆଡ଼କୁ ପାଏ ନାହିଁ । ସେତେବେଳେ ମନୁଆବୋଉ କେତେ କଷ୍ଟରେ ତାଙ୍କ ସଂସାରକୁ ଜଗିରଖି ଚଳାଇ ଆଣିଛି । ବର୍ତ୍ତମାନ ପିଲାଙ୍କ କୁକୁରମାନେ ଯାହା ଖାଉଛନ୍ତି, ସେମାନେ ଦିନେ ସେତିକି ମଧ୍ୟ ପାଉ ନ ଥିଲେ । ବର୍ତ୍ତମାନ ଢେର୍ ହେଲାଣି । ପିଲାଏ ଢେର୍‍ ଉପରକୁ ଉଠିଲେଣି । ଏଇମାନଙ୍କୁ ବଢ଼େଇ କୁଢ଼େଇ ମଣିଷ କରିବା ଲାଗି ସେମାନେ ଯଥେଷ୍ଟ ଖଟିଛନ୍ତି–ଯଥେଷ୍ଟ ତ୍ୟାଗ କରିଛନ୍ତି । ଆଉ ଏଣିକି ଏ ପଙ୍କରେ ଘାଣ୍ଟି ନ ହୋଇ ମୋକ୍ଷପଥରେ ଆଗେଇ ଯିବାକୁ ହେବ ।

 

ତୀର୍ଥବାସୀବାବୁ ବହୁବାର ସ୍ତ୍ରୀଙ୍କୁ ବୁଝାଇଲେଣି–ଏସବୁ ଛାଡ଼, ଚାଲ ପଳେଇବା ପୁରୀ କ୍ଷେତ୍ରକୁ । ସେଠି ତ ଛୋଟିଆ କୁଡ଼ିଆ ଖଣ୍ଡିଏ ବାପ ଅମଳରୁ ଅଛି । ସେଇଠି ଶେଷ ଜୀବନ କଟାଇବା–ନୀଳଚକ୍ରକୁ ଚାହିଁ ଚାହିଁ ଶେଷ ନିଶ୍ଵାସ ଛାଡ଼ିବା । ଛାଡ଼ ଏ ସଂସାର–ମାୟା–ଜଞ୍ଜାଳ ।

 

ଏଇଭଳି ଯିବେ ଯିବେ ବୋଲି ବହୁବାର ଅନୁକୂଳ କଲେଣି । ମାତ୍ର ମନୁଆବୋଉ ସବୁଥର ବିଗାଡ଼ୁଛି । କିଛି ନା କିଛି ଗୋଟାଏ ଅଘଟଣ ଘଟିଯାଉଛି, ତୀର୍ଥଯାତ୍ରାର ଯୋଗ ଭାଙ୍ଗିଯାଉଛି । ମନୁଆ ବୋଉଙ୍କ ଉପରେ ତୀର୍ଥବାସୀବାବୁଙ୍କର ସବୁବେଳେ ଅବିଶ୍ଵାସ ରହି ଆସିଛି-। ତାଙ୍କର ଧାରଣା–ସ୍ତ୍ରୀ ଲୋକଟାର ଘୋର ସଂସାର ଆସକ୍ତି । ଅସଲ କଥା, ମନୁଆବୋଉର ମନ ଦୃଢ଼ ହୋଇନାହିଁ । ସଂସାରର ମାୟାଜାଲକୁ କାଟି ସେ ମୁକ୍ତ ହୋଇପାରୁ ନାହିଁ-। ମାତ୍ର ତୀର୍ଥବାସୀ ବାବୁଙ୍କର ଚେଷ୍ଟାରେ ଅନ୍ତ ନାହିଁ । ସୁବିଧା ପାଇଲେ ସେ ତାଙ୍କୁ ନାନାଦି ପୁରାଣ, ଶାସ୍ତ୍ର, ଭାଗବତ ଶୁଣାଇ ତାଙ୍କର ମନକୁ ମୋକ୍ଷ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛନ୍ତି-। ମନୁଆବୋଉ ସବୁ ବୁଝେ; ମାତ୍ର ଠିକଣା ବେଳକୁ ସବୁ ତା’ର ବିଗିଡ଼ିଯାଏ । ଯୁଦ୍ଧକ୍ଷେତ୍ରକୁ ଯିବା ଲାଗି ସଜ ହୁଏ; ମାତ୍ର ଯୁଦ୍ଧବାଜା କାନରେ ପଡ଼ୁ ପଡ଼ୁ ପୁଣି ଲାଙ୍ଗୁଳ ଜାକି, ସାଇ କାଞ୍ଜିପାଣି ହାଣ୍ଡି ଭିତରେ ଲୁଚିବସେ । ଏଇମିତି କରି କରି ସେ ନିଜେ ତ ଏ ସଂସାରନରକରେ ସଢ଼ୁଛି, ତାଙ୍କୁ ମଧ୍ୟ ଏଠି ସଢ଼ାଉଛି ।

 

ସେଦିନ ଦୁଇପ୍ରହରେ ସୁଯୋଗ ପାଇ ସେ ସ୍ତ୍ରୀଙ୍କୁ ଡାକିଲେ–ଦେଖ ମନୁଆବୋଉ । ଆଜି ଏ ପଙ୍କ ଭକ୍ତରେ ଲଟପଟ ହେଉଛ କାହିଁକି ? ପିଲାଙ୍କ ସଂସାର ଏବେ ପିଲାଏ ବୁଝନ୍ତୁ । ବୁଝନ୍ତୁ ସେ ତାଙ୍କର ଘରବାଡ଼ି, ବାଗ ବଗିଚା, ଚାଷ, ରୋଷେଇ, ପିଲାପିଚିକା । ଆମର ପେନ୍‍ସନ୍ ଗଣ୍ଡାକ ଅଛି । ଜୀବନବୀମାରେ କିଛି ଟଙ୍କା ମଧ୍ୟ ଅଛି । ବଞ୍ଚିଥିବାଯାଏ ଜଗନ୍ନାଥଙ୍କର ଶୁଖିଲା ବଗଡ଼ା ଅଭଡ଼ା ମୁଠାଏ ଆମକୁ ଖାଇବାକୁ ନିଶ୍ଚେ ମିଳିବ । କଳିଷଠା ଷାଠିଏ ହେଲାଣି ମତ–ତୁମକୁ ବି ସେମିତି ପାଖାପାଖି ହେଲାଣି । ଆଉ କେଇଟା ବର୍ଷ ବା ? ଆଉ କାହିଁକି ମନୁଆକୋଉ-! ସେ ମାୟାକୁ ଆଉ କାହିଁକି ଯାଉଛ ! ଛାଡ଼ ସବୁ ଏଣିକି ବାନପ୍ରସ୍ଥ । ଆସ–ଏଣିକି ଆସ । ଆଣିବଟି ସେଠୁ ଜଗନ୍ନାଥ ଦାସଙ୍କ ଭାଗବତ ଏକାଦଶ ସ୍କନ୍ଧ । ଏଣିକି ଆସ–ଆସ–ବସ ଏଠି ଖଟ ଉପରେ ! ଶୁଣ, ଭଗବାନ୍ ଶ୍ରୀକୃଷ୍ଣଙ୍କ ମୁଖନିସୃତ ବାଣୀ ।

 

ମନୁଆବୋଉ ଏକାଦଶ ସ୍କନ୍ଧ ଭାଗବତ ଆଣି ସ୍ଵାମୀଙ୍କ ହାରକୁ ବଢ଼ାଇଦେଇ ତାଙ୍କ ପାଖରେ ଖଟ ଉପରେ ବସିଲେ । ଖରାଦିନର ଏ ଦୁଇପ୍ରହର । ଘରେ କିଛି ଆଉ କାମ ନାହିଁ । ପିଲାଏ ସବୁ ସ୍କୁଲରେ । ବୋହୂମାନେ ଯେଝା ଘରେ ସେ ଶୋଇଛନ୍ତି । ମନୁଆବୋଉ ଶାସ୍ତ୍ର କାହାଣୀ ଶୁଣିବାର ଉତ୍ସୁକତା ନେଇ ସ୍ଵାମୀଙ୍କ ପାଖରେ ବସିଲେ । ପାନଡିବାରୁ ଖଣ୍ଡିଏ ପାନ କାଢ଼ି ପାକୁଆ ପାଟିରେ ପୂରାଇ ଲାଳେଇ ହସି ହସି ସେ କହିଲେ–ହଉ ପଢ଼ ।

 

ତୀର୍ଥବାସୀବାବୁ ସଂସାର–ମାୟାମୋହଗ୍ରସ୍ତା ମୂଢ଼ା ସ୍ତ୍ରୀଙ୍କୁ ଏପରି ଧର୍ମଶାସ୍ତ୍ର ଶୁଣାଇବାର ସୁଯୋଗ ଖୁବ୍ କମ୍ ପା’ନ୍ତି । ତେଣୁ ସେ ସ୍ତ୍ରୀଙ୍କର ଏହି ଧର୍ମଶାସ୍ତ୍ର ମନଯୋଗରେ ପରମ ଉତ୍ସାହିତ ହୋଇ ଖୁବ୍ ସରଳ ଗ୍ରାମ୍ୟ ଓ ନାରୀସୁଲଭ ଭାଷାରେ ଭାଗବତ ବୁଝାଇ ଲାଗିଲେ–

 

ଶୁଣ ! ଯଦୁରାଜା ପୁଚ୍ଛା କରୁଛନ୍ତି ଯୋଗୀ ଅବଧୂତଙ୍କୁ–ହେ–ମୁନେ ! ଏହି ଭବବନ୍ଧନରୁ ତୁ ଯେ ମୁକ୍ତ ପୁରୁଷ ବୋଲାଇଛୁ, କିପରି ତୁ ଏ ମାୟାରୁ ମୁକ୍ତି ପାଇଲୁ ! କହ ତୋର ଗୁରୁ କିଏ ? ଅବଧୂତ କହିଲେ–ହେ ରାଜନ୍ ! ମୋର ଛବିଶି ଗୁରୁ । ଗୋଟି ଗୋଟି କରି ମୁନି ବୁଝାଇଦେଲେ ଯଦୁରାଜାଙ୍କୁ–ଅଗ୍ନି ମୋର ଗୁରୁ–ପବନ ମୋର ଗୁରୁ–ଆକାଶ ମୋର ଗୁରୁ–ଅଜଗର ମୋର ଗୁରୁ-

 

ସେଇଠୁ–

 

ତୀର୍ଥବାସୀବାବୁ ସୁର ଧରି ଭକ୍ତିତଦ୍‍ଗତ କଣ୍ଠରେ ଭାବପ୍ରବଣ ହୋଇ ଗାଇଲେ–

 

(ଆରେ) “କପୋତ–ଅ–ଅ–ଅ ପକ୍ଷୀ ଗୁରୁ ମୋର

 

ଶୁଣ ରା–ଆ–ଆଜନ ସେ ବେଭାର ।”

 

ଘୋର ବନସ୍ତ ମଧ୍ୟରେ କପୋତ ପକ୍ଷୀଟିଏ କପୋତୀକୁ ଘେନି ବାସ କରିଥାଏ । ବଡ଼ ଆନନ୍ଦରେ ସେମାନେ ଥା’ନ୍ତି । ସଂସାରର ମୋହମାୟାରେ ଘାରି ହୋଇ କାମସୁଖରେ ସେମାନେ କାଳ କାଟୁଥାନ୍ତି । କେହି କାହାକୁ ଦଣ୍ଡେ ଛାଡ଼ି ସୁଦ୍ଧା ରହନ୍ତି ନାହିଁ । ନିତ୍ୟ କ୍ରୀଡ଼ା ରଙ୍ଗରେ ମାତୁଥାନ୍ତି-। ଏକାଠି ଖାଆନ୍ତି–ଏକାଠି ଶୁଅନ୍ତି । କପୋତୀ ଯେତେବେଳେ ଯୋଉ କଥା ଲାଗି ଅଳି କରେ, ସଙ୍ଗେ ସଙ୍ଗେ କପୋତ ତାକୁ ଆଣି ସେ ଦ୍ରବ୍ୟ ଦିଏ । ଆମର ବାହାଘର ପରେ ପରେ ତୁମର ସେ ଦିନଗୁଡ଼ାକ କଥା ମନେ ଅଛି ନା ? ସେଇମିତି ସେମାନେ ସଂସାର ସୁଖରେ ମତ୍ତୁଆଳ ହୋଇଥାନ୍ତି-। ଦିନେ କ’ଣ ହେଲା ନା–କପୋତୀର ଗର୍ଭ ଉପୁଜିଲା । ବାପ ମାଆ ଭାରି ଖୁସି ହୋଇ ଡିମ୍ଵ ତାପିଲେ । କିଛି ଦିନ ପରେ ଡିମ୍ଵ ଫୁଟିଲା । ଦୁଇଟି ଅତି ସୁନ୍ଦର ଛୁଆ ସେ ଡିମ୍ବ ଦୁଇଟିରୁ ବାହାରିଲେ । ପିଲାଏ କ୍ରମେ କ୍ରମେ ବଢ଼ିଲେ । ପିଲାଙ୍କୁ ଦେଖି ବାପ ମାଆଙ୍କର ଆନନ୍ଦ ଆଉ ଦେଖେ କିଏ ?

 

(ଆରେ) “ଅତି କୋ–ଓ–ଓମଳ ବେନି କାୟେ

 

ଦେଖି ସା–ଆ–ଆନନ୍ଦ ବାପ ମାୟେ ।

 

ପୁତ୍ରଙ୍କ–ଅ–ଅ–ଅ କୋମଳ ବଚନ

 

ଶୁଣନ୍ତେ–ଏ–ଏ–ଏ ମୁଦ୍ରିତ ଲୋଚନ ।

 

ପତଙ୍ଗ–ଅ–ଅ–ଅ ଦେଇଣ ଆହାର

 

ପାଳନ୍ତି–ଇ–ଇ–ଇ ହୋଇ ସ୍ନେହଭର ।”

 

ଆଃ !! କି ସୁନ୍ଦର ପଦାବଳୀ । ତମର ମନେ ପଡ଼ୁଛି–ସେଇ ଯୋଉ ବରଷ ଆମେ ପୁରୀରେ ଥିଲେଇଁ–ବାପାଙ୍କ ଅମଳର ସେଇ ଦି’ ବଖରା ମାଟି ଚାଳ ଘରେ–ମନୁଆ ଯୋଉ ବର୍ଷ ଜନ୍ମ ହେଲା–ତୁମର ତ ନିଶ୍ଚେ ମନେଥିବ–କେମିତି–କେମିତି ଗୁଣ୍ଡିଚାବାଡ଼ୀ ପାଖେ ସେ ବ୍ରାହ୍ମଣୀ ବୁଢ଼ୀ ଭଲ ଦୁଧ ଦିଏ ବୋଲି–ପ୍ରତିଦିନ ସକାଳୁ ଦାନ୍ତ ନ ଘଷି ଜଳଖିଆ ନ ଖାଇ–ଢାଳଟିଏ ସାଇକେଲରେ ବାନ୍ଧି ନିତି ପାଞ୍ଚ ମାଇଲ ବାଟ ଯାଏ ଆଉ ଆସେ । କେମିତ ଶୀତଦିନେ ରାତିଯାକ ମନୁଆ ଶେଯରେ ମୁତୁଥାଏ–ଆଉ ରାତିଯାକ କାନ୍ଦି କାନ୍ଦି ତୁମକୁ ଶୁଆଇ ଦିଏ ନାହିଁ–ମୁଁ ବି ଜମା ରାତିଯାକ ଶୋଇପାରେ ନାହିଁ–ବିରକ୍ତ ହୁଏ–ତୁମେ ବି ବିରକ୍ତ ହୋଇ କୁହ–ଯାଉନ–ଆର ଘରେ ଶୋଇବ; କିନ୍ତୁ ମୁଁ ଆଉ ଆର ଘରେ ଶୋଇପାରେ କି ? ଆର ଘରେ ଶୋଇଲେ ବି ମନୁଆର କାନ୍ଦ କାନରେ ବାଜିବା ମାତ୍ରେ ନିଦ ଭାଜିଯାଏ । ତୁମ ପାଖକୁ ଦଉଡ଼ିଆସି ତୁମକୁ ଉଠାଏ–ତୁମେ କିନ୍ତୁ ଶୀତ ରାତିରେ ବି ସେଇ ମୂତ–ସମୁନ୍ଦ୍ରରେ ଲୋଟୁଥାଅ–ଦିନଯାକ ଖଟି ଖଟି ତୁମକୁ ନିଦ ହୋଇଯାଏ–ମାତ୍ର ମନୁଆର କାନ୍ଦରେ ମୁଁ ଜମା ଶୋଇପାରେ ନାହିଁ । କାହିଁକି ଏମିତି ହୁଏ ଜାଣିଛ-?

 

ମନୁଆବୋଉ ଲାଜରା ହୋଇ ତଳକୁ ମୁହଁ ପୋତି ବସି କଥା ଶୁଣୁଥାନ୍ତି । ବାରମ୍ଵାର ଏ ପ୍ରଶ୍ନ ଶୁଣି ସେ ସ୍ଵାମୀଙ୍କ ମୁହଁଙ୍କୁ ଚାହିଁ ହସି ହସି କହିଲେ–

 

କାହିକି ଆଉ କ’ଣ ? ସେତେବେଳେ ତ ତୁମକୁ ଭଲ ନିଦ ହେଉ ନ ଥିଲା ବୋଲି–କ’ଣ ଓଷଦ ଖାଉଥିଲ–ଭାଙ୍ଗ ବି ଟିକିଏ ଟିକିଏ ଖାଉଥିଲ–

 

ତୀର୍ଥବାସୀବାବୁ ନିଜ ଜଙ୍ଘ ଉପରେ ପଟାସକିନା ଗୋଟାଏ ଥାପଡ଼ ମାରି ଉତ୍ତେଜିତ କଣ୍ଠରେ କହିଲେ–

 

ଆହେ ନାହିଁ ହେ ! ନିଦ ହେଉ ନ ଥିଲା ! କିଓ ନିଦ କାହିଁକି ହେଉ ନ ଥିଲା ? ଶୁଣ ଦାସେ କ’ଣ କହୁଛନ୍ତି–

 

(ଆରେ) “ବିଷ୍ଣୁଙ୍କ–ଅ–ଅ–ଅ ମାୟା ବଳେ ଯନ୍ତ୍ରୀ

 

ପାଳନ୍ତି–ଇ–ଇ–ଇ କପୋତ କପୋତୀ ।”

 

ମାୟା–ମାୟା–ଘୋର ମାୟା ମନୁଆ ବୋଉ ! ବିଷ୍ଣୁର ମାୟାଜାଲ ଛିନ୍ନ କରିବା ବଡ଼ କଷ୍ଟ । ସେହି ମାୟାଜାଲ ଘେରିଥିଲା ସେତେବେଳେ । ଛାଡ଼ି ଆସୁଛି–ଛାଡ଼ି ଆସିଲାଣି । କିନ୍ତୁ ତୁମର ଛାଡ଼ିବ ନାହିଁ–ଧରିଥିବ–ଧରିଥିବ–ତୁମକୁ ନିଶା ଛାଡ଼ିବ ନାହିଁ ।

 

ମନୁଆବୋଉ କଥାଟି ଶୁଣୁଥିଲେ ମନ ଦେଇ । ଭଲ କଥାଟିଏ–ଖାସା କଥାଟିଏ । କପୋତ ପକ୍ଷୀଙ୍କ କଥା ତ ଖାଲି ନୁହଁଇ, ଆମରିମାନଙ୍କ କଥା । ଭଲ ଲାଗୁଥିଲା, କିନ୍ତୁ ତାଙ୍କ ଉପରେ ସ୍ୱାମୀଙ୍କର ଏହି କଟୁ ମନ୍ତବ୍ୟ ଶୁଣି ସେ ଧୀରଗଳାରେ ନିଜର ପ୍ରତିବାଦ ଜଣାଇଲେ । ସ୍ୱାମୀଙ୍କୁ ସେ ଚିରଦିନ ଭୟ କରନ୍ତି । ବଡ଼ ପାଟିରେ କେବେ ତାଙ୍କ କଥାରେ ପ୍ରତିବାଦ କରନ୍ତି ନାହିଁ-। ଏ ବୁଢ଼ୀ କାଳରେ ବି ସେ ସେମିତି ଲାଜରା ଆକ୍ଷିରେ ଚାହିଁ ମୃଦୁକଣ୍ଠରେ ପ୍ରତିବାଦ ଜଣାଇଲେ ଅଭିମାନ ସ୍ୱରରେ–

 

ମୋର ତ ସବୁଯାକ ମାୟା । ଆଉ ତୁମେ ଭଲ ସବୁ ମାୟା ଛାଡ଼ିଛ ?

 

ତୀର୍ଥବାସୀବାବୁ ଚିହିଁକି ଉଠି କହିଲେ–ଆମେ ମାୟା ଛାଡ଼ିନୁ ? ପିଲାଙ୍କ କଥାରେ, ବୋହୁମାନଙ୍କ କଥାରେ କି ନାତି–ନାତୁଣୀଙ୍କ କଥାରେ ମୁଁ ଆଜିକାଲି ଆଉ ମୁଣ୍ଡ ପୂରାଏ ? ସତ କହ । ସେମାନେ ତାଙ୍କ ଇଚ୍ଛା ଯାହା କରୁଛନ୍ତି–କରୁଛନ୍ତି । ମୋର କ’ଣ ଯାଏ ଆସେ ? କହ, କୋଉ କଥାରେ ମୁଁ ଆଉ କାହାକୁ କ’ଣ କହୁଛି ? କେହି ଭଲା ଆଜିକାଲି ମୋ ପାଖ ମାଡ଼ୁଛନ୍ତି ?

 

ମନୁଆବୋଉଙ୍କର ଟିଇକ କଥାରେ କାନ୍ଦି ପକାଇବା ଅଭ୍ୟାସ । ସେ ଛଳଛଳ ଆକ୍ଷିରେ କହିଲେ–

 

ମୁଁ କାହାର କୋଉ କଥାରେ ଆଉ ପାଟି ଫିଟାଉଛି କି ? ସେଇ ନାତି–ନାତୁଣୀ ହୋଇ ଦି’ ଚାରିଟା ମୂଷା ବିଲେଇ ଅଛନ୍ତି ଯେ ତାଙ୍କରି ଲେଞ୍ଜରା ତ ସେ ବୋହୁମାନେ ପାରୁନାହାନ୍ତି–ମୁଁ ଟିକିଏ.......

 

ତୀର୍ଥବାସୀବାବୁ ପ୍ରଧାନ ସୂତ୍ରଟି ପାଇଯିବା ଭଳି ଉତ୍ତେଜିତ କଣ୍ଠରେ ପାଟି କରିଉଠିଲେ–

 

ସେଇ–ସେଇ–ସେଇ କଥାଟି ମୁଁ କହୁଛି । ସେଇ ନାତି ନାତୁଣୀଙ୍କ ସାଙ୍ଗରେ ବାବୁ ତୁମର ଏତେ ଆଉ ପ୍ରେମ କାହିଁକି ? ସେମାନେ ଏ ବୟସରେ ମାୟା କମାଉଛନ୍ତି ନା ବଢ଼ାଉଛନ୍ତି-?

 

ମଲା ! ସେ ମାଙ୍କେଡ଼ା ପିଲା କେଇଟା ପୁଣି କି ମାୟା ବଢ଼ାଉଛନ୍ତି ମ ? ବଞ୍ଚିଥାଇ ବୋଲି ନାରଖାର ହେବାର ଦେଖିଲେ ଦେହ ସହୁ ନାହିଁ । ସେ ପିଲାଏ ବି ମୋତେ ସେମିତି ଦଣ୍ଡେ ଛାଡ଼ୁ ନାହାନ୍ତି । ଏ ବୋହୂମାନଙ୍କର କ’ଣ ପିଲା ବୁଦ୍ଧି ଛାଡ଼ିଲାଣି ! ମଝିଆଁ ବୋହୁ କଥା ଶୁଣିବ ? କାଲି ଫୁକୁନା ଡବାଏ ଚକୋଲେଟ ଆଣି ଦେଇଥିଲା ପିଲାଙ୍କ ପାଇଁ । ମଝିଆଣୀ କ’ଣ କରିଛି ନା ପିଲାଙ୍କୁ ତ ଯାହା ଦେଲା ଦେଲା–ବଡ଼ବୋହୂ ଆଉ ସାନବୋହୂଙ୍କ ସାଙ୍ଗେ ସେତକ ସବୁ ନିଜ ପାଟିରେ ପକେଇଦେଲେ । ୟାଙ୍କୁ ପିଲା କହିବ ନାହିଁ ତ ଆଉ କାହାକୁ କହିବି ? ୟାଙ୍କର ତ ପିଲାଙ୍କ ଦରବ ଉପରୁ ଲୋଭ ଛାଡ଼ିନି–ଲାଗିଛି । ମୁଁ କହିଲି–କିଲୋ ସବାଖାଈର ଝିଅ ! ପିଲାଙ୍କ ଦରବ ପିଲାଏ ଖାଇବେ ନା ତୁମେ ଖାଇବ ? ମଝିଆଣୀ କ’ଣ କହିଲା ଜାଣିଚ ? ସେ ତ ଓକିଲ ଝିଅ–ତା’ କଥାରେ ବାଟୁଳି ବାଜିବ ନାହିଁ । କହିଲା–ମାଆ ! ଆପଣ ଥାଉଁ ଥାଉଁ କ’ଣ ଆମେ ବୁଢ଼ୀ ହୋଇଯିବୁ ? ଆପଣ ବଞ୍ଚିଥିବା ଯାଏଁ ଆମେ ପିଲା ହୋଇ ରହିଥାଉଁ । ଆପଣଙ୍କ ଦେହ କିଆଁ ସହୁ ନାହିଁ ମାଆ ? ଆପଣ ଆମ ଭଳିଆ ହୋଇଥିବା ବେଳେ ଆପଣଙ୍କ ଶାଶୁ ନ ଥିଲେ ନା ସେଇଥିଲାଗି–ଶୁଣ କଥା !

 

ମନୁଆବୋଉ ଡବାରୁ ପାନ ଖଣ୍ଡିଏ କାଢ଼ି ପାକୁଆ ପାଟିରେ ପୂରେଇ ଆତ୍ମତୃପ୍ତିରେ ହସି ହସି ଗଡ଼ିଗଲେ ।

 

ଏତେବେଳ ଯାଏ ତୀର୍ଥବାସୀବାବୁ କ୍ରୁଦ୍ଧ ସର୍ପ ଭଳି ଫଣା ଟେକି ସ୍ତ୍ରୀଙ୍କର କଥା ଶୁଣୁଥିଲେ । ତାଙ୍କର ମନ ଏ କଥାରେ ଏକବାର ବିଷାକ୍ତ ହୋଇଉଠିଲା । ଇସ୍–ଓ ! ବି ମାୟାମୋହରେ ପଡ଼ି ଏ ପାପିନୀ ଘାଣ୍ଟି ହେଉଛି ? ଏଇସବୁ ଭେଳିକି ଦେଖାଇ–ମନମତାଣିଆ କଥା କହି ସଂସାର ଯେ ତାକୁ ଜାଲରେ ଛନ୍ଦି ଶୋଷି ଶୋଷି ଚୋପା କରୁଛି–ମୁଢ଼ା ପାପିୟସୀ ନାରୀ ଏ କଥା ବୁଝିପାରୁ ନାହିଁ । ତାକୁ ସୁଖ ଲାଗୁଛି ଏସବୁ । ବୁଝିପାରୁନି–ଏସବୁ କେହି କାହାର ନୁହନ୍ତି । ଗଲାବେଳେ ଏମାନେ କେହି କାହାର ନୁହନ୍ତି । ଗଲାବେଳେ ଏମାନେ କେହି ସାଙ୍ଗରେ ଗୋଡ଼ାଇ ଯିବେ ନାହିଁ ।

 

‘ଘଟ ଛୁଟିଲେ ତୋତେ ବୋଲିବେ ଭୂତ ରେ– ।’

 

ସେମାନେ ପଇସା କମେଇଲେଣି । ତୁମ ମଲା ବାସୀ ଜାକଜମକରେ ବନ୍ଧୁବାନ୍ଧବଙ୍କୁ ଡାକି, ଡାଲି ଭାତ, ମାଛ, ପାୟସ ଖାଇବେ–ଖୁଆଇବେ । ତା’ପରେ ଶୁଝିଗଲା ତାଙ୍କର ମାତୃଋଣ ଓ ପିତୃଋଣ । ନାତି ନାତୁଣୀ ତ କିଛି ମନେ ରଖିବେ ନାହିଁ । ମନେ ରଖିଲେ ବା କ’ଣ ହୋଇଯାଉଛି ! ଆସିଥିଲୁ ଏକା ମନ ଯିବୁ ମଧ୍ୟ ଏକା ! ଏକା ହରିନାମ ସାର । ସେଇ ଯିବ ସଙ୍ଗରେ । ମୁଢ଼ା ଜାଣୁ ନାହିଁ କି ଜାଣିବାର ଚେଷ୍ଟା ମଧ୍ୟ କରୁ ନାହିଁ ।

 

ଘୋର କ୍ରୋଧରେ ଫଅଁକିନା ଚୋଟ ମାରି ତୀର୍ଥବାସୀବାବୁ କହିଲେ–

 

ଶୁଣୁଥାଅ–ଶୁଣୁଥାଅ–ବସି ବସି ଶୁଣୁଥାଅ–ଦେଖୁଥାଅ, ଚାଖୁଥାଅ–ଅଣଚାଶ ବହିଲା ବେଳକୁ କେହି ଦିଶିବେ ନାହିଁ–କିଛି ଶୁଭିବ ନାହିଁ–କିଛି ଗଳିବ ନାହିଁ ତଣ୍ଟିରେ–ଶୁଣୁଥାଅ ।

 

ତୀର୍ଥବାସୀବାବୁ ବିରକ୍ତିରେ ଉଠି ଠିଆ ହେଲେ । ମନୁଆବୋଉ ତାଙ୍କ ହାତ ଧରିପକାଇ ଅନୁଯୋଗଭରା କଣ୍ଠରେ କହିଲେ–

 

ମଲା । ଡାକିଲ ଶାସ୍ତ୍ର ଶୁଣାଇବ ବୋଲି, ଫେର ଏମିତି ରାଗି ଉଠିଲ କାହିଁକି ମ ? ସବୁବେଳେ ଏମିତି ଟିଇକ କଥାରେ ଚିଡ଼ିଚିଡ଼ି ହେଉଛ କାହିଁକି କହିଲ ? କୁହ ମ କୁହ–ମୋ ରାଣଟି–ଭଲ କଥାଟିଏ–ମନ ହେଉଛି ଶୁଣିବାକୁ । ଏ ଦିପହରଟାରେ ବି କିଛି କାମ ନାହିଁ–ପିଲାଏ ସବୁ ଇସ୍କୁଲରେ–ସାନଟାକୁ ତା’ ମା’ କ’ଣ ଘରେ ବସି ଇଁଗିରେଜୀ ପଢ଼ାଉଛି । କୁହ–ମୋ ରାଣ କୁହ ।

 

ତୀର୍ଥବାସୀବାବୁଙ୍କର ବିରକ୍ତି କଟିଲା ନାହିଁ । ସେ ଖତେଇ ହେଲା ଭଳି କହିଲେ–

 

ଯାଆ ହେ ! ତୁମେ ଶୁଣିବ ଭାଗବାତାମୃତ । ଯାଅ, ଯାଅ । ତେଣେ ଶୁଣେଇବେ ତୁମକୁ–ଜଗିଛନ୍ତି ଜାଲ ମେଲେଇ ସମସ୍ତେ । ଯାଅ ଶୁଣେଇବେ, ୟାପ ନାରୀ ତୁ ନରକସ୍ୟ ଦ୍ୱାର !

 

ତୀର୍ଥବାସୀବାବୁ ରାଗରେ ତମତମ ହୋଇ ବାରଣ୍ଡାକୁ ବାହାରିଗଲେ । ତାଙ୍କ ପଛେ ପଛେ ମନୂଆବୋଉ ଉଠିଆସି ତାଙ୍କ ଆଗରେ ଠିଆହୋଇ ବାଟ ଆଗୁଳି ତାଙ୍କ ହାତ ଧରି ପକାଇଲେ । ‘ଆସ ମ–ଆସ ମ, ମୋ ରାଣଟା ପରା । ଏମିତି ରାଗିଯାଉଛ କିଆଁ ? ହେଲା, ଏବେ ମୋର ସବୁ ଦୋଷ । ମୁଁ ପାପିନୀ–ମୂର୍ଖ । ତୁମେ ତ ପଣ୍ଡିତ ଲୋକ–ଜ୍ଞାନୀ । ତମେ ଏମିତି ରାଗିଗଲେ ଚଳିବ କି ? ମୁଁ ଯଦି ତୁମ ସଙ୍ଗେ ସମାନ ହୋଇଥାନ୍ତି, ତେବେ ତୁମ ହାତ ଧରିଥାନ୍ତି କାହିଁକି ? ତୁମ ସଙ୍ଗେ ନ ଚାଲିପାରିଲେ ତୁମେ ହାତ ଧରି ଉଠେଇ ନବ ନା ତଳେ ପକେଇଦେଇ ଚାଲିଯିବ ଅଧା ବାଟରେ ?

 

ସ୍ତ୍ରୀଙ୍କର କଥା ଶୁଣି ତୀର୍ଥବାସୀବାବୁଙ୍କର ମନ ଟିକିଏ ନରମ ଆସିଲା । ସେ ତାଙ୍କର ମୁହଁକୁ ଥକ୍‍କା ହୋଇ ଚାହିଁରହିଲେ । ଉଦୁଉଦିଆ ଦୁଇପ୍ରହରଟା । ଚାରିଆଡ଼େ ନିସ୍ତବ୍‍ଧ । ଝାଇଁ ଝାଇଁ ଖରାରେ ଚାରିଆଡ଼ ଝାଉଁଳି ପଡ଼ିଛି । ତୀର୍ଥବାସୀବାବୁ ସ୍ତ୍ରୀଙ୍କର ମୁହଁକୁ ଅର୍ଥପୂର୍ଣ୍ଣ ଭଙ୍ଗୀରେ ଚାହିଁରହିଲେ । ପେଣ୍ଠି ହୋଇ ଛୋଟ ଲୋକଟିଏ । ଚମସବୁ ଓହଳି ଆସିଲାଣି । ସୁନା ଭଳି ରଙ୍ଗ–ମହଳନ ପଡ଼ି ଆସିଲାଣି । ପାଟିରୁ ସବୁତକ ଦାନ୍ତ ପ୍ରାୟ ପଡ଼ିଲାଣି । ସରୁ ସରୁ ଓଠ ଦିନଟି; କିନ୍ତୁ ପାନବୋଳରେ ସବୁବେଳେ ଲାଲ ଗୁଲୁଗୁଲୁ । ମୁଣ୍ଡ ଉପରୁ ସବୁତକ ବାଳ ପ୍ରାୟ ଉପୁଡ଼ି ଗଲାଣି । ତଥାପି ଅତି ଯତ୍ନରେ ସେ ମୁଣ୍ଡ କୁଣ୍ଡାଇଛି । ସୀମନ୍ତରେ ମୋଟା ହୋଇ ସିନ୍ଦୂରଗାର । ଆଉ ମଥାରେ ଏତେ ବଡ଼ ଗୋଟାଏ ଲାଲ ଟୁକୁଟୁକୁ ସିନ୍ଦୂର ଟୋପା । ଗଳାରେ ମୋଟା ସୁନାର ହାର । ସବୁଠାରୁ ଆକର୍ଷଣୀୟ ବିଚାରୀର ଏଇ ଆକ୍ଷି ଦୁଇଟା । ଏଇ ଆକ୍ଷି ଦୁଇଟାରେ ସତେ ବା ଏକ ନିର୍ବୋଧ ସରଳ ଶିଶୁସୁଲଭ ଆଶା ଆଉ ବିଶ୍ଵାସର ନିର୍ଦ୍ୱନ୍ଦ୍ଵନିଶ୍ଚିନ୍ତ ମାୟା କୁହେଳି ଭଳି ବାଷ୍ପାଚ୍ଛନ୍ନ ହୋଇରହିଛି । ତୀର୍ଥବାସୀବାବୁଙ୍କର ବୈରାଗୀ ହୃଦୟ ଏ ନିରୀହ ଅମାୟିକ ଅଥଚ ନିର୍ବୋଧ ମାୟାଚ୍ଛନ୍ନ ନାରୀମୂର୍ତ୍ତିଟି ପ୍ରତି ଦୟାର୍ଦ୍ର କାରୁଣ୍ୟରେ ଭିଜିଗଲା । ତାଙ୍କର କ୍ରୋଧ ଉଭେଇଗଲା ଓ ତାଙ୍କ ନିଜ ଆକ୍ଷିରେ ମଧ୍ୟ ସ୍ତ୍ରୀଙ୍କ ପ୍ରତି ଗଭୀର ସହାନୁଭୂତିର ମେଘ ଘନୀଭୂତ ହୋଇଉଠିଲା । ସେ ନରମ କଣ୍ଠରେ କହିଲେ–

 

ଆହେ ଯାହା କହିଲ ସତ କଥା ଯେ ହେଲେ ମୋ ହାତ ଧରି ସିନା ତୁମେ ଆଗକୁ ଆଗକୁ ପାଦ ପକାଇଲେ ହେବ । ତୁମେ ଯଦି ହାତ ଧରି ମୋତେ ଶୁଣି ପଛକୁ ପଛକୁ ଟାଣିବ, ତା’ହେଲେ ତ....

 

ମନୁଆବୋଉ ପଚାରିଲେ–କ’ଣ ହେବ ତା’ହେଲେ ?

 

“କ’ଣ ଆଉ ହେବ ? ମହାଭାରତ ପଢ଼ି ସେଦିନ ଶୁଣାଉଥିଲି–ମନେ ନାହିଁ ? ଯୁଜେଷ୍ଠି ମହାର୍ଜା କ’ଣ କଲେ ? ଦ୍ରୌପଦୀ ଠାକୁରାଣୀ ଯେତେବେଳେ ପଡ଼ିଗଲେ–ଯୁଜେଷ୍ଠି ଦେବ ଆଉ ପଛକୁ ଚାହିଁଲେ କି ?”

 

ମନୁଆବୋଉଙ୍କ ମନ ଭିତରେ ପୂର୍ବାନୁଭୁତ ପଞ୍ଚପାଣ୍ଡବ ଓ ଦ୍ରୌପଦୀଙ୍କର ମହାଯାତ୍ରାର ଚିତ୍ର ଖେଳିଗଲା । ତାଙ୍କର ନିର୍ବୋଧ ଚିତ୍ତରେ ମଧ୍ୟ ସେହି ଦୃଶ୍ୟଟି ଅତିମାତ୍ରାରେ ଆତଙ୍କ ସୃଷ୍ଟି କରିଥିଲା । ବର୍ତ୍ତମାନ ପୁଣି ସେହି ପ୍ରସଙ୍ଗ ସ୍ଵାମୀ ଚେତାଇଦେବା ମାତ୍ରେ ତାଙ୍କର କୋଟରଗତ ଆକ୍ଷି ଭିତରେ ସେହି ନିର୍ଜନ ଭୀତିପ୍ରଦ ତୁଷାରାବୃତ ପର୍ବତ ଉପରେ ଭୂପତିତା ଦୌପଦୀଙ୍କର ଆର୍ତ୍ତବିକଳ ଅସହାୟତା ଓ ଧର୍ମାବତାର ଯୁଧିଷ୍ଠିରଙ୍କର ସେହି ସ୍ଵାର୍ଥପର ନିର୍ମମ ଆବେଗହୀନ ତଥାକଥିତ ନିର୍ଲିପ୍ତତାର ଭୟାବହ ଦୃଶ୍ୟର ସ୍କୃତି ଏକ ଅସହାୟ ଆତଙ୍କ ଫୁଟାଇଦେଲା । ସେ ପ୍ରାୟ କାନ୍ଦ କାନ୍ଦ ହୋଇ ସ୍ୱାମୀଙ୍କୁ ଜଡ଼ାଇ ଧରି ପଚାରିଲେ–

 

ତା’ହେଲେ ତୁମେ କ’ଣ ସେମିତି ମେତେ ଏକା ଛାଡ଼ି ଆଗତୁରା ଚାଲିଯିବ ?

 

ସ୍ତ୍ରୀଙ୍କର କୋଟରଗତ ଆକ୍ଷିରେ ଏହି ଶିଶୁସୁଲଭ ଏକାନ୍ତ ନିର୍ଭରପର ନିର୍ବୋଧ ଅସହାୟ କାତରତାର ଛାୟା ଦେଖି ତୀର୍ଥବାସୀବାବୁଙ୍କ ବୌରାଗୀ ହୃଦୟ ଆହୁରି କରୁଣ ହୋଇଉଠିଲା । ସେ ସ୍ତ୍ରୀଙ୍କର ହାତକୁ ଧରିପକାଇ ଛଳ ଛଳ ଆକ୍ଷିରେ ପ୍ରବୋଧନା ହେଲେ–ନାହିଁ ହେ ନାହିଁ । ସେ କଥା ନୁହେଁ ।

 

“ସେ ସବୁ ବଡ଼ ଲୋକଙ୍କର ମତ,

ଆମ ଅଳପ ଲୋକେ ବିପରୀତ ।”

 

ଚାଲ ଚାଲ, ଆସ ଘର ଭିତରକୁ ଆସ । ଶୁଣ ! କପୋତ ପକ୍ଷୀ କ’ଣ କଲେ ?

ସ୍ତ୍ରୀଙ୍କର ହାତ ଧରି ତୀର୍ଥବାସୀବାବୁ ପଲଙ୍କ ଉପରକୁ ନେଇ ବସାଇଦେଲେ । ତା’ପରେ ପୁଣି ସେହି ଅଧା କଥାରୁ ଆରମ୍ଭ କଲେ–

ହଁ–କ’ଣ କହୁଥିଲିଟି ! କପୋତ କପୋତୀଙ୍କର ତ ଦୁଇଟି ଶାବକ ହେଲେ । ଦୁହେଁଯାକ ବଡ଼ ଆଦରରେ ତାଙ୍କୁ ପାଳୁଥାନ୍ତି । ଦିନଯାକ ବଣ, ବିଲ, ନଈ, ପାହାଡ଼ ବୁଲି ବୁଲି, ଫଳ ଫୁଲ କୀଟ ପତଙ୍ଗ ଖୋଜି ଖୋଜି ଆଣନ୍ତି । ନିଜେ ନ ଖାଇ ଛୁଆଙ୍କ ମୁହଁରେ ଦିଅନ୍ତି । କ୍ରମେ କ୍ରମେ ଛୁଆଙ୍କ ଦେହରେ କଅଁଳ ରୁମାବଳୀ ଉଠେ । ତାଙ୍କୁ ଦେଖି ବାପ ମାଆଙ୍କ ମନ ଉଲୁସି ଉଠୁଥାଏ । ପିଲାଏ ଗାଲୁରୁ ମାଲୁରୁ ହୋଇ କଥା କହିବାକୁ ଆରମ୍ଭ କରନ୍ତି । ତାକୁ ଶୁଣି ବାପ ମାଆଙ୍କ ଆକ୍ଷି ବୁଜି ହୋଇଯାଏ ଆନନ୍ଦରେ । ଏଇମିତି ମୋହମାୟାରେ ଘାରିହୋଇ ସେମାନେ ପିଲାଙ୍କୁ ପାଳୁଥାନ୍ତି । କେତେବେଳେ ବା ଗଛରୁ ଖସିପଡ଼ିବେ–କିଏ କେତେବେଳେ ବସା ଉଣ୍ଡି ଆସି ଘେନିଯିବ । ଛୁଆଙ୍କ ଉପରେ ସବୁରି ଆକ୍ଷି, ସବୁରି ଅହନ୍ତା । ଡରରେ ଭୟରେ କାଳ କାଟୁଥାନ୍ତି ସେମାନେ ପିଲାଙ୍କୁ କୋଳରେ ଧରି–

(ଆରେ) “ବିଷ୍ଣୁଙ୍କ–ଅ–ଅ–ଅ ମାୟା ମୋହେ ଯନ୍ତ୍ରୀ

ପାଳନ୍ତି–ଇ–ଇ–ଇ କପୋତ କପୋତୀ ।”

ଦିନେ କ’ଣ ହେଲା ନା–ବାପ ମାଆ ଆହାର ଖୋଜିବା ଲାଗି ଯାଇଥାନ୍ତି ଦୂର ବନସ୍ତକୁ-। ଛୁଆଏ ଥା’ନ୍ତି ଏକା ଏକା ଗଛ ଡାଳରେ–ବସା ଭିତରେ । ଏହି ସମୟରେ ଏକ ବ୍ୟାଧି ଆସି ସେ ଠାବରେ ପହଞ୍ଚିଲା । ଛୁଆଙ୍କୁ ଧରିବା ଲୋଭରେ ମସ୍ତଗୋଟେ ଫାନ୍ଦ ମେଲିଲା ସେ ଗଛତଳେ–

 

ଏ ପରିସ୍ଥିତିରେ ମନୁଆବୋଉଙ୍କ କୋଟରଗତ ଆକ୍ଷି ଭିତରୁ ଡୋଳା ଦୁଇଟି ଚରମ ଉତ୍ସୁକତାରେ ପଦାକୁ ବାହାରି ଆସିଲା । କପୋତ ଛୁଆଙ୍କର ଏଇ ଆକସ୍ମିକ ବିପଦରେ ସେ ତ୍ରସ୍ତ ହୋଇଉଠିଲେ । ନିଶ୍ଵାସ ବନ୍ଦ କରି ଆକ୍ଷିତରାଟି ସେ ପରବର୍ତ୍ତୀ ଘଟଣା ଲାଗି ଶଙ୍କାକୁଳ ଚିତ୍ତରେ ଚାହିଁ ରହିଲେ–

 

ତୀର୍ଥବାସୀବାବୁ କହିଲେ–ଏ ବ୍ୟାଧ କିଏ ଜାଣିଛ ?

 

କିଏ ??

 

ଏ ବ୍ୟାଧ ସାମାନ୍ୟ ଶବର ନୁହେଁ । ଏ ହେଉଛି–ସ୍ଵୟଂକାଳପୁରୁଷ । ସେ ଯେଉଁ ଜାଲ ମେଲାଇ ବସିଲା, ସେ ହେଉଛି ମାୟାଜାଲ, ଏଇ ମାୟାଜାଲକୁ ବିସ୍ତାର କରି ତା’ ଭିତରେ ଲୋଭନୀୟ ସାଂସାରିକ ସୁଖର ଆଧାର ପକାଇ କାଳପୁରୁଷ ଅଲକ୍ଷ୍ୟରେ ଟାକି ବସିଥାଏ । ‘ସଂସାରୀ ଘୋର ମାୟା ଲୋଭରେ ପଡ଼ି–’

 

ସ୍ଵାମୀଙ୍କର ଏହି ତାତ୍ତ୍ଵିକ ବ୍ୟାଖ୍ୟାନରେ ମନୁଆବୋଉଙ୍କର ମନ ଅଣନିଶ୍ଵାସୀ ହୋଇପଡ଼ିଲା । ସେ କେବଳ ଘଟଣାର ଗତିରୁ ଆବେଗ ଓ ରସାନୁଭୂତି ପାଇବା ଲାଗି ଉତ୍ସୁକା ହୋଇଉଠିଲେ ।

 

ସେଇଠୁ କ’ଣ ହେଲା କୁହନା ! ମୋ ଧନ ତ ସବୁ ଗଛ ଅଗରେ ଲୋ ! ସେଇଠୁ କ’ଣ ହେଲାଟି ! ଓଃ ପ୍ରଭୁ ହେ–ନୀଳାଚଳ–ନାଥ ! ସେ ଶବର ନିଆଁଲଗା ତ–ଓଃ କ’ଣ ହେଲାଟି ସେଇଠୁ ? ମୋ ଧନଙ୍କର–ହେ ଜଗନ୍ନାଥେ, ସେଇଠୁ କ’ଣ ହେଲାଟି ? ? ଆହା !!

 

ତୀର୍ଥବାସୀବାବୁ ବୈରାଗ୍ୟରସ–ପ୍ଳାବିତ ଅର୍ଦ୍ଧମୁଦ୍ରିତ ଲୋଚନରେ କହିଚାଲିଲେ–

 

ପକ୍ଷୀଶାବକମାନେ ତ ଖଣ୍ଡିଉଡ଼ା ଦେଉଥାନ୍ତି । ଜାଲ ଭିତରେ ତ ସେ ଆଧାର ଖଞ୍ଜିଛି । ବାଳକ ସ୍ଵଭାବେ ଲୋଭାର୍ଥୀ । ଆହାର ଦେଖି ଜାଲ ଭିତରକୁ ଉଡ଼ି ଆସିଲା ସାଙ୍ଗେ ସାଙ୍ଗେ ଶବର କ’ଣ କଲା ନା......

 

“ଉପରେ–ଏ–ଏ–ଏ ବାନ୍ଧିଲା ଦଉଡ଼ି

ପକ୍ଷୀଙ୍କି–ଇ–ଇ–ଇ ଆଣିଲା ଘଉଡ଼ି ।’’

 

ମନୁଆବୋଉଙ୍କର ଆଉ ଧୈର୍ଯ୍ୟ ବନ୍ଧ ମାନିଲା ନାହିଁ, ସେ ଭେଁ କିନା କାନ୍ଦିଉଠିଲେ–

 

ଆରେ–ମୋ ଧନକୁ କି କଲା ଲୋ । ସେ ନିଆଁଲଗା–

 

ତାଙ୍କର ସଙ୍ଗେ ସଙ୍ଗେ ବହୁଦିନ ତଳର ଗୋଟିଏ ହୃଦୟ ବିଦାରକ ଦୃଶ୍ୟ ମନେ ପଡ଼ିଗଲା । ବଡ଼ପୁଅ ମନୁଆକୁ ସେତେବେଳେ ହୋଇଥାଏ ମୋଟେ ପାଞ୍ଚ ବରଷ । ତାକୁ ବାପ ପାଖେ ଛାଡ଼ି ସେ ଦିନ ଆଠଟା ଲାଗି ତାଙ୍କ ବାପଘରକୁ ଯାଇଥିଲେ ନରଦା ଗାଁ । ମନୁଆଟା ତ ସେତେବେଳେ ଭାରି ହୁରୁମା ହୋଇଥାଏ । ତାକୁ ଛାଡ଼ି ଆସି ନିଜ ବାପଘର ଗାଆଁରେ ବି ମନ ଭାରି ଧକ ଧକ ହେଉଥାଏ । ଦିନେ କ’ଣ ହେଲା ନା–ଓଃ–ପ୍ରଭୁ ହେ–ସେ ବିପଦ ଚୋର ଚାଣ୍ଡାଳକୁ ବି ନ ହେଉ । ତାଙ୍କ ବାପଘର ଗାଁରେ ଅଲେଖ ସାବୁତର ପୁଅଟିଏ, ଝିଅଟିଏ । ପୁଅଟି ହୋଇଥାଏ ଅବିକଳ ତାଙ୍କ ମନୁଆ ଭଳିଆ । ମୋଟାମୋଟି ହୋଇ ଧୁମୁସା ପିଲାଟିଏ । ସବୁବେଳେ ହୁରୁମା ପଣ କରୁଥିବ । ସେଇ ପିଲାଟି–ଆହା କଇଁଫୁଲ ତୋଳିବ ବୋଲି ରାସ୍ତା ନୟନଯୋଡ଼ିରେ ଛାତିଏ ପାଣିକି ପଶିଗଲା । ତାକୁ ଧରିବ ଧରିବ ବୋଲି ଭଉଣୀ ବି ତା’ ପଛେ ପଛେ ପାଣିରେ ପଶିଗଲା । ଆହା !! ଆହା !! ପ୍ରଭୁ ହେ...ତାଙ୍କୁ ସବୁ ପାଣିରୁ ଆହା !! ଉଠାଇ ଆଣି ଯେତେବେଳେ ପଦାରେ ପକାଇଲେ...ଓଃ ସେଦିନ ସେ ନିଜେ କେତେ ମୁଣ୍ଡ ବାଡ଼େଇ ନ କାନ୍ଦିଛନ୍ତି !! ପ୍ରଭୁ ହେ–ଏମିତି ଦଣ୍ଡ ପୁଣି ତୁମେ ମଣିଷଙ୍କୁ ଦିଅ !

 

ଖାଲି ମଣିଷପିଲା ନୁହେଁ, କୁକୁର ବିଲେଇ ଛୁଆଙ୍କ ଉପରେ ବି ମନୁଆବୋଉଙ୍କର ଭାରି ମାୟା । ସବୁ ଛୁଆଏ ସମାନ । ସବୁ ଛୁଆଏ ପିଲାବେଳେ ଏକାଭଳି ଦିଶନ୍ତି ତାଙ୍କ ଆକ୍ଷିକୁ । ସେମିତି ଜୁଳୁ ଜୁଳୁ ଅବୋଧ ଆକ୍ଷିମାନ–ସେମିତି ଦୁଷ୍ଟ ହୁରୁମା ଅମାନିଆପଣ, ନ କଲା କଥା କରିବେ–ନ ଯିବା ଜାଗାକୁ ଯିବେ–

 

ଜଗନ୍ନାଥ ବଡ଼ ଲୋକ । କେତେ ବ୍ରତ ଉପବାସ କରି କରି ଦେଇଛନ୍ତି ତିନି ପୁଅ–ଗୋଟିଏ ଝିଅ । ତାଙ୍କ ଉପରେ କାଳଯମର ନିଆଁ ଲଗା ଆକ୍ଷି ପଡ଼ି ନାହିଁ । କେଡ଼େ କଷ୍ଟରେ କେତେ ସନ୍ତର୍ପଣରେ, କେତେ ରୋଗ ବଇରାଗ, ଗାଡ଼ି ମଟର–ସବୁଠାରୁ ଜଗି ଜଗି ସେ ସେମାନଙ୍କୁ ଏଡ଼ୁଟିରୁ ଏଡ଼େଟିଏ କରିଆସିଛନ୍ତି । ପ୍ରଭୁ ହେ ! ଆଉ ସେ କଷ୍ଟ ଏ ଆକ୍ଷି ନ ଦେଖୁ । ତା’ ଆଗରୁ–ମନୁଆ ଏ ମୁହଁରେ ନିଆଁ ଦେଇ ରାଇଜରେ ଚିରଞ୍ଜୀବି ହୋଇ ବସିଥାଉ ।

 

କପୋତଛୁଆଙ୍କର ଏଇ ଜାଲରେ ପଡ଼ି ମରିବା କଥାରେ–ଯେମିତି ସେଦିନର ଅଲେଖ ସାବୁତଙ୍କର ପିଲାଦୁହିଁଙ୍କର କଇଁଫୁଲ ନିଶାରେ ଅସହାୟ ଭାବରେ ଅକାରଣ ପାଣିରେ ବୁଡ଼ି ମରିବାର କରାଳ କରୁଣ ସ୍ମୃତି ଲୁଚିରହିଛି, ଆଉ ତା’ ସଙ୍ଗେ ସଙ୍ଗେ ନିଜର ପିଲାଙ୍କ ଲାଗି ମଧ୍ୟ ଏକ ଅସହାୟ ଆତଙ୍କ ମନକୁ ବିକଳ କରିଦେଉଛି । ଆଉ ମଧ୍ୟ ଏହିଭଳି ଅପମୃତ୍ୟୁ ବରଣ କରିଥିବା ସଂସାରର ଯାବତୀୟ ପିଲାମାନଙ୍କର ମାଆମାନଙ୍କ ଲାଗି ମନ ବେଦନାରେ ବିକଳ ହୋଇ କାନ୍ଦିଉଠୁଛି । ଆହା ! ବାପା ମାଆ ଫେର୍ କେମିତି ଛାତି ଧରିବେଟି !!

 

କପୋତ ପିଲାଏ ଜାଲରେ ପଡ଼ିଯିବା କଥା ଶୁଣି ମନୁଆବୋଉ ବିକଳରେ କାନ୍ଦିଉଠିଲେ । ଆହା ! ସେ ମାଆ ଛାତି କେମିତି ସହିବ !!

 

ତୀର୍ଥବାସୀବାବୁ କିନ୍ତୁ ବୈରାଗ୍ୟ–ରସରେ ନିମଜ୍ଜିତ ହୋଇ ପରମ ଉତ୍ସାହରେ ଅବଶିଷ୍ଟ କଥା କହି ଚାଲିଥାନ୍ତି ।

 

ସେଇଠୁଁ କ’ଣ ହେଲା ନା–ମାଆ କପୋତୀ ଫେରିଆସି ସେ ଦୃଶ୍ୟ ଦେଖିଲା । ପିଲାଏ ବନ୍ଧନରେ ପଡ଼ି ଛଟପଟ ହୋଇ କାନ୍ଦୁଛନ୍ତି ମାଆ ମନ ତ–ସେଥିରେ ପୁଣି ସ୍ୱଭାବେ ପକ୍ଷୀଜନ୍ମ ପାଇଛି । ଘୋର ମାୟାରେ ସଢ଼ୁଛି । ବୌରାଗ୍ୟ ବୁଦ୍ଧି କାହୁଁ ଆସିବ ?

 

ବିଷ୍ଣୁର ମାୟାକୁ ମୂଢ଼ା ବୁଝିପାରି ନାହିଁ । ଭାବିଲା–ପିଲାଏ ଯେବେ ମୋର ଗଲେ, ମୁଁ ଥାଇ କେତେ, ନ ଥାଇ କେତେ ? ବିଚାରୀ ଶୋକ ମହଲରେ ହତଜ୍ଞାନ ହୋଇ ନିଜେ ଜାଲ ଭିତରକୁ ଡେଇଁ ପଡ଼ିଲା ।

 

ମନୁଆବୋଉ ଏତିକିରେ ଉଲ୍ଲସିତ ହୋଇଉଠିଲେ । ତାଙ୍କର ଛାତିରୁ ଗୋଟାଏ ଭାରି ପଥର ଓହ୍ଲାଇଗଲା । ସେ ଅଶ୍ଵାସନାର ଆନନ୍ଦରେ ବିହ୍ଵଳ ହୋଇ ଗୋଟାଏ ତାଳି ମାରିଦେଇ ହସି କରି କହିଉଠିଲେ–

 

ଯାଃ ଚାଲିଯା–। ଓହୋ !! ପ୍ରଭୁ ହେ ! ଭଲ ହେଲା–ଭଲ କଲା ।

 

ତାଙ୍କର ମନ ଭିତରେ କପୋତୀର ଏହି ଆତ୍ମୋସର୍ଗ ଯଥେଷ୍ଟ ଶାନ୍ତି ଓ ତୃପ୍ତି ଜଣାଇଦେଲା । ସେ ଭାବିଲେ–ଯାହାହେଉ ଭାଇ କଲା । ନିଜେ ତ ପ୍ରାଣ ହରେଇଦେଲା । ଗଲା–ସବୁ କଷ୍ଟ ସଙ୍ଗେ ଗଲା । ଜୀବନ ରହିଲେ ସିନା ଏ ଯାତନା ଭୋଗିବ ! ହେଲେ ପକ୍ଷୀଟିଏ ବୋଲି ସିନା ଏକଥା କରି ପାରିଲା !! ମଣିଷ ଏ କଥା କରିପାରିବ କି ? ମହେନ୍ଦ୍ରବାବୁଙ୍କ ସ୍ତ୍ରୀ ଏକଥା କରିପାରିଲା କି ? ସେ ଏବେ ଛାତିଧରି ରହିଛି ତ । ଏକା ବର୍ଷକେ ତିନି ତିନିଟା ପିଲା ଯମମୁହଁରେ ଗଲେ । ଗୋଟେ ରୋଗରେ ଗଲା । ଗୋଟାଏ ଗଲା ଯୁଦ୍ଧଭୂଇଁରେ ସେଇ କୋଉମୂଲକରେ କାଶ୍ମୀରରେ । ଆଉ ଯୋଉ ପୁଅଟା ମଟର ଓଲଟି ମଲା–ଆହା ! କଅମ୍ ସୁନ୍ଦର ପୁଅ ! ଆମର ମନୁଆ ସାଙ୍ଗର ତ । (ପ୍ରଭୁ ହେ ! ଜଗନ୍ନାଥେ ବଳିଆର ଭୁଜ ! ଅର୍କ୍ଷିତଙ୍କୁ ତୁଇ ଭରସା) ପାଠ ପଢ଼ିଲା, ପାସ୍ କଲା, ସାତ ସମୁଦ୍ର ତେର ନଈ ପାରହୋଇ ସାଇବ ହୋଇ ଦେଶକୁ ଫେରିଲା । ହଜାରେ ଟଙ୍କା ଦରମା ଦେଲା ସରକାର । ଆହା ! ଫେର ତା’ କପାଳରେ ଥିଲା, ମଟର ଓଲଟି ତା’ ଜୀବ ଯିବ । ପ୍ରଭୁ ହେ ! ନୀଳାଚଳନାଥେ ! ତୁଇ ଭରସା । ମହେନ୍ଦ୍ରବାବୁଙ୍କ ସ୍ତ୍ରୀ ତ ଫେର୍ ଛାତି ଧରି ବଞ୍ଚିଛି । ପୁଅ ସାଙ୍ଗରେ ମଶାଣିକୁ ଗୋଡ଼ାଇଗଲା କି ? ବର୍ଷେ ଯାଏ ପାଗଳୀ ହୋଇଗଲା–ମୁଣ୍ଡ ବାଡ଼େଇଲା–ବାଳ ଛିଣ୍ଡାଇଲା–ଖାଇଲା ନାହିଁ, ପିଇଲା ନାହିଁ...। ହେଲେ ଆଉ ପୁଅର ଚିତାକୁ ଡେଇଁ ପାରିଲା ? ଅଟକିଗଲା । ଧନ୍ୟ କହିବା ସେ କପୋତୀକୁ ! ପକ୍ଷୀ ଜନ୍ମ ପାଇଲେ କ’ଣ ହେଲା ? ଭାରି ଛାତି ତା’ର । ହେବ ନାହିଁ ? ସେମାନେ କ’ଣ କଳିଯୁଗର ପକ୍ଷୀ ହୋଇଛନ୍ତି ? ସତ୍ୟଯୁଗର ପକ୍ଷୀ । ଶାସ୍ତ୍ରରେ ଲେଖିଛନ୍ତି ଋଷିଜନମାନେ–ସେମାନେ ହେଲେ ବିଷ୍ଣୁ ଅଂଶୀ...

 

ମନୁଆବୋଉ ଏହିସବୁ ପାର୍ଥିବ ଓ ମାୟିକ ଚିନ୍ତା ଆଉ ରସାନୁଭବରେ ଉବୁଡ଼ୁବୁ ଖାଉଛନ୍ତି; ମାତ୍ର ତୀର୍ଥବାସୀବାବୁ ସେହିଭଳି ବୌରାଗ୍ୟରସରେ ନିମଜ୍ଜିତ ହୋଇ ପରମ ଉତ୍ସାହରେ କହି ଚାଲିଛନ୍ତି–ଗାଇ ଚାଲିଛନ୍ତି–

 

ସେଇଠୁ ବାପ କପୋତ ଆସି ଦେଖେ ତ–ଜାଲ ଭିତରେ ତା’ ସଂସାର ପଡ଼ିଗଲାଣି । ସେ ତ ୟାପ ଆହୁରି ମୂଢ଼, ତାକୁ ତ ୟାପ ସବୁଠାରୁ ବେଶୀ ମାୟା ଘାରିଛି । କପୋତୀ ନାରୀ ଜନ୍ମ ପାଇଛି–

 

“ସ୍ୱଭାବେ ନାରୀ ଜନ୍ମ ପାଇ

ଧର୍ମ ଅଧର୍ମ ନ ଜାଣଇ ।”

 

ୟେ କିନ୍ତୁ ୟାପ ଆକ୍ଷି ଥାଇ ଅନ୍ଧ, ଜୀବ ଥାଇ ଜଡ଼ । ମୂଢ଼ ବିଚାରିଲା–ମୋ ପିଲାଏ ତ ଗଲେ–ମୋର ଘରଣୀ ତ ଗଲା–ଏଭଳି ପତିବ୍ରତା ନାରୀ–ଏ ତ ମୋର ପ୍ରାଣର ପ୍ରାଣ–ମୋର ଆତ୍ମାଠାରୁ ବଳି–ୟାକୁ ଛାଡ଼ି ମୁଁ ଅବା ବଞ୍ଚିବି କେମନ୍ତେ ? ଆଉ ଏ ଜୀବନ ଥିଲେ କେତେ, ନ ଥିଲେ ବା କେତେ ? କିପାଇଁ ବା ରହିବି ଆଉ ଏ ସଂସାରରେ ? କେଉଁ ସୁଖ ବା ଆଉ ମିଳିବ ? କିଏ ବା ଆଉ ସୁଖ ଦେବ ?

 

ୟାପ ମୂଢ଼ ପକ୍ଷୀ ବୁଝିପାରିଲା ନାହିଁ ଯେ–ଏ ସଂସାରରେ କେହି କାହାର ନୁହଁଇ–ସର୍ବେ ଚଳିବେ କାଳବେଳେ–ଯେଝା ସୁଖେ ଯେ ଚାଲିଯିବେ । ଆସିଥିଲୁ ଏକା ମନ–ଯିବୁ ପୁଣି ଏକା । କି ପିଲା କିଏ କାହାର ? କି ଘରଣୀ କିଏ କାହାର ? ସମସ୍ତେ ଯଦି ଆଗରୁ ତୋ ଆକ୍ଷି ଆଗରେ ଚାଲିଗଲେ ଭଲ ହେଲା–ଏଣିକି ତୁ ଛାଏଁ ଛାଏଁ ମୁକ୍ତ ପୁରୁଷ–ଭଗବାନ୍ ଭଲ କଲେ–ଆଗରୁ ଜାଲ ଛିଣ୍ଡେଇଦେଲେ–ଏଣିକି ବୈରାଗ୍ୟ ନେ–ତୀର୍ଥବାସ କର–ଧର ଗୁରୁପାଦ–କର ହରିନାମ–ତରିଯାଆ ଏ ମାୟା–ସଂସାରରୁ; କିନ୍ତୁ ସେ ତ ୟାପ ମୂଢ଼–କ’ଣ କଲା ଜାଇଁଲ ??

 

ମାତ୍ର ମନୁଆବୋଉ ଗଳ୍ପ ଲାଗି ବିଶେଷ ଚିନ୍ତିତ ନୁହନ୍ତି । ତାଙ୍କର ସବୁ ଉତ୍କଣ୍ଠାର ପରିସମାପ୍ତି ହୋଇଗଲା । ବରଂ ଏକପ୍ରକାର ନିଶ୍ଚିନ୍ତ ସେ । ପିଲାଏ ମଲେ, ଆଉ ପିଲାଙ୍କ ସାଙ୍ଗେ ସାଙ୍ଗେ ମାଆ ବି ଗଳାରେ ଫାଶ ଲଗାଇଦେଲା । ବାସ–ଆଉ କ’ଣ ବା ବାକି ରହିଲା କଥା ? ଏଣିକି ଆଉ ସେ ଯାତନା ଭୋଗିବାକୁ କିଏ ବଞ୍ଚି ରହିଲା ଯେ !! କଥା ଶୁଣିବାକୁ ବା ଆଉ କିଏ ଅଛି ? ସତେ କି ମନୁଆବୋଉ ନିଜେ ବି ଆଉ ନାହାନ୍ତି । ତାଙ୍କ ପିଲାଙ୍କ ସାଙ୍ଗରେ ସେ ମଧ୍ୟ ଏ ଇହ ସଂସାରରୁ ବିଦାୟ ନେଇ ଯାଇଛନ୍ତି । ଆଉ କିଛି ନାହିଁ । ଆଉ ସୁଖ ନାହିଁ କି ଦୁଃଖ ନାହିଁ । ଆଶା ନାହିଁ କି ନିରାଶା ନାହିଁ । ଯାତନା ନାହିଁ କି ହରଷ ନାହିଁ ।

 

ମାତ୍ର ସ୍ୱାମୀ ଯେତେବେଳେ ପୁଣି କଥା ଆରମ୍ଭ କଲେ, ଆଉ ପଚାରିଲେ–କପୋତ କ’ଣ କଲା ଜାଇଁଲ ? ଏବଂ ତାଙ୍କୁ ଅନ୍ୟମନସ୍କା ଥିବାର ଦେଖି ବାରମ୍ଵାର ସେଇ କଥା ତାଙ୍କୁ ପଚାରି ଲାଗିଲେ–

 

ଆରେ ହେ–ଶୁଣ ମ–ହେଇଟି–ଶୁଣୁଚ ନା ନାହିଁ ? ମୂଢ଼ କପୋତ କ’ଣ କଲା ଆଗ ଶୁଣନା !!

 

ମନୁଆବୋଉଙ୍କର ପରଲୋକଗତ ନିଶ୍ଚିନ୍ତ ଆତ୍ମା ପୁଣି ପୃଥିବୀକୁ ଫେରିଆସିଲା । ତାଙ୍କର ଦୃଦୟ ଭିତରେ ପୁଣି ଏକ ନୂତନ ପାର୍ଥିବ ବେଦନାର ସ୍ରୋତ ଝିରିଝିରି ହୋଇ କ୍ଷୀଣ ଧାରାରେ ବହିଆସିଲା । ସେ ଭାବିଲେ–ଅଛି–ଅଛି–ଏହା ପରେ ମଧ୍ୟ କଥା ଅଛି । ଏହା ପରେ ମଧ୍ୟ ବେଦନା ଅଛି । ପିଲାଙ୍କ ଚିତା ଉପରେ ମାଆ ତଳିପଡ଼ି ଭସ୍ମ ହୋଇଗଲା ପରେ ମଧ୍ୟ–ଏହି ପୃଥିବୀର ସବୁ ଯାତନା, ସବୁ ବେଦନା ସରିଯାଇ ନାହିଁ । ଭସ୍ମୀଭୂତ ଦେହରୁ ପଳାୟନତତ୍ପର ଆତ୍ମାକୁ ପୃଥିବୀ ଛାଡ଼ିଦିଏ ନାହିଁ ପୂରାପୂରି ଦୂରକୁ । ସ୍ଵର୍ଗ ବି ଟାଣିନିଏ ନାହିଁ ପୂରାପୂରି ତା’ ଭିତରକୁ-। ଏଇ ପ୍ରପଞ୍ଚ ପୃଥିବୀର ଅଳ୍ପ ଉପରେ ଗୋଟାଏ ଅସନ୍ତୁଷ୍ଟ ଚେତନା, ପ୍ରେତର କରୁଣ ବେଦନା ନେଇ ଆକ୍ଷି ନ ଥାଇ ପୃଥିବୀ ଆଡ଼କୁ ଚାହିଁ ରହିଥାଏ । କାନ ନ ଥାଇ ପୃଥିବୀର ସବୁ କଥାକୁ କାନେଇଥାଏ–ଆଉ ନାକ ନ ଥାଇ ଦୀର୍ଘଶ୍ୱାସ ଛାଡ଼ୁଥାଏ–ନିରୁପାୟ ଅସହାୟ କରୁଣ ଦୀର୍ଘଶ୍ୱାସ-

 

କଥା ସରିନାହିଁ । ବ୍ୟଥା ସରିନାହିଁ । ସବୁ କଥା ଶୁଣିବାକୁ ଓ ସବୁ ବ୍ୟଥା ଭୋଗିବାକୁ ଆଉ ମାତ୍ର ଜଣେ ଯେ ଏ ପୃଥିବୀରେ ବଞ୍ଚି ରହିଛି । ଶେଷ ପୌଷର ଡାହାଣିଆ ଖରାରେ ଭୟାର୍ତ୍ତକମ୍ପିତ ସେଇ ପତରଝଡ଼ା ନିଃସଙ୍ଗ ଅପରାହ୍ନରେ ସନ୍ଧ୍ୟାପର୍ଯ୍ୟନ୍ତ ଦୁଇ ଆଣ୍ଠୁକୁ ଦୁଇ ହାତରେ ଜାକି ଧରି ବାଡ଼ିପଟ ପିଣ୍ଡାରେ ଧୂସର ପତରଝଡ଼ା ଥୁଣ୍ଟା ଗଛମାନଙ୍କ ଆଡ଼କୁ ଚାହିଁ ଚାହିଁ ନୁତୁପୁତୁ ଥୁରୁଥୁରୁ ବୁଢ଼ାଟିଏ ତା’ର ଏକ କୋରଡ଼ିଆ ଆକ୍ଷିରେ ଉଦାସ ଚାହାଣିର ଛାଇ ପକେଇ ଆକାଶ ଆଡ଼କୁ ମୁହଁ କରି ବସିଥାଏ–କଥା ଶୁଣୁଥାଏ ମନେ ମନେ–ଗୁଣି ହେଉଥାଏ–ବ୍ୟଥା ସହୁଥାଏ । ପିଲାଏ ମରିଛନ୍ତି–ଘର ଭିତରକୁ ଶୂନ୍ୟକରି ଘରଣୀ ବି ମରିଛି ସେମାନଙ୍କ ସାଙ୍ଗରେ । ସେମାନଙ୍କ କଥା ସରିଯାଇଛି । ମାତ୍ର ସେମାନଙ୍କ କଥା ଯେଉଁଠି ସରିଛି, ବିଚରା ଏକୁଟିଆ ଥୁଣ୍ଟା ବୁଢ଼ାଟିର କଥା ଠିକ୍ ସେଇଠାରୁ ହିଁ ଆରମ୍ଭ ହୋଇଯାଇଛି । ସେମାନେ ସବୁ ଚାଲିଗଲେ ଦୁଃଖ–ଯାତନାକୁ ଠକିଦେଇ । ଦୁଃଖ ସେମାନଙ୍କୁ ଧରି ପାରିଲା ନାହିଁ । ମାତ୍ର ଧରି ନ ପାରିବାର ବ୍ୟର୍ଥତାରେ ବହୁ ଗୁଣରେ କ୍ରୁଦ୍ଧ ହୋଇ ସେମାନଙ୍କ ପଛରୁ ହଟିଆସି–ଲେଉଟାଣି ଯାହାକୁ ସେ ଧରି ନିଏ ସହସ୍ର ଗୁଣ ଆକ୍ରୋଶରେ–ସେ ହେଉଛି ବିଚରା ଏଇ ଏକୁଟିଆ ନିଃସଙ୍ଗ ଥୁଣ୍ଟା ବୁଢ଼ାଟି । ତା’ର ସଂସାରର ସବୁତକ ବେଦନା ଶେଷରେ କେବଳ ତାକୁଇ ଭୋଗିବାକୁ ପଡ଼େ । ତା’ରି ଦୁର୍ଭାଗ୍ୟକୁ ତା’ରି କପାଳରେ ଲାଞ୍ଛିତ ହୁଏ ସମଗ୍ର କୁଟୁମ୍ବଟିର ଦୁଃସହ ବ୍ୟଥା ଭୋଗ । ତା’ର ଚାରିପଟେ ଦିନରାତି ଖାଁ ଖାଁ କରି ଗୋଡ଼ାଇଥାଏ ଦୁଃଖ–ଗୋଟାଏ ପୃଥିବୀର ଦୁଃଖ ।

 

କଥା ତେଣୁ ସରେ ନାହିଁ ସେତିକିରେ । କେବଳ ଅଧ୍ୟାୟ ବଦଳେ । ଏଣିକି ସେଇ ବୁଢ଼ାଟିଇ କେବଳ କଥା କହେ । ସେହି କେବଳ କଥା ଶୁଣେ । ଆଉ ସେଇ କେବଳ ବ୍ୟଥା ପାଏ ।

 

କିନ୍ତୁ ଖାଲି କ’ଣ ସେଇ ପ୍ରକୃତରେ ଏକା ଏକା ବ୍ୟଥା ପାଏ ?

 

ମନୁଆବାଉଙ୍କର ପାର୍ଥିବ ରସସିକ୍ତ ବିମୁଢ଼ କାମନା ଲୋକରେ ଏକ ଅବୋଧ୍ୟ ଅନୁଭୂତିର କରୁଣା–ରାଗିଣୀ ବାଜିଉଠିଲା, ଯାହାର ଅର୍ଥ ହେଉଛି–

 

ସେଇ ଏକା ଭୋଗେ ନାହିଁ ଗୋ, ଆଉ ଜଣେ ବି ଭୋଗେ–ଆଉ ଜଣେ ବି ପାଏ–ସେହି ନିଃସଙ୍ଗ ବ୍ୟର୍ଥ ଜୀବନର ନିରାଶୟ ବେଦନାଗ୍ନିର ଉତ୍ତାପରେ ଆଉ ଜଣେ ବି ଦଗ୍‍ଧ ହୁଏ । ପୃଥିବୀଠାରୁ ଟିକିଏ ଉଚ୍ଚରେ ଭାସି ବୁଲୁଥାଏ ତା’ର ଅପାର୍ଥିବ ବାୟବୀୟ ସତ୍ତା । ନିଃସଙ୍ଗ ବୁଢ଼ାଟିର ପ୍ରତିଟି ବେଦନାମଥିତ ଦୀର୍ଘଶ୍ୱାସର ଧକ୍‍କା ସେ ସହ୍ୟ କରୁଥାଏ । ସେଇ ତ ହେଇଛି ଆଗରୁ ପିଲାଙ୍କ ସାଙ୍ଗରେ ଚାଲି ଯାଇଥିବା ବିଚାରୀ ବୁଢ଼ୀଟିର ପ୍ରେତାତ୍ମା ।

 

ସବୁ ଦେଖୁଥାଏ । ସବୁ ସେ ଶୁଣୁଥାଏ । ହେଇଟି ସେଠି–ଠୁକୁଠୁକୁ ହୋଇ ବାଡ଼ି ଧରି ଅଣ୍ଡାଳି ଅଣ୍ଡାଳି ବୁଢ଼ାଟି ଘର ଭିତରକୁ ପଶୁଛି–ଏରୁଣ୍ଡି ବନ୍ଧକୁ ଝୁଣ୍ଟୁଛି–କଚାଡ଼ି ପଡ଼ୁଛି, ପୁଣି ଉଠୁଛି–ଦୀପ ଲଗାଉଛି–ଚୁଲି ଲଗାଉଛି, ଫୁଙ୍କୁଛି–ଚୁଲି ଜଳୁଛି–ଚୁଲି ପାଖେ ସେହିଭଳି ଚୁଲି ନିଆଁକୁ ଚାହିଁ ଚାହିଁ ଆଣ୍ଠୁ ଜାକି ଅସହାୟ ଭାବରେ ବୁଢ଼ା ମାଙ୍କଡ଼ ଭଳି ବସିଛି । ଧୂଆଁରେ ନାକରୁ ପାଣି ଗଡ଼ୁଛି–ଆକ୍ଷିରୁ ପାଣି ଝରୁଛି । ସେହି ଅସହାୟ ନିସ୍ତବଧ୍ ନିଃସଙ୍ଗ ଅନ୍ଧକାର ଭିତରେ ବିଚରା ବୁଢ଼ାଟି !!

 

ସେତେବେଳେ ଏଇ ପୃଥିବୀର ଅଳ୍ପ ଉପରେ ଭାସୁ ଭାସୁ ବିଚାରୀ ବୁଢ଼ୀଟିର ସେଇ ସ୍ୱର୍ଗଗତା ବାୟବୀୟ ପ୍ରେତ ସତ୍ତା ବିଚରା ବୁଢ଼ାଟିର ଏହି ପାର୍ଥିବ ଯାତନାକୁ ଦୂର କରିବା ଲାଗି କି ନିଷ୍ଫଳ ନିଷ୍କ୍ରିୟ ଆଉ ନିରୁପାୟ ବେଦନାରେ ଛଟପଟ ହୋଇଉଠେ–ସେ କଥା ବା କିଏ ଜାଣେ ?

 

ମନୁଆବୋଉ ଏହିଭଳି ଏକ କଳ୍ପିତ ନୂତନ ବେଦନାର ରସାନୁଭୂତିରେ ବିହ୍ୱଳ ହୋଇପଡ଼ିଲେ । ତାଙ୍କର ମନେ ହେଲା–ସତେ କି ସେ ସ୍ଵାମୀଙ୍କୁ ଏଠି ଏମିତି ଏକୁଟିଆ ଛାଡ଼ିଦେଇ ଆଗରୁ ଚାଲିଯାଇଛନ୍ତି ଆରପାରିକି । ଆଉ ପୃଥିବୀଠାରୁ ଅଳ୍ପ ଉଚ୍ଚରେ ଅନ୍ତରୀକ୍ଷରେ ପ୍ରେତ ରୂପରେ ଥାଇ ସେ ଦେଖୁଛନ୍ତି ନିରୁପାୟ ଭାବରେ–ନିଃସଙ୍ଗ ଅସହାୟ ବୃଦ୍ଧ ସ୍ଵାମୀଙ୍କର ଅନେକ ପାର୍ଥିବ ଦୂରବସ୍ଥା !!

 

ଗାଧୋଇ ଆସି ସେ ସେମିତି ଠିଆହୋଇଛନ୍ତି–

 

ଭାତ ଗଣ୍ଡିଏ ବାଢ଼ିଦେବାକୁ କେହି ନାହିଁ ।

 

ଦାନ୍ତ ଘଷି ସେ ସେମିତି ବସିଛନ୍ତି–

 

ଚାହା ଟିକିଏ ଦେବାକୁ କେହି ଆସୁ ନାହାନ୍ତି ।

 

ଖଟ ଉପରେ ପଡ଼ି ସେ ଛାଟିପିଟି ହେଉଛନ୍ତି–

 

ଗୋଡ଼ରେ ହାତ ଟିକେ ମାରିଦେବାକୁ କେହି ନାହିଁ ।

 

ମୁହଁ ଶୁଖାଇ ସେ ଏକୁଟିଆଟି ମନମାରି ବସିଛନ୍ତି–

 

ତାଙ୍କ ପାଖରେ ଆଉ କେହି ନାହିଁ ।

 

ମନୁଆବୋଉ ହଠାତ୍ ଖୁବ୍ ବିଚଳିତ ହୋଇପଡ଼ି ଉତ୍ସୁକ ହୋଇ ଚମକିଲା ଭଳି ପଚାରିଦେଲେ–

 

ହଁ ! କ’ଣ କଲାଟି ସେ କପୋତ ?

 

ତୀର୍ଥବାସୀବାବୁ କିନ୍ତୁ ପୂର୍ବବତ୍ ବୈରାଗ୍ୟରସରେ ନିମଜ୍ଜିତ ହୋଇ କହି ଚାଲିଛନ୍ତି–

 

କ’ଣ ଆଉ କରନ୍ତା ? ୟାପ ମୂଢ଼ ଜୀବ ! ଭାର୍ଯ୍ୟା କଥା ଭାବି ଭାବି–ଭାର୍ଯ୍ୟା ଗୁଣ ସୁମରି ସୁମରି–ବାହୁନି ବାହୁନି ମାୟାରେ ଟାଣିହୋଇ ଆସି ଛାଆଁକୁ ଜାଲରେ ପଡ଼ିଗଲା–ଆଉ କ’ଣ ??? ଦେଖିଲ ତ ?? ଏଠି କ’ଣ ହେଲା ? ଦାସେ ଏଠି କଅଣ ମରମ ବୁଝାଇଲେ–

 

(ଆରେ) “ଏ ରୂପେ–ଏ–ଏ–ଏ ସ୍ନେହ ଅବଲମ୍ବି

ସଂସାରେ–ଏ–ଏ–ଏ ବନ୍ଧନ କୁଟୁମ୍ବୀ ।

ଦୁଃଖ ସ–ଅ–ଅ–ଅହଇ ଏ ଶରୀରେ

ନିତ୍ୟକୁ–ଉ–ଉ–ଉଟୁମ୍ବ ପୋଷିବାରେ ।

ନିରତେ ଏ–ଏ–ଏ ଆକୁଳ ହୃଦୟ

ଏଣୁ ବୋ ଓ–ଓ–ଓଲାଇ ଦୁଃଖମୟ ।

ଧର୍ମେ ବଂ–ଅଁ–ଅଁ–ଚିତ କଳେବର

ମଜ୍ଜଇ–ଇ–ଇ–ଇ ଏ ଘୋର ସଂସାର ।

ତୁ ଏବେ–ଏ–ଏ–ଏ ବୁଝ ମୋ ବଚନ.....”

 

ତୀର୍ଥବାସୀବାବୁ ସଂସାରର ମାୟାରୁ କିପରି ମୁକ୍ତି ପାଇବାକୁ ହେବ, ତା’ର ଭାଗବତୀୟ ବ୍ୟାଖ୍ୟା ସରଳ ଭାବରେ ବୁଝାଇ ବସିଲେ ।

 

ମାତ୍ର ମନୁଆବୋଉ ଗଳ୍ପର ଏହି ସମ୍ପୂର୍ଣ୍ଣ ସହଜ ଓ ସମୁଚିତ ପରିଣତରେ ଆନନ୍ଦରେ ଅଧୀର ହୋଇଉଠିଲେ । ପରମ ରସତୃପ୍ତିରେ ତାଙ୍କ ଆକ୍ଷି ଦୁଇଟି ଲୁହରେ ଭରିଉଠିଲା । ସତେ କି ସେ ଏକ ପରମ ମିଳନାତ୍ମକ ନାଟକ ଦେଖିଦେଲେ । ସେ ଭାବିଲେ–

 

ବାସ୍–ସରିଲା କଥା । ୟାକୁ ଯେ କହିବ ଶାସ୍ତ୍ର । ସମସ୍ତେ ଏକା ସାଙ୍ଗରେ ଚାଲିଗଲେ । ଏ ମଞ୍ଚମଣ୍ଡଳରୁ ସିନା ଚାଲିଗଲେ ଏକାସାଙ୍ଗରେ, ସେଠି ଫେର୍ ସ୍ଵର୍ଗରେ ବି ମିଳିଗଲେ ଏକାଠି । ସତ କଥା । ଋଷିମାନେ ଯାହା ବୁଝାଇଛନ୍ତି, ଠିକ ବୁଝାଇଛନ୍ତି । ଯଦି ମରିବ ତ ଏକା ସାଙ୍ଗରେ ମରିବ । ସ୍ଵର୍ଗରେ ଯାଇ ବସିବ ଏକାଠି । କିଏ କାହାକୁ ଛାଡ଼ିକରି ଯିବନି କି କିଏ କାହାକୁ ଛାଡ଼ିକରି ଏକା ରହିବ ନାହିଁ । ତେବେ ସେମିତି ପୂର୍ବ ଜନ୍ମର ତପସ୍ୟା ଥିଲେ ସିନା ଏ ଯୋଗ ପାଇବ !

 

ମନୁଆବୋଉ ଆନନ୍ଦରେ ଉଲ୍ଲସିତ ହୋଇ ପରମ ନିଶ୍ଚିନ୍ତରେ ଆଉ ଖଣ୍ଡିଏ ପାନଡିବାରୁ କାଢ଼ି ପାକୁଆ ପାଟିରେ ଗୁଞ୍ଜି ଲାଳେଇ ଲାଗିଲେ ।

 

କିନ୍ତୁ ତୀର୍ଥବାସୀବାବୁ ତ ଭାଗବତବର୍ଣ୍ଣିତ ଏଇ କପୋତ ଉପାଖ୍ୟାନରୁ ଏମିତି ଗୋଟେ ସଂସାରିକ ଭାବରସ ସୃଷ୍ଟିକରିବା ଲାଗି ଗପଟିର ଅବତାରଣା କରି ନ ଥିଲେ ! ସେ ତ ନିଜେ ବର୍ତ୍ତମାନ ବୈରାଗ୍ୟରସରେ ନିମଜ୍ଜିତ ! ସେ କେବଳ କଥାଟିର ଆଧ୍ୟାତ୍ମିକ ଓ ମାର୍ମିକ ଅର୍ଥଟି ମୁଢ଼ା ମୋହମାୟାଗ୍ରସ୍ତା ପ୍ରପଞ୍ଚଜଞ୍ଜାଳାତୁରା ପତ୍ନୀଙ୍କ ଆଗରେ ଉପସ୍ଥାପନ କରି ତାଙ୍କର ମନକୁ ଏହି ଜଞ୍ଜାଳ–ଜମ୍ୱାଳ–ପରିପୂର୍ଣ୍ଣ ନିମ୍ନ ପାର୍ଥିବ ସ୍ତରରୁ ଆଉ ଏକ ସୁଉଚ୍ଚ ପ୍ରମୁକ୍ତ ଚେତନାର ଆଧ୍ୟାତ୍ମିକ ସ୍ତରକୁ ଟାଣିନେବାକୁ ଚେଷ୍ଟା କରୁଥିଲେ । ତେଣୁ ସେ ପତ୍ନୀଙ୍କର ବର୍ତ୍ତମାନ ମନୋଭାବ ବା ମାନସିକ ପ୍ରତିକ୍ରିୟା ପ୍ରତି ଆଦୌ ଅବଧାନ ନ ହୋଇ ତାଙ୍କରି ଧାରାରେ କହିଚାଲିଲେ–

 

ବୁଝିଲ ? ବୁଝିଲ ତ ?

 

“ଏ ରୂପେ–ଏ–ଏ–ଏ ସ୍ନେହ ଅବଲମ୍ବି

ସଂସାରେ–ଏ–ଏ–ଏ ବନ୍ଧନ କୁଟୁମ୍ଵୀ ।”

 

ଏଇ ମାୟା ବନ୍ଧନରେ ପଡ଼ି–ନିତ୍ୟ କେବଳ ପୁଅ, ବୋହୂ, ଝିଅ, ନାତି, ନାତୁଣୀ ହୋଇ ଦିନେ ନିଜେ ହିଁ ସେଇ ଜାଲରେ ପଡ଼ି ମରିବ । ସଂସାରରେ ବିଷୟାବିଷରେ ଜଡ଼ିତ ହେଲେ ଏ ଶରୀର କେବଳ ଦୁଃଖଇ ଭୋଗିବ । ଅବଧୂତ ତେଣୁ ଯଦୁ ରାଜାଙ୍କୁ ବୁଝାଇଲେ–ହେ ରାଜନ୍ ! ଏଇ ଯେଉଁ କପୋତ ପକ୍ଷୀ ଉପାଖ୍ୟାନ କହିଲି, ଏକଥା ଶୁଣି ତୋର ମନ ସ୍ଥିର କର । ଏଇ ଦୁର୍ଲଭ ମନୁଷ୍ୟ ଦେହ କାହା ପାଇଁ ? ପୁଅ, ଝିଅ, ନାତି, ନାତୁଣୀଙ୍କ ପାଇଁ ଆଦୌ ନୁହେଁ । ଏଇ ଦେହ ହେଉଛି ମୁକ୍ତିର ଦ୍ଵାର ସ୍ଵରୂପ । ଏହି ମନୁଷ୍ୟ–ଦେହ ହେଉଛି ମୁକ୍ତିର ଦ୍ଵାର ସ୍ୱରୂପ । ଏହି ମନୁଷ୍ୟ–ଦେହ ପାଇ ଥାଇଁ କୋଉଥିଲାଗି ? ନା ଭବ ସମୁଦ୍ରରୁ ତରିବାଲାଗି; କିନ୍ତୁ ଏ କଥା ନ ବୁଝି–ଏ ମର୍ମ ଭିତରେ ନ ପଶି ଯଦି ଏହି ମଣିଷ–ଦେହ ପାଇଁ ବିଷ୍ଣୁ ପଦକୁ ନ ଭଜି କେବଳ ଏହି ମାୟା ସଂସାର ଭିତରେ ମଲାଯାଏ ବୁଡ଼ିରହିବ, ତା’ ହେଲେ ମୃତ୍ୟୁପରେ କୁମ୍ଭୀପାକ ନରକରେ ଘାଣ୍ଟିହେବା ସୁନିଶ୍ଚିତ ।

 

ବୁଝିଲ ମନୁଆବୋଉ ! ଦାସେ ଏଇଠି ବୁଝାଉଛନ୍ତି–

 

“ଏଣୁ ଏ ସଂସାର ସଙ୍ଗତେ

ପୀରତି ନ କରିବ ଚିତ୍ତେ

ଯେବେ କଳ୍ପିବ ମୋହପାଶ

କପୋତ ପ୍ରାୟ ଯିବ ନାଶ ।”

 

ସେଇଥିପାଇଁ ମୁଁ ତୁମକୁ ବାରମ୍ବାର କହୁଛି–ମନୁଆବୋଉ ! ଏସବୁ ଛାଡ଼–ପିଲାଙ୍କୁ ଛାଡ଼ିଦିଅ ତାଙ୍କ ସଂସାର–କାନିରୁ ଚାବି ଖୋଲି ବଡ଼ ବୋହୂକୁ ଧରେଇଦିଅ–ନାତି ନାତୁଣୀଙ୍କ ବନ୍ଧନ ଛିଣ୍ଡାଇଦିଅ–ଚାଲ ଆମର ପୁରସ୍ତମ–ନୀଳାଚଳକ୍ଷେତ୍ର ପଡ଼ିଛି–ସେଠି ତ ପିତୃଅମଳରୁ ଦି’ ବଖରା କୁଡ଼ିଆ ଆମର ଅଛି । ସେଇଠି ଆମେ ରହିବା । ଶେଷକାଳଟା ସେଇଠି କଟେଇବା–ପ୍ରଭୁ ଚକାଡ଼ୋଳାଙ୍କୁ ଭଜି ଭଜି–ନୀଳଚକ୍ରବାନାକୁ ଚାହିଁ ଚାହିଁ ଆକ୍ଷି ବୁଜିବା । ସେଇଠି ମଲେ ପାଇବା ସ୍ଵର୍ଗଦ୍ଵାର । ମତେ ଆଉ ଏ ସଂସାର ଭଲ ଲାଗୁନାହିଁ । ହେଲେ ତୁମେ କ’ଣ ମୋ କଥା ଶୁଣୁଛ ?

 

ମନୁଆବୋଉ ସ୍ଵାମୀଙ୍କ ମୁହଁକୁ ଚାହିଁଲେ । କପୋତ ପକ୍ଷୀ ଉପାଖ୍ୟାନର ମିଳନାତ୍ମକ ପରିଣତିଟି ମନ ଉପରେ ଏକ କରୁଣ ମଧୁର ଅନୁଭୂତିର ଗଭୀର ପ୍ରଭାବ ପକାଇଦେଇଛି । ହଠାତ୍ ସ୍ଵାମୀଙ୍କ ମୁହଁକୁ ଚାହିଁ ହେଇ ମନୁଆବୋଉଙ୍କ ମନ ତାଙ୍କ ପ୍ରତି ହଠାତ୍ ସହାନୁଭୂତିଶୀଳ ହୋଇଉଠିଲା । ସେ ପରମ ନିଶ୍ଚିତ ନିର୍ଭରଶୀଳତାରେ ଅଳ୍ପ ହସି କହିଲେ–‘ଚାଲୁନା ! ମୁଁ କ’ଣ ମନା କରୁଛି ?’

 

ତୀର୍ଥବାସୀବାବୁ ନିଜ ଜଙ୍ଘ ଉପରେ ପଟାସ୍‍କିନା ଗୋଟେ ଚଟକଣି ମାରି କହିଲେ–

 

“ଆରେ ଯାଃ !! ଖାଲି କହିଦେଲେ ହେବ ? ଏମିତି ତ ବର୍ଷେ ହେଲାଣି କହୁଛ; କିନ୍ତୁ ଯାଇପାରୁଛ କି ? ବନ୍ଧନ କାଟିପାରୁଛ କି ?”

 

ମନୁଆବୋଉ କହିଲେ–

 

“ମଲା ! ମୋର ଆଉ କ’ଣ ବନ୍ଧନ ମ ? ମୋ ବନ୍ଧନ ତୁମେ । ମୋ ଡୋରି ତୁମ ହାତରେ । ତୁମ ଡୋରି ଜଗନ୍ନାଥଙ୍କ ହାତରେ । ଜଗନ୍ନାଥେ ତୁମକୁ ଟାଣିବେ । ତୁମେ ପୁଣି ମୋତେ ଟାଣିବ । ସେତେବେଳେ ମୁଁ ନଯାଇ ରହିବି କୋଉଠି ?”

 

ତୀର୍ଥବାସୀବାବୁ କହିଲେ ନରମ ହୋଇ–

 

“ସେ କଥା ମୁଁ ମାନୁଛି ମନୁଆବୋଉ ! ମୋ ହାତରେ ତୁମ ଦଉଡ଼ି ଯେ, ମାତ୍ର ମୁଁ କ’ଣ ତୁମକୁ ଟାଣିନେଇ ପାରୁଛି ? ତେଣେ ଘରଯାକର ଦଉଡ଼ି ଫାଶ ଲାଗିଛି ଯେ ତୁମ ଗୋଡ଼ରେ । ମୁଁ ଟାଣିଲା ବେଳକୁ ସେମାନେ ଯେ ପଛରୁ ଭିଡ଼ି ଧରୁଛନ୍ତି । ଶେଷରେ କିନ୍ତୁ ମୁଁ ଦେଖିଲିଣି–ଏ ପରିସ୍ଥିତିରେ ତୁମେ ବି ଏଠି ଏମିତି ନରକରେ ସଢ଼ି ମରିବ–ମୋତେ ବି ସେଇ ଏକା ନରକରେ ପଡ଼ି ସଢ଼ି ମରିବାକୁ ହେବ ।”

 

ମନୁଆବୋଉଙ୍କର ଅବଶ୍ୟ ଏପରି ମିଳିତ ଭାବରେ ନରକବାସ ଯୋଗରେ ଆପତ୍ତି ନାହିଁ । ନରକ ହେଲେ କ’ଣ ହେଲା ? ଯଦି ବୁଢ଼ା ତାଙ୍କର ସଙ୍ଗେ ସଙ୍ଗେ ସେଠି ରହିଥିବ ? ମାତ୍ର ସ୍ଵାମୀଙ୍କର ଆଜି ଏଇ କଥା ଭିତରେ କ’ଣ ରହିଥିଲା କେଜାଣି ତାଙ୍କର ମନ ସ୍ଵାମୀଙ୍କ ଲାଗି ଅତି ବିକଳ ହୋଇଉଠିଲା । ସତ କଥା ଏକା । ପୁରସ୍ତମ ଯିବା ଲାଗି ତାଙ୍କର ବର୍ଷେ ହେଲା ମନ ଡାକିଲାଣି । ଖାଲି ତାଙ୍କରି ଯୋଗୁ ହିଁ–ଆଜି ଯିବା–କାଲି ଯିବା–ଏମିତି ହୋଇ ବର୍ଷେ ଗଡ଼ିଗଲାଣି । ସତକଥା ଏ ଜଞ୍ଜାଳ କ’ଣ ତାଙ୍କୁ ଛାଡ଼ୁଛି ? ସେ ତ ସହଜେ ସ୍ତ୍ରୀ ଜାତି ।

 

“ସ୍ୱଭାବେ ନାରୀ ଜନ୍ମ ପାଇ

ଧର୍ମ ଅଧର୍ମ ନ ଜାଣଇ ।”

 

ଗଲା ବର୍ଷ ଚନ୍ଦନକୁ ଯିବେ ବୋଲି ବାହାରିଥିଲେ ଯେ ବଡ଼ବୋହୂର କ’ଣ ଅପରେସନ୍ ହେଲା–ସେ ପାଳି ଗଲା । ରଥକୁ ସାନ ନାତିଟାର ଲାଳରକ୍ତ ଝାଡ଼ା ହେଲା । ତା’ ମାଆ ଛାଡ଼ିଲା ତାହିଁ । ଦୋଳଯାତ୍ରାକୁ ବାହାରିଲେ–ସାନ ପୁଅ ଯୋଉଟା ଏବେ ବିଲାତରୁ ଫେରିଛି–ତା’ ଭାରିଯା ଆଉ ଦୁଇ ଭାଉଜଙ୍କୁ ନେଇ ବାହାରିଗଲା କାଶ୍ମୀରୀ ଦେଶ–ସେ କୁଆଡ଼େ ଯାଇ–କୋଉ ଦୂର ମୂଲକ । ଘରେ ଛାଡ଼ିଦେଇ ଗଲେ ନାତି ନାତୁଣୀପଲଙ୍କୁ ତାଙ୍କ ଜିମାରେ । ସତ କଥା–ତାଙ୍କୁ ସମ୍ଭାଳିଥାଆନ୍ତା କିଏ ? ବାଧ୍ୟ ହୋଇ ରହିବାକୁ ହେଲା । ଆଉ ଏକ ମାସ ତଳେ ତ ବାହାରିଥିଲେ–ସବୁ ଠିକ୍‍ଠାକ୍ ହୋଇଗଲା ! ଯାହା ଯେମିତି ସାଙ୍ଗରେ ନେବାର କଥା ସବୁ ବନ୍ଧାବନ୍ଧି ହୋଇଯାଇଥିଲା । ସେ ତ କହିଲେ–କିଛି ନିଅ ନାହିଁ–ତାଙ୍କ ଜିନିଷ କିଛି ଛୁଅଁନା–ଆମର ପେନ୍‍ସନ୍ ଗଣ୍ଡାକ ଅଛି–ମନ୍ଦିରରୁ ଅଭଡ଼ା ଖାଇବା–ଦେଉଳବେଢ଼ାରେ ଦିନଯାକ ପଡ଼ିଥିବା–ନାମ ଜପୁଥିବା ନୀଳଚକ୍ରକୁ ଚାହିଁ ଚାହିଁ–ସେଇଠି ବୁଜିବା ଆକ୍ଷି–ଆଉ କେତେ ଦିନ କି ?

 

ମନୁଆବୋଉଙ୍କର ଆକ୍ଷି ଛଳଛଳ ହୋଇ ଯାଇଥିଲା–ସତ କଥା–ଏଡ଼େ ବଡ଼ ଭାଗ୍ୟ ତାଙ୍କର ହେବ କି ? ଖୁବ୍ ମନ ଟାଣ କରି ବାହାରିଥିଲେ । ଯିବା ଦିନ ଉପରଓଳି ବୋହୂମାନେ କାନ୍ଦି କାନ୍ଦି ଆସି କୁଣ୍ଢାଇ ଧରିଲେ–

 

ମାଆ ! ଆମକୁ ଏମିତି ଅର୍କ୍ଷିତ କରି ଛାଡ଼ିଯାଉଛ ? ମାଆ ! ଆଜିଯାଏ ହାତରେ ଭାତ ଖାଇ ଶିଖି ନ ଥିଲୁ । ଖୋଇ ଦେଉଥିଲ ।

 

ମାଆ ! ଆମେ ପିଲା ତିନିଟା ଏତେବଡ଼ ସଂସାର ଚଳେଇ ପାରିବୁ ? ମୁଣ୍ଡେଇ ପାରିବୁ-? ଲଦି ଦେଇ ଯାଉଛ ?

 

ନିଜ ନିଜର ଛୁଆମାନଙ୍କ ଆଡ଼କୁ ହାତ ବଢ଼ାଇ ଦେଖେଇ ଦେଖେଇ କହିଲେ–

 

ମାଆ ! ଏ ଘୁଷୁରିପଲଙ୍କୁ ଏଠି କିଏ ସମ୍ଭାଳିବ ?

 

ନାତି ନାତୁଣୀଏ ବି ବାଟ ଛାଡ଼ିଲେ ନାହିଁ । ଆଗରେ ଆସି ହାତ ଛନ୍ଦି ଠିଆ ହେଲେ । ସାନ ନାତିଟା ଭାରି ହୁରୁମା–ଗୋଟାଏ ଗାଈବନ୍ଧା ପଘା ଆଣି ଗୋଡ଼ରେ ବାନ୍ଧି କହିଲା–ଦେଖିବା ତୁ ବୁଢ଼ୀ କେମିତି ଯିବୁ ?

 

ସମସ୍ତେ କାନ୍ଦିଲେ । ସେମାନଙ୍କୁ ଚାହିଁ ତାଙ୍କର ମଧ୍ୟ ଆକ୍ଷି ଛଳ ଛଳ ହୋଇଉଠିଲା । ସେମାନଙ୍କୁ ଦେଖି ମନ ଜମା ଛାଡ଼ୁ ନଥାଏ । ଗୋଡ଼ ଜମା ଆଗକୁ ଚଳୁ ନଥାଏ । ହେଲେ ଏଙ୍କର କିନ୍ତୁ ଭାରି ଛାତି । ଏ ଜମା କାହାକୁ ଚାହୁଁ ନ ଥାନ୍ତି କି କାହା କଥା ଶୁଣୁ ନ ଥାନ୍ତି । ବାଡ଼ି ଠକଠକ କରି ଓଲଟ ପାଟି କରି ଉଠୁଥାଆନ୍ତି–ଆରେ ଯାଅ–ଯାଅ, ଆଜି ମଲେ କାଲି ମୁଣ୍ଡରେ ପାଣି ଢାଳେ ଢାଳିଦେଇ ମାୟା ଧୋଇଦେବ । ମିଛରେ ଏ ସୁଆଙ୍ଗ ଦେଖାଉଛ ? ଆମେ ଜାଣିନୁ ?? ‘ଘଟ ଛୁଟିଲେ ତୋତେ ବୋଲିବେ ଭୂତ ।’ ଢେର ଦେଖିଲୁଣି ଏସବୁ । ଆଉ ଏ ଭେଳିକି ଦେଖାଅ ନାହିଁ । ଆହେ ଆସ ହେ ! ୟାପ–ମହାମାୟାବୀ–ଆସ–ଆସ । ଆରେ ଆସ ବାବୁ–ଉଠ–ଉଠ । ୟାପ–ଆହେ ଆସ–ନ ହେଲେ ବାବୁ ଥାଅ ତୁମେ ଏଠି–ଆମେ ଚାଲିଲୁ ।

 

ଡଗ ଡଗ ହୋଇ ସେ ଦାଣ୍ଡ ଆଡ଼କୁ ମୁହାଇଁଗଲେ । ମନୁଆବୋଉ ଛଳଛଳ ଆକ୍ଷିରେ ନାକ ସୁଁ ସୁଁ କରି ଖୁବ୍ ଅନିଚ୍ଛାରେ ଧୀର ଭାବରେ ଗୋଟାଏ ପାହୁଣ୍ଡ ଆଗକୁ ଉଠାଇଛନ୍ତି କି ନାହିଁ, ଦୈବ ଯୋଗକୁ ଗୋଟାଏ କାଣ୍ଡ ଘଟିଗଲା ।

 

ସାନ ପୁଅ କୁଆଡ଼େ ଥିଲା–ହଠାତ୍ ଆସି ପହଞ୍ଚିଗଲା ଧଇଁସଇଁ ହୋଇ–ବୋଉ ! ମଞ୍ଜୁ ପାଖରୁ ଟେଲିଗ୍ରାମ ଆସିଛି ।

 

କ’ଣ ? କି ଟେଲିଗ୍ରାମ ରେ ?

 

ସମସ୍ତେ ତଟକା–

 

ମଞ୍ଜୁର କ’ଣ ଆବରସନ୍ ହୋଇଯାଇଛି । ଲେଖିଛି ତୋତେ ଯିବା ପାଇଁ ଖୁବ୍ ଶୀଘ୍ର ।

 

ମନୁଆବୋଉଙ୍କର ଉତ୍‍ଥିତ ପାଦ ପୁଣି ସ୍ଥିର ହୋଇ ଯାଇଥିଲା । ଏକମାତ୍ର ଝିଅର ପ୍ରଥମ ଗର୍ଭରେ ଏମିତି ଅବସ୍ଥା–ତାର କରିଛି–ସେ ଯଦି–

 

ବାସ୍–ସେଥର ବି ଯାତ୍ରା ବନ୍ଦ ରହିଲା ।

 

ଏମିତି ଏମିତି କେତେଥର ଅନୁକୂଳ ବିଗିଡ଼ିଗଲାଣି । ତାଙ୍କର ମନ ମଧ୍ୟ ଚିଟା ଧରିଲାଣି-। ସତ କଥା । ଆହା ! କେଡ଼େ ଜ୍ଞାନବନ୍ତ ପୁରୁଷ । ମୂଳରୁ ବି ସେ ସେମିତି ଉଦାସିଆ । ସବୁଦିନେ ସଂସାର କରିଥିବେ ସିନା, ସଂସାର ପ୍ରତି ତାଙ୍କର କୋଉଦିନ ସେମିତି ଟାଣ ନିଘା ନ ଥାଏ-। ସଚ୍ଚୋଟପଣରେ ଯାହା କମାଇବେ, ଯେତିକି କମେଇବେ–ସବୁ ଆଣି ତାଙ୍କ ପାଖରେ ଅଜାଡ଼ିଦେଇ ସେ ପରମ ନିଶ୍ଚିନ୍ତରେ ଖାଲି ଶାସ୍ତ୍ର ପୁରାଣ–ଏଇ ସବୁଥିରେ ମାତିଥିବେ । ସବୁ କରନ୍ତି–ପୁଣି କିଛି କରନ୍ତି ନାହିଁ । ତାଙ୍କ କଥା ଶୁଣିଲେ ସତକୁ ସତ ମନ କେମିତି ଆଉ ପ୍ରକାରେ ହୋଇଯାଏ । ନିର୍ମାୟା ପୁରୁଷ–କାହାରି ମନ୍ଦ ପାଞ୍ଚନ୍ତି ନାହିଁ । ସାଧୁ ସନ୍ୟାସୀ, ଦୁଃଖୀ ରଙ୍କୀ ସମସ୍ତଙ୍କ ମୁହଁକୁ ଚାହିଁଥାନ୍ତି । ଏମିତି ପୁରୁଷ ବା କେତେ ଜଣଙ୍କ ଭାଗ୍ୟରେ ମିଳିଛନ୍ତି !

 

ତାଙ୍କର ତ ସଂସାରରୁ ମନ ଛାଡ଼ିଗଲାଣି–ଆଉ ସେ ଏଠି ଘାଣ୍ଟି ହେବାକୁ ଚାହାନ୍ତି ନାହିଁ-। କାହିଁକି ବା ଘାଣ୍ଟି ହେବେ ? ସତ କଥା–କିଏ କାହାର ଏ ସଂସାରରେ ? ସେ ଯାହା କହୁଛନ୍ତି, କିଛି ମିଛ ନୁହେଁ । ଆକ୍ଷି ବୁଜିଲା ବାସି ଦିନ ଏମାନେ ସବୁ ଭୁଲିଯିବେ । ମଲା ତାରିଖ ବି ମନେ ରହିବ ନାହିଁ । କୈଳାସମାଆ ସେମିତି ପୁଅ ବୋହୂ, ନାତିନାତୁଣୀ ଧରି ନାଚୁଥିଲା । କ’ଣ ହେଲା-? ସେ ପରା ମଲାବେଳେ ଯୋଉ ପଲଙ୍କରେ ଶୋଇଥିଲା–ତା’ ବୁଢ଼ା କହିଲା, ସେଇ ପଲଙ୍କରେ ତାକୁ ଉଠାଅ ମଶାଣିକି । ତା’ ବୋହୂ ପରା ପରା ମନା କଲା–କହିଲା, ସେ ପଲଙ୍କ ବରମାଟିକ୍ କାଠ ତାକୁ ନିଅ ନାହିଁ । ଆଉ ଏ ପୁଅ ବୋହୂ ଥାଇ କେତେ–ନ ଥାଇ କେତେ ? କିଏ କ’ଣ କରିବ ବା କିଏ କ’ଣ କାହାର ? କେହି ନୁହେଁ ଲୋ, କେହି ନୁହେଁ । ଇଏ ତାଙ୍କର ନିଜର ବଡ଼ ବୋହୂ ଏବେ ଏତେ ମାଆ ମାଆ ହେଉଛି–ପାଣି ପିଉ ନାହିଁ, ସେ ଦିନ କ’ଣ କଲା ? ବଡ଼ ପୁଅ ଆଣିଥିଲା କାଶ୍ମୀରୀ ଶାଲ । କହିଲା–‘ବୋଉ ଲୋ ! ତୋ ପାଇଁ ଏଟା ଆଣିଛି । ତୋତେ ସୁନ୍ଦର ମାନିବ–ଦେଖିଲୁ କେଡ଼େ ସୁନ୍ଦର ।’ ମୁଁ କହିଲି–‘ମୋର କ’ଣ ଏଇଟା ହେବ ବୁଢ଼ୀ କାଳରେ । ସେଇ ବଡ଼ବୋହୂକୁ ସେ । ଆରେ, ତୁମେମାନେ ପିନ୍ଧିଲେ ମୋର ହେଲା ରେ !’ ଯେମିତି ଏତିକି କହିଛି–କେଉଁଠି ଛପିଥିଲା ବଡ଼ବୋହୂ, ସିଆଡ଼ୁ ବିଲେଇ ଭଳିଆ ଆସି ଝାମ୍ପିନେଲା ଶାଲଖଣ୍ଡିକ ପୁଅ ହାତରୁ । ସାଙ୍ଗେ ସାଙ୍ଗେ ଗୋଟାଏ ଖଇରିଆ ନୀରସା ଶାଲ ଆଣି ମୋ ହାତକୁ ବଢ଼ାଇଦେଇ କହିଲା–‘ମୁଁ ତାଙ୍କୁ କହୁଛି–ଏ ଖଣ୍ଡ ମାଆଙ୍କୁ ମାନିବ ନାହିଁ କି ତାଙ୍କ ମନକୁ ପାଇବ ନାହିଁ–ସେ କ’ଣ ମୋ କଥା ଶୁଣୁଛନ୍ତି ?’

 

ଅସଲ କଥା–ସେଇ ଭଲ ଶାଲ ଖଣ୍ଡକ ତା’ ମାଆ ପାଇଁ ପଠେଇବ–ଆଉ ନୀରସା ଖଣ୍ଡକ ଶାଶୁକୁ ଦେବେ । କ’ଣ କମ୍ ଜଣେ କି ସିଏ ?

 

ସବୁ ବୁଝିଛି ରେ–ସବୁ ବୁଝିଛି । ତୁମ୍ଭମାନଙ୍କ ହାତକୁ ମୁଁ ଅନାଇ ବସି ନାହିଁ । ମୋ ବୁଢ଼ା ମତେ ଢେର୍ ଢେର୍ ଶାଲ, କମ୍ବଳ ଯୋଗେଇଛି । ମୁଁ ମଲେ ତାଆରି କେବଳ ଅଚଳ ହୋଇଯିବ । କାନ୍ଦି କାନ୍ଦି ତାରି କେବଳ ଦିନ ସରିବ ନାହିଁ । ତୁମମାନଙ୍କର କିଛି ହେବ ନାହିଁ । ତୁମ ମାଇପମାନେ କାନିରେ ଚାବି ପେନ୍ଥା ବାନ୍ଧି ବୁଲିବେ । ବଞ୍ଚିଛି ବୋଲି ଦେହ ସହୁ ନାହିଁ–ଦୁଇ କାମ କରିଦେଉଛି–ତୁମ ପିଲାଙ୍କୁ ସମ୍ଭାଳିଛି–ସେଇଥିପାଇଁ ମାଆ ମାଆ ହେଉଛ । ମରିଗଲେ ଦାସୀ ଆଣି ରଖିବ, ସେ ସମ୍ଭାଳିବ ପିଲାଙ୍କୁ ।

 

ଆରେ ଯା ଯା ରେ ! ରଖ ତୁମ ସୁଆଗ । ଘର ଦୁଆର–ପିଲାପିଚିକା–ନିଅ ଏ ଚାବି ନିଅ–ହେଇଟି ଫିଟେଇଲି ଏ ଚାବି ଗଣ୍ଠି ମୋ କାନିରୁ ଆଜିଠାରୁ । ମୋର ଜୀବଜୀବନ–ମୋର ସାଆଭରସା–ମୋର ଆତ୍ମା–ପୁରୁଷ ବୁଢ଼ା ଯେଉଁଠି–ମୁଁ ସେଇଠି । ଆଉ ନୁହେଁ–ଆଉ ନୁହେଁ । ସେ ଢେର୍ ଥର ବିଗିଡ଼ିଲେଣି । ତାଙ୍କର ତ ସଂସାରରୁ ମନ ଛାଡ଼ିଗଲାଣି । ଜ୍ଞାନବନ୍ତ, ଧର୍ମବନ୍ତ ପୁରୁଷ ସେ । ଏଥର ସେ ଚାଲିଯିବେ । ବିରକ୍ତ ହୋଇ ଚାଲିଯିବେ ଦିନେ ଏକା ଏକା ଆଗମୁହାଁ–ପଛକୁ ଚାହିଁବେ ନାହିଁ । ସେଇ କେବଳ ପଛରେ ପଡ଼ି ହାଉ ହାଉ ହୋଇ କାନ୍ଦୁଥିବେ । ଲୁହ ପୋଛିବାକୁ ତର ନ ଥିବ । ବିକଳରେ ବୋବାଳି ଛାଡ଼ିଥିବେ ! ସେ କିନ୍ତୁ ଶୁଣିବେ ନାହିଁ । ଦ୍ରଉପଦୀ ଠାକୁରାଣୀ ପଛରେ ଅପନ୍ତରାରେ ପଡ଼ି ଛଟପଟ ହେଉଥିବେ–ଯୁଜେଷ୍ଠି ଠାକୁର ଆଗେଇ ଯିବେ, ଆଉ ପଛକୁ ଫେରି ଚାହିଁବେ ନାହିଁ । ଓହୋ ! ଓ ଓ ଓ !!

 

ଏକ ଅଶୁଭ ଅସହାୟ ବିକଳ ଆଶଙ୍କାରେ ମନୁଆବୋଉଙ୍କ ଅନ୍ତର କାନ୍ଦିଉଠିଲା–ଥରିଉଠିଲା ।

 

ସେ ଆର୍ତ୍ତ ଭାବରେ ସ୍ଵାମୀଙ୍କର ହାତ ଧରିପକାଇ କାନ୍ଦି କାନ୍ଦି ଦୃଢ଼କଣ୍ଠରେ କହିଲେ–

 

ନାହିଁ ହୋ–ଆଉ ନୁହେଁ । ତୁମେ ଦିନ ଠିକ୍ କର । ମୁଁ ସବୁ ବୁଝିଲିଣି–ତୁମେ ଯେଉଁଠି ମୁଁ ସେଇଠି । ଚାଲ ପଳେଇବା ଏଠୁ ପୁରସ୍ତମ । ମୁଁ ସବୁ ଜାଣିଲିଣି–ଏ କେହି କାହାର ନୁହନ୍ତି । ସବୁ ମିଛ ।

 

ତୀର୍ଥବାସୀବାବୁ ପତ୍ନୀଙ୍କର ମୁହଁଙ୍କୁ ଆସ୍ଥାପୂର୍ଣ୍ଣ ଭଙ୍ଗୀରେ ଚାହିଁଲେ ଏବଂ ମନୁଆବୋଉଙ୍କର ଏହି ବର୍ତ୍ତମାନର ମୁହଁଟି ତାଙ୍କ ହୃଦୟକୁ ଏକ କରୁଣ ମଧୁର ପ୍ରେମରସରେ ପ୍ଳାବିତ କରିଦେଲା । ଆଃ !! କି ସୁନ୍ଦର ଏକାନ୍ତ ନିର୍ଭରଶୀଳ, ଶିଶୁସୁଲଭ ଅହାୟକ ମୁଢ଼ ମୁହଁଟିଏ । ଏଇ ମୁଁହଟି ଓ ଏହି ମୁହଁଟିର ଏହି ବିଶିଷ୍ଟ ଭଙ୍ଗୀଟି ହିଁ ତାଙ୍କ ହୃଦୟରେ ଚିରଦିନ ଦୟା ଓ ମାୟାର ସଞ୍ଚାର କରି ରଖିଛି ।

 

ପରମ ଉଲ୍ଲାସ, ବିଶ୍ୱାସ ଆଉ ନିଶ୍ଚିନ୍ତ ସଫଳତାରେ ତୀର୍ଥବାସିବାବୁ ପତ୍ନୀଙ୍କ କାନ୍ଧରେ ହାତରଖି କହିଲେ–

 

କ’ଣ ଏ କଥା ସତ୍ୟ ମନୁଆବୋଉ ? କୁହ–ତ୍ରିବାର ସତ୍ୟ । ମନୁଆବୋଉଙ୍କର କଣ୍ଠ ଅଭିମାନରେ ଭାଙ୍ଗିପଡ଼ିଲା । ସେ ଯଥାସମ୍ଭବ ଦୃଢ଼ତା ରକ୍ଷାକରି କହିଲେ–

 

କହିଲା ପରା ଥରେ ! ତୁମେ ଦିନ ଠିକ୍ କର ।

 

–ଦୁଇ–

 

ଚାରିଆଡ଼େ ରାଷ୍ଟ୍ର ହୋଇଗଲା ଯେ–କାଲି ସକାଳୁ ତୀର୍ଥବାସୀବାବୁ ସସ୍ତ୍ରୀକ ଘର–ସଂସାର ଛାଡ଼ି ମୃତ୍ୟୁ ପର୍ଯ୍ୟନ୍ତ ପୁରୀକ୍ଷେତ୍ରରେ ରହିବାକୁ ଚାଲିଯିବେ । ଆଉ ସେମାନେ ଘରକୁ ଫେରିବେ ନାହିଁ । ବନ୍ଧୁବାନ୍ଧବ ଏ କଥା ଶୁଣୀ ସଙ୍ଖୋଳିବାକୁ ଆସିଲେ । ସମସ୍ତେ ଆସି ତୀର୍ଥବାସୀବାବୁଙ୍କୁ ଏଥିରୁ ବାରଣ କରିବାକୁ ନାନାପ୍ରକାର ବୁଝାଇଲେ । ତୀର୍ଥବାସୀବାବୁଙ୍କର ସମବୟସ୍କ ଅବସରପ୍ରାପ୍ତ ବୃଦ୍ଧ ବନ୍ଧୁମାନେ ନିଜ ନିଜର ମନୋବୃତ୍ତି ଅନୁଯାୟୀ ତାଙ୍କୁ ନାନାଦି ଉପଦେଶ ଦେବାକୁ ଆରମ୍ଭ କଲେ–

 

ଆଜିଠାରୁ ଏ ବାନପ୍ରସ୍ଥବ୍ରତ କାହିଁକି ତୀର୍ଥବାସୀ ? ସଂସାରକୁ ତିଆରି କଲେଇଁ ଲାଗିପଡ଼ି ଜୀବନଯାକ । ଆଣ୍ଠୁ–ଗଣ୍ଠି ଛିଣ୍ଡିଲା । ଉଠପଡ଼ି ଅଣନିଶ୍ଵାସୀ ହୋଇ ସଂସାରକୁ ଠିଆ କଲେଇଁ । ଏତେବେଳକୁ ତୁମେ ଏ ଧନଧାନ୍ୟଭରା ସୁଭୋଗ୍ୟ ସଂସାରକୁ ଛାଡ଼ିଯାଉଛ ? ଟିକିଏ ଆଉ ଚିନ୍ତାକର ତୀର୍ଥବାସୀ !

 

...ସବୁ ବୁଝି ମଧ୍ୟ ତୁମେ ବାଉଳା ଧରିଛ ତୀର୍ଥବାସୀ ବାବୁ ! ତୀର୍ଥ ତୀର୍ଥ ହୋଇ ବତୁଳ ପରି ଘର–ସଂସାର ଛାଡ଼ି ଧାଇଁଛ କିଆଁ ହେ ? ସବୁ ତୀର୍ଥ ରହିଛି ଏହି ଘରେ । ବୋଇଲା–

 

“ସକଳ ତୀର୍ଥ ତୋ ଚରଣେ–

ବଦ୍ରିକା ଯିବି କି କାରଣେ ?”

 

ଏଇଠି ସବୁରି ମେଳରେ ଥାଇ–ନ ଥିଲା ଭଳି ଭାବ କରି ରହିବ । ସବୁ ଦେଖୁଥିବ–କିଛି ପୁଣି ଦେଖୁ ନ ଥିବ । ସବୁ କରୁଥିବ–କିଛି ପୁଣି କରୁ ନ ଥିବ । ନିର୍ଲିପ୍ତ ଭାବରେ ଏହି ସଂସାରରେ ରହି ମନ ଦୃଢ଼ କରି ବିଭୁପଦକୁ ଧ୍ୟାନ କର–ମୋକ୍ଷ ଏଇଠି ଅଛି । ମନ ହେଲା ଅସଲ-। ପରମହଂସ କହିଛନ୍ତି–”ହଂସ ଭଳି ଜଳରେ ପହଁରିବ–ମାତ୍ର ପାଣି ଲାଗିବ ନାହିଁ ପକ୍ଷୀରେ”–ମୋ କଥା ଏବେ କ’ଣ ?

 

…ସେ ବେଳ ଥିଲା ଅଲଗା ତୀର୍ଥବାସୀବାବୁ ! ରାଜ୍ୟରେ ଚାରିଆଡ଼େ ଭର୍ତ୍ତି ହୋଇଥିଲା ବଣ ଜଙ୍ଗଲ । ଲୋକେ ସେକାଳେ ନିର୍ଦ୍ୱନ୍ଦ୍ୱରେ ଶେଷ କାଳକୁ ବାନପ୍ରସ୍ଥ କରିଥିଲେ । କିନ୍ତୁ ଏ କାଳେ ବାନପ୍ରସ୍ଥର ନୂଆ ଅର୍ଥ ବାହାରିଲାଣି । ତୁମର ବର୍ତ୍ତମାନ କିଛି କାମ ନାହିଁ ବୋଲି ମନ ଭିତରେ ଏମିତି କିମ୍ଭୂତ ଭାବନା ଆଉ ଖିଆଲ ସବୁ ପଶୁଛି । ସଂସାର ଛାଡ଼ିବ ତ ବର୍ତ୍ତମାନ ଦେଶ କାର୍ଯ୍ୟରେ ମନ ଦିଅ । ଚାଲ ଯିବା ଗାଁକୁ–ସେଠି ଦେଶସେବାର ବହୁ ଫନ୍ଦି ମେଲିଲାଣି । ସରପଞ୍ଚ ହୁଅ–ଜିଲ୍ଲାପରିଷଦର ସଭ୍ୟ ହୁଏ–ଚେୟାରମ୍ୟାନ ହୁଅ–ନ ହେଲେ ବିରୋଧୀ ଦଳର ଟିକେଟ ଧରି ଆସନ୍ତା ନିର୍ବାଚନରେ ଲଢ଼ି ଦେଶସେବା କରିବାକୁ ପ୍ରସ୍ତୁତ ହୁଅ । କିଛି ଏସବୁ ନ କରିବ ତ ଗୋଟାଏ ଘରୋଇ ଫାର୍ମରେ କିଛି ଅର୍ଥକାରୀ ଦାୟିତ୍ୱ ବି ବହନ କରିପାର । ତା’ ନ କରି ଏମିତି ବାତୁଳଙ୍କ ଭଳି ସବୁ ଛାଡ଼ି ତୀର୍ଥରେ ଯାଇ କ’ଣ କରିବ ?

 

ତୀର୍ଥବାସୀବାବୁ ସବୁରି କଥା ଶୁଣିଲେ; ମାତ୍ର କାହାକୁ କିଛି ଉତ୍ତର ଦେଲେ ନାହିଁ । କେବଳ ସମସ୍ତଙ୍କ ମୁହଁକୁ ଏକ ଉଦାର କ୍ଷମାଶୀଳ ଦୃଷ୍ଟିରେ କରୁଣା କଲା ଭଳି ଉଦାସ ଭାବରେ ଟିକେ ଚାହିଁ ହସି ଦେଲେ । ତା’ପରେ ପୁଣି ମନେ ମନେ ଭାବିଲେ–

 

“କିଏ ବା ଅଛି କେଉଁ ମତେ

ତାହା ମୁଁ ଜାଣିବି କେମନ୍ତେ ?”

 

ସମବୟସ୍କ ବନ୍ଧୁମାନେ ବୁଝାଇବାର କିଛି ଫଳ ନାହିଁ ବୋଲି ଭାବି ଶେଷରେ ନିରାଶ ହୋଇଉଠିଲେ । ଛାଡ଼ ଛାଡ଼ “ବୃଦ୍ଧସ୍ୟ ମତିଭ୍ରମଃ ।” ମୁଣ୍ଡରେ ଆଉ ଠିକ୍ ନାହିଁ । ମୂଳରୁ ତ ଲୋକଟା ଟିକିଏ ଆଡ଼ବାଇଆ ଥିଲା । ଛାଡ଼ ହେ ! ଠିକ୍ ଅଛି–”ନଷ୍ଟସ୍ୟ କାନ୍ୟା ଗତିଃ ।” ଚାଲ–ଉଠ ।

 

ସେମାନେ ଚାଲିଲେ । ସେମାନେ ତାଙ୍କଠାରୁ ବିଦାୟ ନେଇ ଗଲାବେଳେ ସମବୟସ୍କ ବୃଦ୍ଧ ତୀର୍ଥଗାମୀ ବାନପ୍ରସ୍ଥାଭିଳାଷୀ ମୁକ୍ତିକାମୀ ପାଗଳ ତୀର୍ଥବାସୀ ବାବୁଙ୍କୁ କେବଳ ଅନୁକମ୍ପା କରିଗଲେ ନାହିଁ–ସେମାନଙ୍କ ଅବଚେତନ ମନ ଭିତରେ ତୀର୍ଥବାସୀବାବୁଙ୍କ ପ୍ରତି ଯୁଗପତ୍ ଏକ ଅନନୁଭୂତ ଈର୍ଷାଭାବ ସଙ୍ଗେ ଗୌଣବୋଧର ମଧ୍ୟ ଏକ ପାତଳା ଛାଇ ପଡ଼ି ଯାଇଥିଲା ।

 

ସେମାନେ ଗଲା ପରେ–

 

ଏଣେ ଘରେ କିନ୍ତୁ ତୀର୍ଥବାସୀବାବୁଙ୍କର ଏଇ ସିଦ୍ଧାନ୍ତରେ ପୁଅ ବୋହୂ କି ନାତି ନାତୁଣୀ କେହି ବିଚଳିତ ହେଲା ଭଳି ମନେହେଲା ନାହିଁ । କେହି ମଧ୍ୟ ତାଙ୍କ ପାଖକୁ କିଛି ବୁଝାଇବା ଲାଗି ଆସିଲେ ନାହିଁ । ତାଙ୍କ ଲାଗି କାହାର ସତେ ବା ଚିନ୍ତା ନାହିଁ । ସତେ ବା ସେ ରହିଲେ ଖୁସି, ନ ରହିଲେ ବି ବିଶେଷ କିଛି ଯାଏ ଆସେ ନାହିଁ ।

 

ନାତି ନାତୁଣୀଏ ତ କେହି ବେଶୀ ସମୟ ବୁଢ଼ାଙ୍କ ପାଖକୁ ଆସନ୍ତି ନାହିଁ । ତାଙ୍କର ସବୁ ଅଳି ଅର୍ଦ୍ଦଳି ବୁଢ଼ୀ ପାଖେ । ପୁଅମାନେ ବି କେହି ତାଙ୍କ ସଙ୍ଗେ କେଉଁ ବିଷୟରେ କିଛି ବିଚାର ବା ସିଦ୍ଧାନ୍ତ କରନ୍ତି ନାହିଁ । ଅବଶ୍ୟ ତାଙ୍କର ସମସ୍ତ ପ୍ରକାର ସ୍ୱାଚ୍ଛନ୍ଦ୍ୟ ଓ ଆବଶ୍ୟକତା ପ୍ରତି ସେମାନେ ଖୁବ୍ ସଜାଗ ଓ ତୀକ୍ଷ୍ଣ ଦୃଷ୍ଟି ଦେଇଥାନ୍ତି । ମାତ୍ର ସେମାନଙ୍କ ସଂସାରରେ ବୁଢ଼ାଙ୍କର ଅସ୍ତିତ୍ଵ ସେମିତି କିଛି ଅତ୍ୟାବଶ୍ୟକ ବା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଘରେ ଭାଡ଼ିଏ ପାରା ଅଛନ୍ତି । ପିଞ୍ଜରାରେ ଶାରୀଟିଏ । ଜଞ୍ଜିରରେ ବନ୍ଧା ଅଛନ୍ତି ଦୁଇଟା ବାଘୁଆ କୁକୁର । ଦୁଇଟି ବିରାଡ଼ି ମଧ୍ୟ ଏ ଘରେ ପିଲାଛୁଆ ଧରି ବୁଲନ୍ତି । ତାଙ୍କର ବଡ଼ ନାତି ବହୁ ଜୀବଜନ୍ତୁ ଆଣି ଘରେ ପୋଷିଛି । ତାରଘେରା ଘରେ ରହିଛନ୍ତି ପାହାଡ଼ି ମୂଷା ପଲେ । କାଠ ପିଞ୍ଜରାରେ ଗୋଟାଏ ପାତିମାଙ୍କଡ଼ । ଏଇସବୁ ଜୀବଜନ୍ତୁଙ୍କ ଲାଗି ନାନାବିଧ ଆହାର ଆଉ ସ୍ୱାଚ୍ଛନ୍ଦ୍ୟର ଉପକରଣ ଖଞ୍ଜିଛନ୍ତି ସେମାନେ–ଦୁଧ, ଭିଜାବୁଟ, ପାଚିଲା କଦଳୀ, କଅଁଳ ଘାସ, ହାଡ଼ଲଗା ମାଂସ । ଏମାନଙ୍କର କାହାର ରୋଗବୈରାଗ ହେଲେ ଡାକ୍ତର ଆସନ୍ତି । ଔଷଧ କିଣାଯାଏ । ସବୁ ହୁଏ ।

 

ସେମିତି ଗୋଟିଏ ସୁସଜ୍ଜିତ ସ୍ୱାଚ୍ଛନ୍ଦ୍ୟପୂର୍ଣ୍ଣ ଘରେ ବାପକୁ ରଖିଦେଇ ତାଙ୍କ ଲାଗି ଭଲ ଖାଦ୍ୟପେୟ, ଔଷଧ ଓ ଶଯ୍ୟାଦିର ବନ୍ଦୋବସ୍ତ କରିଦେଇ ନିଶ୍ଚିନ୍ତ ସେମାନେ । ତାଙ୍କ ସଙ୍ଗେ ପୁଅ ବୋହୁମାନଙ୍କର ଏହାଛଡ଼ା ଆଉ କିଛି ସମ୍ପର୍କ ନାହିଁ ।

 

ଭଲ କଥା, ତୀର୍ଥବାସୀବାବୁଙ୍କର ମଧ୍ୟ ଏ ଲାଗି ଦୁଃଖ ନାହିଁ । ଏଇ ତ ମୁକ୍ତି ଲାଗି ପରମ ସୁଯୋଗ । ଈଶ୍ଵର ପରମ କାରୁଣିକ । ତାଙ୍କର ଦୁର୍ବଳତା ଦେଖି ଦୟାଳୁ ଭଗବାନ ଆଗରୁ ସେସବୁ ଟାଣୁଆ ଲୁହା ଶିକୁଳିର ବନ୍ଧନ ତାଙ୍କ ଗୋଡ଼ରୁ ଛିଣ୍ଡାଇ ଦେଇଛନ୍ତି । ଏଣିକି ସେ କେବଳ ପଳାଇଯିବା ହିଁ ଉଚିତ୍ । କାହାର ଆଉ ସେ ଏଣିକି ଦରକାର ନୁହଁନ୍ତି । ହେଇ ସେଠି ଟଙ୍ଗା ହୋଇଛି ଗୋଟିଏ କଳଙ୍କିଧରା ପୁରୁଣା ପିଞ୍ଜରା । ତା’ ଭିତରେ କାହିଁ କେଉଁ ଅମଳରୁ ପଡ଼ିରହିଛି ବୁଢ଼ା ଶୁଆଟିଏ । ଦିନଯାକ କଟର କଟର ହେଉଥାଏ । ରାଧା–ଆ କୃଷ୍ଣ–ଆ ! କୃଷ୍ଣ–ଆ !! ରାଧା–ଆ କୃଷ୍ଣ !!

 

କେହି ତା’ ଆଡ଼କୁ ନିଘା କରନ୍ତି ନାହିଁ, ବରଂ ମନେ ମନେ ବିରକ୍ତ ହୁଅନ୍ତି । ଦିନରାତି କଟର କଟର ହେଉଛି । ତା’ ବଦଳରେ ବରଂ ବେଳେ ବେଳେ ଭିଡ଼ ହୁଏ–ଦୁଇ ବର୍ଷ ତଳେ କିଣା ହୋଇଥିବା କଳା ଛନ୍ନଛନ୍ନ ନାଲିଆକ୍ଷିଆ ଶାରିଟା ପାଖରେ, ତାକୁ ଶିଖା ହୋଇଛି ଇଂରେଜୀ କଥା ।

 

ନାଃ–ଛାଡ଼ିଯିବାକୁ ହେବ, ପଳେଇଯିବାକୁ ହେବ । ଆଉ ଏଠି ବୃଥା ବନ୍ଧନରେ ପଡ଼ି ମରିବା ଠିକ୍ ନୁହେଁ । ସଂସାର ଆଉ ତାଙ୍କୁ ଚାହେଁ ନାହିଁ । ଶୀଘ୍ର ଏଠୁ ଚାଲିଯିବା । ତୀର୍ଥବାସୀବାବୁଙ୍କ ମନ ଚଞ୍ଚଳ ହୋଇଇଠିଲା । କିପରି ଆଜି ରାତିଟା ପାହିବ ଚଞ୍ଚଳ !! କାଲି ସକାଳୁ ବନବାସ !!

 

ମାତ୍ର ପାଲା ଲାଗିଛି ତେଣେ ଘର ଭିତରେ ବୁଢ଼ୀ ପାଖେ । ତୀର୍ଥବାସୀବାବୁ କବାଟ ଅଳ୍ପ ଖୋଲାରଖି ତା’ ଭିତରେ ତଳ ଖଞ୍ଜାକୁ ଚାହିଁଲେ ।

 

ହେଇ ସେଠି ଘର ବଉଁଶଯାକ ଲାଗିଛନ୍ତି ବୁଢ଼ୀ ପଛରେ । କିଏ କେତେ ପ୍ରକାର ଅବଲୟ ଦେଖାଇ କେତେ ରଙ୍ଗରେ କେତେ ଢ଼ଙ୍ଗରେ ବୁଢ଼ୀର ଛିଣ୍ଡା ଦଉଡ଼ିକୁ କୌଶଳରେ ଗଅଁଠେଇ ଲାଗିଛନ୍ତି । ପିଣ୍ଡା ଉପରେ ମଶିଣା ପାରି ଗୋଡ଼ ଲମ୍ବେଇ ମୁହଁ ଶୁଖାଇ ଗମ୍ଭୀର ହୋଇ ବସିରହିଛି ମହାରାଣୀ ଢଙ୍ଗରେ ବୁଢ଼ୀ । ଆଉ ତାକୁ ଘେରି ଘେରାଇ ଜମା ହୋଇଛନ୍ତି ତା’ ଚାରିପଟେ ଘର ବଉଁଶଯାକ । ପୁଅ ବୋହୂ ଆଉ ନାତି ନାତୁଣୀର ଜାଲ । କିଏ ଗୋଡ଼ ମୋଡ଼ୁଛି–କିଏ ପିଠି ଆଉଁସୁଛି–କିଏ ବୁଢ଼ୀର ମୁଣ୍ଡରୁ ପାଚିଲା ବାଳ ଭିଡ଼ୁଛି–କେତେକ ବୁଢ଼ୀ ପିଠିରେ ଲଦି ହୋଇ ପଡ଼ୁଛନ୍ତି । ପ୍ରପଞ୍ଚ ମାୟାର କେତେ ଅଳି, କେତେ ଚାଟ୍ ! କେତେ ନୃତ୍ୟ, କେତେ ରଙ୍ଗ ! କେତେ ଢଙ୍ଗ, କେତେ ସ୍ଵର ! ପୁଣି କେତେ ଧ୍ଵନି !!

 

ଘରର କବାଟ ଅଳ୍ପ ଫାଙ୍କ କରି ତୀର୍ଥବାସୀବାବୁ ସବୁ ଦେଖୁଛନ୍ତି–ଆଉ ସବୁ ମଧ୍ୟ ଶୁଣୁଛନ୍ତି–ବୋହୂମାନେ ଶୁଣାଉଛନ୍ତି ଜଣ ଜଣ କରି–ମାଆ ! ବାପାଙ୍କ ମୁଣ୍ଡ ଖରାପ ହେଲା ବୋଲି ତୁମେ ତାଙ୍କ ସଙ୍ଗେ ବାଇ ନା କ’ଣ ?

 

...ଯିବ ଯଦି ଏ ପହ୍ଲଙ୍କୁ ବି ନେଇଯାଅ ତୁମ ସଙ୍ଗରେ, ଆମେ ତୁମର ଏ ପହ୍ଲଙ୍କୁ ସମ୍ଭାଳି ପାରିବୁ ନାହିଁ ।

 

...ଜୀବନଯାକ ଏତେ ଖଟିଲ ଏ ସଂସାର ପାଇଁ । ଆମକୁ ବଢ଼େଇ କୁଢ଼େଇ ମଣିଷ କଲ । ଆମେ ଯେତେବେଳେ ଟିକିଏ ପାଦସେବା କରି ତୁମମାନଙ୍କର ଋଣମୁକ୍ତ ହେବାକୁ ବସିଛୁ, ତୁମେ ଆମକୁ ଛାଡ଼ିଯାଉଛ ? ଆଉ ଆମେ ଏ ଋଣ ଶୁଝିପାରିବୁ ?

 

...ଯିବ ଯଦି ଏ ଘର କେମିତି ଚଳାଇବାକୁ ହେବ–ଆଗ ମୋତେ ଟ୍ରେନିଂ ଦେଇଯାଅ । ମୁଁ ଏ ଘରକୁ ଅଠର ବର୍ଷ ହେଲା ବୋହୂ ହୋଇ ଆସିଲାଣି ଯେ–ଆଚ୍ଛା, କ’ଣ ଭଲା ମତେ ତୁମେ ଶିଖାଇଛ ? ମୋ ମୁଣ୍ଡ ଉପରେ ତ ପତରଟିଏ ପଡ଼ିଲେ ତୁମେ ଆହା ଆହା ହେବ । ଆଉ ଏବେ ମୁଁ ଘର କେମିତି ସମ୍ଭାଳିବି କହିଲ ?

 

ନାଇଁ ମାଆ ! ତୁମେ ଏ ଘରୁ ଚାଲିଗଲେ ମୁଁ ଏଠି ଜମା ନିଶ୍ଵାସ ମାରିପାରିବି ନାହିଁ । ମୁଁ ଯାଉଛି–ପଳେଇବି ମୋ ବୋଉ ପାଖକୁ ।

 

ତୀର୍ଥବାସୀବାବୁ ତାଚ୍ଛଲ୍ୟଭରା ଦୃଷ୍ଟିରେ ସବୁ ଦେଖୁଛନ୍ତି–ସବୁ ଶୁଣୁଛନ୍ତି ।

 

ହେଇଟି–ପଞ୍ଝାଏ ସେଠି ମାଙ୍କଡ଼ ଭଳି ନାଚି ନାଚି ଗୁଲୁରୁ-ଗାଲୁରୁ ହେଉଛନ୍ତି । ସିନେମା ଢଙ୍ଗରେ ଗୀତ ଗାଇ ବୁଢ଼ୀ ଗାଲରେ ଓଠରେ ହାତ ମାରି ଚାଟୁ କରୁଛନ୍ତି ।

 

ଡାଡ଼୍ଡ଼ୀ ଆମ୍ମା ଡାଡ଼୍ଡ଼ୀ ଆମ୍ମା–ମାନ୍ ମାଓ

ଡାଡ଼୍ଡ଼ୀ ଆମ୍ମା ଡାଡ଼୍ଡ଼ୀ ଆମ୍ମା–ମତ୍‍ ଯାଓ

 

ନିଶା ଲଗେଇ ଦେଉଛନ୍ତି ସେମାନେ । ବୁଢ଼ୀ କିନ୍ତୁ ଧୀର ହୋଇ ବସିଛି ଗୋଡ଼ ମେଲେଇ–ଧୀରସ୍ଥିର ଗମ୍ଭୀର ଭଙ୍ଗୀରେ ମହାରାଣୀଙ୍କ ଭଳି–ଉଁ ନାହିଁ କି ଚୁଁ ନାହିଁ–ହସୁ ନାହିଁ, କାନ୍ଦୁ ନାହିଁ । ମୂକ ଭଳି ସ୍ଥାଣୁ ଭଳି ବସିରହିଛି ।

 

ତୀର୍ଥବାସୀବାବୁ ଏପଟ ବାରଣ୍ଡାରୁ ଅଳ୍ପ ଦରଜା ମେଲା କରି ସେଇ ଫାଙ୍କରେ ସବୁ ଦେଖୁଛନ୍ତି । ତାଙ୍କୁ ଲାଗୁଛି–ସତେ କି ଚମତ୍କାର ପ୍ରହସନ ବା ଫାର୍ସଟିଏ ସେ ଦେଖୁଛନ୍ତି; କିନ୍ତୁ ସଙ୍ଗେ ସଙ୍ଗେ ବୁଢ଼ୀକି ମଧ୍ୟ ଚାହୁଁଛନ୍ତି ନିଠେଇ ନିଠେଇ, ବୁଢ଼ୀକୁ ନିଶା ଧରିଲା କି ? ଏ ନିଶା ଯଦି ଏତେବେଳେ ଧରିବ, ତା’ହେଲେ ମୂଢ଼ା ବୁଢ଼ୀର ଆଉ ହୋସ ରହିବ ନାହିଁ । ଜ୍ଞାନ ହଜିଯିବ । ମୂଢ଼ା ଫେର୍ ପଡ଼ିଯିବ ଜାଲ ଭିତରେ...

 

ମାତ୍ର ନାଃ । ହେଇ ତ ସେମାନେ ବହଲାଉଛନ୍ତି । ମାତ୍ର ବୁଢ଼ୀ ହଲୁ ନାହିଁ କି ଚଙ୍କୁ ନାହିଁ-। କାହା ମୁହଁକୁ ବି ଚାହୁଁ ନାହିଁ । କିପରି ଗୋଟାଏ ମନ୍ତ୍ରମୁଗ୍‍ଧ ବିମର୍ଷତା ତାକୁ ଜଡ଼ କରି ଦେଇଛି-। ତା’ ମୁହଁରେ ଅସ୍ତିର ତେଜ ନାହିଁ କି ନାସ୍ତିର ଛାଇ ମଧ୍ୟ ନାହିଁ, କିନ୍ତୁ ଏ କ’ଣ ବୁଢ଼ୀର ନିର୍ବିକାର ଚିତ୍ତର ଲକ୍ଷଣ ?

 

କି......

 

‘ଶୈଳାଧିରାଜତନୟା ନ ଯଯୌ ନ ତସ୍ଥୋ ?’

 

ଏପରି ଅବସ୍ଥା କିନ୍ତୁ ବେଶୀ କ୍ଷଣ ରହିବ ନାହିଁ–ରହେ ମଧ୍ୟ ନାହିଁ । ଆଗକୁ ଆଉ ପାଦ ଚଳେ ନାହିଁ । ସେହି ସ୍ଥାନରେ ପାଦ ଥମ୍ବିଯାଏ ନିଶ୍ଚିନ୍ତରେ ଶେଷ ପର୍ଯ୍ୟନ୍ତ ତୀର୍ଥବାସୀବାବୁ ପରମ ଉଦବେଗରେ ବୁଢ଼ୀକୁ ଚାହିଁ ରହିଲେ । ସବୁ ବର୍ତ୍ତମାନ ନିର୍ଭର କରୁଛି ବୁଢ଼ୀ ଉପରେ ।

 

ବୁଢ଼ୀ କିନ୍ତୁ ସେମିତି ଗୋଡ଼ ଲମ୍ବେଇ ମଝିରେ ବସିରହିଛି ମହାରାଣୀ ଭଳି ଚିତ୍ରାର୍ପିତ ପ୍ରାୟ । ସେମାନେ ବହଲଉଛନ୍ତି, ଅବଲୟ କରୁଛନ୍ତି, ମତାଉଛନ୍ତି, ତତାଉଛନ୍ତି ।

 

ସଂସାର ଛଇ ଦେଖାଉଛି, ଛଟକ ଦେଖାଉଛି । ସାନ ପୁଅ ଯୋଉଟା ଏବେ ବିଲାତରୁ ଫେରି ବାହା ହୋଇଛି–ସେ କହୁଛି କୋଡ଼ପୋଛା ପିଲାର ଗେହ୍ଲାପଣରେ–

 

ତୁ ଯା’ ବୋଉ, ମୋର ମନା ନାଇଁ; କିନ୍ତୁ ବନୀକୁ ଆଉ ଦୁଇ ମାସ ପରେ ମୁଁ ସେଠି ତୋ ପାଖେ ପୁରୀରେ ଛାଡ଼ିଦେଇ ଆସିବି । ସେଇଠି ହେବ ତା’ର ଡେଲିଭରି। ଏଠି ତାକୁ ମୋର କିଏ ସମ୍ଭାଳିବ ? ମୁଁ ତ ଜୁନରେ ଚାଲିଯାଉଛି ରାଉରକେଲା । ତା’ ଛଡ଼ା ଜୁନ୍ ମାସରେ ରାଉରକେଲାରେ ଯାହା ଗରମ ନା...

 

ବୁଢ଼ୀ ତଥାପି ବି କିଛି କହୁ ନାହଁ । ହଲୁ ନାହିଁ । ସେମାନେ କିନ୍ତୁ ହଲାଉଛନ୍ତି ଲାଗିପଡ଼ି ପ୍ରାଣପଣେ ।

 

ହେଇ ଆସୁଛି ବଡ଼ ପୁଅ–ମଚ ମଚ ହୋଇ ବାଘ ଭଳି ଭୂଇଁକି କୁଦିକୁଦି–ରଡ଼ନିଆଁ ଭଳି ଜଳନ୍ତା ଆକ୍ଷି–ସବୁବେଳେ ହାଣ୍ଡି ଭଳି ମୁହଁ–ଏଡ଼େ ବଡ଼ ପାଟି–ଟାଉଁ ଟାଉଁ କଥା–ଏମିତି ଗୋଟେ ରାହୁଆ ବ୍ୟକ୍ତିତ୍ଵ ଆଉ ଦର୍ପିତ ଭଙ୍ଗୀ ଦେଇ ‘ସେ ଯେତେବେଳେ ଆସେ–ମନେହୁଏ–କହାକୁ ମାରିବ, ନ ହେଲେ କାହାକୁ ତାରିବ । ତାକୁ ଦେଖି ଭୟରେ ଅନ୍ୟମାନେ ଆଡ଼ ହୋଇ ଯାଉଛନ୍ତି–ପାଖେଇ ଯାଉଛନ୍ତି । ଆସିଲା ମାତ୍ରେଇ ସେ ମାଆ ଉଦ୍ଦେଶ୍ୟରେ ଆରମ୍ଭ କରିଛି–

 

ତୁ ଯେ କାହିଁକି ବୋଉ ହଠାତ୍ ଏମିତି ଧର୍ମପରାୟଣା ହୋଇଉଠିଲୁ–ମୁଁ ବୁଝିପାରୁନି । ବାପାଙ୍କୁ ଯଦି ଏଠି ଏସବୁ ଜଞ୍ଜାଳ, ଗୋଳମାଳ ସୁଖ ଲାଗୁ ନାହିଁ, ତେବେ ସେ ଯାନ୍ତୁ–ରହନ୍ତୁ ଯାଇ ପୁରୀରେ ବରଂ ସେଠାରେ ଜଳବାୟୁ ତାଙ୍କୁ ଭଲ ଲାଗିବ । ଏଠି ସେ ବେଶୀ ଖୁଁତ ଖୁଁତ ହୋଇ ଉଠୁଛନ୍ତି ଦିନକୁ ଦିନ; କିନ୍ତୁ ତୁ ଯେ କାହିଁକି ଓଧ ସଙ୍ଗେ ବଣଭୁଆ ବାଇ ହେଉଛୁ–ମୁଁ ବୁଝିପାରୁ ନାହିଁ-। ଶୁଣ–ମୋ କଥା ମାନ । ମୁଁ କାଲି ଡ୍ରାଇଭରକୁ କହୁଛି–ବାପାଙ୍କୁ ନେଇ ପୁରୀରେ ଛାଡ଼ିଦେଇ ଆସିବ । ପୁଝାରୀ ଦାସେ ଯା’ନ୍ତୁ ତାଙ୍କ ସଙ୍ଗରେ । ସବୁପ୍ରକାର ସୁବିଧା ହେବ । ମୁଁ ମଧ୍ୟ ସପ୍ତାହକେ ଥରେ ଅନ୍ତତଃ ଯାଇ ତାଙ୍କ କଥା ବୁଝି ଆସୁଥିବି । ତୁ ଯାଆ ନାଇଁ–ବୁଝିଲୁ ? ଯା’ନ୍ତୁ ବାପା ଏକା-!!

 

ସାନ ପୁଅ କହୁଛି–

 

ବାପା କି ଅଦଭୁତ ଜିଦ୍ ଧରିଛନ୍ତି ଜାଣିଛ ନା ଭାଇ ? କହୁଛନ୍ତି–ବୋଉକୁ ସାଙ୍ଗରେ ଧରି ପାଦରେ ଚାଲି ଚାଲି ପୁରୀ ଯିବେ । ଏ କୁଆଡ଼େ ତାଙ୍କର ମହାଯାତ୍ରା ।

 

କଥା ଶୁଣୁ ଶୁଣୁ ବଡ଼ ପୁଅର ମୁହଁ ଲାଲ ପଡ଼ିଯାଇଛି । ଗୋଟାଏ ତୀକ୍ଷ୍ଣ କ୍ରୋଧଦୀପ୍ତ ବିରକ୍ତି ଓ ଅବଜ୍ଞାସୂଚକ ବିଦ୍ରୂପଭରା କଣ୍ଠରେ ସାମାନ୍ୟ ବକ୍ର ହସି ସେ କହୁଛି–

 

ହୁଁ । ତା’ହେଲେ ବାପାଙ୍କୁ ଆଗ ରାଞ୍ଚି ପଠାଇବା ଦରକାର ପଡ଼ିଲାଣି ଦେଖୁଛି । ଇସ୍–ଯେତେସବୁ ଇଡ଼ିଅଟିକ୍ ଖିଆଲ । ଅଲରାଇଟ୍–ସେ ଯାନ୍ତୁ ତାଙ୍କର ପାଦରେ ଚାଲି ଚାଲି–ଧର୍ମ ଅର୍ଜନ କରିବାକୁ କିଏ ବାବୁ ତାଙ୍କୁ ମନା କରୁଛି ? ତାଙ୍କ ସଙ୍ଗେ କଥା କହିବା ଲାଗି ବାବା ମତେ ଆଜିକାଲି ମହାନ୍ ଭୟ ଲାଗିଲାଣି । ମହା ବିତଣ୍ଡା ଗୁଡ଼ାଏ ବାଜେ ଏଣୁତେଣୁ କରି କ’ଣ ଆବୁରୁଜାବୁର୍ ଗପିବେ । ସବୁବେଳେ ବିରକ୍ତ । ସବୁ କଥାରେ ଚିଡ଼ିଚିଡ଼ି । ଓଃ ! ଯାନ୍ତୁ ବାବୁ ସେ ! ଯାହା ଇଚ୍ଛା ତାଙ୍କର କରନ୍ତୁ । କିଛି ତ ତାଙ୍କର ବର୍ତମାନ ଆଉ କାମ ନାହିଁ । ଏ ଘର ଉପରେ ତାଙ୍କର ଏତେ ଟିକେ ବି ଦାୟିତ୍ୱବୋଧ ନାହିଁ । ଏ ଘରେ ଭଲା ସେ କରନ୍ତି କଅଣ ? ଚାକର ବାକର ଏପରି କି କୁକୁର ଦୁଇଟାଙ୍କର ବି ଘର ଉପରେ ମାୟା ଅଛି; ମାତ୍ର ବାପାଙ୍କର ସେତକ ମଧ୍ୟ ନାହିଁ । ଯାନ୍ତୁ ବାବୁ ସେ–ତୁ କିନ୍ତୁ ବୋଉ ଯାଇପାରିବୁ ନାହିଁ ତାଙ୍କ ସଙ୍ଗରେ । ମୁଁ ସଫା କହିଦେଉଛି–ବାପାଙ୍କର ଗୋଟାଏ ବାଜେ ଖିଆଲ ବା ପାଗଳାମୀ ପାଇଁ ତୋତେ ବଳି ଦେଇପାରିବି ନାହିଁ । ମୁଁ କହିଦେଉଛି, ତୁ ଯାଇପାରିବୁ ନାଇଁ ।

 

ବୁଢ଼ୀ ତଥାପି ବସିଛି ମୌନ ହୋଇ ଚିତ୍ରାର୍ପିତ ଭଳି । ଫାଲୁ ନାହିଁ କି ଚଙ୍କୁ ନାହିଁ । ଗୁମ୍ ହୋଇ ଆକ୍ଷି ତରାଟି ବସିରହିଛି ।

 

ତୀର୍ଥବାସୀବାବୁ ଦେଖୁଥିଲେ ଓ ଶୁଣୁଥିଲେ କବାଟ ଫାଙ୍କରୁ ଲୁଚି ଲୁଚି । ଗୋଟାଏ ଫାର୍ସ ବା ମେଲେଡ୍ରୋମା ଭଳି ତାଙ୍କୁ ଏସବୁ ମନେ ହେଉଥିଲା ।

 

ମାତ୍ର ହଠାତ୍ ବଡ଼ ପୁଅର ଆବିର୍ଭାବ ଓ ତାଙ୍କ ଉଦ୍ଦେଶ୍ୟରେ ଏହିସବୁ ବକ୍ତୃତା ଶୁଣି ତାଙ୍କ ମନ ଟିକିଏ ତିକ୍ତ ହୋଇଉଠିଲା । ଏକ ଅନନୁଭୂତ ବେଦନାର କରୁଣ ରାଗିଣୀ ତାଙ୍କର ଅନ୍ତର ଭିତରେ ବାଜି ଉଠିଲା । ଆଜି ରାତି ପାହିଲେ କାଲି ସକାଳେ ସେ ଏ ଘରୁ ସବୁ ମାୟାମମତା ଛିଣ୍ଡାଇ ବାହାରିଯିବେ ଚିରଦିନ ଲାଗି । ସଂସାର ପଛରେ ପଡ଼ି ରହିବ । ପିଲାମାନଙ୍କର ଭଲା ସେ କି ଦୋଷ କରିଛନ୍ତି ? ବହୁ କଷ୍ଟ ସହ୍ୟ କରି ସେମାନଙ୍କୁ ସେ ମଣିଷ କରିଛନ୍ତି । ସେମାନେ ଆଜି ଜୀବନରେ ପ୍ରତିଷ୍ଠିତ । ପିଲାଦିନୁ ଆଜିଯାଏ ସେ ସେମାନଙ୍କୁ ଅବାଧ ସ୍ଵାଧୀନତା ଦେଇଛନ୍ତି । ସେମାନଙ୍କ ଉପରେ ବୋଝ ହୋଇ ସେ କେବେ ରହି ନାହାଁନ୍ତି । ଆଉ ମଧ୍ୟ ଏଣିକି ସେ ସେମାନଙ୍କ ସୁଖ ଦୁଃଖରେ ସଂସାରରେ ଗୋଟିଏ ଅବାନ୍ତର ବୋଝ ହୋଇ ରହିବେ ନାହିଁ ବୋଲି ତାଙ୍କୁ କାଳ ଆସି ଖୋଜିବା ଆଗରୁ–ସେ କାଳକୁ ଖୋଜିବା ଉଦ୍ଦେଶ୍ୟରେ ତରବର ହୋଇ ଆଗତୁରା ବାହାରି ଯାଉଛନ୍ତି ସଂସାରରୁ । ଆଜି ରାତି ପାହିଲେ କାଲି ସକାଳୁ ବନବାସ ଯୋଗ । ଅଥଚ ସେମାନେ ଏଇ ଶେଷ ବେଳାରେ ଏମିତି ନିଷ୍ଠୁର କଥା ଶୁଣାଇ ଦେଉଛନ୍ତି !! ତାଙ୍କ ଲାଗି ସ୍ଥାନ ଖାଲି କରିଦେବାକୁ ସେ ଏ ଘରଛାଡ଼ି ଯାଉଛନ୍ତି–ଅଥଚ ଏ ସମୟରେ ସମସ୍ତଙ୍କ ଆଗରେ ଏମିତି ଟାଣ ଟାଣ ହୃଦୟବିଦାରକ କଥା କହିଯାଉଛି ବଡ଼ ପୁଅ ? ତାକୁ ଟିକିଏ କଷ୍ଟ ବି ଲାଗୁ ନାହିଁ ? ଟିକିଏ ମାୟା ବି ଲାଗୁନି ? ଅଥଚ ଏଇ ବଡ଼ ପୁଅ ମନୁଆ ଲାଗି କ’ଣ ବା ସେ...। ଛାଡ଼ ଛାଡ଼...ଓଃ !!!

 

ତୀର୍ଥବାସୀବାବୁ ଗଭୀର ଭାବରେ ଦୀର୍ଘଶ୍ଵାସ ଛାଡ଼ିଲେ । ତାଙ୍କର ହୃଦୟ ଆକୁଳ ହୋଇଉଠିଲା ଅଭିମାନରେ ଫୁଲି ଫୁଲି–କମ୍ପି କମ୍ପି–ସେ କବାଟ ଆଉଜାଇ ଖଟ ଉପରେ ଆସି ପଡ଼ିଗଲେ । ତା’ପରେ କଡ଼ପଟିଆ ଶୋଇଯାଇ ସେ ସୁଁ ସୁଁ ହୋଇ କାନ୍ଦିଉଠିଲେ–

 

ସଂସାର ! ତୋତେ ରକ୍ଷା କରିବା ଲାଗି ଜୀବନରେ ବହୁତ ଖଟିଛି । ଏବେ ତୋତେ ଭଲ କରି ଚିହ୍ନିସାରି ଅଥଚ ତୋତେ ଅନ୍ୟମାନଙ୍କ ଆଗରେ ଚିହ୍ନା ନ ପକାଇ ତୋର ମହତ୍ତ୍ୱ ରକ୍ଷାକରି ମୁଁ ତୋଠାରୁ ନୀରବରେ ସମ୍ମାନର ସହିତ ବିଦାୟ ନେଇ ଯାଉଛି । ଅଥଚ ତୁ ମୋତେ ଶେଷ ବେଳାରେ ଏମିତି ଗୋଟେ ଧକ୍‍କା ଦେଲୁ ? ସଂସାରରେ ! ତୋ ପ୍ରତି ମୋର ମାୟା ନାହିଁ । ସେଥିଲାଗି ମୋ ଉପରେ ତୋର ଦୟା ନାହିଁ ତ ନ ଥାଉ । ମାତ୍ର ଗଲା ଅଇଲାବେଳେ ମୋର ଏଇ ନଇଁଲା ପିଠି ଉପରେ ଏମିତି ଦାରୁଣ ବିଧା ମାରି ତୁ ଭଲ କ’ଣ ପାଇଲୁ ?

 

ତୀର୍ଥବାସୀବାବୁ କଇଁ କଇଁ ହୋଇ କାନ୍ଦି ଉଠିଲେ । ବୁଢ଼ୀକୁ ଘେରି ଭିତରପଟ ବାରଣ୍ଡାରେ ସଂସାର ସେମିତି ବହଲେଇ ହେଉଛି । ନାନାଦି ଅବଲୟ ଦେଖାଇ–ନାନାଦି ଢଙ୍ଗ–ନାନାଦି ରଙ୍ଗ–ନାନାଦି ଧ୍ଵନି ଆଉ ନାନାଦି ନୃତ୍ୟର ଛଇ ଛଟକରେ ମାତି ମତେଇ ସଂସାର ସେମିତି ବହଲେଇ ହେଉଛି ।

☆☆☆

 

–ତିନି–

 

ବହୁ ସମୟ କାନ୍ଦିବା ପରେ ତୀର୍ଥବାସୀବାବୁଙ୍କ ମନ ପୁଣି ଧୀର ସ୍ଥିର ହୋଇଆସିଲା । ତାଙ୍କ ହୃଦୟ ଟିକିଏ ଲଘୁ ବୋଧ ହେଲା । ଏକ ପ୍ରକାର ନିଶ୍ଚିନ୍ତ, ନିରୁଦବେଗ, ପ୍ରଶାନ୍ତ, ଗମ୍ଭୀର ତନ୍ଦ୍ରା ଭିତରେ ସେ କ୍ରମେ ଲୀନ ହୋଇଗଲେ ।

 

ତାଙ୍କର ଯେତେବେଳକୁ ନିଦ ଭାଙ୍ଗିଲା, ସେତେବେଳେକୁ ରାତି ପ୍ରାୟ ଆଠଟା ହେବ । ତୀର୍ଥବାସୀବାବୁ ନିଦରୁ ଉଠି କିଛି ସମୟ ସେମିତି ବିଛଣା ଉପରେ ନୀରବ ଗମ୍ଭୀର ଭାବରେ ବସିରହିଲେ । କ୍ରମେ ଉପସ୍ଥିତ ପରିସ୍ଥିତି ପ୍ରତି ସେ ସଜାଗ ହୋଇଆସିଲେ । ପ୍ରଥମେ ସେ ଭାବିଲେ–ମନୁଆବୋଉ କୁଆଡ଼େ ଗଲେ ? ଏତେବେଳଯାଏ ସେ ଏ ଘରକୁ ଆସି ନାହାନ୍ତି କାହିଁକି ? ସେ କ’ଣ ସେତିକିବେଳୁ ସେପଟେ ଅଛନ୍ତି ? ଅଥଚ ରାତି ଆସି ଆଠୁଟା ବାଜିଲାଣି । କିଛି ଜଣାପଡ଼ୁ ନାହିଁ ତାଙ୍କ କଥା । ଖଟ ପାଖରେ ଟେବୁଲ ଉପରେ ତାଙ୍କ ଲାଗି ନିର୍ଦ୍ଦିଷ୍ଟ ଜଳଖିଆ ଥୁଆ ଯାଇଛି । ତୀର୍ଥବାସୀବାବୁ ଭାବିଲେ–ତାଙ୍କୁ ଶୋଇବାର ଦେଖି ବୋଧେ କେହି ଉଠାଇ ନାହାନ୍ତି । ତେବେ ସେ ଯାହା ହେଉ–ମନୁଆବୋଉ ଏତେବେଳଯାଏ ତେଣେ କ’ଣ ବା କରୁଛନ୍ତି ? ରାତି ପାହିଲେ ବନବାସ । କ’ଣ ସେ କରୁଛନ୍ତି ତେଣେ ? କ’ଣ ପୁଣି ନିଶା ଲାଗିଗଲା ନା କ’ଣ ? ଏଥର କିନ୍ତୁ ନିଶା ଲାଗିଲେ–ବାବା ହରିବ୍ରହ୍ମା ବି ଆସି ଆଉ ନିଶା ଛଡ଼ାଇ ପାରିବେ ନାହିଁ ।

 

ତୀର୍ଥବାସୀବାବୁ ବ୍ୟସ୍ତ ହୋଇଉଠିଲେ । କୁଆଡ଼େ ଗଲେ ମନୁଆବୋଉ ? ଘର ଭିତରେ ଆଲୁଅଟି ଚଳୁଛି । କାନ୍ଥରେ ନାନାଦି ଦେବଦେବୀଙ୍କର ଚିତ୍ରପଟ ଝୁଲୁଛି । ତୀର୍ଥବାସୀବାବୁ ଉତ୍ସୁକ ଚିତ୍ତରେ ଚାରିଆଡ଼କୁ ଚାହିଁଲେ । କିନ୍ତୁ ଏ କ’ଣ ? ଘର ଭିତରେ ଏମିତି ସବୁ ଶୁନ୍‍ଶାନ୍ କାହିଁକି ? କିଛି ଯେ ଆଉ ଗୋଳମାଳ ଶୁଭୁ ନାହିଁ । ସବୁ କିପରି ନିସ୍ତବ୍‍ଧ–ନିଶୁନ୍ । ହଠାତ୍ ଏପରି ନୀରବ ଓ ଗମ୍ଭୀର ପରିସ୍ଥିତି ଖୁବ୍ ବେଶୀ ଅସ୍ଵାଭାବିକ ବୋଲି ତାଙ୍କୁ ମନେହେଲା । ସେମାନେ କ’ଣ କେହି ଭିତର ଆଡ଼େ ନାହାନ୍ତି ନା କ’ଣ ? ଛୁଆଗୁଡ଼ାଙ୍କର ପାଟି ବି ଯେ ଆଉ ଶୁଭୁ ନାହିଁ । କ’ଣ ? କଥା କ’ଣ ? ହଠାତ୍ ଗୋଟାଏ ବିରାଡ଼ି ଆସି ଦୁଆର ମୁହଁ ପାଖେ ଠିଆ ହୋଇପଡ଼ି ତାଙ୍କ ଆଡ଼କୁ କଟମଟ କରି ଚାହିଁ ରହିଲା କିଛି ମୁହୂର୍ତ୍ତ । ତା’ପରେ ‘ମିଆଁଉ’ ବୋଲି ଶବ୍ଦ କରି ପୁଣି ନିର୍ଲିପ୍ତ ଭାବରେ ଆଗୁଆ ମୁହାଁଇଲା । କାନ୍ଥ ଘଣ୍ଟାଟା ଠକ୍‍ଠକ୍ ହୋଇ ସମୟକୁ ମାପିଯାଉଛି । ତୀର୍ଥବାସୀବାବୁଙ୍କୁ ପରିସ୍ଥିତିର ଏହି ଅସ୍ଵାଭାବିକତା ଖୁବ୍ ମାଡ଼ିପଡ଼ିଲା । ସେ ଅଧିକ ଭାବରେ ମନୁଆବୋଉଙ୍କର ଅନୁପସ୍ଥିତିକୁ ଅନୁଭବ କଲେ । ମାତ୍ର ଭିତରକୁ ଯାଇ ମନୁଆବୋଉଙ୍କୁ ଡାକିବାକୁ ତାଙ୍କର ଇଚ୍ଛା ଡାକୁ ନାହିଁ । ଭଲ ବି ଲାଗୁ ନାହିଁ । ଭୟ ମଧ୍ୟ ଲାଗୁଛି ।

 

ଏକପ୍ରକାର ବିରକ୍ତିକର ଘୃଣା–ସଞ୍ଚାର ଅଭିମାନଭରା ଭୟ । ତା’ ସଙ୍ଗେ ସଙ୍ଗେ ମନୁଆବୋଉ ପ୍ରତି କିଞ୍ଚିତ୍ ଇର୍ଷା ମଧ୍ୟ ଯେ ନ ମିଶିଛି ତା’ ନୁହେଁ । କିନ୍ତୁ ତଥାପି–

 

ତଥାପି ମନୁଆବୋଉ କୁଆଡ଼େ ଗଲେ ? ଆଉ ଯେ ବେଶୀ ସମୟ ନାହିଁ । ଆଉ ମୁହୂର୍ତ୍ତେ ମଧ୍ୟ ଏ–ପୁରରେ ରହିବାକୁ ମନ ଡାକୁ ନାହିଁ । କୁଆଡ଼େ ଗଲେ ମନୁଆବୋଉ ?

 

ଏହି ସମୟରେ ଦୁଆର ମୁହଁରେ ଚଟି ଶବ୍ଦ ଶୁଭିଲା । ତୀର୍ଥବାସୀବାବୁ ମୁହଁ ଟେକି ଚାହିଁଲେ ।

 

ବଡ଼ ପୁଅ ମନୁ ଆସିଛି ।

 

ତୀର୍ଥବାସୀବାବୁ ସଙ୍ଗେ ସଙ୍ଗେ ମୁହଁ ତଳକୁ କଲେ । ଏକପ୍ରକାର ଲାଜ ମଧ୍ୟ ଲାଗିଲା । ତାଙ୍କୁ ତା’ ମୁହଁକୁ ଚାହିଁବାକୁ ଭୟ ମଧ୍ୟ ଲାଗିଲା । ଅଭିମାନ ତ ସହଜେ । ବିରକ୍ତି ବି ଲାଗୁଛି । ଖୁବ୍ ଲମ୍ବା ଚଉଡ଼ା ବଳିଷ୍ଠ ବପୁ ଏଇ ମନୁର । ରୋଗ ତକତକ ଲାଲଚିଆ ରୋଗାମୁହଁ । ସେହି ମୁହଁରେ ସବୁବେଳେ ବାହାରୁଥାଏ ଗୋଟାଏ ବଳିଷ୍ଠ ଯୁବକୋଚିତ ପୌରୁଷଦୀପ୍ତ ବ୍ୟକ୍ତିତ୍ଵର ଦ୍ୟୁତି । ସେ ମୁହଁକୁ ଚାହିଁଲେ ଡର ଲାଗେ । ଏ ମୁହଁ କେବଳ ଆଦେଶ ଦେଇପାରେ । ଏ ବ୍ୟକ୍ତିତ୍ଵ ଅନ୍ୟକୁ ଚପେଇ ଦିଏ । ସବୁ କଥାକୁ ଗୋଟାଏ କଠିନ ନେତୃସୁଲଭ ମନର ଜୋର୍ ବଳରେ ଏପଟ ସେପଟ କରିଦିଏ ।

 

ତୀର୍ଥବାସୀବାବୁ ମଧ୍ୟ ସତକୁ ସତ ବଡ଼ ପୁଅକୁ ଡରନ୍ତି । ତା’ର ବ୍ୟକ୍ତିତ୍ଵ ପାଖେ ସେ ଟିକିଏ ଦବି ମଧ୍ୟ ଯା’ନ୍ତି । ଭାରି ଟାଣ ଟାଣ କରି ଫୋପାଡ଼ିଲା ଭଳି କଥା କହେ । ତାକୁ ସମସ୍ତେ ଡରନ୍ତି । ସବୁ ସେ ଓଲଟ ପାଲଟ କରିଦେଇପାରେ ।

 

ତୀର୍ଥବାସୀବାବୁ ତା’ ଆଡ଼କୁ ନ ଚାହିଁ ତଳକୁ ମୁହଁ ପୋତି ଗମ୍ଭୀର ହୋଇ ବସିରହିଲେ । ମନୁ ବାବୁ ଟିକିଏ ଦୂରରେ ଠିଆ ହୋଇ ବଡ଼ ନିର୍ଲିପ୍ତ କଣ୍ଠରେ ମାମଲତକାରୀ ଢଙ୍ଗରେ ପଚାରିଲେ–

 

ଆପଣ କ’ଣ ନିହାତି କାଲି ସକାଳେ ପୁରୀ ଯିବେ ? ତୀର୍ଥବାସୀବାବୁ ତଳକୁ ମୁହଁ ପୋତି ଅଭିମାନିଆ ଗଳାରେ ଅଥଚ ଦୃଢ଼ଭାବରେ କହିଲେ–

 

ହଁ ।

 

ତା’ହେଲେ ଡ୍ରାଇଭରକୁ କହୁଛି–ଗାଡ଼ିରେ ତେଲ ଭରିଆଣୁ ।

 

ଗାଡ଼ି କ’ଣ ହେବ ?

 

ଆଉ ଆପଣ ଯିବେ କିପରି ?

 

ତୀର୍ଥବାସୀବାବୁ ବୈରାଗୀର ଉଦାସୀ ଓ କ୍ଷମାଶୀଳ ହସ ହସି କହିଲେ–

 

ମୂର୍ଦ୍ଦାରକୁ ଗଡ଼େଇ ଗଡ଼େଇ ନେବା ଯାହା, ଗାଡ଼ିରେ ବାନ୍ଧି ନେବା ସେଇଆ । ମୁଁ ଚାଲିକରି ଯିବି । ରଖ ତୁମ ଗାଡ଼ି ।

 

ନା–ନା, ସେ କଥା ହୋଇପାରିବ ନାହିଁ । ପୁରୀ ଏଠିକି ଅଠର ମାଇଲ ରାସ୍ତା । ଖରାଦିନ–ଆପଣ ଚାଲିକରି ଜମା ଯାଇପାରିବେ ନାହିଁ ।

 

ତୀର୍ଥବାସୀବାବୁ ଟିକିଏ ତାଚ୍ଛଲ୍ୟମିଶା ସ୍ୱରରେ ଅଥଚ ଆପଣା ବିଶ୍ୱାସରେ ଦୃଢ଼ପ୍ରତିଷ୍ଠିତ ହୋଇ କହିଲେ–

 

ଆରେ ବାବୁ ! ତା’ ଡୋରି ମୋ ଅଣ୍ଟାରେ ଲାଗିଲାଣି । ସେ ଭିଡ଼ିନେବ ଏଥର ପବନ ମାର୍ଗେ । ତୁମେ ମୋତେ ଗାଡ଼ି କ’ଣ ଦେଖାଉଛ ?

 

ଏମିତି ନନସେନ୍ ସିକାଲ ବିତଣ୍ଡା କଥା ଶୁଣିଲେଇ ମନୁ ବାବୁଙ୍କର ମୁଣ୍ଡ ବିଗିଡ଼ିଯାଏ । ସେ ବିରକ୍ତ ହୋଇ କହିଲେ–ଆପଣ ଏପରି ପିଲାଙ୍କ ଭଳି କ’ଣ ହେଉଛନ୍ତି ବାବା ? ଆପଣ ମୁଣ୍ଡ ଠିକ୍ ହେବା ଲୋକଙ୍କ ଭଳି ସିନା କାମ କଲେ ହେବ ? ମଝିରେ ମଝିରେ ଆପଣ ଏମିତି କାଣ୍ଡ କରି ବସନ୍ତି ଯେ–

 

ତୀର୍ଥବାସୀବାବୁଙ୍କର ଅଭିମାନ ଆହୁରି ବଢ଼ିଗଲା । ମାତ୍ର ସେ ତାହା ପ୍ରକାଶ ନ କରି କହିଲେ–

 

ଆରେ ବାବୁ ! ଏତେ କଥାବାର୍ତ୍ତାରୁ କ’ଣ ମିଳିବ ? ତୁମେ ସବୁ ଏଥର ବଡ଼ ହେଲଣି । ତୁମ ସଂସାର ତୁମେ ସମ୍ଭାଳ । ଆମେ ଦୁହେଁ କାଲି ସକାଳୁ ପଦଯାତ୍ରା କରିବୁ ପୁରୀ । ସେଠାରେ ମଧ୍ୟ ଶେଷ କାଳ କଟିବ ଆମର । ଆମ ମୁଣ୍ଡ ଖରାପ ହେଲା ବୋଲି ତୁମେ କିଆଁ ସବୁ ତୁମ ମୁଣ୍ଡ ଖରାପ କରୁଛ ? ଆମେ ଢେର୍ ଦେଖିଲୁଣି ବାବୁ, ଆଉ ଆମକୁ ଦେଖାଅ ନାହିଁ । ଏଥର ପକାଅ ଡ୍ରପ୍‍ସିନ୍ ।

 

ମନୁ ବାବୁ ଦେଖିଲେ...ୟାଙ୍କ ସଙ୍ଗେ ବିଶେଷ କଥାବାର୍ତ୍ତା କରିବାକୁ ସମୟ ନାହିଁ । ଧୈର୍ଯ୍ୟ ବି ନାହିଁ । ଲାଭ ମଧ୍ୟ ନାହିଁ । ଯାଆନ୍ତୁ ସେ ପୁରୀ । ରହନ୍ତୁ ଯାଇ ସେଠି ସେ କେତେ ଦିନ । ମଝିରେ ମଝିରେ ଯାଇ ତାଙ୍କର ଖବର ନେବାକୁ ହେବ । ମାତ୍ର ମାଆକୁ ଛାଡ଼ିଦେଲେ ଘର ଚଳିବ ନାହିଁ । ବୋଉର ମଧ୍ୟ ଯିବାକୁ ଆଉ ଶକ୍ତି ନାହିଁ । ତେଣୁ ସେ କହିଲେ–

 

ତା’ହେଲେ ଆପଣ ଯଦି ନିହାତି ଆମ୍ଭମାନଙ୍କ କଥା ନ ମାନିବେ ତ ଯାଆନ୍ତୁ, ମାତ୍ର ବୋଉ ତ କାଲି ସକାଳେ ଆପଣଙ୍କ ସଙ୍ଗେ ଯାଇପାରୁନାହିଁ ।

 

ଶେଷୋକ୍ତ କଥାରେ ତୀର୍ଥବାସୀବାବୁ ଚମକିପଡ଼ି ବଡ଼ ପୁଅର ମୁହଁକୁ ଆକ୍ଷି ତରାଟି ଅନାଇଲେ ।

 

ବୋଉ ଯାଇପାରିବ ନାହିଁ–ମାନେ ?

 

କେମିତି ଯିବ ? ଆଜି ସନ୍ଧ୍ୟାବେଳେ ହଠାତ୍ ତା’ର ମୁଣ୍ଡ କ’ଣ ହୋଇଗଲା । ସେହି ବସିବା ସ୍ଥାନରେ ହିଁ ଅଚେତ ହୋଇ ଟଳିପଡ଼ିଲା । ଡାକ୍ତର ଆସି ଇଞ୍ଜେକ୍‍ସନ ଦେଲା ପରେ ଏଇ ଅଳ୍ପ ସମୟ ହେଲା ଚେତା ଫେରିଛି । ଆପଣ ଶୋଇ ଯାଇଥିଲେ । ତେଣୁ ଆମେ ଆପଣଙ୍କୁ ଉଠାଇଲୁ ନାହିଁ । ଡାକ୍ତର କହନ୍ତି–ବୋଉ ପୂରା ବିଶ୍ରାମ ନେବା ଦରକାର । କେବଳ ବିଛଣାରେ ପଡ଼ି ରହିବ ଦିନରାତି । ସେ ତେଣୁ ଆପଣଙ୍କ ସାଙ୍ଗରେ ଚାଲି ଚାଲି ଅଠର ମାଇଲ ବାଟ ଯିବ ବା କିପରି ? ତାକୁ ଏପରି ଅବସ୍ଥାରେ ମୁଁ ଛାଡ଼ିବି ବା କିପରି ?

 

ତୀର୍ଥବାସୀବାବୁଙ୍କ ମନ ସଙ୍ଗେ ସଙ୍ଗେ ଚରମ ଅବିଶ୍ୱାସ, ବିରକ୍ତି, ଅଭିମାନ ଓ ବିତୃଷ୍ଣାରେ ତିକ୍ତ ହୋଇଉଠିଲା । ସେ ପୁଅଙ୍କ ଆଡ଼ୁ ମୁହଁ ଫେରାଇ–ଏକପ୍ରକାର ତାକୁ ପଛ କରି ପ୍ରଚଣ୍ଡ ବିରକ୍ତିର ସହ କହିଲେ–

 

ହଉ–ହଉ, ଭଲ କଥା । ସେ ନ ଯାଆନ୍ତୁ ବାବୁ, ତାଙ୍କ ଲାଗି ତ ମୁଁ ଏ ନରକରେ ପଡ଼ି ସଢ଼ିବି ନାହିଁ । ଠିକ୍ ଅଛି । ଥାଆନ୍ତୁ ବାବୁ ସେ । ରଖ ତାଙ୍କୁ ତୁମ୍ଭେମାନେ ସମସ୍ତେ ମିଶି । ଠେଲିଠାଲି ସ୍ୱର୍ଗକୁ ପଠାଇଦେବ ପଛରେ । ଆମେ ଚାଲିଲୁ ।

 

ହଉ ବାବୁ–ଯାଅ ।

 

ମନୁ ବାବୁ ଆଉ ବେଶୀ ସମୟ ସେଠାରେ ନ ରହି କିଛି ଉତ୍ତର ନ ଦେଇ ଚାଲିଆସିଲେ । ସେ ଗଲା ପରେ–

 

ତୀର୍ଥବାସୀବାବୁ ବିଛଣାରୁ ଉଠି ଅସ୍ଥିର ଭାବେ ଘର ଭିତରେ ବୁଲି ଚାଲିଲେ । ଛି–ଛି–ଛି-! ୟାପ ମହାମାୟାବିନୀ, କୈତିବିନୀ, ଛଳନାମୟୀ, ପାପୀୟସୀ ନାରୀ !! ହଃ !! ଲଗେଇଦେଲା ଏ ଶେଷ ମୁହୂର୍ତ୍ତରେ ଗୋଟାଏ ପାଲା ! ଗୋଟାଏ ନାଟ !! ଏମିତି ଗୋଟିଏ ପେଖନା ଦେଖାଇ ଫେର୍ କିଛି ଦିନ ଏଠି ଏ ନରକରେ ମଟାଳି ଦେବ । ୟାପ ମୂର୍ଖ–ଏଣେ ତେଲ ଘଡ଼ିକି ଆଶା–ତେଣେ ପୁଅ ମୁଣ୍ଡକୁ ବି ଆଶା !!! ହେଉ ବାବୁ–ହେଉ । ଥାଅ ତୁମେ । ପୁଅ ବୋହୂ, ନାତି ନାତୁଣୀଙ୍କୁ ନେଇ ଘାଣ୍ଟି ହେଉଥାଅ । ମନ ମାନି ନାହିଁ ଏ ଯାଏ–ନିଶା ଛାଡ଼ି ନାହିଁ ଆଶା ମେଣ୍ଟି ନାହିଁ । ଥାଅ ତା’ହେଲେ ଏଠି ନାକ ତଳେ ଘୁଷୁରିବା ଯାଏ । ଆଉ କିନ୍ତୁ ଯୁଜେଷ୍ଠି ମହାରାଜ । ପଛକୁ ଫେରି ଚାହିଁବେ ନାହିଁ ଜାଣିଥାଅ । ଘାଣ୍ଟି ହେଉଥାଏ ଏଠି–ୟାପ ନରକର କୀଟାନୁକୀଟ ! ମର–ମର-

 

ଅନେକ ରାତି ପର୍ଯ୍ୟନ୍ତ ତୀର୍ଥବାସୀବାବୁଙ୍କୁ ଆଉ ନିଦ ଲାଗିଲା ନାହିଁ । ସେ ମନେ ମନେ ସ୍ଥିର କଲେ ଯେ–ଆଜି ରାତି ନ ପାହୁଣୁ, କେହି ନ ଉଠୁଣୁ ସେ ଏକୁଟିଆ ଲୁଚି ଏ ଘର ଛାଡ଼ି ଚାଲିଯିବେ । ମହାପ୍ରସ୍ଥାନର ପଥ ଉପରେ ସେ ଚାଲିଯିବେ ନୀର୍ଲିପ୍ତ ଉଦାସୀନ ଭାବରେ ଡଗଡ଼ଗ ହୋଇ–ଦୁଇ ପେଟ ଦୁଇ ଶୂନ୍ୟ ହସ୍ତକୁ ଝୁଲାଇ ଝୁଲାଇ । ଆଉ ଫେରିବେ ନାହିଁ । ଚାଲିଯିବେ ସେ ମୁକ୍ତିର ସନ୍ଧାନରେ । ସ୍ୱର୍ଗପଥର ଯାତ୍ରୀ । ଅମୃତର ସନ୍ତାନ–ଅମୃତର ପିପାସା ନେଇ ଭୁମାନନ୍ଦ ଲାଭ କରିବାର ଆତୁରତାରେ ଚାଲିଯିବେ ସେ । ପଡ଼ିଥାଉ ପଡ଼ିଥାଉ–ଏ ନରକରେ ଘାଣ୍ଟି ହୋଇ ଛଳନାମୟୀ ମାୟାବିନୀ ହତଭାଗିନୀ ମୁଢ଼ା ବୁଢ଼ୀ । ସଂସାରରେ କେହି କାହାର ନୋହେ–ସତ କଥା–ଆସିଥିଲୁ ଏକା ମନ–ଯିବୁ ପୁଣି ଏକା । କେହି ତୋର ପଛରେ ଯିବେ ନାହିଁ । ଆରେ ମୂଢ଼ ମନ ! କିଏ ତୋର ପୁତ୍ର ? ଆରେ କିଏ ତୋର ଭାର୍ଯ୍ୟା ?

 

ତୀର୍ଥବାସୀବାବୁ ଏତକ ସ୍ଥିର କରି ବିଛଣାରେ ପଡ଼ି ରହିଲେ । ମାତ୍ର ଆକ୍ଷିକୁ ନିଦ ଆସିଲା ନାହିଁ । ଏ ରାତି ଶେଷ ରାତି । କେତେବେଳେ ଏ ରାତି ପାହିବ । ତାଙ୍କ ଆକ୍ଷି ଆଗରେ ନୀଳଚକ୍ର ଆଉ ପତିତପାବନ ବାନା ଉଡ଼ିଥିଲା ଫରଫର ହୋଇ !

 

–ଚାରି–

 

ରାତି ନ ପାହୁଣୁ ସେହି ଜାଙ୍ଗୁଲୁ ଜାଙ୍ଗୁଲୁ ପାତଳ ଅନ୍ଧାର ଭିତରେ ତୀର୍ଥବାସୀବାବୁ ଘରୁ ବାହାରିଲେ । ସେତେବେଳକୁ ଘରେ କେହି ଉଠି ନାହାନ୍ତି । କେବଳ ବାଘୁଆ କୁକୁର ଦି’ଟା ଘର ଭିତର ଅଗଣାରେ ସଁ ସଁ ହୋଇ ଦଉଡ଼ି ଯାଉଛନ୍ତି–କ’ଣ ସବୁ ଶୁଙ୍ଘି ପକାଉଛନ୍ତି ଭୂମି ଉପରୁ–ମଝିରେ ମଝିରେ କାହା ଆଡ଼କୁ ଚାହିଁ ଦୁଇ ଥର ଭୁକି ଦେଉଛନ୍ତି–ତା’ପରେ ପୁଣି ଠାଏ ଶୋଇପଡ଼ି ଖୁଁ ଖୁଁ ହୋଇ ଦେହ କୁଣ୍ଡେଇ ଦେଉଛନ୍ତି । ଏତିକି ଛଡ଼ା ଚାରିଆଡ଼େ ଶୁନ୍ଶାନ୍ । ତେବେ ସାହିର ମହନୀ ସାହୁ ବୁଢ଼ା ସବୁ ଦିନ ପରି ଖୁବ୍ ରାତିରୁ ଉଠି ଗାଧୋଇସାରି ଖୁବ୍ ବଡ଼ ପାଟିରେ ବିଷ୍ଣୁ ସହସ୍ର ନାମ ଗାଇ ଗାଇ ଘରକୁ ଫେରୁଛି । ଚାରିଆଡ଼େ ଗୋଟାଏ ପବିତ୍ର ଶୀତଳତାର ବାୟୁମଣ୍ଡଳ-। ଏଇ ବେଳରେ ମନଟା ବେଶ୍ ହାଲୁକା ହୋଇଯାଏ । ଛାଏଁ ଛାଏଁ ମନଟା ଆଉ ଗୋଟାଏ ପବିତ୍ର ଧାମକୁ ଭାସିଯାଏ । ସବୁଦିନେ ଏତିକିବେଳେ ତୀର୍ଥବାସୀବାବୁ ଉଠନ୍ତି । ଶୌଚକର୍ମ ସାରି ନାମ ଭଜନ କରନ୍ତି । ଆଜି କିନ୍ତୁ ସେ ପୂରା ମୁକ୍ତିପଥର ଯାତ୍ରୀ । ଆଜି ତାଙ୍କର ମନରେ ଆଉ କୌଣସି ପ୍ରକାର ବିକାର ନାହିଁ । ସବୁ ମାୟା, ମୋହ, ଆସକ୍ତି, ଅନୁରାଗ ଓ ଅନୁଶୋଚନାରୁ ସେ ଆଜି ମୁକ୍ତ, ସେ ଆଜି ଏକା–ସମ୍ପୂର୍ଣ୍ଣ ଭାବରେ ହିଁ ଏକା । ଏ ସଂସାର ଏଇଠି ପଡ଼ିରହିଲା, ପଡ଼ିରହିଲେ ସେମାନେ ପଛରେ–ମନୋରଞ୍ଜନ–ଦେବରଞ୍ଜନ–ଲୋକରଞ୍ଜନ ମଞ୍ଜୁଳିକା–ଆଉ ବୋହୂମାନେ–ନାତିନାତୁଣୀମାନେ–ଆଉ ଶେଷରେ ସେଇ ଘୋର ମାୟାଚ୍ଛନ୍ନା ସଂସାରାତୁରା ମନୁଆବୋଉ-। ରହନ୍ତୁ ସେମାନେ ପଛରେ । ଆଉ ପଛକୁ ସେ ଚାହିଁବେ ନାହିଁ....ଚାହିଁବେ ନାହିଁ....ଚାହିଁବେ ନାହିଁ-

 

ଖଣ୍ଡିଏ ଲୋଟା ଆଉ ଖଣ୍ଡିଏ କମ୍ବଳ ସଙ୍ଗେ ଗୋଟିଏ ବାଡ଼ି ଧରି ତୀର୍ଥବାସୀବାବୁ ଦାଣ୍ଡ ଅଗଣାର କାନ୍ଥରେ ମୁଣ୍ଡିଆଟିଏ ମାରି ଦୀର୍ଘଶ୍ୱାସ ଛାଡ଼ିଲେ– ?

 

ସଂସାରରେ ! ତୋ ଲାଗି ବହୁତ ଖଟିଛି–ତୋତେ ମଧ୍ୟ ବହୁତ ଦେଇଛି । ଏଣିକି ତୁ ଥାଆ, ମୁଁ ଚାଲିଲି ।

 

“ଆହେ ବଳିଆରଭୁଜ ! ନୀଳାଚଳନାଥ !” କହି ଡଗ ଡଗ ହୋଇ ତୀର୍ଥବାସୀବାବୁ ରାସ୍ତା ଉପରେ ଆଗେଇଲେ । ରାତି ତଥାପି ପାହି ନାହିଁ । ମୁକ୍ତିର ସନ୍ଧାନରେ ପାଗଳ ପରି ସେ ନୀଳାଚଳ କ୍ଷେତ୍ର ଉଦ୍ଦେଶ୍ୟରେ ଧାଇଁଚାଲିଲେ । ସଂସାର ତାଙ୍କ ପଛରେ ଗୋଡ଼େଇ ଗଲା ନାହିଁ । କିଛି ବାଟ ଗଲା ପରେ ସେ ଲକ୍ଷ୍ୟ କଲେ–କାହୁଁ ଗୋଟିଏ ବୁଲା କୁକୁର ତାଙ୍କ ପଛେ ପଛେ ସୁଁ ସୁଁ ହୋଇ ଧାଇଁ ଚାଲିଛି ।

 

ତୀର୍ଥବାସୀବାବୁ ହସିଦେଇ ପୁଣି ଆଗକୁ ମୁଁହାଇଲେ । ରାସ୍ତା କଡ଼ରେ ଗୋଟିଏ ବାଡ଼ ଉପରେ ବସି ଗଞ୍ଜାଟିଏ ଗଳା ଲମ୍ବାଇ ବିକଳରେ ଡାକ ଛାଡ଼ିଛି–

 

“ଚକ୍ରଧର–ଅ–ଅ–ଅ ! ପାରିକର–ଅ–ଅ–ଅ !!!

 

ତୀର୍ଥବାସୀବାବୁ ପଛରେ ପଡ଼ିଥିବା ସେହି ସଂସାରକୁ ମହା ଆକ୍ରୋଶରେ ଉପେକ୍ଷା କରି କରି ଆଗକୁ ମାଡ଼ି ଚାଲିଲେ । ଘରର କାହା କଥା ତାଙ୍କର ଆଉ ମନେ ପଡ଼ୁ ନାହିଁ । ଏପରିକି ମନୁଆବୋଉର ମାୟାକୁ ମଧ୍ୟ ସେ ଉପେକ୍ଷା କରି କରି ଚାଲିଛନ୍ତି । ଯଥେଷ୍ଟ ହୋଇଛି । କାଲି ରାତିଟାଯାକ ସେ ଏଇ ମନୁଆବୋଉର କଥା ହିଁ ଭାବିଛନ୍ତି । ରାତିଟାଯାକ ନିଦ ହୋଇ ନାହିଁ । ମନୁଆବୋଉ ପ୍ରତି ବିରକ୍ତ ତିକ୍ତତାରେ ମନ ବ୍ୟାକୁଳ ହୋଇଉଠିଛି । ମନୁଆବୋଉ ଉପରେ ଜୀବନଯାକ ସେ ଯେଉଁ ଭରସା କରି ଆସିଥିଲେ–କାଲି ରାତିକ ଭିତରେ–ସେ ସବୁ ଟିକି ଟିକି ହୋଇ ଭାଙ୍ଗିଗଲା । ସଂସାରର ସବୁ ଯେମିତି ମିଥ୍ୟା ଆଉ ଛଳନା–ମନୁଆବୋଉ ବି ସେମିତି ଗୋଟା ସୁଦ୍ଧା ମିଥ୍ୟା ଆଉ ଛଳନା–

 

ଠିକ୍ ଅଛି–ବାବା ଠିକ୍ ଅଛି ।

 

ତୀର୍ଥବାସୀବାବୁ ପରମ ମୁକ୍ତ ପୁରୁଷର ଉଦାର ଚେତନାରେ ହସି ହସି କ୍ଷମାଶୀଳ ସିଦ୍ଧାନ୍ତରେ ଦୃଢ଼ ହେଉଁ ହେଉଁ ଭାବି ଚାଲିଲେ । ଠିକ୍ ଅଛି–ବାବୁ–ଠିକ୍ ଅଛି । ସଂସାରକୁ ଛାଡ଼ିବାକୁ ହେବ । ମନୁଆବୋଉକୁ ବି ଛାଡ଼ିବାକୁ ହେବ । ନ ହେଲେ–”କପୋତ ପ୍ରାୟ ଯିବୁ ନାଶ ।”

 

ଆଉ କେହି ଅଟକାଇ ପାରିବେନାହିଁ । ମନୁଆବୋଉ ଯଦି ମିଥ୍ୟା, ତା’ହେଲେ ସଂସାର ବି ଘୋର ମିଥ୍ୟା । ମନୁଆବୋଉକୁ ଯଦି ଅଧବାଟରେ ଛାଡ଼ିଦେଇ ଆସି ହେଲା–ତେବେ ଆଉ ପରୁଆ କ’ଣ ? ଏଣିକି–

 

“ଥକ୍‍କା ମନ ଚାଲ ଯିବା....

ଚକ୍‍କା ନୟନ ଦେଖିବା...... ।”

 

ତୀର୍ଥବସୀବାବୁ ଜଗନ୍ନାଥ ସଡ଼କ ଉପରକୁ ଉଠି ମୋକ୍ଷ ପଥରେ ପରମ ଉତ୍ସାହରେ ଚାଲିଲେ । ଆକ୍ଷି ଆଗରେ–ନୀଳଚକ୍ର ଉପରେ ଫରଫର ହୋଇ ଉଡ଼ୁଛି ଅଧମଉଦ୍ଧାରଣ ବାନା...। ବନ୍ଦୀଶାଳାରୁ ଛୁଟିଲା ପରି ତାକୁଇ ଧ୍ୟାନ କରି କରି ତୀର୍ଥବାସୀବାବୁ ଆଗେଇଗଲେ ।

 

–ପାଞ୍ଚ–

 

ସତକୁ ସତ ମାଇଲ ମାଇଲ ବିସ୍ତୃତ ଦୁର ଦିଗନ୍ତରେ ନୀଳଚକ୍ର ଉପରେ ଫରଫର ହୋଇ ଉଡ଼ୁଥିବା ପତିତପାବନ ବାନା ଦେଖିପାରିଲେ ତୀର୍ଥବାସୀବାବୁ । ସମୁଦ୍ରର ହାୱାରେ ଫରଫର ହୋଇ ଉଡୁ଼ଛି ବାନା ବଳୀୟାରଭୁଜର । ହାତ ହଲାଇ ଡାକୁଛି ସେ–ସଂସାରଯାକର ଆର୍ତ୍ତୀ, ଜିଜ୍ଞାସୁ, ଅର୍ଥାର୍ଥୀ ଆଉ ଭକ୍ତମାନଙ୍କୁ–ଆସ–ଆସ–ଆସ–ଧାଇଁ ଆସ ପ୍ରକୃତିର ମାୟାଜାଲ ଛିଣ୍ଡାଇ ମୋ କୋଳକୁ–ମୋରି ଶରଣ ନିଅ–ସବୁ ଛାଡ଼–ମୁଇଁ ତୁମକୁ ମୋକ୍ଷ ଦେବି–ଆଉ କିଛି ମାତ୍ର ଶୋଚନା କର ନାହିଁ ।

 

ତୀର୍ଥବାସୀବାବୁଙ୍କ ଦେହ ରୋମାଞ୍ଚିତ ହୋଇଉଠିଲା । ତାଙ୍କର ଆତ୍ମା ପୁଲକିତ ହୋଇଉଠିଲା । ହେଇ ସେ ଡାକୁଛି ଏତେ ଦୂରରୁ, ପୁଣି ଏତେ ନିକଟରୁ ହାତ ହଲାଇ–ସମୁଦ୍ରର ଗର୍ଜନରେ ତା’ର ଡାକ ଭାସିଆସୁଛି । କିଏ ଶୁଣୁଛି–କିଏ ବା ଦେଖୁଛି ?

 

ଯିଏ କିନ୍ତୁ ଦେଖିପାରେ ଏଇ ହାତଠରା–ଯିଏ କିନ୍ତୁ ଶୁଣିପାରେ ତା’ର ଏଇ ବ୍ୟାକୁଳ ଡାକ ସେ କ’ଣ ଥୟ ଧରି ରହିପାରେ-? “ଭଲା ଲୀଳା ଲଗାଇଛୁରେ ଚକାଡ଼ୋଳା–ଭାବବିନୋଦିଆ–ଲୀଳାନିଧି !” ଖାଲକୁ ପେଲି ଦେବାରେ ତୋର କେଡ଼େ ଆନନ୍ଦ–ପୁଣି ଖାଲରୁ ଉଠାଇଦେବା ଲାଗି ତୋର କେଡ଼େ ଆକୁଳତା-! ଜାଲରେ ପକାଇ ଦେବାରେ ତୋର କେଡ଼େ ଆହ୍ଲାଦ–ପୁଣି ଜାଲରୁ ମୁକୁଳାଇବା ଲାଗି ତୋର କେଡ଼େ ଆଗ୍ରହ !

 

ତୀର୍ଥବାସୀବାବୁଙ୍କ ଆକ୍ଷି ସଜଳ ହୋଇଉଠିଲା । ତାଙ୍କର ପାଦ ଚଞ୍ଚଳ ହୋଇଉଠିଲା । କ୍ଷେତ୍ର ଆଉ ବେଶୀ ବାଟ ନାହିଁ । ଆଗରେ ଅଠରନଳା–ବାଟରେ ବାଟମଙ୍ଗଳା–ସେଇଠୁ ଲମ୍ବିଯାଇଛି ବଡ଼ଦାଣ୍ଡ–ସିଂହଦ୍ଵାର ପରିଯନ୍ତେ ।

 

ଉଚ୍ଚାନୀଚା ବାଲୁବନ୍ତ–ସାଇଁ ସାଇଁ ଝାଉଁବଣ । ଯୁଆଡ଼େ ଚାହିଁବ ଆକ୍ଷି ବାଧା ପାଇବ ନାହିଁ–ସୁଲୁ ସୁଲୁ ହୋଇ ବହିଆସୁଛି ସମୁଦ୍ରପଟରୁ ଶୀତଳ ପବନ । ଖାଲି ବାଲି ଆଉ ବାଲି–ତା’ଉପରେ ଚିକ୍ ଚିକ୍ ଭଙ୍ଗା ଶାମୁକା, ଗେଣ୍ଡା ଆଉ ହରରଙ୍ଗୀ ସାମୁଦ୍ରିକ ଜୀବଙ୍କ ଖୋଳା ଏଠି ପାଦ ଦେଲେ ହିଁ ମନ ଆଉ ପ୍ରକାରେ ହୋଇଯାଏ । ଏ ପୃଥିବୀ ଏଇଠୁ ସରିଛି କିବା ଏ ପୃଥିବୀ ଏଇଠୁ ଆରମ୍ଭ ହୋଇଛି ।

 

ତୀର୍ଥବାସୀବାବୁ କ୍ଷେତ୍ରରେ ପହଞ୍ଚିଲେ ଠିକ୍ ଚାରିଟାବେଳେ । ଗତକାଲି ରାତିଟାଯାକ ଅନିଦ୍ରା । ଆଜି ପୁଣି ଅଠର ମାଇଲ ପଥଶ୍ରମ । ଦେହ ଓ ମନ ମୁକ୍ତିର ଉତ୍ତେଜନାରେ କ୍ଳାନ୍ତ ଓ ଅବସନ୍ନ ହୋଇ ପଡ଼ିଲାଣି । ବହୁ ବେଳୁଁ ତାଙ୍କ ପେଟରେ ମଧ୍ୟ କିଛି ପଡ଼ି ନାହିଁ । ତୀର୍ଥବାସୀବାବୁ ବଡ଼ଦାଣ୍ଡକୁ ସ୍ପର୍ଶ କଲାମାତ୍ରେ ଏକ ଅପୂର୍ବ ପୁଲକ ଓ ରୋମାଞ୍ଚରେ ଉଲ୍ଲସିତ ହୋଇ ସେଇ ଦାଣ୍ଡର ଧୂଳି ଉପରେ ଲମ୍ବ ହୋଇ ଶୋଇ ସାଷ୍ଟାଙ୍ଗ ପ୍ରଣିପାତ କଲେ । ସହରର ଯାନବାହାନ, ଲୋକଗହଳି ଓ ବିକାକିଣା ସବୁ ଭିତରେ ବି ତୀର୍ଥବାସୀ ବାବୁ ଅନୁଭବ କଲେ–ସେ ବର୍ତ୍ତମାନ ସ୍ଵର୍ଗଧାମକୁ ପ୍ରାୟ ଆସିଗଲେଣି । ତାଙ୍କର ହୃଦୟ ଏକ ଅନନୁଭୂତ ପରିପୂର୍ଣ୍ଣତାରେ ଶାନ୍ତ ହୋଇଉଠିଲା । ସେ ବଡ଼ଦାଣ୍ଡରେ ମୁଣ୍ଡିଆ ମାରିସାରି ନିଜର ପୈତୃକ ଘରକୁ ଗଲେ । ସେଠାରେ ନିତ୍ୟକର୍ମାଦି ଶେଷକରି ଶୌଚ ହୋଇ ସେ ପୁଣି ଶ୍ରୀମନ୍ଦିର ଆଡ଼କୁ ଆସିଲେ । କେବଳ ଉଦରର କ୍ଷୁଧା ବ୍ୟତୀତ ସଂସାରର କୌଣସି ଅନୁଭୂତି ତାଙ୍କର ଆଉ ନ ଥିଲା । ସେସବୁ ଦେଖୁଥିଲେ ମଧ୍ୟ କିଛି ଦେଖୁ ନ ଥିଲେ । ତାଙ୍କ କାନରେ ସବୁ କୋଳାହଳ ବାଜିଲେ ମଧ୍ୟ ସେ କିଛି ଶୁଣୁ ନ ଥିଲେ । ଅରୁଣସ୍ତମ୍ଭ ପାଖରେ ମୁଣ୍ଡିଆ ମାରି ସେ ବାଇଶି ପାହାଚ ଉପରକୁ ମୁହାଁଇଲେ । ତା’ପରେ ପ୍ରଥମେ ପ୍ରଧାନ ଫାଟକ ନିକଟରେ ପତିତପାବନଙ୍କୁ ଦର୍ଶନ କରି ସେ ମହାପ୍ରସାଦ ସେବା ଉଦ୍ଦେଶ୍ୟରେ ଡାହାଣ କଡ଼କୁ ଗଲେ । ସେଠାରେ ନିର୍ବିକାର ଭାବରେ ସେ ଏକ ପରିତ୍ୟକ୍ତ କୁଡ଼ିଆରେ କିଛି ଅଭଡ଼ା ଓ ଡାଲି ତରକାରୀ ସେବାକରି ପାଣି ପିଇଲେ । ତା’ପରେ ସେଠାରୁ ସେ ବେଢ଼ା ଭିତରକୁ ଆସି ଗୋଟିଏ ଅପେକ୍ଷାକୃତ ନିର୍ଜନ ସ୍ଥାନରେ ବସି କିଛି ସମୟ ବିଶ୍ରାମ ନେଲେ ।

 

ଗତ ରାତ୍ରିର ଅନିଦ୍ରା–ଅତ୍ୟଧିକ ମାନସିକ ଉତ୍ତେଜନା–ପଥଶ୍ରମଜନିତ କ୍ଳାନ୍ତି ଓ ସଙ୍ଗେ ସଙ୍ଗେ କ୍ଷୁଧିତ ଉଦରରେ କିଛି ଖାଦ୍ୟ ଓ ପାନୀୟ....ତୀର୍ଥବାସୀବାବୁଙ୍କ ଦେହ ଟିକିଏ ଝିମ୍ ଝିମ୍ ଲାଗିଲା । ଆଗରେ ଜଗନ୍ନାଥ ମନ୍ଦିର ବେଢ଼ା ଭିତରେ ବହୁ ଭକ୍ତଙ୍କର କୋଳାହଳ । କେତେକ ଭକ୍ତ ଗୋଟିଏ ସ୍ଥାନରେ ବସି କୀର୍ତ୍ତନ କରୁଅଛନ୍ତି । ଗୋଟିଏ ସ୍ଥାନରେ ପଞ୍ଝାଏ ବସି ଭାଗବତ ପାରାୟଣ କରୁଛନ୍ତି । ଲକ୍ଷ୍ମୀ ମନ୍ଦିର ନିକଟରୁ ଭସିଆସୁଛି ଭକ୍ତିତଦ୍‍ଗତ କଣ୍ଠରୁ ତୁଳସୀ ଦାସଙ୍କର ରାମଚରିତ ମାନସାମୃତ ପଦାବଳୀ । ବଟ ଗଣେଶଙ୍କ ନିକଟରେ ଜଣେ ଗମ୍ଭୀର କଣ୍ଠରେ ଶ୍ରୀମଦ୍ ଭାଗବତ୍‍ଗୀତା ପାରାୟଣ କରୁଛନ୍ତି । କେତେକ ସନ୍ୟାସୀ ଖଞ୍ଜଣୀ ଓ ଗିନି ବଜାଇ ବେଢ଼ା ଭିତରେ ନାଚି ନାଚି ଭଜନ କରୁଛନ୍ତି । ଏସବୁ ଛଡ଼ା ବହୁ ପ୍ରକାରର ଭକ୍ତ ବ୍ୟକ୍ତିଗତ ଭାବରେ ଜଗନ୍ନାଥ ସ୍ତୁତି ଗାନ କରୁଛନ୍ତି ଅତି ଆକୁଳ ଭାବରେ....

 

“ଚକ୍‍କାଡ଼ୋଳା କିମ୍ପା ଡକା....

କିପାଁ ଡକ୍‍କା ନ ଶୁଣ ହେ...

ଚକ୍‍କା ଡୋଳା କିପାଁ...

 

“ଜଗବନ୍ଧୁ ତୁମେ ବଡ଼–

ତୁମେ ବଡ଼ ଦାରୁଣ ହେ–”

 

“ଚକ୍‍କା ନୟନକୁ ଚାହିଁ ପତିତ ଜଣେ–

ବକାରି ମୋ ଡାକ କିମ୍ପା ନ ଶୁଣ କର୍ଣ୍ଣେ ?”

 

“ବାଧିଲା ଜାଣି କ୍ଷମା କର ନୋହିଲେ ରମା–

ରମଣ ଦଣ୍ଡେ ଦିଅ ଟାଳି....”

 

କେହି ଜଣେ ଆର୍ତ୍ତୀ ବଡ଼ ଆର୍ତ୍ତକଣ୍ଠରେ ଦୁଇ ହାତ ଉପରକୁ ଟେକି କାନ୍ଦି କାନ୍ଦି ଗୁହାରି କରୁଛି....

 

“ହେ ବଳୀୟାରଭୁଜ ! ହେ ମଧୁସୂଦନ ! ହେ ତ୍ରିଲୋକେଶ !! ହେ ଚକ୍‍କାଡ଼ୋଳା !! କେତେ ଡାକି ଡାକି ପିଲା ବକଟେ ଦେଇଥିଲୁ....ତାକୁ ପାଣି ଛଡ଼େଇ ଦେଇଥିଲି....କି ଅସାଧ୍ୟ ବେମାରୀ ତାକୁ ଘୋଟିଲା ମହାପ୍ରଭୁ ! ଡାକ୍ତର ବଇଦ କିଛି ମାନୁ ନାହିଁ...ମହାପ୍ରଭୁ ହେ ! ତୁଇ ରଖ....ଶେଷରେ ତୁଇ ରଖ...ମୃଗୁଣୀକୁ ରଖିଲୁ ବ୍ୟାଧ ହାତରୁ...ଗଜକୁ ଉଦ୍ଧାରିଲୁ କୁମ୍ଭୀର ହାତରୁ....ଦ୍ରୌପଦୀର ଲଜ୍ଜା ନିବାରଣ କଲୁ କୁରୁ ସଭାତଳେ...ହେ ବିପଦଭଞ୍ଜନ ! କରୁଣାସାଗର ହରି !! ନଣ୍ଡା ବକଟକ ମୋର...ତାକୁ ରଖ ।

 

ଲୋକଟିର ବିକଳ ଗୁହାରିରେ କାଠ ପଥର ବି ତରଳିଯିବ । ମାତ୍ର ତୀର୍ଥବାସୀବାବୁ ବିରକ୍ତ ହୋଇଉଠିଲେ । ହସି ମଧ୍ୟ ଦେଲେ । ମୂର୍ଖ ! ଏ କ୍ଷେତ୍ରକୁ ଆସିଛି ଫେର୍ ମାଗିବାକୁ । ଆରେ ଏଠିକି ଆସିଲ ଯଦି ସବୁ ଫେରାଇଦେଇ ଝାଡ଼ିଝୁଡ଼ି ହୋଇ ବସିବା କଥା । ନ ମାଗୁଣୁ ତ ସେ ବହୁ ଜଞ୍ଜାଳ ଦେଇଛିରେ ! ତା’ ଜଞ୍ଜାଳ ତା’ ପାଦତଳେ ଅଜାଡ଼ି ଦେଲେ ଯାଇ ସିନା ମୁକ୍ତି !! ହାଃ ହାଃ ହାଃ ! ତୀର୍ଥବାସୀବାବୁଙ୍କ କାନରେ ସବୁରି ଗୁହାରି...ସବୁରି ମାଗୁଣି ଆସି ବାଜୁଛି । ସମସ୍ତେ ଆସିଛନ୍ତି ଖାଲି ଏଠାକୁ ମାଗିବାକୁ । ଟେକାଟେକି କରି...ଅଭିମାନ କରି–ଅଳି ଗୁହାରି କରି–କାନ୍ଦିକାଟି ଅବଲୟ ଦେଖେଇ ତା’ଠାରୁ ଖାଲି ଆଦାୟ କରିନେବାର ମତଲବ ଏଇସବୁ ମୂଢ଼ମତିମାନଙ୍କର । ସମସ୍ତେ ଖାଲି ବଢ଼େଇବାରେ ମାତିଛନ୍ତି...ସଞ୍ଚିବାରେ ମାତିଛନ୍ତି । ଏଇ ସବୁ ଭଜନ ଭିତରେ ଖାଲି ଆପଣା ଆପଣାର କାମନା ଆଉ ବାସନା ହିଁ ଫୁଟି ଦିଶୁଛି । ଯେତେ ପାଇଲେ ମନବୋଧ ହେଉ ନାହିଁ । ଯେତେ ଖାଇଲେ ପେଟ ପୁରୁ ନାହିଁ ।

 

ତୀର୍ଥବାସୀବାବୁ ଭାବବିଭୋର ଆକ୍ଷିରେ ବଡ଼ଦେଉଳ ଆଡ଼କୁ ଚାହିଁଲେ । ଏଡ଼େ ବଡ଼ ଦେଉଳ...ଆକାଶର ଅନନ୍ତ ନୀଳିମା ଭିତରେ ଯେମିତି ନିର୍ବିକାର ଭାବରେ ବସିରହିଛି ଅନାଦି କାଳର ଏକ ବିରାଟ ମୁକ୍ତଯୋଗୀ ପୁରୁଷ । ୟାକୁ ଚାହିଁଲେ ଯେମିତି ମନ ନିଶ୍ଚଳ ହୋଇଯାଉଛି । ନିଷ୍କାମ ହୋଇଯାଉଛି !!! ଏଇ ବିରାଟ ସନାତନ ମହାଐଶ୍ଵର୍ଯ୍ୟବାନ୍ ଯୋଗୀ ପୁରୁଷର ସମ୍ମୁଖରେ ଅତି କୁତ୍ସିତ ଦୀନତମ ଭିକ୍ଷାର୍ଥୀର ମନଦେଇ କିପରି ଭଲା ହାତ ପତାଇ ନିଜର କ୍ଷୁଦ୍ର କ୍ଷୁଦ୍ର କାମନା ଅଭିଳାଷଗୁଡ଼ିକୁ ଯାଚଞ୍ଜା କରାଯାଇପାରେ ? ଛି ଛି ଛି ! ମଣିଷ ! ତୁ କ’ଣ ଏଡ଼େ କ୍ଷୁଦ୍ର, ଏଡ଼େ ନିଜ ଆଉ ଏଡ଼େ କୁତ୍ସିତ ତୋର ଇଚ୍ଛା ଆଉ ଅଭିଳାଷ ।

 

ତୀର୍ଥବାସୀବାବୁ ଲମ୍ବ ହୋଇ ସେଇ ବେଢ଼ାର ପଥର ଉପରେ ପଡ଼ିଗଲେ । ତାଙ୍କର ମନ ହେଲା, ତାଙ୍କର ଆଉ କିଛି ଅଭିଳାଷ ନାହିଁ–ଆଉ କିଛି କାମନା ବି ନାହିଁ–ସେ ତ ସଂସାର ଛାଡ଼ିଛନ୍ତି ବହୁ ପୂର୍ବରୁ ମାତ୍ର ମୋକ୍ଷ ମଧ୍ୟ ସେ ଆଉ ଚାହାନ୍ତି ନାହିଁ । ତାଙ୍କର ଆଉ କିଛି ଦରକାର ନାହିଁ ।

 

ହେ ତ୍ରିଲୋକେଶ ! ହେ ବିଶ୍ଵବିହାରୀ ! ହେ ଜଗତର ନାଥ ! ମୋର କିଛି ଆଉ ଦରକାର ନାହିଁ । ମୁଁ ସବୁ ପାଇଛି । ମୋର ଆଉ କିଛି ଅଭିଳାଷ ନାହିଁ ! ହେ କାମନା–କଳ୍ପତରୁ ! ମୋର ଆଉ କିଛି କାମନା ନାହିଁ । ସବୁ କଢ଼ ମୋର ଫୁଟିଯାଇଛି । ସବୁ ଫୁଲ ମୋର ଫଳିଯାଇଛି-। ମୋର ଆଉ କିଛି ଫୁଟିବାକୁ ନାହିଁ, ମୋର ଆଉ କିଛି ଫଳିବାକୁ ନାହିଁ । ହେ କରୁଣାସିନ୍ଧୁ ! ମୁଁ ତୋର କରୁଣା ବି ଆଉ ଚାହେଁ ନାହିଁ । ମୁଁ ତୋର କରୁଣା ବି ଆଉ ଚାହେଁ ନାହିଁ । ମୁଁ କିଛି ଚାହେଁ ନାହିଁ....-

 

ବେଢ଼ା ଭିତରେ ଭୂଇଁ ଉପରେ ମୁହଁ ମାଡ଼ି ଉପରକୁ ହାତ ମେଲାଇ ସାଷ୍ଟାଙ୍ଗ ଦଣ୍ଡବତ୍ ଭଙ୍ଗୀରେ ତୀର୍ଥବାସୀବାବୁ ମନେ ମନେ ଏଇସବୁ କହୁ କହୁ ଏକ ପରିପୂର୍ଣ୍ଣତାର ବେଦନା–ବିଭୋଗତାରେ କାନ୍ଦୁଥିଲେ । ହଠାତ୍ ତାଙ୍କର ଠିକ୍ ପାଖରେ ଦଳେ ଭଜନୀୟା ଖଞ୍ଜଣୀ ଆଉ ଗିନି ଧରି ଉନ୍ମତ୍ତ କଣ୍ଠରେ ଭଜନ ଗାଇ ଗାଇ ନାଚି ଲାଗିଲେ । ସେମାନେ ଗୋଟିଏ ପଦକୁ ବାରମ୍ଵାର ପାଇ ଡେଇଁ ଡେଇଁ ନାଚୁଥିଲେ । ହୁଁକାର ଛାଡ଼ୁଥିଲେ–ଉନ୍ମତ୍ତ ହେଉଥିଲେ–ଉଦ୍ଦଣ୍ଡ ହେଉଥିଲେ–

 

“ଜଗନ୍ନାଥ ହୋ

କିଛି ମାଗୁନାହିଁ ମୁଁ ତୋତେ......

ଧନ ମାଗୁ ନାହିଁ ଜନ ମାଗୁ ନାହିଁ–

ମାଗୁଛି ଶରଧାବାଲିରୁ ମୁଠେ......

ଜଗନ୍ନାଥ ହୋ !”

 

ବାରମ୍ଵାର ଏହି ପଦକ ମିଳିତ କଣ୍ଠରେ ଗାଇ ଗାଇ ଉନ୍ମତ୍ତ ନୃତ୍ୟ ଓ ବାଜା ବଜାଇବାରେ ତୀର୍ଥବାସୀବାବୁଙ୍କର ଧ୍ୟାନ ଭଙ୍ଗ ହେଲା । ତାଙ୍କର ତତ୍କାଳୀନ ଅନୁଭୂତି ସଙ୍ଗେ ଏହି ଗୀତ ପଦଟି ଓ ତା’ ସଙ୍ଗେ ସଙ୍ଗେ ଏହି ମୁକ୍ତ ନୃତ୍ୟ ଓ ବାଜାର ଭାବ ମିଶିବାରୁ–ସେ ହଠାତ୍ ନିଜ ଭିତରେ ଏକ ଅଦ୍ଭୂତ ଉନ୍ମାଦନା ଓ ଉନ୍ମତ୍ତତା ଅନୁଭବ କଲେ । ତାଙ୍କର ଦେହ ଓ ମନରେ ହଠାତ୍ ଏକ ପ୍ରଚଣ୍ଡ ଆବେଗର ତଡ଼ିତ୍‍ ଖେଳିଗଲା । ସେ ସଙ୍ଗେସଙ୍ଗେ ଉଠି ଠିଆହୋଇ ହାତରେ ତାଳି ମାରି ଗାଇଉଠିଲେ–

 

“ଜଗନ୍ନାଥ ହୋ...

କିଛି ମାଗୁନାହିଁ ମୁଁ ତୋତେ !

ଜଗନ୍ନାଥ ହୋ !”

 

ତା’ପରେ ଏତିକି ଗାଇ ଗାଇ ସେ ଦୁଇହାତ ଉପରକୁ ଟେକି ତାଳି ମାରି ନାଚିବାକୁ ଆରମ୍ଭ କଲେ । ନାଚୁ ନାଚୁ ସେ ସେହି ଭଜନୀୟାଙ୍କ ମଣ୍ଡଳୀ ଭିତରକୁ ପଶିଗଲେ । ମଣ୍ଡଳୀ ଭିତରେ ପଶିଯିବା ପରେ ଭଜନୀୟାମାନେ ତାଙ୍କ ଚାରିପଟେ ମଣ୍ଡଳୀ କରି ଘେରାଉ କରିଦେଲେ । ତୀର୍ଥବାସୀବାବୁ ସେଇ ପଦକ ଗୀତ ଖୁବ୍ ବଡ଼ପାଟିରେ ଗାଇ ଖୁବ୍ ଜୋରରେ ଖାଲି ଡେଇଁଲେ । ଭଜନୀୟାମାନେ ନିଜ ଭିତରେ ଜଣେ ବାହାରର ବୃଦ୍ଧ ଭଦ୍ରବ୍ୟକ୍ତିକୁ ଏତେ ଅନୁପ୍ରାଣିତ ଓ ଭାବବିଭୋର ହୋଇ ନାଚିବାର ଦେଖି ନିଜର କୃତିତ୍ଵ ଉପରେ ଖୁବ୍ ଆହ୍ଲାଦିତ ହୋଇ ଦୁଇ ଗୁଣ ଉତ୍ସାହରେ ଉନ୍ମତ୍ତ ପ୍ରାୟ ଖଞ୍ଜଣୀ ଆଉ ଗିନି ବଜାଇ ଖୁବ୍ ବେଶୀ ଜୋରରେ ଡେଇଁ ଡେଇଁ ନାଚି ଉଠିଲେ–ଆଉ ଖୁବ୍ ବଡ଼ ପାଟିରେ ଗାଇଲାଗିଲେ ଦ୍ରୁତ ତାଳରେ–

 

“ଜଗନ୍ନାଥ ହୋ......

କିଛି ମାଗୁନାହିଁ ମୁଁ ତୋତେ !!!

(ଆରେ) ଧନ ମାଗୁନାହିଁ ଜନ ମାଗୁ ନାହିଁ...”

 

ତୀର୍ଥବାସୀବାବୁ ଆହୁରି ବେଶୀ ରୋମାଞ୍ଚିତ ଓ ଉନ୍ମାଦିତ ହେଲେ । ତାଙ୍କୁ ବୋଧ ହେଲା, ଏଇ ଯେଉଁମାନେ ତାଙ୍କ ଚାରିପଟେ ହାତଟେକି ନୃତ୍ୟ କରୁଛନ୍ତି, ସେମାନେ ପ୍ରତ୍ୟେକ ଜଣେ ଜଣେ ଜଗନ୍ନାଥ । ବାସ୍ତବରେ ତୀର୍ଥବାସୀବାବୁଙ୍କ ଆକ୍ଷିକୁ ସବୁ ଭଜନୀୟାତକ ହାତଗୋଡ଼ ନ ଥିବା ମାଦଳ ଜଗନ୍ନାଥ ଭଳି ଦିଶିଲେ । ଭାବତଦ୍‍ଗତ ଚିତ୍ତରେ ସେ ସମୟଙ୍କ ଓଠରେ ହାତ ମାରି କାନ୍ଦି କାନ୍ଦି ଗାଇଲେ–

 

“ଜଗନ୍ନାଥ ହୋ !

ଆରେ ମୋର ଜଗନ୍ନାଥ ହୋ !

ଆରେ ମୋର ଜଗନ୍ନାଥିଆ ରେ !

କିଛି ମାଗୁନାହିଁ ମୁଁ ତତେ !

(ଆରେ କିଛି ମାଗୁନାହିଁ ମୁଁ ତୋତେ !!”

 

ଏମିତି ସମସ୍ତଙ୍କ ଓଠରେ ହାତ ମାରି ଗାଇ ନାଚୁ ନାଚୁ ତାଙ୍କର ଆକ୍ଷିରୁ କେବଳ ଲୋତକର ବନ୍ୟା ବହିବାକୁ ଲାଗିଲା–ତାଙ୍କର ଦେହ ଥରିବାକୁ ଲାଗିଲା–ତାଙ୍କର କଣ୍ଠ ମଧ୍ୟ ଗଦ୍‍ଗଦ୍‍ ଶୁଭିଲା–ତାଙ୍କୁ ଆଉ କିଛି ଦେଖାଗଲା ନାହିଁ, ଆଉ କିଛି ଶୁଭିଲା ବି ନାହିଁ । ଏଇ ସ୍ଵର ଧ୍ଵନି ଓ ତାଳ ଯମକର ଆବେଗ ମାଧ୍ୟମରେ ସେ କ୍ରମେ ଏକ ତୁରୀୟ ଚେତନାରେ ଉଦ୍‍ବୁଦ୍ଧ ହୋଇ ଉପର ସ୍ତରକୁ ଉଠିବାକୁ ଲାଗିଲେ ! ମନ ଭିତରେ ହୃଦୟ ଭିତରେ–ଏପରି କି ତାଙ୍କୁ ଲାଗିଲା–ଆତ୍ମା ଭିତରେ ବି ସେ ଅପରିସୀମ ମୁକ୍ତ ଆନନ୍ଦରେ ଉନ୍ମତ୍ତ ଉଲ୍ଲାସ ବେଦନା ଅନୁଭବ କଲେ । ଆଉ ତାଙ୍କ ଭିତରେ ସଂସାରର କୌଣସି ରୂପ, ରସ, ଗନ୍ଧ, ଶବ୍ଦ ବା ସ୍ପର୍ଶର ଚିହ୍ନ ମଧ୍ୟ ରହିଲା ନାହିଁ-। ସେ କ୍ରମେ କ୍ରମେ ଉପର ସ୍ତରକୁ ହିଁ ଉଠିବାକୁ ଲାଗିଲେ ।

 

ଏଣେ ଭଜନୀୟାମାନେ ପରମ ଉତ୍ସାହରେ ଉନ୍ମତ ହୋଇ ଖଞ୍ଜଣୀ ଓ ଗିନି ବଜାଇ ଗାଉଥାନ୍ତି–ନାଚୁଥାନ୍ତି । “ଜଗନ୍ନାଥ ହୋ ! କିଛି ମାଗୁନାହିଁ ମୁଁ ତୋତେ । ଧନ ମାଗୁ ନାହିଁ ଜନ ମାଗୁ ନାହିଁ...”

 

ତୀର୍ଥବାସୀବାବୁ ଉପରକୁ ହାତ ଟେକି ତାଳି ମାରି ନାଚି ନାଚି ସେମାନଙ୍କ ସଙ୍ଗେ କଣ୍ଠ ମିଳାଇ ଗାଉଥାନ୍ତି–

 

“ଜଗନ୍ନାଥ ହୋ !

କିଛି ମାଗୁନାହିଁ ମୁଁ ତୋତେ !!”

 

ଆକ୍ଷି ବୁଜିହୋଇ ଯାଇଥାଏ । ଧାର ଧାର ହୋଇ ଆକ୍ଷିରୁ ଲୁହ ବହି ଯାଉଥାଏ । ତାଳୁରୁ ତଳିପା ଯାଏ ଗମଗମ ହୋଇ ଝାଳ ବହୁଥାଏ । ସେ ଥରୁଥାନ୍ତି–ପୁଲକୁଥାନ୍ତି–ଶିହରି ଯାଉଥାନ୍ତି । କ୍ରମେ ସେ ବିଭୋର ହୋଇଉଠିଲେ । ତାଙ୍କୁ ଆଉ କିଛି ଶୁଭାଗଲା ନାହିଁ । ଆଉ କିଛି ଦେଖାଗଲା ନାହିଁ । କେବଳ ସେ ଏହି ପ୍ରପଞ୍ଚର ମାୟିକ ନିମ୍ନସ୍ତରରୁ ବହୁତ ଉପର ସ୍ତରକୁ ଉଠିବାକୁ ଲାଗିଲେ । କ୍ରମେ ସେ ବହୁ ଉର୍ଦ୍ଧ୍ଵ ଚେତନାର ସ୍ତର ଭିତରକୁ ଉଠିଗଲେ । ତାଙ୍କ ପାଟିରୁ କେବଳ “ଜଗନ୍ନାଥ ହୋ–ଜଗନ୍ନାଥ ହୋ” ଏତିକି ଶବ୍ଦ ବାହାରୁଥାଏ । ଅନ୍ୟ ପଦଗୁଡ଼ିକ ସେ ଆଉ ଗାଉ ନ ଥାନ୍ତି ।

 

ପ୍ରକୃତରେ ତାଙ୍କର ଆଉ ଅଣୁମାତ୍ର ବି ପାର୍ଥିବ ଚେତନା ନ ଥିଲା । ତାଙ୍କର ଆତ୍ମା ସେହି ଚିଦାନନ୍ଦମୟ ଅପାର୍ଥିବ ସ୍ତରରେ ଅବସ୍ଥାନ କରି ଏକ ଅପୂର୍ବ ଆନନ୍ଦ ପୁଲକାନୁଭୂତିରେ ସେ ନିମଗ୍ନ ହୋଇ ଯାଇଥିଲେ । ଆଉ ଏଣେ ତାଙ୍କର ଚେତନାଶୂନ୍ୟ ପାର୍ଥିବ ଦେହଟି କବନ୍ଧ ଭଳି ପୃଥିବୀ ଉପରେ ନୃତ୍ୟ କରୁଥାଏ...

 

କେତୋଟି ମୁହୂର୍ତ୍ତରେ ଯେ ତାଙ୍କର ସେହି ଅତ୍ୟୁଚ୍ଚ ଆଧ୍ୟାତ୍ମିକ ଶିଖର ଉପରେ କଟିଥିଲା–ସେ କଥା ବା କିଏ କହିବ ? ସେଠାରେ ସମୟର ଅବସ୍ଥିତି ଅଛି କି ନାହିଁ କେଜାଣି !! ମାତ୍ର ସେହି ସୁଉଚ୍ଚ ତୁରୀୟ ଚେତନା ସ୍ତରରେ ଅପୂର୍ବ ପୂର୍ଣ୍ଣାନନ୍ଦର ଉଲ୍ଲାସରେ ଉଲ୍ଲସିତ ହେଉଁ ହେଉଁ ଦୈବାତ୍ ବାରେକ ମାତ୍ର ସେ ତଳ ଆଡ଼କୁ ଦୃଷ୍ଟି ନିକ୍ଷେପ କଲେ । ତଳ ଦେଶରେ ସେ କ’ଣ ଦେଖିଲେ ?

 

କୋଟି କୋଟି ସଂଖ୍ୟାରେ କୀଟ...ଏକ ପ୍ରକାଣ୍ଡ ମଳମୂତ୍ରବିଷ୍ଠାଦି ପରିପୂର୍ଣ୍ଣ କୁତ୍ସିତ ପଙ୍କାଶୟରେ କୋଟି କୋଟି କୀଟ କଲବଲ ହେଉଛନ୍ତି । ସେମାନେ ଭାବୁଛନ୍ତି ଧାଉଁଛନ୍ତି ବୋଲି–ମାତ୍ର ସେମାନେ ଧାଇଁପାରୁ ନାହାନ୍ତି । କେବଳ ଛଟପଟ ହୋଇ, କଲବଲ ହୋଇ ସେମାନେ ପଙ୍କ ଭିତରେ ଲଟପଟ ହୋଇ ନାଚୁଛନ୍ତି ।ସେମାନେ ଉଠି ପାରୁ ନାହାନ୍ତି । ଉଠୁ ଉଠୁ ପୁଣି ସେମାନେ ପଙ୍କ ଭିତରେ ଲଟେଇ ପଡ଼ୁଛନ୍ତି ।

 

ଇସ୍ !

 

ଅସଂଖ୍ୟ ସେମାନେ–ଅଗଣିତ ସେମାନଙ୍କର ସଂଖ୍ୟା । ସେମାନଙ୍କ ମଧ୍ୟରୁ କାହାକୁ ଚିହ୍ନି ହେଉ ନାହିଁ ସ୍ଵତନ୍ତ୍ରଭାବେ । ସମସ୍ତେ ସେମାନେ ଏକାଭଳି ଦିଶୁଛନ୍ତି । ଏକାଭଳି ଲଟପଟ ହେଉଛନ୍ତି ହେଇ ସେଠି–ପ୍ରାଣବିକଳରେ ଧାଇଁଲା ଭଳି ମନେ ହେଉଛି । ସେ ଜଣକ କିଏ ସେ ? ମାଧବ ବାବୁ ? ସେଠି କିଏ ନିରଞ୍ଜନ ବାବୁ ? ସେ ଜଣକ କିଏ ବିମଳ ବାବୁ ହେବେ ପରା ! ହେଇ ସେ ପଟକୁ ଆଉ ପଞ୍ଚାୟତ କୀଟ ସାଲୁବାଲୁ ହେଉଛନ୍ତି–କିଏ ସେମାନେ ? ବଡ଼ପୁଅ ମନୁଆ ହେବ ପରା ! ତାରି ପାଖେ ପାଖେ ହେଇ ବୋଧେ ସେମାନେ–ଲୋକରଞ୍ଜନ, ଦେବରଞ୍ଜନ ଆଉ ବୋହୂମାନେ–ନାତି ନାତୁଣୀଏ ।

 

ତୀର୍ଥବାସୀବାବୁ ନିଠେଇ ନିଠେଇ ସେମାନଙ୍କୁ ଚିହ୍ନିବାକୁ ଲାଗିଲେ । ସେମାନେ ନୁହନ୍ତି ପରା !!! ହଁ ବୋଧେ–ସେଇମାନେ–ସେମାନେ ଖାଲି ଧାଇଁଛନ୍ତି–ସ୍ପଷ୍ଟ ବାରି ହେଉ ନାହିଁ । କୁହୁଡ଼ିଆ କୁହୁଡ଼ିଆ ଦିଶୁଛି ସବୁ–କିନ୍ତୁ ସେଇମାନେ ନିଶ୍ଚୟ ।

 

ସେଇମାନଙ୍କ ପାଖେ ପାଖେ ଆଉ ଗୋଟିଏ କୀଟ ବାରମ୍ବାର ଉପରକୁ ମୁଣ୍ଡ ଟେକି ଉପରକୁ ପେଲି ହୋଇଉଠୁଛି ଜୀବନ ବିକଳରେ । କିଏ ସେ ସେ ? କିଏ ସେ ?

 

ତୀର୍ଥବାସୀ ବାବୁ ବେକ ତଳକୁ କରି ନିଠେଇ ନିଠେଇ ଚାହିଁଲେ । ଅନ୍ୟମାନେ ମନ୍ଦା ମନ୍ଦା ହୋଇ ଲଟପଟ ହେଉଛନ୍ତି; ମାତ୍ର ଏ ଯେ ସମ୍ପୂର୍ଣ୍ଣ ଏକୁଟିଆ ପ୍ରାଣପଣେ ପଙ୍କ ଭିତରୁ ଉପରକୁ ଉଠିବା ଲାଗି ଚେଷ୍ଟା କରୁଛି ।

କିଏସେ ସେ ?

ମନୁଆବୋଉ ??

ତୀର୍ଥବାସୀବାବୁ ହଠାତ୍ ଚମକି ପଡ଼ିଲେ । ମନୁଆବୋଉ ସେ ? ହଁ–ହଁ–ସେଇ–ସେଇ-। ବିଚାରୀ ଲଟପଟ ହେଉଛି ପ୍ରାଣ ବିକଳରେ ।

ତୀର୍ଥବାସୀବାବୁଙ୍କର ପ୍ରମୁକ୍ତ ପ୍ରବୁଦ୍ଧ ସ୍ୱୟଂସମ୍ପୂର୍ଣ୍ଣ ଆତ୍ମା ଭିତରେ ହଠାତ୍ ଏକ ପାର୍ଥିବ ଅଥଚ ସାତ୍ତ୍ୱିକ କରୁଣା ଜାଗିଉଠିଲା । ସେ ନିଜେ ଏହି ଚିନ୍ମୟ ଆନନ୍ଦମୟ ସୁଉଚ୍ଚ ସ୍ତରରେ ଅବସ୍ଥାନ କରି କି ବିମଳ ପ୍ରଶାନ୍ତି ଓ ଆନନ୍ଦ ଉଲ୍ଲାସ ଅନୁଭବ–ଅଥଚ–ବିଚାରୀ ଅଜ୍ଞାନୀ ହତଭାଗିନୀ ମୂଢ଼ା ମନୁଆବୋଉ !! କଥା ମାନିଲା ନାହିଁ...ମାୟାରେ ଭଳିଗଲା ମାୟାବିନୀ–ଛଟା ଗାଳିଲା...ବିଚାରୀ ଘାଣ୍ଟି ହେଉଛି ଏକା ଏକା ମହାପଙ୍କର ଗାତ ଭିତରେ । ତୀର୍ଥବାସୀବାବୁ ଏଥର ସ୍ପଷ୍ଟ ମନୁଆବୋଉର ଏହି ବିକଳ ଅବସ୍ଥାକୁ ଦେଖିପାରିଲେ । ତାଙ୍କର ଆତ୍ମା ପରାମ କାରୁଣିକତାରେ କାନ୍ଦିଉଠିଲା । ସେ ଆହୁରି କରୁଣାକାତର ଆକ୍ଷିରେ ତଳେ ମନୁଆବୋଉ ଆଡ଼କୁ ଚାହିଁରହିଲେ । କ୍ରମେ ସେ ପୁଣି ଶୁଣିପାରିଲେ–ଦୁଇ ହାତକୁ ଉପରକୁ ଟେକି ମନୁଆବୋଉ ସେହି ପଙ୍କ ଭିତରୁ ବାହୁନି ବାହୁନି ସଜଳ ଆକ୍ଷିରେ ବିକଳ ହୋଇ ଚିତ୍କାର ଛାଡ଼ୁଛି–ମତେ ନିଅ ଗୋ ! କୁଆଡ଼େ ଗଲା ? ମୋର ଜୀବ–ଜୀବନ–ମୋର ସାଆ ଭରସା–ମୋର ଅନ୍ଧର ଲହଡ଼ି–ମତେ ଏଠି ଏମିତି ଛାଡ଼ିଦେଇଗଲ–ମେତେ ଏଠୁ ନିଅ ଗୋ–ଉଠେଇ ନିଅ–କୁଆଡ଼େ ଗଲ ତୁମେ ? ତୁମ ହାତ ଧରିଥିଲି–ତୁମ ହାତ ଧରି ପାରି ହେବି ବୋଲି–ମତେ ତୁମେ ଏଠି ଏମିତି ଅଧବାଟରେ ନିଆଶ୍ରୀ କରି ଛାଡ଼ିଦେଇ ଗଲ ? ହଇଓ–ଓ–ଓ–ଓ–ଓ–ଓ–ଓ...।

ଆଉ ତୀର୍ଥବାସୀବାବୁ ସମ୍ଭାଳି ପାରିଲେ ନାହିଁ । ସେହି ଚିଦାନନ୍ଦମୟ ସୁଉଚ୍ଚ ସ୍ତର ଭିତରେ ବି ତାଙ୍କର ପାର୍ଥିବ କାରୁଣିକ ଆତ୍କା କାନ୍ଦି କାନ୍ଦି ଚିତ୍କାର କରି ଉଠିଲା ।

ଯାଉଛି–ଯାଉଛି ମନୁଆବୋଉ, ତମକୁ ସେ ନରକରେ ଛାଡ଼ିଦେଇ ଆସି–ମୁଁ ଏଠି ଏତେ ନିଶ୍ଚିନ୍ତ ପୂର୍ଣ୍ଣ ଆନନ୍ଦ ଭୋଗ କରିପାରିବି ନାହିଁ । ଥର ଧର–ଥୟ–ଧର–ଯାଉଛି–ଯାଉଛି ମନୁଆବୋଉ...!

ସେହି ଅଚ୍ୟୁତ ଆଧ୍ୟାତ୍ମିକ ଆନନ୍ଦମୟ ଶିଖରୀ ଉପରୁ ତୀର୍ଥବାସୀବାବୁ ତଳକୁ ଡେଇଁପଡ଼ିଲେ ।

କୀର୍ତ୍ତନ କରୁ କରୁ ତୀର୍ଥବାସୀବାବୁ ଭୁସ୍‍କିନା ବେଢ଼ାର ପଥର ଚଟାଣ.ଉପରେ ପଡ଼ିଗଲେ ।

ଆକ୍ଷି ବୁଜି, ଲୁହ ଗଡ଼ାଇ, ଝାଳନାଳ ହୋଇ ଉନ୍ମାଦ ଭଳି ସେ ନାଚୁଥିଲେ । ତାଙ୍କ ପାଟିରୁ କେବଳ “ଜଗନ୍ନାଥ ହୋ” “ଜଗନ୍ନାଥ ହୋ” ଏତିକି ବାହାରୁଥାଏ । ଭଜନୀୟମାନେ ଵହୁ ସମୟ ଧରି ପରମ ଉତ୍ସାହରେ ଖଞ୍ଜଣି ଓ ଗିନି ବଜାଇ ତାଙ୍କ ଚାରିପଟେ ନାଚିଲାଗିଲେ । ବହୁ ସମୟ ନାଚିବା ପରେ ସେମାନେ ମଧ୍ୟ କ୍ଳାନ୍ତ ହୋଇପଡ଼ିଲେ । ସେମାନଙ୍କର ଉତ୍ସାହ କ୍ରମେ ଭାଙ୍ଗିପଡ଼ିଲା । ତେଣୁ ମଝିରେ ମଝିରେ ସେମାନେ ଏ ଯମକ ଓ ଚଢ଼ାରୁ ତଳକୁ ଓହ୍ଲାଇଆସି ଥମ୍ବିଯିବା ପାଇଁ ବହୁବାର ତାଳ ଓ ମାନ ଶେଷ କଲେ; ମାତ୍ର ତୀର୍ଥବାସୀବାବୁ ତଥାପି ନାଚି ଲାଗିଥାନ୍ତି । ଏମିତି ନାଚୁ ନାଚୁ ତାଙ୍କର ପାଟିରୁ କଥା ବାହାରିଲା ନାହିଁ । “ଜଗନ୍ନାଥ ହୋ” ମଧ୍ୟ କ୍ରମେ ବନ୍ଦ ହୋଇଗଲା । ତାଙ୍କ ମୁହଁ ବଙ୍କାଇଗଲା । ପାଟିରୁ ବାଜୁ ବାଜୁ ହୋଇ ଫେଣ ପରି କ’ଣ ଗୁଡ଼ାଏ ବାହାରି ଆସିଲା । ଦୁମ୍‍କିନା ସେ ତଳେ କଚାଡ଼ି ହୋଇପଡ଼ିଲେ ଓ ଗଳ ଗଳ କରି ଗୁଡ଼ାଏ ବାନ୍ତି କରି ପକାଇଲେ । ତା’ପରେ ତାଙ୍କର ଚେତା ମଧ୍ୟ ବୁଡ଼ିଗଲା–

...ହାସ୍‍ପାତାଳରେ ପହଞ୍ଚିଲାବେଳକୁ ତାଙ୍କର ପ୍ରାଣପକ୍ଷୀ ଦେହର ପଞ୍ଜୁରୀ ଭାଙ୍ଗି ଉଡ଼ି ଯାଇଥିଲା ମହାଶୂନ୍ୟ ଭିତରକୁ ।

ଏହା ପରର ଘଟଣା ହେଉଛି–ମନୁଆବୋଉଙ୍କର । ସ୍ଵାମୀଙ୍କ ମୃତ୍ୟୁ ଖବର ପହଞ୍ଚିଲା ମାତ୍ରେଇ ସେ ଖୁବ୍‍ ଗମ୍ଭୀର ଓ ନିଶ୍ଚଳ ହୋଇଯାଇଥିଲା । ଘରଯାକ ସମସ୍ତେ କାନ୍ଦିଲେ–ମୁଣ୍ଡ ବାଡ଼େଇଲେ । ଏପରିକି ମନୁଆ ବି ତଳେ ମୁଣ୍ଡ ବାଡ଼େଇ ପିଲାଙ୍କ ଭଳି କାନ୍ଦିଲା ।

ମାତ୍ର ମନୁଆବୋଉଙ୍କ ଆକ୍ଷିରୁ ବୁନ୍ଦାଏ ବି ଲୁହ ଝରିଲା ନାହିଁ । ସେ କେବଳ ନୀରବ ଓ ନିଶ୍ଚଳ ହୋଇ ବସି ରହିଲେ ମହାରାଣୀଙ୍କ ଭଳି । କାହା ଆଡ଼କୁ ଚାହିଁଲେ ନାହିଁ । କାହାକୁ କିଛି ପଚାରିଲେ ନାହିଁ । କୌଣସି ଉତ୍କଣ୍ଠା ବା ଆବେଗ ଦେଖାଇଲେ ନାହିଁ । ପୁଅ ବୋହୁ ନାତିନାତୁଣୀ କାନ୍ଦି କାନ୍ଦି ଗଡ଼ୁଥାନ୍ତି । ସେମାନଙ୍କୁ ମଧ୍ୟ ବୋଧ ଦେବାର ଉପକ୍ରମ କଲେ ନାହିଁ ।

ସେଦିନ ସନ୍ଧ୍ୟାବେଳକୁ ଘରେ କାନ୍ଦ ବୋବାଳିର ଝଡ଼ ବହୁ ପରିମାଣରେ କମି ଆସିଲା-। ସମସ୍ତେ ମୃତକ୍ରିୟାର ଆୟୋଜନରେ ଲାଗିପଡ଼ିଲେ । ବନ୍ଧୁବାନ୍ଧବ ଓ ଗାଡ଼ିମାନ ଧରି ଦୁଇ ପୁଅ ପୁରୀ ଚାଲି ଯାଇଥିଲେ ସ୍ଵର୍ଗଦ୍ଵାରରେ ବାପାଙ୍କର ସଂସ୍କାର କରିବା ଲାଗି । ସେମାନେ ମାଆକୁ ସଙ୍ଗରେ ଧରି ଯିବାକୁ ଉଦ୍ୟମ କରିଥିଲେ । ମାତ୍ର ମନୁଆବୋଉ ଉଁ ଚୁଁ କିଛି କହିଲେ ନାହିଁ-। ପଥର ଭଳି ସେଇ ଗୋଟିଏ ଜାଗାରେ ତଳକୁ ମୁହଁ ପୋତି ବସି ରହିଲେ । ଚଙ୍କିଲେ ନାହିଁ-। ସେ କ’ଣ ଏକ ଦାରୁଣ ମାୟିକ ଦୁଃଖରେ ପଥର ପାଲଟି ଯାଇଥିଲେ ? ଏହି ପାର୍ଥିବ ପ୍ରେମାନୁରାଗ ଜନିତ ଶୋକ ମଧ୍ୟ କ’ଣ ମଣିଷକୁ ଏପରିଭାବେ ଏକ ଯୋଗସମାଧି ଦେଇପାରେ-? ମନୁଆବୋଉ ଡବଡ଼ବ ଆକ୍ଷିରେ ଚାହିଁ ରହିଥିଲେ–ତାଙ୍କର ଆକ୍ଷିରେ ପଲକ ପଡ଼ୁ ନ ଥିଲା–ସେ ଦୃଷ୍ଟି ମଧ୍ୟ କାହା ଉପରେ ନିବଦ୍ଧ ହେଉ ନ ଥିଲା–ତାଙ୍କ ଦେହରେ ସାମାନ୍ୟ ମାତ୍ର କମ୍ପନ ବି ଉଠୁ ନ ଥିଲା । ବଡ଼ପୁଅ ମନୁବାବୁ ତାଙ୍କ ସ୍ତ୍ରୀଙ୍କୁ କହିଗଲେ–

ଦେଖ ! ସାବଧାନ ! ବୋଉ ଯେପରି ହେଲେ ଆଜି ରାତିକ ଭିତରେ କନ୍ଦାଇବାକୁ ଚେଷ୍ଟା କର । ସେ ଯଦି ଆଜି ରାତି ଭିତରେ ନ କାନ୍ଦେ ତେବେ ତା’ର ହାର୍ଟଫେଲ୍ କରିପାରେ.... ।

ତା’ ପରଦିନ ସକାଳେ । ପୁରୀ ସ୍ଵର୍ଗଦ୍ଵାରରେ ବାପାଙ୍କ ମରଦେହକୁ ସଂସ୍କାର କରିସାରି ପୁଅମାନେ ଘରକୁ ଫେରିଲେ । ସେମାନେ ପ୍ରଥମେ ଘରେ ପାଦ ଦେଉଦେଉ ମାଆ ପାଖକୁ ଗଲେ-। ମାତ୍ର ମାଆ କାହିଁ ? ମାଆ କୁଆଡ଼େ ଗଲା ? ସେମାନେ ସବୁ ଘର ଖୋଜିଲେ । ବୋହୂମାନେ ଅଧରାତିରେ ଶୋଇଯାଇଥିଲେ । ତେଣୁ ସେମାନେ ଖୁବ୍ ଛାନିଆ ହୋଇଗଲେ । ବଡ଼ପୁଅ ମନୁବାବୁ ବାପାଙ୍କ ଶୋଇବା ଖଞ୍ଜାକୁ ଯାଇ ଦେଖିଲେ ସେ ବାପାଙ୍କ ଘରଟି ଭିତରପଟୁ କିଳା ହୋଇଛି । କବାଟରେ ଯେତେ ଧକ୍‍କା ମାରିଲେ ବି କବାଟ ଫିଟିଲା ନାହିଁ । ଝରକାମାନ ସବୁ ବନ୍ଦ ହୋଇଛି । କିନ୍ତୁ ଗୋଟିଏ ବିଚିକିଟିଆ ଗନ୍ଧରେ ସମସ୍ତେ ଚମକି ପଡ଼ିଲେ । ଖୁବ୍ ଉଦବିଘ୍ନ ହୋଇ ସେମାନେ କବାଟ ଭାଙ୍ଗି ଭିତରକୁ ପଶି କ’ଣ ଦେଖିଲେ ? ଶାଢ଼ି ଓ କିରାସିନୀ ଜୁଡ଼ୁବୁଡ଼ୁ ହୋଇ ଅଧାପୋଡ଼ା ଦେହଟିଏ ପଡ଼ିଛି । ଛାତିରେ ଜାକି ଧରିଛି ବାପାଙ୍କର ତୈଲା ଚିତ୍ରଟିକୁ । ସେଇଟି ମଧ୍ୟ ଅର୍ଦ୍ଧାଂଶରୁ ଅଧିକ ଏ ପୋଡ଼ି ଯାଇଥିଲା । ବାପାଙ୍କର ରୁଦ୍ରାକ୍ଷମାଳାଟି ମଧ୍ୟ ଦରପୋଡ଼ା ଅବସ୍ଥାରେ ମାଆ ବେକରେ ଲାଖି ରହିଥିଲା । ମନୁବାବୁ ପାଟିକରି ଉଠିଲେ–ଦେବ ! ବାପା କ’ଣ ତାଙ୍କର ଜପମାଳଟିକୁ ଏଠି ଛାଡ଼ିଦେଇ ଯାଇଥିଲେ ?

 

ଏ ପର୍ଯ୍ୟନ୍ତ ଘର ବାଉଁଶଯାକ ସମସ୍ତେ କାଠପୁତ୍ତଳିବତ୍ ନିର୍ବାକ୍ ଓ ନିଷ୍ପନ୍ଦ ହେଇ ଯାଇଥିଲେ । ମାତ୍ର ବଡ଼ପୁଅର ଚିତ୍କାର ଶୁଣି ଓ ରୁଦ୍ରାକ୍ଷ ମାଳାଟିକୁ ଦେଖି ସମସ୍ତେ ଭୋ ଭୋ ହୋଇ କାନ୍ଦି ଉଠିଲେ । ମନୁବାବୁଙ୍କର ଗାମ୍ଭୀର୍ଯ୍ୟ ତରଳିଗଲା । ସେ ପାଗଳଙ୍କ ପରି ଚିତ୍କାର କରି ଉଠିଲେ–ବୋଉ ! ତୁ ଚିରଦିନ ବାପାଙ୍କର–ଆମର ନୋହୁଁ–ଆମର ନୋହୁଁ ।

 

ଅନ୍ତଃପର ପୁଅମାନେ ମନୁଆବୋଉଙ୍କର ସେହି ଅର୍ଦ୍ଧଦଗ୍‍ଧ ଶବଟିକୁ ପୁଣି ମଟରରେ ବୋହିନେଲେ ପୁରସ୍ତମ କ୍ଷେତ୍ରକୁ...ସ୍ଵର୍ଗଦ୍ଵାରର ସେହି ମହା ଶ୍ମଶାନକୁ । ବାପାଙ୍କ ଚିତା ଉପରରେଇ ମାଆର ଚିତା ଦାଉଦାଉ ହୋଇ ପୁଣି ଜଳି ଉଠିଲା । ଏ ଯେପରି ବୈରାଗ୍ୟ ସଙ୍ଗେ ସଙ୍ଗେ ଅନୁରାଗର–ଜ୍ଞାନ ସଙ୍ଗେ ପ୍ରେମର–ମୁକ୍ତି ସଙ୍ଗେ ଲୀଳାର ମହାମିଳନର ତପାଗ୍ନୀ !!

 

ଅଦୂରରେ ମହାସମୁଦ୍ରର ଲହଡ଼ିମାନେ ବାରମ୍ଵାର ପାର୍ଥିବ ଏହି ମହାମିଳନର ଜୟଗାନ କରି ଆପଣା ଭିତରେ ଉଚ୍ଛ୍ୱସିତ ହୋଇ ଉଠୁଥିଲେ ଓ ବେଳାଭୂମି ଉପରେ ଲୋଟି ପଡ଼ୁଥିଲେ ବାରମ୍ଵାର–ବାରମ୍ଵାର ।

 

ଆକାଶ ମହାନ୍ ପ୍ରଜ୍ଞା ଆଉ ମହାନ୍ କାରୁଣିକ ଭଳି ଆସମୁଦ୍ର ଏଇ ପୃଥିବୀ ଉପରେ ଆନତ ହୋଇ ରହିଥିଲା ।

☆☆☆

 

ଦୁଇ ଶୂନେ ଶୂନ୍

 

ପୌଷମାସ ଜାଣ ଆଜିଠାରୁ ସରିଲା । ଆଜି ରାତି ପାହିଲେ ମାଘମାସ ଆରମ୍ଭ ହେବ-। କିନ୍ତୁ ମାଘମାସର ହାୱା କୋଉଦିନୁଁ ବହିଲାଣି । ସେଦିନ ସହର ଉପକଣ୍ଠରେ କେନାଲ କୂଳରେ ବୁଲୁ ବୁଲୁ ସେ ଗୋଟାଏ ଆମ୍ବଗଛରେ ବଉଳ ଦେଖିଥିଲା । ଆଖ ପାଖର ଆଉ ସବୁ ଆମ୍ବଗଛ ବଉଳିବାକୁ ସଜବାଜ ହେଉଥିଲେ । ହଠାତ୍ ସେ କେତୁଟାଦିନ ଶୀତ କମି ଆସିଥିଲା ଓ ଗୋଟାଏ ଉଷୁମିଆଁ ପରିବେଶ ସୃଷ୍ଟି ହୋଇଯାଇଥିଲା । ଲୁଚିଛପି ସବୁ ଧୂଳିଧୂଆଁକୁ ଆଡ଼େଇ ଚୋରାମଳୟ ଟିକେ ଫୁରୁଫୁରୁ ହୋଇ ହାଲୁକା ଚଢ଼େଇଟିଏ ଭଳି କୁଆଡ଼ୁ ଆସି କୁଆଡ଼େ ଉଡ଼ି ଚାଲିଗଲା-। ସହର ଓ ପାଖଆଖର ସବୁ ଘୋଘା ଧୋଧା ଓ ଠୋଠାକୁ ଆଡ଼େଇ କୁହୁଧ୍ଵନିଟିଏ କାହୁଁ ଆସି କାହିଁ ମିଳେଇଗଲା । ତା’ର ଦୁଇଚାରି ଦିନ ପରେ କୋଉଠି ଲୁଚିଥିଲା ଶୀତ–ମାଘମାସର ଶୀତ–ବାଘପରି ପୁଣି ମାଡ଼ିବସିଲା ଗଛବୃଛ ପଶୁପକ୍ଷୀ ଆଉ ମଣିଷ ସମେତ ଏ ସହରଟାକୁ । ଆଜି ଅଫିସରେ ମଧ୍ୟ ମନ ଲାଗିଲାନି ସୀତାକାନ୍ତର । ଆଜିକାଲି କୋଉଥିରେ ତା’ର ଆଉ ମନ ଲାଗୁନାହିଁ । ମନର ସରାଗ ମରି ଆସୁଛି ଧୀରେ ଧୀରେ ।

 

ଅଫିସରୁ ଫେରି କୁଆଡ଼େ ନଯାଇ ମେସରେ ଆପଣା ବିଛଣା ଉପରେ ଚାରିକାତ ଲମ୍ବାଇ ପଡ଼ି ରହିଥିଲା ସୀତାକାନ୍ତ । ସେସ୍ ପୁଝାରୀ ସର୍ବେଶ୍ଵର କିଛି ପକୋଡ଼ି ଆଉ ଚାହା ଆଣି ଟେବୁଲ ଉପରେ ଥୋଇଥିଲା । ଚାହାତକ ସେ ପିଇଦେଇଛି–ମାତ୍ର ପକୋଡ଼ି ସେମିତି ଥାଳିଆରେ ଥଣ୍ଡା ହେଉଛି । ତାକୁ ଭୋକ ହେଉଥିଲା, ମାତ୍ର କୌଣସି ଜିନିଷ ଖାଇବାକୁ ସ୍ପୃହା ଆସୁ ନ ଥିଲା । ଗୋଟାଏ ଦୁଃସହ ବିରକ୍ତି ଆଉ ବିତୃଷ୍ଣା ତାକୁ ଏଠି ଘେରି ବସିଛି । ଇତିମଧ୍ୟରେ ସର୍ବେଶ୍ଵର ଅନୁନାସିକ ସ୍ଵରରେ ଗେହ୍ଲେଇ ହୋଇ କହିଗଲାଣି । ସର୍ବେଶ୍ଵରଟା ମାଈଚିଆ । ଏ ସହରରେ ସାତ ଭଉଣୀ ମାଈଚିଆ ଅଛନ୍ତି । ସର୍ବେଶ୍ଵର କହେ–ସେ ହେଉଛି ସେମାନଙ୍କର ମାଉସୀ ଝିଅ ଭଉଣୀ । ସର୍ବେଶ୍ଵରକୁ ଦେଖିଲେ ଚିଡ଼ି ଲାଗେ ତାକୁ । ତା’ର ସମସ୍ତ ମାଇଚିଆ ଅବଲୟରେ ସୀତାକାନ୍ତର ଦେହ ଉକୁଟି ଉଠେ । ଏକପ୍ରକାର ବମନ ପ୍ରତିକ୍ରିୟା ମଧ୍ୟ ଆସେ । ମାତ୍ର ସର୍ବେଶ୍ଵରକୁ କଡ଼ା କଥା କିଛି କହିପାରେନା ସେ । ତା’ର ଉପସ୍ଥିତିରେ କେମିତି ଗୋଟେ କରୁଣତା, ବିଷର୍ଣ୍ଣତା ତା’ର ମନକୁ ଅଧିକାର କରାଯାଏ । ତା’ ଭିତରୁ ସମସ୍ତ ତେଜ ଲିଭିଯାଏ ।

 

ଏକେ ତ ଜୀବନ ଦୁଃସହ । ବଡ଼ ନିଛାଟିଆ । ପୁଣି ଏ ମେସ୍‍ର ଏଇ ମାଈଚିଆ ପୁଝାରୀଟା କେମିତି ଗୋଟାଏ ଏକୁଟିଆ ଭାବକୁ ବେଶୀ ବଢ଼ାଇ ଦିଏ । ତା’ର ଉପସ୍ଥିତି ମନେ ପକାଇ ଦିଏ–ଏ ଜୀବନ ବ୍ୟର୍ଥ, ଏ ଜୀବନକୁ ନେଇ ଆଉ କିଛି କରି ହୁଏନା । ଏ ଜୀବନ ନପୁଂସକ-। ଏ ଜୀବନର ଆକୃତି ଅଛି–ମାତ୍ର ବିକାରଗ୍ରସ୍ତ ତା’ର ଭିତରର ପ୍ରକୃତିଟି ।

 

ସବୁଦିନ ପରି ଆଜି ମଧ୍ୟ ସୀତାକାନ୍ତ ବଡ଼ିଭୋରରୁ ଉଠି କେନାଲ ବନ୍ଧକୁ ବୁଲି ଯାଇଥିଲା । ସୂର୍ଯ୍ୟୋଦୟ ଦେଖିଥିଲା ଦିଗ୍‍ବଳୟର ବନାନୀ ଭିତରେ । ପ୍ରତିଦିନ ସେ ସୂର୍ଯ୍ୟୋଦୟ ଦେଖିବାକୁ ଭଲପାଏ । ଉଦୟକାଳୀନ ସୂର୍ଯ୍ୟକୁ ନ ଦେଖିଲେ ତା’ର ମନେହୁଏ ସତେ କି ତା’ ଜୀବନର କେତୋଟି ପ୍ରହର ଅଚେତନ ଓ ଅନ୍ଧାର ଭିତରେ ବିତିଗଲା । ଜୀବନକୁ ବଞ୍ଚିବାମାନେ ଏହି ସୂର୍ଯ୍ୟକୁ ଚାହିଁ ରହିବା ତା’ର ଅସ୍ତ ଯାଏ । ମାତ୍ର ସୂର୍ଯ୍ୟାସ୍ତ ତାକୁ ଭଲ ଲାଗେନା । କରୁଣ ଲାଗେ । ବିଷାଦ ଆସେ । ତା’ର ଧାରଣା–ସମସ୍ତଙ୍କୁ ଜଣାଇ କରି ସୂର୍ଯ୍ୟ ଉଦୟ ହୁଅନ୍ତୁ; ମାତ୍ର ସମସ୍ତଙ୍କର ସମ୍ପୂର୍ଣ୍ଣ ଅଲକ୍ଷିତରେ ସୂର୍ଯ୍ୟ ଅସ୍ତ ହୋଇଯିବା ଭଲ । କାରଣ, ସମାପ୍ତି ମାତ୍ରେଇ ମିଥ୍ୟା, ଛଳନା, ଏକ ନାଟକୀୟ ଚରମ ମୁହୂର୍ତ୍ତର ଶେଷ ଦୃଶ୍ୟ ମାତ୍ର । “ଏ ଦୃଶ୍ୟ ପରେ ଆଉ ଦୃଶ୍ୟ ନାହିଁ”–ଏକଥା ଯଦି ଧ୍ରୁବ ନୁହଁ–ତେବେ କି ଲାଭ ଏହି ମିଥ୍ୟା ସମାପ୍ତିର ବିଷାଦରେ କିଛିକ୍ଷଣ ଘାରି ହେବା ? କିନ୍ତୁ ସତରେ କ’ଣ କିଛି ଆରମ୍ଭ ମଧ୍ୟ ହୋଇଥାଏ ? “ଆରମ୍ଭ” ମଧ୍ୟ ଏକ ମିଥ୍ୟା ନୁହେଁ କି ? ଆଜିର ସୂର୍ଯ୍ୟୋଦୟ ବୋଲି କ’ଣ ସତରେ ଏକ ଆରମ୍ଭିତ ଘଟଣାର ନିର୍ଦ୍ଦିଷ୍ଟ କେଉଁ ମୁହୂର୍ତ୍ତ ଅଛି ? କିଛି କ’ଣ ପ୍ରକୃତରେ ଘଟୁଅଛି ? କାହିଁ ତା’ ଜୀବନର କୌଣସି ଅଭିଜ୍ଞତା ତ ଏକ ଏକ ଘଟଣା ବୋଲି ତା’ର ମନେ ହୁଏନା ? କେଉଁ ଘଟଣାର ଭଲା ସେ କର୍ତ୍ତା ? ସେ କର୍ତ୍ତା ନ ହେଲେ ବି ଆଉ କିଏ ଭଲା କର୍ତ୍ତା ?

 

ସୀତାକାନ୍ତ ଖଣ୍ଡେ ସିଗ୍ରେଟ୍ ଲଗାଇଲା । ଦୁଇଥର ଧୁଆଁ ଛାଡ଼ି ସେ ପୁଣି ତକିଆ ଉପରେ ଆଉଜିଗଲା ଏବଂ ସିଗାରେଟ୍‍ଟା ଉପରେ ବିରକ୍ତ ହୋଇ ସେ ସେଟାକୁ ଆସଟ୍ରେରେ ହିଂସ୍ର ହାତରେ ମାଡ଼ି ଲିଭାଇଦେଲା ।

 

ଦୁତତେରୀ ! ନିଆଁ ନ ଗିଳି ସେ କେବଳ ଜୀବନଟାଯାକ ଧୁଆଁ ଗିଳି ଚାଲିଛି । ଅଥଚ ପାଟିର ଅନିତିଦୂରରେ ଜିକିଜିକି ଜଳୁଛି ନିଆଁରେ ଝୁଲଟିଏ ।

 

ଆଚ୍ଛା ! .ବଞ୍ଚିବାମାନେ କ’ଣ ? ପ୍ରଶ୍ନଟା ତା’ ଭିତରୁ ଉଦୟ ହେଲା ସତ–ମାତ୍ର ଆପଣା ପ୍ରଶ୍ନରେ ଆପେ ବିଗଡ଼ିଗଲା ତା’ର ମନ । ଆରେ ଯାଃ ! ବଞ୍ଚିବା ମାନେ କ’ଣ ? ସବୁ କଥାର ମାନେ ବୁଝିବାକୁ ସତେକି ସେଇ ଖାଲି ଦାୟିତ୍ୱ ନେଇଛି ! ଦାୟିତ୍ୱ ନେଲେ ବି ସେ ପ୍ରଶ୍ନର ଉତ୍ତର ଦେବ କିଏ ? ସେ ନିଜେ ? ଅସମ୍ଭବ । ନିଜର ମନକୁ ଗୋଟାଏ ପ୍ରଶ୍ନୋତ୍ତର ବିଭାଗରେ ପରିଣତ କରିବାକୁ ସେ ଚାହେଁନା ! ଜୀବନ ଯଦି ନିଜେ ତା’ର ଅର୍ଥ ଦାବି କରନ୍ତା ? ଦାବି କରନ୍ତା କାହା ପାଖେ ? ନାଃ ସେ କାହାର ଦାବିକୁ ଗ୍ରହଣ କରିବ ନାହିଁ । ତା’ର ଏ ପୃଥିବୀରେ ମଧ୍ୟ କାହା ଉପରେ ଦାବି ନାହିଁ । ଜୀବନ ଉପରେ ତା’ର ହାତ ନାହିଁ–ତେଣୁ ଜୀବନ ପ୍ରତି ତା’ର ଦାୟିତ୍ୱ ନାହିଁ-। ସେ ଯେତେବେଳେ ଦଶବର୍ଷର ଅସହାୟ ପିଲାଟିଏ ସେତେବେଳେ ଜୀବନ ତା’ ବାପାକୁ ମୁର୍ଦ୍ଦାର କରି ପକାଇ ଦେଇ କାହାକୁ ନ ପଚାରି ଚାଲିଗଲା । ବାପାଙ୍କର ସେହି ମୁର୍ଦ୍ଦାରଟା ଉପରେ ତା’ ମାଆ ମୁଣ୍ଡ କୋଡ଼ି କାନ୍ଦୁଥିବାର ଦୃଶ୍ୟ ଆଜି ପର୍ଯ୍ୟନ୍ତ ବି ତା’ ଭିତରେ ବଡ଼ ନିଆଁ ଭଳି କୁହୁଳୁଛି-!! ଏଇ ଜୀବନ ପୁଣି ତା’ ସାନଭାଇଟିକୁ ପିଲାଦିନୁ ଛୋଟା କରି ପକାଇଛି । ଏ ଜୀବନ ଏମିତି ଅବିଶ୍ଵାସୀ–ଏମିତି ନିଷ୍ଠୁର । ସେ କାହାର ଅନୁମତି ଉପରେ ସେ ଅପେକ୍ଷା କରେ ନାହିଁ । ତେବେ କି ଲାଭ ତା’ଉପରେ ଏତେ ଗୁରୁତ୍ଵ ଦେବାରେ ? କି ଲାଭ ମଧ୍ୟ ତା’ର ଅର୍ଥ ବୁଝିବାକୁ ଚେଷ୍ଟା କରିବାରେ ?

 

ଖାଲି ସେ ଏକା ନୁହେଁ । ଏ ସହରଟାରେ ସମସ୍ତେ ସତେକି ଏହି ଜୀବନଟାକୁ ନେଇ ବ୍ୟସ୍ତ ବିବ୍ରତ ଆଉ ବିରକ୍ତ । ଏଠି ଜୀବନ ଖୁବ୍ ଗତିଶୀଳ । ମାତ୍ର ଅଚେତନ ତା’ର ଏହି ଗତି । ପ୍ରତିଟି ମଣିଷର ଜୀବନ ଏଠି ଆଉ ଜଣକ ପାଖେ ଅପରିଚିତ–ପର । ଏଠି ମଣିଷମାନେ ତେଲୁଣୀପୋକ ମନ୍ଦା ଭଳି ଦେହକୁ ଦେହ ଲଗାଇ ସାଲୁବାଲୁ ହେଉଛନ୍ତି–ମାତ୍ର କେତେ ବିଚ୍ଛିନ୍ନ ଏଠି ପରସ୍ପର ପରସ୍ପରଠାରୁ ? ଭାତ ହାଣ୍ଡିରେ ଚାଉଳମାନେ ଏକାଠି ମିଶି ଆପଣା ଆପଣା ଦେହରେ ବାରମ୍ବାର ଗୁଡ଼େଇ ତୁଡ଼େଇ ହୋଇ ଫୁଟିଲା ପରି ଏମାନେ ସମସ୍ତେ ଯେଝା ଦୁଃଖ ଓ ଯନ୍ତ୍ରଣାରେ ସିଝୁଛନ୍ତି । ମାତ୍ର ଯେଝା ଦୁଃଖ ତା’ର । ଏଠି ଅଗ୍ନି ଅଛି, ମାତ୍ର ତା’ର ଉତ୍ତାପ ନାହିଁ–ଆଲୋକ ବି ନାହିଁ । ବାୟୁମଣ୍ଡଳ ଅଛି, ମାତ୍ର ତା’ ଭିତରେ ଗତି ନାହିଁ । ଅଥଚ କେତେ ଉତ୍ତାପ ଯେପରି ଗରମ ଶୀତଳତାର ଏକ ଛଳନା–ସମସ୍ତ ଗତି ଯେପରି ଅଗତିର ହିଁ ଏକ ଚିତ୍ରପଟ !! ସବୁ ଆଲୁଅ ଯେମିତି ଚିରୁଗୁଣୀର ଆଲୁଅ ।

 

କିନ୍ତୁ କାହିଁକି ? ଅସ୍ଥିର ହେଲା ସୀତାକାନ୍ତ ।

 

ସୀତାକାନ୍ତ ଗ୍ରାମରେଇ ଜନ୍ମ ହୋଇଥିଲା । ପାଠ ପଢ଼ିଥିଲା ସହରରେ । ଆଉ ଚାକିରି ମଧ୍ୟ କରୁଛି ଏହି ସହରରେ । ଗୋଟିଏ କ୍ଷୁଦ୍ର କେମିକାଲକମ୍ପାନୀ ସହକାରୀ ଏଜେଣ୍ଟ । ଏଠି ଏହି ମେସରେ ତା’ଭଳି ଆଉ କେତେଜଣ ଅଛନ୍ତି । ବିଭିନ୍ନ ଚାକିରି କରି ପେଟ ପୋଷନ୍ତି । ଯେଝା ଧନ୍ଦାରେ ଯେ ବ୍ୟସ୍ତ । ଏ ମେସରେ କେହି କାହାର ନାମ ଜାଣନ୍ତି ନାହିଁ । ନାମ ମନେ ରହେନା । ସାଙ୍ଗିଆ ମନେରହେ ।

 

ମହାପାତ୍ର ବାବୁ ଓ ଖାଁ ବାବୁ ପ୍ରାୟ ପ୍ରତିଦିନ ସନ୍ଧ୍ୟାବେଳେ ଛକ ପାନ ଦୋକାନରୁ ଦୁଇଟି ନିଶା ମୋଦକ ଖାଇ ଫାଷ୍ଟ ସୋ ସିନେମା ଦେଖି ଫେରନ୍ତି ରାତି ଦଶଟାରେ । ତା’ପରେ ଖାଇଦେଇ ବିଛଣା ଧରୁ ଧରୁ ନାକ ଘୁଙ୍ଗୁଡ଼ି ଡାକେ । ପଣ୍ଡାବାବୁ ଓ ଜେନାବାବୁ ସନ୍ଧ୍ୟାରେ ଟିଉସନ୍ କରନ୍ତି ଓ ପ୍ରତି ଶନିବାର ଗ୍ରାମକୁ ଯାନ୍ତି–ଫେରନ୍ତି ସୋମବାର ଦିନ ବାରଟାରେ । ସାବତବାବୁ ଓ ଘଡ଼େଇବାବୁ ପ୍ରତି ରବିବାର ଦିନ ଗୀର୍ଜାକୁ ଯାନ୍ତି । ପ୍ରହରାଜବାବୁ ଟିକିଏ ଭିନ୍ନ ପ୍ରକାରର ଲୋକ । ଆନମନା । ସକାଳେ ଓ ରାତିରେ ବିଛଣାରେ ପଡ଼ି ରହି ରାଜ୍ୟଯାକର ଉପନ୍ୟାସ ପଢ଼ୁଥାନ୍ତି । ହରେକ ରକମର ଉପନ୍ୟାସ । ହରେକ ଭାଷାର । ସେ କାହା ସଙ୍ଗେ ମିଶନ୍ତି ନାହିଁ–ଉପନ୍ୟାସର ଘଟଣା ଓ ଚରିତ୍ରମାନଙ୍କ ସଙ୍ଗେ ସଙ୍ଗେ ତାଙ୍କର ଗୋପନ ମାନସିକ କାରବାର । ଆଉ ଜଣେ ଅଛନ୍ତି ତାଙ୍କରି ଭଳି ଶତପଥୀବାବୁ । ତାଙ୍କ ଆକ୍ଷି ଦିଶେ ସବୁବେଳେ ଅଧାବୁଜା ଅଧାଖୋଲା । ଖରାଦିନେ ଛାତ ଉପରେ ଓ ଅନ୍ୟ ଦିନମାନଙ୍କରେ କୋଠରୀ ଭିତରେ ବଇଁଶୀ ବଜାନ୍ତି । କାହା ସଙ୍ଗେ କଥା କୁହନ୍ତି ନାହିଁ । ସତକଥା–ଆଜି ଯାଏ ତାଙ୍କ କଣ୍ଠସ୍ଵର କିପରି ସୀତାକାନ୍ତ ଜାଣିନି । ବଂଶୀର ସ୍ୱର ମୂର୍ଚ୍ଛନାରେ ଆଚ୍ଛନ୍ନ ଓ ବିହ୍ୱଳ ଶତପଥୀବାବୁଙ୍କ ସଙ୍ଗେ କେହି ଯଦି ମିଶିବାକୁ ଆଗେଇ ଆସେ–ତେବେ ସେ ତାକୁ ନିଜେ ଧରା ନ ଦେଇ ବଂଶୀର ସୁରଟିକୁ ଧରାଇ ଦିଅନ୍ତି । ମହାନ୍ତିବାବୁ, ବେହେରାବାବୁ ଓ ମିଶ୍ରବାବୁ ସାହିର ଜଣେ ଦୋକାନୀ ସଙ୍ଗେ ପ୍ରତି ରାତିରେ ତାସ ଖେଳନ୍ତି ଅଧରାତିଯାଏ । ପଇସା ବାଜିରହେ । ପରସ୍ପରକୁ ଡାକନ୍ତି ପାର୍ଟନର ବୋଲି । ଅଥଚ ପ୍ରତ୍ୟେକେ ଯେପରି ଆପଶା ଚାରିପଟେ ଗୋଟେ ଲେଖାଁ ବୃତ୍ତାକାର ପାଚେରୀ ଖାଡ଼ାକରି ତା’ ଭିତରେ ଆତ୍ମଗୋପନ କରି ରହିଛନ୍ତି । ସୀତାକାନ୍ତ ବହୁବାର ସେ ପ୍ରାଚୀରମାନ ଅତିକ୍ରମ କରି ଅନ୍ଦର ମହଲରେ ପଶି ଭାବ ଜମାଇବାକୁ ଚେଷ୍ଟା କରିଛି । ମାତ୍ର ବୃଥା ତା’ର ସେ ପ୍ରୟାସ । ପ୍ରାଚୀର ଅତିକ୍ରମ କଲେ ବି କାହାର ଅନ୍ଦର ମହଲରେ ପଶି ହୁଏନା । ପ୍ରତ୍ୟେକର ଅନ୍ଦର ମହଲ ଦଶଦିଗରୁ ଆବଦ୍ଧ । ତା’ର ଦ୍ଵାରରେ ଆଘାତ କଲେ କବାଟଟାଇ ଶବ୍ଦ କରେ, ଅନ୍ଦର ମହଲରୁ ଉତ୍ତର ମିଲେନା–ଅନ୍ଦର ମହଲ ଖୋଲେ ନାହିଁ ।

 

ଛି–ଛି–କି ଦୁର୍ବିସହ ଏହି ଜୀବନର ନିଃସଙ୍ଗତା ! ପୁଣି କି ଦୁଃସହ ଏହି ଏକତ୍ର ରହିବାର ଛଳନା ? ତୁମେ ରାତି ଅଧଯାଏ ଯାହା ସଙ୍ଗେ ତାସ୍ ଖେଳୁଛ–ତା’ର ସମସ୍ୟା ସମ୍ପର୍କରେ ତୁମର କିଛି ଧାରଣା ନାହିଁ । ତୁମେ ହୁଏତ ଜାଣନା ଯେ ତା’ର କୁମାରୀ ଭଉଣୀଟି ଯାହାକୁ ସେ ପିଲାଦିନୁ ବହୁ କଷ୍ଟରେ ପାଳି, ପାଠ ପଢ଼ାଇ, ଅଫୁରନ୍ତ ସ୍ନେହ ଦେଇ ବଢ଼ାଇ ଆସିଥିଲା–ସେ ବିଶ୍ୱାସଘାତକତା କରି ଏକ ଅଜ୍ଞାତ କୁଳଶୀଳ ଉପାର୍ଜନହୀନ ଉଦ୍‍ଭ୍ରାନ୍ତ ଯୁବକର ପ୍ରେମର ପଡ଼ି ପାଞ୍ଚମାସର ପାପଗର୍ଭ ହୋଇଛି ଓ ସେ ଯୁବକଟିର ପତ୍ତା ନାହିଁ । ଆଉ ଆପଣା ହୃଦୟର ଅନ୍ଦର ମହଲରେ ସେଇ ନିଆଁକୁ ଧରି ସେ ବ୍ରିଜ ଖେଳୁଛି ବା ଖେଳୁଛି ଷ୍ଟେକ । ତାକୁ କୁଣ୍ଢାଇ ଧରି କୁହାଯାଇ ପାରନ୍ତା ଯେ “ଦେଖ ଭାଇ ! ସେ ଟୋକୀକୁ କୁହ–ସେ ଟୋକାକୁ କୋଉଠୁ ଖୋଜିକରି ଆଣୁ । ନଚେତ୍ ଆଉ କାହାଘରେ ବାସନ ମାଜି ତା’ର ପ୍ରେମଫଳଟିକୁ ପୋଷୁ । ସେ ଟୋକୀ ତୁମ ଘରୁ ବାହାରିଗଲେ ତୁମେ ତୁମ ସ୍ତ୍ରୀକୁ ତା’ ଖର୍ଚ୍ଚରେ ପ୍ରତିଦିନ ୨ଟି ଅଣ୍ଡା ୨ଟି କମଳା “ଓ ୨ଟି ରସଗୋଲା ଖାଇବାକୁ ଦିଅ ।” ତୁମେ ହୁଏତ ଜାଣନା ଯେ ତୁମେ ଯାହା ସଙ୍ଗେ ଏକାଠି ମିଶି ଗୀର୍ଜା ବା କୋଉ ମଠରେ ବସି ସମବେତ ପ୍ରାର୍ଥନା ବା ସଂକୀର୍ତ୍ତନ କରୁଛ ସେ ଲୋକଟି ଆପଣା ଜୀବନର ଗୋଟିଏ କ୍ଷୁଦ୍ର ପାପ ଲାଗି ଅହରହ ବିବ୍ରତ ଓ ଅନୁତାପ ନିଆଁରେ ପୋଡ଼ି ମରୁଛି–ତାକୁ କେହି କହୁନାହିଁ ଯେ ବାବୁ ! ଏଠି ପାପ ବୋଲି କିଛି ନାହିଁ । କୌଣସି ବିଧାତା ତୁମ ଭଳି ନଗଣ୍ୟ ଲୋକର ପାପ ବା ପୁଣ୍ୟକୁ କେୟାର କରିବାକୁ ସମୟ ପାଏନା । ତୁମେ ନିଶ୍ଚିନ୍ତ ରୁହ ଓ ଯଦି ପାରୁଛ ଆଉ କିଛି ଛୋଟ ଛୋଟ ପାପ କର୍ମରେ ହାତ ଦିଅ ଓ ତା’ ସଙ୍ଗେ ସାନ ସାନ ପୁଣ୍ୟ ବୋଲି ମନେ ହେଉଥିବା କେତେକ କାର୍ଯ୍ୟ ମଧ୍ୟ କରି ଚାଲିଥାଅ । ଆମର ସାନ ସାନ ପାପ ବା ସାନ ସାନ ପୁଣ୍ୟ ଗୁଡ଼ିକୁ ବିଚାର କଲା ଭଳି ଏତେ ଛୋଟ ତରାଜୁ ନାହିଁ । ଆମକୁ ଭଲ ଲାଗିବା ତା’ର ଏକମାତ୍ର ମାନଦଣ୍ଡ । ଏଠି ବେଙ୍ଗ ମାରିବା ଯାହା ହାତୀ ମାରିବା ସେଇଆ । ମହୁଫେଣୀ ଭାଙ୍ଗି ମହୁ ଖାଇବା ଯାହା–ଅନ୍ୟ ସ୍ତ୍ରୀର ଅଧର ଚୁମ୍ବନ କରି ଖୁସି ହେବା ସେଇଆ ।

 

କିମ୍ବା ତୁମେ ହୁଏ ତ ଜାଣନା ଯେ ଦିନରାତି ଖଣ୍ଡ ଖଣ୍ଡ ଉପନ୍ୟାସ ପଢ଼ି ଚାଲିଥିଲା ଲୋକଟି ବିଚାରା ତା’ର ରୁଗ୍‍ଣା ଓ ଅଧା ପାଗଳୀ ସ୍ତ୍ରୀଟି ପ୍ରତି ବଡ଼ ବିରକ୍ତ–କାତର ଓ ବିପର୍ଯ୍ୟୟଗ୍ରସ୍ତ । ତାକୁ ମଧ୍ୟ କୁହାଯାଇ ପାରନ୍ତା ସିଧା ସଳଖ ଯେ–ଦେଖ ବାବୁ ! ସେ ସ୍ତ୍ରୀଟିକୁ ତା’ ବାପଘରେ ଛାଡ଼ିଦିଅ । ନତୁବା ଖୋରାକ ପୋଷାକ ଦେଇ ପାଖରେ ରଖ ଓ ତୁମକୁ ଭଲ ଲାଗୁଥିବା ଆଉ ଗୋଟିଏ ସୁସ୍ଥ ସୁନ୍ଦର ସ୍ତ୍ରୀ ଲୋକ ଯୋଗାଡ଼ କରି ବାହା ହୋଇ ଆରାମସେ ରହ । ତୁମର ପୋଷା କୁତୀଟା ବାଇଆ ହୋଇଗଲେ–ତୁମେ ତାକୁ ବିଛଣାରେ ଧରି ଶୋଇବାକୁ ବାଧ୍ୟ ନୁହଁ–ତାକୁ କୌଶଳରେ ବିଷ ପ୍ରୟୋଗ କରି ମାରିଦିଅ । ଅଥବା ପିଞ୍ଜରାରେ ଆବଦ୍ଧ କରି ରଖ ଓ ଝରକାବାଟେ ଖାଦ୍ୟ ଫୋପାଡ଼ୁଥାଅ ଓ ଆଉ ଗୋଟାଏ ଚମତ୍କାର କୁତୀ ଆଣି ଘରେ ବାନ୍ଧ ଓ ତାହା କୁହ ଯେ ଆଜିଠାରୁ ତୁମେ ମୋର କୁତୀ ଓ ମୁଁ ତୁମର କୁତ୍ତା ।

ଆଃ ! କିଛି କାହାକୁ କୁହାଯାଇ ପାରିଲା ନାହିଁ ! ଅଥଚ ଅସଂଖ୍ୟ ଯନ୍ତ୍ରଣା, ଅସଂଖ୍ୟ ଦୁଃଖ । ସମସ୍ତେ ଆଉଟି ହେଉଛନ୍ତି; ସନ୍ତୁଳି ହେଉଛନ୍ତି । ସବୁ ଯନ୍ତ୍ରଣାରୁ ମୁକୁଳିବାକୁ ବାଟ ଅଛି । କାହାର ଦାୟିତ୍ଵ ନିଅ ନାହିଁ–ଆରେ ବାବୁ, କାହାର ଦାୟିତ୍ଵ ନିଅ ନାହିଁ । କେହି କାହାକୁ ଲଗା ନୁହେଁ କି କେହି କାହାର ପଘା ନୁହେଁ ।

 

ସୀତାକାନ୍ତ ଉତ୍ତେଜିତ ହୋଇ ପଡ଼ିଲା । ବିଛଣାରୁ ଉଠିପଡ଼ି ସେ କାହା ଉଦ୍ଦେଶ୍ୟରେ ପାଟିକରି ଭର୍ତ୍ସନା କଲା–

 

ତୁମେ ଜାଣନା, –କେହି କାହାକୁ ଜାଣେନା–ଅଥବା...କେହି କାହାକୁ ଜଣାଉ ନାହଁ । ସମସ୍ତେ ଭୟ କରୁଛ ହୁଏତ କେହି କାହା କଥା ଏଠି ଶୁଣିବେ ନାହିଁ–ସାର ହେବ ଅରଣ୍ୟ ରୋଦନ-। ସିନେମାରେ ଛବି ଦେଖି ତୁମେ ଜୀବନର ଯେତିକି ଅର୍ଥ ଓ ଉତ୍ତେଜନା ଗ୍ରହଣ କରିଥାଅ–ଏହି ପୃଥିବୀ ବା ଏହି ସମାଜ ତୁମକୁ ସେତିକି ମାତ୍ର ନିର୍ଜୀବ ଅର୍ଥ ଓ ଉତ୍ତେଜନା ଦେଉଅଛି । ତୁମର ଆଶଙ୍କା–ସବୁ ଏଠି ଛାୟାବାଜୀ, କେବଳ ଭିତରର ଯାହା ବାସ୍ତବ । ଏହାର ପରିଣାମ କେବଳ ଏକ ବିରକ୍ତିର କ୍ଳାନ୍ତି । ତୁମେ ସବୁ କ୍ଳାନ୍ତ । ଏହି କ୍ଳାନ୍ତି ହୁଏତ ତୁମର ନିଦ୍ରାକୁ ସ୍ଵପ୍ନହୀନ କରୁଛି । କିମ୍ବା–ଜାଗରଣକୁ କରୁଛି ତନ୍ଦ୍ରାମୟ । ସେଇଥିଲଗି ତ କାହାର କାହାକୁ ବିଶ୍ଵାସ ନାହିଁ । କାରଣ ତୁମେ ଭାବୁଛ–ଏସବୁ କେବଳ ସିନେମା; ଅସତ୍ୟ ଜଗତର ଅସତ୍ୟ ଛବି–ସର୍ବୈବ ମିଥ୍ୟା-

 

କାହିଁକି ଏପରି ହେଉଛି ? ସୀତାକାନ୍ତ ମନ ଭିତରୁ ଏହି ପ୍ରଶ୍ନଟି ଉଠିବା ମାତ୍ରେ ତା’ ଭିତରେ ଗୋଟାଏ ସାହସ ଓ ସ୍ଥିରତା ମଧ୍ୟ ସେ ଅକସ୍ମାତ୍ ଅନୁଭବ କଲା । “ଜୀବନର ଅର୍ଥ କ’ଣ-!” ପ୍ରଶ୍ନଠାରୁ ଏ ପ୍ରଶ୍ନଟି ବରଂ ବେଶୀ ସହନୀୟ ଓ ଏ ପ୍ରଶ୍ନକୁ ମଧ୍ୟ ମୁକାବିଲା କରାଯାଇପାରେ-। ଦୁଃଖ ରୋଗ ବ୍ୟକ୍ତିଗତ ହୋଇପାରେ–ମାତ୍ର ଦୁଃଖର କାରଣଟି ସାର୍ବଜନୀନ । କ’ଣ ସେ କାରଣ-? ଗୋଟିଏ ପଦରେ “ଅଜ୍ଞାନ” । “ଅଜ୍ଞାନ” କୋଉଠୁ ଆସିଲା ? ଗୋଟିଏ ମାତ୍ର ଉତ୍ତର ‘‘ଅପ୍ରେମ”ରୁ । ପ୍ରେମ କାହିଁ ? ଆରେ ବାବୁ, ପ୍ରେମ ଏଠି କାହିଁ । ସେ ପଦାର୍ଥଟି ଆସିବ କୋଉଠୁ-?

 

ସୀତାକାନ୍ତ “ପ୍ରେମ” କଥା ଭାବୁ ଭାବୁ ନିଜେ ନିଜ ପାଖରେ ଲଜ୍ଜିତ ହୋଇଉଠିଲା । ସେ ଭଲା କାହାକୁ ପ୍ରେମ କରେ ? ତା’ର ବିଧବା ମା’ଟିକୁ ? ପିଲାଦିନୁଁ ପୋଲିଓ ଭୋଗି ଆଜିପର୍ଯ୍ୟନ୍ତ ୧୮ବର୍ଷକାଳ ଛୋଟେଇ ଛୋଟେଇ ଚାଲୁଥିବା ତା’ର ସାନ ଭାଇଟିକୁ ? ସରିତା ଦାସକୁ ? ନାଃ–କାହାକୁ ସେ ଭଲ ପାଇନି । ଭଲ ପାଇବା ସହଜ କଥା ନୁହଁ ବାବୁ । ସରିତା ଦାସକୁ ସେ ନିରୋଳାରେ ବହୁବାର ଆଲିଙ୍ଗନ କରିଥିଲା–ଚୁମ୍ୱନ କରିଥିଲା । ସରିତାକୁ ବାହା ହେବ ବୋଲି କଥା ଦେଇଥିଲା । ସରିତା ମଧ୍ୟ ଅପେକ୍ଷା କଲା ବହୁ ଦିନ ଯାଏ । ମାତ୍ର ସେ ନିଜେ ତାକୁ ବାହା ହେବା ଲାଗି ପ୍ରସ୍ତୁତ ହୋଇପାରିଲା ନାହିଁ । ତାକୁ ଡର ଲାଗିଲା । ତା’ର ସାହସ କୁଲାଇଲା ନାହିଁ । ସରିତା ଥିଲା ଭାରି ଭାବପ୍ରବଣ । ସବୁ କଥାରେ ତା’ର ଉଚ୍ଛ୍ଵାସ । ବାରମ୍ବାର ସେ କହିଥିଲା–ତୁମେ ଭୟ କରୁଛ କାହିଁକି ? ମୋର ବାପା ମାଆ ଉଭୟେ ରାଜି ଅଛନ୍ତି । ଦାରିଦ୍ର୍ୟ ତୁମର ପ୍ରତିବନ୍ଧକ ନୁହଁ । ମାତ୍ର ସୀତାକାନ୍ତ ବାରମ୍ବାର ସେଇ ଗୋଟିଏ ଉତ୍ତର ଦେଇଥିଲା–ମୁଁ ତୁମକୁ ସୁଖୀ କରି ପାରିବିନି ସରିତା !

 

ଅସଲ କଥା–ସରିତାର ଉଚ୍ଛ୍ଵାସିତ ପ୍ରେମର ଓଜନ ତାକୁ ମାଡ଼ି ପଡ଼ୁଥିଲା । ପ୍ରେମର ଏତେ ବଡ଼ ଦାବି, ହୃଦୟର ଆଦାନପ୍ରଦାନରେ ଏତେ ପ୍ରଣୟ–ଦାୟିତ୍ଵ ତା’ ପକ୍ଷରେ ମନେ ହୋଇଥିଲା ଗୋଟିଏ ନିଦାରୁଣ ଅଥଚ ଅବାନ୍ତର ବୋଝ ବୋଲି । ସରିତା ଆଜି ପର୍ଯ୍ୟନ୍ତ ବିଭା ହୋଇନାହିଁ । ସେ ତା’ର ପ୍ରେମର ଅନୁଭୂତି ଦେଇ ବହୁ ପ୍ରଣୟ କବିତା ଲେଖୁଛି । ଅଥଚ ସରିତା ପ୍ରତି ତା’ ମନରେ ବର୍ତ୍ତମାନ ଏତେ ଟିକେ ବି ଉତ୍ତାପ ନାହିଁ । ତା’ ଭିତରେ ଏତେଟିକେ ବି ପ୍ରଣୟ–ତାଡ଼ନା ଅନୁଭବ କରୁନାହିଁ । କାହା ପ୍ରତି ନାହିଁ–ତା’ର କାହା ପ୍ରତି ମଧ୍ୟ ଆଉ କିଛି ଉଚ୍ଛ୍ଵାସ ନାହିଁ । ସମସ୍ତ ପ୍ରବୃତ୍ତି ସେ ହରାଇ ବସିଛି । ତା’ର ବିଧବା ମାଆ କିମ୍ବା ତା’ର ଛୋଟା ଭାଇଟା ଲାଗି ତା’ର ଅନୁକମ୍ପା ଅଛି । ଅବଶ୍ୟ ସେମାନଙ୍କୁ ସେ ସବୁପ୍ରକାର ସାହାଯ୍ୟ କରୁଛି । ସେମିତି ମଧ୍ୟ ସରିତା ପ୍ରତି ତା’ର କିଛି ଅନୁକମ୍ପାମୟ ସମ୍ମାନବୋଧ ଅଛି । ମାତ୍ର ଅନୁକମ୍ପା ତ ଆଉ ପ୍ରେମ ନୁହଁ ! ଅନୁକମ୍ପା ତ ଆଉ ବଞ୍ଚିବା ଲାଗି ପ୍ରେରଣା ଦିଏ ନାହିଁ !! ଜୀବନକୁ ଉତ୍ତାପରେ ଭରିଦିଏ ନାହିଁ !! ବରଂ ଜୀବନକୁ ବିମର୍ଷ କରିଦିଏ ଅନୁକମ୍ପାର ଗାଢ଼ତା । ଏବେ ତ ସେ ପୃଥିବୀ ପ୍ରତି କେବଳ ଅନୁକମ୍ପାଶୀଳ ହିଁ ହୋଇ ଉଠୁଛି । ଅନୁକମ୍ପା–କେବଳ ଅନୁକମ୍ପା । ବିଷର୍ଣ୍ଣତା, ନୈରାଶ୍ୟ ଓ ବୈରାଗ୍ୟରେ ତାହା ହୃଦୟକୁ ରିକ୍ତ କରି ଦେଉଛି–!! ସେଇଥିପାଇଁ ତ ତାକୁ ଏବେ ଲାଗୁଛି–ସେ ନିଜେଇ ଅନୁକମ୍ପାର ପାତ !! ହଁ–ହଁ ସେ ନିଜେଇ ନିଜର ଅନୁକମ୍ପାର ପାତ୍ର ।

 

ଅନ୍ୟର ଦୁଃଖରେ ତା’ର ଆକ୍ଷିରୁ ଲୁହ ବହିଛି–ଅନ୍ୟ ଲାଗି ସେ ଯନ୍ତ୍ରଣା ଭୋଗିଛି । ମାତ୍ର ଦାୟିତ୍ଵ ନେଇ ନାହିଁ ସେ କାହାର । ସେ ହି ଦାୟିତ୍ଵ–ହ୍ଲାଦନର ଅନୁଭବରେ ସାହା ନିତ୍ୟ ମଧୁର ଓ ଅନୁଶୀଳନର କର୍ମରେ ଯାହା ନିତ୍ୟ ଉତ୍ତପ୍ତ । ଏହି ନିତ୍ୟ ଉତ୍ତପ୍ତ ମଧୁର୍ଯ୍ୟର ଅନୁଭୂତି ବୋଧେ ପ୍ରେମ !!

 

ହଠାତ୍ ସୀତାକାନ୍ତ ନିଜକୁ ଖୁବ୍ ଦରିଦ୍ର ହତାଶ ମନେକଲା । ଅବଶ୍ୟ ଏ ଦାରିଦ୍ର୍ୟ ଓ ହତାଶବୋଧ ଆଉ ପ୍ରକାରେ । ଏ ପ୍ରକାର ଦାରିଦ୍ର୍ୟ ଓ ହତାଶାବୋଧରେ କେହି ଘରେ ବସି ପାରେନା ଏକୁଟିଆ !! ଏ ପ୍ରକାର ଅନୁଭୂତିରେ କିଛି ଗୋଟାଏ କରିଦେବାକୁ ମନର ଆଗ୍ରହ ବଢ଼ିଯାଏ ।

 

ଅଗତ୍ୟା ସେହି ତାଡ଼ନାରେ ବିଛଣାରୁ ଉଠିପଡ଼ି ଠିଆହେଲା ସୀତାକାନ୍ତ । କୋଟ୍‍ଟି ଗଳାଇ ସେ ବାହାରି ପଡ଼ିଲା ସହର ଭିତରକୁ । ଭାବିଲା–ସେ ଆଜି ସରିତାକୁ ଭେଟିବ । ସରିତା ସଙ୍ଗେ ମୁକାବିଲାରେ ସେ ଯଦି ଜୟଯୁକ୍ତ ହେବ ତେବେ ଯାଇ ସେ ଜଗତର ସମ୍ମୁଖୀନ ହେବ । ଆଜି ସେ ସରିତାକୁ ଆଲିଙ୍ଗନ କରି କହିବ–ସରିତା ! ଆଜିଯାଏ ଯୋଉ ସବୁ ପ୍ରେମକବିତା ଲେଖିଛ–ମୁଁ ସେ ସବୁ ପଡ଼ିଛି । ସେଗୁଡ଼ିକ ବର୍ତ୍ତମାନ ନିରର୍ଥକ । ଆସ ! ମୁଁ ତୁମକୁ ଏହି ମୁହୂର୍ତ୍ତରେ ବିବାହ କରିବି । ଆମର ବିବାହ ପରେ ଯାଇ ତୁମେ ପ୍ରେମ ଉପରେ ତୁମର ଅନୁଭୂତିମାନ ଲେଖିବ-

 

......ରାତି ଦଶଟା ବାଜିଲାଣି । ବେଶ୍ କୁହୁଡ଼ିଆ ଶୀତରେ ବଡ଼ ରାସ୍ତାଟି କୁଙ୍କୁରି କାଙ୍କରି ହୋଇଯାଇଛି ବୁଢ଼ୀଟିଏ ଭଳି । ରାସ୍ତା ଶୁନ୍‍ଶାନ୍ । କେବଳ ପାର୍କ ପାଖ ଛୋଟିଆ ହୋଟେଲଟିଏ । ଟିମାନନାଙ୍କ ବିଖ୍ୟାତ ହିନ୍ଦୁ ହୋଟେଲ–ସେଠି କେତେକ ରିକ୍‍ସାବାଲା ଓ ବସ୍ତିଲୋକ ମାଲପାଣି ପିଇ କଡ଼ା ମସଲାରେ ଭଜା ହୋଇଥିବା କଲିଜା ଭଜା ଖାଉଥିଲେ ଓ ସେହି ମଳିନ ଆଲୁଅରେ ହୈହୁଲ୍ଲା କରୁଥିଲେ । ପାର୍କର ବାହାର ପଟେ ଜଣେ ବାବାଜୀ ଧୂନୀ ଜାଳି ଗଞ୍ଜେଇ ଖାଉଥିଲେ । ତାଙ୍କ ପାଖରେ ବସି ଖଞ୍ଜଣୀ ପିଟୁଥିଲେ ତାଙ୍କର କେଇଟି ରାତ୍ରିଚର ଶିଷ୍ୟ, ଯେଉଁମାନଙ୍କୁ ରାତି ଭାରି ଉଚ୍ଚାଟ କରେ ।

 

ସରିତା ଘର ପାର୍କଠାରୁ ଅଳ୍ପ ଦୂରରେ । ସୀତାକାନ୍ତ ସେହି ରାସ୍ତାରେ ଚାଲିଲା । କିଛିବାଟ ଯାଇଛି–ମାତ୍ର ମୋଡ଼ ଉପରେ ହଠାତ୍ ସେ ଅନୁଭବ କଲା କିଏ ଯେପରି ତା’ ପିଛା ଧରିଛି । ସେ ପଛକୁ ଚାହିଁଲା । ଅତି ସାନ କାଳିଆ କୁକୁର ଛୁଆଟିଏ କୁଁ କୁଁ ହୋଇ ତାକୁ ଆଶ୍ରା ମାଗୁଛି । ତା’ ଦୁଇଗୋଡ଼ ସନ୍ଧିରେ ପଶି ଅଳି କରୁଛି । ଶୀତରେ ଥରି ଯାଉଛି ତା’ର ଛୋଟିଆ ଦେହଟି । ସେ ଉଷୁମ ଚାହୁଁଛି ନା ଖାଦ୍ୟ ଚାହୁଁଛି ? ସୀତାକାନ୍ତ ତାକୁ ଟିକିଏ ଠେଲିଦେଇ ଆଗକୁ ଚାଲିଲା । ମାତ୍ର ଛୁଆଟି ତା’ ପିଛାଧରି ନାଥୁଲ୍ ପାଥୁଲୁ ହୋଇ ପୁଣି ଦୌଡ଼ିଲା । ଦୌଡ଼ିଲା ବେଳେ ସେ ସେମିତି କୁଁ କୁଁ ହୋଇ କାନ୍ଦି ଲାଗିଥାଏ । ସୀତାକାନ୍ତ ଟିକିଏ ବିବ୍ରତ ବୋଧକଲା । ଦୁତ୍ ତେରି-! ଗୋଟିଏ ବିଷମ ଜଞ୍ଜାଳ କୁଆଡ଼ୁ ଆସି ଜୁଟିଲା ତା’ ପାଖରେ ଏତେବେଳେ ? ଆଚ୍ଛା ବିପଦ-! କିନ୍ତୁ ବର୍ତ୍ତମାନ ସେ କ’ଣ କରିବ ? ହୁଏତ ଏହାକୁ କୋଳରେ ଉଠାଇ ସାଙ୍ଗରେ ନେଇଯିବାକୁ ହେବ ନତୁବା ୟାର ମା’କୁ ଖୋଜି ତା’କୁ ତା’ ଜିମା ଦେଇ ସେ ନିଶ୍ଚିନ୍ତ ହେବ; କିନ୍ତୁ କାହିଁ ତା’ ମାଆ-?

 

ସୀତାକାନ୍ତ କୁକୁରଛୁଆଟିକୁ କୋଳରେ ଉଠାଇ ପଛକୁ ଫେରିଲା ଟିମାନନା ହୋଟେଲ ଯାଏ । ସେଠି ପହୁଁଚି ସେ ପଚାରିଲା–ହଇଓ ଟିମାନନା ! ଏ କୁକୁର ଛୁଆଟାର ମା’ କାହିଁ ?

 

ଟିମାନନା ଦୋକାନ ଭିତରୁ ବାହାରି ଆସି ନିର୍ବିକାର ଭାବରେ କହିଲା–ସେ ଖନିକୀ କ’ଣ ଆଉ ଅଛି ? କାଲିପରା ସେଠି ମଟର ଚାପାରେ ମରି ପଡ଼ିଛି । କାହିଁକି ସେଇଟାକୁ ଧରିଛ ବାବୁ ! ସେ ଶଳାଙ୍କ ଦେହରେ ବୁଲାରକ୍ତ । ଶଳା କ’ଣ ଘରେ ରହିବେ ? ଯେତେ ଦୁଧ ମାଉଁସ ଦିଅ–ଶଳା ଚାରିଆଡ଼େ ବୁଲି ଗୁହଚରିବେ; ନଇଲେ ଆସି ଏଠି ହୋଟେଲ ପାଖେ ଅଇଁଠା ପତର ଚାଟିବେ ! ଛାଡ଼ ବାବୁ, ଛାଡ଼ ତାକୁ । ସେ ଶଳା ବି ସେମିତି ମରିବ । ଆଉ ଦୁଇଟା ଛୁଆ ଏଠି ବୁଲୁଥିଲେ । ଶଳେ ଖାନିକୀଛୁଆ କୁଆଡ଼େ ଗଲେ କେଜାଣି ?

 

ଟିମାନନାର କଥାରେ ସୀତାକାନ୍ତର ମନ ଭାରି କରୁଣ ହୋଇ ଉଠିଲା । ତାକୁ ଲାଗିଲା–ଏହି ମାତୃହୀନ କୁକୁରଛୁଆଟି ବର୍ତ୍ତମାନ ତା’ଉପରେ ଗୋଟାଏ ବୋଝ, ଗୋଟାଏ ଦାୟିତ୍ଵ ରୂପେ ଲଦି ହୋଇଗଲାଣି । ସେ ତାକୁ ଆଉ କୋଳରୁ ତଳକୁ ଖସାଇ ଦେଇ ପାରିବ ନାହିଁ । ତା’ର ହାର୍ ଜିତ୍ ବର୍ତ୍ତମାନ ଏହି କୁକୁରଛୁଆଟିଇ ନିର୍ଣ୍ଣୟ କରିବ । କେଉଁ ଅଦୃଶ୍ୟ ବିଧାତା ଏକ ମାଘ ମାସ ଶୀତୁଆ ରାତିରେ ତା’ର ସରିତା ସଙ୍ଗରେ ମୁକାବିଲା କରିବା ରାସ୍ତାରେ ତାକୁ ଆଣି ତା’ଉପରେ ଲଦି ଦେଲାଣି । ବର୍ତ୍ତମାନ ସରିତା ନୁହଁ–ଏହି କୁକୁରଛୁଆଟିଇ ପ୍ରଥମେ ତାଠୁଁ ପ୍ରେମର ପରୀକ୍ଷା ନେବ । ଠିକ୍ ଅଛି !

 

ଠିକ୍ ଅଛି । କୋଟ୍ ଭିତରେ କୁକୁରଛୁଆଟିକୁ ଜାକିଜୁକି ସୀତାକାନ୍ତ ମେସ୍‍କୁ ଫେରିଲା । ପାନଦୋକାନରୁ ପାଉଁରୋଟିଟିଏ କିଣି ସେ ତାକୁ ଖୁଆଇଲା । ମନେ ମନେ ସ୍ଥିର କରିଦେଲା ଯେ କାଲିଠାରୁ ପାଏ ଦୁଧ ସେ ଏହା ଲାଗି ନାଗୁଆ କରିବ ।

 

ମେସରେ ପଶି ସେ ତା’ ଖଟତଳେ ଗୋଟିଏ ଅଖା ପାରିଦେଲା ଓ ତାକୁ ଆଉ ଗୋଟିଏ ଅଖା ଘୋଡ଼ାଇ ଦେଇ ଶୁଆଇ ପକାଇଲା । କୁକୁରଛୁଆଟି ଖୁଜୁବୁଜୁ ହେଉଥାଏ ଓ କୁଁ କୁଁ ହେଉଥାଏ । ମାତ୍ର ଅଳ୍ପ କେତେକ୍ଷଣ ପରେ ସେ ବେଶ୍ ଚୁପ୍‍ଚାପ୍ ହୋଇଗଲା ।

 

ସୀତାକାନ୍ତ ତା’ ବିଛଣା ଉପରେ ଲମ୍ବା ହୋଇ ଶୋଇପଡ଼ିଲା । ‘ମେସର ଅନ୍ୟମାନେ ଶୋଇଯାଇଛନ୍ତି–ମାଈଚିଆ ସର୍ବେଶ୍ଵର ତା’ର ମାଉସୀ ଝିଅ ସାତଭଉଣୀ ମାଇଚିଆଙ୍କ ସାଙ୍ଗରେ କୁଆଡ଼େ ବୁଲି ଯାଇଛି । ସେ ଫେରିବ ଆହୁରି ଡେରିରେ । ସୀତାକାନ୍ତ ଆତ୍ମସନ୍ତୋଷରେ କୁରୁଳି ଉଠିଲା । ଠିକ୍ ଅଛି; ଏଥର ସବୁ ଠିକ୍ ହୋଇଯିବ । ଏଇ କୁକୁରଛୁଆଟି ହିଁ ସବୁ ଠିକ୍ କରିଦେବ । ଏଇ କୁକୁରଛୁଆଟି ହଁ ଏଥର ସବୁରି ଅନ୍ଦର ମହଲକୁ ବାଟ ବତାଇଦେବ–ବାଟ ବତାଇ ନେଇଯିବ ସବୁରି ଅନ୍ତଃପୁରକୁ । ସୀତାକାନ୍ତ ନିଜ ଅନ୍ତରରେ ଏକ ଉଲ୍ଲସିତ ପୂର୍ଣ୍ଣତା ଓ ପ୍ରଶାନ୍ତ ଅନୁଭବ କଲା ମାତ୍ରେ ତା’ର ମୁଣ୍ଡରୁ ସତେ କି ଖୁବ୍ ଗୋଟାଏ ବୋଝ ଓହ୍ଲାଇଗଲା । କଟମଟ ହେଉଥିବା କଳାଦାନ୍ତଟିକୁ ଉପାଡ଼ିଦେଲା ପରେ ଯେଉଁ ହାଲୁକା ଶାନ୍ତି ଲାଗେ, ସୀତାକାନ୍ତ ତାହା ହିଁ ଅନୁଭବ କଲା । ସେ ଜାଣିନି–ତାକୁ କେତେବେଳେ ନିଦ ହୋଇଗଲା । ଗାଢ଼ ନିଦ–ମାଣ୍ଡିଆ କିଆରୀ ଭିତରେ ସେ ଶୋଇପଡ଼ିଲା ନିଶ୍ଚୟ ନିଦକ ନିଦରେ । ଘୋର ନିଦ ସେ ଅନେକ ଦିନ ଧରି ଶୋଇ ନ ଥିଲା ।

 

...ତା’ ପରଦିନ ସକାଳେ

 

ସୀତାକାନ୍ତ ନିଦ ଭାଙ୍ଗିଲାବେଳକୁ ମେସର କୋଳାହଳ ଆରମ୍ଭ ହୋଇ ଯାଇଥିଲା । ସୂର୍ଯ୍ୟ ବହୁତ ଉପରକୁ ଉଠି ଆସିଥିଲେ । ସୀତାକାନ୍ତ ଖୁବ୍ ହୃଷ୍ଟ ଓ ସୁସ୍ଥ ମନରେ ବିଛଣାରୁ ଉଠି ଆଗ ଖଟତଳକୁ ଚାହିଁଲା । ଅଖାଟି ସେଇମିତ ପଡ଼ିରହିଛି । ପାଖରେ ବଙ୍କାଢ଼ଙ୍କା ଆଲମିନିଅମ୍ କଟରାଟିଏ ଉଗୁଡ଼େଇ ହୋଇ ପଡ଼ିଛି । ମାତ୍ର କୁକୁରଛୁଆଟି କାହିଁ ? ସୀତାକାନ୍ତ ବିବ୍ରତ ହୋଇପଡ଼ି ଚାରିଆଡ଼ ଖୋଜିଲା । ଚୁ ଚୁ କରି ଆ ଆ” ଡାକି ମେସ୍ ଭିତରଯାକ ବୁଲିଲା । ସବୁ କୋଠରୀ ଭିତରକୁ ଯାଇ ଟ୍ରଙ୍କ ସନ୍ଧି, ଖଟତଳ, ରୋଷାଇଘର’ ଗାଧୁଆଘର, ପାଇଖାନା ଚାରିଆଡ଼ ବୁଲି ଦେଖିଲା । ମାତ୍ର ନାଃ–ସେ କୁଆଡ଼େ ଗଲା ? କୁଆଡ଼େ ଗଲା ସେ କୁକୁରଛୁଆଟା ? କୁଆଡ଼େ ଗଲା ? ମେସର ଅନ୍ୟାନ୍ୟ ଅନ୍ତେବାସୀ ଯେଝା କାର୍ଯ୍ୟରେ ଯେ ଗଲେଣି । ଯେ କେତେ ଜଣ ଥିଲେ, ସେମାନେ ସୀତାକାନ୍ତର ଏ ବ୍ୟାକୁଳ ଅନ୍ୱେଷଣ ପ୍ରତି ନେତ୍ରପାତ ବା କର୍ଣ୍ଣପାତ କଲେ ନାହିଁ-। କେବଳ ମାଈଚିଆ ପୁଝାରୀ ସର୍ବେଶ୍ଵର ଅଣ୍ଟା ହଲାଇ ହଲାଇ ଅନୁନାସିକ ଗେହ୍ଲେଇ ଢଙ୍ଗରେ ହସି ହସି ପଚାରିଲା । ପଚାରିଲା ନାହିଁ ତ ଢଗ ମେଲିଲା–

 

କାହାକୁ ଖୋଜୁଚ କିଓ ! କଥାରେ କହନ୍ତି ନାହିଁ–“ନଈତଳେ ଗଲାପାଣି । ତୁମେ ଯହିଁ ପାଇଁ ନସରପସର ଆମେ ସେ କଥାଟି ଜାଣି ।” ହଇଓ ବାବୁ ! ‘‘ବେଣ୍ଟ ପୋଖରୀର ଅଚଳ ପାଣିରେ ହଜାଇଲି ମଥାମଣି–ମୋ ନାଗର ଘାଣ୍ଟୁଛି ଦରିଆ ପଙ୍କ ହସୁଛି ମୋ ସଉତୁଣୀ ।”

 

କାହାକୁ ଖୋଜୁଚ କହିବଟି ମୋର ସଉତୁଣୀର ନାଗର ! କାହାଲାଗି ତମର ଆକ୍ଷିରେ ନିଦ ନାହିଁ–ପେଟରେ ଭୋକ ନାହିଁ–ମୁହଁ ଥମ ଥମ, ହିଆ ଦମ ଦମ ମନରେ ସରାଗ ନାହିଁ ?

 

ସୀତାକାନ୍ତ ରାଗରେ ପାଚିଯାଇ ରାସ୍କେଲ ମାଈଚିଆଟାର କୁତ୍ସିତ ମୁହଁରେ ଗୋଟାଏ ମୁଥମାରି ତା’ ଦାନ୍ତ ଝାଡ଼ିଦେବ ବୋଲି ଭାବିଲା । ମାତ୍ର ପରମୁହୂର୍ତ୍ତରେ ତା’ ମନ ଫେର୍ କରୁଣ ହୋଇଗଲା । ସେ କହିଲା–ସରବାନାନୀ ! ଗୋଟାଏ କୁକୁରଛୁଆ ଦେଖିଛ କି ?

 

ସର୍ବେଶ୍ୱର ଦୋହଲି ଦୋହଲି ଆକ୍ଷିର ଡୋଳାକୁ କଟାକ୍ଷ ଛଟାରେ ଏପଟ ସେପଟ କରି ଦାନ୍ତ ଦେଖାଇ କହିଲା–ମଲା ମୋର ! “ଏଇ କଥାକୁ....ନାହା ପେଲିଦେଲି କଲିକତାକୁ ।” କୁକୁରଛୁଆଟା ପାଇଁ ବୁକୁରେ ତମର ଏତେ ଦରଦ ??

 

ସର୍ବେଶ୍ଵର ଫେର ଗୋଟାଏ ଢଗ ମେଲିବ ବୋଲି ବସିଥିଲା ମାତ୍ର ସୀତାକାନ୍ତ ସେଠୁ ଚଞ୍ଚଳ ଖସିଯାଇ ନିଜ କୋଠରୀକୁ ପଶିଗଲା । ତା’ପରେ ଗୁମ୍ ହୋଇ ତା’ ବିଛଣାରେ ଟିକିଏ ବସିଗଲା । କେଜାଣି କେମିତି ସେ ହସିଉଠିଲା । ଭଲ ହୋଇଛି । ସେ ପଳାଇ ଯାଇଛି । ରାତିକର ଆଶ୍ରୟ ସେ ଚାହିଁଥିଲା । ସେ ତାକୁ ସେତେକ ଦେଇଛି । ମାତ୍ର ସେତିକିର ବିନିମୟରେ ସେ ତ ଆଉ ବା ପାଖରେ ଚିରଦିନ ବାନ୍ଧି ହୋଇ ରହନ୍ତା ନାହିଁ ! ଏଣିକି କୁକୁରଛୁଆଟି ଯେମିତି ତା’ଠାରୁ ମୁକ୍ତ, ସେ ମଧ୍ୟ ସେମିତି ତା’ର ଜଞ୍ଜାଳରୁ ଓ ଦାୟିତ୍ଵରୁ ମୁକ୍ତ । ଗୋଟାଏ ପ୍ରକାର ଉଲ୍ଲାସରେ ସୀତାକାନ୍ତର ଦେହ ମନ କୁରୁଳି ଉଠିଲା । ତା’ପରେ ସେ ଦାନ୍ତ ଘଷିବ ବୋଲି ବ୍ରସ୍ ଧରି ଛାତ ଉପରକୁ ଗଲା । ଛାତ ଉପରେ କଅଁଳିଆ ଖରା ଦେହକୁ ବେଶ୍ ଆରାମ ଲାଗୁଥାଏ । ତା’ଉପରୁ ସେ ଏଇ ସହରଟାକୁ ଚାହିଁଲା । ସହରର କୋଳାହଳ ବଢ଼ି ଉଠିଲାଣି । ପୁଣି ଗାଡ଼ି ମଟର ଯାନବାହନ ଗାଈ ଗୋରୁ, କୁକୁର ଓ ମଣିଷମାନେ ହାଉଜାଉ ହେଲେଣି । ସମସ୍ତେ ଦେହକୁ ଦେହ ଘଷିହୋଇ ଚାଲିଛନ୍ତି । ମାତ୍ର ସତେ କି ସମସ୍ତେ ସମସ୍ତଙ୍କୁ ଆଡ଼େଇ ଦେଇ ଯେ ଯୁଆଡ଼େ ଦଉଡ଼ି ପଳାଉଛନ୍ତି ଅତର୍ଚ୍ଛ ହୋଇ ! ସତେ କି ସମସ୍ତେ ସମସ୍ତଙ୍କଠାରୁ ପ୍ରାଣ ବିକଳରେ ଦଉଡ଼ି ପଳାଉଛନ୍ତି-। ସତେ କି ସମସ୍ତେ ସମସ୍ତଙ୍କୁ ଗୋଡ଼ାଉଛନ୍ତି । ସୀତାକାନ୍ତର ଦାନ୍ତରେ ବ୍ରସ–ଚଲା ଆପଣାଛାଏଁ ବନ୍ଦ ହୋଇଗଲା । ସେ ଗୋଟାଏ ଦୀର୍ଘଶ୍ୱାସ ଛାଡ଼ିଲା । ପୁଣି ଥରେ ଯେପରି ସୀତାକାନ୍ତ ଏକୁଟିଆ ଏକ ବିଷାଦର ସମୁଦ୍ର ଭିତରକୁ ତଳେଇଗଲା ।

 

ମାତ୍ର ଏ କ’ଣ ? ଏ କ’ଣ ? ସେହି ପଳାୟନତତ୍ପର ଭୀତତ୍ରସ୍ତ ଜନଗହଳି, ଗାଈଗହଳି, କୁକୁରଗହଳି ଓ ଯାନବାହନ ଗହଳି ଭିତରେ ରାସ୍ତା କଡ଼େ କଡ଼େ ଅତର୍ଚ୍ଛ ପ୍ରାଣବିକଳରେ ଗୋଟାଏ କଳାପେଣ୍ଡୁ ଭଳି କ’ଣ ସେଇଟା ଦଉଡ଼ିଛି ଅମୁହାଁମୁହାଁ ଆଗକୁ ! ଆଉ ତା’ ପଛେ ପଛେ କିଏ ସବୁ ସେଇ ବିକଟାକାର ଆକ୍ରମଣତତ୍ପର ହିଂସ୍ର ପ୍ରାଣୀଗୁଡ଼ାକ ? ସେଇ କୁକୁରଛୁଆଟା–ସେଇ ଗତ ରାତିର ଶୀତ ଥୁରୁ ଥୁରୁ ଅର୍କ୍ଷିତ ଛେଉଣ୍ଡ କୁକୁରଛୁଆଟା–ଯାହାକୁ ସେ ପାର୍କ ପାଖ ଟିମାନନା ହୋଟେଲ ଆଗରୁ ନେଇ ଆସିଥିଲେ–ସେ ଯେ ଏ ବଜାରରେ ସମ୍ପୂର୍ଣ୍ଣ ଅପରିଚିତ ଗୋଟାଏ ଅବାଞ୍ଛିତ ପ୍ରାଣୀ ! ଯାହାକୁ ଦେଖି ସନ୍ଦେହ, ହିଂସା ଓ ଘୃଣାଜର୍ଜର ଏ ସାହିର କୁକୁରମାନେ କ୍ରୋଧରେ ଉତ୍ତ୍ୟକ୍ତ ହୋଇ ତାକୁ ତଡ଼ି ଲାଗିଛନ୍ତି । ହୁଏତ ସେମାନେ ତାକୁ ମାରି ଖଣ୍ଡ ଖଣ୍ଡ କରିଦେବେ । ବିଚରା ଦଉଡ଼ିଛି–ଦଉଡ଼ିଛି ଅମୁହାଁମୁହାଁ–ପ୍ରାଣ ବିକଳରେ–ସେଇ ଅର୍କ୍ଷିତ ଛେଉଣ୍ଡ କୁକୁରଛୁଆଟି । ତା’ର ପଛରେ ତା’ର ସଗୋତ୍ର ଏଇସବୁ ହିଂସ୍ର ଶତ୍ରୁମାନେ ।

 

ସୀତାକାନ୍ତ ଚିର୍ଚ୍ଚେରେଇ ଉଠିଲା । “ଡର ନା–ଡର ନା–ଡର ନାରେ ହତଭାଗ୍ୟ–ହେଇ, ମୁଁ ଚାଲିଲି ତୋ’ ପଛେ ପଛେ ।” ସୀତାକାନ୍ତ ସେଇ ଲୁଙ୍ଗିପିନ୍ଧା ଦେହରେ ପାଟିରେ ବ୍ରସ ଜାକି ଖପାଖପ୍ ସିଡ଼ିଗୁଡ଼ାକ ପାରିହୋଇ ଏକାନିଃଶ୍ୱାସକେ ରାସ୍ତାରେ ପହୁଁଞ୍ଚିଲା । ତା’ପରେ ସେ ମଧ୍ୟ ଅଣନିଃଶ୍ୱାସୀ ହୋଇ ସେଇ ଆକ୍ରମଣକାରୀ କୁକୁରଦଳଙ୍କ ପଛେ ପଛେ ବାତୁଳ ହୋଇ ଦଉଡ଼ିଲା......। ସେ ଆଜି ତା’ର ସେହି ପ୍ରାଣପ୍ରିୟ କୁକୁରଛୁଆଟିକୁ ଏହି ହିଂସ୍ର ଧାବମାନମାନଙ୍କର କବଳରୁ ମୁକ୍ତ କରିବ । ଗୋଟିଏ ପୃଥିବୀର ପ୍ରେମ, କରୁଣା ଆଉ ଦାୟିତ୍ଵ ଆଜି ତା’ ଉପରେ କିଏ ଲଦିଦେଲାଣି ।...ସୀତାକାନ୍ତ ଅଣନିଃଶ୍ଵାସୀ ହୋଇ ଦଉଡ଼ି ଲାଗିଲା ।

 

ଡରନା ଡରନାରେ ହତଭାଗ୍ୟ ! ହେଇ ମୁଁ ଛୁଟିଛି ତୋର ପଛେ ପଛେ......ତୋର ପଛେ ପଛେ....

☆☆☆

 

Unknown

ମୁର୍ଚ୍ଛିତ ବିଷାଦ

 

କିନ୍ତୁ ଏହାର ଅର୍ଥ ନୁହେଁ ଯେ ନିରଞ୍ଜନ ଏମିତି ଗୋଟାଏ ଆଧ୍ୟାତ୍ମିକ ଦ୍ଵନ୍ଦ୍ୱ ମଧ୍ୟରେ ପଡ଼ିଯାଇଛନ୍ତି କିମ୍ଵା ତାଙ୍କ ଭିତରେ ଗ୍ରହଣ ଓ ବର୍ଜନର ଗୋଟାଏ ତୁମୂଳ ସଂଘର୍ଷ ଚାଲିଛି । ସେ କଥା ଆଦୌ ନୁହେଁ; ବରଂ ତାଙ୍କ ଅବସ୍ଥାଟା ଅନେକାଂଶରେ ସେହି ନାଉରୀଟି ଭଳି–ଯେ କି ଘଟରୁ ନଈ ସୁଅରେ ଆଗକୁ ଭାସିଯିବାର ଆକୁଳ ତତ୍ପରତାରେ ରାତିଯାକ ଡଙ୍ଗାରେ ବସି ଅହୁଲାମାରି ଚାଲିଛି–ଅଥଚ ଡଙ୍ଗାଟାକୁ ନଙ୍ଗର ଖୁଣ୍ଟରୁ ଫିଟାଇଦେବାକୁ ଭୁଲି ଯାଇଛି । ଫଳରେ ପ୍ରତିଟି ସକାଳର ଆଲୁଅରେ ସେ ଆବିଷ୍କାର କରିଛି ଯେ ସେ ଯେଉଁଠି ଥିଲା, ସେଇଠି ଅଛି–ରାତିଯାକ ବୃଥା ସେହି ସବୁ କ୍ଳାନ୍ତ ଶ୍ରାନ୍ତ ପଣ୍ଡ ପରିଶ୍ରମ । ଏତିକି ଭାବିଲା ମାତ୍ରେ ପ୍ରତିଟି ସକାଳେ ତାକୁ ଗୋଟାଏ ଅସହ୍ୟ ନୈରାଶ୍ୟକର ଜଡ଼ତା ଘାରି ବସେ । ସେ ଆଉ ଡଙ୍ଗାଟିକୁ ଘାଟରୁ ଫିଟାଇ ପାରୁନାହିଁ; ଅଥଚ–ସେହି ସ୍ଥାନରେ ସ୍ଥିରହୋଇ ମଧ୍ୟ ବସିରହିବା ତା’ପକ୍ଷରେ କଷ୍ଟକର ହୋଇଉଠୁଛି ଦିନୁଁ ଦିନ । ଅଧୀର ଆଗ୍ରହରେ ରାତି ପରେ ରାତି ତାକୁ ଅପେକ୍ଷା କରିବାକୁ ପଡ଼ିଛି । ଅଥଚ ପ୍ରତିଟି ରାତି ସେହି ବିଫଳ ପଣ୍ଡଶ୍ରମରେ ଘର୍ମାକ୍ତ ଓ ପରିଶ୍ରାନ୍ତ ହୋଇଉଠିଛି ।

 

ହଁ–ସେହିଭଳି, ଠିକ୍ ସେହିଭଳି ଅବସ୍ଥା ବର୍ତ୍ତମାନ ନିରଞ୍ଜନଙ୍କର । ନିରଞ୍ଜନ ଛାତ ଉପରେ ବୁଲୁବୁଲୁ ପଶ୍ଚିମ ଆକାଶକୁ ଚାହିଁ ଗୋଟାଏ ଦୀର୍ଘଶ୍ଵାସ ଛାଡ଼ିଲେ । ଗ୍ରାମର ପଶ୍ଚିମପଟେ ଗୋପାଳଜୀଉ ମନ୍ଦିରର ଚୂଡ଼ା ଉପରେ ଶୀତ ଅପରାହ୍ନର ଖରା ପଡ଼ିଛି । ଉତ୍ତରା ପବନରେ ପତାକାଟି ଉଡ଼ୁଛି ଫରଫର ହୋଇ । ଚଢ଼େଇମାନେ ଉଡ଼ି ଯାଉଛନ୍ତି–ନିକଟରୁ ଦୂର ଦିଗ୍‍ବଳୟ ଆଡ଼କୁ । ଚଢ଼େଇମାନେ ଉଡ଼ି ଆସୁଛନ୍ତି ଦୂର ଦିଗ୍‍ବଳୟ ଗାଁ ଆଡ଼କୁ । ସବୁ ସତେ କି ଅପରିବର୍ତ୍ତନୀୟ ! ସବୁ ସତେ କି ପୁନରାବୃତ୍ତିର ଅଭିନୟ । କିଛି ଆରମ୍ଭ ହେଉନାହିଁ; କିଛି ଶେଷ ହେଉନାହିଁ । କିନ୍ତୁ ଶେଷ ହେବା ଉଚିତ, ଅଥଚ ସବୁ ଶେଷ ସତେକି କିଛି ଗୋଟାଏ ଆରମ୍ଭକୁ ଅପେକ୍ଷାକରି ରହିଛନ୍ତି ଏବଂ ସବୁ ଆରମ୍ଭ ସତେ କି ଅପେକ୍ଷା କରିଛନ୍ତି, ସବୁ ଶେଷର ଶେଷ ବେଳା ପର୍ଯ୍ୟନ୍ତ ! ଦୁତତେରୀ ! ନିରଞ୍ଜନ ସିଗାରେଟ୍‍ଟିଏ ପାଟିରେ ଦେଇ ଛାତ ଉପରେ ଏପଟ ସେପଟ ହେଲେ ।

 

ଶ୍ରୀମତୀ ଛୋଟରାୟ ଖବର ପଠାଇଛନ୍ତି । ଘଣ୍ଟାକଲାଗି ଅନ୍ତତଃ ତାଙ୍କ ପାଖକୁ ଯାଇ ବୁଲିଆସିଲେ ହୁଏ ! ସମୟ ପ୍ରଚୁର ଅଛି ହାତରେ ବର୍ତ୍ତମାନ । ଲୀଳା ଯାଇଛି ଗୋପାଳଜୀଉଙ୍କ ମନ୍ଦିରକୁ । ଆଜିକାଲି ସକାଳେ ସଞ୍ଜେ ଦୁଇଥର ମନ୍ଦିରକୁ ଯିବାର ଝୁଙ୍କି ଉଠିଲାଣି ଲୀଳାର । ମନ୍ଦିର ବେଢ଼ାଭିତରେ ବଉଳ ଗଛମୂଳେ ପିଣ୍ଡି ଉପରେ ବସି ଗରୁଡ଼ସ୍ତମ୍ଭକୁ ଆଗରେ ରଖି ଧୀର ସ୍ଥିର ଭାବରେ ବସିଥିବ ଲୀଳା । ଆକ୍ଷି ବୁଜି ଧ୍ୟାନ କରୁଥିବ । ତା’ର ଧ୍ୟାନ ଦୃଷ୍ଟିରେ ଭାସିଉଠୁଥିବ ଗୋଟିଏ ରହସ୍ୟମୟ ଚିରନ୍ତନୀ ଛବି । ଦିଗନ୍ତବ୍ୟାପୀ ସମୁଦ୍ର–ଆକ୍ଷି ପାଉ ନାହିଁ । ସେହି ଦିଗହଜା ପାଣିଦେହରେ ଯୁଗାନ୍ତର ଅନ୍ଧକାର ମେଞ୍ଚା ମେଞ୍ଚା ହୋଇ ଚବକେଇ ଉଠୁଛନ୍ତି । ଢେଉ ପରେ ଢେଉ ଉଠୁଛନ୍ତି । ଦିଗ୍‍ବିଦିଗକୁ ଆବୋରି ରହିଛି ଏକ ଘଟଣା ବିହୀନ ନୀରବତା । ସେହି ଅକୁଳ ସାହାଭରସାହୀନ ପ୍ରଳୟ ସମୁଦ୍ରରେ ଗୋଟିଏ ବିରାଟ ବଟପତ୍ର ଭାସୁଛି କେବଳ । ଆଉ ତା’ପରେ ଶୋଇରହିଛି ଗୋଟିଏ ବଳିଷ୍ଠ ଉଜ୍ଜ୍ଵଳ ଶ୍ୟାମବର୍ଣ୍ଣର ଶିଶୁ–ଉଲଗ୍ନ କଟିରେ ଉଜ୍ଜଳ ଅଣ୍ଟାସୂତାଟିଏ–ମୁଣ୍ଡର ଝାଲରକେଶ ଚୂଡ଼ାହୋଇ ବନ୍ଧା ହୋଇଛି । ଆଉ ତା’ଭିତରେ ଖୋସା ହୋଇଛି ମୟୁର ଚନ୍ଦ୍ରିକାଟିଏ । ଗୋଟିଏ ପଦର ବୁଢ଼ାଆଙ୍ଗୁଠିକି ହାତରେ ଧରି ପାଟିରେ ପୁରାଇଛି ଶିଶୁଟି । ବାଟପତ୍ରଟି ଭାସିଯାଉଛି । ଆଉ ତା’ପରେ ଶୋଇ ଲୀଳାର ଆକ୍ଷିକି ଚାହିଁ ମୁଚୁକି ମୁଚୁକି ହସୁଛି ପିଲାଟି–ଆଃ କି ପ୍ରାଣମତାଣିଆ ସେ ଚାହାଣି ! ସେ ହସ ! ଲୀଳାର ବାହାର ଆକ୍ଷିପତା ବୁଜିହୋଇଯାଇଥାଏ ଅଠା ଲାଗିଲା ଭଳି, ମାତ୍ର ଭିତରର ଆକ୍ଷି ଖୋଲିଯାଇଥାଏ ନୀଳକଇଁଟି ଭଳି–ସେହିଭଳି ଆଶା, ମମତା, ଭରସା ଓ ଆମନ୍ତ୍ରଣରେ ମେଦୁର ସ୍ନିଗ୍‍ଧ ।

 

ଲୀଳା କହେ–ସବୁଥର ଧ୍ୟାନରେ ସେହି ଗୋଟିଏ ଛବି ତା’ର ଅନ୍ତରାକାଶରେ ଭାସିଉଠୁଛି ଆପଣା ଛାଏଁ । ଗୋପାଳଜୀଉଙ୍କ କୃପା ଫେରି ଆସୁଛି ପୁଣି ଥରେ ଏ ଘରକୁ । ଏ ବଂଶ ଉପରେ ପୁଣି ଥରେ ତାଙ୍କର କରୁଣାର ଧାରା । ବର୍ଷଣୋନ୍ମୁଖ ମେଘଟିଏ ହୋଇ ଢାଙ୍କି ରହିଲାଣି । ବର୍ଷିବ ନିଶ୍ଚେ ।

 

ନିରଞ୍ଜନ ମନେ ମନେ ହସନ୍ତି । ଲୀଳା ସଙ୍ଗେ ବିବାହ ହେବାର ତିନିବର୍ଷ ବିତିଗଲା । ଲୀଳା ଏଯାବତ୍ ମା’ ହୋଇପାରିନାହିଁ । ହରିବଂଶ, ମହାଭାରତ, ରାମାୟଣ ଓ ଭାଗବତ ବ୍ୟତୀତ ସେ ଆଉ କିଛି ପଢ଼ୁନାହିଁ ଏବେ । ତା’ର ଦୃଢ଼ ଧାରଣା–ତା’ର ସନ୍ତାନ ଏ ପୃଥିବୀର ଆଲୋକ ଦେଖିବା ଆଗରୁ ଦିବ୍ୟାଲୋକର ଚେତନା ନେଇ ଏଠି ଭୂମିଷ୍ଠ ହେବ । ସେ ତା’ର ସନ୍ତାନର ସମସ୍ତ ବଂଶଗତ ଓ ପୂର୍ବ ଜନ୍ମଗତ ସଂସାରକୁ ଧ୍ୟାନ ଓ ଆସ୍ପୃହାର ଶକ୍ତିବଳରେ ରୂପାନ୍ତରିତ କରିଦେବାକୁ ଚାହେଁ । ସେ କେବଳ ତା’ର ରକ୍ତମାଂସର ଦାୟାଦ ହେବନାହିଁ । ତା’ର ଚେତନାର ମଧ୍ୟ ସେ ହେବ ଉତ୍ତରାଧିକାରୀ–ନେତା । ସେହି ସୁଦିନର ଜ୍ୟୋତିର୍ମୟ ଗର୍ଭଯୋଗକୁ ସେ ଅପେକ୍ଷା କରି ରହିଛି ଆଜିଯାଏ ।

 

ଲୀଳାର ଆକ୍ଷିରେ ଏକ ଅଦ୍ଭୁତ ସ୍ୱପ୍ନ ଉଜ୍ଜ୍ଵଳି ଉଠେ । ନିରଞ୍ଜନ’ ଆକ୍ଷିର ଏହି ସ୍ୱପ୍ନର ଔଜ୍ଜ୍ଵଲ୍ୟକୁ ଡରିଯାନ୍ତି । ସେ ତାକୁ ଆଡ଼େଇଯିବାକୁ ଚାହାନ୍ତି । ଲୀଳାର ଏ ସ୍ୱପ୍ନ ଯେ କେତେ ଅଳୀକ ଏକଥା ବୁଝିବାକୁ ତାଙ୍କର ଆଉ ବାକି ନାହିଁ; କିନ୍ତୁ ଲୀଳାର ମୁହଁକୁ ଚାହିଁ ତା’ର ସ୍ୱପ୍ନ ସଙ୍ଗେ ଲଢ଼ାଇ କରି ତାକୁ ଛାରଖାର କରିଦେବା ଲାଗି ନିରଞ୍ଜନଙ୍କ ଅପସାହସ ହୁଏ ନାହିଁ । ସେ ଏତେ ନିଷ୍ଠୁର ମଧ୍ୟ ନୁହନ୍ତି ।

 

ତା’ ଛଡ଼ା ଲୀଳାର ଆକ୍ଷି ଦୁଇଟି ଭୟଙ୍କର ଭାବେ ସୁନ୍ଦର ମଧ୍ୟ । ବେଳେବେଳେ ତା’ ଭିତରେ ଆକାଶ ପ୍ରତିଫଳିତ ହୋଇଯାଏ । ତାହା ସମ୍ମୋହିତ କରିଦିଏ–ଆବୋରି ବସେ–ଆଚ୍ଛନ୍ନ କରିଦିଏ । ଏହି ଆକ୍ଷି ଦୁଇଟିର ସ୍ୱପ୍ନଜାଲରେ ଦିନେ ଅସହାୟ ଭାବେ ନିରଞ୍ଜନ ଧରାପଡ଼ିଥିଲେ । ଆଜିଯାଏ ତାଙ୍କର ସେ ଅସହାୟତା କଟିନାହିଁ ।

 

ଲୀଳା ଥିଲା ବିଜ୍ଞାନର ଛାତ୍ରୀ । ସେ ଏମ୍. ଏସ୍ ସି ପଢ଼ିଲାବେଳେ ନିରଞ୍ଜନ ତା’ର ପ୍ରେମରେ ପଡ଼ିଥିଲେ । ନିରଞ୍ଜନ ସେତେବେଳେ ଦର୍ଶନର ତରୁଣ ଅଧ୍ୟାପକ ଭାବେ କଲେଜରେ ଯୋଗ ଦେଇଥିଲେ । ନିରଞ୍ଜନର ବାପା ଆଉ ଲୀଳାର ବାପା ଦୁହେଁ ଥିଲେ ବାଲ୍ୟବନ୍ଧୁ । ଗଭୀର ବନ୍ଧୁତା ଥିଲା ଦୁହିଁଙ୍କ ମଧ୍ୟରେ । ଦୁଇଜଣଙ୍କ ବାପା ଏ ବିବାହକୁ ସ୍ଵାଗତ କରିଥିଲେ ତାଙ୍କ ତପଫଳ ରୂପେ । ଲୀଳା କେବଳ ଏବେ ଏମିତି ହୋଇନାହିଁ । ମୂଳରୁ ସେ ଥିଲା ସେମିତି–କିପରି ଏକ ସ୍ଵପ୍ନାଚ୍ଛନ୍ନ ହୃଦୟ ତା’ର ! ଜ୍ଞାନ ତା’ର ବୈଜ୍ଞାନିକର; ମାତ୍ର ସ୍ଵପ୍ନ ତା’ର ଦାର୍ଶନିକର କିମ୍ବା କବିଟିଏର-

 

ଲୀଳା ଜାଣିଥିଲା–ନିରଞ୍ଜନ ମହାପାତ୍ର ତା’ର ବିଶାଳ ବଂଶାରଣ୍ୟର ସର୍ବଶେଷ ଅଙ୍କୁରଟି । ସବୁ ମହାମହା ବଂଶ ଭଳି କ୍ଷେତରାଜପୁରର ମହାପାତ୍ର ବଂଶ ଏଇଠୁ ଲୋପ ହୋଇଯାଇପାରେ । ନିରଞ୍ଜନର ବାପା ସୂର୍ଯ୍ୟମଣି ମହାପାତ୍ରଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ-। ଏ ବିରାଟ ବଂଶର ଆଉ ସବୁ ଶାଖା ପ୍ରଶାଖା, ବର୍ତ୍ତମାନ ଲୁପ୍ତ ପ୍ରାୟ । ଲୀଳା ଏ ବଂଶର ସବୁ ଇତିହାସ ଜାଣିଥିଲା ବିବାହ ପୂର୍ବରୁ । ଦିନେ ରାତିରେ ଅକସ୍ମାତ୍ ବିଛଣାରୁ ଉଠିପଡ଼ିଲା ଲୀଳା-। ସତେ କି ଭୂତ ଦେଖି ଚମକି ଉଠିଛି ! ନିରଞ୍ଜନ ଲୀଳାକୁ କୋଳରେ ଧରି ଆଦରରେ କହିଲେ–

 

କ’ଣ ଲୀଳା ! କ’ଣ ହେଲା ?

 

ସବୁ ମୁଁ ଶୁଣିଛି !

 

କ’ଣ ଶୁଣିଛ ? କାହାଠୁଁ ?

 

ମୋର ଶାଶୁଙ୍କଠୁଁ ।

 

ତୁମ ବଂଶର ପୂର୍ବ ପୁରୁଷମାନେ ବହୁ ପାପ କରିଛନ୍ତି । ଏ ବଂଶ ଆଉ ରହିବ ନାହିଁ । ଏହିଠାରୁ ଲୋପ ପାଇଯିବ ।

 

ନିରଞ୍ଜନ ଗମ୍ଭୀର ହୋଇଯାନ୍ତି । ସେ ଜାଣନ୍ତି–ତାଙ୍କର ବୋଉର ମୁଣ୍ଡ ଭିତରେ ଏହିଭଳି ଏକ ଭୟ ବହୁଦିନୁଁ ବସା ବାନ୍ଧି ରହିଛି । ସେଇ ଯେ ବାବାଜୀ ଜଣଙ୍କ ବାପାଙ୍କ ପକ୍ଷାଘାତ ରୋଗ ଭଲ କରିବାକୁ ଆସିଥିଲେ ସେଇ–ସେଇ କହିଛନ୍ତି ବୋଉକୁ କୂଳଦେବତା ଗୋପାଳଜୀଉଙ୍କ ଠାରେ ଆଶ୍ରୟ ନିଅ । ଏ ବଂଶରେ ବହୁପାପ ହୋଇଯାଇଛି–ପାପକ୍ଷୟ ନ ହେଲେ ଏ ବଂଶ ରହିବ ନାହିଁ । ଏଇଠୁ ଶେଷ ହୋଇଯିବ । ସେହିଦିନୁଁ ବୋଉ ମୁଣ୍ଡରେ କୋକୁଆ ପଶିଛି । ଆଉ ଲୀଳାର ମୁଣ୍ଡ ଭିତରେ ସେହି କୋକୁଆ ଭୟମକୁବୁ ସଞ୍ଚାରି ଦେଇଛି । ବୋଉ ଆଉ ଲୀଳା ସଂକଳ୍ପ କରିଛି, ସେ ସେହି ପାପ ସଂସ୍କାରକୁ ରୂପାନ୍ତରିତ କରିବ ତା’ର ତପସ୍ୟାଦ୍ଵାରା । ଏହି ପାପକାଳିମାର ଧ୍ଵଂସସ୍ତୂପ ମଧ୍ୟରୁ ସେ ଏହି ବଂଶକୁ ଉଦ୍ଧାର କରିବ । କୂଳଦେବତା ଗୋପାଳଜୀଉଙ୍କ ଆଶୀର୍ବାଦ ରୂପେ ଆସିବ ତା’ର ଗର୍ଭ ଦେଇ ଏ କୂଳର ରକ୍ଷାକାରୀ ଜଣେ ମହାପୁରୁଷ । ଭାଗୀରଥ ରୂପେ ସେ ରକ୍ଷା କରିବ ଏ କୂଳକୁ । ସେହି ଲକ୍ଷ୍ୟରେ ସେ ଘରକୁ ବୋହୂ ହୋଇ ଆସିଛି । ତା’ର ଜୀବନର ସାଧନା ଏଇଥିଲାଗି । ଗୋପାଳଜୀଉଙ୍କ ଆଶୀର୍ବାଦ ବାଣୀ ଏ ପର୍ଯ୍ୟନ୍ତ ସେ ଶୁଣିନାହିଁ; କିନ୍ତୁ ଶୁଣିବ ନିଶ୍ଚେ–ଖୁବ୍ ନିକଟରେ–ସେଦିନ ପାଖେଇ ଆସୁଛି ।

 

ଏ ସ୍ଵପ୍ନ ଅଳୀକ ହୋଇପାରେ । ମାତ୍ର ଏ ସ୍ଵପ୍ନ ଭାଙ୍ଗିବାର ନୁହେଁ; ପାପ–ପାପ–ପାପ । ବାପଠାରୁ ମାଆ ପର୍ଯ୍ୟନ୍ତ, ଭଉଣୀଠାରୁ ସ୍ତ୍ରୀ ପର୍ଯ୍ୟନ୍ତ–ସମସ୍ତେ ଯେପରି ସେଇ ଗୋଟିଏ ଶବ୍ଦକୋକୁଆର ଭୟରେ ସଂତ୍ରସ୍ତ ! ପାପ ? କି ପାପ ? କିଏ ପାପ କରିଛି ? କିଏ ସବୁ ପାପ କରିଥିଲେ–ସେ ପାପର ଫଳ ଭୋଗିବେ କେଉଁମାନେ ? କାହିଁକି ? ପାପ କ’ଣ ?

 

ପ୍ରଚଣ୍ଡ ବିରକ୍ତିରେ ନିରଞ୍ଜନ ଅସ୍ଥିର ହୋଇପଡ଼ନ୍ତି ।

 

କାହିଁ ପାପ ? କୋଉଠି ? ଏଇ ତ ଅପରାହ୍ନର ସ୍ଵର୍ଣ୍ଣାଭ ଖରାରେ ଚତୁର୍ଦ୍ଦିଗ ଶୌଚ ଓ ସଜୀବ ଦିଶୁଛି । ଏଇ ତ ନୀଳ ନିର୍ମଳ ଆକାଶରେ ଫରଫର ଉଡ଼ୁଛି ଗୋପାଳଜୀଉ ମନ୍ଦିରର ବାନା-। ଚଢ଼େଇମାନେ ଉଡ଼ୁଛନ୍ତି । ଗଛଲତାର ଶ୍ୟାମଳ ସବୁଜିମାରେ ପୃଥିବୀ ସୁନ୍ଦର । ଉତ୍ତରା ପବନରେ ଭାସିଆସୁଛି କାହିଁ କୋଉ ଦୂରଦିଗନ୍ତର ସ୍ଵର୍ଗସ୍ପର୍ଶୀ କେଉଁ ଦେବତାତ୍ମା ତୁଷାରାବୃତ ପର୍ବତ ଚୂଡ଼ାର ପବିତ୍ର ସ୍ପର୍ଶ ! ଆଉ ସେ ନିଜେ ! ଏକ କ୍ଳାନ୍ତିକର ନିଷ୍ଫଳ ପୁନରାବୃତ୍ତିରେ ବିରକ୍ତ ବିଷାଦଗ୍ରସ୍ତ । ମାତ୍ର କୌଣସି କଳ୍ପିତ ପାପବୋଧର ତାଡ଼ନାରେ ତ ସେ ଶଙ୍କିତ ନୁହନ୍ତି । ଏ ବଂଶ ଲୋପ ହୋଇଗଲେ ତାଙ୍କର କିଛି ଚିନ୍ତା ନାହିଁ । କୌଣସି ବଂଶକୁ ରକ୍ଷା କରିବାର ପ୍ରତିଶ୍ରୁତି ଦେଇ ସେ ଏ ପୃଥିବୀକୁ ଆସି ନାହାନ୍ତି ! ସେ ଆସିଛନ୍ତି...ସେ ଆସିଛନ୍ତି...କାହିଁକି ଆସିଛନ୍ତି ? ସେ ଆସିଛନ୍ତି–ବୁଝିବାକୁ । ହଁ ହଁ ବୁଝିବାକୁ । ସବୁ କିଛି ବୁଝିବାକୁ ! ମହା ଅଭିମାନୀ ପକ୍ଷାଘାତଗ୍ରସ୍ତ ସଂଯତ୍‍ବାକ୍ ବାପାଙ୍କୁ–ପାପବୋଧଜର୍ଜରିତା ବୋଉକୁ–ଆଜୀବନ କୁମାରୀ ରହିବା ଲାଗି ଜିଦଖୋର ଖିଆଲି ଭଉଣୀ ମଞ୍ଜୁର ଖିଲିଖିଲି ହସକୁ ଆଉ ପାପର ଉଷ୍ମସ୍ତୂପଭିତରୁ ଏକ ନୂତନ ପବିତ୍ର ପୁଣ୍ୟଫଳର ସୃଷ୍ଟି ସ୍ୱପ୍ନରେ ବିଭୋରା, ଆସ୍ପୃହାବତୀ ତାଙ୍କର ପତ୍ନୀ ଏହି ରହସ୍ୟମୟୀ ଲୀଳାକୁ କେନ୍ଦ୍ରକରି ସେ ଏ ପୃଥିବୀକୁ ବୁଝିବେ । ବୁଝିବେ ଏହି ଆପାତ ଅର୍ଥହୀନ ଅଥଚ ପରମ ଆକର୍ଷଣୀୟ ଜୀବନଟାକୁ–ଏହାର ସରଳୀକୃତ ଶେଷ ଅର୍ଥ ଟିକକୁ । ସେ ଲୀଳାକୁ ପ୍ରେମ କରନ୍ତି–ବଂଶରକ୍ଷାର ଦାୟିତ୍ଵ ଲାଗି ସେ ତାକୁ ବିବାହ କରିନାହାନ୍ତି; ଅଥଚ ଲୀଳା ବର୍ତ୍ତମାନ ତା’ର ମହାଅଭିମାନୀ ସଂଯତ୍‍ବାକ ପକ୍ଷାଘାତ ଗ୍ରସ୍ତ ଶ୍ଵଶୁର ଓ ପାପବୋଧ ଜର୍ଜରିତା ଶାଶୁଙ୍କ ବଂଶରକ୍ଷା କରିବାର ଦାୟିତ୍ୱରେ ମୂହ୍ୟମାନ ! ଠିକ୍ ଅଛି; ମାତ୍ର ପାପ କ’ଣ ? ପାପ–ପାପ–ପାପ । ସେ ପାପକୁ ସ୍ଵୀକାର କରନ୍ତି ନାହିଁ । ବଂଶରକ୍ଷା କରିବାରେ ସେ କୌଣସି ମତେ କାହାପାଖେ ଦାୟୀ ନୁହନ୍ତି । ସେ ସ୍ଵାଧୀନ–ସମ୍ପୂର୍ଣ୍ଣ ଭାବେ ସ୍ଵାଧୀନ । ତାଙ୍କର ସଫଳତା ତାଙ୍କର । ତାଙ୍କର ବିଫଳତା ମଧ୍ୟ ତାଙ୍କର । ସେ ପୃଥିବୀକୁ ଭଲପାନ୍ତି, ମାତ୍ର ପୃଥିବୀ ଏଥିଲାଗି ତାଙ୍କଠାରୁ କିଛି ଦାବି କରି ନ ପାରେ । କାରଣ ତାଙ୍କର ମଧ୍ୟ ପୃଥିବୀ ଉପରେ କିଛି ଦାବି ନାହିଁ । ସେ ଚାହାନ୍ତି–ପୃଥିବୀ ମଧ୍ୟ ତାଙ୍କୁ ଭଲ ପାଉ, ମାତ୍ର କିଛି ଦାବି ନ କରୁ, ଦାୟିତ୍ଵ ନ ଦେଉ । ବାପା ମାଆଙ୍କର କୌଣସି ଦାୟିତ୍ଵ ବା ଦାବିକୁ ସେ ଆଜି ପର୍ଯ୍ୟନ୍ତ ମାନି ନାହାନ୍ତି । ଅଥଚ ଲୀଳା......ପାପ ସମ୍ବନ୍ଧେ ସଚେତନତା ଗୋଟାଏ ଦାବି–ଗୋଟାଏ ଭୀଷଣ ଦାୟିତ୍ଵ । ଲୀଳା ସେ ଦାୟିତ୍ଵ ନେଇଛି–ନେଉ । ସେ କିନ୍ତୁ ନେବେନି ।

 

ଲୀଳା ଯାଇଛି ଗୋପାଳଜୀଉଙ୍କ ମନ୍ଦିରକୁ । ବର୍ତ୍ତମାନ ସେ ସେହି ଚିରାଚରିତ ଚିତ୍ରକଳ୍ପଟିକୁ ତା’ର ଧ୍ୟାନ ଚେତନାରେ ଉପଲବ୍‍ଧି କରୁଥିବା କରୁ । ଦିଗନ୍ତବିସ୍ତୃତ ନୀଳପାରାବାର ମଝିରେ ଭାସମାନ ଗୋଟିଏ ବଟପତ୍ର ଉପରେ ଶାୟିତ ବାଳଗୋପାଳ । ପୁଣି ଗୋଟାଏ ନୂତନ ସମ୍ଭାବନାର ପ୍ରତୀକ । ଲୀଳା କହେ–ପୁଣି ଏକ ପୂଣ୍ୟ ସମ୍ଭାବନାର ପ୍ରତୀକ । ନିରଞ୍ଜନ ଲୀଳାକୁ କିଛି କହନ୍ତି ନାହିଁ । ମାତ୍ର ଭାବନ୍ତି–ସମ୍ଭାବନା କେବଳ ସମ୍ଭାବନା । ପାପର ନୁହଁ କି ପୁଣ୍ୟର ନୁହଁ । ପାପ ନାହିଁ–ପୂଣ୍ୟ ନାହିଁ । ଅଛି ଖାଲି ବୁଝାମଣା–ଅଭିଜ୍ଞତାର ବୁଝାମଣା । ବୁଝିଯାଅ–ଲିଭିଯାଅ । ବୁଝିଯାଅ–ଲିଭିଯାଅ । ବାସ୍ ।

 

ବୋଉ ମଧ୍ୟ ଘରେ ନାହିଁ । ସେ ମଧ୍ୟ ଯାଇଥିବ ଲୀଳା ସାଙ୍ଗରେ । ଲୀଳାକୁ ଛାଡ଼ି ସେ କ’ଣ ଦଣ୍ଡେ ରହିପାରିବ ? ବୋଉର ଅଗାଧ ଆସ୍ଥା ଲୀଳା ଉପରେ । ଲୀଳାର ଅଗାଧ ବିଶ୍ଵାସ ବୋଉ ଉପରେ । ବୋଉ ପଛରେ ପାପ ଧାଇଁଛି । ବୋଉ ଧାଇଁଛି ଲୀଳା ପଛରେ । ଲୀଳା ଧାଇଁଛି ବାଳଗୋପାଳଙ୍କ ପଛରେ । ଆଉ–ଏ ଘରେ ଧାଉଁ ନାହାନ୍ତି ବାପା–ମହାଅଭିମାନୀ ସଂଯତ୍ଵାକ୍ ପକ୍ଷାଘାତଗ୍ରସ୍ତ ବାପା ସୂର୍ଯ୍ୟମଣି ମହାପାତ୍ର ଶ୍ରୀଚନ୍ଦନ । ଆଉ ଧାଉଁ ନାହିଁ–ଆଜୀବନକୁମାରୀ ରହିବାର ଖିଆଲୀ ସଂକଳ୍ପରେ ଖିଲିଖିଲି ହସୁଥିବା ମଞ୍ଜୁ, କିନ୍ତୁ ସେ ନିଜେ ? ଧାଉଁଛନ୍ତି ନା ନାହିଁ ? ନା ସେ ସ୍ଥିର ନାହାନ୍ତି କି ଧାଉଁ ନାହାନ୍ତି । ରାତିସାରା ଆହୁଲା ମାରିଛନ୍ତି । ଡଙ୍ଗା କିନ୍ତୁ ଭିଡ଼ା ହେଇଛି ଖୁଣ୍ଟିରେ । ଡଙ୍ଗା ଦଉଡ଼ି ଫିଟାଇବାକୁ ଭୁଲିଯାଇଛନ୍ତି । ଚାରିପଟେ ଅନ୍ଧାର–ଚବଚବ ପାଣି–ଆକାଶରେ ମିଟିମିଟି ତାରା । ସାଇଁ ସାଇଁ ବହମାନ କାଳସ୍ରୋତ । ସେ ଯୋଉଠି ସେଇଠି । ବୁଝୁଛନ୍ତି–ଜୀବନକୁ ବୁଝୁଛନ୍ତି । ଭଲ ପାଉଛନ୍ତି–ବୁଝୁଛନ୍ତି । ବିଭୋର ହେଉନାହାନ୍ତି–ଖୁସି ହେଉଛନ୍ତି-। ବିରକ୍ତ ହେଉଛନ୍ତି–ରାଗୁ ନାହାନ୍ତି । ଶୋଉଛନ୍ତି–ମାତ୍ର ଦେଖୁଛନ୍ତି । ସବୁ ଦେଖୁଛନ୍ତି–ଶୋଇ ଶୋଇ ନିଦ୍ରାକୁ ଦେଖୁଛନ୍ତି–ସ୍ଵପ୍ନକୁ ଦେଖୁଛନ୍ତି । ଜାଗି ଜାଗି ଜାଗରଣକୁ ଦେଖୁଛନ୍ତି । ବସ୍ତୁକୁ ବି ଦେଖୁଛନ୍ତି ।

 

ଆଉ ଘରେ ବାପା ଶୋଇଛନ୍ତି । ସତୁରୀବର୍ଷର ବୃଦ୍ଧ ମହାଅଭିମାନୀ ସଂଯତବାକ୍ ପକ୍ଷାଘାତଗ୍ରସ୍ତ ବାପା । ତାଙ୍କ ପାଖରେ ବସି ରହିଥିବ ତାଙ୍କର ଏକମାତ୍ର କନ୍ୟା ମଞ୍ଜୁପ୍ରଭା । ଖିଲିଖିଲି ଖିଆଲୀ ହସରେ ଆଜୀବନ କୁମାରୀ ମଞ୍ଜୁ । ତଳକୁ ମୁହଁ ପୋତି ମନକୁ ମନ ପଢ଼ି ଚାଲିଥିବ କ’ଣ ଖଣ୍ଡିଏ ନୂଆ ଉପନ୍ୟାସ । ଇଂରାଜୀ, ହିନ୍ଦୀ, ବଙ୍ଗଳା, ଓଡ଼ିଆ ଯୋଉ ଭାଷାରେ ହେଉ ।

 

ବାପା ହୁଏତ ଆକ୍ଷି ବୁଜି ଶୋଇଯାଇଥିବେ । ନତୁବା ଉପରକୁ ଆକ୍ଷି ମେଲାକରି ଛାତକୁ ଚାହିଁ ରହିଥିବେ । କିଛି କାହାକୁ କଥା କହୁ ନ ଥିବେ ! ମୂର୍ତ୍ତିର ଆକ୍ଷି ଭଳି ଆକ୍ଷି ଦୁଇଟା ତାଙ୍କର । ଚାହିଁଲେ ଭିତରର ଭାବ ବୁଝିହୁଏନା; କିନ୍ତୁ ସଂଭ୍ରମ ଆସେ । ବାପାଙ୍କୁ ପକ୍ଷାଘାତ ହେଲାଣି ତିନି ବର୍ଷ ଧରି । ସେଇ ଗୋଟିଏ ଜାଗାରେ ସେ ସେହିଦିନୁଁ ପଡ଼ିରହିଛନ୍ତି । ଔଷଧ, ଇଞ୍ଜେକ୍‍ସନ୍ ଓ ପଥ୍ୟ, ସେବାର ଭାର ସମ୍ପୂର୍ଣ୍ଣଭାବେ ମଞ୍ଜୁର । ଏମ୍. ଏ. ପାସ କରି ମଞ୍ଜୁପ୍ରଭା ତିନି ବର୍ଷ ଧରି ତାଙ୍କ ପାଖେ ସେମିତି ବସି ରହିଛି ଘଣ୍ଟା ଘଣ୍ଟା ଧରି । ଖଣ୍ଡକୁ ଖଣ୍ଡ ଉପନ୍ୟାସ ପଢ଼ିଚାଲିଛି, ବସିଛି, ବାପାଙ୍କର ସେବା କରୁଛି, ବାପା ବଞ୍ଚିଥିବାଯାଏ–ମଞ୍ଜୁ ମନା କରିଛି–, ତାକୁ କେହି ବାହାହେବା କଥା କହିବେ ନାହିଁ ।

 

ପାଞ୍ଚମାହାଲା ବୁନିଆଦୀ ଘର । ପକ୍‍କା କାନ୍ଥ । ଚାଳ ଛପର । କାନ୍ଥରୁ ଠାଏ ଠାଏ ଚୂନ ସୁରକୀ ଛାଡ଼ିଲାଣି । କେତେ ଜାଗାରେ କାନ୍ଥମାନ ଭୂଷିଡ଼ି ଗଲାଣି । ଜାଗା ଜାଗାଏ ଛପର ଉଡ଼ିଯାଇଛି । କେଉଁ ଘର ବାରଣ୍ଡାରୁ ପଞ୍ଝାଏ ଦେଉଳିଆ ପାରା ଘୁମୁରୁଛନ୍ତି । ବାପାଙ୍କ ଘରପାଖ ବାରଣ୍ଡାଯାକ ମଳିନ ଆଲୁଅରେ ଅସଂଖ୍ୟ ଚେମେଣି ଉଡ଼ାଉଡ଼ି ଲଗାଇଛନ୍ତି । ଏପଟ ବେଲ ଗଛମୂଳ ଘରପାଖେ ଭରତିଆ ଚଢ଼େଇମାନେ ଉଡ଼ୁଛନ୍ତି । ବାପାଙ୍କ ସାନ ଭାଇ ଦିବ୍ୟସିଂହ ମହାପାତ୍ର ଶ୍ରୀ ଚନ୍ଦନ, ଯେ କି ମାତ୍ର ବତିଶି ବର୍ଷ ବୟସରେ ଅକସ୍ମାତ ମରିଗଲେ–ସେ ସେହି ବେଲଗଛ ପାଖ ଘରମାନଙ୍କରେ ବହୁ ପଶୁ ପକ୍ଷୀ ପୋଷିଥିଲେ । ଦୁଇଟା ବାଘଛୁଆ–ଦୁଇଟା ହରିଣ–ମୟୂର ମୟୂରୀ–ରାଜହଂସ ହଂସୀ–ହରେକ ରକମର ପାରାବତ ହରେକ୍ ରକମର ବୁଲ୍‍ବୁଲ୍–ଶାରୀ–ଶୁଆ, କାବୁଲୀ ବିଲେଇ–ଆଉ ଦୁଇ ତିନି ଜାତିର କୁକୁର । ପଶୁ ଓ ପକ୍ଷୀଙ୍କ ସେବା ଯତ୍ନ କରିବାଲାଗି ଜଣେ ପରିଚାରକ ଓ ପରିଚାରିକା ମଧ୍ୟ ନିଯୁକ୍ତ ହୋଇଥିଲେ । ସେପଟ ଘରଗୁଡ଼ିକ ଥିଲା ବସ୍ତୁତଃ ଏକ ଚିଡ଼ିଆଖାନା–ଏ ଗାଁର ଆଉ ଦଶ ଖଣ୍ଡ ଗାଁ’ ବାଲାଙ୍କର ଗୋଟାଏ ମିନି ଚିଡ଼ିଆଖାନା । ଦିବ୍ୟସିଂହ ଦାଦା ବିବାହ କରି ନ ଥିଲେ । ଏଇ ପଶୁପକ୍ଷୀଙ୍କୁ ନେଇ ମାତିବା ଥିଲା ତାଙ୍କର ଏକ ବିଳାସ । ଦିବ୍ୟସିଂହଙ୍କ ଚେହେରା ଥିଲା ଅତି ସୁନ୍ଦର ଆକାଶର ପୂର୍ଣ୍ଣଚନ୍ଦ୍ର ଭଳି । ସେହିଭଳି ସୁନ୍ଦର–ସେହିଭଳି ସ୍ନିଗ୍‍ଧ–ଶୀତଳ–ସୁକୁମାର । ଆଃ–ବହୁକାଳୁ ମୃତ ଦାଦାଙ୍କ ଲାଗି ନିରଞ୍ଜନଙ୍କ ହୃଦୟ ତରଙ୍ଗିତ ହୋଇଉଠିଥିଲା । ଅଥଚ ଛି–ଛି–ବୋଉ କହେ ତୋ’ ଦାଦା ଚନ୍ଦ୍ର ଭଳି ସୁନ୍ଦର ସିନା–ହେଲେ ଚନ୍ଦ୍ରର କଳଙ୍କ ଭଳି ତା’ ଭିତରେ ବହୁ ପାପ ଗଦା ହୋଇ ଯାଇଥିଲା । ସେହି ପାପରେ କ୍ଷୟ ହେଉ ହେଉ ସେ ଦିନେ ଅକାଳେ ଅସ୍ତ ହୋଇଗଲାରେ ବାପ !

 

ଦୁତତେରୀ ! ବୋଉ ଉପରେ ଫେର୍ ମନ ବିରକ୍ତ ହୋଇଉଠିଲା ନିରଞ୍ଜନର ! ପାପ–ପାପ–ପାପ ! ବୋଉ ସତେକି ଗୋଟାଏ ପାପ ପୃଥିବୀର ସ୍ମାରକୀ !

 

ଶୀତ ଦିନର ଏହି ସ୍ୱର୍ଣ୍ଣାଭ କୋମଳି ଅପରାହ୍ନ କ୍ରମେ ସନ୍ଧ୍ୟାଆଡ଼କୁ ମୁହାଁଇ ଯାଉଛି । ଶୀତ ଋତୁର ସନ୍ଧ୍ୟା ସାମାନ୍ୟ କୁହୁଡ଼ିରେ ରହସ୍ୟମୟ । ଭଙ୍ଗା ଘରର ଛାତ କଡ଼ରେ; ତଥାପି ପାରାମାନେ ଘୁମୁରୁଛନ୍ତି । ଚେମଣିଆମାନେ ବେଶି ବେଶି ଉଡ଼ିବା ଆରମ୍ଭ କଲେଣି । ଶ୍ରୀମତୀ ଛୋଟରାୟ ଖବର ପଠାଇଛନ୍ତି । ଘଣ୍ଟାକ ପାଇଁ ହେଲେ ଆସି ଦେଖା କରିଯାଅ । ନିରଞ୍ଜନ ଭାବିଲେ–ଯିବେ କି ନାହିଁ । ଶ୍ରୀମତୀ ଛୋଟରାୟଙ୍କ ଲୋକଟି କହିଯାଇଛି–ମା’ଙ୍କର ଜରୁରୀ କାମ ଅଛି–ଜଲଦି ଆସିବେ ।

ନିରଞ୍ଜନଙ୍କୁ ହସ ଲାଗିଲା ସାମାନ୍ୟ । ଜରୁରୀ କାମ ? ଶ୍ରୀମତୀ ଛୋଟରାୟଙ୍କର ଜରୁରୀ କାମ କ’ଣ ତାହା ଜାଣିବାରେ ଆଜିଯାଏ ଆଉ ବାକି ଅଛି ତାଙ୍କର ? ତାଙ୍କର ଜରୁରୀ କାମ ବାହାରର କ୍ରିୟାକ୍ରମରେ ନ ଥାଏ । ମନର ପ୍ରତିଟି ଆବେଗକୁ ଅସମ୍ଭବ ଉଷ୍ଣତା ଦେଇ ସ୍ୱୀକାର କରନ୍ତି ଶ୍ରୀମତୀ ଛୋଟରାୟ । ପ୍ରାଣର ପ୍ରତିଟି ତରଙ୍ଗକୁ ସେ ଟାଣି ନିଅନ୍ତି ନିଜର ହୃଦୟ ଭିତରକୁ । ପ୍ରତିଟି ଆବେଗତପ୍ତ ମୁହୂର୍ତ୍ତ ତାଙ୍କ ପକ୍ଷରେ ଯୁଗଯୁଗ ଭଳି ଗୁରୁଭାର ମୂଲ୍ୟରେ ମୂଲ୍ୟବାନ । ଶ୍ରୀମତୀ ଛୋଟରାୟ ଭାବଜଗତର ଗୋଟିଏ ଉଦବେଳିତ ମାଧୁର୍ଯ୍ୟ । ଏକ ବିନଷ୍ଟପ୍ରାୟ ବିପର୍ଯ୍ୟସ୍ତ ପ୍ରାଚୀନ ସାମନ୍ତ ପରିବାରର ସବା ସାନବୋହୂ ଶ୍ରୀମତୀ ଛୋଟରାୟ । ସ୍ୱାମୀ ଆମେରିକାରେ, ଆଜିକୁ ଛଅ ବର୍ଷ ହୋଇଗଲା । ଉଚ୍ଚ ଶିକ୍ଷାଲାଗି ଯାଇଥିଲେ । ଆଉ ଫେରି ନାହାନ୍ତି । ଫେରିବେ ବି ନାହିଁ । ଶ୍ରୀମତୀ ଛୋଟରାୟ ସହରରୁ ଆସି ରହିଛନ୍ତି ଏହି ଗ୍ରାମରେ । ଏଠି ତାଙ୍କର ଜମି ଅଛି ବଗିଚା ଅଛି । ଚାକର ହଳିଆ ଅଛନ୍ତି । ଅଛନ୍ତି ଜଣେ ମ୍ୟାନେଜର ସବୁ କଥା ବୁଝିବାଲାଗି । ଶ୍ରୀମତୀ ଛୋଟରାୟ ନିଜେ ଜଣେ ଗାୟିକା ଓ କବି–। ରବୀନ୍ଦ୍ର ସଙ୍ଗୀତ, ମୀରା, କବିର ଓ ତୁଳସୀ ଦାସଙ୍କ ଭଜନ ଗାଇବାରେ ସୁନିପୁଣା । ଘରେ ବିଭିନ୍ନ ଭାଷାର ଅସଂଖ୍ୟ କବିତା ଆଉ ସଙ୍ଗୀତ ବହି । ବିଭିନ୍ନ ବାଦ୍ୟଯନ୍ତ୍ର । ଶ୍ରୀମତୀ ଛୋଟରାୟ ନିଜେ ମଧ୍ୟ ସରୋଦ ବଜାନ୍ତି ଚମତ୍କାର । ଭିନ୍ନ ଜଗତର ନାରୀ ଶ୍ରୀମତୀ ଛୋଟରାୟ । ସିନ୍ଦୁର ଲଗାନ୍ତି–ମାତ୍ର ସବୁବେଳେ ପିନ୍ଧନ୍ତି ଧଳାଶାଢ଼ି–ଧଳାବ୍ଲାଉଜ । ମଥାର ସୁନ୍ଦର ନୀତିଦୀର୍ଘ କେଶଗୁଚ୍ଛ ସର୍ବଦା ଆଲୁଳାୟିତ–ମାତ୍ର ସୁସଜ୍ଜିତ ଓ ପରିଚ୍ଛନ୍ନ । ତାଙ୍କର ଚେହେରାରେ ସନ୍ନ୍ୟାସିନୀର କିଞ୍ଚିତ୍ ପବିତ୍ର ବୈରାଗ୍ୟ ହୁଏ ତ ଅଛି–ମାତ୍ର ଭାବ ଓ ସୁରଜଗତର ଏକ ଅଲୌକିକ ରହସ୍ୟମୟ ଚମତ୍କାରିତା ତାଙ୍କ ମୁହଁ, ଆକ୍ଷି, ଓଠ ଓ ହାତର ଆଙ୍ଗୁଳି ଗୁଡ଼ିକରେ ଫୁଟିଉଠେ । ଆର୍କଷଣ କରେ । ଶ୍ରୀମତୀ ଛୋଟରାୟ ସତେ କି କେଉଁ ଏକ କଳ୍ପଲୋକବାସିନୀ ଭାବରୂପିଣୀ ଦେବୀ । ତାଙ୍କର ଦୃଷ୍ଟି ସତେ କି ସେହି ସୁଦୂର ଦିଗ୍‍ବଳୟର ଆରପାରିରେ କେଉଁ ଏକ ରସଲୋକରେ ଖେଳି ବୁଲୁଥାଏ; ମାତ୍ର ନିରଞ୍ଜନଙ୍କୁ ଆଗରେ ଦେଖିଲେ–ସେହି ଭାବାଚ୍ଛନ୍ନ ଦୂରଯାତ୍ରୀ ଆକ୍ଷି ଦୁଇଟି ପୁଣି ଫେରିଆସନ୍ତି, ସତେ କି ନିରଞ୍ଜନ ହିଁ ତାଙ୍କର ସବୁ ସ୍ଵର ଓ ଭାବଜଗତର ମୂର୍ତ୍ତିମାନ ବିଗ୍ରହ !

ମାତ୍ର ଶ୍ରୀମତୀ ଛୋଟରାୟ ପ୍ରେମରେ ପଡ଼ନ୍ତି ନାହିଁ । ସେ ପ୍ରେମକୁ ସ୍ୱୀକାର କରନ୍ତି । ପ୍ରେମର ଦାବିକୁ ମଧ୍ୟ ସ୍ଵୀକାର କରନ୍ତି, ମାତ୍ର ପ୍ରେମରେ ପଡ଼ନ୍ତି ନାହିଁ, କାରଣ ସେ କଥା କହନ୍ତି ନାହିଁ–ଗୀତ ବୋଲନ୍ତି । ତାଙ୍କର ବାସନାଗୁଡ଼ିକ ଦୌଡ଼ନ୍ତି ନାହିଁ–ନୃତ୍ୟ କରନ୍ତି । ତାଙ୍କର ଅଙ୍ଗପ୍ରତ୍ୟଙ୍ଗର ପ୍ରତିଟି ଇଚ୍ଛା ସରୋଦର ତା’ର ଭିତରେ ଅନୁରଣିତ ହୋଇଉଠେ । ସୁର୍–ସୁର୍–ଧ୍ଵନି–ମୂର୍ଚ୍ଛନା ଶ୍ରୀମତୀ ଛୋଟରାୟ ନିଜେ ହୋଇଉଠନ୍ତି ଏକ ବିମୂର୍ତ୍ତ ମୂର୍ଚ୍ଛନାର ପ୍ରାଣବତୀ ବିଗ୍ରହ । ସେ ବେଳେବେଳେ କହନ୍ତି–ସବୁର ପଛପଟେ ରହିଛି ତା’ର ସୁର୍‍ଟି । ମୁଁ ବୋଧେ ସେଇ ସୁର୍‍ଟିଏ ନିରଞ୍ଜନ ବାବୁ !

ନିରଞ୍ଜନ କିଛି ଉତ୍ତର ଦିଏନା । ମୁଗ୍‍ଧ ହୁଏ । ସ୍ୱୀକାର କରେ । ନୀରବ ହସ ହସି ଶ୍ରୀମତୀ ଛୋଟରାୟଙ୍କୁ ଦେଖେ–ଶୁଣେ–ସ୍ପର୍ଶ କରେ । ସେ ଜାଣେ ସେ ଗୋଟିଏ ସୁରକୁ ସ୍ପର୍ଶ କରୁଛି !

 

ମାତ୍ର ବୋଉର ମନରେ ସନ୍ଦେହ ରହିଯାଏ । ବୋଉର ଆକ୍ଷିରେ ପାପର ଆଶଙ୍କା ଫୁଟିଉଠେ । ଏତେ ଯିବାଆସିବା ଏତେ ମିଳାମିଶା ଭଲ ନୁହେଁ ନିରଞ୍ଜନ । ଛୋଟରାୟ ବଂଶ ମଧ୍ୟ ତୁମ ବଂଶ ଭଳି ବହୁ ପାପରୁ ଧ୍ଵଂସଆଡ଼କୁ ମୁହାଁଇ ଯାଉଛି । ପୁରୁଷ ପୁରୁଷଧରି ତୁମ ବଂଶରୁ ତାଙ୍କ ବଂଶଯାଏ ପାପର ଗୋଟିଏ ଛୋଟ ନର୍ଦ୍ଦମାର ଝରଣା ଅନ୍ଧାରେ ଅନ୍ଧାରେ ବହିଚାଲିଥାଏ–ସମସ୍ତଙ୍କ ଅଜାଣତରେ–ମୁଁ ଶୁଣିଛି, ମୋ ଶାଶୁଙ୍କ ମୁହଁରୁ ।

 

ବିରକ୍ତ ଲାଗେ ନିରଞ୍ଜନଙ୍କୁ । ଦୁତତେରୀ ! ଫେର୍ ସେଇ ପାପର କୋକୁଆ । ଯଦି ଛୋଟରାୟ ବଂଶ ପୁରୁଷ ପୁରୁଷଧରି ପାପ ଗଦାରେ ପରିଣତ ହୋଇଥାଏ–ତେବେ ତାହା ଶ୍ରୀମତୀ ଛୋଟରାୟଙ୍କ ପବିତ୍ର ହୃଦୟା ବେଗ ଓ କଣ୍ଠନିଃସୃତ ଆଲୌକିତ ସୁର୍ ମୂର୍ଚ୍ଛନାରେ ରୂପାନ୍ତରିତ ହୋଇଯାଇଛି । ମଣିଷର କାମ କ୍ରୋଧ ଲୋଭ ମୋହ ମାତ୍ସର୍ଯ୍ୟାଦି ପ୍ରବୃତ୍ତିଗୁଡ଼ିକ ସୁର୍‍ ଭିତରେ ରୂପାନ୍ତରିତ ହୋଇଯାନ୍ତି କି ? ସ୍ଥୂଳଭାବମାନେ ପରିଣତି ହୋଇଉଠନ୍ତି ରସରେ । ଆଉ ରସ ପରିଣତ ହେଉ ହେଉ ସୂକ୍ଷ୍ମ ହେଉ ହେଉ ସୁର୍‍ ପାଲଟିଯାଏ ।

 

ନିରଞ୍ଜନ ବୁଝିଛନ୍ତି–ଉପଲବ୍‍ଧି କରିଛନ୍ତି–ତାଙ୍କ ହୃଦୟର ସମସ୍ତ ସ୍ଥୂଳ ଭାବାବେଗ ଶ୍ରୀମତୀ ଛୋଟରାୟଙ୍କ ପାଖରେ କିପରି ସୂକ୍ଷ୍ମ ସୁର ପାଲଟିଯାନ୍ତି । ଫଳରେ ତାକୁ ଭାରି ହାଲୁକା ଲାଗେ । ପବିତ୍ର ଲଗେ । ସୁବାସିତ ଲଗେ । ଶ୍ରୀମତୀ ଛୋଟରାୟ କଥାକୁ ସୁର୍ ରେ ପରିଣତି କରିଦିଅନ୍ତି । କାମକୁ ରୂପାନ୍ତରିତ କରିଦିଅନ୍ତି ନୃତ୍ୟରେ ଛନ୍ଦରେ ।

 

ଅବଶ୍ୟ ଲୀଳା ଏକଥା ବୁଝିଛି । ଲୀଳା ସନ୍ଦେହ କରେନାହିଁ; ପ୍ରଶ୍ନ କରେନାହିଁ । ଶ୍ରୀମତୀ ଛୋଟରାୟଙ୍କୁ ସେ ସମ୍ମାନ କରେ; ମାତ୍ର ସେ କହେ ଛୋଟରାୟ ବଂଶରେ ପୁରୁଷ ପୁରୁଷଧରି ପାପରାଶିକୁ ରୂପାନ୍ତରିତ କରିବାର ସୁର୍ ସାଧନାରେ ରତ ଶ୍ରୀମତୀ ଛୋଟରାୟ । ଶ୍ରୀମତୀ ଛୋଟରାୟ ସେ ବଂଶର ପାବନଲାଗି ବିଧି ପ୍ରେରିତା-ବିଧାତାର କରୁଣା ସ୍ୱରୂପା । ଯେପରି ମୁଁ ସେହି ଏକା ଉଦ୍ଦେଶ୍ୟ ସାଧନଲାଗି ଏ ଘରକୁ ବୋହୂ ହୋଇ ଆସିଛି, ମାତ୍ର ମୋ ଧାରା ଭିନ୍ନେ । ମୋ ରାସ୍ତା ଭିନ୍ନେ ।

 

ସାନ ଭଉଣୀ ମଞ୍ଜୁ କିଛି କହେନାହିଁ । ଶ୍ରୀମତୀ ଛୋଟରାୟଙ୍କ ସଙ୍ଗେ ନିରଞ୍ଜନଙ୍କୁ ଦେଖିଲେ ସେ କେବଳ ହସେ । ଖିଲି ଖିଲି ହୋଇ ଖିଆଲୀ ଢଙ୍ଗରେ ସେ ହସେ । ଯେମିତି ସେ ହସେ ସବୁ ଘଟଣାରେ । ଉପନ୍ୟାସ ଜଗତରେ ଘୂରିଲାବେଳେ ସେ ଥାଏ ଖୁବ୍ ଗମ୍ଭୀର; ମାତ୍ର ବାହାର ଦୁନିଆର ସାମାନ୍ୟତମ ବା ଗୁରୁତମ ଘଟଣାଟିଏ ଦେଖିଲା ମାତ୍ର ସେ ହସେ–ଖିଲି ଖିଲି ହୋଇ ହସେ । ସତେ କି ଉପନ୍ୟାସରେ ଲିଖିତ ଚରିତ୍ର ଓ ଘଟଣାଗୁଡ଼ିକ ତା’ ନିକଟରେ ଏକମାତ୍ର ସତ୍ୟ, ବାସ୍ତବ ଓ ଗୁରୁତ୍ଵପୂର୍ଣ୍ଣ । ମାତ୍ର ବାହ୍ୟଜଗତରେ ସତକୁ ସତ ଘଟୁଥିବା ଘଟଣାମାନ ଜମା ବାସ୍ତବ ନୁହନ୍ତି, ବାସ୍ତବତାର ପିଲାଳିଆ ଅଭିନୟ ମାତ୍ର । ଛୋଟ ପିଲାମାନଙ୍କ ବୋହୂ ବୋହୂକା ଖେଳ ଭଳି ତୁଚ୍ଛ ଘଟଣାଲାଗି ଅଳି ବା କଳିକଲା ଭଳି । ବାସ୍ତବତା ଗୋଟିଏ କୌତୁଳକର ଦୃଶ୍ୟ ମଞ୍ଜୁ ଆକ୍ଷିରେ । ତେଣୁ ସେ ହସେ–ଖିଲି ଖିଲି ହୋଇ ହସେ । କିଛି ମନ୍ତବ୍ୟ କରେନାହିଁ । ହସେ । ଖୁବ୍ ବଡ଼ ଅଭିଜ୍ଞ ସ୍ଥିତଧୀ ପୁରୁଷ ଓ ନାରୀମାନେ ସିନେମାରେ ଅପରିଣତ ଯୁବକ ଯୁବତୀମାନଙ୍କ ପ୍ରେମ ଦୃଶ୍ୟରେ ଗୋଡ଼ିଆଗୋଡ଼ି ରଗାରଗି, ମାନ ଅଭିମାନ ଓ ୟାର ପଦେକୁ ତା’ର ପଦେ ଗୀତ ଶୁଣି ହସିଲା ଭଳି–ମଞ୍ଜୁ ହସେ ।

 

ଅଥଚ ବୋଉ କହେଁ–ମଞ୍ଜୁର ଏ ହସ ଅସଲ ଗୋଟେ ପାଗଳାମି । ତୁମ ବଂଶର ପାପର ପରିଣାମ ମଧ୍ୟ ମଞ୍ଜୁର ଏଇ ପାଗଳାମି ।

 

ଦୁତତେରୀ !

 

ମଞ୍ଜୁର ଏଇ ଖିଲିଖିଲି ହସ କେବେ ଭଲା ଗୋଟାଏ ପ୍ରାଚୀନ ପାପବୃକ୍ଷର ଫୁଲ ହୋଇପାରେ ? ମଞ୍ଜୁ ହସେ । ନୀଳ ଆକାଶରେ ଉଡ଼ି ବୁଲୁଥିବା ଚଢ଼େଇର ଗୀତ ଭଳି ତା’ ହସ ଶୁଭେ । ଶରତଋତୁର ଘନସବୁଜ ବୃକ୍ଷନ୍ତରାଳରୁ ଚଢ଼େଇର କାକଳି ଭଳି ଶୁଭେ ତା’ର ଖିଲିଖିଲି ହସ । ମଞ୍ଜୁ ବୋଧେ ଏ ବଂଶର ସର୍ବଶ୍ରେଷ୍ଠ ଆର୍ଶୀବାଦ । ସର୍ବଶ୍ରେଷ୍ଠ ଫୁଲ–ସର୍ବଶ୍ରେଷ୍ଠ ସଙ୍ଗୀତ । ତା’ର କାହା ପ୍ରତି ଅଭିଯୋଗ ନାହିଁ–କାହା ପ୍ରତି ଅନୁରାଗ ନାହିଁ । ସେ ସବୁ କଥାକୁ ଆପଣା ଭିତରକୁ ନିଏ । ତା’ପରେ ତା’ର ଖିଲିଖିଲି ହସ ଭିତରେ ସେସବୁ ରୂପାନ୍ତରିତ ହୋଇ ବାହାରେ ଫୁଟିଉଠନ୍ତି–ଫୁଲର ରଙ୍ଗ ଭିତରେ ଚଢ଼େଇର କାକଳି ଭିତରେ । ନିରଞ୍ଜନ ଖୁବ୍ ଭଲପାଏ ମଞ୍ଜୁକୁ-। ଏ ପୃଥିବୀ ପାଇଁ ଗୋଟାଏ ମଞ୍ଜୁ ଯଥେଷ୍ଟ ନୁହେଁ ଅବଶ୍ୟ । ମାତ୍ର ଏ ପୃଥିବୀ ଅଧିକ ମଞ୍ଜୁ ପ୍ରସବ କରିବାକୁ ଅସମର୍ଥା । ଏଇ ପାପବୋଧନିପିଡ଼ିତା ପୃଥିବୀ ଯଦି ଥରେ ମାତ୍ର ମଞ୍ଜୁର ହସ ଦେଖନ୍ତା–ଶୁଣନ୍ତା ତେବେ ତା’ କଲିଜା ଥଣ୍ଡା ହୋଇଯାନ୍ତା, ମାତ୍ର ପୃଥିବୀ ଜନ୍ମ କରିଦେଇ ଆଉ ତାକୁ ଚାହୁଁନାହିଁ ! ଦେଖୁ ନାହିଁ । ଭାବୁଛି ବାୟାଣୀଟାଏ ଜନ୍ମ ହୋଇଛି ତା’ ଉଦରରୁ । ଯୁଗ ଯୁଗର ସଞ୍ଚିତ ପାପର ଫଳ ଏଇ ବାୟାଣୀଟା । ଖାଲି ହସୁଛି–ଖିଲିଖିଲି ହୋଇ ହସୁଛି କାହୁନି–ରାଗୁନି–ଖାଲି ହସୁଛି ।

 

ବୋଉ ବେଳେବେଳେ ଲୀଳାକୁ କହେ–ନିରଞ୍ଜନକୁ ବି ମୋର ବିଶ୍ଵାସ ନାହିଁ ବୋହୂ ମା’-! ନିରଞ୍ଜନଟା ଆଡ଼ବାୟାଟାଏ । ତା’ର କୋଉ କଥାକୁ ଚିନ୍ତା ନାହିଁ । ସେ କହେ ତା’ର ଏ ବଂଶ ପ୍ରତି, ପୃଥିବୀ ପ୍ରତି କୁଆଡ଼େ କିଛି ଦାୟିତ୍ଵ ନାହିଁ । କୁଆଡ଼େ ସେ ସ୍ଵାଧୀନ । କହିଲୁ ଭଲା ବୋହୂ ମା’-! ସେ ଏ ପାପ ଆବର୍ତ୍ତଭିତରୁ ଏମିତି ସହଜରେ ଖସିଯାଇପାରିବ ? ଗଣ୍ଡା ଗଣ୍ଡା ନରହତ୍ୟା ଗୋରୁ, ବ୍ରାହ୍ମଣ, ଶିଶୁ, ନାରୀ କାହାକୁ ଏଠି ମରାହୋଇ ନାହିଁ କହ ? କେତେ ଭ୍ରୁଣ ହତ୍ୟା ଏ ବଂଶରେ ନ ହୋଇଛି କହ ? କେତେ ଜାଲିଆତି, କେତେ ମିଥ୍ୟାଚାର ! ଆହା ଆହା ! ନିରଞ୍ଜନ ପାରିବନାହିଁ ବୋହୂ ମା’–ମଞ୍ଜୁ ବି ପାରିବନାହିଁ; ମାତ୍ର ତୁ ପାରିବୁ ! ତୁ ପାରିବୁ ! ଗୋପାଳଜୀଉଙ୍କ କରୁଣା ଗଙ୍ଗାର ଧାରଟିଏ ହୋଇ ବାସିଆସିଛି ଏ ବଂଶକୁ । ତୁ ସେଇ ପବିତ୍ର ଜାହ୍ନବୀର ଧାରାଟିଏ ବୋହୂମା’–ତୁ ପାରିବୁ । ତୋରି ତପସ୍ୟା ବଳରେ ତୋର ଶ୍ୱଶୁରର ପକ୍ଷାଘାତ ଭଲ ହୋଇଯିବ-। ମଞ୍ଜୁ ହସ ଛାଡ଼ି କାନ୍ଦିବ । ନିରଞ୍ଜନ ସ୍ଵୀକାର କରିବା ଯେ ତା’ର ଜନ୍ମ ପାପ ଭିତରୁ ଶେଷକୁ ଶେଷକୁ–ତୋ’ ଭିତରୁ ଯେ ଏହି ମାଟି ଉପରେ ଜନ୍ମହେବ–ସେଇ ଉଦ୍ଧାରିବ ଏ କୁଳକୁ-। ନିଶ୍ଚୟ ନିଶ୍ଚୟ ! ବାବାଜୀ ଠିକ୍ କହିଛନ୍ତି ।

 

ବୋଉର କଥା ଶୁଣୁ ଶୁଣୁ ଲୀଳାର ଆକ୍ଷି ସ୍ପପ୍ନାଚ୍ଛନ୍ନ ହୋଇଉଠେ । ତା’ର କପାଳରେ ଫୁଟିଉଠେ ଗୋଟାଏ ଉଜ୍ଜ୍ୱଳ ରକ୍ତିମ ସଂକଳ୍ପ । ବୋଉର ହାତ ଧରିପକାଇ ସେ କହେ–ଚିନ୍ତା କରନ୍ତୁ ନାହିଁ ବୋଉ । ମୁଁ ପାରିବି । ନିଶ୍ଚୟ ତୁମର ଅଭିଳାଷ ପୂର୍ଣ୍ଣ ହେବ ।

 

ବିବାହର ତିନିବର୍ଷ ପୂରିଗଲାଣି । ଏଯାବତ୍ ଏ ବଂଶର କୁଳପାବନ ସନ୍ତାନ ଜନ୍ମ ହୋଇ ନାହାନ୍ତି । ମହାଅଭିମାନୀ ସଂଯତ୍‍ବାକ୍ ପକ୍ଷାଘାତଗ୍ରସ୍ତ ବାପା ମଞ୍ଜୁକୁ କହନ୍ତି–ବୁଝିଲୁ ମଞ୍ଜୁ ! ମଞ୍ଜୁ କହେ–କ’ଣ ବାପା ? ବାପା କହନ୍ତି–ଏଇଠୁ ଦୀପ ଲିଭିଯିବ । ଆଉ ଜଳିବ ନାହିଁ । ନା’ କ’ଣ କହୁଛୁ ?

 

ମଞ୍ଜୁ ହସେ–ଖିଲିଖିଲି ହୋଇ ହସିଉଠେ । ସତେ କି ମଞ୍ଜୁ ନିଜେ ହସି ହସି ଖେଳଦୀପ ସବୁ ଲିଭାଇ ଦେଉଛି ! କିମ୍ବା ମଞ୍ଜୁ କହୁଛି–ଲିଭୁ ନା ବାପା ! ଲିଭିଯାଉ । ହେଇ ଦେଖ ଦୀପମାନେ ଜଳୁଛନ୍ତି–ଦୀପମାନେ ଲିଭୁଛନ୍ତି–ଆଃଫୁଃ ଆଃଫୁଃ–ଲିଭିଯାଅରେ ଦୀପମାନେ ! ଯାଅ ଲିଭିଯାଅ–ଲିଭିଯାଅ । ଆଃଫୁଃ ଆଃଫୁଃ । ମଞ୍ଜୁ ଖିଲି ଖିଲି କରି ହସିଯାଏ ପରସ୍ତେ ।

 

ନିରଞ୍ଜନଙ୍କ ଆକ୍ଷି ଆଗରେ ଫୁଟିଉଠେ ଗୋଟାଏ ଦିଆଲୀ ଆମାବାସ୍ୟା ରାତ୍ରିର ଲକ୍ଷ ଲକ୍ଷ ଦୀପଜଳା ପୃଥିବୀ । ଆଉ ପ୍ରତିଟି ଜଳନ୍ତା ଦୀପଶିଖା ପାଖେ ମଞ୍ଜୂର ଖିଲିଖିଲି ହସ ପହୁଁଚିଯାଇ ଫୁଙ୍କିଦଉଛି–ଆଉ କହୁଛି–ଲିଭିଯାରେ ଦୀପ–ଲିଭିଯା–ଯା ଲିଭିଯା । ବାପା କହୁଛନ୍ତି ଲିଭିଯା–ଭାଇ କହୁଛନ୍ତି ଲିଭିଯା–ବୋଉ କହୁଛି ଲିଭିଯା । ଲିଭିଯା–ଯା’ ଲିଭିଯା । ଦୀପମାନେ ସତକୁ ସତ ଲିଭିଯାଉଛନ୍ତି । ନିରଞ୍ଜନଙ୍କୁ ଭାରି ଖୁସିଲାଗେ । ଭାରି ଆହ୍ଲାଦ ଲାଗେ । ଅନ୍ଧାର ଅନ୍ଧାର । ଯାହା ଭିତରେ ପାପ ନାହିଁ ପୁଣ୍ୟ ନାହିଁ । କିଛି ନାହିଁ । ଖୁଣ୍ଟରୁ ଡଙ୍ଗା ନ ଫିଟାଇ ରାତିସାରା ଆହୁଲା ମାରିବାର କ୍ଳାନ୍ତି ନାହିଁ । ଘଣ୍ଟା ଘଣ୍ଟା ଗରୁଡ଼ସ୍ତମ୍ଭ ପାଖେ ବସି ଧ୍ୟାନକରି ଦେବାଶିଶୁ ଜନ୍ମ କରିବାର ସଂକଳ୍ପଜନିତ ଅଳୀକ ଭାବପ୍ରବଣତା ନାହିଁ–। ଯାହା ଭିତରେ ଖାଲି ଅଛି ଦୀପମାନେ ଲିଭିଯିବାର ନିଃଶବ୍ଦ ଏକ ସୁର୍–ଶ୍ରୀମତୀ ଛୋଟରାୟଙ୍କ କଣ୍ଠ ଭିତରୁ ଯାହା ନିଃସୃତ ହୋଇଉଠେ । ମଞ୍ଜୁର ଖିଲିଖିଲି ହସ ଭିତରୁ ଯାହା ପ୍ରତିଧ୍ଵନିତ ହୋଇଉଠେ ।

 

ସେଇ ଛାତ ଉପରେ ଠିଆହୋଇ ଗୋପାଳଜୀଉଙ୍କ ମନ୍ଦିରର ଚୂଡ଼ା ଉପରୁ ଉତ୍ତରା ପବନରେ ଫରଫର ଉଡ଼ୁଥିବା ବାନାକୁ ଚାହିଁ–ନିରଞ୍ଜନ ହସିଉଠିରେ ଆପଣା ଅଜାଣତରେ ।

 

ସେ ଯିବେ–ଶ୍ରୀମତୀ ଛୋଟରାୟ ଖବର ପଠାଇଛନ୍ତି । ସେ ଯିବେ ସନ୍ଧ୍ୟା ଜମିଆସିଲାଣି । ଶୀତଦିନର ହେମାଳିଆ କୁହୁଡ଼ିଆ ସନ୍ଧ୍ୟା । ପାରାମାନେ ତଥାପି ଘୁମୁରୁଛନ୍ତି । ଗୋପାଳଜୀଉଙ୍କ ମନ୍ଦିରରେ ସନ୍ଧ୍ୟାଳତୀର ଶଙ୍ଖ ଘଣ୍ଟା ଓ ପଖାଉଜ ବାଜିଲାଣି । ଲୀଳା ଧ୍ୟାନଭାଙ୍ଗି ସାରି ବେକରେ ପଣତଗୁଡ଼ାଇ ସନ୍ଧ୍ୟାବତୀର ଅସ୍ପଷ୍ଟ ରହସ୍ୟାଲୋକରେ ଗୋପାଳଜୀଉଙ୍କ ମୂର୍ତ୍ତି ଭିତରେ ଆପଣାର ସତ୍ତାକୁ ମିଶାଇ ଦେଇଥିବ । ଆଉ ତା’ର ପାଖେ ପାଖେ ଠିଆ ହୋଇ ଠାକୁରଙ୍କୁ କାତର କଣ୍ଠରେ ବର ମାଗୁଥିବ ବୋଉ ! ହେ ଗୋପାଳଜୀଉ ! ମହାପାତ୍ର ବଂଶର କୁଳଦେବତା ! ୟାଙ୍କର ପକ୍ଷାଘାତ ଭଲ କରିଦିଅ । ମଞ୍ଜୁକୁ କନ୍ଦାଅ । ନିରଞ୍ଜନ ପାପକୁ ମାନୁ । ବୋହୂର ସ୍ୱପ୍ନ ସଫଳ ହେଉ । ଏ ବଂଶର ସମସ୍ତ ପାପ ଅଭିଶାପ ତୁମ ଆଶୀର୍ବାଦରେ ଘୁଞ୍ଚିଯାଉ ।

 

ନିରଞ୍ଜନ ଫେର୍ ହସିଲେ । ନାଃ ଆଉ ଡେରି କରିବା ଅନୁଚିତ । ଶ୍ରୀମତୀ ଛୋଟରାୟ ନ ହେଲେ ଅସ୍ଥିର ହୋଇ ଉଠିବେ । ଶ୍ରୀମତୀ ଛୋଟରାୟ । ଆଃ ! ଅଙ୍କିଚନତାର ଏତେ ମୂଲ୍ୟ ତାଙ୍କ ଭଳି କେହି ଦେଇପାରେନା । ମଣିଷର ସମସ୍ତ ସ୍ଥୂଳ କାମନା ଆଉ ବାସନାକୁ ନିଜ ଭିତରକୁ ଟାଣି ନେଇ, ତାକୁ ଏକ ପବିତ୍ର ବିଷାଦର ସୁର୍ ରୂପେ ମଧ୍ୟ ବାହାରେ ପ୍ରକାଶ କରିପାରେନା ତାଙ୍କ ଭଳି ଆଉ କେହିନାରୀ ! ଏ ପୃଥିବୀରେ ଗୋଟିଏ ଶ୍ରୀମତୀ ଛୋଟରାୟ ଯଥେଷ୍ଟ ନୁହଁ ସତ୍ୟ; ମାତ୍ର ଏ ପୃଥିବୀ ଆଉ ଅଧିକ ଶ୍ରୀମତୀ ଛୋଟରାୟ ଜନ୍ମ କରିବାରେ ଅସମର୍ଥା । ଏ ପୃଥିବୀ ପାପ ବୋଧରେ ନିପୀଡ଼ିତା, ତା’ କାନକୁ ଆପଣ ଜନ୍ମକଲା କନ୍ୟାର ପବିତ୍ର ବିଷାଦ ମଧୁର ସଙ୍ଗୀତ ଶୁଭେ ନାହିଁ । ସେଣିକି ସେ କାନ ଦିଏ ନାହିଁ ।

 

ସେ ଯିବେ । ସେ ଆଜି ଶ୍ରୀମତୀ ଛୋଟରାୟଙ୍କୁ ଆଲିଙ୍ଗନ କରିବେ ଅନ୍ଧାର ଭିତରେ କୁହୁଡ଼ି ଭିତରେ । ଯାହା ଭିତରେ ସେ ଦିଶୁ ନଥିବେ । ପାପ ଦିଶୁନଥିବ–ପୁଣ୍ୟ ଦିଶୁନଥିବ । ସେ ଗୋଟିଏ ସୁର୍‍କୁ ଆଲିଙ୍ଗନ କରିବେ, ଗୋଟିଏ ପବିତ୍ର ବିଷାଦ ମଧୁର ସୁର୍‍କୁ । ତା’ପରେ ସେ ମୂର୍ଚ୍ଛିତ ହେବେ କିଛିକାଳ । ସେଇଠୁ ସେ ଦୀପଟିଏ ଭଳି ମିଞ୍ଜି ମିଞ୍ଜି ଜଳିବେ । ଆପଣାର କ୍ଷୀଣ ଆଲୁଅରେ ଆପଣାକୁ ଦେଖିବେ । ଦେଖିବେ । ଦୁଃଖିତ ହେବେ ନାହିଁ । ଖୁସି ହେବେ ନାହିଁ । କେବଳ ଦେଖିବ । ବୁଝିବେ । କେବଳ ବୁଝିବେ । ପ୍ରତିକ୍ରିୟା ଦେଖାଇବେ ନାହିଁ କେବଳ ବୁଝିବେ । ଆଗ ଖୁଣ୍ଟରୁ ଡଙ୍ଗାଟିକୁ ଫିଟାଇ ଦେବେ । ଆହୁଲା ମାରିବେ ନାହିଁ । ଭାସିବେ । ଆପଣାକୁ ଭାସିବାର ଦେଖିବେ । ଦୁଃଖିତ ହେବେ ନାହିଁ–ଖୁସି ହେବେ ନାହିଁ । ବୁଝିବେ । ଚାରିଆଡ଼େ ଅନ୍ଧାର-। କଳକଳ ନଦୀସ୍ରୋତ । ସୁଅମାନେ ଅନ୍ଧାର ସଙ୍ଗେ ମିଶି ଚବକେଇ ହେଉଥିବେ । ସେ ଡଙ୍ଗା ଭିତରେ ମିଞ୍ଜି ମିଞ୍ଜି ଦୀପଟିଏ ହୋଇ ଜଳୁଥିବେ । ସେଇଠୁ ସେ ମଞ୍ଜୁକୁ ଡାକିବେ । ମଞ୍ଜୁ ! ମଞ୍ଜୁ କହିବ–ଭାଇ ! ହସିଲୁ ଟିକିଏ ହସିଲୁ–ଖିଲିଖିଲି ହୋଇ ହସିଲୁ ! ସେଇଠୁ ମଞ୍ଜୁ ହସିବ–ଖିଲିଖିଲି ହୋଇ ହସିବ । ତା’ ହସରେ ନିରଞ୍ଜନ ଲିଭିଯିବେ । ଲିଭିଯିବେ । ଦୁଃଖିତ ହେବେ ନାହିଁ–ଖୁସି ହେବେ ନାହିଁ । ଲିଭିଯିବେ । ଲିଭିଗଲେ ବୋଲି ବୁଝିବେ ।

 

ସତକୁ ସତ ନିରଞ୍ଜନ ଡାକ ଛାଡ଼ିଲେ ମଞ୍ଜୁ !

 

ବାପାଙ୍କ କୋଠରୀରୁ ମଞ୍ଜୁ ଉଠି ଆସିଲା ।

 

କ’ଣ ଭାଇ ?

 

ମୋର ଗରମ କୋଟ ଆଉ ମଫଲର୍‍ଟା ଦେ ତ !

 

ଦଉଛି; କିନ୍ତୁ ତୁମେ କ’ଣ ବର୍ତ୍ତମାନ ଏ ଥଣ୍ଡାଟାରେ ବାହାରକୁ ଯିବ ?

 

ହଁ ଟିକିଏ ଆସେ–ଅଳ୍ପ ସମୟ ଲାଗି ।

 

ଶ୍ରୀମତୀ ଛୋଟରାୟ ଲୋକ ପଠାଇଥିଲେ–ଜାଣିଛ ?

 

ହଁ ଜାଣେ ! ଯାଉଛି ତାଙ୍କ ପାଖକୁ ।

 

ନା ନା ତୁମର ଯିବା ଦରକାର ନାହିଁ । ସେ ଆସିବେ ବର୍ତ୍ତମାନ । ଭଜନ ଗାଇବେ ଆମ ଘରେ ।

 

କେମିତି ଜାଣିଲୁ ?

 

ହଁ–ତୁମେ ଛାତ ଉପରେ ଥିଲାବେଳେ ପୁଣିଥରେ ତାଙ୍କ ଲୋକ ଆସିଥିଲା । ସେ ଆସୁଛନ୍ତି–ତୁମେ ଆଉ ଯାଅନା !!

 

ଏତିକି କହି ମଞ୍ଜୁ ହସିଲା–ସେହିଭଳି ଖିଲିଖିଲି ହସ । ତା’ ହାତରେ ଥିଲା ଖଣ୍ଡିଏ ନବତନ ପ୍ରକାଶିତ ଉପନ୍ୟାସ ।

 

ନିରଞ୍ଜନ କୋଟଟି ପିନ୍ଧିଲେ । ଆଉ ବୈଠକ ଘରେ ଲଣ୍ଠନଟା ରଖି ସୋଫାମାନ ବାହାରକୁ କାଢ଼ିଦେଲେ । କେବଳ ଗାଲିଚାଟି ଉପରେ କେତୋଟି ତକିଆ ପକାଇ ବସି ରହିଲେ ।

 

କେତୋଟି ମୁହୂର୍ତ୍ତରେ ମଞ୍ଜୁ ବାହାରୁ ପୁଣି ପାଟିକରି ଉଠିଲା–

 

ଭାଇ ! ଶ୍ରୀମତୀ ଛୋଟରାୟ ଆସିଗଲେଣି.....

 

ନିରଞ୍ଜନ ପଦାକୁ ବାହାରି ଆସିଲେ ତାଙ୍କୁ ସ୍ଵାଗତ କରିବାଲାଗି । ଏହି ସମୟରେ ତାଙ୍କୁ ଶୁଭିଲା ଆରଘରୁ ବାପା ଡାକୁଛନ୍ତି–

 

ମଞ୍ଜୁ !

 

କ’ଣ ବାବା !

 

କିଏ ଆସୁଛିରେ ?

 

ଛୋଟରାୟଙ୍କ ଘର ସାନ ବୋହୂ !!

 

କିଏ ??

 

ଛୋଟରାୟଙ୍କ ଘର ସାନ ବୋହୂ !

 

ହଉ ହଉ–ହେଲା !!

 

ମଞ୍ଜୁ କହିଲା–କ’ଣ ହେଲା ବାପା ?

 

ବାପା ପୁଣି କହିଲେ କୁନ୍ଥାଇଲା ଭଳି–

 

ହେଲା ହେଲା ।

 

ମଞ୍ଜୁ ଏଥର ହସିଲା ଖୁବ୍ ଖିଲିଖିଲି ହୋଇ । ଏହି ପରମଲଗ୍ନରେ ନିରଞ୍ଜନଙ୍କୁ ମଞ୍ଜୁର ଏଇ ଖିଲିଖିଲି ହସ ଭାରି ଚମତ୍କାର ଲାଗିଲା । ମଞ୍ଜୁ ହସି ହସି ଏ ଘରକୁ କିଳି ଦେଲାଣି । ଏଥର ଆଉ ଭୟ କ’ଣ ? ଯାଅଲୋ ଡାହାଣୀ ମାନେ । ପଳାଇ ଯାଅ ! ଯାଅଲୋ ଚିରୁଗୁଣୀମାନେ ! ପଳାଇ ଯାଅ–ଯାଲୋ ପିତାଶୁଣୀମାନେ ! ପଳାଇ ଯାଅ । ଏ ଘର ଛାଡ଼ି ଯାଅ–ଏ ଦୁଆର ଛାଡ଼ି ଯାଅ–ଏ ଗାଁ ଛାଡ଼ି ପଳାଇ ଯାଅ । ଯା ଯା ବୋଲି କାହାର ଆଜ୍ଞା ? କାଉଁରୀ କାମଚଣ୍ଡୀଙ୍କର କୋଟି କୋଟି ଆଜ୍ଞା ! ନିତେଇ ଧୋବଣୀର କୋଟି କୋଟି ଆଜ୍ଞା–ପିତେଇ ଶଉରୁଣୀର କୋଟି କୋଟି ଆଜ୍ଞା କୁମାରୀ ମଞ୍ଜୁପ୍ରଭାଙ୍କର କୋଟି କୋଟି ଆଜ୍ଞା–ଯା ଯା ପଳାଇ ଯାଅ !

 

ନିରଞ୍ଜନ ଏକ ପବିତ୍ର ସୌରଭରେ ପ୍ରକୃତିସ୍ଥ ହୋଇ ଦେଖିଲେ–ଆଗରେ ଉଭା ହୋଇଛନ୍ତି ଶ୍ରୀମତୀ ଛୋଟରାୟ । ଶୁଭ୍ର–ସୁନ୍ଦର–ବିଷାଦ ମଧୁର ସ୍ଵର ମୂର୍ତ୍ତିଟିଏ । ଏଣିକି ସବୁ ଆବର୍ଜନାର ସ୍ତୁପ ପରିଣତ ହେବେ ରୂପରେ–ସବୁ ରୂପ ପରିଣତ ହେବ ରସରେ–ଆଉ ସବୁ ରସ ଅନୁରଣିତ ହୋଇ ପୃଥିବୀକୁ ରୂପାନ୍ତରିତ କରିଦେବ ଗୋଟିଏ ଗମ୍ଭୀର ପବିତ୍ର ନାଦ ଭିତରେ । ଆଜି ସମସ୍ତେ ସୁର ମୂର୍ଚ୍ଛିତ ହେବେ ।

 

ଆଜି ସେ ଶ୍ରୀମତୀ ଛୋଟରାୟଙ୍କୁ ଆଲିଙ୍ଗନ କରିବେ ।

 

ଖୁସି ହେବେନାହିଁ–ଦୁଃଖିତ ହେବେନାହିଁ–ଆଲିଙ୍ଗନ କରିବେ । ଆଲିଙ୍ଗନକୁ ବୁଝିବେ । ପ୍ରତିକ୍ରିୟା ଦେଖାଇବେ ନାହିଁ–ବୁଝିବେ ।

 

ବୋଉ ଆସୁ–

 

ଲୀଳା ଆସୁ–

 

ମଞ୍ଜୁ ଆସୁ–

 

ବାପା ଆସନ୍ତୁ–

 

ପାପ ଆସୁ–

 

ପୁଣ୍ୟ ଆସୁ–

 

ଆସ ସମସ୍ତେ–ମୂର୍ଚ୍ଛିତ ହୁଅ । ଖୁସି ହୁଅନାହିଁ–ଦୁଃଖିତ ହୁଅନାହିଁ–ମୂର୍ଚ୍ଛିତ ହୁଅ ।

☆☆☆

 

Unknown

ଇତି ଉକ୍ତଂ ଜାରଜେନ

 

ନାଃ–କିଛି ଗୋଟାଏ ହେବା କଥାଟା ମିଛ । କିଛି ନ ହେବାଟାଇ ସିଦ୍ଧାନ୍ତ । କିଛି ନହେବା–ମାନେ “ମୁଁ”–ଯାହାକୁ ଅନ୍ୟମାନେ ଫେଲ୍‍କନ୍ ଦାସ୍ ନାମରେ ଡାକନ୍ତି–ସେ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ବା ନିଜେ ନିଶ୍ଚିନ୍ତ ହୋଇଯିବାକୁ ସେହି ଫେଲ୍‍କନ୍ ଦାସ୍‍ ନ ହୋଇ ଅନ୍ୟ କିଛି ହେବା–ଏଇ ଯେମିତି ସାଲ୍‍କମ୍ ଷଡ଼ଙ୍ଗୀ ବା ଦାଲୁଡ଼ିନ୍‍ ପୂଜାପଣ୍ଡା–ବା ସାଲାବ୍ଦୀନ୍ ପଢ଼ିଆରୀ ! ସେମାନେ ମୋତେ ଯାହା ହେବାକୁ ଭାବିଛନ୍ତି–ମୁଁ ତାହା ହେବି ନାହିଁ ବା ସେମାନେ ମୋତେ ଫେଲ୍‍କନ୍ ଦାସ୍‍ ରୂପେ ଯାହା ଭାବିଛନ୍ତି ମୁଁ ତାହା ନୁହେଁ । କିନ୍ତୁ ଏକଥା ମୁଁ କାହାକୁ ଜଣାଇବାକୁ ମଧ୍ୟ ବାଧ୍ୟ ନୁହେଁ । ମାତ୍ର କାହାର ମୋତେ ଯେମିତି ସେମିତି ଭାବିବାକୁ ଦେବାରେ ମଧ୍ୟ ମୁଁ ବାଧା ଦେବି ନାହିଁ । ଯିଏ ଯେମିତି ଖୁସି ଭାବୁ । ସେମାନେ ଫେଲକନ୍ ଦାସ କହିଲେ ବୁଝନ୍ତି–ଗୋଟାଏ ଲମ୍ପଟ ଯେ କେବଳ ସ୍ତ୍ରୀ ଲୋକଙ୍କ ପିଛା ଲାଗିଥାଏ ଓ କଳେ ବଳେ କୌଶଳେ ସେମାନଙ୍କୁ ନିଜ ବିଛଣାକୁ ଟାଣି ଆଣେ–ବା ନିଜେ ସେମାନଙ୍କ ବିଛଣାକୁ ଅଧିକାର କରେ । ଅତଏବ ତା’ର ମୁସ୍କ ଛେଦନ କରିଦେଲେ ସେ ଥଣ୍ଡା ହେବ । ଆଉ କେତେକ କହନ୍ତି–ଫେଲ୍‍କନ୍ ଦାସ ଗୋଟାଏ ଜୁଆଚୋର–ନିର୍ଦ୍ଦିଷ୍ଟ କିଛି କାର୍ଯ୍ୟ ନ କରି ଜୁଆଚୋରୀ କରି ଚଳେ । ଅତଏବ ତାକୁ ନେଇ ହାଜତ୍ ଘରେ ବନ୍ଦକରି ରଖ–ବା ଜେଲରେ ଘଣା ପେଲାଅ । ଆଉ ଦଳେ କହନ୍ତି–ଫେଲ୍‍କନ୍ ଦାସ୍‍ ଗୋଟାଏ ଆଡ଼ବାଇଆ ଲୋକ ଯେକି ଅନ୍ୟ ଟୋକାମାନଙ୍କ ଆଗରେ ଭୁଲ ଦର୍ଶନ ସବୁ ବଖାଣୁଛି ଓ ସେମାନଙ୍କୁ ମଧ୍ୟ ଆଡ଼ବାଇଆ କରି ଖରାପ କରୁଛି । ତା’ ଯୋଗୁଁ ସମାଜର ବହୁ ଅମଙ୍ଗଳ ହେଉଛି–ତାକୁ ଗୁଳି କରି ମାରିଦେଲେ ଦେଶର ମଙ୍ଗଳ ହେବ ।

 

ମୁଁ ଫେଲ୍‍କନ୍ ଦାସ କହୁଛି–ସେମାନେ ଯେ ଯାହା ଭାବୁଛନ୍ତି । ବା ଯାହା ମୋ ପାଇଁ ସିଦ୍ଧାନ୍ତ କରୁଛନ୍ତି–ତାହା ସେମାନେ କରନ୍ତୁ–ଭଲ ହେବ । ମାତ କାହାର ମୁସ୍କ ଛେଦିବେ ସେମାନେ-? କାହାକୁ ଜେଲ୍ ଦେବେ ? କାହାକୁ ବା ଗୁଳି କରି ମାରିବେ ? ଫେଲ୍‍କନ୍ ଦାସ ବୋଲି ପ୍ରକୃତରେ କିଏ ଥିଲେ ତ ? ସେମାନେ ହୁଏତ ଫେଲ୍‍କନ୍ ଦାସକୁ ଲକ୍ଷ୍ୟକରି ଗୁଳି କରିବେ–ମାତ୍ର ମରିବ ବିଚରା । ଆଉ ଜଣେ ଯାହା ନାଁ । ସେତେବେଳେ ହୋଇଥିବ ସାଲକ୍ଵାଆନ୍ ମୁଖାର୍ଜୀ । ଏହା କ’ଣ ମିଛ ? ସତ ହେଉ ନ ହେଉ ବାସ୍ତବ । ଜଣେ ମହାତ୍ମା ଗାନ୍ଧୀଙ୍କୁ ଲକ୍ଷ୍ୟକରି ଗୁଳି ଚଳେଇଲା–ମଲେ କିନ୍ତୁ ଆଉ ଜଣେ–ମୋହନ ଦାସ କରମଚାନ୍ଦ । ଜଣେ ମୃଗ କାନକୁ ଲକ୍ଷ୍ୟ କରି ଶର ମାରିଲା–ମଲେ କିନ୍ତୁ ଶ୍ରୀକୃଷ୍ଣ । ଉଦାହରଣ ବଢ଼ାଇ ଲାଭ ନାହିଁ । ଯଦି ଆଉ ଚାହୁଁଚ ତେବେ ଅନ୍ତତଃ ଆଉ ଗୋଟେ ଦଉଛି ଶୁଣ । ଜଲାରପଦା ଆଉ ନିଲମ୍‍ପୁର ସ୍କୁଲ ଭିତରେ ଯେତେଥର ଫୁଟବଲ ମ୍ୟାଚ୍ ହୁଏ ନିଲମ୍‍ପୁର ଜିତନ୍ତି । ଏଣେ ଜଲାରପଦା ଆଉ ନିଲମ୍‍ପୁର ଗ୍ରାମବାସୀଙ୍କ ଉପରେ ମଧ୍ୟ ପୁରୁଷ ପୁରୁଷର ଝଗଡ଼ା । ଜଲାରପଦା ବାଲା ଥରେ ରାଗି ଯାଇ ନିଲମ୍‍ପୁର ସ୍କୁଲର ସେଣ୍ଟର ଫରୁଆଡ଼୍‍କୁ ଛରୀ ଭୁଷି ମାରିଦେଲେ । ଭାବିଲେ–ନିଲମ୍‍ପୁରିଆ ମାରିଛନ୍ତି । କିନ୍ତୁ ପରେ ଦେଖାଗଲା–ନିଲମ୍‍ପୁରିଆଙ୍କ ସେଣ୍ଟର ଫରୁଆଡ କରିମ ଖାଁ ଫଟକ ସହରର କଂସେଇ ପିଲୁ ଖାଁର ବଡ଼ପୁଅ । ସେ ଭଡ଼ାରେ ବିଭିନ୍ନ ଜାଗାକୁ ଖେଳିବାକୁ ଯାଏ । ସେହି ତା’ର ରୋଜଗାର-। ଜଲାରପଦାବାଲା–ପ୍ରକୃତରେ କାହାକୁ ମାରିଲେ । ହେଲା ତ ?

 

ଛାଡ଼–ଯେ ଯାହା ଭାବୁଛି ମୋ ବିଷୟରେ କରୁଥାଉ–ମୋର କିଛି ଯାଏ ଆସେନା । ମାତ୍ର ମୋର ସିଦ୍ଧାନ୍ତ ହେଲା ବର୍ତ୍ତମାନ ଆଉ କିଛି ନ ହେବା । କିନ୍ତୁ ମୁଁ କେବଳ ଏହି ମାନସିକ କ୍ରିୟାଟିକୁ ସୌଜନ୍ୟ ଦୃଷ୍ଟିରୁ ହିଁ ସିଦ୍ଧାନ୍ତ ବୋଲି କହୁଛି । ଅସଲରେ ଏହା ଏକ ସିଦ୍ଧାନ୍ତ ନୁହେଁ । କାରଣ କିଛି ନହେବାକୁ ସିଦ୍ଧାନ୍ତ ନେବା ଅର୍ଥ ମଧ୍ୟ କିଛି ଗୋଟାଏ ହେବାର ସିଦ୍ଧାନ୍ତ ଭଳି ଆକାଶ କୁସୁମ ବଡ଼ ଅଜବ ବ୍ୟାପାର ।

 

ମୁଁ ବର୍ତ୍ତମାନ ଏଇ ଖୁଁଫା ଭିତରୁ ବାହାରି ଆସିଲି । ମିସ୍ ମିତିଆକୁ ବିଦାୟ ଦେଲି । କହିଲି–ଯାଅ ! ଆମର କାମ ସରିଗଲା । କିଛି ଆଉ ଭାବିବ ନାହିଁ । କାହା ବିଷୟରେ ବା ଭାବିବ-? ତୁମେ ଅବା ଭାବିବ ଯେ ଫେଲ୍‍କନ୍‍ ଦାସ ଆଜି ତୁମ ସଙ୍ଗେ ରାଣୀଗୁମ୍ଫା ଭିତରେ ରଜାରାଣୀ ଖେଳ ଖେଳିଲା । ଅସଲ କିନ୍ତୁ ଏହା ଫେଲ୍‍କନ୍‍ ଦାସ ନ ହୋଇ କାଡ଼ିଗନ୍ ଦାସର ଏକ କାଣ୍ଡ ହୋଇପାରେ । କିନ୍ତୁ କାଡ଼ିଗନ୍ ଦାସ ବୋଲି ମଧ୍ୟ କେହି ନାହିଁ ତୁମର ଭାବନାର ବିଷୟ ବା କର୍ତ୍ତା ହେବାକୁ । ତେଣୁ ତୁମେ ଏ ବିଷୟରେ ବା କାହାକୁ ଦାୟୀ କରିବ ? ଦାୟିତ୍ଵ ଦେବ ? ତୁମେ ଯାଅ-। ଖୁସି ହୋଇଯାଅ । ତୁମେ ଭଲ ସ୍ତ୍ରୀ ଲୋକ ବୋଲି ମୋର ଧାରଣା । ମିସ୍ ମିତିଆ ବେଶୀ କଥା କହନ୍ତି ନାହିଁ । ସେ ହସି ହସି ଚାଲିଗଲେ । ସେ ପ୍ରକୃତରେ ଭଲ ସ୍ତ୍ରୀ ଲୋକ । ଏତେ ସେତେ ନାହିଁ-। ହଁ ନାଁ ନାହିଁ । ହାଉଁ ମାଉଁ ନାହିଁ । କାଉଁ କାଉଁ ନାହିଁ ଗୁଁ ପୁଁ ନାହିଁ । ଥିଲା ଅଛି ହେବ ନାହିଁ-। ସେ ହସିଦେଲା । ଚାଲିଗଲା । ସତେକି କିଛି ହେଇନି ! ସତରେ କ’ଣ ଏମିତି ଗୁଡ଼େ ହେଲା ଯେ-! ଗଲାବେଳେ କହିଗଲା–ପୋଛିଦବ । ମୁଁ କହିଲି–ପୋଛିବା ଦରକାର ନାହିଁ ଆପେ ପୋଛି ହୋଇଯିବ । ଦେଖୁନ ! ଆମେ କ’ଣ ପୋଛୁଚୁ ? ଏ ଗୁମ୍ଫା ବାହାରେ ମୂର୍ତ୍ତିମାନଙ୍କର ନାକ, କାନ, ଆକ୍ଷି, ସ୍ତନ ସବୁ କିଏ ପୋଛିଦେଇଛି ? ପିମ୍ପୁଡ଼ିମାନେ, ଜନ୍ଦାମାନେ, କୁକୁର ଆଉ ବିଲେଇମାନେ ସବୁ ଚାଟିଚୁଟି ସଫା କରିଦେବେ । ସେମାନେ ପରୁଆ କରିଛନ୍ତି ? ତାଙ୍କ ପାଇଁ ପଥରର ଢିମା ଯାହା–ଏଇ ପଥର ନାରୀ ମୂର୍ତ୍ତିଟାର ସ୍ତନ ବୋଲି ଯାହାକୁ ଭାବୁଛ ସେଇଆ । ରସ ଯାହା ଲାଳ ତାହା । ସେମାନେ ସବୁ ସାଫ କରିଦେବେ । ଚାଟିଦେବେ । ଅଥଚ ନାଁ ହେବ ମହକାଳର-। ଯେ ଚାଟୁ–ମୋର କି ଯାଏ ଆସେ ? ଯଦି କାଳ ଚାଟିବ–ତେବେ ! କାଳକୁ ଡାକ । ଚଟାଚଟି କଥା କାଳ ବୁଝୁ । କିନ୍ତୁ ପ୍ରକୃତ କଥା ହେଉଛି–ତୁମେ ମୋତେ ଚାଟି ଦିଅ–ମୁଁ ତୁମକୁ ଚାଟିଦିଏଁ । ସବୁ ସାଫ୍ । ମିସ୍‍ମିତି ! ଆମେ ଅତଃପର ପରସ୍ପରଂ ଚାଟୟିତ୍ଵା ଚଟାଚଟି ଭୂତ୍ଵା–ସାଫ୍ ହୋଇଗଲୁ । ମିତିଆ ଚାଲିଗଲା । ତା’ର ପଛପଟର ବୟସ୍କ ନିତମ୍ବ ଓ ଜଘନାଦି ହଲିହଲି କହୁଥିଲେ–ମିତିଆ ନାହିଁ, ମିତିଆ ନାହିଁ ଆମେ–ଆମେ–ଆମେ । ଆମକୁ ମନେ ରଖିବ ? ମୁଁ କହିଲି–ଯାଉନ ! ମିତିଆ ଯଦି ନାହିଁ ତୁମେ ମାନେ ଅଛ ? ମୁଁ ଏକଥା ମାନିବି ! ଚାଟିବା ମାନେ ସମସ୍ତଙ୍କୁ ଚାଟି ସାଫ୍ କରିଦେବା । ତୁମେମାନେ କିପରି ଅଛ ? ତୁମ୍ଭେମାନେ ନାହଁ । ମୋର କି ଯାଏ ଆସେ ବାବୁ କିଏ–ଅଛି କି ନାହିଁ ବୋଲି ପ୍ରମାଣ କରିବାରେ ? ସ୍ଵୟଂ ପ୍ରତିଷ୍ଠା ବୋଲି ଯଦି କିଛିଥାଏ–ତେବେ ସେ କାହିଁ ? ମୁଁ ତ ତାକୁଇ ଖୋଜୁଛି ।

 

ଅସଲ କଥା ! ମୋ ପକେଟରେ ରୁଦ୍ରାକ୍ଷ ବୋଲି ଗୋଟାଏ ମାଳା ଅଛି । ତା’ର ତ ଫେର୍ ଗୋଟେ ବ୍ୟବସ୍ଥା କରିବାକୁ ହେବ ! ତେଣୁ ମୁଁ ବର୍ତ୍ତମାନ ସିଦ୍ଧ ଗୁମ୍ଫାକୁ ଯିବି । ମୁଁ ଏଇ ରାଣୀଗୁମ୍ଫାରୁ ବାହାରିଲି । ମିତିଆ ବି ତା’ ବାଟରେ ଗଲା ଚାଲି । ବର୍ଷାରୁ ରକ୍ଷା ପାଇବାକୁ ଆମେ ଏ ରାଣୀଗୁମ୍ଫାରେ ପଶିଲୁ । ତା’ ଭିତରେ ପଶିବା ମାତ୍ରେ ମିତିଆ ରାଣୀ ଭଳିଆ ହେଲା । ମୁଁ ଭାବିଲି ମୋର ଗୋଟାଏ କ’ଣ ରାଜଦଣ୍ଡ ଥେଲା ଭଳି ଲାଗୁଛି । ଏଇ ରାଜଦଣ୍ଡ ମୋର ସାଧନଦଣ୍ଡ ବର୍ତ୍ତମାନ । ଆମେ ରାଜାରାଣୀ ଖେଳ ସାଧିବା । ସେଇଠୁ ଆମେ ପରସ୍ପରର ଇଚ୍ଛାନୁସାରେ ସେ କାର୍ଯ୍ୟରେ ମାତିଲୁ । ସେଇଠୁ ପରସ୍ପରର ଇଚ୍ଛାନୁଯାୟୀ ସବୁ ପୋଛା ପୋଛି କରିଦେଲୁ । ଏ କାର୍ଯ୍ୟଟି ସଇଲା–ସରିଗଲା ।

 

ମାତ୍ର ବର୍ତ୍ତମାନ ଏଇ ରୁଦ୍ରାକ୍ଷ ନାମକ ଯେଉଁ ମାଳା–ତା’ର ତ ପୁଣି କିଛି ଗୋଟାଏ ବ୍ୟବସ୍ଥା କରିବାକୁ ହେବ ! ସେଥିପାଇଁ ମୋତେ କ’ଣ କିଏ ବାଧ୍ୟ କରୁଛି ? କରୁଥାଇପାରେ । ନିଜକୁ ମୋର ପିତା ବୋଲି ଜାହିର କରୁଥିବା ସ୍ଵର୍ଗତ ଜାନ ମହେନ୍ଦ୍ରି ଦାସ କହିବେ–ମୋର ସଂସ୍କାର ତୋ’ ରକ୍ତରେ ବହୁଛି–ତୁ ଯିବୁ କୁଆଡ଼େ ? ମୁଁ ଥିଲି ବାମାଚାରି ହଠଯୋଗୀ–ଜାଣିନୁ ? ଅମାବାସ୍ୟା ରାତିରେ ମଶାଣିରେ ଶବ ଉପରେ ବସି ସାଧନା କରୁଥିଲି । ମଣିଷ ଖପୁରୀରେ ମଣିଷମାଉଁସ ରାନ୍ଧି ଖାଉଥିଲି–ପଞ୍ଚମକାର ସାଧୁଥିଲି ମଦ୍ୟ, ମାଂସ, ମତ୍ସ୍ୟ, ମୁଦ୍ରା, ମୈଧନ–ଚଣ୍ଡୀ ସାଙ୍ଗେ ବୀରାଚାରରେ ବଳାତ୍କାର ରତି କରୁଥିଲି । ଖେଚରୀ ମୁଦ୍ରାରେ ଜିଭକୁ ଲମ୍ବାର ମୋ ତାଳୁ ବ୍ରହ୍ମରୁ ଅମୃତ ବିନ୍ଦୁ ଚାଟୁଥିଲି । ତୁ ଜାଣିନୁ ?

 

ମୁଁ ଜାଣେ–ସେ ରୁଦ୍ରାକ୍ଷ ମାଳଟା ଶେଷରେ ତୋ’ଉପରେ ପଡ଼ିବ । ତୁଇ ହେବୁ ମୋର ଉତ୍ତର ସାଧକ । ସେ ସଂସ୍କାର ମୁଁ ତୋତେ ଦେଇ ଆସିଛି । ତୁ ହାରାମ୍‍ଜାଦା ଯିବୁ କୁଆଡ଼େ ? ଜପ୍ ଜପ୍–ଯା ସିଦ୍ଧ ଗୁମ୍ଫାକୁ ଯା । ସେଠି ଦୁଆର ମୁହଁରେ ଦେଖିବୁ–କଙ୍କାଳୀବାବାର ମୂର୍ତ୍ତି ଅଛି । ଗୁମ୍ଫା ଉପରେ ଗୋଟାଏ ବରୁଣ ଗଛ ଲେପଟେଇ ରହିଛି । କଙ୍କାଳି ମୂର୍ତ୍ତି ଦେଖି ଗୁମ୍ଫା ଚିହ୍ନିବୁ । ସେ ମୂର୍ତ୍ତିଖାଲି ହାଡ଼ମାଳ । ସେଇ ହାଡ଼ମାଳ ଭିତରେ ବ୍ରହ୍ମବିଭୂତି ଅଛି । ରକ୍ତ ମାଉଁସ ବଡ଼ କଥା ନୁହଁରେ ହାରାମ୍‍ଜାଦା । ଷଡ଼ଚକ୍ର ବଡ଼ କଥା । କୁଣ୍ତଳିନୀକୁ ଜଗାଇ ସହସ୍ତାର ଯାଏ ଭେଦିଯିବା ବଡ଼ କଥା । ଇଅଁଳା ପିଅଁଳାରୁ ପ୍ରାଣ ପବନକୁ କାଢ଼ି ଆଣି ଶିଶୁମୁନା ଭିତରେ ବୁହାଇଲେ ଯାଇ ସେଠି ଭେଦିବୁ–ଜହିଂ ମନ ପବନ ନ ସଞ୍ଚରଇ–ରବି ଶସୀ ନୋହେ ପ୍ରବେଶ...

 

ମୁଁ କହିଲି–ହେ ପ୍ରେତାତ୍ମା ଅଶରୀରୀ ! ମୁଁ ଗୋଟାଏ ରୁଦ୍ରାକ୍ଷମାଳା ପାଇଛି ସତ । ମାତ୍ର ତୁମର ରକ୍ତ କ’ଣ ସତରେ ମୋ ଠାରେ ବହୁଛି ? ସତ କହୁଚ ? ଜାଣିଛ କିଛି ? ମତେ ଅବଶ୍ୟ ସମସ୍ତେ କହନ୍ତି–ଜାନ ମହେନ୍ଦ୍ରି ଦାସ ସୁତ–ତୋ’ ନାମ ଫେଲ୍‍କନ୍‍ ଦାସ । ଅବଶ୍ୟ ତୁମର ସେଇ ନାଁଟା ଉପରେ ମୁଁ ଏମ୍.ଏ. ପଢ଼ିବା ଯାଏ ସଚେତନ ନଥିଲି । ଏମ୍. ଏ. ପାସ ପରେ ମୁଁ ଚାକିରି ଉଦ୍ଦେଶ୍ୟରେ ମାଟ୍ରିକ ସାର୍ଟିଫିକେଟ୍ ଦେଖେ ତ–ପିତାର ନାମ ସ୍ଥଳେ ଲେଖା ହୋଇଛି ତୁମ ନାମ ସନ୍ ଅଫ୍ ଶ୍ରୀ ଜାନ ମହେନ୍ଦ୍ରି ଦାସ । ମୁଁ ସେଦିନ ରାଗ ଉଠି ସେ ନାଁକୁ ଦେଖି ଖେଙ୍କାରି ଉଠିଲି–କିଏ ବେ ତୁ ଜାନ ମହେନ୍ଦ୍ରି ? ମକୁନ୍ଦୀ ! ଧକ୍ ଧକୁନ୍ଦୀ ? ତୁ ମୋ ବାପା ? ନା ଚୋପାବେ ? ତା’ ହେଲେ ମୋ ବୋଉ ପାଖେ ମୋ ଜନ୍ମ ଆଗରୁ ଆଉ ପରେ ରାତିରାତି ଶୋଇଥିଲା ସେଇ ଯୋଉ ଛୋକାର ଟିଙ୍ଗା ବାବା–ନାଲ ନୀଳ ଆକ୍ଷି–ଭକ୍ ଭକ୍ ଧୁଆଁ ହ୍ଳିଁ କିଁ ସ୍ଵର–ଯାହାକୁ ତୁମେ ଗୁରୁ ବୋଲି ପୂଜା କରୁଥିଲ ସେ କାହା ବୋପା ? ସେ ଟିଙ୍ଗା ବାବା ଥରେ ମୋ ବୋଉ ପାଖେ ଶୋଇବ ବୋଲି (ତୁମେ ତ ମଶାଣୀରେ ମଡ଼ାକୁ ଧରି ଶୁଅ) ବୋଉକୁ ଭାଙ୍ଗ ପିଆଇ ଦେଲା । ମୁଁ ରାତିରେ ଉଠି ଖୁଜୁବୁଜୁ ହେବି ବୋଲି ଶଳା ମତେ ବି ଭାଙ୍ଗ ପିଆଇ ଦେଲା । ଶଳା ଟିଙ୍ଗା ମକୁନ୍ଦା ଭାବିଥିଲା–ମୁଁ ଶୋଇ ପଡ଼ିବି । ସେ ପୁଣି ମୋ ସାନ ଭାଇର ବାପ ହେବ । ଶଳା ନିଜକୁ ଜଗତ୍ର ଯାକର ବାବା ବୋଲାଉଥିଲା । ତା’ର ହୋଲେ ନା ଡୋଲେ ! ମାତ୍ର ମୋତେ ଆଉ ନିଶା ନଧରେ ! ଶ୍ଳା–ପିଲାଦିନୁଁ ମୋର ଗୋଟାଏ ବିଚିତ୍ର ଧାତୁ ହୋଇଗଲା । ଆଜିଯାଏ ବି ମୋତେ ଆଉ କିଛି ନିଶା ଧରୁନି । ଭାଙ୍ଗ ଅଫିମ, ମଦ ବଟିକା କିଛି ଆଉ କାଟୁ କରୁନି । ଶ୍ଳା ଭିତରେ ଗୋଟାଏ କିଏ ପାଗଳା ଅଛି–ତା’ ଆକ୍ଷିକି ତିଳେ କି ନିଦ ନାହିଁ । ମୁଁ ଶୋଇ ପଡ଼ିଲେ ବି ସେ ଶଳା ଜାଗ୍‍ତିଆର–ଖାଡ଼ା ପହରା–ମାତ୍ର ଖୁଜୁବୁଜୁ । ତାକୁ ଯଦି ନିଶା ଧରନ୍ତା ତେବେ ମୋର ଆଉ ପରୁଆ କ’ଣ ଥିଲା-?

 

ହେଇଗଲା ଫ୍ରେବୃଆରୀ ମାସରେ ରାତି ଅଧରେ ଆମେ ସବୁ ସହରତଳି ମଶାଣୀକୁ ଗଲୁ । ସେଦିନ ମୁଁ ଏକା ତିନିବୋତଲ ରମ୍ ପିଇଦେଲି ସର୍ବତ ଭଳିଆ । ସୁରିଆ କହିଲା–ପିଇନା ବେ ଏତେ–ମରିଯିବୁ । ମୁଁ କହିଲି–ବେଧଛୁଆମାନେ ମରନ୍ତିନି ବେ ଏତେ ସହଜରେ ! ତାଙ୍କ ଜୀବନ ବିଷରେ ତିଆରି ପିଲାଦିନୁଁ । ସମସ୍ତିଙ୍କ ନିଶା ହେଲା–ମାତ୍ର ରାତିଯାକ ମୁଁ ଛଟ୍‍ପଟ୍ ହେଉଥାଏ–ନିଶା ଧରୁ ନ ଥାଏ । ଅଳ୍ପ ଦୂରରେ ଦୁଇଟା ମୁର୍ଦ୍ଦାର ପୋଡ଼ା ହେଉଥାଏ । ସେ ମଶାଣୀରେ ଯୋଉ ମଶାଣିଚଣ୍ଡା ବାବାଜୀ ଥାଏ ସେ ବି ଆସି ଆମ ଦଳରେ ମିଶିଲା । ଆମଠାରୁ ରମ୍ ପିଇଲା–ଗଞ୍ଜେଇ ଟାଣିଲା–ଆମକୁ ବି ଚଣ୍ଡ ହେଲା । ମୁଁ ଦୁଇଟା ଦାମ୍ ରେ ଚିଲମଟାକୁ ବି ପାଉଁଶ କରିଦେଲି । ମୁର୍ଦ୍ଦାର ପୋଡ଼ା ଗନ୍ଧ ନାକକୁ ଭାରି ଆରାମ ଦଉଥାଏ । ଚିତାର ନିଆଁ ମଧ୍ୟ ବେଳେବେଳେ ବିଜୁଳି ଭଳିଆ ଆମ ଉପରେ ଆସି ପଡ଼ୁଥାଏ । ମୁଁ ଭାବୁଥାଏ–ଶଳା ସମସ୍ତେ ଏକାଦିନକେ ପୋଡ଼ା ହୁଅନ୍ତେ କି । ଚାରିଦିନ ହାଲୋରମୟେ ହୋଇ ଉଠନ୍ତା । ସେଇଠୁ ସେ ବାବାଜୀ କହିଲା–ଭଜନ ବୋଲ ଭକ୍ତମାନେ । ସୁରିଆ ବୋଲିଲା–ପନ୍ଦର ବୟସେ ହେଲି ଆମର ମତ୍ତାରେ ମନ ଅମର ମତ୍ତା–ଏବେ ତିରିଶି ହେଲାଣି–ମୋର କାମିନୀ ଚିନ୍ତା–ଆରେ କାମିନୀ ଚିନ୍ତା-। ମୁଁ ସୁରିଆ ପାଟିକୁ ଚାପିଧରି କହିଲି–ଶୁଣ୍ ବେ–କବିତା ଶୁଣ ! ସମସ୍ତେ କହିଲେ–ବୋଲ୍ ବୋଲ୍ । ମୁଁ କହିଲି–ଇଂରାଜୀ, ନା ବଙ୍ଗଳା ନା ଓଡ଼ିଆ ? ସମସ୍ତେ କହିଲେ–ସବୁ ଭାଷାରେ ବୋଲ-। ମୁଁ ଠିଆ ହୋଇପଡ଼ି ଖତେଇ ହେଲା ଭଳି ଅଭିନୟ କରି ବୋଲିଲି–

 

In the night more of dark

All the dogs of city bark,

 

ସେମାନେ ସମସ୍ତେ ତାଳିଦେଇ ପାଳି ଧରିଲେ–ଆରେ ଅଲ୍‍ ଦି ଡଗ୍‍ସ ଅଫ୍ ସିଟି ବାର୍କ–ଅଲ ଦି ଡଗ୍‍ସ ଅଫ ସିଟି ବାର୍କ । ସେଇଠୁ ସୁରିଆ ଗୀତ ଛାଡ଼ି କୁକୁରଙ୍କ ଭଳି ବିକଟାଳ ବୋବାଳି ଛାଡ଼ିଲା । ତା’ ସାଙ୍ଗେ ପାଳି ଧରି ଅନ୍ୟମାନେ ମଧ୍ୟ କିଛି ସମୟ କୁକୁର ଭଳି ବୋବେଇ ଉଠିଲେ । ସେମାନେ ନୀରବ ହୁଅନ୍ତେ–ମୁଁ ପୁଣି ଆଉ ଗୋଟେ କବିତାର ଧାଡ଼ି ବୋଲିଲି ସୁର୍‍ ଧରି–

 

ଆରେ–

 

Crazed we come and

coarsened we go

Our wobbling way,

there is a white silence

Of antiseptics and instruments

at both ends, but

ababble between and

a shame surely.

 

ସେଇଠୁ ସମସ୍ତେ ପୁଣି ପ୍ରମତ୍ତ କଣ୍ଠରେ କାହାକୁ ଖତେଇ ହେଲା ଭଳି, ଥଟ୍ଟା କଲାଭଳି ତାଳିମାରି ତାଳଧରି ଶେଷପଦକୁ ଡୁହାକରି ଗାଇ ଗାଇ ନାଚିଲେ–ଏ ବାବ୍‍ଲ ବିଟ୍ ଉଇନ୍, ଆଣ୍ଡ ଏ ସେମ୍ ସିଓର୍‍ଲି–ଏ ବାବଲ୍‍ ବିଟ୍ ଉଇନ୍, ଆଣ୍ଡ ଏ ସେମ୍ ସିଓର୍‍ଲି । ଡାଡୀ ସେମ୍ ସିଓର୍‍ଲି –ମମୀ ସେମ୍ ସିଓର୍‍ଲି–ବ୍ରାଦାର ସେମ୍ ସିଓର୍‍ଲି –ଅଙ୍କଲ ସେନ୍ ସିଓର୍‍ଲି –ବାବାଜୀ ସେ ମ୍ ସିଓର୍‍ଲି......

 

ସମସ୍ତେ ଗାଇ ଗାଇ ନାଚି ନାଚି ତଳେ ପଡ଼ିଗଲେ । ଫେର ଗୋଟାଏ ରାଉଣ୍ଡ ବିଅର ପିଆଗଲା । ଶୋଷେଇ ଯାଇଥିଲେ ନା ! ସେଇଠୁ ମଶାଣି ଚଣ୍ଡା ବାବାଜୀ କହିଲା–ଭାଗବତ ଗାଇ ଆସେ ଯଦି ଗାଅ ଭକ୍ତ ମାନେ । ସଲୋମନ କହିଲା–ଫେଲକନ୍‍ ତୁ ଗା ! ମୁଁ ସେଇଠୁ ଗାଇଲି ଭାଗବତୀ ସୁରରେ–

 

ହେ ସଲୋମନ ନାଗେଶ୍ଵର–ବାପାଙ୍କୁ ଦେଖିଛି କି ମୋର ?

ଆଗୋ ଜନନୀ ଆଦିମାତା–କହ ସେ କିଏ ମୋର ପିତା ?

ବାଳୁ ତ କାଳୁ ମୁହିଁ ଜାଣ–ଦେଖିନି ପିତାଙ୍କ ବଦନ ।

କାହା ବୀର୍ଯ୍ୟରୁ ମୁହିଁ ଜାତ–କି ଅବା ଶୂନ୍ୟରୁ ଆଗତ ?

ଶୂନ୍ୟକୁ ଶୂନ୍ୟକି ରମିଲା–ତା’ ତହୁଁ ବିନ୍ଦୁ କି ଛରିଲା ?

ସେ ବିନ୍ଦୁ ମୁହିଁ କିବା ଜାତ–ଜନନୀ କହ ସେ ଉଦନ୍ତ ।

ଯଦିଏ ଟିଙ୍ଗା ବାବା ନାମେ–ଥିଲା ସେ ବୋଉ ସନ୍ନିଧାନେ

ବୋଉ ତାହାର ଭୁଜ ଧରି–ବାପାଙ୍କୁ ଗଲାଟି ପାଶୋରୀ

ବାପା ଯେ ଥିଲା ମଶାଣୀରେ–ରତି କରିଣ ମଡ଼ା ତୁଲେ

ଏବେ ବୋଲାଏ ସେ ମୋ ପିତା–ଜନନୀ କହ ସତ୍ୟାସତ୍ୟ !

 

ସେଇଠୁ ସମସ୍ତେ ଗଦ୍‍ଗଦ୍ କଣ୍ଠରେ ଘଡ଼ିଏ କାଳ ଆପଣା ଆପଣାର ମା’ ମାନଙ୍କୁ ପଚାରିଲା ପରି ଶେଷ ପଦ୍ୟଟିକୁ ମିଳିତ କଣ୍ଠରେ ଗାଇଲେ–ଜନନୀ ବର ବର କହ ସତ୍ୟାସତ୍ୟ–(ଆରେ) ଜନନୀ ବର ବର ବର କହ ସତ୍ୟାସତ୍ୟ । ଏହି ସମୟରେ ମଶାଣୀଚଣ୍ଡୀର ଚିଲମ୍ ନିଆଁଟା ଧପ୍‍କିନା ଜଳି ଉଠିଲା । ସେ ଗୋଟାଏ ଅଟ୍ଟହାସ୍ୟ କଲା ଭୈରବର ଅଟ୍ଟହାସ୍ୟ । ସମସ୍ତେ ହୋ ହୋ କରି ହସି ଉଠିଲେ । ଦିନାଟା ଶଳା ନବରଙ୍ଗିଆ । ତା’ ମଥାରେ ଟିକିଏ ବି ଦହି ନାହିଁ । ସେ ଠିଆ ହୋଇପଡ଼ି ସମସ୍ତଙ୍କ ମୁହଁ ପାଖେ ହାତ ହଲାଇ ଟିହାଇଲା ଢଙ୍ଗରେ ଗାଇଲା ।

 

ଆରେ ମକୁନ୍ଦା ! ଧକ୍ ଧକୁନ୍ଦା ! ତୋ ବୋପା କୁଆଡ଼େ ଗଲା ? ସମସ୍ତେ ତା’ କଥାର ଉତ୍ତର ଦେଲେ ସୁର୍ ଦେଇ ମୃଦଙ୍ଗୀ ଢଙ୍ଗରେ ଆମକୁ ଜଣା ନାହିଁ, ଆମକୁ ଜଣା ନାହିଁ । ଅବଶେଷରେ ସମସ୍ତେ ଖୁସି ହେଲେ ଶୁଣି ଯେ ମୁଁ ଗୋଟାଏ ଦୋଚାରୁଣୀର ପୁଅ । ସୁରିଆ କହିଲା ହେ ଫେଲ୍‍କନ୍‍ ! ଆମେ ସମସ୍ତେ କ’ଣ ସେଇଆ କିରେ ? ତୋ ଭଳିଆ ? ସେମିତି ଆମକୁ ଲାଗୁଛି ବେ । ଭଲ ଲାଗୁଛି । ଏଥର ମନ ହେଉଛି ଚାଲ ସବୁ ଭାଙ୍ଗିଦେବା । ସହରଯାକର ସବୁ ଗଳିରେ ବାପା ବୋଲାଉଥିବା ମୂର୍ତ୍ତିମାନ ଅଛି ବେ । ଚାଲ ସମସ୍ତେ ସେ ମୂର୍ତ୍ତିମାନ ଭାଙ୍ଗିଦବା ନହେଲେ ସବୁ ମୂର୍ତ୍ତିର ଗାଲରେ ଚୂନ ଆଉ ଆଲକାତରା ବୋଳିଦବା । ଗୋଲମରିଚ ଚୋବେଇବା–ସଭିଙ୍କି ଯାବିଛ ଶୋଧିବା–ବାବାଜୀମାନଙ୍କୁ ଧରି ଶୂଳୀ ଦବା–ବାପାମାନଙ୍କ ପିଚାରୁ ଲୁଗାକାଢ଼ି ପିଟିବା ମା’ ମାନଙ୍କୁ ଖତେଇହେବା ଟିହାଇବା–ଧମକାଇବା–ଦେଖା ଆମ ବାପାଙ୍କୁ ଦେଖା–ଦେଖା ଚଞ୍ଚଳ ନହେଲେ ଦେଖିବୁ । ସେଇଠୁ ସ୍କୁଲ କଲେଜକୁ ଯାଇ ସବୁ ପିଲାଙ୍କ ବାପାମାନଙ୍କ ନାଁକୁ ରେଜିଷ୍ଟରରୁ କାଟିଦବା କ’ଣ ଏ ପ୍ରସ୍ତାବ ତୋ ମନକୁ ପାଉଛି ନାରେ ଫେଲ୍‍କନ୍ ? ମୁଁ କହିଲି–ଯାହା ପାରୁଛ କର । ମୋ କାମ ବଢ଼ିଯାଇଛି । ମୁଁ ମୋ କଥା ବୁଝିବି–ମୋ ପାଇଁ ଆଉ କିଛି କର୍ତ୍ତବ୍ୟ ଅବର୍ତ୍ତବ୍ୟ ନାହିଁ ।

 

...ତେଣୁ ସ୍ୱର୍ଗତ ବାପାଙ୍କ ପ୍ରେତ ମୋର ସଂସ୍କାର ବଢ଼ାଇ ଦେବାକୁ ମୁଁ ଯେ ଏ ରୁଦ୍ରାକ୍ଷ ମାଳାର ସଦବ୍ୟବହାର କରିବି ତା’ ନୁହେଁ । ଅସଲ କଥା–ମୁଁ ସେଦିନ ସେଇ ନିଶା–ଧ୍ୟାନସ୍ଥ ମଶାଣୀଚଣ୍ଡା ଗଞ୍ଜୋଡ଼ ଅଘୋରୀ ବାବାଜୀକୁ ଧରି ତା’ ଗାଲରେ କଷିକରି ଦୁଇଟି ଚଟକଣୀ ମାଇଲି । ଚମକିପଡ଼ି ସେ ଶଳା ବି ଭାରି ଖୁସିରେ ରାଗି ଉଠିଲା । ତେଜୀ କଣ୍ଠରେ କହିଲା–କ’ଣ ନବୁବେ ଶଳା ହାରାମ୍‍ଜାଦା ? ମୁଁ ତା’ ବେକର ମାଳିକୁ ଧରି କହିଲି ଏଇଟା କି ମାଳି ବେ ? ସେ କହିଲା ରୁଦ୍ରାକ୍ଷ । ମୁଁ କହିଲି ଏଥିରେ କ’ଣ କରାଯାଏ ? ସେ କହିଲା ଜପା ଯାଏ । ମୁଁ କହିଲି ସେଇଟା ମତେ ଦେ । ସେ କହିଲା ନଉନୁ ! ମାରୁଚୁ କାହିଁକି ? ନେ ଜପ୍ । ପାଇବୁ ଶଳା ଚେଙ୍ଖ ଯା । ସେଇଠୁ ସେ ମତେ ଚିଲମ ଦେଖେଇଲା–କହିଲା ଏଇଟା ବି ନବୁ ? ମୁଁ କହିଲି ଚୋପ୍ ବେ–ଶଳା ଭାବିଛି–ମାଳା ସଙ୍ଗେ ଚିଲମ୍ ଧରେଇ ମତେ ଗୋଟେ ଦୀକ୍ଷା ଦବ ତା’ ବାଟରେ ମତେ ଚଲେଇବ ।

 

ସେଇ ମାଳାଟି ବର୍ତ୍ତମାନ ମୋ ହାତରେ । ଆଜିଯାଏ ମୁଁ ତାକୁ ଜପି ନଥିଲି । ପକେଟରେ ରଖିଥିଲି । ସେଇ ମାଳା ବର୍ତ୍ତମାନ କହୁଛି ମତେ ଜପ୍ ! ମୁଁ କହୁଛି ହଉ ତତେ ଜପିବି । ଏତିକି ତ ତଥ୍ୟ ଆଉ କ’ଣ ? ମିତିଆ କହିଲା ମୋତେ ଧ–ମୁଁ ଧଇଲି । ମୁଁ ମିତିଆକୁ କହିଲି ମତେ ଛାଡ଼୍ । ସେ ମତେ ଛାଡ଼ି ଦେଲା । ଏତିକି ତ ତଥ୍ୟ ଆଉ କ’ଣ ?

 

ଅଗତ୍ୟା ମାଳା ଧରି ମୁଁ ସିଦ୍ଧ ଗୁମ୍ପା ଅନ୍ୱେଷଣରେ ଗଲି । ଏ ଗୁମ୍ପାଟା ପାଇବା ମୁସ୍କିଲ ସହସ୍ରେ ଗୁମ୍ଫା ଏଠି ଅଛି । କିନ୍ତୁ ସିଦ୍ଧଗୁମ୍ଫା ମୁହଁରେ କଙ୍କାଳୀବାବାର ମୂର୍ତ୍ତି ରହିଛି ଏଇ ପ୍ରମାଣ । କିନ୍ତୁ ମୁଁ ଯେ ବାବାଜୀ ସିଦ୍ଧ ବା ଯୋଗୀ ହେବାକୁ ଯାଉଛି ତା’ ନୁହଁ । ଫେର୍ କିଏ ଆସିବ–ମୋ ଗାଲରେ ଦୁଇ ଚଟକଣୀ ମାରି ମୋ ଠାରୁ ମାଳାଟି ଛଡ଼େଇ ନବ । ମୁଁ କିଛି ହେବି ନାହିଁ । କିଛି ହେବାର ନହେବାର ସିଦ୍ଧାନ୍ତ ମୋର ଆପାତତଃ ନାହିଁ ।...

 

ସେହି କଥା ମତେ ସେଦିନ ପଚାରିଥିଲା କୁମାରୀ ଜୁଲୀ ମିଶ୍ର । ଅସାଧାରଣ ମନସ୍ତତ୍ତ୍ୱ ଉପରେ ଗବେଷଣା କରୁଥିଲା ସେ । ମୁଁ ଗବେଷଣା କରିଛି ବୋଲି ଦେଖେଇ ହେଉଥିଲି । ଅସଲ କିନ୍ତୁ ଖିଆଲ ଖୁସିରେ ଏଣୁତେଣୁ ବହି ପଢ଼ୁଥିଲି । ଗୋଟାଏ ବୃତ୍ତି ପାଉଥିଲି ମାସକୁ ଦେଢ଼ଶ ଟଙ୍କା-। ସେଦିନ ମୁଁ ଲାଇବ୍ରେରୀରୁ ଫେରୁଥିଲି । ପାଞ୍ଚଘଣ୍ଟା ଧରି ଏକାଦିକ୍ରମେ ସେ ଦିନ ମୁଁ ଗୋଟାଏ ବହି ପଢ଼ୁଥିଲି ଲାଇଫ୍ ଡିଭାଇନ୍ । ଏଠୁ ସେଠୁ ପଢ଼ୁଥିଲି । ଦି ହ୍ୟୁମାନ୍ ଆସ୍ପିରେସନ୍–ଡେଷ୍ଟିନି ଅଫ୍ ଦି ଇନ୍ଡ଼ିଭିଜୁଆଲ୍–ମ୍ୟାନ୍ ଇନ୍ ଦି ଇଉନିଭରସ୍, ଡିଲାଇଟ୍ ଅଫ ଏକ୍‍ଜିଷ୍ଟେନ୍‍ସ, ଦି ପ୍ରୋବ୍ଲେମ ଆଣ୍ଡ ଦି ସଲ୍ୟୁସନ୍ ଡେଥ, ଡିଜାୟାର ଅଣ୍ଡଇନ୍‍କାପାସିଟି–ଦି ଡବଲସୋଲ୍ ଅଫ ମ୍ୟାନ-। ବହିଟି ଖୁବ୍ ଆଗ୍ରହ ଓ ଆବେଗରେ ପଢ଼ି ଯାଉଥିଲି । କିନ୍ତୁ ହଠାତ୍ ମତେ ଖୁବ୍ ବିମର୍ଷ ବୋଧହେଲା । ରାଗ ମଧ୍ୟ ହେଲା ? ଏସବୁ କ’ଣ ? କଥା କ’ଣ ? ଏ ଜୀବନକୁ ଏତେ ମୂଲ୍ୟ କିପରି ଦିଆଯାଉଛି । ୟା ବିଷୟରେ ଏତେ ନିଶ୍ଚିନ୍ତ ସିଦ୍ଧାନ୍ତ କିପରି ନିଆଯାଇ ପାରୁଛି ? ସତରେ କ’ଣ ଏ ଜୀବନକୁ ନେଇ କିଛି ଗୋଟାଏ କରିଦେଇ ହେବ ? ଅବଶ୍ୟ ଯେ ଏ ସିଦ୍ଧାନ୍ତ ନେଇଛନ୍ତି ଓ ସିଦ୍ଧାନ୍ତ ନେବାକୁ ବାଟ ଓ ନିର୍ଦ୍ଦେଶ ଦେଇଛନ୍ତି ସେ ବହିରେ–ତାଙ୍କର ଗୋଟିଏ ଚମତ୍କାର ଫେଟୋ–ମୁଁ ତାଙ୍କର ଆଉ ଖଣ୍ଡିଏ ବହିରେ ଦେଖିଥିଲି । ସେ ଗୋଟିଏ ଧୋତିପିନ୍ଧି ସେଇ ଧୋତିର ଫେରକୁ ଘୋଡ଼େଇ ହୋଇ ଠିଆ ହୋଇଥିଲେ ସେ ଭାରି କରୁଣ ଦେଖାଯାଉଥିଲେ । ସତେ କି ସେ ତାଙ୍କର ପୁତ୍ରମାନଙ୍କୁ ହରାଇଥିଲେ । ସତେକି ସେ ତାଙ୍କର ବାଳୁଙ୍ଗା ପୁଅମାନଙ୍କ ଲାଗି ସ୍ନେହ ଓ କାରୁଣ୍ୟରେ ବିଗଳିତ ମୂର୍ତ୍ତି । ମୁଁ ଏଡ଼େ ସୁନ୍ଦର ପିତୃମୂର୍ତ୍ତି କେଉଠି ଦେଖି ନ ଥିଲି-। ହିଁ ଦେଖିଥିଲି–ଶହେବର୍ଷ ପୂର୍ବେ ଚିକାଗୋରେ ଯେଉଁ ସ୍ଵାମୀ ବକ୍ତୃତା ଦେଇ ବିଖ୍ୟାତ ହୋଇଥିଲେ-। କଥିତ ଅଛି କୁଆଡ଼େ ତାଙ୍କ ଗୁରୁ ଯେ ପରମହଂସ ତାଙ୍କର ଗଳା କାନ୍‍ସର ହୋଇଥିଲା । ଥରେ ସେ ରକ୍ତ ପୂଜାମିଶା କ୍ଷୀରୀ ବାନ୍ତି କରି ପକାଇଲେ । ପାଖରେ ଠିଆ ହୋଇଥିବା ବହୁ ଅର୍କ୍ଷିତ ଚେଲାଙ୍କ ଭିତରୁ ଜଣେ ଚେଲା କହିଲେ–ସମସ୍ତେ ତ କହୁଛ–ଏ ଗୁରୁ ଅବତାର । ଆଚ୍ଛା ଏ ବାନ୍ତିକୁ ତୁମ ଭିତରୁ କିଏ ବର୍ତ୍ତମାନ ଗିଳିଦେଇ ପାରିବ ? ଚିକାଗୋ ବକ୍ତୃତାବାଲା ସ୍ୱାମୀ ତାକୁ ସାଙ୍ଗେ ସାଙ୍ଗେ ତଳୁ ଆଞ୍ଜୁଳାରେ ଉଠାଇ ଆଣି ସମସ୍ତଙ୍କ ଆକ୍ଷି ଆଗରେ ଗିଳିଦେଲେ । ସେଇ ଚିକାଗୋ ବକ୍ତୃତାବାଲା ସ୍ୱାମୀ ଆଉଥରେ ଆମେରିକାରେ ଖୁବ୍ ସୁନ୍ଦରୀ ଯୁବତୀମାନଙ୍କୁ ବ୍ରାହ୍ମବିଦ୍ୟା ଆଉ ଅଦ୍ୱୈତ ଯୋଗ ଶିଖାଉଥିଲେ । ହଠାତ୍ ତାଙ୍କର କାମଭାବ ଜାଗ୍ରତ ହେଲା । ସେ କାମ ଉପରେ ରାଗିଯାଇ ଗୋଟାଏ ଡହଡହ ତତଲା କୋଇଲା କଡ଼େଇ ଉପରେ ବସିପଡ଼ିଲା । ତାଙ୍କର ପିଚା ପୋଡ଼ିଗଲା । ଛ ମାସକାଳ ସେ ଯନ୍ତ୍ରଣା ଭୋଗିଲେ । ମାତ୍ର ସେଇ ଯନ୍ତ୍ରଣା ଭିତରେ ସେ ହସୁଥିଲେ କହୁଥିଲେ ଚିରଦିନ ଲାଗି କାମ ଭସ୍ମୀଭୂତ । ସେଇ ଚିକାଗୋ ବକ୍ତୃତାବାଲାଙ୍କ ଫଟୋ ଦେଖି ଥରେ ମୁଁ ଉସୁମାନ୍ କାନ୍ଦିଥିଲି । ସେ କହୁଥିଲେ ଆମେ ସବୁ କୁଆଡ଼େ ଅମୃତସ୍ୟ ପୁତ୍ରାଃ-। ଆମେ ସବୁ ସିଂହଶାବକ । ମେଷପଲରେ ରହି ମେଣ୍ଢା ବୋଲି ନିଜକୁ ଭାବୁଛୁ ଆଉ ମରୁଛୁ । ମୁଁ ତାଙ୍କ କଥାରେ ବିଶ୍ୱାସ କରି ଫେର୍ କାନ୍ଦି ଉଠିଲି । ସେଇଠୁ ମୁଁ ତାଙ୍କ ଫଟୋକୁ ଚୁମା ଦେଲି-। ମନେମନେ ତାଙ୍କ ପାଦକୁ ସାଉଁଳିଲି । ତାଙ୍କ ଛାତିରେ ମୁହଁ ରଖି କାନ୍ଦି କାନ୍ଦି କହିଲି ତୁମେ ମୋ ବାପା ହେବ ? ସେ କହିଲେ ମୁଁ କାମକୁ ଭସ୍ମ କରିଛି । ତା’ କିପରି ସମ୍ଭବ ହୋଇଥାନ୍ତା ବା ହେବ-? ତୁମେ ମୋର ଭାଇ ହୁଅ ।

 

ମୁଁ ସେଇଠୁ ରାଗିଗଲି । କହିଲି–ମୁଁ ତ ଟିଙ୍ଗାବାବାର ଅବୈଧ ସନ୍ତାନ ମୁଁ କେମିତି ଅମୃତସ୍ୟ ପୁତ୍ରଃ ହେଲି ? ସେ କହିଲେ ତୁମେ କାହାର ସନ୍ତାନ ନୁହଁ–ବ୍ରହ୍ମର ସନ୍ତାନ ନିଜେ ବ୍ରହ୍ମ ।

 

ତାଙ୍କ କଥା ବିଶ୍ୱାସ କରିଯିବା ଭଳି–ମାନିଯିବା ଭଳି । ମାତ୍ର ବ୍ରହ୍ମକୁ ଫେର୍ ବୁଝିବି କିପରି ? ଏ ସବୁ ବେଧଛୁଆଙ୍କୁ ସାଧୁମାର୍ଗରେ ଭଣ୍ଡାଇବା କଥା । ମୁଁ ରାଗିଗଲି । କହିଲି–ତୁମେ ଯଦି ମୋ ବାବା ହବନାହିଁ–ତେବେ ମୁଁ ଜାହନ୍ନମାକୁ ଚାଲିଲି । କ’ଣ କରୁଚ କର । ୟା କହି ତାଙ୍କ ଫଟୋକୁ ରାଗରେ ତଳେ କଚାଡ଼ିଦେଲି । ହସ ହସ ହୋଇ ଆଗକୁ ଚାଲିଗଲି । ଫେର୍ କ’ଣ ହେଲା । କେଜାଣି–କାନ୍ଦି କାନ୍ଦି ପଛକୁ ଫେରି ସେ ଫଟୋକୁ ଛାତିରେ ଜାକି ଧରିଲି–କାନ୍ଦି କାନ୍ଦି କହିଲି ଚିକାଗୋ ବକ୍ତୃତାବାଲା ! ତୁମେ ଭଲ–ଭାରି ଭଲ । ତୁମେ ସତ କହୁଚ ନିଜକୁ ଠକାଉନାହଁ ମୁଁ ଜାଣେ । ପ୍ରମାଣ ଲୋଡ଼ାନାହିଁ । ମାତ୍ର ତୁମେ ଆମମାନଙ୍କୁ କାହିଁକି ଠକାଉଛ ? ତୁମେ ଆମ ଯନ୍ତ୍ରଣା ବୁଝିଛ ? ବୁଝିଛ–ଆମ୍ଭେମାନେ ଜାରଜ ? ଜାରଜ ହେବାର ଜ୍ଵାଳା ଓ ବିକୃତି ତୁମେ ବୁଝିଛ-? ମୁଁ ମାନୁଛି–ତୁମେ ଆମର ପରମ ମଙ୍ଗଳାକାଂକ୍ଷୀ । ମାତ୍ର ଆମର ମଙ୍ଗଳ କରିବା ନିଶାରେ ତୁମେ ଆମକୁ ମିଛକଥା କହୁଛ କାହିଁକି ? ତା’ ଅପେକ୍ଷା ସେଇ ଯେ ଯାହାକୁ କ୍ରୁସରେ ଚଢ଼େଇ ବେଧଛୁଆମାନେ ମାରିଥିଲେ–ତାଙ୍କ କଥା ବରଂ ଠିକ୍ । ସେଇ କହୁଥିଲେ–ସାରା ଦୁନିଆ ଜାରାଜପାପରୁ ଜନ୍ମ ହୋଇଛି । ସେମାନଙ୍କୁ ତାଙ୍କର ଅସଲ ପିତା ଜ୍ଞାତବ୍ୟ ନାହିଁ । ସେଇ ଠିକ୍ ବୁଝିଥିଲେ ଏହି ପାର୍ଥିବ ଜାରାଜମାନଙ୍କର ପାପସମ୍ଭୂତମାନଙ୍କର କି ଯନ୍ତ୍ରଣା ! ସେଥିପାଇଁ ତ କ୍ରୁସକୁ ନିଜ ବେକରେ ଗଳାଇ ଦେଲେ । କଣ୍ଟାର ମୁକୁଟ ପିନ୍ଧିଦେଲେ–ପାଦରେ ଲୁହା କଣ୍ଟା ପିଟା ହେବା ସହିଲେ । ସହିଲେ କ’ଣ ? ଯନ୍ତ୍ରଣାରେ ଛଟପଟ ହୋଇ ତାଙ୍କର ଅଦୃଶ୍ୟ ପିତାଙ୍କ ଉଦ୍ଦେଶ୍ୟରେ ଚିତ୍କାର କରି ଉଠିଲେ–Father ! You too forshook me atlast ! ପିତଃ ! ତୁମେ ବି ମତେ ଶେଷରେ ପରିତ୍ୟାଗ କଲ ! ହାଃ ହାଃ ହାଃ–ଈଶ୍ୱରଙ୍କ ପୁତ୍ର ବୋଲାଉଥିବା ଅବତାର ମଧ୍ୟ ଶେଷ ପର୍ଯ୍ୟନ୍ତ ପିତୃ ପରିତ୍ୟକ୍ତ ! ଏକା ସମ୍ପୂର୍ଣ୍ଣ ଏକା । ଚରମ ଯନ୍ତ୍ରଣାବେଳରେ ବି ଏକା । କୋଉ ବାପା ପିଠିରେ ପଡ଼ିବ ନାହିଁ । କିନ୍ତୁ ଏହା ମଧ୍ୟ ଭାବୁଛି–ଈଶ୍ୱରଙ୍କ ଜାରଜ ପୁତ୍ର ସେହି ଆପଣା କ୍ରୁସ ଆପେ ବହନକାରୀ ବ୍ୟକ୍ତିଟି ଭଲ–ଭାରି ଭଲ ।

 

ଆମକୁ ଅବଶ୍ୟ କ୍ରୁସରେ ଚଢ଼ାଉ କିଏ ମାନୁନି । କାରଣ ଆମେ ନିଜକୁ ଈଶ୍ୱରପୁତ୍ର ବୋଲି ଘୋଷଣା ବା ଦାବି କରିନାହୁଁ । ଆମେ ଜାରଜ ବୋଲି ଆମକୁ ମରିବା ଲାଗି ମଧ୍ୟ କାହାର କେୟାର ନାହିଁ । କିନ୍ତୁ ଆମେ କ’ଣ ଆମ କ୍ରୁସଟିମାନ ଆପେ ଆପେ କାନ୍ଧରେ ବୋହି ବୋହି ଚାଲୁନୁ ଦୁଃସହ ଯନ୍ତ୍ରଣାରେ ବାପା ବାପା ଡାକି ଡାକିକା ? କିନ୍ତୁ କୋଉ ବାବା ଆମ ପିଠିରେ ପଡ଼ିବ-? ଟିଙ୍ଗା ବାବା ? ରକ୍ଷା କର । ସେ କଥା ହୋଇପାରିବ ନାହିଁ । ସେ ଟିଙ୍ଗା ବାବା ଆସିବ ! ସେ ଶଳାକୁ ମୁଁ ବାବା ବୋଲି ଡାକିବି ? ଆଉ କ’ଣ ଆସିବ ଜାନ୍‍ ମହେନ୍ଦ୍ରି ଦାସ ? ତାକୁ ବି କାହିଁକି ମୁଁ ଡାକିବି ? ସେ କ’ଣ ମୋ ବାପା ଯେ ! ତେଣୁ ମୁଁ କିଛି ସିଦ୍ଧାନ୍ତ ନେଇ ନାହିଁ । କ୍ରୁସ୍ ବୋହିବାର ସିଦ୍ଧାନ୍ତ ବି ମୁଁ ନେଇନାହିଁ । କେହି ମଧ୍ୟ ମୋତେ ସେଥିପାଇଁ ବାଧ୍ୟ କରିନାହିଁ । କାହିଁକି କାହାକୁ ମିଛରେ ଦୋଷ ଦେବି ? ଅସଲ କଥା–କ୍ରୁସଟା ବଳେ ବଳେ ମୋ କାନ୍ଧରେ ପଡ଼ିଛି ଆଉ ମତେ କହୁଛି ମତେ ବଧ୍ୟଭୂମି ପର୍ଯ୍ୟନ୍ତ ବୋହି ନେଇଚାଲେ । ମୁଁ ଚାଲିଛି । ବାସ୍ ଏତିକି ତ–ଆଉ କ’ଣ ?

 

ଏବେ ଲାଇଫ ଡିଭାଇନ୍ ବେଳକୁ ବି ସେଇ କଥା ହେଲା । ମୁଁ ସେହି ଧୋତି ଫେରକୁ ଘୋଡ଼ାଇ ହୋଇ ପରମ କାରୁଣିକ ରୂପେ ଠିଆ ହୋଇଥିବା ଫଟୋକୁ ଧରି ଫେର୍ କନ୍ଦିଲି । ପଚାରିଲି ହେ ଦିବ୍ୟଜୀବନର ସିଦ୍ଧାନ୍ତୀ ପଣ୍ଡିଚେରୀ ବାସୀ । ତୁମେ ମୋ ବାବା ହବ ? ତୁମେ ତ ସାକ୍ଷାତେ ଦିଶୁଛ ବାଳୁଙ୍ଗାମାନଙ୍କ ବାବା ପ୍ରାୟ ! ସେ କହିଲେ ମୁଁ ଜଗତର ପିତା । ମୁଁ ଚିଡ଼ିଗଲି । କହିଲି ମୁଁ ସେ ଫିସାଦୀରେ ପଡ଼ିବ ନାହିଁ । ମୁଁ କିଏ ? ଜଗତ କିଏ ? ଜଗତ ସଙ୍ଗେ ମୋର କି ଯାଏ ଆସ ? ଜଗତ ରହିଲେ କେତେ ? ଗଲେ କେତେ ? ତୁମେ ମୋତେ ଭଲ ଦିଶୁଛ । ବାପା ପ୍ରାୟ ଦିଶୁଛି । ତୁମର ପୁତ୍ର ହେଲେ ମୁଁ ଆଉ ଗୋଲମରିଚ ଚୋବାଇବି ନାହିଁ, ନିଜ ଇଚ୍ଛାରେ ଚାଲିବି ନାହିଁ ତୁମରି ଇଚ୍ଛାରେ ଚାଲିବି । ତୁମେ ଯଦି କହିବ ଫାଲକନ ! ମୁଁ ଆସିବା ଯାଏ ଜାହାଜର ଏଇ ଅଂଶରେ ଠିଆ ହୋଇଥା; ମୁଁ ନକହିଲେ ଏଠୁ ପାଦେ ବି ଘୁଞ୍ଚିବୁ ନାହିଁ ତା’ ହେଲେ ଦେଖିବ ମୁଁ ସେଇଠି ଠିଆ ହୋଇଥିବି । ତା’ପରେ ତୁମେ ମତେ ସେଠି ଛାଡ଼ି ତୁମର ଜଗତ କାର୍ଯ୍ୟ ବୁଝିବା ଲାଗି ଚାଲିଯିବ–ସେଇଠୁ ଜାହାଜରେ ଲାଗିବ ନିଆଁ–ମୋ ପାଖକୁ ନିଆଁ ଚମକି ଆସିବ । କ୍ରମେ ଲହଲହ ଜିଭମାନ ବଢ଼େଇ ନିଆଁ ମୋତେ ଚାଟି ଦେବାକୁ ମାଡ଼ି ଆସିବ । ମୁଁ ଡରିଯିବି–ଅତର୍ଚ୍ଛାରେ ଚିତ୍କାର କରିଉଠିବି ବାପା ବାପା, ମୋ ଚାରିପଟେ ନିଆଁ ଲାଗିଗଲାଣି । ମତେ ଅନୁମତି ଦିଅ । ମୁଁ ଏଠୁ ପଳାଇଯାଏଁ । ତୁମେ କିନ୍ତୁ ଜଗତର ଆଉ କୋଉ କଣରେ ଗୋଟାଏ ବେଧଛୁଆର ବଣବାଉଳା ମେଣ୍ଢାଛୁଆର ଦାୟିତ୍ଵ ତୁଲାଉଥିବ । ମୋ ଡାକକୁ ଶୁଣି ପାରିବନି । ମୋର ପ୍ରାଣନ୍ତକ ବିପଦ କଥା ଜାଣିପାରିବନି । ତୁମେ ଜାଣିପାରିବନି ଯେ ତୁମର ପ୍ରାଣର ପୁତ୍ର ଆଜ୍ଞାଧୀନ ଫାଲକନ୍ ଅରକ୍ଷ ଭାବେ ଜାହାଜ ଉପରେ ପୋଡ଼ି ମରିଯାଉଛି ପଳେ ପଳେ–ଆଉ ତୁମକୁ ଡାକୁଛି ‘ବାପା’ ‘ବାପା’ ବିକଳରେ । ତୁମଠୁ ଉତ୍ତର ଆସୁନଥିବ । ମୁଁ ସେଇଠି ଠିଆହୋଇ ନିଆଁରେ ପଳେପଳେ ଦଗ୍‍ଧ ହୋଇ ମରୁଥିବି । ଖୁସିରେ ମରୁଥିବି ବାପା ! ଖୁସିରେ ମରୁଥିବି । ସେ ଯନ୍ତ୍ରଣା ମୋତେ ଖୁସିଦେବ–ଆନନ୍ଦ ଦବ–ପୂର୍ତ୍ତି ଦବ । ନିଆଁରେ ପୋଡ଼ିପୋଡ଼ି ମରୁଥିବି–କାନ୍ଦୁଥିବି–ଚିତ୍କାର ଛାଡ଼ୁଥିବି–ମାତ୍ର ପିତୃଆଜ୍ଞାକୁ ଧରି ମରୁଥିବି । ମୋ ପିତାର ଅନୁମତି ପ୍ରାର୍ଥନା କରୁଥିବି । ମରୁଥିବି । ତୁମେ ମୋ ମଲାଯାଏ ଆସିବ ନାହିଁ ।... କିନ୍ତୁ ସବୁ ଶେଷରେ ଯାଇ ଆସିବ । ଶେଷରେ ଆସି ଦେଖିବ–ସାରା–ଜାହାଜ ପୋଡ଼ି ଯାଇଛି–ତୁମର ଆଜ୍ଞାଧୀନ ପ୍ରାଣର ପୁତ୍ର ଫାଲ୍‍କନ୍ ତା’ ସାଙ୍ଗରେ ମିଶି ପାଉଁଶ ହୋଇଯାଇଛି । ଚାରିପଟର ଲୋକେ ସାକ୍ଷି ଦେବେ–ତୁମ ଚାରିପଟେ ଘେରି ମହା ଉତ୍ସାହ ଉଲ୍ଲାସରେ କହିବେ–

 

ଫାଲ୍‍କନ୍ ଶେଷ ପର୍ଯ୍ୟନ୍ତ ତୁମକୁ ବାପା ବାପା ବୋଲି ଡାକୁଥିଲା–ଆମେ ସମସ୍ତେ ସମୁଦ୍ର କୂଳେ ଠିଆହୋଇ ଶୁଣିଛୁ ତା’ର ମରଣାନ୍ତକ ଚିତ୍କାର–ଶେଷରେ ସେ କାନ୍ଦି କାନ୍ଦି ନିଆଁ ଭିତରେ ଡେଉଁ ଡେଉଁ ରଡ଼ି ଛାଡ଼ୁଥିଲା–ବାପା ! ଶେଷରେ ତୁମେ ବି ମତେ ଏ ବେଳାରେ ଛାଡ଼ି ଚାଲିଗଲ ! ...ଆମେ ସବୁ ତାକୁ ଡାକିଲୁ । ସେ ଆମ କଥା ଶୁଣିଲା ନାହିଁ–ଖାଲି ବାପା ବାପା ହେଲା-। ସେ ଜିଦଖୋର ଟୋକା, ଶେଷରେ ପିତୃଭକ୍ତ ହୋଇ ମଲା । ଧନ୍ୟ ଧନ୍ୟରେ ଫେଲ୍‍କନ୍-! ଧନ୍ୟ ତୁମେ ତା’ର ପିତା !

 

ତୁମେ ସେଇଠୁ ସେଠି ଠିଆ ହେବ । ହେଇ ଯେମିତି ଏ ଫଟୋରେ ଧୋତିର ଫେରଟିକୁ କାନ୍ଧରେ ପକାଇ ବିଷର୍ଣ୍ଣ କରୁଣ ଦୃଷ୍ଟିରେ ପରମ ହୀନତା ଓ ପରମ ଐଶ୍ଵର୍ଯ୍ୟକୁ ପରମ କରୁଣାରେ ବିଗଳିତ କରି ପୁତ୍ରହରା ଶୀର୍ଣ୍ଣ ପିତାଟିଏ ଭଳି ପରମ ଗୈାରବ ଓ ଉଦାର ସାହସ ଧରି ଠିଆ ହୋଇଛ । ନିଜେ କାନ୍ଦୁନ–କିନ୍ତୁ ସମସ୍ତଙ୍କୁ କନ୍ଦାଉଛ ! ହେ ଦିବ୍ୟ ଜୀବନର ଲେଖକ ! ପଣ୍ଡିଚେରୀ ବାସୀ ! ଏବେ କୁହ ! ତୁମେ ମୋର ବାପା ହେବ ? ମୁଁ ତରିଯାନ୍ତି । ହାୟ ! ମୋତେ ଏ ସୈାଭାଗ୍ୟ କିଏ ଦେବ ? ମୋର ମନେ ହେଲା–ମୋର ଏହି ଦ୍ୱିତୀୟବାର ପ୍ରଶ୍ନରେ ତୁମେ ସତେକି “ହଁ” କହିଲ । ମୁଁ ତୁମଙ୍କୁ କାନ୍ଦିକାନ୍ଦି ବାପା ବୋଲି ଡାକି ଲାଗିଲି, ବାପା ବାପା ଶହେଥର, ଦୁଇଶହ ଥର, ପାଆଁଶ ଥର । ବହିଟିକୁ ମୋ ମୁହଁରେ ଘୋଡ଼ାଇ ଧରି କାନ୍ଦି ଉଠିଲି । ମୋର ଅନୁଭବ ହେଉଥିଲା ଯେ ମୁଁ ମୋର ପ୍ରକୃତ ବାପାଙ୍କ କାନ୍ଧରେ ମୁହଁଗୁଞ୍ଜି କାନ୍ଦୁଛି । ଆଉ ସୂପୁତ୍ର ହେବାକୁ ଆରମ୍ଭ କରୁଛି । ମୁଁ କ’ଣ ଧ୍ୟାନସ୍ଥ ହୋଇଗଲି କି ? କିନ୍ତୁ ମୋର ସେ ଧ୍ୟାନ ବେଶୀ ସମୟ ରହିଲା ନାହିଁ । କିଏ ଯେପରି ମୋ ପଛରେ ଠିଆହୋଇ ମୋ କାନ ଧରି ଉଠାଇ ଦେଲା । ନାଲି ଆକ୍ଷିଆ ଆଉ ବୀଭତ୍ସ ଦାଢ଼ିବାଲା ଖୁରମୁହାଁ ଲୋକଟା ମୋ କାନ ଧରି ରାଗିକରି କହିଲା–କିବେ ହାରାମ୍‍ଜାଦା ! ମୁଁ କିଏ ଜାଣିଛୁ କିରେ ବେଧେଇ ପୁଅ ! ମୁଁ ତା’ ଗାଲରେ ଗୋଟାଏ ଚଟକଣା ବସାଇ କହିଲି–ଚୋପ୍‍ ବେ !

 

ଏହି ଚିତ୍କାରଟା ମୋ ଅଜାଣତରେ ମୋ ପାଟିରୁ ବାହାରି ଯାଇ ଲାଇବ୍ରେରୀର ନିସ୍ତବ୍‍ଧତାକୁ ଘଡ଼ଘଡ଼ କରିଦେଲା । ସମସ୍ତେ ଚମକି ପଡ଼ି ମତେ ଚାହିଁଲେ । ମୁଁ ରାଗରେ ବହିଟାକୁ ସେଲ୍‍ଫ ଭିତରେ ଫୋପାଡ଼ି ଦେଇ ଘରୁ ବାହାରି ଆସିଲି । ବାଟଯାକ ରକ୍ତ ଚାଉଳ ଚୋବାଉଥାଏ । ଏହି ସମୟରେ ଦେଖିଲି–କୁମାରୀ ଜୁଲୀ ମିଶ୍ର ମୋ ପଛପଟୁ ଆସି ମୋ କଡ଼ ଧରିଲାଣି । ଫେଲ୍‍କନ୍ ! କ’ଣ ସିଦ୍ଧାନ୍ତ କଲ ?

 

ମୋ ଆକ୍ଷି ତଥାପି ଲୁହରେ ପୂରିଥିଲା । ନାଲ ପଡ଼ିଥିଲା । ମୋ ପାକସ୍ଥଳୀରେ କିଞ୍ଚିତ୍ ଯନ୍ତ୍ରଣା ହେଉଥିଲା । ଜୁଲୀ ମିଶ୍ର ମୋଠୁଁ ଉତ୍ତର ନଶୁଣି ମୋ ମୁହଁକୁ ଚାହିଁଲା । ସଂପୃକ୍ତ ସ୍ଵରରେ କହିଲା–ଏ କ’ଣ ? ଆକ୍ଷିରେ ଲୁହ ଯେ !

 

ମୁଁ କହିଲି–ଲୁହ ନୁହଁ ରକ୍ତ । ଜୁଲି କହିଲା–କାହା ପାଇଁ ଏହି ରକ୍ତକାନ୍ଦଣା ? ମୁଁ କହିଲି–ଦୁନିଆଁଯାକର ଦୋଚାରୁଣୀ ମା’ମାନଙ୍କର ଜାରଜ ସନ୍ତାନଙ୍କ ପାଇଁ । ଅସାଧାରଣ ମନସ୍ତତ୍ଵର ଗବେଷିକା ଜୁଲୀ କହିଲା–ତୁମର ଏଇଟା ଗୋଟାଏ ଅବ୍ ସେସନ୍ ହୋଇଗଲାଣି । ବର୍ତ୍ତମାନ ଏହା ପୁରା ଗୋଟାଏ ପର୍ଯ୍ୟାୟର ମାନସିକ ବିକୃତିକୁ ଆସିଗଲାଣି । ଏହାର ପର ଅବସ୍ଥା ବଦ୍ଧ ପାଗଳାମୀ । ମୁଁ କହିଲି–ତାହା ଯଦି ହୋଇଥାଏ–ତେବେ ଉପାୟ କ’ଣ ? ସେ କହିଲା–ଗୋଟାଏ ସିଦ୍ଧାନ୍ତ ନିଅ । ମୁଁ କହିଲି–କି ସିଦ୍ଧାନ୍ତ ? ସେ କହିଲା–ପ୍ରେମର ସିଦ୍ଧାନ୍ତ । ମୁଁ ଚମକି ପଡ଼ିଲି–ପ୍ରେମ-? ସେ କିପରି ପଦାର୍ଥ ? ସେ କହିଲା–ଅକ୍ଷୟ ଅବ୍ୟୟ ନିତ୍ୟ ପଦାର୍ଥ ! ମୁଁ କହିଲି–ତାକୁ ନେଇ କ’ଣ କରିବି ? ସେଇଠୁ ଜୁଲୀ ମିଶ୍ର ମୋ ହାତକୁ ଧରିପକାଇ କହିଲା ଦୋଚାରୁଣୀ ମାଆମାନଙ୍କ ଢଙ୍ଗରେ–

 

ତୁମକୁ ବହୁବାର କହିଛି ଫେଲ୍‍କନ୍ ! ବେଶୀ ଗୁଡ଼ାଏ ଏଣୁ ତେଣୁ ପଢ଼ନାହିଁ । ବେଶିଗୁଡ଼ାଏ ଚିନ୍ତା କରନାହିଁ ଏଣୁତେଣୁ । ସବୁ ଜଟିଳ ଓ ଅଜ୍ଞେୟ ରହସ୍ୟମାନଙ୍କ ସମ୍ବନ୍ଧେ ମୁଣ୍ଡ ଖେଳାଅ ନାହିଁ ବେଶୀ । ଆଉ ଶେଷରେ ନିଜ ବିଷୟରେ ଏତେ ଅଧିକ ସଚେତନ ହୁଅନାହିଁ । ତୁମେ କେବଳ ଭଲପାଅ । ହେଇ ! ମୋର ଭଲ ପାଇବାକୁ ସ୍ଵୀକାର କର । ଫେଲ୍‍କନ୍ ! ତୁମକୁ ବିବାହ କରିବାଲାଗି ମୁଁ ସିଦ୍ଧାନ୍ତ ନେଇସାରିଛି । ଏଇ ଅସାଧାରଣ ମନ ନେଇ ସ୍ଵାମୀ ହିସାବରେ ତୁମେ ମୋତେ ସୁଖୀ କରିପାରିବ ନାହିଁ । ମାତ୍ର ମୁଁ ସୁଖୀ ହେବାକୁ ଚାହେଁନା । ମୁଁ ପ୍ରେମ କରିବାକୁ ଚାହେଁ ।

 

ମୁଁ କହିଲି–ବେଶ୍ ତ ! କିଏ ତୁମକୁ ସେକଥା କରିବାକୁ ମନା କରୁଛି ? ତୁମର ସିଦ୍ଧାନ୍ତ ତୁମର । ମତେ କିଆଁ ସେଥିରେ ଜଡ଼ିତ କରୁଛ ? ଜୁଲୀ କହିଲା–ତୁମେ ନା କହୁଥିଲ ସେଦିନ ? ଜୁଲୀ ! ମୁଁ ତୁମଙ୍କୁ ଭଲପାଏ । ତୁମ ବିନା ମୋର ଜୀବନ ନିରର୍ଥକ ।

 

ମୁଁ କହିଲି–ଜୁଲୀ ! ତୁମେ ଗୋଟିଏ ସ୍ତ୍ରୀଲୋକ । ସ୍ତ୍ରୀ ଲୋକ ହେବା ମନ୍ଦ ନୁହେଁ । ମାତ୍ର ଏତେ ବେଶୀ ସ୍ତ୍ରୀ ଲୋକ ଅନ୍ୟପାଇଁ ଖରାପ । ମାନେ ମୋ ପାଇଁ ଓ ତୁମ ପାଇଁ ଖରାପ । କେବଳ ତୁମ ବିନା ମୋ ଜୀବନ ନିରର୍ଥକ ନୁହଁ–ମୋ ଜୀବନ ଏମିତି ଇ ନିରର୍ଥକ । ତେବେ ମୁଁ ତୁମଙ୍କୁ ଭଲପାଏ ଡ୍ରଇଁ କ୍ଲାସରେ ଅନାଡ଼ି ହାତର ପିଲା ଯେମିତି ତା’ର ରବରଟିକୁ ଭଲପାଏ । ସେ ରବର ବଙ୍କା ଢଙ୍କା ଗାରଗୁଡ଼ିକୁ ଲିଭାଇ ଦିଏ–ମାତ୍ର ସିଧା ଗାର ପକାଇବାର ପ୍ରତିଶ୍ରୁତି ଦେଇପାରେନା । ମୁଁ ବର୍ତ୍ତମାନ ବି କହୁଛି–ମୁଁ ତୁମଙ୍କୁ ଭଲପାଏ । ମୁଁ ମିଛ ଘୃଣା କରେ ।

 

ତା’ହେଲେ କାହିଁକି ସିଦ୍ଧାନ୍ତ ନଉନ ?

 

ମୁଁ କହିଲି–ପ୍ରେମରେ ପଡ଼ିବା କ’ଣ ଗୋଟାଏ ସିଦ୍ଧାନ୍ତ ? ମୁଁ ଯେ ତୁମଙ୍କୁ ଭଲପାଏ–ମଧ୍ୟ କ’ଣ ଗୋଟାଏ ସିଦ୍ଧାନ୍ତ ?

 

ଆଉ ତେବେ କ’ଣ ?

 

ଏହା ଗୋଟିଏ ସ୍ଵୀକୃତିଠାରୁ ବେଶୀ କିଛି ନୁହେଁ । ଏହା ଗୋଟିଏ ବାକ୍ୟାଳଙ୍କାର ବି ହୋଇପାରେ । କିମ୍ବା ସମ୍ପର୍କର ଗୋଟିଏ କ୍ରିୟା ବିଶେଷଣ ବି ହୋଇପାରେ । ତୁମେ ଜାଣ–ବାକ୍ୟଟି ଉଚ୍ଚାରିତ ହୋଇଗଲେ–ବା କ୍ରିୟାପଦଯାକେ ମାଡ଼ିଗଲେ ବାକ୍ୟଟିଏ ସରିଯାଏ । ମାନେ ତା’ର ଅର୍ଥ ମଧ୍ୟ ସରିଯାଏ ଏବଂ ବାକ୍ୟ ଯେ ଗୋଟାଏ ସିଦ୍ଧାନ୍ତ ଏହା ଅତି ମାତ୍ରାର ସ୍ତ୍ରୀ ଲୋକମାନେ ବିନା ବିଚାରରେ ବୁଝିଯାନ୍ତି ମନକୁ ମନ । ଆଉ ମଧ୍ୟ ବୁଝନ୍ତି ସେଇମାନେ ଯେଉଁମାନଙ୍କର ସତକୁ ସତ ବାପା ଅଛନ୍ତି ଓ ସେମାନେ ସେ ବାପାକୁ ଜାଣନ୍ତି ଓ ମାନନ୍ତି ।

 

ଜୁଲୀ କହିଲା କାନ୍ଦ କାନ୍ଦ ହୋଇ–ତା’ହେଲେ କ’ଣ ଏଇଥିପାଇଁ ମୁଁ ତୁମକୁ ମୋର ସର୍ବସ୍ୱ ସମର୍ପି ଦେଇଥିଲି !

 

ମୁଁ କହିଲି–ଜୁଲୀ ! ଏ ପ୍ରଶ୍ନ ମଧ୍ୟ ଅତି ମାତ୍ରାରେ ସ୍ତ୍ରୀ ଲୋକ ସୁଲଭ ପ୍ରଶ୍ନ । କ’ଣ ତୁମେ ମୋତେ ସମର୍ପି ଦେଇଛି ? ତୁମେ ଆଗ ତୁମ ସର୍ବସ୍ୱ ସମ୍ବନ୍ଧେ କିଛି ଜାଣ ?

 

ଜୁଲୀ ଉତ୍ତେଜିତ ହେଇ କହିଲା–ଜାଣେନା ? ମୋର ନାରୀ ଜୀବନର ସର୍ବସ୍ୱ ମୁଁ ତୁମକୁ ସମର୍ପି ଦେଇନି ?

 

ମୁଁ ଭିତରର ବିରକ୍ତିକୁ ଚାପି ଶାନ୍ତି ଭାବେ କହିଲି–ଜୁଲୀ ! ମୋର ସୁନା ! ମୁଁ ତୁମକୁ କିପରି ଭାବେ ବୁଝାଇ ଦେବି ଯେ ତୁମର ନାରୀ ଜୀବନର ସର୍ବସ୍ଵ ତୁମର ନୁହଁ ବୋଲି ? ତୁମର ସର୍ବସ୍ଵ ତୁମଙ୍କୁ ଜଣାନାହିଁ । ତାହା ମଧ୍ୟ ଆପାତତଃ ତୁମ ହାତରେ ନାହିଁ । ତୁମେ ମଧ୍ୟ ତାକୁ ଏତେ ସହଜରେ କାହାକୁ ହସ୍ତାନ୍ତର କରିପାରନା । ମୋତେ ମଧ୍ୟ ଦେଇନାହଁ ।

 

ଜୁଲୀ କାନ୍ଦ କାନ୍ଦ ହୋଇ କହିଲା–ଫେଲ୍‍କନ୍ ! ତୁମେ ଗୋଟାଏ ପାଷାଣ୍ଡ–ବାଷ୍ଟାର୍ଡ଼ ।

ମୁଁ ଜୁଲୀର କାନ୍ଧରେ ହାତ ପକାଇ ତା’ର ବାଳ ସାଉଁଳି ଦେଇ କହିଲି–ତଥାସ୍ତୁ । ଜୁଲୀ ! ଆଉ ବୃଥା ଚେଁ ଚେଁ କରନାହିଁ । ଯାଅ ଖୁସି ମନରେ ଚାଲିଯାଅ । ରାଗିବା ହେତୁ–ତୁମେ ଏବେ ମୋ ବିଷୟରେ ସତ୍ୟ କହିଲେ ବୋଲି ଭାବୁଛି । ସର୍ବସ୍ଵ ସମର୍ପି ଦେବା କଥା ଓ ସିଦ୍ଧାନ୍ତ ନେବା କଥା ଖାଲି ପ୍ରେମରେ କହୁଥିଲା । ତେଣୁ ତାହା ମିଛ ।

ଜୁଲୀ ମୋ ଠାରୁ ନିଜକୁ ମୁକ୍ତ କରିଦେଇ କହିଲା–ମୁଁ ଜାଣେ–ତୁମର ମତଲବ । ତୁମେ ସିସେସ୍ ମିତିଆକୁ ବାହହେବାର ସିଦ୍ଧାନ୍ତ ନେଇଛ । ଜାଣ ମିତିଆ ତୁମର ମା’ ବୟସର ହୋଇପାରେ ?

ମୁଁ କହିଲି–ଜୁଲୀ ! କାହିଁକି ବୃଥା ଚେଁ ଚେଁ ହଉଛ ? ମିତିଆ ତୁମଠାରୁ ଗୋଟିଏ ଦୃଷ୍ଟିରୁ ଭଲ । କାରଣ ସେ ଚେଁ ଚେଁ ହୁଏ ନାହିଁ । ସିଦ୍ଧାନ୍ତ ଦାବି କରେ ନାହିଁ । ମା’–ମା’ କ’ଣ ହଉଛ ? ମା’ ଯାହା ମାଇପ ତାହା । ପ୍ରଭେଦ ଭିତରେ ମା’ କହେ–ଜନ୍ମ କରିଛି–ମାଇପ କହେ–ଜନ୍ମ କରିବି । ଅସଲ କଥା ! ଜନ୍ମ ପ୍ରସଙ୍ଗ କାହା ହାତରେ ନାହିଁ । ଜନ୍ମ ପ୍ରସଙ୍ଗ ବାପା ହାତରେ । ସେ ବାପା କୋଉଠି ଅଛି କେଜାଣି ? ଯାଅ ଯାଅ ମୁଁ ମୋ ବାପାଙ୍କୁ ଖୋଜି ବାହାରିଛି । ଯୋଉଦିନ ମୋର ବାପାଙ୍କୁ ପାଇବି ପ୍ରତିଶ୍ରୁତି ଦେଉଛି–ସେହିଦିନ ବାପାଙ୍କ ଠାରୁ ଅନୁମତି ନେଇ ତୁମ ପାଖକୁ ଆସିବ–କହିବି, ଜୁଲୀ ! ବାପା ଅନୁମତି ଦେଇଛନ୍ତି । ଏଥର ସିଦ୍ଧାନ୍ତ ନେବା–ଏଥରେ ସର୍ବସ୍ଵ ଦିଆ ନିଆ ହେବା । ଦେଖ ଜୁଲୀ । ତା’ ପୂର୍ବରୁ ଆଉ ସିଦ୍ଧାନ୍ତ ଫିଦ୍ଧାନ୍ତ ସର୍ବସ୍ଵ ଫର୍ବସ୍ୱ କଥା କହି ବୃଥା ଚେଁ ଚେଁ କାଉଁକାଉଁ ହୁଅ ନାହିଁ । ସେ ସମୟ ଆସିନି । ଯାଅ–ତୁମେ ମଧ୍ୟ ତୁମ ବାପାଙ୍କୁ ଖୋଜ–ପାଅ–ଆଉ ଅନୁମତି ନେଇ ଆସ । ଦେଖ ଭାଗ୍ୟରେ କ’ଣ ଅଛି ।

 

ଜୁଲୀ ଆଉ କିଛି କହିଲା ନାହିଁ । ସେ ଘାଇଲା ସାପୁଣୀ ପରି ଫଁ ଫଁ ହେଉଥିଲା । ହାତରେ ଧରିଥିଲା ଗୋଟାଏ ଚମ୍ପା ଫୁଲର ତୋଡ଼ା । ଭାବିଥିଲା ବୋଧେ ମତେ ଉପହାର ଦେବ । ମାତ୍ର ତାହା ହେଲା ନାହିଁ । ରାଗରେ ତୋଡ଼ାଟାକୁ ମୋରି ଆଗ ରାସ୍ତାକୁ ଫୋପାଡ଼ି ଦେଲା । ମୁଁ ହସିଦେଲି–ଭାବିଲି–ଏ କୁଆଡ଼େ ମୋତେ ସର୍ବସ୍ଵ ପମର୍ପି ଦେଇଥିଲା ! ହାରାମଜାଦୀ ! ତୁଚ୍ଛା ମାଇକିନିଆଟେ ! ଜୁଲୀ ମିଶ୍ର ନୁହଁ ।

 

ଜୁଲୀ ମିଶ୍ର ଚାଲିଗଲା । ଘୋର ଅନ୍ଧାର ଭିତରେ ପଛର ନାଲି ଆଲୁଅ ଦେଖାଇ ମଟରଟି ଚାଲିଯିବା ଭଳି ।

 

ତେଣୁ ସିଦ୍ଧାନ୍ତ ନେବା କଥା ମିଛ । ଏଇ ସିଦ୍ଧ ଗୁମ୍ଫା ଖୋଜିବା ଓ ତା’ ଭିତରେ ମାଳା ଗଡ଼ାଇବା କାମ ମଧ୍ୟ ମୋଟେ ସିଦ୍ଧାନ୍ତ ନୁହେଁ । ହୋଇପାରେ ମୁଁ ସେ ଗୁମ୍ଫା ଭିତରେ ମୋ ବାପାଙ୍କୁ ପାଇଯିବି । କିଏ କହିବ ? କିନ୍ତୁ କାହିଁ ସେ ସିଦ୍ଧ ଗୁମ୍ଫା ? ତା’ ମୁହଁରେ କଙ୍କାଳୀବାବାର ମୂର୍ତ୍ତି ଅଛି । ପୁଣି ତାକୁ ଘେରି ରହିଛି ଗୋଟାଏ ବଙ୍କା ବରୁଣ ଗଛ ।

 

ମୁଁ ଗୁମ୍ଫା ଖୋଜି ବୁଲିଲି ।

 

ସେତେବେଳକୁ ସାରା ପାହାଡ଼ଟା ଉପରେ ମୁଁ ଏକା । ଚାରିଆଡ଼ ନିର୍ଜନ–ନୀରବ ହୋଇ ଉଠିଲାଣି । ସନ୍ଧ୍ୟା ଘୋଟି ଆସିଲାଣି ବଣ ଭିତରୁ ପାହାଡ଼ ଆଡ଼କୁ । ମିସେସ୍ ମିତିଆ ଆଉ ତାଙ୍କ ବସ କେତେବେଳୁ ଗଲାଣି ଭାରି । ପାହାଡ଼ ତଳ ଦେଶରେ ମଧ୍ୟ ଆଉ ଗହଳି ନାହିଁ । ବର୍ତ୍ତମାନ ଏଇ ଐତିହାସିକ ପାହାଡ଼ଟା–ତା’ର ଭଙ୍ଗାରୁଜା ଗୁମ୍ଫାମାନ । କିଛି ଅତ୍ରତତ୍ର ଶିଳାଲିପି–ପାହାଡ଼କୁ ଲାଗି ଯତ୍ର ତତ୍ର ବଣ ବୁଦା । ଏମାନେ ଏ ଗୁମ୍ଫାମାନଙ୍କୁ ସାଇତି ରଖିଛନ୍ତି । ଏମାନେ ଆଶା କରନ୍ତି–ଏଇ ସବୁ ଗୁଂଫାମାନଙ୍କଭିତରେ ଚିରଦିନ ଅବାଗିଆ ମଣିଷମାନେ ପଶିବେ । ଗଞ୍ଜେଇ ଖାଇବେ । ମାଳା ଜପିବେ । ନହେଲେ ମିସେସ୍ ଫିସେସ୍ ମିତିଆ ଫିତିଆମାନଙ୍କୁ ଧରି ରତିସୁଖସାରେ ଗତମଭିସାରେ ଭଳିଆ କରିବେ । ଫେର୍ ଅବସନ୍ନ ହେବେ–ବିଷର୍ଣ୍ଣ ହେବେ–ଏକୁଟିଆ ହେବେ । ସେଇଠୁ ଗୁଂଫା ଭିତରେ ପଶି ସମାଧିସ୍ଥ ହେବେ–ନହେଲେ ଗୁମ୍ଫା ବାହାରେ ଯେଝା ଯେଝାର ବାପାମାନଙ୍କୁ ଡାକୁଥିବେ–କାନ୍ଦୁଣୁ ମାନ୍ଦୁଣୁ ହେଉଥିବେ । ଉତ୍ତମ ବ୍ୟବସ୍ଥା । କିନ୍ତୁ ଉତ୍ତମ ସିଦ୍ଧାନ୍ତ ନୁହେଁ । କାରଣ ପିମ୍ପୁଡ଼ିମାନେ ଛାଡ଼ିବେ ନାହିଁ–ଜନ୍ଦାମାନେ ଛାଡ଼ିବେ ନାହିଁ । କୁକୁରମାନେ, ବିଲୁଆମାନେ ବଣ କଟାସମାନେ, ମୂଷାମାନେ, ଗଧିଆମାନେ, ଗୋଧିମାନେ ଆସିବେ । ସବୁ ଚାଟିଚୁଟି ସଫା କରିଦେବ । କପୋତମାନେ ବାହୁନିବେ । ପେଚାମାନେ କୁନ୍ଥେଇବେ ଡବ ଡବ ଆକ୍ଷିରେ ଅନ୍ଧାର ଭିତରେ କାହାକୁ ଦେଖି ଅସ୍ୱସ୍ତି ବୋଧ କଲାପରି । ମହାକାଳ ଆଁ ଭିତରେ ସମସ୍ତେ ନିରାଶ୍ରୟଭାବେ ପଶିବେ । କୋଉ ବାପ କୋଉଠି ଥିବ ଯେ ଆଉ ରଖିବ ? ପିଠିରେ ପଡ଼ିବେ ?

 

ମହାକାଳ କାହିଁ ? ହେଇ ସେଠି ଗୋଧିଟାଏ ଓଦା ମାଟି ଓ ପତ୍ର ଉପରେ ପେଟେଇ ପେଟେଇ ଘୁଷୁରି ଘୁଷୁରି ବୁଲୁଛି । ହେଇ ସେଠି ହଳେ କୁତ୍ତାକୁତ୍ତି ଲଗାଲଗି ହୋଇ ଆନନ୍ଦ କରିସାରି ବର୍ତ୍ତମାନ ଛଡ଼ାଛଡ଼ି ହେବାର ଯନ୍ତ୍ରଣା ଭୋଗୁଛନ୍ତି । ହେଇ ଦେଖ ପିମ୍ପୁଡ଼ିଙ୍କ ଧାର–ଜନ୍ଦାଙ୍କ ଧାର–ଜନ୍ଦାଙ୍କମନ୍ଦା–ସାଲୁବାଲୁ ଖାଆଲି ଯନ୍ତ୍ରଣା–ଏକୁଟିଆ ଘୁଷୁରି ଘୁଷୁରି ବୁଲିବାର–ମନ୍ଦାମନ୍ଦା ସାଲୁବାଲୁ ହେବାର–ଧାଡ଼ି ଧାଡ଼ି ତୀର୍ଥ ଯାତ୍ରା କରିବାର ନିର୍ମମ ଯନ୍ତ୍ରଣା ।

 

ଏହି ଯନ୍ତ୍ରଣାର ସାର । ମୁଁ ବା ଏଠିକି ଏ ଅବେଳରେ ଆଜି ଆସିଲି କାହିଁକି ? ତା’ର କାରଣ ମୋର ସାନଭାଇ ଝାଡ଼ମଙ୍ଗଲ ମୋର ମୁଡ୍‍ଟାକୁ ଏମିତି ନଷ୍ଟ କରିଦେଲା । ସେ ମତେ ଆଜି ଘରୁ ବାହାର କରିଦେଲା । ଏହା ପୂର୍ବରୁ ସେ ମୋ ସାନଭଉଣୀକୁ ବାହାଦେବା ଛଳରେ ଘରୁ ବାହାର କରି ଦେଇଥିଲା । ସେ ବର୍ତ୍ତମାନ ଗୋଟାଏ ପୁରୁଷ ହାତରେ ପଡ଼ି କଦର୍ଥନା ଭୋଗୁଛି । ମୁଁ ପ୍ରଥମେ ତାକୁ ବାହାଦବାକୁ ମନା କରୁଥିଲି । ମୁଁ କହୁଥିଲି–ବିଲଙ୍କିତା ବାହା ନ ହେଉ । ସେ ଯୋଉଠି ଅଛି ସେଠି ଥାଉ । ଯାହା ଖୁସି ତାହା କରୁ । କାହା ସାଙ୍ଗରେ ଛନ୍ଦି ମନ୍ଦି ନ ହେଉ । ଛନ୍ଦି ମନ୍ଦି ହେଲେ ଭଲ । ମାତ୍ର ଭାରି କଷ୍ଟ । ସେ ପାରିବ ନାହିଁ । ଯାହା ସଙ୍ଗେ ଛନ୍ଦି ହେବ ସେ ପାରିବ ନାହିଁ । ସେଇଆ ହିଁ ଚାଲିଛି । ବିଲଙ୍କିତାର ଛଅଟା ଛୁଆ ହେଲାଣି । ମାତ୍ର ସେ କାନ୍ଦୁଛି ସବୁଦିନେ । କହୁଛି–ତା’ର ସ୍ଵାମୀ ଗୋଟାଏ ଜନ୍ତୁ । ମୁଁ ମୋ ସାନଭଉଣୀ ପାଇଁ କାନ୍ଦୁଛି । ମାତ୍ର ଝାଡ଼ମଙ୍ଗଲର କୋଉ କଥାକୁ ଖାତିର ନାହିଁ । ସେ କହେ–ତୁମେ ଦୁଇ ଭାଇ ଭଉଣୀ ବୁଡ୍‍ବକମାନଙ୍କ ବୋକ୍‍ଚାବୁହା । ତୁମ୍ଭମାନଙ୍କୁ ବଞ୍ଚିବାର କଳା କି ବିଜ୍ଞାନ ଜଣା ନାହିଁ । ତୁମ ଦୁହିଙ୍କ ମୁଣ୍ଡ ଖରାପ–ସେ ସ୍ଵାମୀ ଘରେ ଥାଇ ସ୍ୱାମୀକୁ ଖୋଜୁଛି–ତୁମେ ପିତୃ ଗୃହରେ ଥାଇ ପିତାଙ୍କୁ ଖୋଜୁଛ । ତୁମ ଲଲାଟରେ ଅସୁଖ । କିଏ କ’ଣ କରିପାରିବ ?

 

ଝାଡ଼ମଙ୍ଗଲ ଗୋଟାଏ ଶୀର୍ଣ୍ଣକାୟ ଟୋକା । ବାଲ୍ୟକାଳରୁ ରୁଗ୍‍ଣ–ପେଟରୋଗୀ । ମୋ ଭଳି ତଗଡ଼ା ନୁହଁ । ମୋ ଭଳି ଉଞ୍ଚା ବି ନୁହଁ । ମାତ୍ର ତା’ର ଆକ୍ଷି ଦୁଇଟା ଖୁବ୍ ଉଜ୍ଜ୍ୱଳ ଆଉ ବଡ଼ ବଡ଼ । ସେ ଭାରି ବୁଦ୍ଧିଆ । ପିଲାଦିନୁଁ ସ୍କୁଲ କଲେଜମାନଙ୍କରେ ବୃତ୍ତି ପାଇ ଆସିଛି । ତର୍କ ସଭାରେ ପ୍ରଥମ ହୋଇଛି । ଲୋକେ କହନ୍ତି–ଫେଲ୍‍କନ୍‍ଟା ପାଗଳଟାଏ । ହବ ଜଣେ ଭବିଷ୍ୟତରେ ଏଇ ଝଡ଼ମଙ୍ଗଲ । ସତକୁ ସତ ଝଡ଼ମଙ୍ଗଲ୍ ବର୍ତ୍ତମାନ ବେଶ୍ ବଡ଼ଲୋକ ହୋଇଗଲଣି । ତା’ ଭିତରେ ପ୍ରଚଣ୍ଡ ଉଚ୍ଚାକାଂକ୍ଷା । ତା’ ଆକ୍ଷି ଆଉ କପାଳ କହୁଥାଏ; ମୁଁ ସମସ୍ତଙ୍କୁ ଟପିଯିବି । ମୁଁ ୟା ଅର୍ଜିବି–ତା’ ଅର୍ଜିବି । ମୁଁ ୟା ଦଖଲ କରିବି–ତା’ ଦଖଲ କରିବି । ମୁଁ ଝାଡ଼ମଙ୍ଗଲକୁ ଖୁବ୍ ଭଲ ପାଉଥିବାରୁ ତା’ର ଏହି ଶୋଚନୀୟ ମନୋଭାବ ଦେଖି ବିକଳ ହୋଇ ଉଠେ । ଚିଡ଼ିଯାଇ କହେ–ଆବେ ଟୋକା ! ତୁ ଗୋଟାଏ ଦରିଦ୍ର । ତୋର ବହୁତ ଆଶା–ତୋର ବହୁତ ଆକାଂକ୍ଷା କାହିଁକି ତୁ କିଛି ଗୋଟାଏ ହବାକୁ ଚାହୁଁଚୁ ? କିଛି ଗୋଟାଏ ପାଇବାକୁ ଚାହୁଁଚୁ ? ଶେଷପର୍ଯ୍ୟନ୍ତ ଯାଇ ଦେଖିବୁ...ତୁ ଯାହା ହୋଇଛୁ–ତାହା ହେବାକୁ ଇଚ୍ଛା କରି ନ ଥିଲୁ । ମାତ୍ର ଝାଡ଼ମଙ୍ଗଲ ହସି କରି କହେ–କିନ୍ତୁ ଭାଇ ! ମୁଁ ଏ ପୃଥିବୀକି ଆଙ୍ଗୁଠି ଆଗରେ ନଚେଇବି । ଦେଖିବ ସବୁ ପାଇବି, ହାସଲ କରିବି, ଅଧିକାର କରିବି । ତୁମେ ଦେଖିବ ।

 

ମୁଁ କହେ–ଝାଡ଼ମଙ୍ଗଲ ! ତୁ ଆଗ ଜାଣିଛୁ । ଆମେ ସବୁ ଅବୈଧ ସନ୍ତାନ ? ପାପ ଭିତରୁ ଜନ୍ମ ହୋଇଛୁ ?

 

ଝାଡ଼ମଙ୍ଗଲ ହସେ । କହେ–ଭାଇ ! ମୁଁ ମୋର ଜନ୍ମ ବିଷୟକ ରହସ୍ୟକୁ କେୟାର କରେନା । ମୁଁ ମୋର ପୁରୁଷକାର ଉପରେ ବିଶ୍ୱାସ ଓ ଆସ୍ଥା ରଖେ । ମୁଁ ଜାଣେ–ମୁଁ ବୈଧ ସନ୍ତାନମାନଙ୍କର ଜନକ ହେବି ।

 

ମୁଁ ତା’ ମୁହଁ ପାଖରେ ଆଙ୍ଗୁଠି ହଲାଇ ତାକୁ ଥଟ୍ଟା କଲାଭଳି କହେ–ତୁ ହୋଇ ପାରିବୁନି । ସେ ଆହୁରି ଜିଦ୍ ଖୋର ଭାବେ କହେ–ଅଲବତ ହେବି ଦେଖିବ । ମୁଁ ଜାଣେ–ମୋର ସଂକଳ୍ପର ଅସାଧ୍ୟ କିଛି ନାହିଁ ।

 

ମୁଁ କହିଲି–ତୁ କେମିତି ଜାଣିବୁ ଯେ ଅମୁକ ସନ୍ତାନର ତୁ ବୈଧ ପିତା ବୋଲି ? ସନ୍ତାନ ସମ୍ବନ୍ଧେ ତୋର କି ଧାରଣା ଥିବ ଆଗରୁ ? ତୋର ବୋଲି ଯେ ସନ୍ତାନ ତୋର ସ୍ତ୍ରୀ ପ୍ରସବ କରିବ–ସେ ସନ୍ତାନ ଜନ୍ମ ହେବା ପରଠାରୁ ନିରନ୍ତର ତା’ର ସ୍ଵରୂପ ବଦଳି ଚାଲିଥିବ ଜାଣିଛୁନା ? ଯାହାଁ ଯାହାଁ ଯେ ବଡ଼ ହେବ, ତା’ର ଜ୍ଞାନ ବଢ଼ିବ, ସେ ନୂଆ ନୂଆ ବ୍ୟକ୍ତିତ୍ଵମାନ ପ୍ରକାଶିବ–ଯାହାଥିବ ତୋର କଳ୍ପନାର ବାହାରେ । ତୁ ତାକୁ ଚିହ୍ନିପାରିବୁ ନାହିଁ । ସେ ବି ତୋତେ ତା’ ବାପା ବୋଲି ଚିହ୍ନିପାରିବ ନାହିଁ । ସେଇଠୁ ତା’ର ମୁଣ୍ଡ ବିଗିଡ଼ିଯିବ । ସେ ଦିନେ ତୋତେ ସାଫ୍ କହିଦବ–ତୁ ତା’ ବାପା ନୁହଁ ବୋଲି । ତା’ପରେ ସେ ଦୁନିଆଯାକ ଘୁରିବୁଲିବ ତା’ର ଅସଲ ବାପାକୁ ଖୋଜି ଖୋଜି-

 

ସେଦିନ ଏଇ କଥାରୁ ଝାଡ଼ମଙ୍ଗଲ୍ ମୋ ଉପରେ କ୍ଷେପି ଉଠିଲା । କହିଲା–ଏହିକ୍ଷଣି ତୁମେ ମୋ ଘରୁ ବାହାରିଯାଅ । ମୋ ସଙ୍ଗେ ଆଉ କଥାବାର୍ତ୍ତା କରନାହିଁ । ତୁମ ମୁଣ୍ଡରେ ଆଉ ଠିକଣା ନାହିଁ । ଭୁତ ଢୁକିଲାଣି ତୁମ ମୁଣ୍ଡରେ । ତୁମେ ଆଉ ମୋତେ ବାଧା ଦେବାକୁ ଆସିବ ନାହିଁ-। ମୁଁ ତମଠାରୁ ଏହି ମୁହୂର୍ତ୍ତରେ ସମସ୍ତ ସମ୍ପର୍କ କାଟିଦେଲି ।

 

ତା’ ତିରସ୍କାର କଥା ଶୁଣି–ମୁଁ କରୁଣ ଆଉ ହତାଶ ହସ ହସି କହିଲି–ସେ କଥା ମିଛ । ତୁ ସମ୍ପର୍କ କାଟିପାରିବୁ ନାହିଁ । ମୁଁ ଯାଉଛି । ଆଉ ତୋ ପାଖକୁ ଆସିବିନାହିଁ । ମାତ୍ର ଏହା ନିଶ୍ଚିନ୍ତ ଯେ ତୁ ମତେ ଝୁରି ଝୁରି ଦିନ କାଟିବୁ । କେହି ସୁସ୍ଥମସ୍ତିଷ୍କ ବ୍ୟକ୍ତି ତା’ର ପ୍ରକୃତିର ପାଗଳାମୀ ଅଂଶଟିକୁ ବାଦ ଦେଇ ସୁସ୍ଥରେ କାଳ କାଟି ପାରିବ ନାହିଁ । ଦେଖ୍ ! ତୋର ଏଇ ସବୁ ଉଚ୍ଚାକାଂକ୍ଷା ଆଉ ଉଚ୍ଚ ସଂକଳ୍ପମାନ ବ୍ୟର୍ଥ ହେବ ।

 

ମୁଁ ତା’ ପାଖରୁ ଉଠିଆସିଲି । ମୁଁ ଝାଡ଼ମଙ୍ଗଲକୁ ଅଭିଶାପ ଦେଇନଥିଲି । ଏହା ତା’ର ଭବିତବ୍ୟ ବୋଲି କେବଳ ଘୋଷଣା ମାତ୍ର କରିଥିଲି । ମାତ୍ର ତା’ର ଭାଷାଟା ଥିଲା ତିରସ୍କାରର–ଭର୍ତ୍ସନାର । ମାତ୍ର ଏତିକି ଘୋଷଣା କରିବା ମାତ୍ରେ ମୋର ଛାତି ରୁନ୍ଧି ହୋଇ ଆସିଲା–ଛାତି ଫାଟିଯିବା ଭଳି ଲାଗିଲା । ମୋର ସବୁ ଶିରାପ୍ରଶିରା ପାକସ୍ଥଳୀ ମାଂସପେଶୀ ହାଡ଼ ଆଉ ସ୍ନାୟୁମାନ ରୁନ୍ଧି ହୋଇଗଲେ । ମୋତେ ଲାଗିଲା–ମୋ ଭିତରୁ କୋଉ ସୁତ୍ରରେ କିଛି ଗୋଟାଏ ଖଲାସ ହୋଇଯାଉ । ତା’ହେଲେ ଯାଇ ମୋ ଜୀବନ ରହିବ–ନଚେତ୍ ନାହିଁ । ଜୀବନ ଚାଲିଗଲେ ମୋର ଶୋଚନା ନାହିଁ । ମାତ୍ର ଜୀବନ ଚାଲିଯିବା ପୂର୍ବରୁ ତା’ର ଏକ ତର୍ଜନ ଗର୍ଜନ ଚଉହାର ରୁନ୍ଧିଦେବା ଭଳି ଦୁବ୍ୟାପାରମାନ ମୋର ଅସହ୍ୟ । ମୁଁ ଆତ୍ମହତ୍ୟା କରିଦେଇପାରେ ।

 

କିନ୍ତୁ ତା’ ପୂର୍ବରୁ ମୋ ଭିତରୁ କିଛି ଗୋଟେ କୋଉ ସୂତ୍ରରେ ଖଲାସ ହେଇଯାଉ–ବାହାରିଯାଉ କିଛି ପବନ–ବା କିଛି ଲାଳ–କିଛି ଲୁହ–ବା କିଛି ରକ୍ତ । ତା’ ନହେଲେ ଯନ୍ତ୍ରଣାରେ ମୁଁ ଛଟପଟ ହୋଇ ମରିବି । ଏଭଳି ଦୁଃସହ ଯନ୍ତ୍ରଣା ନେଇ ଆତ୍ମହତ୍ୟା କରିବି ବା କିପରି ? ସ୍ୱାଧୀନ ଓ ସ୍ୱେଚ୍ଛାକୃତ ଆତ୍ମହତ୍ୟା ଏଭଳି ଯନ୍ତ୍ରଣା ଭିତରେ ହୁଏନାହିଁ । ସବୁ ମହାନ୍ କାର୍ଯ୍ୟ ଭଳି–ସବୁ ମହାନ୍ ଶିଳ୍ପ ଭଳି–ସବୁ ମହାନ୍ ସାଧନା ଭଳି ଆତ୍ମହତ୍ୟା ମଧ୍ୟ ଯନ୍ତ୍ରଣାହୀନ ଶାନ୍ତ ସ୍ଥିର ଓ ଧୀର ମସ୍ତିଷ୍କରେ ସାଧିତ ହୁଏ । ତାହା ପଙ୍ଖାରେ ଦଉଡ଼ି ଦେଇ ହେଉ–ବା ବିଷ ଖାଇ ହେଉ–ବା ରେଳ ଲାଇନରେ ବେକ ରଖି ନିଶ୍ଚିନ୍ତ ଭାବେ ହେଉ । ଏହିଭଳି ଶାନ୍ତ ସମାହିତ ଆତ୍ମହତ୍ୟା ପୂର୍ବରୁ ହିଁ ପୃଥିବୀ ପ୍ରତି ଗୋଟାଏ ପରମ କରୁଣା ଓ କ୍ଷମା ଭାବ ରଖି ଲେଖି ଦେଇ ଯାଇ ହୁଏ–ମୋର ଏହି ଆତ୍ମହତ୍ୟା ଲାଗି କେହି ଦାୟୀ ନୁହନ୍ତି । ଅପର ନୁହନ୍ତି–କି ମୁଁ ନୁହଁ ବା ମୋର କୌଣସି ଯନ୍ତ୍ରଣା ନୁହଁ ।

 

ତେଣୁ ଆଗ ମୁଁ ଏ ଯନ୍ତ୍ରଣାରୁ ମୁକ୍ତ ହେବି କିପରି ? ତା’ପରେ ଯାଇ ଆତ୍ମହତ୍ୟାର ଚିନ୍ତା-। ମୁଁ ମୋର ସାନଭାଇର କଥା ଭାବି ଫେର କରୁଣ ହେଲି । ଟୋକାଟା ଯେତେ ନିଜକୁ ସିଆଣା ମନେ କରେ–ପ୍ରକୃତରେ ସେତେ ସିଆଣା ନୁହେଁ । ଭାବୁଛି–ଉଚ୍ଚାକାଂକ୍ଷା ଉପରେ ଠିଆହୋଇ ସଂକଳ୍ପରେ ପୃଥିବୀ ଓଲଟାଇ ପକାଇବ । ସେ ଆଗ ଏ ପୃଥ୍ୱୀ ଉପରେ ଠିଆହୋଇ ପାରିବ ନା-? ତା’ ପାଦତଳୁ ମୂଷାମାନେ ମାଟି ଖୋଳିନେବେ । ସେ ପାତାଳକୁ ଗଳିପଡ଼ିବ । ଅନ୍ୟମାନେ ତା’ ତଣ୍ଟି ଚିପି ଧରିବେ–ଅଣନିଃଶ୍ଵାସୀ କରିଦେବେ । ଗୋଧିମାନେ ତା’ ପାଟିବାଟେ ମୁହଁ ଗଳାଇ ତା’ ଘଣ୍ଟିକାକୁ ଭିଡ଼ି ଖାଇବେ । ସେ ସିଂହ ହେବାକୁ ଯାଉଥିବ–ମାତ୍ର ଶେଷରେ ଦେଖିବ ସେ ବଣ ଭିତରେ ଗୋଠଛଡ଼ା ଏକାକୀ ମେଣ୍ଢାଟାଏ ଭଳି ଚଉଦିଗକୁ କାକୁସ୍ଥଭାବେ ଚାହିଁ ରହି ମେଃ ମେଃ ହେଉଛି । ସେଇଠୁ ତାକୁ ପଲ୍ଲେ କାଳିଆ କୁକୁର ବା ହେଟା ଘେରିଯିବେ । ତାକୁ କିତିକିତା କରି କାମୁଡ଼ି ଖାଇଯିବେ । ଏହି ସମୟରେ ବଣ ଭିତରେ କପୋତମାନେ କାନ୍ଦି ଉଠିବେ । ପେଚାମାନେ ଏଡ଼େ ଏଡ଼େ ଆକ୍ଷି ମେଲାଇ ବଣ ଭିତରେ କ’ଣ ଗୋଟାଏ ଦେଖି ଅସ୍ଵସ୍ତିବୋଧ କଲାଭଳି କୁନ୍ଥେଇବେ । ତା’ପରେ ପିମ୍ପୁଡ଼ିମାନେ–ଜନ୍ଦାମାନେ...କୁକୁରମାନେ–ବିଲୁଆମାନେ...ଈସ୍ ଓଃ-!

 

ରାସ୍କେଲଟା କିଛି ବୁଝି ପାରୁନି । ଉଚାକାଂକ୍ଷା କରୁଛି–ସଂକଳ୍ପ କରୁଛି କ’ଣ ଗୋଟାଏ ହବ ବୋଲି ! ଓଃ ! ଓଃ ! ଉଚାକାଂକ୍ଷାର ପତନ କି ମର୍ମନ୍ତୁଦ ! ଓଃ ! ଓଃ ! ସଂକଳ୍ପର ବିଫଳତା କି ଦାରୁଣ ଶୋକାବହ ! ଆଃ–କି କଷ୍ଟ ! କି କଷ୍ଟ ! ଝାଡ଼ମଙ୍ଗଲ୍ ! ଝାଡ଼ମଙ୍ଗଲ୍ ! ତୁ ମୋ ଭାଇ ନା ଶତ୍ରୁରେ ? ମୋତେ ଏତେ କଲବଲ କରି ମାରୁଛୁ !

 

ସେଇଠୁ ମୁଁ ଏଇ ଗିରିଗୁମ୍ଫା ଆଡ଼କୁ ଧାଇଁଲି l ବାଟରେ ଗୋଟାଏ ଦୃଶ୍ୟ ଉପରେ ମୋର ଦୃଷ୍ଟି ପଡ଼ିଗଲା । ପାହାଡ଼ ଆଉ ଅଳ୍ପବାଟ ଅଛି । ଆଗରେ କାଁ ଭାଁ ଗୋଟେ ଗୋଟେ ଶ୍ରମିକ ବସ୍ତି ପଡ଼ିଲା । ପାଖରେ ରାସ୍ତା ତିଆରି ଚାଲିଛି । ସବା ଶେଷ କୁଡ଼ିଆଟି ପାଖରେ ଦେଖିଲି–ସ୍ତ୍ରୀ ଲୋକଟିଏ ଇଟାରେ ଚୁଲି ଜାଳୁଛି । ଖୁବ୍ କ୍ଷୀଣକାୟା ସ୍ତ୍ରୀ ଲୋକଟି–ମାତ୍ର ତା’ର ସ୍ତନ ଦୁଇଟି ଖୁବ୍ ବଡ଼ ବଡ଼ । ସେଗୁଡ଼ିକ ବାହାରକୁ ଦୁଇଟା ପହ୍ନାବଳି ଦିଶୁଥାଏ । ସତେ କି ସେଥିରେ ପଶୁଶାବକମାନଙ୍କ ଖାଦ୍ୟ ରହିଛି ଭରପୂର । ସତକୁ ସତ ଗୋଟାଏ ଛୁଆ ସେଥି ଭିତରୁ ଗୋଟାଏ ସ୍ତନ ଉପରେ ମୁହଁ ମାଡ଼ି କ୍ଷୀର ଶୋଷୁଛି । ପାଖରେ ପାଣି ଧାରଟିଏ ପାହାଡ଼ ଆଡ଼ୁ ବହିଆସି ସମତଳ ଆଡ଼କୁ ବଙ୍କେଇ ବୋହି ଯାଉଛି । ସେହି ପାଣି ଧାର ପାଖରେ ବସିଛି ସେ–ଯେ ଏହି ସ୍ତ୍ରୀ ଲୋକଟା ପାଖରେ ରାତିରେ ଶୁଏ ବୋଧେ । ସେ ଲୋକଟା ଗୋଟାଏ କୁକୁଡ଼ାକୁ କିତିକିତି କରି କାଟୁଛି । ତା’ ଦେହରୁ ପରଗୁଡ଼ାକ ଉଲାରି ପକାଉଛି–ସିଝା ଅଣ୍ଡାରୁ ଚୋପା ଛଡ଼ାଇବାର ମନ ନେଇ । ଚାରିଆଡ଼େ କୁକୁଡ଼ା ପର ଆଉ ରକ୍ତ ସାଣୁମାଣୁ । ସେହି ଛେଲା କୁକୁଡ଼ାଟାକୁ ଏଡ଼େ ଏଡ଼େ ଆକ୍ଷିରେ ଚାହିଁ ଦେଖୁଛି ଆଉ ଗୋଟାଏ–ନଅ ଦଶ ବର୍ଷର ଛୁଆ । ସେମାନେ ସମସ୍ତେ ମିଶି ଆଜି ରାତିରେ ଏ କୁ କୁକୁଡ଼ାଟାକୁ ସିଝାଇ ଖାଇଯିବେ । ମୁଁ ସେଠି ଦଣ୍ଡେ ଠିଆ ହେଲି । ମୋର କେମିତି ହଠାତ୍ ମନ ହେଲା–ସେ ସ୍ତ୍ରୀ ଲୋକଟାର ଥନରୁ ତାକୁ ଶୋଷିଥିବା ଛୁଆଟାକୁ ଛଡ଼ାଇ ଆଣି ଫିଙ୍ଗି ଦେବି । ଚୁଲି ଉପର ହାଣ୍ଡିଟା ବାଡ଼େଇ ଭାଙ୍ଗିଦେବା । ତା’ପରେ ଏ ଲୋକଟାର ହାତରୁ ସେଇ ଛେଲା କୁକୁଡ଼ାଟାକୁ ଧରି ଫୋପାଡ଼ି ଦେବି । ତା’ପରେ ଏହି ଏଡ଼େ ଏଡ଼େ ଆକ୍ଷିରେ ଚାହିଁ ଚାହିଁ ବସିଥିବା ଆଇଁସିଆ ଟୋକାଟାକୁ କାନଧରି କହିବି–ଆ ! ବର୍ତ୍ତମାନ ତତେ ଏଇ କୁକୁଡ଼ା ଭଳିଆ ଛେଲିବି । କୋଉ ବାପ ତୋ’ ପିଠିରେ ପଡ଼ିବ ?

 

କାହିଁକି ଯେ ସେମାନଙ୍କୁ ଦେଖି ମୋର ଏମିତି ଭାବି ହେଲା–ମୁଁ ଜାଣିନି । ମାତ୍ର ମୋ ଭିତରେ ଖୁବ୍ ଉଗ୍ର ରାଗ ଚହଟିଗଲା । ଆଚ୍ଛା–ମୁଁ କ’ଣ ଏହି ପରିବାରର ଗୋଟାଏ ନିଶ୍ଚିନ୍ତ ସିଦ୍ଧାନ୍ତପଣର ନାରକୀୟତା ଦେଖି ବିଚଳିତ ହୋଇ ପଡ଼ିଥିଲି ? କେଜାଣି–ହୋଇଥିବ । ମଣିଷ କ’ଣ ଏତେ ନିଶ୍ଚିନ୍ତ ହୋଇପାରେ ? ତା’ ସିଦ୍ଧାନ୍ତରେ ଏତେ ଦୂର ବନ୍ଧାପଡ଼ି ଯାଇପାରେ ?

 

ସେଠି ଠିଆ ହୋଇ ମୁଁ କ’ଣ ଗୋଟେ କରିବାକୁ ଯାଉଛି–ଏହି ସମୟରେ ଦଳେ ଝିଅ କିଚିରି ମିଚିରି ହୋଇ ସେବାଟେ ଚାଲିଗଲେ । ସବା ପଛରେ ପ୍ରୌଢ଼ା ସ୍ତ୍ରୀ ଲୋକଟିଏ ମୋ ପାଖରେ ଅଟକିଗଲା । କହିଲା–ଫେଲ୍‍କନ୍ ! କ’ଣ କରୁଛ ?

 

ମୁଁ ତାକୁ ଚାହିଁଲି । ସେ ଥିଲା ଏଇ ମିସେସ୍ ମିତିଆ । ତା’ ସାଙ୍ଗରେ ମୋର ଆଗରୁ ଚୋରା ସମ୍ପର୍କ ଥିଲା । ମିସେସ୍ ମିତିଆ ଖାସା ସ୍ତ୍ରୀ ଲୋକ । ଉଁ ଚୁଁ ନାହିଁ–ଏତି ଉତି ନାହିଁ । ଗୁଁ ପୁଁ ନାହିଁ–କଚିରି ମିଚିରି ନାହିଁ–ବକର ମକର ନାହିଁ–ଆଗପଛ ନାହିଁ । ମିସେସ୍ ମିତିଆ କେବଳ ସୁଖ । ସେ ସଂପୃକ୍ତ ହେବାର ଚାହେଁନା–କେବଳ ସଂଯୁକ୍ତ ହେବାକୁ ଚାହେଁ । ସଂଯୁକ୍ତ ହୋଇ ସାରିଲା ପରେ ବିଯୁକ୍ତିର ଯନ୍ତ୍ରଣା ତା’ର ତିଳାର୍ଦ୍ଧେ ବି ନାହିଁ । କୁତ୍ତାକୁତ୍ତିଙ୍କର ଅଛି । ମାତ୍ର ମିସେସ୍ ମିତିଆଙ୍କର ନାହିଁ । ମୁଁ କାରବାର ଲାଗି ମିସେସ୍ ମିତିଆ କହେ–ହସିହସି କହେ–ଏମିତି ଏମିତି ତ ଏତେ ଦିନ ମାରି ଦେଲାଣି–ଆଉ କେଇଟାଦିନ ବା ! ମୁଁ ଯାହା ଉପରେ ଆଉଜି ପଡ଼େ ତା’ ଉପରେ ଭାରା ଦିଏ ନାହିଁ । ଯେ ମୋ ଉପରକୁ ଆଉଜି ପଡ଼େ, ମୁଁ ବି ତା’ ଭାରା ନିଏ ନାହିଁ । ଏଇ ଭଲ ଫେଲ୍‍କନ୍ ! ନୁହେଁ ?

 

ମୁଁ କହିଲି–ହେଇଥିବ, ହେଇଥିବ–କିଏ ଜାଣେ ? ଭଲ କ’ଣ ?

 

ସେଇ ମିସେସ୍ ମିତିଆ ମତେ ପଚାରିଲେ–ଯିବ ମୋ ସଙ୍ଗେ ଫେଲ୍‍କନ୍ ?

 

ମୁଁ କହିଲି–ଚାଲ ମୋ ଭିତରୁ କିଛି ଖଲାସ ହେବା ଚାହିଁ ।

 

ସେ ହସି ହସି ସମ୍ମତି ଦେଲେ । ଯାର ଅର୍ଥ–ମୁଁ ଜାଣେ । ମୁଁ ଖଲାସ କରି ଜାଣେ । ଖଲାସ କରି ପୁଣି କିଛି ଲଦି ଦିଏ ନାହିଁ ଯାହା ଅନ୍ୟ ସ୍ତ୍ରୀ ଲୋକେ କରନ୍ତି ।

 

ତା’ପରେ ଆମେ ପାହାଡ଼ ଉପରକୁ ଉଠିଲୁ । ଆମ ବାଗରେ ପାହାଡ଼ ଉପରେ ଚଢ଼ିଲୁ । ତା’ପରେ ଘୋର ବୃଷ୍ଟି ଆସିଲା ଘଡ଼ଘଡ଼ି ଓ ବିଜୁଳି ଚଡ଼ଚଡ଼ି ସହ ପ୍ରବଳ ବର୍ଷା । ମିତିଆଙ୍କ ଛାତ୍ରୀମାନେ ତଳକୁ ପଳାଇଲେ ବସ୍‍ ଭିତରକୁ । ମିତିଆ ଆଉ ମୁଁ ରାଣୀଗୁମ୍ଫା ଭିତରକୁ ପଶିଗଲୁ । ବାହାରେ ଘଣ୍ଟାଏ କାଳ ତୁମୂଳ ବର୍ଷା ହେଉଥିଲା । ଘୁ ଘୁ ପବନ ବହୁଥିଲା–ଘଡ଼ଘଡ଼ି ଆଉ ଚଡ଼ଚଡ଼ିରେ ବାହାର କମ୍ଫୁଥିଲା । ଝର ଝର ହୋଇ ପାଣି ସ୍ରୋତ ଆମ ଗୁମ୍ଫାର ଦୁଇକଡ଼େ ଉପରୁ ତଳକୁ ବହି ଚାଲିଥିଲା । ତା’ପରେ ଆମେ ତା’ ଭିତରେ ଖଲାସ କଲୁ–ଖଲାସ ହେଲୁ ।

 

ମିତିଆ ଚାଲିଗଲା । ତା’ର ଛାତ୍ରୀମାନଙ୍କ ସଙ୍ଗେ ବସରେ ବସି । ଆମେ କେମିତି ବିଦାୟ ନେଲୁ ଛଡ଼ାଛଡ଼ି ହେଲୁ ତା’ ତ କହିସାରିଛି ଆଗରୁ ମାତ୍ର ଖଲାସ କଲା ପରେ ଆଶ୍ଚର୍ଯ୍ୟ କଥା ମୁଁ ଫେର ଗୋଟାଏ ପ୍ରକାର ଅବସନ୍ନତା ଅନୁଭବ କଲି । ଫେର ବିଷର୍ଣ୍ଣ ହୋଇଗଲି । ଏକୁଟିଆ ହୋଇଗଲି । ଏଣିକି ମାଳା ଜପିବା–ସିଦ୍ଧଗୁମ୍ଫା ଖୋଜିବା । ସିଦ୍ଧଗୁମ୍ଫା–ଯାହା ଦ୍ଵାରରେ କଙ୍କାଳୀବାବାର ମୂର୍ତ୍ତି ରହିଛି ଓ ତାକୁ ଆଉଜି ପଡ଼ିଛି ଗୋଟାଏ ବଙ୍କା ବରୁଣଗଛ । ଆଚ୍ଛା ମୋର ଏହି ବର୍ତ୍ତମାନର ବିଷର୍ଣ୍ଣତା କ’ଣ ଅସଲ ଗୋଟାଏ ଯନ୍ତ୍ରଣା ? ଆଚ୍ଛା ଯଦି ଏ ନ ରହିବ ତା’ହେଲେ କ’ଣ ମୁଁ ଅଧିକ ସୁଖୀ ହେବି ? ଆନନ୍ଦ ହେବି ? ମୁଁ ତ କିଛି ହେବି ନାହିଁ । କିଛି ହେବାର ଉଚାକାଂକ୍ଷା କରିବି ନାହିଁ । ତା’ହେଲେ ଏ ଯନ୍ତ୍ରଣା କାହିଁକି ? ସାନ ଭାଇ ଲାଗି ? ସେ ମୋର କିଏ କି ? ସେ ତ ମୋତେ ଆଜି ତଡ଼ି ଦେଲା–କହିଲା–ସମ୍ପର୍କ ରଖିବ ନାହିଁ । ମୁଁ ତ ତାକୁ କହି ଦେଇ ଆସିଛି–ସେ ସବୁ ମିଛକଥା । ତୁ ମୋ ପାଇଁ ଝୁରି ଝୁରି ମରିବୁ । ବର୍ତ୍ତମାନ ବାସ୍ତବରେ ଝୁରି ଝୁରି ମରୁଛି କିଏ–ମୁଁ ନୁହେଁ କି ? ଆଚ୍ଛା ସତରେ କ’ଣ ମୁଁ ମୋ ସାନଭାଇ ପାଇଁ ଝୁରିଝୁରି ମରୁଛି–ନା’ ମୋ ଭିତରେ ଗୋଟେ ନିଃସଙ୍ଗ ଆଡ଼ବାଇଆ ଭୂତ ମୋତେ ଏତେ କଦର୍ଥନା ଦଉଛି ? ନା–ମୋ ଭିତରେ ଝୁରି ହେଉଥିବା କପୋତଟିଏ ଅଛି ? ଅନ୍ଧାର ଭିତରେ କାହାକୁ କିଛି ଦେଖି ଅସ୍ଵସ୍ତିବୋଧ କରୁଥିବା ଭଳି କୁନ୍ଥାଏ ଯେ ପେଚା ସେ କ’ଣ ଆଉ ମୋ ଭିତରେ ରହି ମତେ ଏତେ ଦହଗଞ୍ଜ କରି ମାରୁଛି ?

ନା ମତେ ସିଦ୍ଧଗୁମ୍ପାଟା ଖୋଜି ବାହାର କରିବାକୁ ହେବ । ଚିହ୍ନଟ କରିବାକୁ ହେବ କଙ୍କାଳୀବାବାର ମୂର୍ତ୍ତିଟାକୁ ଆଉ ବଙ୍କା ବରୁଣ ଗଛଟାକୁ । ଅଥଚ ମୁଁ ଯୋଗୀହେବାର ସିଦ୍ଧାନ୍ତ କରି ନାହିଁ । କିଛି ହେବା ପାଇଁ ସିଦ୍ଧାନ୍ତ କରିନାହିଁ । ଏଇ ରୁଦ୍ରାକ୍ଷ ମାଳାଟାକୁ ଏଇଠି ଫୋପାଡ଼ି ଦେଲେ ବି ମୋର ଆଉ ଏଥିରୁ ମୁକ୍ତି ନାହିଁ । ଚିଲମଟାକୁ ଫୋପାଡ଼ି ଦେଇଥିଲି ଦୀକ୍ଷା ନେବେନି ବୋଲି । ମାତ୍ର ଯଦି ଏହି ମାଳାଟାକୁ ମୁଁ ଏଠି ସେହି କାରଣରୁ ଫିଙ୍ଗି ଦିଏ–ତେବେ ମାଳାଟା ସିନା ଯିବ–ମାତ୍ର ମୁଁ ବର୍ତ୍ତମାନ ଏହି ପାହାଡ଼ଟାରୁ ଆଉ ତଳକୁ ଓହ୍ଲାଇ ଯାଇପାରିବି କି ? ଓହ୍ଲାଇଲେ ବି କୁଆଡ଼େ ଯିବି ? ନା–ମତେ ଏହି ସହସ୍ରାଧିକ ଗୁମ୍ପା ଭିତରୁ ସିଦ୍ଧଗୁମ୍ପାଟାକୁ ଖୋଜି ବାହାର କରିବାକୁ ପଡ଼ିବ-। ଏଇ ତ ରାତି ଘୋଟି ଆସିଲାଣି । ଚାରିଆଡ଼ ନିର୍ଜନ । ମୋତେ ଏକ ନିର୍ଜନ ବିଷର୍ଣ୍ଣତା ଅନ୍ଧାର ଭଳି ଘେରିଗଲାଣି । ସାନଭାଇ ଝାଡ଼ମଙ୍ଗଲ ମତେ ବିଷର୍ଣ୍ଣ କରି ଦେଇଥିଲା । ମିସେସ୍ ମିତିଆ ମତେ ଅବସନ୍ନ କରି ଦେଇଗଲେ–ଆହୁରି ଏକୁଟିଆ କରି ଦେଇଗଲେ । ମୁଁ ଭାବିଥିଲି–କିଛି ଗୋଟାଏ ଖଲାସ ହୋଇଗଲେ ବୋଧେ ମୁଁ ମୁକ୍ତି ପାଇବି । ଆତ୍ମହତ୍ୟା ଲାଗି ଗୋଟାଏ ପ୍ରଶାନ୍ତ ଧୀର ସୁଯୋଗ ଆସିଯିବ । କିଛି ଅବଶ୍ୟ ଖଲାସ ହେଲା । ମାତ୍ର ସ୍ନାୟୁମାନେ ପୁଣି ଦୁଇଗୁଣ ଟଣକେଇ ଉଠିଲେଣି । ପାକସ୍ଥଳୀରେ ପୁଣି ଯନ୍ତ୍ରଣା ଆରମ୍ଭ ହୋଇଗଲାଣି । ମୁଁ ବିଷର୍ଣ୍ଣ–ମୁଁ ଏକୁଟିଆ–ମୁଁ ସିଦ୍ଧଗୁମ୍ପା ଖୋଜୁଛି । ମୁଁ ଯାହା ଦେଖିଲିଣି–ମୋତେ ଆଜି ରାତିଟାଯାକ ସିଦ୍ଧଗୁମ୍ପା ଖୋଜିବାକୁ ପଡ଼ିବ । ...ଆଚ୍ଛା ଯଦି ସେଇଟା ପାଇଯାଏ–ତେବେ କ’ଣ ହେବ ? ମୁଁ କ’ଣ ତା’ ଭିତରେ ମୋ ବାପାଙ୍କୁ ପାଇବି ? ସତରେ ତେବେ କ’ଣ ମୁଁ ଆଜିଯାଏ ମୁଁ ମୋ ବାପାଙ୍କୁ ଇ ଖୋଜୁଛି ? ମୋର ପ୍ରକୃତ ବାପାଙ୍କୁ ! ମୋର ଯେ ଗୁରୁଦେବ ତାଙ୍କୁ ? ମୋର ପ୍ରକୃତ ଧର୍ମକୁ-? ମୋର ପ୍ରକୃତ ତପଃକୁ–ମୋର ସ୍ଵର୍ଗକୁ ? ଏକ କଥାରେ ମୋର ଯଥାର୍ଥ ପିତୃଦେବ ?

ମୋର ଏହି ଏକବାଗିଆ ଢଙ୍ଗ–ମୋର ଏହି ଖିଆଲୀ ପ୍ରବଣତା–ମୋର ଏହି ନିଃସଙ୍ଗ ବିଷନ୍ନତା–ମୋର ଏହି କିଛି ନ ହେବାର ଇଚ୍ଛା–ମୋର ସେଇ ସାନ ଭାଇଟାର ପାଗଳାମୀ ହୀନ ସୁସ୍ଥ ମସ୍ତିଷ୍କତା ଲାଗି ମୋର ଦୁଃଖ–ମୋର ସେହି ଭଉଣୀଟାର ବେଦନା–ମୋର ସେହି କୁମାରୀ ଜୁଲୀ ମିଶ୍ର ସମ୍ପର୍କଜନିତ ଦାୟିତ୍ୱହୀନତା–ମୋର ସେହି ସୁରିଆ, ସୋଲୋମନ ଆଉ ଦୀନା ହେରିକାଙ୍କ ପାଇଁ କାନ୍ଦଣା–ଆଉ ମୋର ସେହି ମିସେସ ମିତିଆଙ୍କ ସମ୍ପର୍କଜନିତ ଖଲାସ କରିବା ପରର ଅବସନ୍ନତା–ଏସବୁ କ’ଣ ଯଥାର୍ଥରେ ଗୋଟିଏ ପିତୃଗୋତ୍ର ପରିଚୟ ହୀନ ଅନାଥ ବାଳକର ? ଆଚ୍ଛା ତାହା ଯଦି ହୁଏ–ତେବେ ମୋର ଯଥାର୍ଥ ପିତା ଯେ ସେ କ’ଣ ଏଇ ଅନ୍ଧାର ରାତିରେ ଏଇଁ ଅପନ୍ତରା ସହସ୍ର ଗୁମ୍ଫା ଘେରା ପାହାଡ଼ଟାରେ ଏକୁଟିଆ ପଡ଼ିଯାଇଥିବା ମୋତେ ଖୋଜୁନାହାନ୍ତି ? ଖୋଜୁନାହାନ୍ତି ଏହି ଅଜଣା ଗବଣବୁଲା ଅନାଥ ଅର୍କ୍ଷିତ ଆଡ଼ପାଗଳା ସନ୍ତାନଟିକୁ-? ଏହି ନଷ୍ଟ ହୋଇ ହୋଇଯାଉଥିବା ସନ୍ତାନଟିର ପିତା କିଏ କେଉଠି ଅଛି ? ଆସ–ଆସ–ଚଞ୍ଚଳ ଆସି ଦେଖିଯାଅ ତୁମ ଆତ୍ମଜ ସନ୍ତାନଟିର ଏଇ ଦୂରବସ୍ଥା ? ମୁଁ ଯେତେଦୂର ପାରେ ପାହାଡ଼ ଉପରୁ ଚିତ୍କାର କରି ଉଠିଲି–ବାପା ?

ହୋ ବାପା ?

ବାପା ?

ସଙ୍ଗେ ସଙ୍ଗେ ପାହାଡ଼ର ଶତଶତ ଗୁମ୍ଫା ଭିତରୁ ପ୍ରତିଧ୍ଵନିତ ହୋଇଉଠିଲା–ବାପାଙ୍କର ଆଶା ବାଡ଼ିଭଳି ସେହି ଆଶ୍ୱାସନାଦାୟୀ ଆକାର ଧ୍ଵନିଟି–ଆ ଆ ଆ ।

ମୋର ଘନଘନ ବାପା ବାପା ଡାକ ଓ ତା’ର ଘନଘନ ଆ ଆ ପ୍ରତିଧ୍ଵନିରେ ମୁଁ ଭୀଷଣ ଉତ୍ତେଜିତ ହୋଇଉଠିଲି । ତା’ପରେ–ତା’ପରେ ମୁଁ ବୋଧେ ମୂର୍ଚ୍ଛିତ ହୋଇ ସେଇଠି କଚାଡ଼ି ହୋଇପଡ଼ିଲି । ...ତା’ପରେ....

ମୋର ମୂର୍ଚ୍ଛା ମଧ୍ୟ ସେତେବେଳେ ଆଉ ଭାଙ୍ଗିଥିଲା କି ନାହିଁ ମୁଁ ଜାଣେନା । ବର୍ତ୍ତମାନ ମୁଁ ମଧ୍ୟ ମୂର୍ଚ୍ଛିତ ଅଛି ବୋଧେ । କିନ୍ତୁ ମୋର ମନେ ପଡ଼ୁଛି–ସେହି ଉତ୍ତେଜିତ ଆଚ୍ଛନ୍ନ ଅବସ୍ଥାରେ କିଏ ସତେକି ମୋର ମୁଣ୍ଡକୁ ଟେକି ଧରି ତା’ର ସୁକୋମଳ କୋଳ ଉପରେ ରଖିଲା ! ମୋର ଦେହ ହାତକୁ ଆଉଁସି ଲାଗିଲା । ମୋର ଉତ୍ତପ୍ତ ମଥା ତା’ର ଶୀତଳକର ସ୍ପର୍ଶରେ ଥଣ୍ଡା ହୋଇଆସିଲା | ମୁଁ ଧୀରେ ଆକ୍ଷି ମେଲି ଚାହିଁଲି–ଏ କିଏ ? କି ସୁନ୍ଦର ମୁହଁଟିଏ ! ସେ ଆକ୍ଷି ଦୁଇଟିରେ ଶାରଦୀୟ ଧାନକ୍ଷେତର ସବୁଜ ନରମ ସ୍ନିଗ୍‍ଧ ପ୍ରତିଶ୍ରୁତି ଆଶ୍ଵାସନା ଓ ତେଜ ଭରି ରହିଥିଲା ।ସେ ହସରେ ଥିଲା “ଧନରେ ତତେ ଫେରି ପାଇଛି” ଭଳି ସକୃତଜ୍ଞ ଓ ସମ୍ମୋହିତ ସୁଷମା । ସେ କର ସ୍ପର୍ଶରେ ଥିଲା–ଲାଳ ପୋଛି ଦେଇ ନାହିଁ କାଟିଦେଇ କୋଳକୁ ନେଇ କ୍ଷୀର ଖାଇଦେବାର ଅନୁଭୂତି । ତା’ ଆକ୍ଷି ସଙ୍ଗେ ମୋ ଆକ୍ଷି ମିଳିଯିବାମାତ୍ରେ ମୁଁ ଲଜ୍ୟାରେ ଖୁସିରେ କାନ୍ଦିବି ବୋଲି ଆକ୍ଷି ବୁଜିଦେଲି । ମାତ୍ରେ ସାଙ୍ଗେ ସାଙ୍ଗେ ଆକ୍ଷି ଖୋଲି ପଚାରିଦେଲି–ତୁ କିଏ ?

ମୁଁ ? ହସି ହସି ସେ କହିଲା । ସେତିକି ବହୁ ସମୟ ଧରି ମୋର ଶୁଶ୍ରୁଷା କରୁ କରୁ ସେ ମୋ’ଠାରୁ ଏଇ ପ୍ରଶ୍ନଟି ଶୁଣିବ ବୋଲି ଅପେକ୍ଷା କରୁଥିଲା ! ହସୁ ହସୁ ତା’ ଆକ୍ଷି ଦୁଇଟି ପବନରେ ପଦ୍ମଫୁଲର ପାଖୁଡ଼ାମାନ ଦୋହଲିଲା ଭଳି ଦୋହଲିଲା । ମୋତେ ଚିହ୍ନିପାରୁନୁ ? ମୁଁ ପରା ତୋ ମାଆ ?

ମାଆ ।

ହଁ–ତୋ ମାଆ ?

ମୁଁ ତ କିନ୍ତୁ ତୋତେ ଖୋଜୁନଥିଲି ?

ମାତ୍ର ମୁଁ ତ ତୋତେ ଖୋଜି ବୁଲୁଥିଲିରେ ଧନ !

ମୋର ସମଗ୍ର ଦେହ ଏକ ଅପୂର୍ବ ଆନନ୍ଦ ପୁଲକରେ ଶିହରିତ ହେବାକୁ ଲାଗିଲା । ମୁଁ ପଚାରିଲି–କେମିତି ପାଇଲୁ ମତେ ? କେମିତି ଜାଣିଲୁ ମୋର ଠିକଣା ? ମୁଁ ଏଠି ଅଛି ବୋଲି ତତେ କିଏ କହିଲା ?

ତୋ’ ବାପାରେ ଧନ ।

 

ବାପା ! କାହାନ୍ତି ସେ ? ବାପା !

 

ମୁଁ ଉଠି ବସିଲି । ଆବେଗରେ କାନ୍ଦି ଉଠି ପଚାରିଲି–

 

କାହାନ୍ତି, କାହାନ୍ତି ସେ ? ବାପା ?

 

ମା’ ସେଇଠି ଗୋଡ଼ ଲମ୍ବେଇ ବସିଥାଏ । ସେ ହସିହସି ଗୋଟାଏ ଗୁମ୍ଫା ଆଡ଼କୁ ହାତ ବଢ଼େଇଦେଲା–ଯା–ଯା–ସେଇଟା ସିଦ୍ଧଗୁମ୍ଫା–। ସେ ସେଇଠି ଅଛନ୍ତି ।

 

ମୁଁ ଆତୁରରେ ସେଇ ଗୁମ୍ଫା ଆଡ଼କୁ ଦଉଡ଼ିଗଲା ।

 

ବାପା–ବାପା !

 

ବାପା ! ବାପା !

 

ବାପା ଆ ଆ ଆ ଆ !

☆☆☆

 

ବହ୍ୱାରମ୍ଭେ

 

“ଚରିତ୍ର” କି ଜାତି ପଦାର୍ଥ–ସେ ସମ୍ବନ୍ଧେ ସେମିତି କିଛି ଧାରଣା କାହାର ନାହିଁ । ମାତ୍ର କେତେବେଳେ କୋଉବାଟେ କେଉଁ ସୁରାକରେ ସେଇଟା ଖସି ପଳାଇଯାଇ ଅକସ୍ମାତ୍ ନଷ୍ଟ ହୋଇଯାଏ–ସେ କଥା ତ ଆମେ ପ୍ରତିଦିନ ପ୍ରତି ମୁହୂର୍ତ୍ତରେ ବହୁ ଲୋକଙ୍କ ଜୀବନରେ ଦେଖୁଛୁଁ । ଅବଶ୍ୟ ଆମେ ତା’ର “ଚରିତ୍ର” ଟିକୁ ଦେଖୁନାହିଁ । କେବଳ ସେହି ଚରିତ୍ରଟି ନଷ୍ଟ ହୋଇଯିବାର ଦେଖୁ ।

 

ସେଦିନ ଅଧ୍ୟାପକ ରାମଶଙ୍କରବାବୁଙ୍କର ଚରିତ୍ରଟି ବି ସେହିଭଳି ହଠାତ୍ ନଷ୍ଟ ହୋଇଗଲା । ସମସ୍ତେ ଅନ୍ତତଃ ସେଇଆ ଦେଖିଲେ ଓ ସେଇୟା କହିଲେ । ସହକର୍ମୀ ଅଧ୍ୟାପକମାନେ ରାମଶଙ୍କର ବାବୁଙ୍କର ଏହି ଆକସ୍ମିକ ଚରିତ୍ରନଷ୍ଟ ବ୍ୟାପାର ଶୁଣି ଖୁବ୍ ଖୁସି ହୋଇଗଲେ । ଯେଉଁମାନେ ଆଗରୁ ନଷ୍ଟଚରିତ୍ର ବୋଲି ଖ୍ୟାତିଲାଭ କରିଛନ୍ତି, ସେମାନେ ଆନନ୍ଦରେ ନିଜ ନିଜର କାନ ଉପର ବାଳକୁ ଧୀରେ ଧୀରେ ଆଉଁସି କହିଲେ–

 

ହେଲା ତ ? ହେଲା ଏବେ ? ଏବେ ଦେଖିଲ ତ ? ମୂର୍ତ୍ତ୍ୟମଣ୍ଡଳରେ ରକ୍ତ ମାଂସର ଦେହ ବହନ କରି ଜନ୍ମ ହେଲେ–ଦେବତା ହେଲେ ମଧ୍ୟ ଏଇ “ଚରିତ୍ର” ପଦାର୍ଥଟିକୁ ରଖିପାରିବା ସାଧ୍ୟାତୀତ । ଦିନେ ନା ଦିନେ ତାହା ନଷ୍ଟ ହେବ । ରାମଶଙ୍କର ବାବୁ ଏମିତି କୋଉ ଇଏକି ?

 

ଯେଉଁମାନଙ୍କର “ଚରିତ୍ର” ଏବେ ସୁଦ୍ଧା ନଷ୍ଟ ହୋଇନାହିଁ ବୋଲି ଏକ ଗ୍ଳାନିକର ଖ୍ୟାତି ରହିଛି–ସେମାନେ ବି ଖୁବ୍ ଖୁସି ହୋଇଗଲେ ରାମଶଙ୍କର ବାବୁଙ୍କର ଏହି ଆକସ୍ମିକ ଅଧଃପତନରେ । ସେମାନେ ନିଜ ନିଜର ଛାତିକୁ ବାଡ଼େଇଲା ଢଙ୍ଗରେ ଆଉଁସି ଆଉଁସି କହିବାକୁ ଲାଗିଲେ–

 

“ଚରିତ୍ର” ରକ୍ଷା କରିବା ଯେ କେତେ କଷ୍ଟକର ବ୍ୟାପାର–ଏବେ ବୁଝ । ରାମଶଙ୍କର ବାବୁଙ୍କ ଭଳି ନୀତିଦୋରସ୍ତ ଚାରିତ୍ରିକ ଶୁଚିବାୟୁଗ୍ରସ୍ତ ଲୋକ ଯଦି ହଠାତ୍ ବାଟରୁ ଏମିତି ଖସିଯାନ୍ତି–ତେବେ ଏଥିରୁ ବୁଝ–ଆମେ ସବୁ କି କଷ୍ଟରେ ଏହି “ଚରିତ୍ର” ଟିକୁ ରକ୍ଷାକରି ଏଯାଏଁ ବସିଛୁଁ । ଆମ୍ଭେମାନେ ଯେ ଏସବୁ ବ୍ୟାପାରରେ ଅସାଧାରଣ ଚରିତ୍ରବତ୍ତାର ଅଧିକାରୀ–ଏଥିରେ ଆଉ ସନ୍ଦେହ କରିବାର କିଛି ଅଛି କି ?

 

ନାନାଲୋକେ ନାନା କଥା କହିଲେ । କିଏ କହିଲା–ଏସବୁ “ଗର୍ଜନଶୀଳ ଚାଳିଶି” (roaring forty)ର ଲକ୍ଷଣ । ଭଦ୍ରଲୋକଟାର ମୁଣ୍ଡ ବିଗିଡ଼ିଗଲା ।

 

ଆଉ ଜଣେ କହିଲା–ଭଦ୍ରଲୋକ ବୁଡ଼ି ବୁଡ଼ି ପାଣି ପିଅନ୍ତି । ଆଜି ସିନା ଧରା ପଡ଼ିଗଲେ-

 

ଖୁସି ହୋଇ ଛାତ୍ରମାନେ କହିଲେ–

 

ଏହାଦ୍ୱାରା ବରଂ ଭଲ ହେଲା । ରାମଶଙ୍କର ବାବୁଙ୍କୁ ଜବତ୍ କରିବା ଏଣିକି ସହଜ ହେବ । ଏଣିକି କ୍ଲାସରେ ସିନେମା ପତ୍ରିକା ପଢ଼ିଲେ ସେ ଆଉ କିଛି କହିପାରିବେ ନାହିଁ ।

 

ପିଅନମାନେ କହିଲେ–

 

ବଡ଼ ମଜା କଥା ହେଲା ! ତାଙ୍କୁ ଏଣିକି ଫାଙ୍କିବା ସହଜ ହେବ ।

 

କିରାଣୀମାନେ କହିଲେ–

 

ଏଣିକି ସେ ମୁଣ୍ଡ ତଳକୁ କରି ଅଫିସ ଭିତରକୁ ପଶିବାକୁ ବାଧ୍ୟ ହେବେ । ଅଫିସରୁ ବାହାରିବେ ମଧ୍ୟ ମଥାନତ କରି ।

 

ତାଙ୍କର ଉପରିସ୍ଥ କର୍ତ୍ତା କହିଲେ–ଈଶ୍ଵର ରକ୍ଷା କଲେ । ରାମଶଙ୍କର ବାବୁଙ୍କ ଗୋପନୀୟ ଚରିତ୍ର ରିପୋର୍ଟରେ କ’ଣ ଲେଖିବି ବୋଲି ଗଭୀର ଚିନ୍ତାରେ ବ୍ୟାପୃତ ଥିଲି । ଭଦ୍ରଲୋକ ମୋତେ ସେ ଚିନ୍ତାରୁ ମୁକ୍ତି ଦେଲେ ।

 

ନିଜସ୍ଵ ସମ୍ବାଦଦାତାମାନେ ବିଚ୍ ବଜାର ଉପରେ ଚିତ୍କାର ଛାଡ଼ିଲେ–

 

ଏବେ ଦେଖିଲ ତ ? ଆମେ ଆଗରୁ କଅଣ କହୁଥିଲୁ ? ଅଧ୍ୟାପକ ରାମଶଙ୍କରଙ୍କ ସ୍ତ୍ରୀ ଯେ ବହୁବାର ଆତ୍ମହତ୍ୟା କରିବାକୁ ବସିଥିଲେ–ତା’ର କାରଣ ରାମଶଙ୍କର ବାବୁ ଏହିଭଳି ବହୁ କୁକାର୍ଯ୍ୟରେ ଗୁପ୍ତରେ ବ୍ୟାପୃତ ଥାଇ ନିଜ ଚରିତ୍ରକୁ ତ ନଷ୍ଟ କରିଛନ୍ତି–

 

ତା’ ଛଡ଼ା.........

 

ମୋଟ ଉପରେ ଅଧ୍ୟାପକ ରାମଶଙ୍କର ବାବୁଙ୍କର ଏହି ଆକସ୍ମିକ ପଦସ୍ଖଳନରେ ଓ ଚରିତ୍ରନଷ୍ଟ ବ୍ୟାପାରରେ ସମସ୍ତେ ଖୁବ୍ ଖୁସି ହୋଇଗଲେ ।

 

ରାମଶଙ୍କର ବାବୁ କିନ୍ତୁ ଏଇ ‘‘ଚରିତ୍ର’’ ବିଷୟରେ ମୂଳରୁ ଖୁବ୍ ସଚେତନ ଥିଲେ । ଏଥିରେ ସନ୍ଦେହ ନାହିଁ ଯେ–କେବଳ “ଚରିତ୍ର” ଟିକୁ ସୁନ୍ଦର, ସଂଯତ, ପବିତ୍ର ଓ ଶୃଙ୍ଖଳିତ ରଖିବେ ବୋଲି ସେ ଅନ୍ୟପ୍ରକାର ଅର୍ଥ, ସମ୍ମାନ ଓ କ୍ଷମତାଜନକ ବୃତ୍ତି ଛାଡ଼ି ଏଇ ଶିକ୍ଷାବିଭାଗରେ ପଶିଥିଲେ । “ଚରିତ୍ର” କ’ଣ ନ ଜାଣି ସେ ତାଙ୍କର ଅଧ୍ୟାପକ ଜୀବନର ପନ୍ଦରଟି ବର୍ଷ କଟାଇଦେଲେଣି । ରାମଶଙ୍କର ବାବୁ ଗଣିତ ଅଧ୍ୟାପକ । ଧର୍ମ ଓ ଦର୍ଶନ କବିତା ଛଡ଼ା ଅନ୍ୟ ପ୍ରକାର କବିତା ପଢ଼ିଲେ ଚରିତ୍ର ଖସଯିବ ବୋଲି ସେ ସେପ୍ରକାର କବିତା, ଗଳ୍ପ ଓ ଉପନ୍ୟାସ, ନାଟକାଦି ପଢ଼ନ୍ତି ନାହିଁ । ସିନେମା ତ ସେ ଦେଖନ୍ତି ନାହିଁ । ଯଦି ବା କେବେ ଯାନ୍ତି; ତେବେ ଚିତ୍ର ନ ଦେଖି ସେ ପ୍ରେକ୍ଷାଗୃହରେ ଆକ୍ଷି ବୁଲାଇ ମାର୍କ କରନ୍ତି କେଉଁ ଛାତ୍ର ବା ଛାତ୍ରୀ ପାଠ ନ ପଢ଼ି ଛବି ଦେଖି ଆସିଛି । ବାଡ଼ି ପଟ କଲମୀ ଆମ୍ବଗଛରେ ବଉଳ ଭିତରେ ଲୁଚି ରହି କେବେ ଯଦି କୋଇଲି ବୋବାଏ, ତେବେ ତାଙ୍କର ମନ ହୁଏ ଟେକା ପକାଇ ଉଡ଼ାଇଦେଲେ ଯାଏ । ଜହ୍ନ ରାତିରେ ସେ ଘରୁ ବାହାରନ୍ତି ନାହିଁ । ଚାନ୍ଦକୁ ବିଶ୍ୱାସ ନାହିଁ । ମଳୟ କଥା ଆଉ କାହିଁକି ବା କହିବା ? ରାମଶଙ୍କର ବାବୁ ହୁଗୁଳା ପୋଷାକର ମହାବିରୋଧୀ । ହାବାଇକୁ ସେ ସହିପାରନ୍ତି ନାହିଁ । ଦେହରେ ମଳୟ ବାଜିଯିବ ବୋଲି ସେ ସବୁବେଳେ ପୁରା ସୁଟ୍ ପିନ୍ଧି ପଦାକୁ ବାହାରନ୍ତି ।

 

କ୍ଲାସରେ ଅବଶ୍ୟ ରାମଶଙ୍କର ବାବୁ ଖୁବ୍ ଭଲ ପଢ଼ାନ୍ତି । ଗଣିତଶାସ୍ତ୍ରରେ ତାଙ୍କର ମୌଳିକତା ଅଛି; କିନ୍ତୁ ଛାତ୍ରୀମାନେ ଅନ୍ୟ ପ୍ରକାର ମତ ଦିଅନ୍ତି । ଯେଉଁ ଅଧ୍ୟାପକ ମୁହଁକୁ ଚାହିଁ ନ ପଢ଼ାଏ–ତା’ର ଅନ୍ତର ନାହିଁ କି ଆନ୍ତରିକତା ବି ନାହିଁ । ଫଳରେ ଛାତ୍ରୀମାନେ କହିବା ମଧ୍ୟ ଆଶ୍ଚର୍ଯ୍ୟ ନୁହେ ଯେ–ରାମଶଙ୍କର ବାବୁ କେବଳ ଜ୍ଞାନପନ୍ଥୀ–ପ୍ରେମୀ ନୁହନ୍ତି ।

 

କିନ୍ତୁ ରାମଶଙ୍କର ବାବୁଙ୍କର ଏ ସବୁ ମନ୍ତବ୍ୟରେ ଯାଏ ଆସେନା କିଛି । ସେ ଭଲଭାବରେ ଜାଣିଛନ୍ତି, ବୁଝିଛନ୍ତି ଓ ବିଶ୍ୱାସ କରନ୍ତି ଯେ ‘ଶିକ୍ଷକ ହିଁ ସମାଜର ମେରୁଦଣ୍ଡ’ । ସମାଜ ତା’ର ଚରିତ୍ର ପଦାର୍ଥଟିକୁ ଶିକ୍ଷକର ମେରୁଦଣ୍ଡ ଉପରେ ଥୋଇଦେଇ ନିଶ୍ଚିନ୍ତ ନିର୍ଭରରେ ବସିଛି । ଶିକ୍ଷକର କର୍ତ୍ତବ୍ୟ ହେଉଛି–ସମାଜଦତ୍ତ ଏହି ଚରିତ୍ର ରତ୍ନଟିକୁ ସର୍ବତୋଭାବେ ସର୍ବଶକ୍ତି ବିନିଯୋଗ କରି ରକ୍ଷାକରିବା । ଶିକ୍ଷକ ଜାତି ଓ ଦେଶର ମେରୁଦଣ୍ଡ ହୋଇଥିବାରୁ ଜାତି ଓ ଦେଶରେ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ଯେତେ ଇଚ୍ଛା ସେତେ ଆନ୍ଦୋଳିତ ହେଲେ ଯାଏ ଆସେ ନାହିଁ, ମାତ୍ର ମେରୁଦଣ୍ଡ ସ୍ଥିର ଓ ସରଳ ରହିବା ଉଚିତ ।

 

ନିଜର ମେରୁଦଣ୍ଡକୁ ମଧ୍ୟ ସର୍ବଦା ସ୍ଥିର ଓ ସରଳ ରଖିଥିଲେ ରାମଶଙ୍କର ବାବୁ ଆଜିକୁ ପନ୍ଦର ବର୍ଷ ଧରି । ଦେହସୁହା ହୋଇଗଲାଣି ଏହି ନୀତିସଂଯମ ଆଉ ଶୃଙ୍ଖଳାର ଜୀବନ ।

 

ଅବଶ୍ୟ ଦେହଟା ଅନେକ କଥା ସହିଯାଏ; କାରଣ “ଦେହ”ର ଦାବିଟା ଏତେ ବେଶୀ ନୁହେ–ଏବଂ ଯେଡ଼େ ବେଶୀ ହେଲେ ବି ତାହା ରାମଶଙ୍କର ବାବୁଙ୍କ ଭଳି ବ୍ୟକ୍ତିମାନଙ୍କର ଖୁବ୍ ସହଜରେ ଅଳ୍ପକରେ ମେଣ୍ଟଣ ହୋଇଯାଏ ।

 

ମାତ୍ର ଦେହ ଭିତରେ ଛୋଟ କଣ୍ଟାଟିଏ ଭଳି କେଉଁଠି ଲୁଚି ରହିଛି ‘ମନ’ ବୋଲି ଯେଉଁ ପଦାର୍ଥ, ସେ ବେଳେ ବେଳେ ଫୋଡ଼ି ହୋଇଯାଏ–ବିଦ୍ରୋହ କଲା ଭଳି ସଁ ସଁ ହୁଏ–ମୁକ୍ତି ଲାଗି ସେ ପାଗଳ ହୋଇ ଉଠେ । ମନର ଏଇ ମୁକ୍ତି–ନିଶା ଶେଷରେ ଆତ୍ମାକୁ ବି ଧରେ ଆଉ ଆଶ୍ଚର୍ଯ୍ୟ ଭାବେ ଭୟଙ୍କର ଏହି ସହଯୋଗ ମନର ଓ ଆତ୍ମାର । ସାରଥିର ମୁକ୍ତି–ଉନ୍ମାଦନାରେ ରଥୀର ମୁକ୍ତି–ଉନ୍ମାଦନା ଯେତେବେଳେ ମିଶି ଏକାକାର ହୋଇଯାଏ, ସେତେବେଳେ ରଥ କି ଆଉ ସମ୍ଭଳା ଛାଡ଼େ ? ପଥର ସୀମାକୁ ଟପି ସେ ଅପଥରେ ଧାଏଁ ।

 

ରାମଶଙ୍କର ବାବୁଙ୍କ ଭିତରେ ଧାଇଁବାର ବ୍ୟାକୁଳତା ଆସିଛି ଅନେକ ଥର । ଦୁନିଆରେ ସମସ୍ତେ ଧାଇଁଛନ୍ତି–କେବଳ ତାଙ୍କ ଛଡ଼ା ।

 

ରାସ୍ତାରେ ପରସ୍ପରକୁ ପଛରେ ପକାଇ ଧାଇଁଛନ୍ତି ଗାଡ଼ିମାନେ ।

 

ଆକାଶରେ ଦୁଇପାଖେ ମହାଶୂନ୍ୟର ବ୍ୟର୍ଥତାକୁ ପକ୍ଷରେ ପିଟି ପିଟି ଉଡ଼ି ଉଡ଼ି ଚାଲିଛନ୍ତି ପକ୍ଷୀମାନେ ।

 

ନଦୀର ଦୁଇ ତଟସୀମାକୁ ଧକ୍‍କା ମାରି ଖାଇଖାଇ ଧାଇଁ ଚାଲିଛନ୍ତି ସ୍ରୋତମାନେ ।

 

ସମସ୍ତେ ଧାଇଁଛନ୍ତି–

 

ପଡ଼ୁଛନ୍ତି–

 

ଉଠୁଛନ୍ତି–

 

ପୁଣି ଧାଇଁଛନ୍ତି–

 

ମୁକ୍ତିର ଅର୍ଥ ଧାଇଁବାରେ । ଧାଇଁଲେ ଇ ଦେହର ଉତ୍ତାପ ବଢ଼ିଯାଏ–ରକ୍ତର ସ୍ରୋତ ଗତିଶୀଳ ହୋଇଉଠେ–ନିଶ୍ୱାସ ଖର ହୁଏ–ହୃତ୍‍ପିଣ୍ଡର ସ୍ପନ୍ଦନ ବାରି ହୋଇପଡ଼େ ସ୍ପଷ୍ଟ– ହୃତ୍‍ପିଣ୍ଡର ଏଇ ଦ୍ରୁତ ସ୍ପନ୍ଦନ ହିଁ ମୁକ୍ତି ବିଷୟରେ ସଜାଗ ପରିଚୟ ଦେଇଥାଏ, ମୁକ୍ତି ନୂତନ । ଧାଇଁବାରେ ସେହି ନୂତନତାର ସ୍ଵାଦ ମିଳିଥାଏ । ନ ଧାଇଁଲେ ନିଜର ଅସ୍ତିତ୍ଵ ବିଷୟରେ ବେଳେ ବେଳେ ସନ୍ଦେହ ଉପୁଜେ । ଧାଇଁବା ଭିତରେ ହିଁ ରହିଛି ନୂତନ ଜୀବନର ପ୍ରମୁକ୍ତ ସ୍ଵାଦ ।

 

ମାତ୍ର ଅଧ୍ୟାପକ ରାମଶଙ୍କର ବାବୁ ଆଦୌ ଧାଇଁ ନ ଥିଲେ । ରାସ୍ତାର ବାମପଟେ ତଳକୁ ମୁହଁ ପୋତିପୋତି ଛତାର ଗୋବରେ ଭୂଇଁକୁ ଢିଅ ମାରି ମାରି ସେ ଘରୁ ବାହାରକୁ ଓ ବାହାରୁ ଘର ଭିତରକୁ ଖୁବ୍ ଧୀରେ ଧୀରେ ଅତି ସନ୍ତର୍ପଣର ସହିତ ଯିବା ଆସିବା କରନ୍ତି ।

 

ଫଳରେ ଦେହର ଉତ୍ତେଜନା କମି ଆସୁଥିଲା; ମାତ୍ର ମନର ଉତ୍ତେଜନା ବଢ଼ିଯାଉଥିଲା ଭିତରେ ଭିତରେ । ପଦାକୁ ବାହାରିବା ଲାଗି ତାକୁ ବାଟ ନ ଛାଡ଼ିଲେ–ତାହା ଭିତରକୁ ଫଟାଇଦେଇ ଯେ କୌଣସି ବାଟ ନିଜେ ପ୍ରସ୍ତୁତ କରି ପଦାକୁ ବାହାରି ଆସିବ ଇ ଆସିବ । ଦିନେ ହେଲେ ଆସିବ–କାଳେ ହେଲେ ଆସିବ ।

 

ରାମଶଙ୍କର ବାବୁଙ୍କ ଭିତରେ ସେହି ଉତ୍ତେଜନା ବାଟ ଖୋଜୁଥିଲା ।

 

କିନ୍ତୁ ଘଟଣାଟି ସେମିତି କିଛି ନାଟକୀୟ ବ୍ୟାପାର ନୁହେଁ । ବିଶେଷତଃ ଘଟଣାଟିର ଆରମ୍ଭରୁ ମନେ ହେଉଥିଲା ଯେ ବିଶେଷ କିଛି ଗୋଟାଏ ଶେଷ ଆଡ଼କୁ ଘଟିଯିବ–ଯାହାକି ବହୁ ସମୟ ଯାଏ ଚାଲିବ ଏବଂ ବହୁ ଉପର ଘଟଣା, ଶାଖା ଘଟଣାରେ ଛନ୍ଦାଛନ୍ଦି ହୋଇ–ବଢ଼ି କମି–ଉଠି ପଡ଼ି–ସେ ଗୋଟାଏ ମହା ହୁଲସ୍ଥୂଲ୍ ବ୍ୟାପାରରେ ପରିଣତି ହୋଇ–ଗୋଟିଏ ବିରାଟ ଉପନ୍ୟାସ ଲାଗି ଖୋରାକ ହୋଇ ମଧ୍ୟ–ଆହୁରି ବେଶୀ ଭାଗ ଘଟଣା ବଳି ପଡ଼ିବ ।

 

ମାତ୍ର ଦୁର୍ଭାଗ୍ୟ । ଗୋଟିଏ ସାଧାରଣ ଆୟତନର ଗଳ୍ପ ଲାଗି ମଧ୍ୟ ରାମଶଙ୍କର ବାବୁ ଘଟଣା ଘଟାଇପାରିଲେ ନାହିଁ । ଶେଷ ଆଡ଼କୁ ଘଟଣାଟା ଏଭଳି ସହଜ, ମାମୁଲି ଆଉ ପାରିବାରିକ ହୋଇଉଠିଲା ଯେ ସେସବୁ କଥା ଯେତେ ଯଥାଯଥ ଭାବେ ବର୍ଣ୍ଣନା କଲେ ମଧ୍ୟ ବିଜ୍ଞ ପାଠକ–ପାଠିକାମାନେ ନିଶ୍ଚୟ ମନେ କରି ପାରନ୍ତି ଯେ, “ଭଦ୍ରଲୋକଙ୍କର ଗଳ୍ପ ଲେଖିବା କ୍ଷମତା ଗଲାଣି–କଳ୍ପନାକୁ ବାଘ ଖାଇଲାଣି । ଏଣିକି ସେ କେବଳ ନିଜର ଉତ୍ତେଜନାହୀନ ମାମୁଲି ପାରିବାରିକ ଜୀବନଟିକୁ ଅତି ଆତୁର ଭାବେ ବର୍ଣ୍ଣନା କରି ଚାଲିଛନ୍ତି । ଭଦ୍ରଲୋକଙ୍କର ଏଣିକି କଲମ ଛାଡ଼ିବା ବେଳ ହୋଇଗଲାଣି ।”

 

ମୋର ବିଜ୍ଞ–ପାଠକପାଠିକାମାନଙ୍କର ଆକ୍ଷେପ ବିରୁଦ୍ଧରେ ମୋର ଆଉ କହିବାର କିଛି ନାହିଁ । କିନ୍ତୁ କଅଣ ଆଉ କରାଯାଏ ? ଏହି ତ୍ରୁଟି ଲାଗି ମୁଁ କେବଳ ମନେ ମନେ ଅଧ୍ୟାପକ ରାମଶଙ୍କର ବାବୁଙ୍କୁ ଦାୟୀକରି ସନ୍ତୁଷ୍ଟ ରହିଛି ଓ “ଦିଗନ୍ତ” ର ସୁଯୋଗ୍ୟ ସମ୍ପାଦକଙ୍କ ମୁଣ୍ଡ ଉପରେ ସବୁ ଭାର ଅର୍ପଣ କରି ଏବେ କଥାଟା କହିଦେଉଛି । “ଦିଗନ୍ତ” ର ତତ୍କାଳୀନ ସମ୍ପାଦକ–ପ୍ରଖ୍ୟାତନାମା ଗାଳ୍ପିକ ଶ୍ରୀଯୁକ୍ତ ମନୋଜ ଦାସ ।

 

ମାସଟା ମାଘ ମାସ ।

 

ସେଦିନ ବ୍ରାହ୍ମମୁହୂର୍ତ୍ତରେ ଉଠି ସବୁଦିନ ପରି ଅଧ୍ୟାପକ ରାମଶଙ୍କର ବିଷ୍ଣୁ, ସହସ୍ରନାମ ଓ ଅଷ୍ଟକ ଆଦି ବଡ଼ ପାଟିରେ ଆବୃତ୍ତି କରି ନିତ୍ୟକର୍ମ ଶେଷ କରିଥିଲେ । ତା’ପରେ ଗ୍ଳାସେ ମିଶ୍ରୀ ସର୍ବତ ଖାଇ–ଗରମ ପୋଷାକ ପିନ୍ଧି–ପ୍ରତିଦିନର ସକାଳ ଭଳି ଦୁଇ ତିନି ମାଇଲ ରାସ୍ତା ପ୍ରଭାତ ଭ୍ରମଣରେ ବାହାରିଛନ୍ତି–ସ୍ତ୍ରୀ ସୁନୀତି ଦେବୀ ଗାଧୋଇବା ଲାଗି ଷ୍ଟୋଭ୍ ରେ ପାଣି ଗରମ କରୁ କରୁ କହିଲେ–

 

ମଫଲରଟା ମୁଣ୍ଡରେ ଭଲକରି ବାନ୍ଧ । ଭାରି କୁହୁଡ଼ି ହୋଇଛି । ସବୁଦିନ ସକାଳେ ଏତକ ମନେ ନ ପକାଇଦେଲେ ତୁମର ଆଉ ମନେ ପଡ଼ିବନି ।

 

ରାମଶଙ୍କର ବାବୁଙ୍କୁ ଆଜି ସ୍ତ୍ରୀଙ୍କର ଏହି କାନ୍ତାସମ୍ମତ ଉପଦେଶ ବାଣୀ ସକାଳଟାରୁ ସେତେ ଭଲ ଲାଗିଲା ନାହିଁ । ଏଇ ସକାଳଟା ଇ ମୁକ୍ତିର ସର୍ବଶ୍ରେଷ୍ଠ ପ୍ରତୀକ । ମାତ୍ର ସ୍ତ୍ରୀଙ୍କର ଶୃଙ୍ଖଳିତ ଉପଦେଶ ଭିତରେ ମଫଲରଟା କେବଳ ମୁଣ୍ଡକୁ ବାନ୍ଧେ ନାହିଁ–ମନଟାକୁ ବି ବାନ୍ଧି ପକାଏ-

 

ସ୍ଵର୍ଯ୍ୟ ଉଦୟ ହୋଇ ନାହିଁ; କିନ୍ତୁ ଆଲୁଅ ପଡ଼ି ଆସିଲାଣି । ମାଘ ଶେଷର କୁହୁଡ଼ିଆ ସକାଳ । ବାଡ଼ି କଲମୀ ଆମ୍ବ ଗଛରେ କୋଇଲିଟିଏ ବୋବେଇବାରେ ଲାଗିଛି । ସକାଳର ଏଇ ପବନଟା ଶୀତଳ; କିନ୍ତୁ ଜଡ଼ ନୁହେଁ । ଏଥିରେ ମୁକ୍ତିର ପ୍ରେରଣା ଭରି ରହିଛି । କିନ୍ତୁ ସ୍ତ୍ରୀଙ୍କର ଏଇ ସବୁଦିନିଆ କାନ୍ତା ସମ୍ମତ ଉପଦେଶର ଶୃଙ୍ଗଳା ଆଜି ହଠାତ୍ ତାଙ୍କୁ କିପରି ଟିକେ ବିରକ୍ତ ଲାଗିଲା ।

 

ତେବେ ସେ ଯାହା ହେଉ–ରାମଶଙ୍କର ବାବୁ ନୀରବରେ ଆପାଦମସ୍ତକ ଆବୃତ୍ତ କରି ପ୍ରଭାତ ଭ୍ରମଣରେ ବାହାରିଗଲେ । କିଛି ସମୟ ବିଶୁଦ୍ଧ ଅମ୍ଳଜାନ ସେବନ–ଅଲଟ୍ରାଭାଓଲେଟ୍ ରଶ୍ମି ଉପଭୋଗ ଓ ଭ୍ରମଣ ବ୍ୟାୟାମ ଶେଷ କରି ସାତଟାବେଳକୁ ଘରକୁ ଫେରିଆସିଲେ । ସଙ୍ଗେ ସଙ୍ଗେ ସ୍ତ୍ରୀ ଚାହା ଜଳଖିଆ ଥୋଇଦେଇ କହିଲେ–ଏଥର ପଢ଼ ।

 

ରାମଶଙ୍କର ବାବୁ କିଛି ସମୟ ପଢ଼ିଲେ । ତା’ପରେ ସାଢ଼େଆଠଟାବେଳେ ସୁନୀତି ଦେବୀ ବ୍ୟାଗ୍‍ଟି ଆଣି ଆଗରେ ଥୋଇଦେଇ କହିଲେ–

 

ବାଇଗଣ କିଲେ–ଆଳୁ ୧ କିଲେ–ଶିମ ପାଏ–କୋବି ୨ଟା–ମାଛ ।

 

ବଜାରରୁ ଫେରି ସେ ସ୍ନାନ ମାଜଣା ସାରି ଠାକୁରପୂଜା କଲେ ଏବଂ ଖାଇସାରି ପୋଷାକ ପିନ୍ଧିବାକୁ ଯାଉଛନ୍ତି–ସ୍ତ୍ରୀ କହିଲେ–

 

ଏମିତି ତରତର କାହିଁକି ? କ୍ଲାସ ତ ଏଗାରଟା ବେଳେ । ବହୁ ସମୟ ଅଛି । ପନ୍ଦର ମିନିଟ୍ ବିଛଣାରେ ପଡ଼ିଯାଅ । ଖବର କାଗଜଟା ଆଣି ବାପାଙ୍କୁ ଦେଏଲୋ ମାନୁ ! ଖାଇସାରି ସଙ୍ଗେ ସଙ୍ଗେ ଯାଅ ନାହିଁ ବୋଲି ସବୁଦିନ କହିଲେ ଯାଇ ହେବ । ଖାଇସାରି ଧାଇଁ ଧାଇଁ ଯାଇ ଗୁଡ଼ାଏ ବକିଲେ ଡିସେଣ୍ଟ୍ରି ହେବ ନାହିଁ ତ ଆଉ କ’ଣ ହେବ ?

 

ରାମଶଙ୍କର ବାବୁ ବାଧ୍ୟ ହୋଇ ପ୍ୟାଣ୍ଟଟି ରାକ୍ ରେ ଥୋଇ ଖବର କାଗଜ ଧରି ବିଛଣାର ପଡ଼ିଲେ । ବଡ଼ ବିରକ୍ତିକର ଏ ଜୀବନ !! ଉଃ !

 

ଖବର କାଗଜର ପ୍ରଥମ ପୃଷ୍ଠାରେ ତାଙ୍କର ଆକ୍ଷି ପଡ଼ିଲା ମାତ୍ରେ ସେ ପ୍ରଥମେ ଦେଖିଲେ “ବେଦାନାନିଗ୍ରହ ରସ”–ଶୁଳ, ଅମ୍ଳପିତ୍ତ, ବମନ, ଖଟା ହାକୁଟି, ଆମାଶୟ ଇତ୍ୟାଦି...

 

ରାମଶଙ୍କର ବାବୁଙ୍କୁ ମହା ବିରକ୍ତି ଲାଗିଲା । ଅବଶ୍ୟ ତା’ ତଳକୁ ଆନ୍ତର୍ଜାତିକ ରାଜନୀତି କ୍ଷେତ୍ରରେ ଏକ ଚମକପ୍ରଦ ଘଟଣା ବଡ଼ ଅକ୍ଷରରେ ଲେଖା ଯାଇଥିଲା । ମାତ୍ର ତାଙ୍କୁ ବୋଧ ହେଲା–ଏହି ଚମକପ୍ରଦ ଘଟଣାଗୁଡ଼ିକ ବି ନିହାତି ଗତାନୁଗତିକ–ସ୍ତ୍ରୀଙ୍କର ଉପଦେଶ ଭଳି ।

 

ଖବର କାଗଜଟି ଥୋଇ ସେ ଘଣ୍ଟା ଦେଖୁଛନ୍ତି, ବଡ଼ଝିଅ ମାନୁ ଆସି କହିଲା–

 

“ବାପା, ଟାଇମ୍ ହେଲାଣି–ପୋଷାକ ପିନ୍ଧ ।”

 

......ତା’ପରେ କଲେଜରେ ପାଞ୍ଚଟି ଘଣ୍ଟା କାର୍ଯ୍ୟ । ଲାଗ୍ ଲାଗ୍ ତିନୋଟି ଘଣ୍ଟା ସେ ତିନୋଟି ଟ୍ୟୁଟୋରିଆଲ କ୍ଲାସରେ ସେଇ ଗୋଟିଏ ଅଙ୍କକୁ ତିନିଥର ବୁଝାଇଲେ । ଶେଷବେଳକୁ ତାଙ୍କର ଧୈର୍ଯ୍ୟଚ୍ୟୁତି ହୋଇଥିଲା । ଏ ଜୀବନ ଆଉ ଏ କାର୍ଯ୍ୟ ନିହାତି ଗତାନୁଗତିକ, ଦେହଘଷିଆ ଆଉ ଉତ୍ତେଜନାହୀନ ହୋଇ ପଡ଼ିଲାଣି । କଲେଜର ଘଣ୍ଟାଟା ସେମିତି ବାଜୁଛି ସବୁଦିନ ଭଳି, ସେଥିରେ ନୂତନତା ନାହିଁ । ଅବଶ୍ୟ ପ୍ରତିବର୍ଷ କଲେଜରେ ନୂଆ ନୂଆ ଛାତ୍ରଙ୍କ ସଙ୍ଗେ ପରିଚୟ ହୁଏ । ମାତ୍ର ଏ ପରିଚୟଟା ବି ସେଇ ଗତାନୁଗତିକ ପରିଚୟ । ସେମାନଙ୍କ ସଙ୍ଗେ ସମ୍ପର୍କଟା ବି ସେହିଭଳି ଗତାନୁଗତିକ । ପାତ୍ର ନୂଆ କିନ୍ତୁ ଜଳ ସେଇ ଏକ ପ୍ରକାର ।

 

ନାଃ–ବଡ଼ ବିରକ୍ତିକର ଏ ଜୀବନ ।

 

କ୍ରମେ ତାଙ୍କୁ ଲାଗିଲା–କେବଳ ନିଜର ଜୀବନ ନୁହେଁ–ଏ ଦୁନିଆଟା ବି ଖୁବ୍ ଗତାନୁଗତିକ ହୋଇ ଉଠିଲାଣି । ଏଥିରେ ଆଉ ନୂତନତାର ଉନ୍ମାଦନା ନାହିଁ । ଏଥିରୁ ମୁକ୍ତି ଦରକାର ।

 

ମୁକ୍ତି ଏକାନ୍ତ କାମ୍ୟ ।

 

ଏ ସାଞ୍ଜୁ ଦେହକୁ ଭାରି କାଟିଲାଣି ।

 

ତା’ପରେ ଘରକୁ ଫେରିବା କଥା । ସାଢ଼େ ଚାରିଟା ବାଜିଲାଣି ।

 

ଘରେ ପଶୁ ପଶୁ ସବୁଦିନ ଭଳି ତାଙ୍କର ପୋଷା ଧଳା ଶଙ୍ଖୀବିଲେଇଟା ଲାଞ୍ଜ ଫୁଲାଇ ମିଆଉଁ ମିଆଉଁ କରି ତାଙ୍କ ଗୋଡ଼ରେ ଘଷିହୋଇ ଏପଟ ସେପଟ ବୁଲିଲା । ଏତିକିରେ ରାମଶଙ୍କର ବାବୁଙ୍କର ମନଟା ହଠାତ୍ ଚିଡ଼ିଉଠିଲା । ସବୁଦିନ କଲେଜ ବାହୁଡ଼ାଣି ଘରେ ପାଦ ଦେଲା ମାତ୍ରେଇ ଏ ବିଲେଇଟା ଏମିତି ହେବ । ତା’ପରେ ସେ ଡ୍ରଇଁ ରୁମରେ ବସୁ ବସୁ–ପାଞ୍ଚ ମିନିଟ୍ ଭିତରେ ଚାହା ଆସିବ ସେ ଚାହା ଖାଇବେ–ବିଲେଇଟା ସେମିତି ମିଆଉଁ ମିଆଉଁ ହୋଇ ଚକ୍‍କର ଦେଉଥିବ ତାଙ୍କ ଚାରିପଟେ ଏବଂ ଚାହା କପ୍‍ରୁ ଶେଷ କେତେ ଟୋପା ସେ ତଳେ ଢାଳିଦେବେ–ସେତିକି ସେ ଚାଟି ଦେଇ ପୁଣି ତା’ର ଗନ୍ତବ୍ୟ ପଥରେ ଚାଲିଯିବ ।

 

ଜୀବନଟା ଏମିତି ଗୋଟେ ଧରାବନ୍ଧା ଗତରେ ପଡ଼ିଗଲାଣି । ନୀତି ଆଉ ସଂଯମର ଦୁଇଟା ଲୁହାଧାରଣା ଉପରେ ମାଲଗାଡ଼ି ଭଳି ହିଁ ତାଙ୍କୁ ଚାଲିବାକୁ ପଡ଼ିଲାଣି ପନ୍ଦର ବର୍ଷ ଧରି । ଏ ଜୀବନରେ ଚାଞ୍ଚଲ୍ୟ ନାହିଁ–ଉନ୍ମାଦନା ନାହିଁ–ଉତ୍ତେଜନା ନାହିଁ । ଯାତ୍ରୀବାହୀ ଟ୍ରେନରେ ଯେତିକି କୋଳାହଳ ମୁଖରତା ଓ ଉଠିବାର ଓହ୍ଲେଇବାର ସ୍ନାୟବିକ ଉତ୍ତପ୍ତ ଆବେଗପୂର୍ଣ୍ଣ ସକ୍ରିୟତା–ସେତକ ମଧ୍ୟ ନାହିଁ । ଏ କେବଳ ଲୁହାଧାରଣା ଉପରେ ମାଲଗାଡ଼ିର ନିଷ୍ପ୍ରାଣ ଜଡ଼ ଘଟଣାବିହୀନ ନୀରବ ଧୀର ମନ୍ଥର ଗତି । ଏଥିରେ ହୁଏତ ‘ଚରିତ୍ର’ ଟା ରହିଛି ଅକ୍ଷତ ହୋଇ–ମାତ୍ର ଯେତିକି କ୍ଷତ ଓ କ୍ଷତି ଭିତରେ ଆତ୍ମା ଜୀବନର ଉତ୍ତାପ ଉତ୍ତେଜନାରେ ସତେଜ ହୋଇଉଠେ–ପୁଲକିତ ହୋଇଉଠେ–ସେତିକି କ୍ଷତ ବା କ୍ଷତି ଏଥିରେ ମିଳେ ନାହିଁ ।

 

ଏ ଜୀବନର ନୀତି ଅଛି–ମାତ୍ର ରୀତି ନାହିଁ । ତା’ ଅପେକ୍ଷା ବରଂ ଦୁର୍ଘଟଣା ଭଲ । ବନ୍ଧା ଧାରଣା ଉପରୁ ତଳକୁ ଖସିପଡ଼ି ଭାଙ୍ଗିଯାଇ ଛିଟିକି ପଡ଼–ଏଣେ ତେଣେ ବିଛୁଡ଼ି ପଡ଼ିବାରେ ବରଂ ଜୀବନକୁ ବେଶ୍ ଅନୁଭବ କରିହୁଏ ।

 

ବିଲେଇଟା ତଥାପି ମିଆଉଁ ମିଆଉଁ ହୋଇ ଗୋଡ଼ରେ ଘଷି ହେଉଛି । ରାମଶଙ୍କର ବାବୁ ହଠାତ୍ କେମିତି ଗୋଟେ ପ୍ରକାର ହୋଇଗଲେ । ଚଉକି ଉପରେ ବସିରହି ସେ ଏକପ୍ରକାର ନାଟକୀୟ ଭାବରେ କଟମଟ କରି ବିଲେଇଟି ଆଡ଼କୁ ଚାହିଁରହିଲେ ।

 

ସବୁ ବିଲେଇଗୁଡ଼ାକ ୟାଳ୍ପ ସମାନ । ଏମିତି ଲାଞ୍ଜ ଫୁଲେଇବେ । ମିଆଉଁ–ମିଆଉଁ ହେବେ । ଗୋଡ଼ରେ ଘଷି ହେବେ । ଶେଷରେ ଚାଟିଚୁଟି ଦେଇ ଜିଭ ବୁଲାଇ ପାଖ ଛାଡ଼ି ଚାଲିଯିବେ ଆଉଆଡ଼େ ।

 

ବିଲେଇଟା ଅର୍ଥପୂର୍ଣ୍ଣ ଆକ୍ଷିରେ ତାଙ୍କ ଆଡ଼କୁ ଅନାଇ ମିଆଉଁ ମିଆଉଁ ହେଲା ।

 

ରାମଶଙ୍କର ବାବୁ ନାଟକୀୟଭାବେ ଗୋଟାଏ ହସ ହସିଦେଇ ମାର୍ଜାର ନିକଟରେ ଗୋଟିଏ ବଚନିକା ଝାଡ଼ିଲେ–

 

ବୁଝୁଛି–ବୁଝୁଛି । ତୁମକୁ ମୁଁ ଆଜି ଦେଖୁ ନାହିଁ କେବଳ ବୁଝିଲ ? ପିଲାଦିନୁ ଦେଖିଆସୁଛି–ତୁମେ ସବୁ ଏକା ଭଳି । ଜଗତରେ ଯେତେ ଧଳା ପୁସି–ସମସ୍ତେ ଦିଶନ୍ତି ତୁମରି ଭଳି-। ପାର୍ଥକ୍ୟ ନାହିଁ ଏମିତି । କଟକଟ ଚିଲା ଆକ୍ଷି ଦୁଇଟା–ଏମିତି ଅବିକଳ ଛଡ଼ା ଛଡ଼ାଡ଼େଙ୍ଗା ନିଶ–ଏମିତି ଫୁଲଣିଆ ଲାଞ୍ଜ–ଆଉ ଶେଷରେ–ଶେଷରେ ଏଇ ମ୍ୟାଉଁ ମ୍ୟାଉଁ......

ଅବିକଳ ସେଇ ଗୋଟିଏ ସ୍ଵର–

ମ୍ୟାଉଁ ମ୍ୟାଉଁ ।

କିଛି ନୂତନତା ନାହିଁ ।

ତୁମ ସମସ୍ତଙ୍କ କଣ୍ଠସ୍ଵର ୟାଳ୍ପ ଏକାଭଳିଆ ।

ଏଇ ତାଙ୍କ ସ୍ତ୍ରୀଙ୍କ କଣ୍ଠସ୍ଵରଟା ଏବେ କଅଣ ? ଅବିକଳ ତାଙ୍କ ଶାଶୁଙ୍କ କଣ୍ଠ ଭଳି । କିଛି ଫରକ ନାହିଁ ।

ପୁସିଟା ଫେର ମ୍ୟାଉଁ ମ୍ୟାଉଁ ହେଲା–

ରାମଶଙ୍କର ବାବୁଙ୍କ ମନରେ ପିଲାଦିନର ଗୋଟିଏ ପୁସି ସମ୍ପର୍କୀୟ ଇଂରେଜୀ କବିତା ପଡ଼ିଗଲା–

“ଡିଙ୍ଗ୍ ଡାଙ୍ଗ୍ ବେଲ୍

ପୁଷି ଇନ୍ ଦି ୱେଲ ।

ହୁ ପୁଟ୍ ହର୍ ଇନ୍ ?

ଲିଟିଲ୍ ଟମୀ ଥିନ ।

ହୁ ପଟ୍ ହର୍ ଆଉଟ୍ ।

ଲିଟିଲ୍ ଟମୀ ଷ୍ଟାଉଟ୍ ।”

ଏ କବିତାଟିକୁ ଏବେ ବି ତାଙ୍କ ପୁଅ ଶିଖିଯାଇଛି । ମାଆ ତା’ର ଏତିକିରେ ଭାରି ଖୁସି–ପୁଅ ମନେ ରଖି ପାରିଲାଣି ।

ଗାଇଲୁରେ ଫକୁ ! ଗାଇଲୁ ଦେଖି–ବାପା ଶୁଣିବେ । ହଁ ଗାଆ ତ ଗାଆ ତ......ଫକୁ ଉତ୍ସାହିତ ହୋଇ ଗାଇ ଚାଲେ–

“ଡିଙ୍ଗ୍ ଡାଙ୍ଗ୍ ବେଲ୍

ପୁସି ଇନ୍ ଦି..”

ରାମଶଙ୍କର ବାବୁଙ୍କୁ ବିରକ୍ତ ଲାଗିଲା ଆଜି ସେ କଥା ମନେପଡ଼ି । ଏଇ ଗୀତଟାକୁ ବି ସେ ଗାଉଥିଲେ ପିଲାଦିନେ ତାଙ୍କ ବାପାଙ୍କ ଆଗରେ ।

ଇଡ଼ିଅଟିକ୍ !!

ପୁସିଟା କ’ଣ ଆଜିକୁ ପଚାଶ ବର୍ଷ ଧରି ସେଇ କୂଅ ଭିତରେ ପଡ଼ୁଛି, ପୁଣି ବାହାରୁଛି ।

ନନସେନ୍‍ସ !!

 

କ୍ଵାଏଟ୍ ନନସେନ୍‍ସ ।

 

ପୁସିଟା ବିଶୁ କଣ୍ଟ୍ରାକ୍ଟରର ଟ୍ରକ ତଳେ ଚାପା ପଡ଼ିବ ନାହିଁ କିଆଁ କିମ୍ବା ଟ୍ରକ ତଳେ ଚାପା ପଡ଼ୁ ପଡ଼ୁ ହଠାତ୍ ଦୁଇ ପଟର ଚକତଳେ ଆକସ୍ମାତ୍ ରହିଯାଇ–ଟ୍ରକ ଚାଲିଗଲା ପରେ ପରେ ଝାଡ଼ିଝୁଡ଼ି ହୋଇ ଉଠି ଭଗବାନଙ୍କ କରୁଣା ଲାଭ କରିଥିବା ଯୋଗୁଁ ତାଙ୍କ ନିକଟରେ ପ୍ରାର୍ଥନା କରିବ ନାହିଁ କିଆଁ ?

 

ନାଃ ।

 

ପୁସିଗୁଡ଼ାକ ବାବୁ ଏ କଥା କରିପାରିବେ ନାହିଁ । ପୁସି ମାତ୍ରେଇ ଏହି ଗତାନୁଗତିକତାର ପ୍ରତୀକ । ଘଣ୍ଟା ବାଜିବା କଥା ଏବେ କ’ଣ ?

 

ବିଶେଷତଃ କଲେଜ ଆଉ ଚର୍ଚ୍ଚର ଘଣ୍ଟା ବାଜିବା ଯେମିତି ଗତାନୁଗତିକ–ପୁସିଗୁଡ଼ିକ ସେମିତି–ଆଉ ତାଙ୍କ ଉପରେ କବିତାଟା ସେମିତି–

 

କିଛି ନୂତନତା ନାହିଁ ।

 

ଘରେ ପୂସି ପୋଷିବା ଅପେକ୍ଷା ବରଂ ମୂଷା ପୋଷିବା ଢେର୍ ଭଲ । ମୂଷାଗୁଡ଼ାଙ୍କର ଜୀବନ ଅଛି । ସେମାନେ ଅନ୍ତତଃ ଏଇ ପୋଷା ପୁସିଟା ଭଳି ଗୋଟିଏ ଗତାନୁଗତିକ ଧାରାରେ ଫୁଲେଇ ହୁଅନ୍ତି ନାହିଁ । ମ୍ୟାଉଁ ମ୍ୟାଉଁ ହୁଅନ୍ତି ନାହିଁ ।

 

ପୁସି ମାତ୍ରେଇ ଦେହଘଷିଆ । ତାଙ୍କ ସ୍ତ୍ରୀ ସୁନୀତି ଦେବୀଙ୍କ କଥା ଆଉ ଏବେ ଅଧିକା ବା କ’ଣ ।

 

ସେଇ ଏକା କଥା ।

 

ଯେ ପୁସି–ସେ ତାଙ୍କ ସ୍ତ୍ରୀ ଏଇ ସୁନୀତି ଦେବୀ ।

 

ଯାଃ–ବଡ଼ ବିରକ୍ତିକର ।

 

ଚାହା ଆସି ଯାଇଥିଲା । ରାମଶଙ୍କର ବାବୁ ଚାହା କପ୍‍ଟି ପାଟିକି ନେବା ପୂର୍ବରୁ ତଳେ ଟିକେ ଢାଳିଦେଲେ । ପୁସି ଚାଟି ଲାଗିଲା ସେତକ । ଚାହା କପ୍ ପାଟିକି ନେଇ ଢୋକେ ପିଇଛନ୍ତି କି ନାହିଁ–ଘରଣୀ ଆଣି ଲୁଙ୍ଗି ଓ ତଉଲିଆଟି ଦେଲେ ।

 

ଏହାପରେ ରାମଶଙ୍କର ବାବୁ ଝାଡ଼ା ଯିବାର କଥା; ମାତ୍ର ସେ ଖୁବ୍ ନାଟକୀୟ ଢଙ୍ଗରେ କହିଲେ–

 

ହେ ମାନୁ ? ନେଇଯା ଏ ଲୁଙ୍ଗିଟା ଏଠୁ ।

 

ପାଇଖାନା ଯିବନି କି ବାପା ?

 

ଯିବି–ଯିବି । ମାତ୍ର ଆଜି ଏଇ ପ୍ୟାଣ୍ଟରେ ଇ ଯିବି ପାଇଖାନା । ଉଠା ଏ ଲୁଙ୍ଗି ।

 

ସବୁ ଲୁଙ୍ଗି ଗୁଡ଼ାକ ୟାଳ୍ପ ନେଳିଆ ।

 

ରୋଷେଇଘରୁ ଘରଣୀ ଆସି କହିଲେ, ପ୍ୟାଣ୍ଟ ପିନ୍ଧି କ’ଣ ପାଇଖାନା ଯିବ ?

 

ଉଠ, ବାଟ ଛାଡ଼ ।

 

କଅଣ ମୁଣ୍ଡକୁ ଭୁତ ଚଢ଼ିଲାଣି କି ?

 

ମୁଁ ଭୁତ ବିଶ୍ୱାସ କରେ ନାହିଁ ।

 

ତା’ହେଲେ ଲୁଙ୍ଗି ପିନ୍ଧି ପାଇଖାନା ଯାଅ ।

 

ମୁଁ ପାଇଖାନା ନ ଯାଇ ବି ପାରେ ।

 

ତେବେ ଜଳଖିଆ ଆଣୁଛି, ସେଠି ବସି ଖାଅ ।

 

ନା–ନା, ଜଳଖିଆ ବି ଆଜି ବନ୍ଦ । ଏମିତି କ’ଣ ଗୋଟେ ମାନେ ଅଛି ଯେ ମୁଁ ଘରକୁ ଫେରିବା ମାତ୍ରେଇ ତୁମର ବିଲେଇଟା ଆସି ମୋ ଗୋଡ଼ରେ ଘଷିହେବ–ମୋ ମୁହଁକୁ ଚାହିଁ ଗୁଡ଼ାଏ ମ୍ୟାଉଁ ମ୍ୟାଉଁ ହେବ–ତା’ପରେ ମୁଁ ଚାହା ଖାଇବି ଓ ତା’ପରେ ଲୁଙ୍ଗି ପିନ୍ଧି ପାଇଖାନା ଯିବି ଓ ପାଇଖାନାରୁ ଆସି ଜଳଖିଆ ଖାଇ ଶେଷରେ ଖାଇ ଶେଷରେ ସାନ୍ଧ୍ୟଭ୍ରମଣରେ ବାହାରିବି ?

 

ସୁନୀତି ଦେବୀ ଅସଲ କଥାଟି ବୁଝିଗଲା ଭଳି ଭାବି ବଡ଼ ଝିଅକୁ ପାଟିକରି ଡାକିଲେ–

 

ଆଲୋ ହେ ମାନୁ ! ତୁମକୁ ମୁଁ କେତେଥର କହିଲିଣି ଯେ ବାପା ଆସିଲାବେଳକୁ ସେ ବିଲେଇଟାକୁ ତୁମେ ଆର ଘରେ କବାଟ ଦେଇ ରଖିବ ବୋଲି ? ସେ ଅଲକ୍ଷଣୀ ବିଲେଇଟା ବି ସବୁଦିନେ ଏତିକିବେଳକୁ......ବିଲେଇ ସବୁ ଦିନେ ଲାଞ୍ଜ ଘଷିଲେ ଭାଆରି ଖରାପ......

 

ସାନ ଝିଅ ରେନି ଆସି କହିଲା–ହଁ ମା, ସେ ପୁସିଟା ଭାରି ଦୁଷ୍ଟ ହେଲାଣି, ଆଜି ମୋ ଦୁଧତକ ସବୁ ପିଇଦେଇଛି ।

 

ସାନ ପୁଅ ବାବୁଲାର ମଧ୍ୟ ପୁସି ଉପରେ ରାଗ କମ୍ ନୁହେଁ । ଦେଖ ତ ମାଆ ! ଦେଖ ତ ! ମୋ ହାତକୁ ଦୁଷ୍ଟ ପୁସି କେମିତି ଆମ୍ପୁଡ଼ି ଦେଇଛି !! ଦେଖ ତ–

 

ବଡ଼ ପୁଅ ଫକୁର ଅଭିଯୋଗ ସବୁଠାରୁ ମାରାତ୍ମକ–ମାଆ, ଆଉ ସେ ବଦମାସ୍ ପୁସିକି ଘରେ ରଖିବାର ନୁହେଁ । ସେ ଆଜି ମୋ ବହି ଉପରେ ମେଞ୍ଚାଏ–ଛି–ଛି–ଥୁଃ–

 

ସୁନୀତି ଦେବୀ କହିଲେ–ସମସ୍ତେ ତ ଏତେବେଳକୁ ଆସି ତା’ ବିରୁଦ୍ଧରେ ଗୁହାରି କରୁଛ, ମାତ୍ର ସେ ନିଆଁଲଗା ଅଲକ୍ଷଣୀ ପୁସିକୁ ଏ ଘରେ ରଖିଛି କିଏ ?

 

ସମସ୍ତେ ଏକସ୍ଵରରେ କରୁଣ କଣ୍ଠରେ କହିଲେ–

 

କେଜାଣି ମାଆ ? କେଜାଣି ? ଆମେ ତ କେହି ତାକୁ ରଖିନୁ !

 

ସୁନୀତି ଦେବୀ ରାଗ ତମତମ ହୋଇ କହିଲେ–ହଉ–ଆଚ୍ଛା ହଉ । ଆଜି ତାକୁ ମୁଁ ଏ ଘରୁ ବାହାର କରୁଛି । ରଇଥା, ଆଜି ଆସୁ ପଦନ । ତାକୁ କହିଦେବି–ଅଖା ଭିତରେ ଭର୍ତ୍ତିକରି ତାକୁ ସେ କୁଆଡ଼େ ଛାଡ଼ିଦେଇ ଆସିବ । ହଉ–ତେବେ ବସ, ମୁଁ ଜଳଖିଆ ଆଣୁଛି । ହେ ମାନୁ ! ସେ ପୁସିକି ନେଇ ଯା ତେଣେ । ବାପା ଜଳଖିଆ ଖାଇବେ ।

 

ରାମଶଙ୍କର ବାବୁ ସ୍ତ୍ରୀଙ୍କ କଥା ଶୁଣି ଆହୁରି ବିରକ୍ତ ହୋଇଉଠିଲେ । ସ୍ୱାମୀର ସମସ୍ୟା ବୁଝିବା ଲାଗି ସବୁ ସ୍ତ୍ରୀମାନଙ୍କର ଏହା ହିଁ ସେଇ ଗତାନୁଗତିକ ରୀତି । ପ୍ରକାଶ୍ୟରେ କହିଲେ–

 

ତୁମେ ବୁଝିଲ ଛେନାଗୁଡ଼ । ମଣିଷର ଯେ ଗୋଟିଏ ମନ ଅଛି ଆଉ ସେ ମନଟା ଯେ ଲୁହାଧାରଣା ଉପରେ ଧୀରେ ଧୀରେ ନିରାପଦରେ ଚାଲୁଥିବା ଗୋଟିଏ ମାଲଗାଡ଼ି ନୁହେଁ–ଏକଥା ବୁଝିବାକୁ ତୁମ ମୁଣ୍ଡରେ ମସଲା ନାହିଁ.........ୟାଳ୍ପ ପୁସିଟାର କି ଦୋଷ ? ଏ ପୁସି ଗଲେ ବି ଆଉ ଗୋଟାଏ ପୁସି ଆସିବ–ଆଉ ସେଇଟା ବି ଅବିକଳ ଦିଶିବ ୟାରି ପରି–ଆଉ ବୋବେଇବ ଏଇମିତି ମ୍ୟାଉଁ ମ୍ୟାଉଁ–ଏଇମିତି ଫୁଲେଇ ହେବ ଲାଞ୍ଜ ଟେକି–ପୁସିଗୁଡ଼ାକ ୟାଳ୍ପ ସବୁ କାଳରେ–ସବୁସ୍ଥାନରେ ଏକାଭଳି......ତା’ପରେ ଟିକିଏ କଅଣ ଭାବିଲା ପରି ହୋଇ ସେ ପୁଣି କହିଲେ ଗମ୍ଭୀର ହୋଇ–

 

ମୁଁ ଦେଖିଲିଣି–ଏଣିକି ଆଉ ଚଳିବ ନାହିଁ ।

 

ସୁନୀତି ଦେବୀ ଚମକି ପଡ଼ିଲେ । କ’ଣ ଚଳିବ ନାହିଁ ?

 

ମାନେ–ଏମିତି ଆଉ ଚଳିବ ନାହିଁ । ଅନ୍ୟ ପ୍ରକାର ଚଳିବ ଏଣିକି ।

 

ତୁମେ କଅଣ କହୁଛ–ମୁଁ ବୁଝିପାରିବି ନାହିଁ ।

 

ତୁମେ ବୁଝିବ ବୋଲି ମୁଁ ମଧ୍ୟ ଆଶା କରି ନାହିଁ କିମ୍ଵା ସେଥିଲାଗି ମଧ୍ୟ ମୁଁ କହୁନାହିଁ ।

 

କ’ଣ କଳି କରିବ ବୋଲି ପ୍ରସ୍ତୁତ ହୋଇ ଆସିଛ ନା କ’ଣ ? ଆସିବଟି ଆସ–ମୋ ରାଣ–ଆସ–ଖାଇନିଅ ଜଳଖିଆଟା–ହଉ ହେଲା–ମୋର ସବୁ ଦୋଷ ।

 

ସୁନୀତି ଦେବୀ ହସି ହସି ଗେହ୍ଲେଇ ହୋଇ ସ୍ୱାମୀଙ୍କର ହାତ ଧରି ଟାଣିଲେ ।

 

ରାମଶଙ୍କର ବାବୁ ହଠାତ୍ ଲକ୍ଷ୍ୟ କଲେ–ସ୍ତ୍ରୀଙ୍କର ଗୋଟାଏ ପଟ ଓଠ ହସିଲାବେଳେ ଟିକିଏ ଉଠିଯାଉଛି ଉପରକୁ । ଆଉ ଉପର ଧାଡ଼ିର କେଇଟା କଣ ଦାନ୍ତ ଆମୂଳଚୂଳ ପଦାକୁ ବାହାରି ଆସିଛି । ତାଙ୍କୁ ଭାରି ବିରକ୍ତ ଲାଗିଲା ଏତକ ଲକ୍ଷ୍ୟ କରି ।

 

ଏମିତି ହସୁଥିଲେ ତାଙ୍କ ଶାଶୁ–ଅର୍ଥାତ୍ ସୁନୀତି ଦେବୀଙ୍କର ମାଆ । ସେ ଅନେକ ଥର ଲକ୍ଷ୍ୟ କରିଛନ୍ତି–ଶଶୁରଙ୍କୁ ଗେହ୍ଲେଇ ହୋଇ ତୋଷାମୋଦ କଲାବେଳେ ଶାଶୁଙ୍କର ଓଠ ମଧ୍ୟ ଏମିତି ଗୋଟିଏ ପଟ ଉପରକୁ ଉଠିଯାଏ–ଆଉ କଣ ପଟର କେଇଟା ଦାନ୍ତ ଏମିତି ପଦାକୁ ବାହାରିପଡ଼େ ।

 

ଛି ଛି ଛି ।

 

ଗୋଟିଏ ଅତି ପୁରାତନ ଗତାନୁଗତିକ ଅନୁକୃତ ଭଙ୍ଗୀ ପୁରୁଷାନୁକ୍ରମେ ଏମିତି ବହୁ ଲୋକଙ୍କୁ ଆକୃଷ୍ଟ କରିବାର ପ୍ରତାରଣା କରି ଚାଲିଥିବ । ଏଥିରେ ନୂତନତା କିଛି ନାହିଁ–ନିଜସ୍ଵ ବି କିଛି ନାହିଁ ।

 

ସୁନୀତି କୁଆଡ଼େ ଅବିକଳ ତା’ ମାଆ ଭଳି ଦିଶେ ବୋଲି ଗର୍ବ କରେ । ଶାଶୁ ମଧ୍ୟ ସେତେବେଳେ ଭାରି ଆତ୍ମପ୍ରସାଦ ଅନୁଭବ କରୁଥିଲେ । .....ସୁନୀତି ଦେଖିବାକୁ ଅବିକଳ ମୋ’ରି ଭଳି ।

 

ନିର୍ବୋଧତା–ଚରମ ନିର୍ବୋଧତା–

 

ଉଭୟ ପଟୁ ନିର୍ବୋଧତା–

 

ଶାଶୁ ଅବଶ୍ୟ ସୁନ୍ଦରୀ ଥିଲେ; କିନ୍ତୁ ତାଙ୍କ ମୁହଁରେ ଏଇ ଭଙ୍ଗୀଟା ରାମଶଙ୍କର ବାବୁଙ୍କୁ ଆଦୌ ଭଲ ଲାଗୁ ନ ଥିଲା ।

 

କିନ୍ତୁ ଆଜି ସୁନୀତିଙ୍କ ମୁହଁରେ ସେଇ ପୁରାତନ ମାତୃଦତ୍ତ ଭଙ୍ଗୀଟା...ଇସ୍ ସ୍ ସ୍......

 

ସୁନୀତି ଅବିକଳ ଦିଶିଲାଣି ଶାଶୁଙ୍କ ପରି ।

 

ସୁନୀତିକୁ ସେହିଭଳି ଦିଶିବାକୁ ଭଲ ଲାଗୁଛି ।

 

ସେ ତା’ର ମାଆ ଭଳି କଥା ବି କହୁଛି–ଚାଲୁଛି–ହସୁଛି–ପୂଜା କରୁଛି–ମୁଣ୍ଡରେ ଚନ୍ଦନ ମାରୁଛି–ଶାଢ଼ି ପିନ୍ଧୁଛି–ଗେହ୍ଲେଇ ହେଉଛି–ସ୍ଵାମୀ ଉପରେ ଘରଣୀପଣ ଦେଖାଉଛି ।

 

ମୁଣ୍ଡ ଉପରେ ମଝି ସୀମନ୍ତଟା ବି ସେହିଭଳି ଅବିକଳ ଚନ୍ଦା ହୋଇ ଆସିଲାଣି ।

 

ଶାଶୁଙ୍କ ଭଳି ସୁନୀତି ମଧ୍ୟ ଖୁବ୍ ଗୋଟାଏ ବଡ଼ ସିନ୍ଦୂର ଟୋପା ଆଜିକାଲି ଲଗାଇଲାଣି-

 

ଶାଶୁଙ୍କ ଭଳି ସୁନୀତି ବୁଢ଼ୀ ହେବାକୁ ଯାଉଛି–ଚେଷ୍ଟା ବି କରୁଛି । ଇସ୍‍ସ୍‍–

 

ଅସହ୍ୟ ଏହି ଗତାନୁଗତିକ ନୀତି ପ୍ରତି ନିଷ୍ଠାପର ମୋହାସକ୍ତି ! ଏଥିରେ ନୂତନତା ନାହିଁ–ଚାଞ୍ଚଲ୍ୟ ନାହିଁ । ନାହିଁ ମଧ୍ୟ ସ୍ଵକୀୟ କଳ୍ପନା–ଶ୍ରୟୀ–ସୃଜନୀ–ପ୍ରତିଭାର ନବ ନବ ଉନ୍ମେଷ ।

 

ତେଣୁ ପ୍ରାଣ ନାହିଁ ।

 

ସ୍ଵାଦ ବି ନାହିଁ ।

 

ରାମଶଙ୍କର ବାବୁ ସ୍ତ୍ରୀଙ୍କର ହାତ ଛିଞ୍ଚାଡ଼ି ଦେଇ କହିଲେ–ଛାଡ଼–ଛାଡ଼ ଏସବୁ କିଛି ନୂଆ ନୁହଁ–। ଆମେ ଏ କଥା ଦେଖିଆସୁଛୁ ଆବହମାନ କାଳରୁ । ଗୋଟାଏ ରାସ୍ତା ତୁମେ ତିଆରି କରିଛ-। ନିଜେ ଚାଲିଛ ସେହି ରାସ୍ତାରେ–ଆଉ ମୋତେ ବି ଚଳେଇବ ସେହି ରାସ୍ତାରେ ମାଲଗାଡ଼ି ଭଳି–

 

ଆଉ ଏସବୁ ଚଳିବ ନାହିଁ ।

 

ଏଣିକି ଅନ୍ୟ ରାସ୍ତା ଧରିବାକୁ ହେବ ।

 

ରାମଶଙ୍କରବାବୁ ସ୍ତ୍ରୀଙ୍କଠାରୁ ହାତ ଛଡ଼ାଇଆଣି ବାହାରକୁ ବାହାରିଗଲେ । ସୁନୀତି ଦେବୀ ସ୍ଵାମୀଙ୍କର ଆଜି ହଠାତ୍ ଏପରି ବ୍ୟବହାର ଓ କଥାବାର୍ତ୍ତା ଦେଖି ଆଶ୍ଚର୍ଯ୍ୟ ହୋଇଉଠିଲେ । ପ୍ରମାଦ ମଧ୍ୟ ଗଣିଲେ ।

 

କଅଣ କଥା ?

 

କଅଣ ଆଜି ବିଗିଡ଼ିଲା ?

 

“ଏ ରାସ୍ତାରେ ଆଉ ଚଳିବ ନାହିଁ” ବୋଲି କ’ଣ କହିଲେ ସେ ଆଜି ? କେବେ ତ ସେ ଏମିତି ହୁଅନ୍ତି ନାହିଁ । ଏମିତି କଥା ବି ସେ କେବେ କରନ୍ତି ନାହିଁ । କେଡ଼େ ଶାନ୍ତ, ସୁଧାର, ବାଧ୍ୟ, ଶୃଙ୍ଖଳିତ ଲୋକଟି ! ସଂସାରର କୋଉ କଥା ବୁଝନ୍ତି ନାହିଁ । କୋଉ କଥାରେ ବି ଅଯଥା କିଛି କରନ୍ତି ନାହିଁ ।

 

ନା–ନିଶ୍ଚେ କ’ଣ ଆଜି ବାହାରେ ବିଗିଡ଼ିଛି ।

 

ସୁନୀତି ଦେବୀଙ୍କର ଆଉ କୋଉ କଥାରେ ମନ ଲାଗିଲା ନାହିଁ । ସ୍ଵାମୀଙ୍କର ସୁଖ ଲାଗି, ସ୍ଵାଚ୍ଛନ୍ଦ୍ୟ ଲାଗି ସେ ଆଜିକୁ ଷୋଳ ସତର ବର୍ଷ ଧରି ପ୍ରାଣମୂର୍ଚ୍ଛା ପରିଶ୍ରମ କରି ଆସିଛନ୍ତି । ଅଭାବ, ଅସୁବିଧା, ଦୁଃଖ ସୁଖ ଆଦି ଭିତରେ ସେ ଏମିତି ଭାବେ ସଂସାର–ନାବକୁ ଚଳାଇ ଆଣିଛନ୍ତି ଯେ, ସ୍ଵାମୀଙ୍କୁ ହୁଏତ ଧକ୍‍କା ଲାଗିଛି– ଧକ୍‍କା କାଟି ନାହିଁ ।

 

ସେ ମଧ୍ୟ ଆଉମାନଙ୍କ ପରି ନୁହନ୍ତି । ଭାରି ଜଗିରଖି ସେ ଚଳନ୍ତି । ତାଙ୍କର ଦେହକୁ ବା ମନକୁ କାଟିଲା ପରି କେବେ କୌଣସି କାମ ସେ କରି ନାହାନ୍ତି । କେତେ ଲୋକଙ୍କ ବିଷୟରେ କେତେ କଥା ଶୁଣାଯାଏ । ମାତ୍ର ୟାଙ୍କ ନାଁରେ କିଏ ଏମିତି କହିବ–କାହା ଜିଭରେ ଅଛି ହାଡ଼ ? ସେଇ ସେ ଲେଡ଼ି ଡାକ୍ତରଟା; ଆସିଥିଲା ସେ ବର୍ଷ ଏ ହାସପାତାଳକୁ–କ’ଣ ସେ ନିଆଁଲାଗି ନାଁଟା ତ–ବାହା ନ ହେଇ......

 

ତାକୁ ନେଇ କେତେ ଲୋକଙ୍କ ନାଁରେ କେତେ କଥା ନ ଉଠିଲା ! ରାୟବାବୁ କ’ଣ ! ମହାନ୍ତି ବାବୁ କ’ଣ ! ଆଚାର୍ଯ୍ୟ ବାବୁ କ’ଣ ! ଇନ୍ଦ୍ରମଣି ବାବୁଙ୍କ ସ୍ତ୍ରୀ ତ କୁଆଡ଼େ ଏଇଥିଲାଗି ଆତ୍ମହତ୍ୟା କରିବାକୁ ବସିଥିଲା !

 

ମାତ୍ର ଏ ମଣିଷଟି !!!

 

କିଏ କହିବ ?

 

କାହା ନେଡ଼ୀରେ ଉଠିଛି ବାଳ ?

 

ତଳକୁ ମୁହଁ ପୋତି ପୋତି ଯିବେ–ତଳକୁ ମୁହଁ ପୋତି ପୋତି ଆସିବେ । ଆଜିଯାଏ ତାଙ୍କରି ମୁହଁକୁ ଭଲା ସିଧା ଚାହିଁଛନ୍ତି କେଉଁଦିନ !

 

ଅଥଚ ୟାଙ୍କ ଭଳି ମରଦ କେଇଟା ଅଛନ୍ତି ଏ ଖଣ୍ଡ ମଣ୍ଡଳରେ ?

 

କେଡ଼େ ଚଉଡ଼ା ଛାତି !!!

 

କେଡ଼େ ଉଞ୍ଚା କାନ୍ଧ !

 

ନାକ କେମିତି !!

 

ଆକ୍ଷି କେମିତି !!!

 

କିନ୍ତୁ ହେଲେ କ’ଣ ହେବ ? ୟାଙ୍କ କଥା ନିଆରା । ସାମନ୍ତରା ବାବୁଙ୍କ ସ୍ତ୍ରୀ ଥରେ ଥଟ୍ଟାରେ ଅବଶ୍ୟ କହିଥିଲେ–

 

“ତମ ବାବୁ ବଡ଼ ତଳମୁହାଁ !!”

 

ତଳମୁହାଁ ହୁଅନ୍ତେ ନାଇଁ ତ କ’ଣ ତୁମରି ବାବୁମାନଙ୍କ ଭଳିଆ ଖାଲି ସୁନ୍ଦର ମୁହଁ ଉଣ୍ଡୁଥାନ୍ତେ ! ସେ ସେମିତି ଲୋକ ନୁହନ୍ତି ଗୋ ! ୟାଙ୍କ କଥା ନିଆରା । ତା ଛଡ଼ା ଯାହା ଘରେ ସିନା ରନ୍ଧା ଅଲଣା ହେବ–ଦୌଡ଼ିବ ଖାଇବାକୁ ହୋଟେଲକୁ । ଯାହାର ଘରେ ଖାଇଲେ ମନବୋଧ–ସେ କିଆଁ ? ?

 

ୟାଙ୍କ କଥା ନିଆରା ।

 

ତଳକୁ ମୁହଁ ପୋତି ପୋତି ଯିବେ, ମୁହଁ ପୋତି ପୋତି ଆସିବେ ।

 

କିନ୍ତୁ ଆଜି କ’ଣ ଏମିତି ବିଗିଡ଼ିଲା ? କାହିଁକି ସେ ଆଜି ହଠାତ୍ ଘରେ ପଶୁ ପଶୁ ଏମିତି ହୋଇଉଠିଲେ ? ସୁନୀତି ଦେବୀ ପୁଣି ବାଉଳା ହୋଇଗଲେ ।

 

ସୁନୀତି ଦେବୀଙ୍କ ମୁଣ୍ଡକୁ ପୁଣି କେତେ ପ୍ରକାର ପାପ ଛୁଇଁଲା ।

 

କେଜାଣି ?

 

ପୁରୁଷଙ୍କ ମନ ତ !!

 

କିଏ ବା ଗଣିବ ଆକାଶେ ତାରା ?

 

କିଏ ବା ଗଣିବ ବରଷା ଧାରା ?

 

କିଏ ବା ଫାନ୍ଦି ପାରିବ ପବନ ?

 

କିଏ ବା ଫାନ୍ଦିବ ପୁରୁଷ ମନ ?

 

–ଦୁଇ–

 

ତଳକୁ ମୁହଁ ପୋତି ପୋତି ଚାଲିଥିଲେ ରାମଶଙ୍କର ବାବୁ ସବୁଦିନ ପରି ।

 

ଅନ୍ୟ ରାସ୍ତା ଦେଖିବାର ମତଲବରେ ମତୁଆଳ ହୋଇ ସେ ଘରୁ ବାହାରିପଡ଼ିଲେ–ମାତ୍ର ତଳମୁହଁ ତଳୁ ଉଠିଲେ ସିନା ଅନ୍ୟ ରାସ୍ତା ଦେଖାଯିବ !!

 

କିନ୍ତୁ ଅଭ୍ୟାସ ତ ନାହିଁ–ଆଗ ରାସ୍ତାକୁ ଛାଡ଼ି ଅନ୍ୟ ରାସ୍ତାର ଖୋଜ ନେବାକୁ । ମୁହଁ ଉପରକୁ ଟେକିଲେ କିନ୍ତୁ ବିପଦର ସୀମା ନାହିଁ । ସେ ଅଭିଜ୍ଞତା ଯେ ତାଙ୍କର କେତେ ଥର ନ ହୋଇଛି, ତା’ ନୁହେଁ । ସେଇ ତିନିଛକୀ ରାସ୍ତା ଉପରେ ଯେଉଁଠି ବଙ୍କାଇ ଆଉ ରାସ୍ତା ଧରିବା କଥା–ସେଥି ଗୋଟେ ବଡ଼ ଦୋମହଲା ନୀଳବର୍ଣ୍ଣର କୋଠା । ରାସ୍ତାରେ ଏଇ ତିନିଛକୀକୁ ଆସି ରାସ୍ତା ବଦଳ କଲାବେଳେ–ଆକ୍ଷି ଦୁଇଟା ତଳକୁ ଆସିବା ପୂର୍ବରୁ ଘେରାଏ ଉପରୁ ଘୂରିଆସେ ।

 

ସବୁଦିନ ସନ୍ଧ୍ୟାବେଳକୁ ସେଇ କୋଠାର ଖୋଲା ବାଲକନୀ ଉପରେ ନୀଳ ଆକାଶକୁ ପଛରେ ରଖି ତିନୋଟି ବିଜୁଳିବର୍ଣ୍ଣର ପରୀ ହାଉଆରେ ପହଁରୁଥାନ୍ତି । ସେମାନେ କେତେ ରଙ୍ଗ ବୁଣନ୍ତି, ଛାଟନ୍ତି । ଆଉ କେତେ ରଙ୍ଗ ପୁଣି ଗୋଟାନ୍ତି ।

 

ସେଇ ଜାଗାରେ ଉଠିଲାଆକ୍ଷି ଛାଏଁ ଛାଏଁ ପୁଣି ତଳକୁ ନଇଁ ଆସେ । କାରଣ ସେମାନଙ୍କ ରଙ୍ଗକୁ ବିଶ୍ୱାସ ନାହିଁ ।

 

ସେଇ କୋଠାର ପାଖକୁ ଆସି ଆଜି ମଧ୍ୟ ରାମଶଙ୍କର ବାବୁ ତଳକୁ ମୁହଁ ପୋତି ଆଗକୁ ବାଟ ମୋଡ଼ିଲେ ।

 

ସେମାନେ ସବୁ ଏକାପରି ।

 

କିଛି ନୂତନତା ନାହିଁ ।

 

ତାଙ୍କର କେବଳ ରଙ୍ଗରେ କାରବାର !!

 

ରସର ସନ୍ଧାନ ସେମାନେ ଦେଇପାରିବେ ନାହିଁ ।

 

ଖଣ୍ଡେ ବାଟ ଗଲା ପରେ–

 

ଆଗରେ ଶିବ ମନ୍ଦିର । ଏଠି ଲୋକ ଭିଡ଼ ହୁଏ ସନ୍ଧ୍ୟା ପାଞ୍ଚଟାଠାରୁ । ମନ୍ଦିରକୁ ଯିବରେ ତାଙ୍କର ଆକାଂକ୍ଷା ନାହିଁ । ମାତ୍ର କେଉଁଠିକି ଯେ ସେ ଯିବେ ବର୍ତ୍ତମାନ ବା ଯାଉଛନ୍ତି ବର୍ତ୍ତମାନ–ସେ ସମ୍ବନ୍ଧେ ମଧ୍ୟ କିଛି ସ୍ପଷ୍ଟ ଧାରଣା ନାହିଁ ।

 

ଏଇ ମନ୍ଦିରଟାକୁ ଦେଖିଲେ କିନ୍ତୁ ବେଶୀ ବିରକ୍ତ ଲାଗୁଛି । ଏଇ ଶିବ ମନ୍ଦିରଟା ଯେପରି ସମସ୍ତ ଗତାନୁଗତିକତାର ଏକ ନିଦାରୁଣ ପ୍ରତୀକ । ମନ୍ଦିର ଆଗରେ ଆଣ୍ଠୁମାଡ଼ି ବସିରହିଛି ଅନାଦି କାଳରୁ ସେଇ ଯେଉଁ ବୃଷାଳ ବୃଷଭଟା, ଗତାନୁଗତିକ ଦାସ୍ୟ–ମନୋବୃତ୍ତିର ଏକ ବୀଭତ୍ସ ପ୍ରତୀକ ଛଡ଼ା କ’ଣ ଆଉ ହୋଇପାରେ ସେଇଟା !

 

ଏଇ ପୁରାତନ ମନ୍ଦିରଟାର ଆକର୍ଷଣ ଯେପରି ରଙ୍ଗ ଓ ରସହୀନ–ଏହାରି ଭିତରେ ଦେବତା ବୋଲି ପୂଜା ପାଉଛି ଯେଉଁ ପ୍ରସ୍ତରନିର୍ମିତ ରୂପକଟି–ସେ ବି ସେହିପରି ଜୀବନର ସ୍ପନ୍ଦନ–ବିବର୍ଜିତ ଏକ ଧାରାବାହିକ ଗତାନୁଗତିକ ସ୍ଥୂଳ ଭକ୍ତିମତ୍ତାର ନିଷ୍ଠୁର ପ୍ରସ୍ଥରତା ବ୍ୟତୀତ ଆଉ କିଛି ନୁହେଁ । ଏହା ପଛରେ ଯେତେ ଗଭୀର ଆଧ୍ୟାତ୍ମିକତାର ତାତ୍ତ୍ୱିକ ବ୍ୟାଖ୍ୟାନ ଥାଉନା କାହିଁକି ଏହାର ଏଇ ଆନୁଷ୍ଠାନିକ ପ୍ରକାଶଟା ଇ ଅତି କଠୋର ଭାବରେ ନିତ୍ୟନୈମିତ୍ତିକ ।

 

ପ୍ରତିଦିନ ଏଠାରେ ବେଲପତ୍ରୀ ଓ ଦୁଦୁରାଫୁଲର ସ୍ତୁପ ଶିବଲିଙ୍ଗ ଉପରେ ଜମିଉଠେ । କଦଳୀରୁ ଚୋପା ଛଡ଼ାଯାଏ–ନଡ଼ିଆ ଭଙ୍ଗାଯାଏ, ଆଉ ସେମାନେ ଏକ ଗତାନୁଗତିକ ଧାରାରେ ଦେବତା ପାଖରେ ନିଜ ନିଜର ଅନୁଯୋଗ ବାଢ଼ିବସନ୍ତି–

 

ମୋର ପୁଅ ଦେହ ଭଲ ହୋଇଯାଉ ।

 

ମୋର ବ୍ୟବସାୟରେ ଏଥର ଲାଭ ହେଉ ।

 

ଅମୁକ ଲୋକର ସର୍ବନାଶ ହେଉ ।

 

ସେ ମୋର ଶତ୍ରୁ ।

 

ହେ ଦେବତା ! ମୁଁ ସୁଖରେ ରହେ ।

 

ହେଇ–ସେଠି ବସି ଆଣ୍ଠୁମାଡ଼ି ବାସୁଆବଳଦ ପଛପଟେ ଶିବସ୍ତୋତ୍ର ଗାଇଚାଲିଛି ସହରର ବଶିଷ୍ଟ ମହାଜନ–ଜନାର୍ଦ୍ଦନ ଭଗତ । ଆଉ ଆରପଟେ ଠିଆହୋଇ ଖୁବ୍ ପାଟିକରି ଶିବତାଣ୍ଡବ ପଢ଼ି ଚାଲିଛନ୍ତି ବାଞ୍ଛାନିଧି ମିଶ୍ରେ । ଦଳ ଦଳ ହୋଇ ସ୍ତ୍ରୀଲୋକ ଭୋଗ ଧରି ମନ୍ଦିରକୁ ଯାଉଛନ୍ତି–ଫେରିଛନ୍ତି ।

 

ସେମାନେ କିଛି ଭାବୁ ନାହାନ୍ତି ନୂଆ ।

 

ସେମାନେ କିଛି ମାଗୁ ନାହାନ୍ତି ନୂଆ ।

 

ସୁନୀତା ମଧ୍ୟ ପ୍ରତି ସୋମବାର ଦିନ ସନ୍ଧ୍ୟାବେଳେ ଏହି ମନ୍ଦିରକୁ ଆସି ନାଡ଼ିଆଟିଏ ଭାଙ୍ଗି ବେଲପତ୍ରୀ ଓ ଘଷା–ଜଳ ଧରି ମଠାଶାଢ଼ୀର କାନିକୁ ବେକରେ ଗୁଡ଼ାଇ–କପାଳରେ ଚନ୍ଦନ ଆଉ ସିନ୍ଦୁର ଲଗାଇ ଘରକୁ ଫେରନ୍ତି ।

 

ଅବିକଳ ଏମିତି କରୁଥିଲେ ତାଙ୍କର ଶାଶୁ...... ।

 

ସୁନୀତା ଗୋଟାସୁଦ୍ଧା ତା’ର ମାଆ ଭଳି ହେବାକୁ ସାଧନା କରୁଛି ।

 

ଧେତତେରି !!!

 

ଅଧ୍ୟାପକ ରାମଶଙ୍କରଙ୍କ ମନ ଆହୁରି ବିରକ୍ତ ହୋଇଉଠିଲା । ଏଇ ବିରକ୍ତିକର ଗତାନୁଗତିକ ପୁନରାବୃତ୍ତିରୁ ରକ୍ଷା ପାଇବା ଲାଗି ତାଙ୍କର ମନ ଚଞ୍ଚଳ ହୋଇଉଠିଲା । ତାଙ୍କୁ ଲାଗିଲା–ସମଗ୍ର ପୃଥିବୀଟା ଯେପରି ସେଇ ପୋଷାକ ଅନାଦିକାଳରୁ ପେଡ଼ିରେ ସାଇତା ହୋଇ ରହିଛି । ଆଉ ଜଣ ଜଣ ହୋଇ ନଟ ନଟୀ ସେଇ ସାଜ ପୋଷାକ ପିନ୍ଧି ମଞ୍ଚ ଉପରକୁ ବାହାରିଛନ୍ତି-

 

ରାସ୍ତାକଡ଼ରେ ଏଇ ବତୀ ଖୁଣ୍ଟଗୁଡ଼ିକ, ଆଉ ବତୀଗୁଡ଼ିକର ଚୋରି ପାଖରେ ଏକାଧାରରେ ଅସଂଖ୍ୟ ସାଲୁବାଲ୍ ପୋକ । ରାସ୍ତାର ଏକଡ଼ ସେକଡ଼କୁ ଧାଇଁ ବୁଲୁଛନ୍ତି କୁକୁର ପଲ–ଜଳଖିଆ ଦୋକାନ ଭିତରେ ଖୁବ୍ ଉଚ୍ଚ ପରଦାରେ ସଙ୍ଗୀତ ଛଳନାରେ ଅସହ୍ୟ କୋଳାହଳ ସୃଷ୍ଟିକରି ବାଜୁଛନ୍ତି ରେଡ଼ିଓଗୁଡ଼ାକ । ଝଣ୍ ଝଣ୍ ହୋଇ ଏଇଠି ବି ଶୁଭୁଛି ହୋଟେଲ ଭିତରୁ ବାସନଧୁଆର ଶବ୍ଦ । ସେମାନେ ହୋଇ ପଶୁଛନ୍ତି–ବସୁଛନ୍ତି–ଖାଉଛନ୍ତି–ଗପୁଛନ୍ତି । ହୋଟେଲବାଲା ଦୁଆର ମୁହଁରେ ବସି ସେମିତି ପଇସା ଅସୁଲ କରୁଛି । ସେଠି ଦିନର ଆଲୁଅ ନ ଲିଭୁଣୁ–ପୋଷାକ ଓ ମନୋହାରୀ ଦୋକନମାନଙ୍କରେ ଜଳି ଉଠିଲାଣି ନାନା ରଙ୍ଗକୁ ମିଳାଉଛନ୍ତି–ଦେହର ମାପ ସଙ୍ଗେ ପୋଷାକର ମାପକୁ କଣ୍ଟୁଛନ୍ତି । ସେଠି ଟାଉନ୍ ହଲରେ ଚାଲିଛି କ’ଣ ଗୋଟେ ସଭା । ଉତ୍ତେଜିତ କଣ୍ଠରେ କେହି ଜଣେ କାହା ବିରୁଦ୍ଧରେ ଅନର୍ଗଳ ଗପିଚାଲିଛି । ତାରି ମାଡ଼ରେ ଘର ଫାଟି ପଡ଼ୁଛି । ହେଇ ସେଠି ଚାଲିଛି ଗୋଟିଏ ସାହିତ୍ୟସଭା । କୌଣସି ଏକ ମୃତ କବିଙ୍କର ଜୟନ୍ତୀ ଉତ୍ସବ ।

 

ପଟାସ୍ ପଟାସ୍ ଚାବୁକ ମାରି ହେ ହେ ହେ କରି କରି ଘୋଡ଼ାଗାଡ଼ିବାଲା ଯାତ୍ରୀ ଘେନି ଷ୍ଟେସନ୍ ଛୁଟିଛି । ରେକ୍‍ସାବାଲା ଉଠାଣି ରାସ୍ତାରେ ନଇଁ ନଇଁ ରେକ୍‍ସାଟାକୁ ଉଠାଉଛି ।

 

ହେଇଠି ସେମାନେ ଚାଲିଛନ୍ତି ଦଳ ଦଳ ହୋଇ ଶାଢ଼ି ଆଉ ଓଢ଼ଣୀର ଫର ଫର ଭିତରେ.... । ସିନେମା ଆରମ୍ଭ ହେବାକୁ ଆଉ ଅଳ୍ପ ଡେରି । ସେଠି ସିନେମା ଗୀତ ଭାସିଆସୁଛି–

 

ମୋହବତ୍ ଭାଙ୍ଗିଦେଇ ଚାଲିଯାଅନା ହେ ନାଗର–ମୋହବତ୍ ଖୁବ୍ ମଜାର ଚିଜ୍–ମୋର ଦିଲ୍‍ଟା ଖାଲି ଧଡ୍ ଧଡ୍ ହୋଇ ଉଠୁଛି ।

 

ତଥାପି–ନାଃ !!!

 

ରାମଶଙ୍କର ବାବୁ ଭାବିଲେ–ଏ ପୃଥିବୀଟା ଖୁବ୍ ପୁରୁଣା ହୋଇଗଲାଣି । ଖୁବ୍ ଗତାନୁଗତିକ ହୋଇ ଉଠିଲାଣି ଏହାର ଛଇ ଆଉ ଛଟକ ଆଉ ଏ ପୃଥିବୀ ବାନ୍ଧି ରଖିପାରିବ ନାହିଁ-। ତା’ର ସମସ୍ତ ଆବେଗ ଆଉ ଆକର୍ଷଣ ହୋଇଗଲାଣି ନିହାତି ଦେହଘଷିଆ ।

 

ଏ ପୃଥିବୀ ଯେତେ ଫୁଲେଇ ହୋଇ ଦେହରେ ଘଷିହେଲେ ବ ଦେହର ଲୋମ ଟାଙ୍କୁରିବ ନାହିଁ । ଛାତିରେ ତାତି ଜମିବ ନାହିଁ–ଶେଷରେ ମନଟା ଆଉ ମାତିବ ନାହିଁ ।

 

ନୈରାଶ୍ୟରେ ରାମଶଙ୍କର ବାବୁ ଦୀର୍ଘଶ୍ଵାସ ପକାଇବାକୁ ଯାଉଛନ୍ତି–ହଠାତ୍ କାହାର ପାଟି ଶୁଣି ସେ ଚମକି ପଡ଼ି ଚାହିଁଲେ । ଜଣେ ଲୋକ ଗୋଟିଏ ଖୁବ୍ ବଡ଼ ରକ୍ତ ଗୋଲାପ ଧରି ତାଙ୍କୁ ଯାଚୁଛି । ଗୋଲାପଟି ଖୁବ୍ ବେଶୀ ଲାଲ ନୁହେଁ–କିନ୍ତୁ ଆକାରରେ ସାଧାରଣ ଗୋଲାପଠାରୁ ବେଶ ବଡ଼ । ଗୋଲାପଟିର ରଙ୍ଗ ଆଉ ଆକୃତିରେ ଯଥେଷ୍ଟ ଉଚ୍ଛଳ ଜୀବନର ସ୍ଵାସ୍ଥ୍ୟ, ସମ୍ପଦ ଓ ତେଜସ୍କ୍ରିୟତା ଭରିରହିଛି ।

 

ଏଥିରେ ସନ୍ଦେହ ନାହିଁ ଯେ ରାମଶଙ୍କର ବାବୁଙ୍କ ମନରେ ଫଲଟି ହଠାତ୍ ଗୋଟେ ନୂତନ ଉତ୍ତେଜନା ସୃଷ୍ଟି କରିଦେଲା । କେବଳ ଉତ୍ତେଜନା ନୁହେଁ–ଏକପ୍ରକାର ଉନ୍ମାଦ ଖିଆଲରେ ସେ କ୍ଷିପ୍ତ ହୋଇଉଠିଲେ ।

 

ଗୋଲାପ ଫୁଲ ଏ ପୃଥିବୀରେ ନୂଆ ହୋଇ ଫୁଟୁ ନାହିଁ; କିନ୍ତୁ ରାମଶଙ୍କର ବାବୁଙ୍କ ପାଖକୁ ସେ ସମ୍ପୂର୍ଣ୍ଣ ଅପରିଚିତା ନୂତନା ବଧୂଟିଏ ଭଳି ଆସିଛି । ରାମଶଙ୍କର ବାବୁ କେବେ ଗୋଲାପ ଫୁଲଟିଏ ଏତେ ପାଖରେ ଦେଖି ନାହାନ୍ତି । ବହୁ ଲୋକଙ୍କ ଉଦ୍ୟାନରେ କେତେ ଫୁଲ ତ ଫୁଟେ । କେତେ ରଙ୍ଗ ଆଉ କେତେ ସୌରଭର ବାହାର ଭିତରେ ଗୋଲାପମାନେ ବି ଫୁଟିଥାଆନ୍ତି-। ଦୂରରୁ ସେସବୁ ଦେଖିଛନ୍ତି ରାମଶଙ୍କର ବାବୁ ।

 

ମାତ୍ର ଏତେ ପାଖରେ ଏତେ ରୂପ ଓ ସ୍ଵାସ୍ଥ୍ୟ ନେଇ ଗୋଲାପ ତାଙ୍କ ଆଗକୁ କେବେ ଆସି ନାହିଁ । ଜୀବନରେ ଏଇ ପ୍ରଥମ ସେ ଆସୁଛି । ଗୋଲାପ ଫୁଲଟିଏ ସେ କାହାକୁ ଯାଚି ନାହାନ୍ତି କି ତାଙ୍କୁ ବି କିଏ ଯାଚି ନାହିଁ କୋଉଦିନ ।

 

ତା’ର ସମସ୍ତ କୋମଳ ଆଉ ସତେଜ ପାଖୁଡ଼ା ମେଲାଇ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେବା ଭଙ୍ଗୀରେ ଗୋଲାପ ଫୁଲଟି ମାଳୀର ହାତରୁ ନଇଁପଡ଼ୁଛି ତାଙ୍କରି ଆଡ଼କୁ ।

 

ରାମଶଙ୍କର ବାବୁଙ୍କ ମନଭିତରେ ହଠାତ୍ “ଗ୍ରହଣ କରିବାର ବାସନା” ଜାଗିଉଠିଲା । ସଙ୍ଗେ ସଙ୍ଗେ ତାଙ୍କ ଭିତରେ ହଠାତ୍ ଏକ ନୂତନତ୍ଵର ଆବେଗ ଚଞ୍ଚଳ ହୋଇଉଠିଲା । ତାଙ୍କୁ ବୋଧହେଲା ସବୁ ଗତାନୁଗତିକତା ଭିତରେ ବି ଏଇ ଗୋଲାପ ଫୁଲଟିର ଆକୁଳ ନମ୍ର ଆକର୍ଷଣ ସମ୍ପୂର୍ଣ୍ଣ ନୂତନ । ଏ ଯେପରି ଏକ ନୂତନ ଅନାସ୍ଵାଦିତ ଜୀବନର ସଫଳ ସଙ୍କେତ ନେଇ ହସିଉଠୁଛି, ଆଉ ମତେଇ ଦେଉଛି । ପୁଣି ସେଇ ମତେଇଦେବାର ଆବେଗାତିଶଯ୍ୟରେ ତା’ର ସମସ୍ତ ପ୍ରଫୁଲ୍ଲ–କୋମଳତାର ପାଖୁଡ଼ାଗୁଡ଼ିକ ଫୁଲେଇ ହୋଇ ଉଠି ତାଙ୍କର ବହୁପାଶ ଭିତରକୁ ଡେଇଁ ପଡ଼ିବା ଲାଗି ବ୍ୟାକୁଳ ଆଗ୍ରହ ପ୍ରକାଶ କରୁଛି ।

 

“ଏ ତ ଗୋଲାପ ନୁହେଁ”–ରାମଶଙ୍କର ବାବୁ ଭାବିଲେ–‘‘ଏହା ଏକ ସମ୍ପୂର୍ଣ୍ଣ ନୂତନ ଜୀବନାନୁଭୂତିର ଗୋଲାପୀ ବାସନାର ଏକ ମୃଦୁ ଅଥଚ ପ୍ରମତ୍ତ ପ୍ରସ୍ଫୁଟ ଆକାଂକ୍ଷା !”

 

ଖୁବ୍ ଉତ୍ତେଜିତ ହୋଇ ସେ ମାଳୀକୁ ପଚାରିଲେ–

 

କେତେ ପଇସା ନେବ ଏଥିପାଇଁ ?

 

ମାଳୀଟି ଟିକେ ହସିଦେଇ କହିଲା–

 

ଫୁଲର କି ଦାମ ମାଗିବି ଆଜ୍ଞା ! ଫୁଲର କି ଦାମ ଅଛି ?

 

ରାମଶଙ୍କର ବାବୁ କିନ୍ତୁ ଗୋଲାପଟିକୁ ଏପରି ମାଗଣାରେ ଅଧିକାର କରିବାକୁ ଇଚ୍ଛା କଲେ ନାହିଁ ।

 

ସୌନ୍ଦର୍ଯ୍ୟ ଯେତେ ସ୍ଵର୍ଗୀୟ ଆଉ ଅମୂଲ୍ୟ ହେଲେ ମଧ୍ୟ ତାକୁ ମାଗଣାରେ ଗ୍ରହଣ କରିବା ଅତି କୁତ୍ସିତ କାପୁରୁଷତା ଓ ଭୀରୁତାର ହିଁ ଲକ୍ଷଣ । ଜଗତର ସମସ୍ତ ଅମୂଲ୍ୟ ସୌନ୍ଦର୍ଯ୍ୟକୁ ବୀରମାନେ ଯଥୋଚିତ ମୂଲ୍ୟ ଦେଇ ଗ୍ରହଣ କରି ଯାଇଛନ୍ତି । ସୌନ୍ଦର୍ଯ୍ୟର ମୂଲ୍ୟ ନ ଥାଇପାରେ । ମାତ୍ର ଯେ ସେହି ସୌନ୍ଦର୍ଯ୍ୟକୁ ଅଧିକାର କରିବା ଲାଗି ପ୍ରୟାସୀ ହୁଏ–ତାରି ମୂଲ୍ୟବୋଧ ଉପରେ ଏବଂ ତା’ରି ମୂଲ୍ୟଦାନର କ୍ଷମତା ଉପରେଇ ସେହି ଅମୂଲ୍ୟ ସୌନ୍ଦର୍ଯ୍ୟର ମୂଲ୍ୟାଙ୍କନ ହୋଇଯାଏ-। ନାରୀର ସୌନ୍ଦର୍ଯ୍ୟକୁ ମୂଲ୍ୟ ଦେଇ କିଣିବା ଲାଗି କେତେ ବୀର ତାଙ୍କର ମଥା ପର୍ଯ୍ୟନ୍ତ ଦାନ କରି ନାହାନ୍ତି ଭଲା ! ଏ ଫୁଲଟି ଗୋଟିଏ ସାଧାରଣ ଲୋକ ପାଖରେ ଦୁଇଟି ମାତ୍ର ପଇସାର ମୂଲ୍ୟ ହୋଇପାରେ; ମାତ୍ର ଜଣେ ଏହାକୁ ଦୁଇ ଲକ୍ଷ ଟଙ୍କା ଦେଇ ମଧ୍ୟ କିଣିନେଇପାରେ-

 

ତା’ ଛଡ଼ା ଏ କ’ଣ ଗୋଟିଏ ସାଧାରଣ ଗୋଲାପ ଫୁଲଟିଏ ମାତ୍ର ହୋଇଛି !

 

ସୁତରାଂ......

 

ରାମଶଙ୍କର ବାବୁଙ୍କ ମନ ଭିତରେ ଏକ ମଧ୍ୟଯୁଗୀୟ ସୌନ୍ଦର୍ଯ୍ୟ–ଗ୍ରାହୀତାର ବୀରୋଚିତ ପୌରୁଷ ଜାଗିଉଠିଲା । ସତେ ବା ସେ ପୃଥିବୀର ଶ୍ରେଷ୍ଠ ସୁନ୍ଦରୀକୁ କିଣିବାକୁ ବସିଛନ୍ତି କିମ୍ଵା ପୃଥିବୀର ସର୍ବଶ୍ରେଷ୍ଠ ଚିତ୍ରଶିଳ୍ପୀର ସର୍ବଶ୍ରେଷ୍ଠ ଚିତ୍ରକଳାର ଗରାଖ ହେବାକୁ ଯାଉଛନ୍ତି !!

 

ରାମଶଙ୍କର ବାବୁ ଆହୁରି ଉତ୍ତେଜିତ କଣ୍ଠରେ କହିଲେ–

 

ନା–ନା–ତୁମକୁ ଏହାର ଦମ୍ ନେବାକୁ ପଡ଼ିବ । କୁହ କେତେ ନେବ ?

 

ଯାହା ଦେବେ ଦିଅନ୍ତୁ ଆଜ୍ଞା ! ଯିଏ ଏ ଫୁଲଟି ତିଆରି କରିଛି, ସେ ସିନା ୟାର ମୂଲ୍ୟ ଜାଣିଥିବ । ଏ ତ ଆଉ କାଗଜ ଫୁଲ ନୁହେଁ କି ୟାକୁ ଆମେ ତିଆରି କରିନୁ !

 

ରାମଶଙ୍କର ବାବୁ ପକେଟ୍ ଦରାଣ୍ଡିଲେ । ପକେଟ୍ ଭିତରେ ପ୍ରାୟ ଏକ ଟଙ୍କାର ରେଜା ଥିଲା । ସେତକ ରେଜା ସେ ହାତରେ ଧରିବା ମାତ୍ରେଇ ତାଙ୍କୁ ଲାଗିଲା ସେ ବହୁ ମୁଦ୍ରା ବିନିମୟରେ ପୃଥିବୀର ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟ ଏହି ଗୋଲାପଟିକୁ କିଣିବାକୁ ଯାଉଛନ୍ତି । ମାଳୀ ହାତକୁ ସେତକ ରେଜା ମୁଦ୍ରା ଝମ୍ କରି ପକାଇଦେଇ–ବେଶ୍ କିଛି ଅବନତ ଭଙ୍ଗୀରେ–ଯଥେଷ୍ଟ ସମ୍ଭ୍ରମ ଓ ଶାଳୀନତା ସହକାରେ ସେ ଫୁଲଟିକୁ ମାଳୀଠାରୁ ଗ୍ରହଣ କଲେ ।

 

ଆଶ୍ଚର୍ଯ୍ୟ କଥା, ଫୁଲଟିକୁ ହାତରେ ଧରିବା ମାତ୍ରେ ଇ ତାଙ୍କର ସମଗ୍ର ଦେହରେ ଗୋଟାଏ ଅପୂର୍ବ ପୁଲକାନୁଭୂତି ସଞ୍ଚାରିତ ହୋଇଗଲା । ଆଜିକୁ ସତର ଅଠର ବର୍ଷ ତଳେ ବିବାହବେଦୀରେ ପ୍ରଥମ କରି ଯେତେବେଳେ ଗୋଟିଏ କମ୍ପିତ କୋମଳ ହସ୍ତର ପ୍ରଣୟତପ୍ତ ସ୍ପର୍ଶ ସଙ୍ଗେ ତାଙ୍କ ହାତର ଯୋଗ ହେଲା, ସେତେବେଳେ ସେ ଠିକ୍ ଏହିଭଳି ଏକ ଉନ୍ମତ୍ତ ପୁଲକର କୁସୁମ–କୋମଳତାକୁ ଅନୁଭବ କରିଥିଲେ । ତା’ପରେ ତାଙ୍କ ଦେହର ସେ ପୁଲକ ମରିଯାଇଥିଲା । ଆଜି ଠିକ୍ ସେଦିନର ସେଇ ପୁଲକାନୁଭୂତି ସତେ ବା ଏଇ ଗୋଲାପଟିର ଭିତରେ ପୁଣି ଫେରି ଆସିଛି । ପୁରାତନ–କିନ୍ତୁ ଗତାନୁଗତିକ ନୁହେଁ ।

 

ରାମଶଙ୍କର ବାବୁ ମାତିଉଠିଲେ, ତାଙ୍କର ଦୁଇପଟ କାନମୁଣ୍ଡାରେ ଏକ ଅପୂର୍ବ ଉତ୍ତେଜନାର ଉନ୍ମାଦନା ତାତି ଉଠିଲା ।

 

ଏ ତ ସାମାନ୍ୟ ଗୋଟେ ଗୋଲାପ ଫୁଲ ମାତ୍ର ନୁହଁ, ଜୀବନର ନବ ନବ ଉନ୍ନେଷଶାଳିନୀ ରସାନୁଭୂତିର ଏକ ଗୋଲାପୀ ଆକାଂକ୍ଷାର ପ୍ରସ୍ଫୁଟିତ ଉନ୍ମାଦନା ।

 

ଅନଭିଜ୍ଞା ଅଥଚ ନବପ୍ରଣୟାଭିଳାଷିଣୀ ବ୍ରୀଡ଼ାନ୍ୱିତା ନୂତନ ବଧୂଟିଏ ଭଳି ରଙ୍ଗରସରେ ପରିପୂର୍ଣ୍ଣ ହୋଇ ସେ ଯେପରି ରାମଶଙ୍କର ବାବୁଙ୍କ ଆଲିଙ୍ଗନ ଭିତରେ ଆଉଜି ପଡ଼ିଛି ।

ସେ ତାକୁ ହୃଦୟର ଅତି ପାଖରେ ବୁକୁ ଉପରେ ସ୍ଥାନ ଦେବେ । କୋଟରେ ସେ ଫୁଲଟିକୁ ଖୋସିଲେ । ହଠାତ୍ ତାଙ୍କର ମନେ ପଡ଼ିଲା ଅମୂଲ୍ୟ ବାବୁଙ୍କ କଥା । ଅମୂଲ୍ୟ ବାବୁ ଜଣେ ରସିକ କବି ବୋଲି ଚାରିଆଡ଼େ ପରିଚିତ । ସବୁଦିନ କୋଟରେ ଫୁଲଟିଏ ନ ଖୋସିଲେ ସେ ପଦାକୁ ବାହାରନ୍ତି ନାହିଁ ।

ମାତ୍ର ଫୁଲଟିର ମର୍ଯ୍ୟାଦା ଓ ଅଧିକାର କ’ଣ ମାତ୍ର ଏତିକି ? ନିଜ ଦେହର ଏକ ବିଶିଷ୍ଟ ସ୍ଥାନରେ ତାକୁ ନିଶ୍ଚିନ୍ତରେ ଖୋସିଦେଇ ଅନ୍ୟର ଦୃଷ୍ଟି ଆକର୍ଷଣ କରିବାର ବାସନ ସଙ୍ଗେ ଫୁଲର ବାସନାଟାକୁ ଏକତ୍ର ମିଶାଇ ଛାଡ଼ିଦେଲେ କ’ଣ ଫୁଲଟି ପ୍ରତି ଯଥାର୍ଥ ବିଚାର କରାଗଲା ? ଗୋଟିଏ ଫୁଲର ଦାୟିତ୍ୱରୁ ସହଜରେ ରକ୍ଷା ପାଇବା ଲାଗି ଏହାଠାରୁ ବଳି ଗତାନୁଗତିକ ସ୍ଵାର୍ଥପର ଉପାୟ ଅବଶ୍ୟ ଆଉ ନାହିଁ । ଫୁଲଟି ହୁଏତ ଭାବୁଥିବ ଯେ, ସେ ତା’ର ପ୍ରେମିକର ବୁକୁ ଉପରେ ଶୋଭା ପାଉଛି; କିନ୍ତୁ ସେ ଯଦି ଜାଣନ୍ତା ଯେ ଏକ ନିଷ୍ଠୁର ସ୍ଵାର୍ଥପର ଛଳନାର ଶିକାର ହୋଇ ସେ କେବଳ ପ୍ରଦର୍ଶନୀର ବିଷୟଟିର ହୋଇଯାଇଛି ବୋଲି ?? ଫୁଲଟିକୁ ଛାତି ଉପରେ ରଖି–ଫୁଲର ଛଳନାରେ ଅନ୍ୟକୁ ଛାତି ଉପରକୁ ଟାଣି ଆଣିବାର ଗୋପନ ଆକାଂକ୍ଷା ଟିକକ ଯଦି ବିଚାରୀ ଫୁଲଟି ଜାଣିପାରନ୍ତା !!

ତା’ ଛଡ଼ା ଯାହା କିଛି ସୁନ୍ଦର ଓ ମଧୂର, ତାକୁ ବିକଳ ଭାବେ ନିଜେ ମାଡ଼ି ବସି ଭୋଗ କରିବାରେ ଏକ ଗତାନୁଗତି ଶିଶୁସୁଲଭ ଲୋକ ହିଁ କେବଳ ପ୍ରକାଶ ପାଏ । ସମସ୍ତେ ହୁଏତ ଏହା ହିଁ କରନ୍ତି ।

କିନ୍ତୁ ନାଃ !!

ଏତେ ବଡ଼ ଛଳନା ସେ ଏଇ ଗୋଳାପ ବିଧୂଟି ସଙ୍ଗେ ସଙ୍ଗେ ଖେଳି ପାରିବେ ନାହିଁ । କିନ୍ତୁ ୟାକୁ ନେଇ ସେ କଅଣ କରିବେ ? କଅଣ କଲେ ବିଚାରୀ ଫୁଲଟି ତାଙ୍କର ଖୁସି ହେବ ? ତା’ର ଜୀବନ ଆକାଂକ୍ଷାର ସାର୍ଥକତାରେ ପରିତୃପ୍ତ ହୋଇଉଠିବ ?

ଫୁଲଟିକୁ ନେଇ ସେ କଅଣ ଭାବେ ଉପଯୋଗ କରିପାରିବେ ? ଫୁଲଟି ସତେ ବା ତାଙ୍କର ନିଜର ବ୍ୟୟଃପ୍ରସ୍ତା ସୁନ୍ଦରୀ କନ୍ୟା ! ପରିପୂର୍ଣ୍ଣ ଯୌବନ ଓ ରମଣୀୟତାରେ ବିକଶିତ ହୋଇ ପିତାର ଛାତି ଉପରକୁ ଆଉଜି ଯାଇଛି । କିନ୍ତୁ ଏଇଠାରେ କ’ଣ ତାକୁ ଚିରଦିନ ଆଉଜାଇ ରଖି ତା’ର ଜୀବନର ବାସନାକୁ ସେ ସାର୍ଥକ କରାଇ ପାରିବେ ? ଉପଯୁକ୍ତ ପାତ୍ରରେ ତାକୁ ଅର୍ପଣ କରିବାକୁ ଇ ହେବ ।

ଏଇ ଗୋଳାପ ଫୁଲଟି ତାଙ୍କର କନ୍ୟା–ଆଉ ସେ ବର୍ତ୍ତମାନ କନ୍ୟାଦାୟଗ୍ରସ୍ତ ଗୋଟିଏ ଚିନ୍ତିତ, ବିବ୍ରତ ଯିବା ।

ଆଃ ! ଆଃ !

କନ୍ୟାଦୟ–ମହାଦାୟ !!!

ଏଇ କନ୍ୟାରତ୍ନଟି ଲାଗି ଉପଯୁକ୍ତ ପାତ୍ର ଅନ୍ୱେଷଣ କରିବାକୁ ହେବ । ଅବିଳମ୍ବେ କରିବାକୁ ହେବ ।

 

କିନ୍ତୁ କୋଉଠି ?

 

କାହାକୁ ?

 

ପଛରେ ପଡ଼ିଲାଣି ଶିବମନ୍ଦିର । ମନ୍ଦିର ଭିତରକୁ ଗଲେ ଫୁଲଟିର ଦାୟିତ୍ଵରୁ ନିଶ୍ଚିତ ମୁକ୍ତି ମିଳନ୍ତା । ମନ୍ଦିରକୁ ଯାଇ ପୂଜକ ହାତରେ ଫୁଲଟିକୁ ଧରାଇଦେଲେ–ସେ ଢାଳେ ପାଣି ଶିବଙ୍କ ଉପରେ ଢାଳିଦେଇ–ସେଠାରେ ଫୁଲଟିକୁ ଥୋଇଦେବେ ।

 

ବାସ୍ !

 

ଏତିକିରେ ଫୁଲର ଜଞ୍ଜାଳରୁ ଯେ ଚିରଦିନ ଲାଗି ମୁକ୍ତ ହୋଇଯିବେ ହୁଏତ ! ଠାକୁରଙ୍କ ଶିର ଉପରେ ବସିଲେ ଇ ତା’ର ଜୀବନ ସାର୍ଥକ ହୋଇଉଠିବ । ଉପଯୁକ୍ତ ପାତ୍ରରେ ଇ ଉପଯୁକ୍ତ ଦାନ ।

 

ରାମଶଙ୍କର ବାବୁ ଫୁଲଟିକୁ ଧରି ମନ୍ଦିର ଭିତରକୁ ପଶିଲେ ।

 

ମନ୍ଦିର ଭିତରେ ମହାକୋଳାହଳ । ସମସ୍ତେ ଭୋଗଡ଼ାଲା ଓ ଫୁଲମାଳ ଧରି ଠାକୁରଙ୍କ ପାଖକୁ ଯିବାକୁ ବ୍ୟଗ୍ର ହୋଇ ପଡ଼ୁଛନ୍ତି । ପରସ୍ପରକୁ ଠେଲିପେଲି ସମସ୍ତେ ଆଗ ଯାଇ ଠାକୁରଙ୍କ ଆଗରେ ନିଜର ସମସ୍ତ ଜଞ୍ଜାଳ ଅଜାଡ଼ିଦେଇ ଭାରମୁକ୍ତ ହୋଇ ପୁଣି ଘରକୁ ସହଳ ଫେରିଯିବେ ।

 

ବହୁ ଲୋକଙ୍କର ବହୁ ଜଞ୍ଜାଳ ।

 

ବହୁ ଲୋକଙ୍କର ବହୁ ଅନୁଯୋଗ ।

 

ବହୁ ଅଭିଯୋଗ ।

 

ବହୁ ମାଗୁଣି !!!

 

ମହାଦେବଙ୍କ ଉପରେ ବେଲପତ୍ରୀ ଆଉ ଫୁଲ ଗଦା ହୋଇଛି–ଗୋଲାପ, ମଲ୍ଲୀ, ଚମ୍ପା, କାଠଚମ୍ଫା, ନାଗେଶ୍ଵର । ଖୁବ୍ ସ୍ଥିର ଆଉ ନିର୍ବିକାର ଭାବେ ପ୍ରସ୍ତରିତ ନିଶ୍ଚଳତାରେ ଦେବତା ଏ ଫୁଲଭାର ବହନ କରୁଛନ୍ତି । ଜଣ ଜଣ ହୋଇ ସମସ୍ତେ ଆଣି ଗଦା କରୁଛନ୍ତି ଠାକୁରଙ୍କ ଉପରେ ଫୁଲ ।

 

କେତେ ବାଡ଼ିରେ ଫୁଟୁଛନ୍ତି–ବଉଳ, ଚମ୍ପା, ନାଗେଶ୍ଵର, ମଲ୍ଲୀ, ଗୋଲାପ । ଫୁଲ ତ ନୁହନ୍ତି, ସେମାନେ ସତେ ବା ମହାଜଞ୍ଜାଳ । ସେମାନେ ବି ଭାବି ଭାବି ସ୍ଥିର କରିପାରୁ ନାହାନ୍ତି–ଏଇସବୁ ଫୁଲଗୁଡ଼ାକ ନେଇ ସେମାନେ କ’ଣ କରିବେ ? ଜାଣି ନାହାନ୍ତି ସେମାନେ ଫୁଲଗୁଡ଼ିକର ଯଥାର୍ଥ ବ୍ୟବହାର–ପାଇ ନାହାନ୍ତି ଉପଯୁକ୍ତ ପାତ୍ର–ଯେଉଁଠି ସେ ଏଇ ଫୁଲଗୁଡ଼ିକୁ ଦାନ କରି ନିଶ୍ଚିନ୍ତ ଆନନ୍ଦ ଅନୁଭବ କରିବେ । ତେଣୁ ଜୀବନର ବହୁ ଅସହ୍ୟ ଜଞ୍ଜାଳ ଅଭିଯୋଗଗୁଡ଼ାକୁ ଦେବତାର ପଦତଳେ ବାଢ଼ିଦେବା ସଙ୍ଗେ ସଙ୍ଗେ–ସେମାନେ ଏଇ ଫୁଲଗୁଡ଼ିକୁ ମଧ୍ୟ ଗଛରୁ ଛିଣ୍ଡାଇ ଆଣି ଦେବତାର ଉପରେ ଅଜାଡ଼ି ଦେଉଛନ୍ତି ।

 

ରାମଶଙ୍କର ବାବୁଙ୍କ ମନ କରୁଣାକୋମଳ ହୋଇଉଠିଲା ।

 

ଆଃ !!

 

ଏତେ ଜଞ୍ଜାଳ ବୋଲି ଏତେ ଅବହେଳା !

 

ସତେ କି ଦେବତାର ଏଇ ପୀଠ ଗୋଟାଏ ଅନାଥାଶ୍ରମ । କିଛି କୂଳକିନାରା ନ ପାଇଲେ ଏଇଠି ଆଣି ଛାଡ଼ିଦେଲେ ସବୁ ଜଞ୍ଜାଳ ତୁଟିଯିବ ସହଜରେ । ଆଉ ପ୍ରସ୍ତରର ଏଇ ଜଡ଼ୀଭୂତ ପ୍ରତିମା–ଏ ମଧ୍ୟ କି ନିର୍ବିକାର ଆଉ ନିର୍ଲିପ୍ତ ଭାବେ ନିଷ୍ଠୁର ଉପେକ୍ଷାର ଅବହେଳା ଭିତରେ ଫୁଲଗୁଡ଼ିକର ଏଇ ଭାର ବହନ କରୁଛନ୍ତି !

 

ନାଃ !

 

ହେବ ନାହିଁ । ଏଠି ଏପରି ନିର୍ମମ ଅବହେଳା ଓ ନିର୍ଲିପ୍ତତା ମଧ୍ୟରେ ସେ ତାଙ୍କର ପ୍ରାଣପ୍ରତିମା କନ୍ୟାଟିକୁ ଅଯାଚିତ ଭାବେ ଠେଲିଦେଲ ପକାଇଦେଇ ଯାଇପାରିବେ ନାହିଁ । ସେ ଉପଯୁକ୍ତ ପାତ୍ର ଖୋଜିବେ । ରାମଶଙ୍କର ବାବୁ ଦେଉଳ ଭିତରୁ ଗୋଲାପଟିକୁ ହାତରେ ଧରି ପୁଣି ସିଧା ପଦାକୁ ବାହାରି ଆସିଲେ ।

 

ରାସ୍ତା ଉପରକୁ ଆସି ରାମଶଙ୍କର ବାବୁ ଭାବିଲେ–ବର୍ତ୍ତମାନ ଉପାୟ କ’ଣ ? ଫୁଲଟିକୁ ସେ ପ୍ରକୃତରେ କ’ଣ କରିବେ ?

 

ଓଃ !!

 

ଆଚ୍ଛା ଜଞ୍ଜାଳରେ ମଣିଷ ପଡ଼ିଲା !!

 

ଫୁଲର ଜଞ୍ଜାଳ–ମହା ଜଞ୍ଜାଳ !!

 

ଅବଶ୍ୟ ଆଉ ଗୋଟାଏ ଉପାୟ ଅଛି । ଘରକୁ ଫେରିଯାଇ ଫୁଲଟିକୁ ସ୍ତ୍ରୀଙ୍କ ଗଭାରେ ଖୋସିଦେଲେ–ଫୁଲର ଜଞ୍ଜାଳ ତ ଯାଆନ୍ତା ସ୍ତ୍ରୀ ମଧ୍ୟ ଖୁସି ହୋଇଯାନ୍ତେ । ....ସବୁ ସ୍ତ୍ରୀ ସ୍ୱାମୀର ଏପରି ବ୍ୟବହାରରେ ଖୁସି ହୋଇଯାନ୍ତି ।

 

ରାମଶଙ୍କର ବାବୁ ଫୁଲଟିକୁ ଚାହିଁଲେ । ତା’ପରେ ସ୍ଵତଃ ସେ ଗୋଟିଏ ଦୀର୍ଘଶ୍ଵାସ ଛାଡ଼ିଲେ ।

 

ହାୟ ! ଏତିକି ! ଏତିକିରେ ଏତେବଡ଼ ଜଞ୍ଜାଳରୁ ମୁକ୍ତି ମିଳିଯିବ ? ଏତେବଡ଼ ଅନୁଭୂତିର ଦାୟିତ୍ୱ ଏତିକିରେ ତୁଟିଯିବ ?

 

ସ୍ତ୍ରୀ ଅବଶ୍ୟ ଖୁସି ହେବେ ।

 

କିନ୍ତୁ ତା’ପରେ କ’ଣ ହେବ ?

 

ଗୋଟିଏ ରାତିର ଗତାନୁଗତିକ ବିଳାସ–ପ୍ରମତ୍ତତାର ଅଗ୍ନିଦାହରେ ଉତ୍ତପ୍ତ ହୋଇ ଝରିପଡ଼ିବ ଫୁଲଟିର ଏଇ ମୃଦୁ କୋମଳ ଗୋଲାପୀ ପାଖୁଡ଼ାଗୁଡ଼ିକ । ଆଉ ଆଜି ରାତିଟା ପାହିଗଲେ....... ? ?

 

ରାମଶଙ୍କର ବାବୁ ଆଉଥରେ ଗୋଲାପଟିକୁ ଚାହିଁଲେ । ବଡ଼ କରୁଣ ଭାବରେ ସତେ କି ତାଙ୍କ ମୁହଁକୁ ଚାହିଁରହିଛି ଗୋଲାପଟି । ସତେ ବା ସେ ଜାଣି ସାରିଲାଣି–ତାକୁ ଯଜ୍ଞପୀଠରେ ବଳିଦେବା ଲାଗି......

 

ଓଃ !!

 

ନାଃ !!

 

ଏଇଥା ଯାହା, ବଜାରରୁ ଗଡ଼ିଶ ମାଛଟିଏ କିଣିନେଇ ତାକୁ ଚୁଲି ନିଆଁରେ ପୋଡ଼ି ଦୁହେଁଯାକ ଚଟଣି କରି ପଖାଳ ଖାଇବା–ଏକା କଥା ।

 

ସେ କଥା ହୋଇପାରିବ ନାହିଁ ।

 

କେବେ ହୋଇପାରିବ ନାହିଁ ।

 

ଏଇ ଗତାନୁଗତିକତା ଭିତରେ ସେ ଆଉ ପଶିବେ ନାହିଁ ।

 

ରାମଶଙ୍କର ବାବୁ ଫୁଲଟିକୁ ଧରି ଆଗକୁ ଚାଲିଲେ । ଟିକିଏ ଆଗରେ ବଡ଼ ରାସ୍ତାରୁ ଆଉ ଗୋଟିଏ ସଂକୀର୍ଣ୍ଣ ରାସ୍ତା ବାହାରି ଭିତରକୁ ଚାଲିଯାଇଛି । ରାମଶଙ୍କର ବାବୁ ସେଇ ଆଡ଼କୁ ଚାହିଁଲା ମାତ୍ରେ ଇ ତାଙ୍କର ଆଖି ପଡ଼ିଲା ଗୋଟିଏ ଝିଅ ଉପରେ । ସେ ତାଙ୍କ ଆଡ଼କୁ ପଛ କରି କାହା ସଙ୍ଗେ କଥାବାର୍ତ୍ତା କରୁଥିଲା ।

 

ଝିଅଟି ଚିହ୍ନା ଚିହ୍ନା ମନେହେଲା ତାଙ୍କର । ତାଙ୍କଠାରୁ ୩୦–୪୦ ଫୁଟ ଦୂରରେ ସେ ଠିଆ ହୋଇଛି । ପଛ ପଟୁ ଦେଖିଲେ ପୂରା ଜାଣି ହେଉ ନାହିଁ; ତଥାପି ହୋଇପାରେ ସେ ଗୋଟିଏ ଛାତ୍ରୀ କଲେଜର । ଭଲକରି ଦେଖିବାର ବା ଚିହ୍ନିବାର ଉପାୟ ନାହିଁ ।

 

କିନ୍ତୁ ଝିଅଟିକୁ ଚିହ୍ନିବା ଲାଗି ବା ଦେଖିବା ଲାଗି ରାମଶଙ୍କର ବାବୁଙ୍କର ସ୍ପୃହା ନ ଥିଲା । ଝିଅଟି ତାଙ୍କ ଆଡ଼କୁ ପଛ କରି ଠିଆ ହୋଇଛି । ତାଙ୍କର ଦୃଷ୍ଟି ପଡ଼ିଲା ତା’ର ସୁନ୍ଦର କୋମଳ କୃଷ୍ଣ ବିପୁଳ ଗଭାଟି ଉପରେ । ଏପରି ସୁନ୍ଦର ବିପୁଳ କେଶପରିପାଟୀ ସେ କେବେ ସଜାଗ ଚିତ୍ତରେ ଦେଖି ନାହାନ୍ତି । ଏତେ କେଶ ! ଏତେ କୃଷ୍ଣ ! ପୁଣି ତା’ର ଏତେ ଉଚ୍ଛ୍ୱାସପରିପୂର୍ଣ୍ଣ ପରିପାଟୀମୟ ବିପୁଳତା !! ଏ ତ କେଶପାଶ ନୁହଁ–ଏ ଯେପରି ଅନାଦି କାଳର ତିମିରାୟିତ ରହସ୍ୟରୋମାଞ୍ଚର ଘନୀଭୂତ ମାୟ !! କିମ୍ଵା ଏ ଯେପରି ଅଶେଷ ବୃଷ୍ଟି ଜଳଭାରାନ୍ୱିତା ଘନଘୋର ଆଷାଢ଼ ମେଘର ସ୍ତରୀକୃତ ଅଞ୍ଜନବିଭା !! ଏଇ କେଶଗୁଚ୍ଛର ପ୍ରତିଟି ମୋଡ଼ ଭିତରେ ଯେପରି ରହିଛି ଗହନରାତିର ନିବିଡ଼ ତନ୍ଦ୍ରା ! କିମ୍ବା ତା’ର ଏଇ ଶଙ୍ଖ–ଧବଳ–ଗ୍ରୀବା ଉପରେ ଅଶେଷ ଧୈର୍ଯ୍ୟ ଓ ଅଶେଷ ଅସ୍ଥିରତାର ମୂର୍ତ୍ତିମନ୍ତ ଅବତାର ରୂପେ ଚେକା ମାଡ଼ି ଶୋଇରହିଛି ଶେଷନାଗ–ବାସୁକୀ ।

 

ଆକାଶର ଅନନ୍ତ ନିଳୀମା ଯେପରି ବନ୍ଦୀ ହୋଇ ରହିଛି ଏହି ବିପୁଳ ସ୍ତରୀକୃତ କେଶରାଶିର ଅପୂର୍ବ ପରିପାଟୀ ମଧ୍ୟରେ !! ଅସୀମ ସାଗରର ଅସଂଖ୍ୟ ଚଳମାନ ଢେଉ ଯେପରି ଅଳସରେ ଏହାରି ଭିତରେ ଇ ଘୂମେଇ ପଡ଼ିଛନ୍ତି !!

 

ରାମଶଙ୍କର ବାବୁଙ୍କ ମନ ଭିତରେ ଏଇ କେଶସମ୍ଭାର ଏକ ଅପୂର୍ବ କବିତ୍ଵପୂର୍ଣ୍ଣ ଉନ୍ମାଦନା ଜଗାଇଦେଲା ।

 

ଔଦ୍ଧତ୍ୟରେ ବିପୁଳା, ପୁଣି ବିନୟରେ ଉର୍ମିଳା ଏହି ଅପୂର୍ବ କେଶସମ୍ଭାର ଆଡ଼ୁ ଆଉ ଆଖି ଫେରାଇ ଆଣିପାରିଲେ ନାହିଁ ରାମଶଙ୍କର ବାବୁ । ଏହି ଘନକୃଷ୍ଣ କେଶପାଶର ପରିପାଟୀମୟ ବିପୁଳ ଆଲିଙ୍ଗନ ଯେପରି ଅପେକ୍ଷାକୃତ କରି ରହିଛି ବିପୁଳ ସ୍ଵାସ୍ଥ୍ୟ, ସୋନ୍ଦର୍ଯ୍ୟ ଓ ସୌରଭରେ ପରିପୂର୍ଣ୍ଣ । ଏହି ଗୋଲାପ ଫୁଲଟିର !!

 

ଠିକ୍ କଥା ।

 

ରାମଶଙ୍କର ବାବୁ ଚଞ୍ଚଳ ହୋଇଉଠିଲେ । ଗୋଲାପ ଫୁଲଟିକୁ ତା’ର ଯଥାଯୋଗ୍ୟ ସ୍ଥାନରେ ରଖିଦେଇ ସେ ନିଶ୍ଚିନ୍ତ ମନରେ ଘରକୁ ଫେରିଯିବେ ।

 

ଫୁଲଟିକୁ ଧରି ପରମ ଆଗ୍ରହରେ ସେ ଝିଅଟିର ପାଖକୁ ଗତି କଲେ । ମାତ୍ର ଝିଅଟିର ପାଖରେ ପହଞ୍ଚିଲା ମାତ୍ରେ ଇ ସେ ତା’ର ବନ୍ଧୁଙ୍କୁ ଶେଷ କଥାଟି କହିଦେଇ ଏକ ଗଳି ରାସ୍ତା ଆଡ଼କୁ ମୋହିଁଲା । ରାମଶଙ୍କର ବାବୁ ମଧ୍ୟ ଚଞ୍ଚଳ ପଦପକ୍ଷରେ ତା’ର ପିଛା ଧରିଲେ । ତାଙ୍କର ଦୃଷ୍ଟି ଓ ଲକ୍ଷ୍ୟ ସ୍ଥିରଭାବେ ଝିଅଟିର କେବଳ ସେଇ ପରିପାଟୀମୟ ବିପୁଳ ଗଭା ଉପରେ ଇ ରହିଛି । ଝିଅଟିର ବେଶ୍ ପାଖକୁ ଲାଗିଆସି ରାମଶଙ୍କର ବାବୁ ଡାକିଲେ–

 

ଶୁଣ !!

 

ଝିଅଟି ହଠାତ୍ ଚମକିପଡ଼ି ପଛକୁ ମୁଁହ ବୁଲାଇ ଚାହିଁଲା ।

 

ରାମଶଙ୍କର ବାବୁ ଆହୁରି ବେଶୀ ଉତ୍ସାହିତ ହୋଇ ହାତରେ ଧରିଥିବା ଗୋଲାପଟିକୁ ତା’ ଆଡ଼କୁ ବଢ଼ାଇ ଦେଇ କହିଲେ–

 

ଶୁଣ !!!

 

ଝିଅଟି ଭ୍ରୂକୁଞ୍ଚିତ କରି ଓଠକୋଣରୁ ଚେନାଏ ଓଠ କାମୁଡ଼ି ଖୁବ୍ ଗମ୍ଭୀର ଏବଂ ତୀର୍ଯ୍ୟକ୍ ଭାବେ ଚାହିଁ ପଚାରିଲା–

 

କ’ଣ ମୋତେ ଡାକୁଛନ୍ତି ?

 

ରାମଶଙ୍କର ବାବୁ ଟିକେ ସ୍ମିତ ହାସ୍ୟରେ ବ୍ୟାକୁଳ ଭାବେ କହିଲେ–

 

ହଁ ହଁ ତୁମକୁ ।

 

କଅଣ ଚାହାନ୍ତି ଆପଣ ?

 

ଏଇ ଗୋଲାପ ଫୁଲଟି ଗ୍ରହଣ କରି ମୋତେ ବଞ୍ଚାଅ ।

 

ମାନେ ???

 

ମାନେ ମୋତେ ଏହାର ପୀଡ଼ାରୁ ରକ୍ଷା କର ।

 

ଏଇ ସୁସ୍ଥ ସତେଜ ସୁନ୍ଦର ଗୋଲାପଟି ଲାଗି ଯେପରି ତୁମରି ଏଇ ପରିପାଟୀମୟ ବିପୁଳ କେଶରାଶିର ଆଲିଙ୍ଗନ ଅପେକ୍ଷା କରି ରହିଛି ! ଏଇଟିକୁ ନେଇ ତୁମେ ଗଭାରେ ଖୋସିଦେଲେ ମୁଁ ବଞ୍ଚିଯିବି ।

 

ଆପଣ କିଏ ମୋତେ ଏଇ ଗୋଲାପ ଫୁଲ ଯାଚିବାକୁ ?

 

ରାମଶରଙ୍କର ବାବୁ ଟିକେ ଥତମତ ଖାଇଗଲେ । ତା’ପରେ ଖୁବ୍ ଧୀରେ ନରମ ଗଳାରେ କହିଲେ–

 

ଦେଖ ! ତୁମର ଏ ପ୍ରଶ୍ନର ଉତ୍ତର ମୁଁ ଆଦୌ ଭାବି ନାହିଁ । ତୁମେ ସେ ବିଷୟରେ ମୁଣ୍ଡ ନ ଖେଳାଇ.....ଫୁଲଟିକୁ ନେଇ ଆଗ ତୁମ ଖୋସାରେ ଖୋସିଦିଅ ।

 

ଆପଣ ମୋତେ କଅଣ କରି ପାଇଲେ କି ?

 

ତୁମକୁ କୌଣସି ରୂପେ ପାଇବା ମୋ ପକ୍ଷରେ ଉଚିତ ନୁହେଁ–ମୁଁ ଜାଣେ । ଏଇ ଗୋଲାପ ଫୁଲଟିକୁ ତୁମେ ଯେପରି ଭାବେ ପାଇବା କଥା ପାଅ–ଆଉ ମୋତେ ବଞ୍ଚାଅ ।

 

ଆପଣଙ୍କର କି ଅଧିକାର ଅଛି ମୋତେ ଏ ଫୁଲ ଯାଚିବାରେ ?

 

ମୋର ଆଦୌ ଅଧିକାର ନାହିଁ–ଏ କଥା ମୁଁ ମାନୁଛି | ମାତ୍ର ଏ ଫୁଲଟିର ଅଧିକାର ତୁମେ ସ୍ଵୀକାର କରୁ ନାହଁ କାହିଁକି ?

 

ଝିଅଟି ବୋଧେ ଏଥର ସତକୁ ସତ ରାଗିଗଲା । ସେ ପଣତକାନିକୁ ଅଣ୍ଟାରେ ଗୁଡ଼ାଇଧରି ଖୁବ୍ ତେଜିଯାଇ କହିଲା–ଆପଣ ପାଗଳ ନା ବଜାରୀ ? ?

 

–ନା–ନା–

 

ମୁଁ ? ନା–ନା–ମୁଁ–ମୁଁ ହେଉଛି–ମାନେ–ମୁଁ ହେଉଛି–ଅଧ୍ୟାପକ ରାମଶଙ୍କର ମହାପାତ୍ର ।

 

ଅଧ୍ୟାପକ ? ?

 

ସହସା ଏକ ନିଦାରୁଣ ଚପେଟାଘାତ ସଙ୍ଗେ ସଙ୍ଗେ ତାଙ୍କ ବାଳକୁ ଧରି ତାଙ୍କ ପଛପଟୁ ଜଣେ ବସ୍ତିବାଲା ଚିଲେଇ ଉଠିଲା–ରଖ୍ ତୋର ଅଧ୍ୟାପକଗିରି ଶଃ......ବଜାରୀ–ଭାଡ଼ୁଆ–ୟେ କ’ଣ ଦାରୀବସ୍ତି ଅଛି ବେ ଶଃ–ତୋ ରସିକପଣିଆ ଛଡ଼େଇଲେବି–ଶଃ–ମାର୍ ତା’ ଗିଲି ମୁଣ୍ଡାକୁ......

 

ବାସ–ରାମଶଙ୍କର ବାବୁଙ୍କ ପିଠି, ବେଳ ଓ ଗାଲରେ ସପାସପ ବସିଲା ବିଧା, ଚଟକଣି ଓ ଘୁସି । ବହୁ ବସ୍ତିବାଲା ଜମି ଯାଇଥିଲେ । ସେମାନେ ସମସ୍ତେ ଝିଅଟିର ଆତ୍ମମର୍ଯ୍ୟାଦା ରକ୍ଷା କରିବା ଲାଗି ରାମଶଙ୍କର ବାବୁଙ୍କୁ ମନଇଚ୍ଛା ପ୍ରହାର କରିଲାଗିଲେ । ରାମଶଙ୍କର ବାବୁ ତଳେ ପଡ଼ିଗଲେ–ତାଙ୍କର ନାକରୁ ରକ୍ତ ବୋହିଲା–ତାଙ୍କ ହାତରୁ ଗୋଲାପ ଫୁଲଟି ଛିଟିକିଯାଇ ନିର୍ଦ୍ଦମାରେ ପଡ଼ିଗଲା ଏବଂ ତାଙ୍କର ଚେତା ବୁଡ଼ିଗଲା । ବସ୍ତିବାଲାମାନେ ପଳାଇଗଲେ ।

 

ତା’ପରେ ଯାହା ହେବାର କଥା ହେଲା । ସଙ୍ଗେ ସଙ୍ଗେ ପୋଲିସ ଆସିଲେ । ବହୁ ଲୋକ ଜମା ହୋଇଗଲେ ।

 

ସଂଜ୍ଞାହୀନ ରମଶଙ୍କର ବାବୁଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଗଲା । ସେଠି ଦେଖାଗଲା–ଆଘାତ ସେମିତି କିଛି ଗୁରୁତର ନୁହେଁ । କିଛି ସମୟ ଚିକିତ୍ସା ଓ ଶୁଶ୍ରୁଷା ପରେ ତାଙ୍କର ପୁଣି ଚେତା ଫେରିଆସିଲା ।

 

ତାଙ୍କ ଚାରିପଟେ ତାଙ୍କର ବହୁ ପରିଚିତ ବ୍ୟକ୍ତି ଜମିଗଲେ । ଡାକ୍ତର, ପୋଲିସ, ନର୍ସ ଓ ସହକର୍ମୀ ବନ୍ଧୁଗଣ । ସେମାନେ ନାନା କଥା ପଚାରି ଲାଗିଲେ ।

 

ଆପଣ କ’ଣ ସେ ଝିଅଟିକୁ ଆଗରୁ ଜାଣିଥିଲେ ରମଶଙ୍କର ବାବୁ ? ଆଚ୍ଛା–ଆପଣଙ୍କୁ କିଏ ପ୍ରଥମେ ମାଡ଼ ହେଲା ? ଆପଣ ସେ ଲୋକଟାକୁ ଚିହ୍ନାଇ ଦେଇପାରିବେ ?

 

ସେ ଝିଅଟି ନିଶ୍ଚୟ ଆଗରୁ ଆପଣଙ୍କୁ ଗୋଲାପ ଫୁଲଟିଏ ମାଗିଥିଲା, ନାଇଁ ରାମ ବାବୁ ?

 

...ସେ ବସ୍ତିବାଲାଙ୍କ ସଙ୍ଗେ ଆପଣଙ୍କର ଆଗରୁ ପଡ଼ୁ ନ ଥିଲା କି ? ଆପଣ ସେମାନଙ୍କର କାଳୀ ଆଉ ମାହଧବ୍ ଯାତ୍ରା ଲାଗି ଚାନ୍ଦା ଦେଇ ନ ଥିଲେ କି ?

 

...ଆଚ୍ଛା, ସେ ସାଇର କୌଣସି ଦୃଷ୍ଟ କଲେଜ ଛାତ୍ରକୁ ଆପଣ କ୍ଳାସରେ ଜବତ୍ କରିଥିଲେ କି ?

 

...ଆମେ ଯାହା ଭାବୁଛୁ ରାମଶଙ୍କର ବାବୁ, ଆପଣ ସେ ଝିଅଟିକୁ ବଳେ ବଳେ ଫୁଲ ଯାଚି ନାହାନ୍ତି–ସେ ନିଶ୍ଚୟ ଆଗରୁ ଆପଣଙ୍କୁ...ମାନେ–ଅର୍ଥାତ୍–

 

ରାମଶଙ୍କର ବାବୁ କେବଳ ଗମ୍ଭୀର ଭାବେ ଚାହିଁରହିଲେ । ତାଙ୍କର ଆକ୍ଷି ଦୁଇଟା ଖୁବ୍ ଲାଲ ଦିଶୁଥିଲା । ସେ କେବଳ ନୀରବ ହୋଇ ବସି ରହିଲେ ।

 

ମିଷ୍ଟର ଗ୍ଳାସେ ଖଣ୍ଡେ ଗରମ ଦୁଧ ଆଣି ଦେଇଗଲେ । ସେତକ ସେ ସୁନା ପିଲାଙ୍କ ପରି ପିଇଦେଇ ପୁଣି ଗମ୍ଭୀର ଭାବେ ତକିଆକୁ ଆଉଜି ବସିଲେ । କାହା କଥାର କିଛି ଜବାବ ଦେଲେ ନାହିଁ ।

 

ଏଣେ ଡାକ୍ତରଖାନାରେ ଲୋକଗହଳି ଖୁବ୍ ବଢ଼ିଗଲା । ସମସ୍ତେ ରାମଶଙ୍କର ବାବୁଙ୍କ ବନ୍ଧୁ କିମ୍ଵା ପରିଚିତ କିମ୍ଵା ଶୁଭାକାଂକ୍ଷୀ । ବସ୍ତିବାଲା ବି ବହୁତ ଜମିଗଲେ ମଜା ଦେଖିବା ଲାଗି । ସମସ୍ତେ ତାଙ୍କୁ ଘେରିଯାଇ ନାନାଦି ପ୍ରଶ୍ନ ଓ ସହାନୁଭୂତିପୂର୍ଣ୍ଣ ବାକ୍ୟ ବୟାନ କରିବାକୁ ଲାଗିଲେ ।

 

ବହୁ ସମୟ ବିତିଗଲା । ଶେଷରେ ରାମଶଙ୍କର ବାବୁ ପଦଟିଏ କଥା କହିଲେ–ଆଚ୍ଛା ଡକ୍ଟର ! ଦୟାକରି ବର୍ତ୍ତମାନ ମୋତେ ଘରକୁ ପଠାଇଦେବେ କି ?

 

ଅବଶ୍ୟ ଏତେ ଶୀଘ୍ର ତାଙ୍କୁ ଘରକୁ ଛାଡ଼ିଦେଲେ ଆଉ ବିଶେଷ କିଛି କ୍ଷତି ହେବ ନାହିଁ–ଆଘାତ ବି ସେମିତି କିଛି ଗୁରୁତର ନୁହେଁ–କେବଳ ଖୁବ୍ ଉତ୍ତେଜନାଜନିତ ଗୋଟିଏ ସକ୍ । ଡାକ୍ତର ଇତସ୍ତତଃ ହୋଇ ଚାରିଆଡ଼କୁ ଚାହୁଁଛନ୍ତି–ହଠାତ୍ ଜନଗହଳି ଭେଦକରି ଖୁବ୍ କ୍ଷିପ୍ର ଗତିରେ ଜଣେ ଭଦ୍ରମହିଳା ପଶିଆସିଲେ ।

ସମସ୍ତେ ବୁଝିଗଲେ–ଆଗନ୍ତୁକା ହେଉଛନ୍ତି ରାମଶଙ୍କର ବାବୁଙ୍କର ସହଧର୍ମିଣୀ ସୁନୀତି ଦେବୀ ।

ବହୁ ଲୋକଙ୍କୁ ସେଠାରୁ ବାହାର କରି ଦିଆଗଲା । ଅନ୍ୟମାନେ ଉତ୍ସୁକ ହୋଇ ନୀରବ ରହିଗଲେ ।

ସୁନୀତି ଦେବୀ ସ୍ୱାମୀଙ୍କୁ ଦେଖି ପ୍ରଥମେ ତାଙ୍କ ଦେହ ଓ ମୁଣ୍ଡରେ ହାତ ବୁଲାଇ ଆଣିଲେ । ତା’ପରେ ନୀରବରେ ସ୍ଵାମୀଙ୍କ ମୁଣ୍ଡରେ ହାତ ବୁଲାଇ ତାଙ୍କ ମୁହଁକୁ ସିଧା ଚାହିଁ ବସିରହିଲେ । ରାମଶଙ୍କର ବାବୁ କିନ୍ତୁ ସେହିପରି ଧ୍ୟାନସ୍ଥ ଓ ଗମ୍ଭୀର ହୋଇ ବସି ରହିଥାଆନ୍ତି । ତାଙ୍କ ମୁହଁରେ କେବଳ କ୍ଳାନ୍ତି ବ୍ୟତୀତ ଆଉ କୌଣସି ପ୍ରତିକ୍ରିୟା ଦେଖାଯାଉ ନ ଥାଏ ।

ଏ ପରିସ୍ଥିତିରେ ବନ୍ଧୁ ଓ ଶୁଭାକାଂକ୍ଷୀମାନେ ସେ ଘରୁ ବାହାରି ଯାଇ ବାରଣ୍ଡାରେ ଜମା ହେଲେ ଓ ସେମାନଙ୍କ ମଧ୍ୟରେ ପୁଣି କୋଳାହଳ ଓ ଗୁଞ୍ଜନ ବଢ଼ିଚାଲିଲା । ପୁଣି ଥରେ ଏଇ ଶୋଚନୀୟ ଘଟଣା ସମ୍ବନ୍ଧେ ନାନାଦି ପ୍ରକାର ଆଳାପ, ପ୍ରଶ୍ନ ଓ ସହାନୁଭୂତିପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇଗଲା ।

ସୁନୀତି ଦେବୀ ସ୍ଵାମୀଙ୍କ ଦେହରେ ସେହିଭଳି ଗମ୍ଭୀର ଭାବେ ଧୀରେ ଧୀରେ ହାତ ବୁଲାଉଥାନ୍ତି ।

ରାମଶଙ୍କର ବାବୁ ମଧ୍ୟ ସେହିଭଳି ଧୀର ଗମ୍ଭୀର ଭାବେ ଶୂନ୍ୟକୁ ଚାହିଁଲା ଭଳି ଆଉଜି କରି ବସିଥାନ୍ତି ।

କିଛି ସମୟ କଟିଗଲା । ରାମଶଙ୍କର ବାବୁ ପୁଣି ପାଟିଖୋଲିଲେ–

ଡକ୍ଟର କାହାନ୍ତି ?

ଡକ୍ଟର ଆସିଲେ ।

ଡକ୍ଟର, ମୁଁ ସମ୍ପୂର୍ଣ୍ଣ ସୁସ୍ଥବୋଧ କରୁଛି । ଏଥର ମୋତେ ଘରକୁ ଯିବାକୁ ଅନୁମତି ଦିଅନ୍ତୁ-

ସୁନୀତି ଦେବୀ ମଧ୍ୟ ଡାକ୍ତରଙ୍କୁ କହିଲେ–

ମୁଁ ତାଙ୍କୁ ଘରକୁ ନେଇଯାଉଛି ।

ଡକ୍ଟର ଦେଖିଲେ, ତାଙ୍କର ଘରକୁ ଯିବାରେ ଆଉ କିଛି ଅସୁବିଧା ନାହିଁ ।

ବାଟଯାକ ରିକ୍‍ସା ମଧ୍ୟରେ ସ୍ୱାମୀ ସ୍ତ୍ରୀ କେହି କାହାକୁ କିଛି କହୁ ନାହାନ୍ତି । ଘରକୁ ଆସି ସୁନୀତି ଦେବୀ ବିଛଣା କରିଦେଲେ । ରାମଶଙ୍କର ବାବୁ କହିଲେ, ମୁଁ ଟିକିଏ ଛାତ ଉପରେ ବସିବି-। କେହି ମୋ ପାଖକୁ ବର୍ତ୍ତମାନ ଆସ ନାହିଁ । ଛାତ ଉପରେ ଆରାମଚୌକି ପକାଇ ସୁନୀତି ଦେବୀ ସ୍ଵାମୀଙ୍କୁ ସେଠାରେ ବସାଇଦେଲେ । ଛାତ ଉପରେ ସୁନ୍ଦର ଜହ୍ନ ପଡ଼ିଛି । ଥଣ୍ଡା ବି ଲାଗୁଛି ବେଶ୍-

 

ଏକ ଗ୍ଲାସ ଗରମ ଦୁଧରେ କିଛି ଓ ଓଭାଲଟିନ୍ ମିଶାଇ ସୁନୀତି ଦେବୀ ସ୍ଵାମୀଙ୍କ ମୁହଁ ପାଖେ ଧରି କହିଲେ–

 

ନିଅ–ପିଇଦିଅ ।

 

ରାମଶଙ୍କର ବାବୁ ନୀରବରେ ସେତକ ପିଇଦେଲେ । ତା’ପରେ କିଛି ସମୟ ନୀରବତା-। ପିଲାମାନଙ୍କୁ ସୁନୀତି ଦେବୀ ମନା କରିଦେଇଥିଲେ–କେହି ଯେମିତି ଛାତ ଉପରକୁ ଆସି ବାପାଙ୍କୁ ବିରକ୍ତ ନ କରନ୍ତି । ସେମାନେ ସମସ୍ତେ ତଳେ ଥିଲେ ।

 

ସୁନ୍ଦର ଜହ୍ନ ପଡ଼ିଛି । ସୁନୀତି ଦେବୀ ସ୍ଵାମୀଙ୍କର ଖୁବ୍ ପାଖକୁ ଲାଗିଆସି ଚଉକିର ହାତ ଉପରେ ବସିପଡ଼ିଲେ । ଆଜିର ଏଇ ଅସମ୍ଭବ ଘଟଣାରେ ତାଙ୍କ ମନରେ କେତେ ଯେ ପ୍ରତିକ୍ରିୟା, ତା’ର ସୀମା ନାହିଁ । ତେବେ ଏତିକି ସାନ୍ତ୍ଵନା ଯେ ଏଇ ଧୀରସ୍ଥିର ଗମ୍ଭୀର ଲୋକଟି ପୁଣି ଫେରିଆସିଛି ସୁନା ପିଲାଟି ପରି ଘରକୁ । ସୁନୀତି ଦେବୀ ମନେ ମନେ ଭାବୁଥିଲେ–

 

ୟାଙ୍କର ପ୍ରକୃତରେ କିଛି ଦୋଷ ନାହିଁ । ଏତେଦିନ ହେଲାଣି ସେ ଘର ସଂସାର କଲେଣି–କୋଉ ଦିନ କାହା ମୁହଁକୁ ବି ସେ ଚାହିଁ ନାହାନ୍ତି । ଘରେ ତ ପିଲାମାନେ ସିନେମା ଷ୍ଟାରଙ୍କ ଫଟୋଟିଏ ଯଦି ଆଣି ଟାଙ୍ଗିବେ, ତା’ ହେଲେ ସାଙ୍ଗେ ସାଙ୍ଗେ ସେ ତାକୁ ବିରକ୍ତରେ ଛିଣ୍ଡାଇ ଦେଇ ଖତଗଦାରେ ଫୋପାଡ଼ିଦେବେ ।

 

ଆଜି ଏମିତି ସତେ କ’ଣ ହେଲା ଯେ–

 

କିଛି ନାହିଁ–ହବ କଅଣ ?

 

ୟାଙ୍କର ପ୍ରକୃତରେ କିଛି ଦୋଷ ନାହିଁ । ଆଜିକାଲି ଏ ଟୋକୀ ପଞ୍ଝାକ ଯାହା ହେଉଚନ୍ତି ନା ! ୟାଙ୍କୁ କ’ଣ ଜଣାଅଛି ଯେ ଏଗୁଡ଼ାକ ମୁଣ୍ଡରେ କେତେ ଟାସେଲ୍ ଆଉ ନକଲି ବାଳ ଗୁଡ଼େଇ ଫୁଲେଇ ଖୋସା ଖୋସିଥାଆନ୍ତି ?

 

ଫୁଲେଇ ଛତରଖାଇଏ ଭଲ ମଣିଷଙ୍କୁ ବି ଭାଣ୍ଡିଆ କରିଦେବେ ।

 

ରାମଶଙ୍କର ବାବୁ ସେହିଭଳି ଧୀର ଗମ୍ଭୀର ଭାବେ ବସିଥାଆନ୍ତି । ସୁନ୍ଦର ଜହ୍ନ ପଡ଼ିଛି । ବାୟୁମଣ୍ଡଳ ଥଣ୍ଡା ହୋଇ ଆସିଲାଣି ।

 

ସ୍ୱାମୀଙ୍କ ମୁହଁକୁ ଚାହିଁ ହଠାତ୍ ସୁନୀତି ଦେବୀଙ୍କର ହୃଦୟ ବିହ୍ୱଳ ହୋଇଉଠିଲା ।

 

କେଡ଼େ ଶାନ୍ତଶିଷ୍ଟ ନିରୀହ ମଣିଷଟିଏ ଭଲା !

 

ଏମିତି ମଣିଷଟିଏ ଭଲା ଏଠି କିଏ ପାଇଛି ?

 

ଫୁଲଟିଏ ଯାଚିଦେଲେ ବୋଲି ଏମିତି କଅଣ ଦୋଷ ହୋଇଗଲା ? ? ତୋର ଶିକ୍ଷକ ତ ! ବାପ ସମାନ !

 

ତୋତେ ଏତେ ଅପମାନ ହୋଇଗଲା–ଆଉ ଏମିତି ନକଲି ବାଳ ଲଗାଇ ଫୁଲେଇ ହୋଇ ଖୋସା ପାରି ବଜାରରେ ବୁଲୁଥିଲୁ କାହିଁକି ?

 

ଏତିକି କଥାରେ ଏ ଲୋକେ ପୁଣି କହିବେ–ଚରିତ୍ର ନଷ୍ଟ ହୋଇଗଲା । ଆରେ ଦେଖିଛି କେତେ ଚରିତ୍ର !!!

 

ସଜ ମାଛରେ ପୋକ ପକାଇଦେବେ ସେମାନେ ।

 

ରାମଶଙ୍କର ବାବୁ ସେହିଭଳି ଗମ୍ଭୀର ହୋଇ ବସିଥାନ୍ତି । ସୁନୀତି ଦେବୀ ସ୍ଵାମୀଙ୍କ ଆଡ଼କୁ ପୁଣି ଥରେ ଚାହିଁଲେ। ଜହ୍ନ ଆଲୁଅରେ ମୁହଁଟି ତାଙ୍କର ଆହୁରି କଅଁଳ....ଆହୁରି ପିଲାଳିଆ ଦିଶୁଛି । ଠିକ୍ ତାଙ୍କର ବଡ଼ପୁଅଟିର ମୁହଁ ଭଳି ।

 

ଭୁଲ କାମଟିଏ କରିଦେଇ ଧରା ପଡ଼ିଗଲେ ବଡ଼ ପୁଅ ଟୁପୁ ଠିକ୍ ଏମିତି ଦୋଷୀ ଭଳି ମଉନ ହୋଇ ବସିଯିବ । “ଉଁ” ନାହିଁ କି “ଚୁଁ” ନାହିଁ ।

 

ଅବିକଳ ବାପ ଭଳିଆ । ପୁଅ ବି ଅବିକଳ ଏଇ ବାପ ଭଳିଆ ।

 

ସୁନୀତି ଦେବୀଙ୍କ ଛାତି ଭିତରେ ସ୍ୱାମୀଙ୍କ ପ୍ରତି ବାତ୍ସଲ୍ୟ ମମତା ଜାଗିଉଠିଲା ।

 

ସତେ କି ଶାନ୍ତଶିଷ୍ଟ ପୁଅଟି ! ଦୁଷ୍ଟ ପିଲାଙ୍କ ସାଙ୍ଗରେ ପଡ଼ି ଭୁଲ କାମଟିଏ କରି ପକାଇଥିଲା । ସେ ଯୋଗୁ ବହୁତ ଭୋଗିସାରି ପୁଣି ମାଆ କୋଳକୁ ଧୀର ଶାନ୍ତ ଭାବେ ଫେରିଆସିଛି !

 

ଆରାମଚୌକୀର ବାଡ଼ ଉପରୁ ସ୍ୱାମୀଙ୍କ ଆଡ଼କୁ ପ୍ରାୟ ଆଉଜିପଡ଼ି ତାଙ୍କର ମୁଣ୍ଡକୁ କୋଳ ଆଡ଼କୁ ଟାଣିଆଣି ସେ ବେଶ୍ ବାତ୍ସଲ୍ୟ ମମତା ବିହ୍ୱଳ କଣ୍ଠରେ କହିଲେ–

 

କିପରି ଲାଗୁଛି ? ଭଲ ଲାଗୁଛି ନା ?

 

ହଁ, ଖୁବ୍ ଭଲ ଲାଗୁଛି । ବିଶେଷ କିଛି ତ ହୋଇନାହିଁ ।

 

ସୁନୀତି ଦେବୀ ସ୍ୱାମୀଙ୍କୁ ପ୍ରାୟ ଆଲିଙ୍ଗନ କଲା ଭଳି ଧରି ଭାରି ନରମ ଗଳାରେ ଗେହ୍ଲେଇ ହୋଇ କହିଲେ–

 

ମୁଁ ଗୋଟେ ଜିନିଷ ମାଗିବି ଦେବ ନା ?

 

କଅଣ ?

 

କୁହ ଆଗ “ହଁ”–ସତ୍ୟ କର ।

 

କ’ଣ ? କଥା କ’ଣ କହ ।

 

ଏଥର ମୋ ପାଇଁ ସବୁଦିନ ବଜାରରୁ ଚାରି ପଇସାର ଫୁଲ ଆଣିବ କିଣିକରି । ମୁଁ ପିନ୍ଧିବି ମୁଣ୍ତରେ । ଆଉ କେଇଟା ଦିନ ମୁଣ୍ଡରେ ଏଇ ବାଳ କେରାକ ରହିବ ଯେ !

 

ରାମଶଙ୍କର ବାବୁ ସ୍ତ୍ରୀଙ୍କ ଆଡ଼କୁ ଚାହିଁଲେ । ଏଇ ସୁନ୍ଦର ଜହ୍ନର କଅଁଳ ଆଲୁଅରେ ସୁନୀତି କେତେ କଅଁଳ ଦିଶୁଛି ! ସତେ ଯେମିତି ତାଙ୍କର ବୋକୀ ଆଉ ଗେହ୍ଲୀ ଝିଅଟି ! ସେ ଠିକ୍ ଏମିତି ଅଝଟ ସୁର୍ ରେ ଆବଦାର୍‍ କରେ ଗେହ୍ଲେଇ ହୋଇ–

 

ବାପା ! ମହାନ୍ତି ବାବୁଙ୍କ ଝିଅ ପ୍ରତିମା ଯେମିତି ଗୋଟାଏ ନାଲି ରିବନ୍ ପିନ୍ଧିଛି, ମୋ ପାଇଁ ସେମିତି ଗୋଟାଏ ରିବନ୍ ଆଣିବ । ମୁଁ ବେଣୀ ବାନ୍ଧିବି ।

 

ତୁ କୋଉଠି ରିବନ୍ ଦେଇ ବେଣୀ ବାନ୍ଧିବୁ ଲୋ ବୋକୀ ଝିଅ ! ତୋ ମୁଣ୍ଡରେ ବାଳ କାଇଁ ?

 

ତାଙ୍କର ଜାମା ବୋତାମକୁ ଫିଟାଉ ଫିଟାଉ ସେ ଆହୁରି ଅଝଟ ହୋଇ କହେ ଦୃଢ଼ ଭାବରେ–

 

ହଁ ଅଁ–ମୁଁ ପିନ୍ଧିବି !

 

ସୁନୀତିର କଣ୍ଠ ଠିକ୍ ସେମିତି ଶୁଭୁଛି । ଅବିକଳ ସେଇମିତି ଅଝଟ ଆବଦାର୍ ର ସୁର ।

 

ସୁନୀତି ଦେବୀ ପୁଣି ଥରେ ସ୍ଵାମୀଙ୍କ ଉପରେ ଆଉଜିଯାଇ ଗେହ୍ଲେଇ ହୋଇ ଅନୁନାସିକ ସ୍ୱରରେ ଲମ୍ୱେଇ କରି କହିଲେ–

 

କଅଣ କହୁଛ, ଆଣିବ ନା ନାଇଁ ? ଏଥର ସବୁଦିନେ ଚାରିପଇସାର ଫୁଲ ମୋ ପାଇଁ ନ ଆଣିଲେ ମୁଁ କଥା କହିବି ନାହିଁ ଜାଣିଥା ।

 

ରାମଶଙ୍କର ବାବୁ ମଧ୍ୟ ବାତ୍ସଲ୍ୟବିହ୍ୱଳତାରେ ହସିଉଠିଲେ । ଆଉ ସ୍ତ୍ରୀଙ୍କର ଦୁଇ ଗାଲ ଦୁଇ ହାତରେ ଦୁଇ ପଟକୁ ଟାଣିକରି ଲମ୍ୱେଇ ଦେଇ କହିଲେ–

 

ଫୁଲ କେଉଁଠି ପିନ୍ଧିବୁ ଲୋ ବୋକୀ ଝିଅ !

 

ସୁନୀତି ଦେବୀ ସେହିପରି ସ୍ୱାମୀଙ୍କ ଛାତିରେ ଆଉଜିରହି ଅନୁନାସିକ କଣ୍ଠରେ କାନ୍ଦ କାନ୍ଦ ହୋଇ ଜିଦ୍ କରି କହିଲେ–

 

ହଁଅଁ–ମୁଁ ପିଁ ନ୍ଧିଁ ବିଁ ।

 

ତା’ପରେ ତାଙ୍କର କାନକୁ ମୋଡ଼ି ରାମଶଙ୍କର ବାବୁ ହସି ହସି କହିଲେ–ଦୁତ୍–ବୋକୀ ଝିଅଟା !!

☆☆☆

 

Unknown

ଅନ୍ୟରୂପ-ରୂପାନ୍ତର

 

ନାଃ–ସେ ସବୁ ସକାଳମାନ ଆଉ ମିଳିବ ନାହିଁ । ସେହିସବୁ ‘ମଙ୍ଗଳେ ଅଇଲା ଉଷା’ ମାନେ–ସେହିସବୁ ‘ବିକଚ–ରାଜୀବଦୃଶା’ ଉଷାମାନେ–ସେହିସବୁ ଅରୁଣ କଷାୟବାସ ପରିହିତା, କୁସୁମକାନ୍ତି ସମୁଜ୍ଜଳା, ପୁତ ସୌରଭ ବିଚ୍ଛୁରିତା, ଆଶା, ବିଶ୍ୱାସ ଓ ପ୍ରେମପ୍ରଦାୟିନୀ ଯୋଗେଶ୍ଵରୀ ଉଷାମାନଙ୍କ ସଙ୍ଗେ ଆଉ ଏ ଜୀବନରେ ଦେଖା ନ ହୋଇ ବି ପାରେ । ସେହିସବୁ କୋଇଲି, କଜଳପାତି, ହଳଦୀବସନ୍ତ, ବୁଲ୍‍ବୁଲ୍ ଓ କୁମ୍ଭାଟୁଆମାନଙ୍କ କଳକାକଳିରେ ଗୀତିମୁଖର ଉଷାମାନଙ୍କର ପଦଧ୍ଵନୀ ଆଉ ଏ ପୀଡ଼ିତ କର୍ଣ୍ଣକୁହରକୁ ନିନ୍ଦିତ କରିବ ନାହିଁ । ସେହିସବୁ ପ୍ରାଣପ୍ରଦାୟିନୀ ଉଷାମାନେ ଆଜି ଚିରଦିନ ଲାଗି ଅନ୍ତର୍ହିତା ।

 

ଏହିଭଳି ଏକ ଶୋଚନାଗ୍ରସ୍ତ ହୃଦୟରେ ଡ: ଗୋକୁଳାନନ୍ଦ ପୂଜାରୀ ସେଦିନ ପ୍ରାତଃ ଭ୍ରମଣରେ ଚାଲିଥିଲେ । ଶାରଦୀୟ ପ୍ରଭାତର ସୂର୍ଯ୍ୟ ତଥାପି ଉଦିତ ହୋଇ ନ ଥାନ୍ତି । ମାତ୍ର ଆଉ ବେଶୀକ୍ଷଣ ନାହିଁ । ସବୁଦିନ ଭଳି ନଦୀର ଆଗ ପୋଲଟା ପାଖେ ପହଞ୍ଚିଲାବେଳକୁ ତାଙ୍କ ଉପରେ ବାଳସୂର୍ଯ୍ୟଙ୍କର ପହିଲି କିରଣ ବର୍ଷିତ ହେବ । ମାତ୍ର ଡକ୍ଟର ଗୋକୁଳାନନ୍ଦଙ୍କର ମନ ପ୍ରତିଦିନର ସକାଳ ଭଳି ଆଜି ମଧ୍ୟ ଖୁବ୍ ବିଷେଇ ଉଠୁଥିଲା ।

 

ଛି–ଛି–ଛି । ଏକାଳର ଏହିସବୁ ଉତ୍ପୀଡ଼ିତ ବୀଭତ୍ସ ସକାଳମାନ–ଯେତେବେଳେ ଅନ୍ତରାତ୍ମା ଚିତ୍କାର କରିଉଠେ–‘ଏଇ ଶରତର ସକାଳ ଉଖାରି ଦେଲି । ସୂର୍ଯ୍ୟ ବୁକୁରେ ପାଉଁଶ ହୋଇଛି ଜମା’– I ଏହିସବୁ ଶ୍ଵାସରୋଧକାରୀ ଅଙ୍ଗାରକାମ୍ଳାଚ୍ଛନ୍ନ ସକାଳମାନ–ବ୍ୟସ୍ତ ବିବ୍ରତ ଅନେକ–ସଂଶୟରୁଦ୍ଧ ନିରାପତ୍ତାହୀନ ସକାଳମାନ–ଯେତେବେଳେ କେନାଲ ପାଣିରେ ଭାସିଉଠେ ପଚା ଶିଶୁର ମାଛଖୁଁପା ଶେଥା ଗଳିତ ଶବଟାଏ–ଏଠି ସେଠି ମଲା ମୂଷା ଓ ଚେପେଟା ଭାବେ ଚାରିକାତ ମେଲାଇ ମରିପଡ଼ିଥିବା ବେଙ୍ଗ–ପୁଣି ଗାଡ଼ିତଳେ ଚାପାପଡ଼ି ଅନ୍ତବୁଜୁଳା ବାହାରି ପଡ଼ିଥିବା ସେହିସବୁ ଜିଭକାମୁଡ଼ି ମରି ପଡ଼ିଥିବା ଅର୍କ୍ଷିତ କୁକୁରଗୁଡ଼ିଏ–ପୁଣି ସକାଳର ସେହିସବୁ ବିସମ୍ବାଦବହନକାରୀ ଖବରକାଗଜଗୁଡ଼ାକ ଯେଉଁମାନେ ପ୍ରତିଟି ସକାଳରେ ପ୍ରଚାର କରନ୍ତି ମନୁଷ୍ୟକୃତ ଯାବତୀୟ ଅକୀର୍ତ୍ତିକର ଘଟଣାସବୁ–କେଉଁ ନରାଧମ ପୁତୁରାର କଟୁରୀ ଚୋଟରେ କେଉଁ ହତଭାଗ୍ୟ କକାର ପ୍ରାଣଗଲା–କେଉଁ ଶାଶୁର ତଣ୍ଟିଚିପି କେଉଁ ବୋହୂ ମାରିଦେଲା–କେଉଁଠି ଦୁର୍ବୃତ ଯୁବକମାନଙ୍କର ପାଶବିକ ଅତ୍ୟାଚାର ଫଳରେ ଗର୍ଭବତୀ ନାରୀଟିର ଶୋଚନୀୟ ମୃତ୍ୟୁ କେଉଁ ମନ୍ଦିର ଭିତରୁ ପନ୍ଦର କେଜି ଓଜନର ପିତଳ ଦୁର୍ଗା ମୂର୍ତ୍ତି ଚୋରୀ–କିମ୍ଵା ସେହିସବୁ ଜୁଆଚୋର ଟାଉଟର ପଟ୍‍କାର ରାଜନୀତିବାଲାଙ୍କର ଘନଘନ ଦଳବଦଳ ଓ ମାତ୍ର ମାସକର ଗୋଟିଏ ଶିଶୁ-ସରକାରର ପତନ, ମୂର୍ଚ୍ଛା ଓ ମୃତ୍ୟୁର ବିସମ୍ବାଦମାନ ।

 

ଇସ୍ । ଡା: ଗୋକୁଳାନନ୍ଦଙ୍କୁ ସକାଳର ବାୟୁ ମଧ୍ୟ ପ୍ରଶ୍ୱାସରେ ଶୋଷଣ କରିବାକୁ କଷ୍ଟକର ବୋଧ ହେଲା । ନାଃ–ଏମାନେ ସମସ୍ତେ ସୁନ୍ଦର, ସତେଜ, ପ୍ରାଣଦାୟିନୀ ସେହିସବୁ ପ୍ରାଚୀନ ସକାଳମାନଙ୍କର ହନ୍ତକାର । ଏମାନେ ସମସ୍ତେ ସେହି ପବିତ୍ରଦେହା କଲ୍ୟାଣୀ ଉଷାମାନଙ୍କର ସତୀତ୍ଵ ଅପହରଣକାରୀ !

 

ଆହା ! କେଡ଼େ ସୁନ୍ଦର ଥିଲା ସେହିସବୁ ସକାଳ । ଠିକ୍ ପାହାନ୍ତା ସାଢ଼େ ଚାରିଟାରେ ଉଠିପଡ଼ନ୍ତି ଡା: ଗୋକୁଳାନନ୍ଦ । ଷ୍ଟୋଭ୍ ଲଗାଇ କଫି କରନ୍ତି । ପିଲାମାନେ ଓ ପତ୍ନୀ ଶୋଇଥାନ୍ତି ଗହନ ନିଦରେ । କଫି ଖାଇସାରି ନିତ୍ୟକର୍ମ ସାରି ସେ କିଛି ସମୟ ବିଷ୍ଣୁ ସହସ୍ର ନାମ, ଶିବ ଓ ଦୁର୍ଗା ସ୍ତୁତି ଭଜନ କରନ୍ତି । ତା’ପରେ ସାଢ଼େ ପାଞ୍ଚଟା ବାଜିଲା ମାତ୍ରେ ସେ ବାଡ଼ିଟି ହାତରେ ଧରି ପ୍ରାତଃଭ୍ରମଣରେ ବାହାରି ପଡ଼ନ୍ତି । ବାହାରକୁ ଯିବା ପୂର୍ବରୁ ସେ ପ୍ରଥମେ କିଛି ସମୟ ଆପଣ ବଗିଚା ଭିତରେ ବୁଲନ୍ତି । ନିଜ ହାତରେ ଲଗାଇଥିବା ଗଛମାନଙ୍କୁ ସ୍ପର୍ଶ କରନ୍ତି । ସେମାନଙ୍କ ଡାଳପତ୍ରକୁ ସାଉଁଳନ୍ତି ଓ ଚାଟୁବାଣୀରେ ଗେଲ କରନ୍ତି । ଆଗୋ ମୁଚକୁନ୍ଦ ! ଗୋଲାପବଧୂଗୋ ! ଆଗୋ ହେନାରାଣୀ ! ଚମ୍ପକଲତା ଆଗୋ ! ସୁକର୍ତ୍ତିତ ଗମ୍ବୁଜାକୃତି କାମିନୀଗଛ ଓ କ୍ରୋଟେନ୍ ଗଛଗୁଡ଼ିକୁ ଆଲିଙ୍ଗନ କରିସାରି ସେ ଯାନ୍ତି ତାଙ୍କର ସବୁଠାରୁ ଆଦରର ଫୁଲଗଛଟି ପର୍ଯ୍ୟାପ୍ତ–ପୁଷ୍ପ–ସ୍ତବକବିନମ୍ରା ରକ୍ତକରବୀ ପାଖକୁ । ଗୋକୁଳାନନ୍ଦ ସମସ୍ତଙ୍କୁ କହିଛନ୍ତି ଯେ ସେ ଏହି ସୁନ୍ଦରୀ ରକ୍ତକରବୀର ଗଛକୁ ବିବାହ କରି ନ ଥିଲେ ବି ସେ ତାଙ୍କର ପରକୀୟାବଧୂ ସୋହାଗିନୀପ୍ରିୟା । ତା’ ସଙ୍ଗେ ତାଙ୍କର ପ୍ରୀତି ଗୋପନୀୟ ଓ ଯୁଗଯୁଗାନ୍ତରର । ସତକୁସତ ଗୋକୁଳାନନ୍ଦ କରବୀ ଲତାଟିକୁ ମୁଗ୍‍ଧ ପ୍ରଣୟସିକ୍ତ ଦୃଷ୍ଟିରେ କିଛି ସମୟ ଚାହିଁ ରହନ୍ତି ଓ କେତେବେଳେ କୋଉ ଛଟକରେ ତାକୁ ଚୁମ୍ବନଟିଏ ଦେଇ ସେ ଫାଟକ ଫଟାଇ ଘରୁ ବାହାରିଯାନ୍ତି । ସେତେବେଳେ ବଗିଚାକୁ ବିଭିନ୍ନ ଋତୁରେ ବହୁ ଚଢ଼େଇ ମଧ୍ୟ ଆସୁଥିଲେ । ଗେଡ଼ ନଡ଼ିଆ ଗଛମାନଙ୍କରେ ବାଇଚଢ଼େଇମାନେ ବସା ଓହଳାଇ କିଚିରିମିଚିରି ହେଉଥିବେ । କନିଅର, ଖିରୀକୋଳି, ଗୋଲାପଜାମୁ, ଓ ଫସାକୋଳି ଗଛମାନଙ୍କ ଉପରେ ବସି କୂଜନ କରୁଥିବେ କେତେ ବୁଲ୍‍ବୁଲ୍, ଶୁଆ, ଶାରୀ, ହଳଦୀବସନ୍ତ ଓ ଭଦଭଦଳିଆ । ସବୁ ଫୁଲ ଗଛର ସନ୍ଧିରେ ପଶି ଫୁଲମାନଙ୍କରୁ ମହୁ ଶୋଷି ଉନ୍ମତ୍ତ ହୋଇ ଚିଲାଉଥିବେ ଫୁଲଚୁଇଁମାନେ । କଲମୀ ଆମ୍ବଗଛ ସନ୍ଧି ଡାଳରେ ବସି ବୋବାଇ ଲାଗିଥିବେ କୋଇଲିମାନେ, ଭୋର ଚାରିଟାବେଳୁ କାହାକୁ ଖତେଇ ହେବା ଭଳି ଢଙ୍ଗରେ ।

 

ଭଲ ଥିଲା–ଭାରି ଭଲ ଥିଲା ସେହିସବୁ ସକାଳମାନ । କିନ୍ତୁ କ’ଣ ଏପରି ହେଲା ଆଜିକାଲି ? ଆଜିର ଏହି ସକାଳରେ ସେହି ସତେଜ ଶୀତଳତା କୁଆଡ଼େ ଗଲା ? ସେହି ଉତ୍ସାହଦାୟିନୀ ପ୍ରାଣ ପ୍ରାଚୁର୍ଯ୍ୟ କୁଆଡ଼େ ଗଲା ? ନିଦରୁ ଉଠିଲା ମାତ୍ରେ ତାଙ୍କର ମନେ ହେଉଥିଲା ପ୍ରତିଟି ସକାଳ ସତେ କି ସୁବାସିତ ନୀଳବର୍ଣ୍ଣର ଲଫାପାରେ ଭର୍ତ୍ତି କେଉଁ କଳ୍ପଲୋକବାସିନୀ ଅଜଣା ମାନସୀଟିର ଖଣ୍ଡିଏ ରହସ୍ୟପୂର୍ଣ୍ଣ ପ୍ରେମପତ୍ର ! ସେ କେବଳ ସେହି ଖାମଟିକୁ ଖୋଲି ଚିଠିଟି ବାହାର କରି ଦିନଭରି ପଢ଼ି ଚାଲୁଥିଲେ । ପ୍ରକୃତରେ ବି ସେହିସବୁ ସକାଳ ଥିଲା ସେହିଭଳି ରୋମାଣ୍ଟିକ ଇଙ୍ଗିତରେ ଚମତ୍କାର । ମାତ୍ର ଏବେ ପ୍ରତିଟି ସକାଳ ସତେଜ ଫଉଜଦାରୀ କୋର୍ଟରୁ ଜାରି ହୋଇଥିବା ଗୋଟାଏ ଗୋଟାଏ ଓ୍ୟାରେଣ୍ଟ ! ରାତିର ବିଛଣା ଉପରୁ ଉଠି ସେ ଶୋଇବା ଘରର ଝରକା ଆରପଟେ ଯାହାକୁ ଦେଖନ୍ତି, ସେ ସତେକି ଗୋଟିଏ ଭୀଷଣ ସ୍ନାୟୁ ବିଦୀର୍ଣ୍ଣକାରୀ ଷଡ଼ଯନ୍ତ୍ରର ଗୁପ୍ତ ଖବର ଦେଇ ଚାଲିଯାଏ ।

 

ଇଃ–ଡା: ଗୋକୁଳାନନ୍ଦ ବାବୁ ଭାବିଲେ–ନାଃ ଆଉ ମିଳିବ ନାହିଁ–ମିଳିବ ନାହିଁ ସେହିସବୁ ସ୍ଵର୍ଗୀୟ ସକାଳମାନଙ୍କର ପ୍ରାଣବନ୍ତ ସ୍ପର୍ଶ ।

 

ସେ ଦିନ ସେ ବାଡ଼ିଟି ଧରି ହାଲୁକା ଚପଲ ହଳକ ପିନ୍ଧି ଘର ଭିତରୁ ପଦାକୁ ବାହାରିବା ମାତ୍ରେ ଏହିଭଳି ଏକ ତୀବ୍ର ଦୁଃସହ ପ୍ରତିକ୍ରିୟାରେ ଭାବିଲେ–ନାଃ ! ଆଉ ଏଣିକି ପ୍ରାତଃଭ୍ରମଣ ଅନାବଶ୍ୟକ । ଧୁଁଆ ଆଉ ଧୂଳି ଭେଦକରି ପ୍ରଭାତ ସୂର୍ଯ୍ୟଙ୍କର ଅଲଟ୍ରାଭାଇଓଲେଟ ରଶ୍ମୀ ବା ବିଶୁଦ୍ଧ ଅମ୍ଳଜାନ ଆଉ ସେ ଉପଭୋଗ କରିପାରିବେ ନାହିଁ ।

 

ବହୁଦିନ ଧରି ସେ ଏ ସହରଠାରୁ ଦୂରେଇଥିଲେ । କେବଳ ସ୍ଥାନଗତ ଦୁରତ୍ଵ ନୁହେଁ–ଗତ କେତେ ବର୍ଷ ଧରି ଏକ ବିଶେଷ ରାସାୟନିକ ଗବେଷଣା ସଂକ୍ରାନ୍ତରେ ସେ ନିଜ ଦେଶରୁ ଦୂରରେ ରହିଥିଲେ । ଏହି କେତୋଟି ବର୍ଷ ସେ କେବଳ ନିଜର ଗବେଷଣାର ତତ୍ତ୍ଵଟି ଉପରେ, ତାକୁ ପ୍ରତିଷ୍ଠିତ କରିବା ଲାଗି ତଥ୍ୟଗୁଡ଼ିକ ଉପରେ, ମନର ଅଭିନିବେଶ ରଖିଥିଲେ । କିଛି ଗୋଟାଏ ବଡ଼ କାର୍ଯ୍ୟକରି ଯିବାର ନିଶାରେ–ବଡ଼ ମଣିଷ ହେବାର ଉଚ୍ଚାଭିଳାଷରେ, ଯୁଗଯୁଗକୁ କୀର୍ତ୍ତି ରଖିଯିବାର ଅଭିପ୍ରାୟରେ ସେ ବିଜ୍ଞାନାଗାର ମଧ୍ୟରେ ଡୁବି ଯାଇଥିଲେ । ଇତିମଧ୍ୟରେ ବହୁ ନବୀନ ଗବେଷକମାନଙ୍କୁ ସେ ପଥ ପ୍ରଦର୍ଶନ କରିଛନ୍ତି । ବହୁ ଚାଞ୍ଚଲ୍ୟକର ନୂତନ ତତ୍ତ୍ଵମାନ ଆବିଷ୍କାର କରି ଦେଶ ବିଦେଶରେ ସ୍ଵନାମଧନ୍ୟ ହୋଇଛନ୍ତି । ସେ ମଧ୍ୟ ଭାବି ନ ଥିଲେ ଯେ–କର୍ମକ୍ଷେତ୍ରରୁ ଅବସର ନେଲାପରେ ମଧ୍ୟ ତାଙ୍କୁ ପୁଣି ପାଞ୍ଚବର୍ଷ କାଳ ଦୂର ଦେଶରେ ଏକ ରାସାୟନିକ ଗବେଷଣାଗାରରେ ଦିଗ୍‍ଦର୍ଶକ ଭାବେ କାର୍ଯ୍ୟ କରିବାକୁ ପଡ଼ିବ । ଆଜି ତାଙ୍କର ଛୁଟି-। ଚିରଦିନ ଲାଗି ଛୁଟି । ଆଜି ଅବସର ବହୁତ–ଭାବିବାକୁ, ଅନୁଭବ କରିବାକୁ । ଆପଣ କୀର୍ତ୍ତି ସ୍ତୂପ ଉପରେ ବସି ଚତୁର୍ଦ୍ଦିଗକୁ ହେୟ ଦୃଷ୍ଟିରେ ଚାହିଁ ମନେ ମନେ କୃତ୍ୟକୃତ୍ୟ ହେବାକୁ ଅବସର ବହୁତ ବର୍ତ୍ତମାନ ।

 

କିନ୍ତୁ ନାଃ । ଅସମ୍ଭବ । ମନେ ହେଉଛି ସବୁ ଯେପରି ବୃଥା ! ସବୁ ଯେପରି ନିଷ୍ଫଳ–ରସହୀନ । ଜୀବନଯାକ କେବଳ ଚଷୁକୁଟା ! ତାଙ୍କର ରାସାୟନିକ ଗବେଷଣା ଫଳରେ ସେ ହୁଏତ ବହୁ ଅର୍ଥ, ଖ୍ୟାତି ଓ ପଦବୀ ପାଇଛନ୍ତି–ମାତ୍ର ସତେକି ପୃଥିବୀର ବା ଦେଶର ଏବଂ ତାଙ୍କ ନିଜର ତଦ୍ଵାରା ବିଶେଷ କିଛି ଉପକାର ହୋଇନାହିଁ । ପୃଥିବୀ ବରଂ ଆଗ ଅପେକ୍ଷା ବେଶୀ ଦୁଃସ୍ଥ–ବେଶୀ ପ୍ରାଣହୀନ । ଲୋକେ ପୂର୍ବାପେକ୍ଷା ଖୁବ୍ ଚତୁର ହୋଇଛନ୍ତି–ନିଜର ଦାବି ଉପରେ ସଚେତନ ହୋଇଛନ୍ତି–ନିଜର ଆତ୍ମସମ୍ମାନ ଉପରେ ବହୁତ ସ୍ପର୍ଶକାତର ହୋଇଛନ୍ତି–ମାତ୍ର ତା’ ଫଳରେ ସମାଜକୁ ବିଶେଷ କିଛି ଭବିଷ୍ୟତ ଲାଗି ପ୍ରତିଶ୍ରୁତି ମିଳିନାହିଁ । ଲୋକେ ଯାହା ଖୋଜୁଛନ୍ତି ତାହା ସେମାନଙ୍କୁ ମିଳୁନାହିଁ । କାରଣ ପ୍ରତ୍ୟେକେ ପ୍ରତ୍ୟକର କାମ୍ୟବସ୍ତୁକୁ ଅପହରଣ କରି ଛୁଟିଛନ୍ତି । ସେ ନିଜେ ମଧ୍ୟ ସେହି ଅସନ୍ତୁଷ୍ଟ ଧାବମାନ ଗୋଷ୍ଠୀରୁ ଜଣେ ।

 

ଏହି ପାଞ୍ଚବର୍ଷ ଭିତରେ ସତେ ସବୁ ଯେପରି ଭାଙ୍ଗି ଭୁଙ୍ଗି ଛିନ୍ନଛତର ହୋଇଗଲାଣି । ଏହି ଭଙ୍ଗା ଭୁଙ୍ଗି ଦଉଡ଼ା ଦଉଡ଼ି ଭିତରେ ସତେ ଯେପରି ସେ ଖୁବ୍ ଏକୁଟିଆ । ତାଙ୍କର ପରିବାର ଭିତରେ ସ୍ତ୍ରୀଙ୍କ ବ୍ୟତୀତ ଆଉ କେହି ନାହାନ୍ତି । ଦୁଇଟି ଝିଅ କେଉଁକାଳୁ ବିବାହ କରି ଯେଝା ସଂସାର ପାତି ରହିଲେଣି । ତିନିପୁଅଙ୍କ ଭିତରୁ ବଡ଼ପୁଅ ଅଛି ଗ୍ରାମରେ ଚାଷବାସର ଦାୟିତ୍ୱରେ । ତା’ର ପିଲାପିଲି ମଧ୍ୟ ସେଇଠି । ତା’ ସଙ୍ଗେ କୌଣସି ପ୍ରକାର ସମ୍ପର୍କ ବର୍ତ୍ତମାନ ନାହିଁ ଗୋକୁଳାନନ୍ଦଙ୍କର । ମଝିଆଁ ପୁଅ ଅଛି ପଞ୍ଜାବରେ । ସାନପୁଅଟି ମଧ୍ୟ ଆଜିକୁ ପାଞ୍ଚବର୍ଷ ଧରି ଆମେରିକାରେ । ଚିଠିପତ୍ର ବି ଦିଏ ନା । ଶୁଣାଯାଏ ସେ ସେଠି ବିବାହ କରି ବସବାସ କରି ରହିଲାଣି । ଆଉ ଫେରିବ ମଧ୍ୟ ନାହିଁ । ଏ ଦେଶକୁ ତା’ର ପ୍ରଚଣ୍ଡ ଘୃଣା ।

 

ସ୍ତ୍ରୀଙ୍କର ଆଣ୍ଠୁ ଗଣ୍ଠି ବାତ । ସେ ବିଛଣାରୁ ଉଠିପାରୁ ନାହାନ୍ତି । ଚିକିତ୍ସାରେ ଅଛନ୍ତି । ତା’ ଛଡ଼ା ବି ସ୍ତ୍ରୀଙ୍କ ସଙ୍ଗେ ତାଙ୍କର ମୂଳରୁ ଭାବାତ୍ମକ ସମ୍ପର୍କ ନାହିଁ । ତାଙ୍କ ଜୀବନର ସମସ୍ତ ସାଧନା ଓ ପ୍ରତିଷ୍ଠା ପଛରେ ସ୍ତ୍ରୀଙ୍କର କୌଣସି ପ୍ରକାର ପ୍ରେରଣା ତ ନ ଥିଲା–ଏପରିକି ଆନ୍ତରିକ ସମର୍ଥନ ମଧ୍ୟ ନ ଥିଲା । ସ୍ତ୍ରୀ ଭିନ୍ନ ଜଗତର ମଣିଷ । କିନ୍ତୁ ତା’ ମାନେ ନୁହେଁ ଯେ ସ୍ତ୍ରୀ ଖୁବ୍ ବସ୍ତୁବାଦୀ ଓ ପରିବାର କେନ୍ଦ୍ରିକ । ବରଂ ପରିବାର ସଙ୍ଗେ ତାଙ୍କର କୌଣସି ସମ୍ପର୍କ ନ ଥାଏ । ବିବାହଦିନଠାରୁ ଗୋକୁଳାନନ୍ଦଙ୍କର ଆଶଙ୍କା ହୋଇଛି ସତେକି ତାଙ୍କୁ ବିବାହ କରି ତାଙ୍କ ସ୍ତ୍ରୀ ସୁଖୀ ହୋଇ ପାରିନାହାନ୍ତି । ମହା ଅଭିମାନିନୀ ଆତ୍ମମ୍ଭରୀ ବ୍ୟକ୍ତିତ୍ଵ ତାଙ୍କର । ତେଣୁ ବିବାହ ଦିନଠାରୁ ସେ ଗୋକୁଳାନନ୍ଦଙ୍କୁ ଯେପରି ତାଙ୍କ ହୃଦୟର ପ୍ରେମ ଦେଇ ନାହାନ୍ତି–ତାଙ୍କଠାରୁ ମଧ୍ୟ ସେହିପରି ପ୍ରେମ ଦାବି କରି ନାହାନ୍ତି । ନିଜକୁ ନେଇ ନିଜେ ଥାନ୍ତି ସେ । ସବୁବେଳେ ସଂସାର ପ୍ରତି ଅବିଶ୍ଵାସ, ଅନାସ୍ଥା, ବିରକ୍ତି, ଅସନ୍ତୋଷ ଓ ଘୃଣା ତାଙ୍କର ମୁହଁକୁ ଆବୃତ କରି ରଖିଥାଏ । କଥା କହନ୍ତି ଖୁବ୍ କମ୍ । ଆଗକୁ ଯାଅ ବୋଲି କହନ୍ତି ନାହିଁ–କି ଆଗରେ ଠିଆହୋଇ ବାଧା ବି ଦିଅନ୍ତି ନାହିଁ । ଗୋକୁଳାନନ୍ଦ ସ୍ତ୍ରୀଙ୍କୁ ଘୃଣା କରନ୍ତି ନାହିଁ । ମାତ୍ର ସ୍ତ୍ରୀ ପ୍ରତି ତାଙ୍କର ହୃଦୟ କେବେ ପ୍ରେମ ପ୍ରବଣ ହୋଇନାହିଁ ।

 

ଠିକ୍ ଅଛି । ଏମିତି ଏମିତି ସମୟ ତ କଟିଗଲାଣି । ଆଉ ବା କେତେଦିନ ? ଦ୍ଵିତୀୟ ଥର ଅବସର ଗ୍ରହଣ ପରେ ଭାବିଥିଲେ–ସମୟ କାଟିବେ ସାମାଜିକ କାର୍ଯ୍ୟରେ–ସାହିତ୍ୟ–ଧର୍ମ ଓ ଦର୍ଶନାଦି ବ୍ୟାପାରରେ ଏବଂ ଅବଶିଷ୍ଟ ସମୟ ସେ ପ୍ରକୃତି କୋଳରେ ହିଁ ଆଶ୍ରୟ ନେବେ ।

 

କିନ୍ତୁ......ଏ ସହରକୁ ଆସିଲାଦିନୁଁ ସେ ଅଣନିଃଶ୍ୱାସୀ ହୋଇ ଉଠିଲେଣି । ଏଠି କୌଣସି ସାମାଜିକ ସଂସ୍ଥା ବା କାର୍ଯ୍ୟ ତାଙ୍କୁ ଅପେକ୍ଷା କରିନାହିଁ । ତାଙ୍କର ଆବଶ୍ୟକତା ଥିଲା ଭଳି ମଧ୍ୟ ଏ ସହରରେ କେହି ଆଉ ଅନୁଭବ କରୁ ନାହାନ୍ତି । କ୍ଷମତା ଓ ତାରି ସୂତ୍ରରେ ଧନ ଉପାର୍ଜ୍ଜନ କରିବାର ଏକମାତ୍ର ପନ୍ଥା ଯେ ରାଜନୀତି–ତାହା ଏକ ବିଷଧର ସର୍ପ ଭଳି ସବୁ ଅନୁଷ୍ଠାନକୁ ମଧ୍ୟ ଗୁଡ଼େଇ ପୁଡ଼େଇ ଧରି ନେଇଛି । ଆଉ ତା’ର ପିଷ୍ଟକାରୀ କୁଣ୍ଡଳୀ ଭିତରୁ ଏ ସମାଜର ମୁକ୍ତି ନାହିଁ । ସ୍ୱାର୍ଥପରତା, ମିଥ୍ୟା, ଛଳନାରେ ଭରି ଉଠିଛି ଏ ସହରର ପରିବେଶ ।

 

ଆଉ ପ୍ରକୃତି ! ଏଠି ପ୍ରକୃତି କାହିଁ ? ଦୁଇ ଦୁଇଟା ନଦୀ ଏ ସହରର ଦୁଇ ପାର୍ଶ୍ଵରେ ବହିଯାଉଛି । ଅଣ୍ଟାସୂତାଭଳି କେନାଲଟିଏ ସହରର ମଝିରେ ଲମ୍ବି ଯାଇଛି । ମାତ୍ର କି ବୀଭତ୍ସ । ଏଇସବୁ ନଦୀ ଆଉ କେନାଲର ତଟଭୂମି । ସେଠି ବସିବା ତ ଦୂରର କଥା–ଚାଲି ମଧ୍ୟ ହେବ ନାହିଁ-। ନଦୀ ତୀରେ ତୀରେ ଆବର୍ଜ୍ଜନାମୟ ବସ୍ତି–ରୁଗ୍‍ଣ ଦୁର୍ବଳ ଦରିଦ୍ର ଅଜ୍ଞାନ ବହୁ ସନ୍ତାନବତୀ ଅପରିଚ୍ଛନ୍ନା ସ୍ତ୍ରୀ ଲୋକମାନେ । ଅସହାୟ ବୁଭୂକ୍ଷ ଶିଶୁଗଣ । ଖୋଲାଜାଗା ମାତ୍ରେଇ ମନୁଷ୍ୟପୁରୀକ୍ଷରେ ପରିପୂର୍ଣ୍ଣ । ପଚାମାଛ–ଦରଶୁଖା ଶୁଖୁଆ–କଟାଛେଳି ଓ ମେଣ୍ଢାମାନଙ୍କର ଅନ୍ତବୁଜୁଳା ଇସ୍–କିଏ ଏ ଦେଶକୁ ଉଦ୍ଧାର କରିବ ? କିଏ ଏଇ ଅର୍ଷିତ ସହରଟିର ମା’ ବାପ-? ଭାଇ ? କକା ? ମାମୁଁ ? ମଉସା ? ଶିକ୍ଷକ ? ନେତା ? ଚିକିତ୍ସକ ? କେହି ନାହିଁ–କେହି ନାହିଁ-। ସମଗ୍ର ସହରଟି ସତେକି ମଳପୂର୍ଣ୍ଣ ଗୋଟାଏ କୁଣ୍ଡ । ତାରି ଭିତରେ ସାଲୁବାଲୁ ହୋଇ ଘାଣ୍ଟି ହେଉଛନ୍ତି ଏ ସହରର ସାନଠାରୁ ବଡ଼ ଯାଏ ପ୍ରତିଟି ମଣିଷ । ତା’ ଭିତରୁ ବାହାରି ଯିବାର କ୍ଷମତା ସତେକି କାହାର ଆଉ ନାହିଁ । ସେ ଇଚ୍ଛା ମଧ୍ୟ ମରିଗଲାଣି ସଭିଙ୍କ ମନରୁ ।

 

ଅଥଚ ଏଇ ନଈକୂଳର ଘରମାନଙ୍କର ଆମ୍ବ ବଗିଚାରେ ପୂର୍ବେ କେତେ ଫୁଲ ଫୁଟୁ ନଥିଲା ? ପ୍ରତିଟି ଋତୁର ସକାଳରେ ଭରି ରହିଥିଲା ସେହି ଋତୁଟିର ନାଭିକେନ୍ଦ୍ରରୁ ଉତ୍ସରିତ ଫୁଲମାନଙ୍କର ସୌରଭ । କିନ୍ତୁ କାହିଁ ? ତଥାପି ଜୀବିତ କେତୋଟି କାଁ ଭାଁ ଗଛ ସତେକି ଏବେ ଅପୁଷ୍ପିତା ହୋଇଗଲେଣି ! ପ୍ରତିଟି ଋତୁର ସକାଳ କୁହରିତ ହୋଇ ଉଠୁଥିଲା ସେହି ଋତୁର ନାଭି–କେନ୍ଦ୍ରରୁ ଉଦଭୁତ ହରେକ ଧ୍ଵନିର କଳ କାକଳିରେ । କିନ୍ତୁ କ’ଣ ହେଲା ? ସତେକି ଏ ସହରରୁ ସବୁ ଚଢ଼େଇ ଉଡ଼ିଗଲେଣି ! କିମ୍ଵା ଅବଶିଷ୍ଟ ଯେଉଁ ଚଢ଼େଇମାନେ ଏଯାବତ ଏଠି ଅଛନ୍ତି–ସେମାନେ କେବଳ ଥଣ୍ଟ ବୁଜି ବସିଛନ୍ତି ବା ଆତଯାତ ହେଉଛନ୍ତି ! କିଏ ଯେପରି ସେମାନଙ୍କୁ ଚିରଦିନ ଲାଗି ମୂକକରି ଦେଇଛି !

 

କିଏ କରିଛି ? କାହାର ପ୍ରତାପରେ ଏ ସହର ଏପରି ପ୍ରକୃତିଛଡ଼ା ହୋଇ ଉଠିଲା ? କିଏ ସେ ଏଠୁ ବୃକ୍ଷଲତାଙ୍କୁ ଉପାଡ଼ି ଦେଲା ? କିଏ ସେ ଦୁର୍ବୃତ୍ତ ବୃକ୍ଷଲତାମାନଙ୍କରୁ ଫୁଲମାନ ଛିଣ୍ଡାଇ ନେଲା ? କିଏ ସେ ତସ୍କର ଅପହରଣ କରିନେଲା ଫୁଲମାନଙ୍କଠାରୁ ସୁବାସ ? ଚଢ଼େଇମାନଙ୍କର ତଣ୍ଟି ଚିପିଧରିଲା କିଏ ସେହି ନରାଧମ ନିର୍ମମ ବ୍ୟାଧ ?

 

ଡା: ଗୋକୁଳାନନ୍ଦ କିଛି କୂଳକିନାରା ପାଇଲେ ନାହିଁ । କ୍ରୋଧ ଓ ନୈରାଶ୍ୟରେ ବାଡ଼ିଟିକୁ ଭୂମି ଉପରେ କଚାଡ଼ି କଚାଡ଼ି ସେ ନଈକୂଳର ରାସ୍ତାରେ ଖୁବ୍ ଜୋରରେ ଚାଲିବାକୁ ଲାଗିଲେ । କିଏ ସେ ? କିଏ ସେ ସୌନ୍ଦର୍ଯ୍ୟର ଶତ୍ରୁ ? ଜ୍ଞାନର ଶତ୍ରୁ ? ଉଦ୍ୟମର ଶତ୍ରୁ ? କିଏ ସେ-?

 

ଗୋଟିଏ ଅତର୍ଚ୍ଛିଆ କାଉ ହଠାତ୍ କୁଆଡ଼ୁ କା କା ହୋଇ ତାଙ୍କ କାନପାଖେ ଘଷିହୋଇ ସେଇ ଉଚ୍ଚତାରେ ଲୋଟଣି ଭାଙ୍ଗିଲା ପରି ଆଗକୁ ଉଡ଼ି ଚାଲିଗଲା । ନିକଟସ୍ଥ ଧୂମାୟମାନ ନାରକୀୟ ଚାହା କେବିନରୁ ଠିକ୍ ସେତିକିବେଳେ ଗୋଟାଏ ରୁମଛଡ଼ା ରୁଗ୍‍ଣ କୁକୁର ପିଠିରେ କିଏ ଗୋଟାଏ ମସ୍ତ ପାହାର ବସାଇଦେଲା । ପ୍ରାଣ ବିକଳରେ ଭେଁକିନା ହୋଇ ଅଧାମରା ଅଧାଜିଆଁ ସେହି କୁକୁରଟା ତାଙ୍କ ଦେହରେ ପ୍ରାୟ ଘଷିହୋଇ କଡ଼ପଟକୁ ଆତଙ୍କରେ ଦଉଡ଼ିଗଲା । କିଏ ଯେପରି ତାଙ୍କ ଭିତରେ କହିଉଠିଲା–ଜଣେ ନୁହଁ ଗୋକୁଳାନନ୍ଦ ! ଜଣେ ନୁହଁ ସମସ୍ତେ–ସମଗ୍ର ସହରର ଲୋକ–ସମଗ୍ର ଦେଶର ଲୋକ ଏଥିପାଇଁ ଦାୟୀ । ପାରିବ ତୁମେ କିଛି କରି ? ନେଇପାରିବ ଏହାର ଦାୟିତ୍ଵ ? କିଞ୍ଚିତ ପରିମାଣରେ କାମ ଆରମ୍ଭ କରିପାରିବ ?

 

ଡା: ଗୋକୁଳାନନ୍ଦ ନିଜ ଉପରେ ଚିଡ଼ିଗଲେ । ନାଃ–ସେ ଆଉ କିଛି କରିପାରିବେ ନାହିଁ–ସମାଜ ପାଇଁ ସେ ଦୀର୍ଘ ଚାଳିଶିବର୍ଷ ଧରି ବହୁତ କରିଛନ୍ତି : ସେ ଆଉ କିଛି କରିପାରିବେ ନାହିଁ । କେବଳ ଏମିତି ଚିଡ଼ିବେ–ବିରକ୍ତ ହେବେ–ସମସ୍ତଙ୍କୁ ଅଭିସଂପାତ ଦେବେ । ଭୁଇଁଉପରେ ବାଡ଼ି ଢିଆ ମାରି ମାରି ଜୀବନ ଉପରେ–ସମାଜ ଉପରେ–ନିଜ ଉପରେ ନିରାଶବାଦୀ ପ୍ରତିଶୋଧ ନେବେ । ମରିବା ପୂର୍ବରୁ ସେ ସବୁଥିରେ ଅସନ୍ତୁଷ୍ଟ ହେବେ । ସମସ୍ତଙ୍କୁ ଗାଳିଦେବେ । କାହାକୁ ପରୁଆ କରିବେ ନାହିଁ । କିଛି ଆଉ କରିବେ ନାହିଁ । ଖାଲି ଅସନ୍ତୋଷ ପ୍ରକାଶ କରିବେ । ରାଗିବେ–ଶୋଧିବେ–ନିରାଶ ହେବେ । ଭୂଇଁକି ବାଡ଼ିରେ ଢିଅ ମାରିବେ ।

 

ନିରାଶ ହେବେ–କାରଣ ସେହିସବୁ ସ୍ଵର୍ଣ୍ଣ–ପ୍ରଭା ସକାଳମାନ ଆଉ ଆସିବେ ନାହିଁ । ଏ ସହରକୁ ଏକ ମାରାତ୍ମକ ଅକାଳବାର୍ଦ୍ଧକ୍ୟ ଘୋଟି ବସିଲାଣି । କିଏ ଯେପରି କେଉଁ ଅଦୃଶ୍ୟ ସ୍ଥାନରେ ବସିରହି ଏମାନଙ୍କ ଅଜାଣତରେ ଗୋଟାଏ ଅଦୃଶ୍ୟ କୁଟାନଳୀ ଦେଇ ଶୋଷିନେଉଛି ଏମାନଙ୍କର ସମସ୍ତ ପ୍ରାଣଶକ୍ତି ! ଏମାନେ କେବଳ ଏଣିକି ସାଲୁବାଲୁ ହେବେ । ଆପଣା ଆପଣା ଉପରେ ଚଢ଼ି ଆଗକୁ ମାଡ଼ିଯିବାର ପ୍ରୟାସରେ ଅପରକୁ ସେଇ ମଇଳା କୁଣ୍ଡରେ ବୁଡ଼ାଇ ଅବଶେଷରେ ନିଜେ ମଧ୍ୟ ତହିଁରେ ବୁଡ଼ିମରିବେ–ସାଲୁବାଲୁ ଲାଙ୍ଗୁଡ଼ା ପୋକଙ୍କ ଭଳି । ଏମାନେ କେବଳ ନିର୍ବାଚନରେ ମାତିବେ–ଦଳ ଗଢ଼ିବେ–ଦଳ ଭାଙ୍ଗିବେ । କଳାବଜାର କିଳାପୋତେଇ, ସାଧାରଣ ପାଣ୍ଠି ଆତ୍ମସାତ୍ ଇତ୍ୟାଦିରେ ମାତି ପରସ୍ପର ମଧ୍ୟରେ ହଣାହଣି ହୋଇ ମରିବେ ।

 

ମରନ୍ତୁ ସେମାନେ ! ମରନ୍ତୁ ! ତାଙ୍କର କି ଯାଏ ? ସେ ବହୁତ କରିଛନ୍ତି ! ଆଉ ନୁହେଁ ହେ । ଏଣିକି ଯେ ହେଉ–ଯେ ଆଗକୁ ଆସୁ–ଆଗ ମୋଠାରୁ ପାଇବ ଶୋଧା ଅପମାନ–ତାଚ୍ଛଲ୍ୟ-। ଆଉ ସମସ୍ତଙ୍କୁ ଫୁଙ୍କି ଫୁସ୍‍କରି ଉଡ଼ାଇଦେବାର ଗୋଟାଏ ଅଟ୍ଟହାସ ! ଆସୁ କିଏ ଆସୁଛି ମୋ ଆଗକୁ । ମୁଖ୍ୟମନ୍ତ୍ରୀ ଦୁଆରେ ଯାଇ ଠିଆହେବି–କହିବ–କିରେ ଚୋର ? ବିରୋଧୀଦଳ ନେତାର ହତାରେ ଠିଆହୋଇ କହିବ–କିରେ ତସ୍କର ! ଅଧ୍ୟାପକର କ୍ଲାସରେ ଯାଇ ପହଞ୍ଚିଯିବି–କହିବ କିରେ ମୁର୍ଖ ? ଡାକ୍ତର ଦୁଆରେ ଠିଆହୋଇ କହିବି–କିରେ ଡାକୁ ! ପୋଲିସ୍ ଦୁଆରେ ଠିଆହେବି–କହିବି–କିରେ ଠଗ ! ଜଜ୍ ଦୁଆରେ ଠିଆହୋଇ ଡାକିବି–ଆରେ ଅନ୍ଧା ! ଓକିଲପାଖେ ପହଞ୍ଚି କହିବି–କିବେ ମୁକୁନ୍ଦା ? ଖବରକାଗଜବାଲା ପାଖେ ପହଞ୍ଚି କହିବି–କିରେ ଟାଉଟର-?

 

କହିବି–କହିବି–କହିବି । ଛାଡ଼ିବି ନାହିଁ । ଆଉ ଛାଡ଼ିବି ନାହିଁ କାହାକୁ । ମଲାଯାଏ ସଭିଙ୍କି ଶୋଧିବି ମନଇଚ୍ଛା; ତା’ପରେ ଯାଇ ଛାଡ଼ିବି । ଆରେ ମୋର କିଏ କ’ଣ କରିବ ନା କରିଛି-! ନା ମୁଁ ଏ ଦୁନିଆଁ ପାଇଁ କିଛି କମ୍ କରିଛି ? କହିବି–ଛାଡ଼ିବି ନାହିଁ–ରହରେ ପାପିଷ୍ଠମାନେ:

 

ଆପଣା ମନର ଉତ୍ତେଜନାରେ ଡା: ଗୋକୁଳାନନ୍ଦ ପ୍ରାୟ ଦୁଇ କିଲୋମିଟର ରାସ୍ତା ଘର ପାଖୁ ଚାଲି ଆସିଲେଣି । ଅସଲ କଥା–ଗୋଟେ ଦଳ–ଏହି ଅବସରପ୍ରାପ୍ତ ବୁଢ଼ାଙ୍କ ଦଳ–ନିର୍ଭୀକ, ନିଃସ୍ୱାର୍ଥପର ବୁଢ଼ାମାନଙ୍କର ଗୋଟେ ଦଳ ! ଖାଲି ଶୋଧିବେ–ଶୋଧିବେ ମନଇଚ୍ଛା । କିନ୍ତୁ କାହାନ୍ତି ବୁଢ଼ାମାନେ ? ଏ ରାସ୍ତାରେ ତ ତାଙ୍କ ଭଳି ପରିଣତ ବୃଦ୍ଧ ବ୍ୟକ୍ତିଟିଏ ଦ୍ଵିତୀୟ ଆଉ କାହିଁ ଚାଲୁନାହିଁ-! କ’ଣ ହୋଇଛି ! କୁଆଡ଼େ ଗଲେ ବୁଢ଼ାମାନେ ! ସବୁ ବୁଢ଼ାଙ୍କୁ କ’ଣ ଏ ସହରରେ ଟୋକାମାନେ ଘରେ ତାଲା ପକାଇ ବନ୍ଦୀ କରି ରଖିଛନ୍ତି: ନା’ ବୁଢ଼ାମାନେ ମଧ୍ୟ ଏହି ଚୋର ଖଣ୍ଟମାନଙ୍କ ସଙ୍ଗେ ମିଶି ପୁଣି ଥରେ ଏହି ରକ୍ତ ମାଂସହୀନ କଙ୍କାଳଟାକୁ ରେକେଟିବା ଲାଗି ନକଲି ଦାନ୍ତ ଲଗାଇବାରେ–ଧଳା ବାଳକୁ କଳା କରିବାରେ–ହର୍ମୋନ୍ ଚିକିତ୍ସାରେ–ବା ଆଉ କୋଉ ଚାକିରି ବାକିରିରେ ପୁଣି ଢୁକିଯିବାର ବାଳଲୀଳାରେ ମତି ଯାଇଛନ୍ତି ? କ’ଣ ହୋଇଛି ପ୍ରକୃତରେ-?

 

ଦିଗ୍‍ବଳୟମାନ ଫର୍ଚା ହୋଇଗଲାଣି । ମାତ୍ର ତଥାପି ନଈ ଆରପଟୁ ପୂର୍ବଦିଗରେ ସୂର୍ଯ୍ୟ ମନ୍ଦିର ତାଙ୍କର ସେହି ଆଶା–ସମ୍ମୁଜ୍ଜଳ ଅରୁଣିତ ମୁଖମଣ୍ଡଳ ଦେଖାଉ ନାହାନ୍ତି । ସତେକି ସୂର୍ଯ୍ୟ ଚନ୍ଦ୍ରଙ୍କୁ ମଧ୍ୟ ଏମାନେ ବନ୍ଦୀ କରିଦେଲେଣି କୋଉ ପାତାଳପୁରୀରେ । ଆଉ ଛାଡ଼ିବେ ନାହିଁ ପଦାକୁ । ଠିକ୍ ଅଛି–ମରନ୍ତୁ ସେମାନେ–ମରନ୍ତୁ । ଘୋଟି ଆସୁ ଘମାଘୋଟ ଅନ୍ଧାର ।

 

ଅବଶେଷରେ ଗୋକୁଳାନନ୍ଦ ନଈକୂଳର ଗୋଟିଏ ସିମେଣ୍ଟବେଞ୍ଚ ଉପରେ ଯାଇ ବସିଲେ । ବାଡ଼ିଟିକୁ ବେଞ୍ଚର ହାତଉପରେ ଡେରିଦେଇ ସେ ପୁଣି ଅଡ଼ୁଆରେ ପଡ଼ିଲେ । ବର୍ତ୍ତମାନ କେଉଁଆଡ଼କୁ ମୁହଁ କରି ସେ ବସିବେ ! ନଦୀଆଡ଼କୁ–ନା–ଏଇ ବୀଭତ୍ସ ସହରଟା ଆଡ଼କୁ: ନଦୀରେ ଅଳ୍ପଦିନ ପୂର୍ବରୁ ଭରାବନ୍ୟା ଥିଲା । ବର୍ତ୍ତମାନ ବି ନଦୀ ସଂପୁର୍ଣ୍ଣ ବନ୍ୟାମୁକ୍ତ ନୁହେଁ । ମଝିରେ ଠାଏ ଠାଏ ବାଲିଚଢ଼ା ଦେଖାଯାଉଛି । ବିସ୍ତୀର୍ଣ୍ଣପ୍ରସ୍ଥା ସର୍ପିଳ ନଦୀଟିର ଅପରପାର୍ଶ୍ୱରେ ଗଛବୃଚ୍ଛ ଘୋରା ଗାଁ ମାନ । ନଦୀର ବଡ଼ ପୋଲ ଉପରେ କାଁ ଭାଁ ଗୋଟାଏ ଗୋଟାଏ ସାରାରାତି ଅନିଦ୍ରା ଟ୍ରକ ବା ବସ୍ ଘଡ଼ ଘଡ଼ ହୋଇ ପଳାଇ ଯାଉଛନ୍ତି । କୁଆମାନେ ଏଣୁ ତେଣିକି, ତେଣୁ ଏଣିକି ଉଡ଼ୁଛନ୍ତି । ଗାଁ ମାନଙ୍କରୁ ଗଛଲତା ଭେଦି ଧୁଆଁ ଉଠୁଛି । ବାଉଙ୍ଗିରେ, କେହି ମୁଣ୍ଡରେ ମୁଣ୍ଡେଇ, କେହି ବା ସାଇକେଲରେ ଲଦି,ପରିବା ସବୁ ବୋହି ଆଣୁଛନ୍ତି । ଏଇ ସହର ଆଜି ସେଗୁଡ଼ାକୁ ସିଝାଇ ଖାଇଯିବ । ଜଣେ ଦି’ଜଣ ମିଆଁ ଗୁଡ଼ାଏ ଛେଳି ଅଡ଼େଇ ଅଡ଼େଇ ସହର ଭିତରକୁ ପଶୁଛନ୍ତି । ଏ ସହର ଏଗୁଡ଼ାଙ୍କୁ ଆଜି ହାଣି ଖାଇଯିବ । କିନ୍ତୁ ସେପଟେ ପାତଳ ନେଳୀ କୁହୁଡ଼ିରେ ଘେରା ସୁଦୁର ଦିଗ୍‍ବଳୟ ମେଲିଯାଇଛି । ବରଂ ସେହିଆଡ଼କୁ ଚାହିଁରହି ସେ ଉଦୟ–ଉନ୍ମୁଖ ବାଳସୂର୍ଯ୍ୟଙ୍କୁ ପ୍ରଥମେ ଅଭିବାଦନ ଜଣାଇବେ । ସହରକୁ ପଛକରି ବସିବେ ସେ । ରାଗରେ ହତାଶାରେ, ବିରକ୍ତିରେ, ଘୃଣାରେ ଅଭିମାନରେ, ସେ ସହରକୁ ପଛକରି ବସିବେ । ଏ ସହରଟାର ତାଙ୍କ ଲାଗି ଆଉ କିଛି ଆକର୍ଷଣ ନାହିଁ । ଏହି ରାକ୍ଷାସ–ସହର ତା’ର କୋଇଲାଧୂଆଁ ନିଃଶ୍ଵାସରେ ତା’ର ଆବର୍ଜନା କୁଣ୍ତରେ ପଡ଼ି ଆଟୁପାଟୁ ହେଉଥାଉ । ତାଙ୍କର କି ଯାଏ ଆସେ ? ମରନ୍ତୁ ସେମାନେ ନିର୍ବାଚନରେ–କଳାବଜାରରେ–ପରସ୍ପରକୁ ମାଡ଼ିମୁଡ଼ି ମାଡ଼ିମକଚି ମରନ୍ତୁ ।

 

ଗୋକୁଳାନନ୍ଦ ଦିଗ୍‍ବଳୟରେ, ନିଜର ଦୃଷ୍ଟିକୁ ହଜାଇଦେଲେ ଓ ଅଳ୍ପ ମୁହୂର୍ତ୍ତ ଭିତରେ ନିଜେ ହଜିଗଲେ ।

 

ମାତ୍ର ବେଶୀ ସମୟ ସେ ପରିତ୍ୟକ୍ତ ସହରଟାକୁ ପଛ କରି ବସି ପାରିଲେ ନାହିଁ । କିଏ ଯେପରି ତାଙ୍କ ପଛପଟେ ଠିଆ ହୋଇ ତାଙ୍କୁ ଡାକୁଛି !

 

ବାବୁ !

 

ପ୍ରଥମେ ତାକୁ ଲାଗିଲା–ବହୁପୂର୍ବରୁ ପରଲୋକଗତା ତାଙ୍କ ମା’ର ଅନ୍ତରଙ୍ଗ କଣ୍ଠସ୍ଵର ଭଳି । ସେ ଚମକି ପଡ଼ିଲେ । ମାତ୍ର ଭୟରେ ପଛ ଆଡ଼କୁ ଚାହିଁ ମୁହଁ ଫେରାଇ ପାରିଲେ ନାହିଁ । କଣ୍ଠସ୍ୱରଟି ଆହୁରି ତୀବ୍ର ଓ ସ୍ପଷ୍ଟ ହୋଇ ଉଠିଲା ।

 

ବାବୁ !

 

କିଏ ?

 

ଚିହ୍ନି ପାରୁନ ?

 

କିଏ ? ଗୋକୁଳାନନ୍ଦ ତାଟକା ହୋଇ ଚାହିଁଦେଲେ–ଏ କିଏ ? ସୁକୁମାରୀ ?

 

ସୁକୁମାରୀ ?

 

ହଁ ବାବୁ ! ଚିହ୍ନିପାଇଲ ?

 

ଗୋକୁଳାନନ୍ଦ ସତେକି ଅଭିଭୂତ ହୋଇଯାଇଥିଲେ । ଫେର ଥରେ ବଡ଼ବଡ଼ ଆକ୍ଷିରେ ଚାହିଁ ପଚାରିଲେ–

 

ସୁକୁମାରୀ ନା ତୁ ?

 

ଏଥର ସ୍ତ୍ରୀ ଲୋକଟି ହସିଲା । ଖିଲିଖିଲି ହୋଇ ହସିଲା । ଏଥର ଗୋକୁଳାନନ୍ଦଙ୍କର ଅଭିଭୂତି କଟିଗଲା । ସେ ପ୍ରକୃତିସ୍ଥ ହୋଇ ସ୍ତ୍ରୀ ଲୋକଟି ଆଡ଼କୁ ଚାହିଁଲେ । ପ୍ରାୟ ତାଙ୍କର ସମବୟସ୍କା । ମାତ୍ର ସୁକୁମାରୀ ବୟସର ବଶ୍ୟତା ସ୍ଵୀକାର କରିନାହିଁ । ମୁଣ୍ଡବାଳ ଛୋଟ କରିଦେଇଛି । ସ୍କୁଲ ଝିଅମାନଙ୍କ ଭଳି ଖୁବ୍ ସୁନ୍ଦର ଆଉ ପରିଚ୍ଛନ୍ନ ଭାବେ କୁଣ୍ଡାଇଛି ବାବୁରୀ ବାଳତକ । ଶ୍ୟାମଳ ବର୍ଣ୍ଣ । ମାତ୍ର ପିନ୍ଧିଛି ଖଣ୍ଡିଏ ଧଳା ନାଲିଫୁଲ ଛପା ବିଚିତ୍ରିତ ସଫା ଶାଢ଼ୀ । ନାକରେ ପୂର୍ବପରି ସୁନାର ଫୁଲଟିଏ । ଦୁଇ ଆକ୍ଷିରେ କଜଳ ଲଗାଇଛି ଆଗେ ଯେପରି ଲଗାଉଥିଲା । ଦୁଇ କାନରେ ଦୁଇଟି କାନଫୁଲ । ସୁକୁମାରୀ ପୂର୍ବ ପରି ସତେଜ ଆଉ ପରିଚ୍ଛନ୍ନ । ପାନ ଖଣ୍ଡିଏ ଖାଇଛି । ଓଠ ଆଉ ପାଟିରୁ ନାଲି ନାଲି ହସ ଛିଟିକି ପଡ଼ୁଛି । ଗୋକୁଳାନନ୍ଦଙ୍କର ସବୁ ବିରକ୍ତି ଆଉ ଅବସାଦ କୁଆଡ଼େ ଉଭେଇଗଲା । ସେ ତାକୁ ମୁଗ୍‍ଧ ଦୃଷ୍ଟିରେ ଚାହିଁ ପୁଣି ଥରେ ପଚାରିଲେ–

 

ସୁକୁମାରୀ ନା ତୁ ?

 

ମଲା ! କେତେ ଛୋପରା ହଉଚମ ?

 

କିଲୋ ତୋର କ’ଣ ବୟସ କମିଯାଇଛି କି ?

 

ମଲା ! ବୁଢ଼ା ହେଲାଣି । ଆକ୍ଷିରୁ ଡାହାଣାପଣ ଏବେ ବି କଟିଲା ନାହିଁ ? ସୁକୁମାରୀ ଏତକ କହି ଆହୁରି ଫୁଲେଇଗଲା–ଆହୁରି ନାଲି ଦିଶିଲା । ଗୋକୁଳାନନ୍ଦ ଏ ପର୍ଯନ୍ତ ଆଉ ଗୋଟିଏ କଥା ଦେଖି ନ ଥିଲେ । ଆକ୍ଷିରେ ପଡ଼ିଥିଲା ଅବଶ୍ୟ–ମାତ୍ର ତାକୁ ନିଘା କରିନଥିଲେ । ସୁକୁମାରୀ ଗୋଟିଏ ବାଉଁଶ ଝାଡ଼ରେ ଝୁଲାଇଛି କେତେଗୁଡ଼ିଏ ନାଲି ନେଳୀ ହଳଦିଆ ରବର ଜିନିଷ । ସେଗୁଡ଼ିକୁ ନିରୀକ୍ଷଣ କଲା ମାତ୍ରେଇ ସେ ବୁଝିଗଲେ–ରବର ବେଲୁନରେ ତିଆରି ନାଥରା ନାଥରା ହୃଷ୍ଟପୃଷ୍ଟ କାଥୁଲୁ ମାଥୁଲୁ ଖୁସମୁସ୍ ଚଢ଼େଇଗୁଡ଼ିଏ । ରଙ୍ଗୀନ କାଗଜରେ ଥଣ୍ଟ, ଆକ୍ଷି, ପର ଆଉ ପୁଚ୍ଛ ତିଆରି ହୋଇଛି । ବେଲୁନ୍ ଚଢ଼େଇଙ୍କ ବେକରେ ସୂତା ବନ୍ଧା ହୋଇ ବାଉଁଶ ଝାଡ଼ରୁ ସେମାନଙ୍କୁ ଓହଳାଇ ଦେଇଛି । ଧୀର ପବନରେ ସେମାନେ ହଲି ଦୋହଲି ଉଡ଼ୁଛନ୍ତି । ସତେକି ମାଳେ ରଙ୍ଗ ବେରଙ୍ଗର ମଣିଷ–ତିଆରି ଚଢ଼େଇ ଏକାଠି ଗୋଟିଏ ଜାଗାରେ ଉଡ଼ି ଉଡ଼ି ଆପଣା ଭିତରେ କିଚିରି ମିଚିରି ଖେଳ ଖେଳୁଛନ୍ତି ! ଡା: ଗୋକୁଳାନନ୍ଦ ସୁକୁମାରୀ ସହିତ ଏହି ବିଚିତ୍ର ଚଢ଼େଇମାନଙ୍କୁ ଦେଖି ସହସା ଉଚ୍ଚାଟିତ ହୋଇପଡ଼ିଲେ ।

 

ତୁ ଏ ସବୁ ଏତେ ସକାଳୁ ନେଇ କୁଆଡ଼େ ବାହାରିଛୁ ?

 

ମା’ ଗୋ ! ମୋର ଆଉ କାମ କ’ଣ କି ? ରାତି ସାରା ଚଢ଼େଇଗୁଡ଼ିକ ତିଆରି କରି ଝାଡ଼ରେ ଟଙ୍ଗାଇ ଦେଇଥାଏ । ବଡ଼ି ଭୋରରୁ ଉଠି ବେଶଭୂଷା ହୋଇ ଝାଡ଼ଟି ଧରି ବାହାରେ ଯେ ସାଇ ସାଇ ବୁଲି ଫେର୍ ଘରକୁ ଫେରେ ବାରବଜେ ।

 

ସବୁ ଚଢ଼େଇ ବିକ୍ରି ହୋଇଯାଏ ?

 

ହଁ–ଦିନେ ଦିନେ କେତୋଟା ବଳିପଡ଼େ । ଏଇଥିରେ କ’ଣ ମୁଁ ଚଳୁଛି ? ମୋର କ’ଣ ତମ ଦୟାରୁ ଖାଇବା ଅଭାବ ନା ପିନ୍ଧିବା ଅଭାବ ? ଗୋଟାଏ ତ ବୋଲି ପେଟ ! ଏ କାମ କରିବାକୁ ଖୁସୀ ନାଗେ । ଚଢ଼େଇ ତିଆରି କରିବା ଗୋଟାଏ ନିଶା ବାବୁ । ପାଞ୍ଚ ବର୍ଷ ହେଲାଣି ମତେ ଏ ନିଶା ଲାଗିଛି । ଚଢ଼େଇ ଦେଖିଲେ ପିଲାଏ ଲୋଭାନ୍ତି । ସବୁ ଇସ୍କୁଲ ପାଖରେ ଯାଇ ଠିଆ ହେବି । ଆଜି ଶନିବାର ନା ! ଘେରିଯିବେ ମୋ ଚାରିକଡ଼େ । ବିକ୍ରି ଖାଲି ନାଁକୁ ମ ! କେଇଟା ମାଗଣା ନେଇଯାଆନ୍ତି । କେଇଟା ଦେଖୁ ଦେଖୁ ଫଟେଇ ଦିଅନ୍ତି । କିନ୍ତୁ ଭାରୀ ଖୁସୀ କାମ ବାବୁ ! ପିଲାଏ ଯେତେବେଳେ ଏ ଝାଡ଼କୁ ଘେରିଯିବେ ନା–ମୁଁ ବାରିପାରେ ନାହିଁ–ଏ ଚଢ଼େଇମାନେ ପିଲା ନା ସେ ପିଲାମାନେ ଚଢ଼େଇ ! ସବୁ ଏକାକାର ଦିଶନ୍ତି ବାବୁ । ସବୁ ଏକାକାର ହୋଇଯାନ୍ତି । ଏତିକିରେ ପେଟ ପୂରିଯାଏ ଗୋ !

 

ଡା: ଗୋକୁଳାନନ୍ଦ ମୁଗ୍‍ଧ ବିଭୋର ଓ ସମ୍ମୋହିତ ହୋଇ ଶୁଣୁଥାନ୍ତି–ଦେଖୁଥାନ୍ତି । ସୁକୁମାରୀ କହି ଚାଲିଥାଏ–

 

ଆଜି ଘରୁ ବାହାରିଲାବେଳକୁ ନଈଆଡ଼କୁ ଚାହିଁ ଦେଖେ ତ ତୁମେ ବସିତ । ତୁମକୁ ଛାଡ଼ି ଚାଲିଯିବାକୁ କାହିଁକି ମନ ବଳିଲା ନାହିଁ । ଭାବିଲି–ଯାଏଁ ଜୁହାର କରି ଆସେଁ । କୋଉଦିନୁ ଦେଖିନାହିଁମ ବାବୁ ! ମୁଁ ମରିଯାଏଁଟି ! ନେତ୍ର ମୋର ପବିତ୍ର ହେଲା ।

 

ଗୋକୁଳାନନ୍ଦ ବିହ୍ଵଳ କଣ୍ଠରେ କହିଲେ–

 

ଭଲ କଲୁ ଆସିଲୁ ସୁକୁମାରୀ ! ତୋତେ ଅନେକଦିନରୁ ଦେଖି ନାହିଁ ଲୋ ! ତୋତେ ଆଜି ଦେଖି ପେଟ ପୂରି ଯାଉଛି । ତୋତେ ଜମା ଛାଡ଼ିବାକୁ ମନ ବଳୁନାହିଁ । କ’ଣ କରିବି କହିଲୁ-?

 

ମଲା ! ଏମିତି ଯଦି ମନ–ଆସୁନ ଆଜି ସଞ୍ଜବେଳକୁ । ସେ ପରା ଏଇଠି ଅଛନ୍ତି । ସେ କ’ଣ ଆଉ ଏ ସହର ଛାଡ଼ିଗଲେ କି ?

 

କିଏ ଲୋ ?

 

ଆହା ହା ! ମରିଯାଉଁ ଥାଏଁଟି ! ସତେକି ଜମା ଜାଣିନି ? ନ ଜାଣି କରି ତା’ହେଲେ ସକାଳୁ ଏଠି ଆସି ଘାଟ ଜଗି ବସିଛ ? ଭାରି ଛୋପରା ଲୋକ ତୁମେ । ତୁମକୁ ମୁଁ ଜାଣିନି ?

 

ଗୋକୁଳାନନ୍ଦ ବାବୁ ଏକ ମଧୁର ସତେଜ ପୁଲକରେ ପ୍ରଫୁଲ୍ଲିତ ହୋଇ ଉଠିଲେ । ମର୍ମନ୍ତୁଦ ବିସ୍ମରଣ ଭିତରୁ ଉଦ୍ଧାର ପାଇବାର ବ୍ୟାକୁଳତାରେ ସେ ସୁକୁମାରୀର ହାତ ଧରି ପକାଇ ବିନତି କଲେ–

 

ସୁକୁମାରୀ ଲୋ ! ତୋତେ ମୋ ରାଣ ! କହ–ତୁ କାହା କଥା କହୁଛୁ ? ମୋର ଜମା କିଛି ମନେ ପଡ଼ୁନାହିଁ ଲୋ ଆଜିକାଲି ।

 

ସୁକୁମାରୀ ତାଙ୍କ ହାତମୁଠାରୁ ନିଜ ହାତକୁ ନ ଛଡ଼ାଇ କହିଲା–

 

କୃଷ୍ଣା ଦିଦି ମ ? ମଲା ! ପୁରୁଷ ଲୋକେ ଚଞ୍ଚଳ ଭୁଲିଯାନ୍ତି ନା ? କୃଷ୍ଣାଦିଦୀ ଡାକ୍ତରଖାନାରୁ ପେନସନ୍ ନେଲାଣି ତିନିବର୍ଷ ହେଲା । ଆଗେ ଯୋଉ ଘରେ ରହୁଥିଲା ସେଇଟା ଛାଡ଼ିଦେଲା । ହେଇ ରାସ୍ତା ଆରପଟେ ଯୋଉ ଛୋଟିଆ ଦୋମହଲା ଟାଇଲି ଘରଟା ଦୁଶୁନି–ସେଇଟାକୁ କିଣିଲା କୋଡ଼ିଏ ହଜାର ଟଙ୍କାରେ । ଅବି ସେଇଠି ରହୁଛି । ମୁଁ ଭାବିଲି–ତୁମେ ଜାଣି ଜାଣି ଏଠି ବସିଛ ନା !

 

କୃଷ୍ଣା–କୃଷ୍ଣା–କୃଷ୍ଣା ଦିଦି–କୃଷ୍ଣା ଚୌଧୁରୀ । ଗୋକୁଳାନନ୍ଦ ବାବୁଙ୍କ ଅନ୍ତଃସ୍ଥଳର ଗଭୀରତାରୁ କିପରି ଗୋଟାଏ ଉଚ୍ଛ୍ଵାସମୟ କୋହ ଉପରକୁ ଉଠି ଆସିଲା । ଆଜିକୁ ପ୍ରାୟ କୋଡ଼ିଏ ବର୍ଷ ହେବ ସେ କୃଷ୍ଣାକୁ ଦେଖିନାହାନ୍ତି । ତା’ କଥା ଭାବି ମଧ୍ୟ ନାହାନ୍ତି । କେବେ ମୁହୂର୍ତ୍ତେ ହେଲେ ବି ତାଙ୍କର ମନ ଆକାଶରେ ସେ ଜଳି ଉଠିନାହିଁ ଫାଇଁକିନା ଛୋଟ ଚନ୍ଦ୍ରଉଦିଆଟିଏ ଭଳି । କେବେ ଥରେ ହେଲେ ବି ତାଙ୍କର ମନ ଆକାଶରେ ସେ ଉଡ଼ିଯାଇ ନାହିଁ ଛୋଟ ଫୁଲଚୁଇଁ ଚଢ଼େଇଟିଏ ଭଳି । ଥରେ ହେଲେ ବି ତାଙ୍କ ମନ ତଡ଼ାଗରେ ଢେଉଟିଏ ତୋଳିନାହିଁ ସେ ସାନ ମହୁରାଳୀ ମୀନଟିଏ ଭଳି । ଅଥଚ–କୃଷ୍ଣା–କୃଷ୍ଣା–ଏଇ କୃଷ୍ଣା ଚୌଧୁରୀ ତାଙ୍କୁ କ’ଣ ବା ନ ଦେଇଥିଲା ? କୋଡ଼ିଏ ବର୍ଷ ତଳେ ସେ ଯାହା ଦେଇଥିଲା–ଯେତିକି ଦେଇଥିଲା–କିଏ ଭଲା ଆଉ ତାଙ୍କୁ ଏହି କୋଡ଼ିଏ ବର୍ଷ ଭିତରେ ସେଇଆ ଆଉ ସେତିକି ଦେଇଛି । କିଏ ଦେଇଛି । ସ୍ତ୍ରୀ ? ପୁତ୍ର-? କନ୍ୟା ? ସମାଜ ? ରାଷ୍ଟ୍ର ? କେହି ନୁହେଁ–କେହି ନୁହଁ । କି ଅକୁଣ୍ଠିତା ପ୍ରେମ–ମାଧୁର୍ଯ୍ୟରେ ପରିପୂର୍ଣ୍ଣା ଥିଲା ଏଇ କୃଷ୍ଣା ? ସମଗ୍ର ପାତ୍ର ନିଃଶେଷ କରି ସେ ଦେଉଥିଲା–ମାତ୍ର ସଙ୍ଗେ ସଙ୍ଗେ ପରିପୂର୍ଣ୍ଣ ହୋଇଯାଉଥିଲା ତା’ର ପାତ୍ର । ଅକ୍ଷୟ ପ୍ରେମ–ଭଣ୍ଡାରର ଅଧିଷ୍ଠାତ୍ରୀ ଦେବୀ କୃଷ୍ଣା । ଏଇ କୃଷ୍ଣା ତାଙ୍କର ପ୍ରତିଷ୍ଠା–ପୂର୍ବ ଜୀବନକୁ କରି ରଖିଥିଲା ରସୋଚ୍ଛଳ, ପ୍ରାଣୋଚ୍ଛଳ । ଏଇ କୃଷ୍ଣା ହିଁ ବୋଧହୁଏ ତାଙ୍କୁ ତାଙ୍କର ଅଜାଣତରେ ପ୍ରେରଣା ଦେଇ ଚାଲିଥିଲା ତାଙ୍କ ଜୀବନର ଅନ୍ତର୍ନିହିତ ସେହିସବୁ ବିଶେଷ ଶକ୍ତିମାନଙ୍କୁ ବିକଶିତ କରିବା ପାଇଁ । ବିନିମୟରେ କୃଷ୍ଣା କିଛି ଚାହିଁ ନ ଥିଲା-। କାହାଠାରୁ ବି ସେ କିଛି ଚାହିଁ ନ ଥିଲା । କବି ବେଣୁ ରାଉତରାୟ, ଔପନ୍ୟାସିକ ଅଖିଳ ମହାନ୍ତି, ଚିତ୍ରକର ଶ୍ୟାମ ତ୍ରିପାଠୀ, ରାଜନୀତିକ ନେତା ସୀତାକାନ୍ତ ପଟ୍ଟନାୟକ, ଦାର୍ଶନିକ ଚିଦାନନ୍ଦ ରାୟ, ଐତିହାସିକ ମସିଉଲ୍ଲା ଖାଁ ସମସ୍ତେ ଆଜି ଏ ଦେଶର ବିଶିଷ୍ଟ ପ୍ରତିଷ୍ଠିତ ବ୍ୟକ୍ତି । ଅଥଚ ସମସ୍ତେ ଆଜି ଋଣୀ ସେହି ସେଦିନର କୃଷ୍ଣା ଚୌଧୁରୀ ପାଖରେ । ପ୍ରକୃତରେ କୃଷ୍ଣା ହିଁ ଥିଲା ପ୍ରେମିକ–ଆଉ ତାରି ପ୍ରେମ-ରସକୁ ଆକଣ୍ଠ ପାନ କରି ଏମାନେ ଧନ୍ୟ ହେଉଥିଲେ । ସମସ୍ତଙ୍କୁ ସେ ପ୍ରାଣଭରି ପ୍ରେମ ଦେଉଥିଲା–ଆହ୍ଲାଦ ଦେଉଥିଲା–ଉଚ୍ଚାଟ ଦେଉଥିଲା–ପ୍ରେରଣା ଯୋଗାଉଥିଲା । ତା’ର ହୃଦୟରେ ଥିଲା ଏକ ସୃଜନକ୍ଷମ ଅଦ୍ଭୁତ ସଂପ୍ରେରଣାମୟୀ ପ୍ରେମ । ତା’ର ଚାରିପଟେ ଘେରି ରହି “ଦେହି ଦେହି” ଡାକି ଛାଡ଼ୁଥିବା ତା’ର ପ୍ରଣୟପ୍ରାର୍ଥୀମାନଙ୍କୁ ଦାନ ଦେବାରେ ସେ କେବେହେଲେ ବି ପାତର ଅନ୍ତର କରୁ ନ ଥିଲା । ସମସ୍ତଙ୍କ ଅଞ୍ଜଳି ପୂର୍ଣ୍ଣ କରି ଦେଉଥିଲା ସେ । ଅକୁଣ୍ଠିତା, ପ୍ରତିଦାନଗ୍ରହଣବିମୁଖା ମାଧୁର୍ଯ୍ୟମୟୀ କୃଷ୍ଣା ଚୌଧୁରୀ !

 

ଆଃ !! ଡା: ଗୋକୁଳାନନ୍ଦ ଛାତି ଭିତରେ ଏକ ମର୍ମନ୍ତୁଦ ବେଦନା ଅନୁଭବ କଲେ । ଆଜି ସେ ସମଗ୍ର ଦେଶରେ ଜଣେ ପ୍ରତିଷ୍ଠିତ ଗଣ୍ୟମାନ୍ୟ ବୈଜ୍ଞାନିକ । ତାଙ୍କ ବୈଜ୍ଞାନିକ ଅବଦାନରେ କୁଆଡ଼େ ଆଜି ସମଗ୍ର ଦେଶ ଉପକୃତ । ମାତ୍ର ସେହି ପ୍ରେମମାଧୁର୍ଯ୍ୟମୟୀ କୃଷ୍ଣା ଚୌଧୁରୀକୁ ସେ କ’ଣ ବା ପ୍ରତିଦାନ ଦେଇଛନ୍ତି ? ସେହି ସ୍ୱର୍ଗର ଦେବୀ, କଳ୍ପଲୋକବାସିନୀ ରସମୟୀ ନାରୀଟିକୁ ଏହି କୋଡ଼ିଏବର୍ଷ ଧରି ସେ ମନେ ବି ରଖିନାହାନ୍ତି । ଏହି କୋଡ଼ିଏଟି ବର୍ଷ ସେ କେବଳ ଆପଣାର ଯଶ, ପୌରୁଷ ଓ ପ୍ରତିଷ୍ଠା ଅର୍ଜ୍ଜନରେ ନିଶାଗ୍ରସ୍ତ ହୋଇ ସବୁକିଛି ଭୁଲି ଯାଇଛନ୍ତି । ଏପରିକି କୃଷ୍ଣା ଚୌଧୁରୀକୁ ବି ? ଅଥଚ ପ୍ରତିଟି ସକାଳର ସେହି ଥିଲା ପ୍ରାଣପ୍ରଦାୟିନୀ ଅରୁଣାଲୋକ । ପ୍ରତିଟି ସନ୍ଧ୍ୟାର ତାରା ଥିଲା ସିଏ–ପ୍ରତିଟି ରାତିର ଚନ୍ଦ୍ରମା । ସେ ଥିଲା ବର୍ଷାଋତୁର ମେଘ–ଶୀତ–ଋତୁର ଶୀତ–ବସନ୍ତର ମଧୁ–ଆଉ ଶରତର ଶୁଭ୍ର ସତେଜ ସକାଳମାନ । ପ୍ରେମ–ସାମ୍ରାଜ୍ୟର ସାମଜ୍ଞୀ ସେ । ସିଂହାସନାରୁଢ଼ା ତା’ର ପଦତଳେ ସବୁ ପ୍ରତିଷ୍ଠା, ସବୁ ଯଶ, ସବୁ କୀର୍ତ୍ତି, ସବୁ ଧନ ଆଉ ସବୁ କ୍ଷମତା ଡାଲାଏ ଫୁଲ ଭଳି ଅଜାଡ଼ି ହୋଇପଡ଼ିବେ । ସେହି ତା’ର ଅର୍ଘ୍ୟ–ତା’ପାଇଁ ଯୋଗ୍ୟ ପ୍ରତିଦାନ ! ସଂସାରର ସମସ୍ତ ସୌଭାଗ୍ୟ ତା’ ପାଦତଳର ଫୁଲଟିଏ ମାତ୍ର !

 

ଡା: ଗୋକୁଳାନନ୍ଦ ନିଜର ଓଜନ ହରାଇବସିଲେ । ତାଙ୍କର ମନେହେଲା ସେ କ୍ରମଶଃ ଲଘୁ ହୋଇ ଉଠୁଛନ୍ତି । ତାଙ୍କ ଦେହରୁ ସବୁ ବିଶ୍ଳେଷଣ ଖସିପଡ଼ୁଛନ୍ତି । କୃଷ୍ଣା ଚୌଧୁରୀ ଏହି ମୁହୂର୍ତ୍ତରେ ତାଙ୍କର ସ୍ମୃତିରେ ଉଦୟ ହୋଇ ତାଙ୍କର ସମସ୍ତ ଅର୍ଜିତ ତେଜକୁ ମ୍ଳାନ କରି ଦେଲାଣି । ଏଇ ପ୍ରତିଷ୍ଠା, ଏଇ ତେଜ ସତେ କି ତାଙ୍କ ଅର୍ଜିତ ନୁହେଁ । କୃଷ୍ଣା ଚୌଧୁରୀ ହିଁ ଏଗୁଡ଼ିକର ଯଥାର୍ଥ ଅଧିକାରିଣୀ ! ଦେବେ–ଦେବେ ତାକୁ ସେ ତା’ର ଅବଦାନ–ଏହିସବୁ ଆଜି ଫେରାଇ ଦେଇଆସିବେ । ଅଜାଡ଼ି ଦେଇ ଆସିବେ ତା’ର ପାଦତଳେ ତାଙ୍କ ଜୀବନର ସମସ୍ତ ଅର୍ଜିତ ଯଶ, ପୁଣ୍ୟ, କୀର୍ତ୍ତି, ମାନ ସମ୍ମାନ ଓ ସବୁକିଛି ।

 

ଆଜି ମନେ ପଡ଼ିଯାଉଛି–ସେହି କେତେକାଳ ପୂର୍ବର ଗୋଟିଏ ମଧୁମୟୀ ଉଚ୍ଚାଟକାରିଣୀ ସୌଭାଗ୍ୟସୂଚକ ସନ୍ଧ୍ୟା । କୃଷ୍ଣା ଥିଲା ଏକ ବିପୁଳା କେଶସମ୍ଭାରର ଅଧିକାରିଣୀ । ଏକ ବାସନ୍ତୀ ସନ୍ଧ୍ୟାରେ ଗୋଲ୍ ବଜାରର ଛକ ଉପର ଅଳଙ୍କାର ଦୋକାନ ଆଗରେ ଠିଆ ହୋଇଥିଲା କୃଷ୍ଣା । ସାଙ୍ଗରେ ଥିଲା ଏଇ ସୁକୁମାରୀ । କୃଷ୍ଣର ବିପୁଳ ଘନକୃଷ୍ଣ କବରୀକୁ ବହୁ ପ୍ରସ୍ତରେ ଜଡ଼ାଇ ଧରିଥିଲା ଗୋଟିଏ ଘଞ୍ଚ ବକୁଳର ମାଳ । ଗୋକୁଳାନନ୍ଦ ଏକକୋଟି ତଦ୍ରପ ସନ୍ଧ୍ୟାରେ ସର୍ବଶ୍ରେଷ୍ଠ ଅବଦାନ ରୂପେ ମନେ କରିଥିଲେ ସେଦିନ କୃଷ୍ଣା ଚୌଧୁରୀ । ...ତା’ପରେ ତ ପରେ ଏହି ସୁକୁମାରୀ ହିଁ ତାଙ୍କୁ ନେଇ ଜୁଟାଇ ଦେଇଥିଲେ କୃଷ୍ଣା ପାଖରେ । ସେ ବହୁତ କଥା–ନାଃ । ତାକୁ ସବୁ ଆଉ ତଉଲି ହେବ ନାହିଁ–ସେ ସବୁକୁ ଆଉ ଧାରାସୂତ୍ରରେ ପକାଇ ଘଟଣା ପରମ୍ପରା ତିଆରି କରି ହେବ ନାହିଁ–ସେ ସବୁ କେବଳ ଅନୁଭୂତି ହୋଇଯାଇଛି । ଅନୁଭୂତି; ଯାହା ଏକାଧାରରେ ବିଷାଦ ଆଉ ମଧୁର–ବାସ୍ତବ ଆଉ ସ୍ୱପ୍ନର–ପାଇବା ଆଉ ହରାଇବାର–ଧରିବା ଆଉ ଛାଡ଼ିବାର–ନାଃ ଆଉ ଭାବି ମଧ୍ୟ ହେଉନାହିଁ–ଛାତିଭିତରେ ଲହରୀ ପରି ଲହରୀ ଉଠୁଛି । ସେ ଏଡ଼େ ଅକୃତଜ୍ଞ ! ଏଡ଼େ ନୀଚ ! ଏଡ଼େ ଅହଙ୍କାରୀ ! ଏତେ ପ୍ରେମହୀନ ? କୋଡ଼ିଏ ବର୍ଷଧରି ସେ ଭୁଳିଯାଇଛନ୍ତି କୃଷ୍ଣାକୁ ? କୃଷ୍ଣାଙ୍କୁ ଭୁଲିହୁଏ ? ଯଦି ହୁଏ–ତେବେ ଏଇ ମୁହୂର୍ତ୍ତରେ ସେ ତାଙ୍କ ଜୀବନର ସମସ୍ତ ପ୍ରସ୍ତିଷ୍ଠା, ପ୍ରତିଭା ପ୍ରତିଜ୍ଞା ଓ ପରାକାଷ୍ଠାକୁ ଏହି ନଦୀଗର୍ଭକୁ ପକାଇଦେବେ । ପକାଇଦେବେ ଓ ବିଶେଷଣହୀନ ବିଶେଷ୍ୟଟିଏ କ୍ରିୟାଆଡ଼କୁ ସହଜରେ ଦଉଡ଼ିଯିବା ଭଳି–ଲଙ୍ଗଳା ଶିଶୁଟି ତା’ର ମାଆ ପାଖକୁ ଦୌଡ଼ି ଯିବାଭଳି ସେ ବର୍ତ୍ତମାନ ହିଁ ତା’ପାଖକୁ ଦୌଡ଼ିଯିବେ ଓ ତା’ର କୋଳଭିତରେ ମୁହଁ ଲୁଚାଇ କାନ୍ଦି ଉଠିବେ । ମାଆଲୋ ! ମୁଁ ଫେରିଆସିଛି । ପଦାରେ ମୋର ସବୁ ଧୂଳିଘର ଭାଙ୍ଗିଦେଇ ଆସିଛି । ମତେ ଏବେ ଦୁଦୁ ଦେ, ବୋକ ଦେ, କୋଳଭିତରେ ଜାକିରଖ । ମୁଁ ଆଉ ବାହାରକୁ ଯିବିନାହିଁ । ବାହାରେ ଖାଲି ମାଳ ମାଳ ଡାହାଣୀ ଲୋ ମା–ମାଳ ମାଳ ଚିରୁଗୁଣୀ । ଆଉ ବାହାରକୁ ଯିବିନାହିଁ । ଦେ ମତେ ଜାକିରଖ କୋଳରେ । କହ–ମତେ ରଜାପୁଅ ମନ୍ତ୍ରୀପୁଅ କଥା–ବାଘମାମୁଁ କଥା–ନାକୁଆ କଣ୍ଡରା କଥା–ସେହି ମଣିପୁର ରାଜଜେମା କଥା ଯାର ବାରହାତ ଲମ୍ବ ବାଳ !

 

ଡା: ଗୋକୁଳନନ୍ଦ ପୁଜାରୀ ଏକ ଅଭାବିତ ଅପ୍ରସ୍ତୁତ ଉତ୍ତେଜନାରେ କାନ୍ଦିବେ କାନ୍ଦିବେ ହେଉଥିଲେ–ଏହି ସମୟରେ ସୁକୁମାରୀ କହିଲା–

 

ଆଉ ସବୁ ତମର ଭଲଟି ବାବୁ ?

 

ହଁ ଲୋ ସବୁ ଭଲ । ମତେ କହିଲୁ–କୃଷ୍ଣା ବର୍ତ୍ତମାନ କିପରି ଅଛି ?

 

ଭଲ ଅଛନ୍ତି । ଝିଆରୀ କି ବାହାକରି ଦେଲେ । ପୁତୁରାଟିକୁ ପାଠ ପଢ଼ାଇ ମଣିଷ କରିଛନ୍ତି । ପୁତୁରା ବର୍ତ୍ତମାନ ରାଉଲକେଲାରେ ବଡ଼ ଡାକ୍ତର । ପିଲାପିଲି ନେଇ ସେଇଠି ଅଛି । ଦିଦିଙ୍କି ପାଖରେ ରଖିବାକୁ ବହୁତ ଲଗେଇଲା । ଦିଦି ମନା କରିଦେଲେ । କହିଲେ–ନାଇରେଁ ବାବୁ ମୁଁ ଏଇଠି ରହିବି । କେବେ କେବେ ଯାଇ ବୁଲି ଆସନ୍ତି । ଏଇଠି ରହି ପ୍ରାଇଭେଟ୍ ପ୍ରାକ୍ଟିସ୍ କରୁଛନ୍ତି-। ଅତୁଳବାବୁ ଡାକ୍ତରଖାନାରେ ଓଳିଏ କାମ କରନ୍ତି । ଚଳି ଯାଉଛି ।

 

ତୁ କୋଉଠି ଅଛୁ ସୁକୁମାରୀ ?

 

ମୁଁ ? ମୁଁ ଆଉ କୋଉଠି ରହିବି ? ସେଇ ଦିଦି ପାଖେ ଥାଏଁ–ରହିଛି ।

 

ମୋର ତ ଆଉ କେହି ନାହିଁ । ଦିଦିକି ଛାଡ଼ି ଆଉ କୁଆଡ଼େ ଯାନ୍ତି ? ତା’ଛଡ଼ା ମୁଁ ଗଲେ ଭାରି ଦିଦିକି ଦେଖାଶୁଣା କରିବ କିଏ ? ଯିବ ବାବୁ ଏଇନେ ତାଙ୍କ ଘରକୁ ? ଯାଉନା !!

 

ଗୋକୁଳାନନ୍ଦଙ୍କର ହୃଦୟ ସ୍ଫିତହୋଇ ଉଠିଲାଣି । ସେ କୁରୁଳିତ ହୋଇ କହିଲେ–

 

ଯିବ କ’ଣ ସୁକୁମାରୀ ? ରହିବି ମୁଁ ଏଣିକି ସବୁଦିନେ ତା’ପାଖେ । ମତେ ସେ ରଖିବ ତ ? ମତେ କେମିତି ତା’ ପାଖେ ରଖିଦେ ସୁକୁମାରୀ । ତୋ’ ହାତ ଧରୁଛି । ନେହୁରା ହେଉଛି ।

 

ସୁକୁମାରୀ ଫେର୍ ତା’ର ପାନଖିଆ ନାଲିପାଟିରୁ ଛିଲିକାଏ ହସ ଛାଡ଼ି କହିଲା–

 

କାହିଁକି ସେମିତି ବାହାପିଆ କଥା କହୁଛ ? ମାତ୍ରକ ଯିବ ଯଦି ଦିଦି ଭାରି ଖୁସି ହୋଇଯିବ । ମାଈକିନିଆ ତ ନୁହଁ ସରଗର ଦେବୀ ସେ ବାବୁ । ବୁଢ଼ୀ ହେଲାଣି–ହେଲେ କିଏ କହିବ ବୁଢ଼ୀ ବୋଲି ? ସବୁବେଳେ ରସ ଟୁଳୁ ଟୁଳୁ । ତା’ ମନଭାବ କିଏ କଳିବ ? ପର ଆପଣା ଅଛି କି ? ସାଇଟାଯାକର ପିଲା ପରା ତା’ ଘରେ । ଖାଇବେ–ଖେଳିବେ–ପାଠ ପଢ଼ିବେ । କାହାକୁ ସିଲଟ କିଣିଦେବେ–କାହାକୁ ବହି, କାହାପାଇଁ ଜାମା ପାଣ୍ଟ । ସାଇର ପିଲା ବୁଢ଼ା ମରଦ ମାଇପେ ସମସ୍ତଙ୍କର ଦିଦି । ଏବେ କ’ଣ ମା’ ଦୀକ୍ଷା ନେଇଛି । ହପ୍ତାକେ ଦି’ଦିନ ପାଠଚକ୍ର କରାଉଛି ଘରେ । କହୁଛି–କ’ଣ ସବୁ ରୂପାନ୍ତର ହବ । ବରଷକେ ଦି’ଥର ଯାଉଛି ପଣ୍ଡିଚେରୀ । ଘରଯାକ ଖାଲି ମା’ ଅରବିନ୍ଦ ଫଟ ଟଙ୍ଗା ହୋଇଛି । ଏଇ ଅତୁଳ ବାବୁ ଡାକ୍ତର ତାକୁ ସେ ମାଆ ଦୀକ୍ଷା ଧରେଇଲା । ଦିନେ ଦିନେ କାନ୍ଦି ଉଠିବ–ଆଉ ମୋ କାନ୍ଧରେ ହାତ ପକେଇ କହିବ–ଥୟଧର ସୁକୁମାରୀ । ଏ ପୃଥିବୀ ଖୁବ୍ ଶୀଘ୍ର ରୂପାନ୍ତର ହୋଇଯିବ । ଆଉ ଏମିତି ରହିବ ନାହିଁ ।

 

ଗୋକୁଳାନନ୍ଦ ବାବୁ ଉଠି ଠିଆ ହେଲେ । ତା’ପରେ ବିହ୍ୱଳ ଚିତ୍ତରେ ସୁକୁମାରୀର ଦୁଇବାହୁକୁ ଧରି ଛୋଟ ପିଲାଙ୍କ ପରି ଅଳିକରି କହିଲେ–ସୁକୁମାରୀ ଲୋ ! ମତେ ତା’ ପାଖକୁ ନେଇଚାଲ ।

 

ମଲା ! ନେଇଚାଲ କ’ଣ ମ ? ତମେ ଆସୁନ । ଦେଖିଲେ ତ କୋଟିନିଧି ପାଇଯିବ । ତମେ ସିନା ବାବୁ ବଡ଼ଲୋକ ହେଇ ସବୁ ଭୁଲି ଯାଇଛ–ହେଲେ ତାଙ୍କ ମନରୁ କେହି ଯାଇ ନାହାନ୍ତି-। ଦିନେ ଦିନେ ଆପଣଙ୍କ କଥା ପକାନ୍ତି । ଭାରି ପ୍ରଶଂସା କରନ୍ତି । ସମସ୍ତଙ୍କ କଥା ପକାଇବେ-। କଥା କହୁ କହୁ କାନ୍ଦି ପକାଇବେ–ଫେର କ’ଣ ମନକୁ ଆସିବ ହସିଦେବେ । କ’ଣ ମନରେ ଭାବନ୍ତି କେଜାଣି ?

 

ଡା: ଗୋକୁଳାନନ୍ଦ ନବୀନ ପ୍ରେମିକଟିଏ ଭଳି ପଚାରିଲେ–

 

ମୋ କଥା ମନେ ପକାଏ କୃଷ୍ଣା ? ସତ କହୁଛୁ ? ତୁମ ଧିଅଛୁଉଁଛି ବାବୁ ! କୋଉଦିନ ଖବର କାଗଜଟାଏ ଆଣି ଫଟ ଦେଖେଇବେ–କି କ’ଣ ଗୋଟେ ତୁମ ବିଷୟରେ ଖବର ବାହାରି ଥିବ–ପଢ଼ି ଶୁଣାଇବେ–ସୁକୁମାରୀ । ଶୁଣ ଲୋ । ତୋ ଗୋକୁଳାନନ୍ଦବାବୁ କଥା । ରେଡ଼ିଓରେ ବି କେତେଥର ତୁମ ତୁଣ୍ଡ ଶୁଣାନ୍ତି ବାବୁ ।

 

ମୁଁ ଯିବି ସୁକୁମାରୀ ! ମତେ ନେଇଚାଲ । ମୁଁ ଯିବି । ମୁଁ କୃଷ୍ଣା ପାଖେ ରହିବି । ତା’ ପାଦତଳେ ରହିବି । ତା’ ପାଦ ସେବିବି । ତା’ର କୋୟର ହେବି । ସବୁ ତା’ ପାଦତଳେ ଅଜାଡ଼ି ଦେବି–ସବୁ ।

 

ଦେଖ–ଦେଖ । ତୁମ ମୁଣ୍ଡ ଖରାପ ହେଲାଣି ନା କ’ଣ ? କିଓ ସେମିତି ବେହଲ କାହିଁକି ହଉଚ ? ଯାଉନ ! ଚା’ ଖାଇ ଆସିବ । କେଡ଼େ ଖୁସି ହୋଇ ଯିବେ ଯେ !

 

ନାଇଁ ସୁକୁମାରୀ ! ତୁ ମତେ ନେଇ ଚାଲ ।

 

ହଉ ! ତା’ହେଲେ ଆସୁନ ! ଆସ ! କେତେ ବାଟ କି ? ହେଇପରା ସେଇ ଟାଇଲି ଛପର ଘରଟା–

 

ନାଇଁଲୋ ସୁକୁମାରୀ ! ସେମିତି ନୁହଁ । ତୁ ଏଇ ଯେଉଁ ଚଢ଼େଇ ଝାଡ଼ କରିଛୁ ସେଥିରେ ମତେ ଟାଙ୍ଗି କରି ତା’ ପାଖକୁ ନେଇଚାଲ । ସେ ମତେ ତୋ ଠାରୁ ପାଞ୍ଚଟି ପଇସା ଦେଇ କିଣିକରି ନଉ । ମତେ ନେଇ ଖେଳୁ । ସେ ମତେ ଖେଳୁ । ହଁ ! ମତେ ଏମିତି ଗୋଟେ ବେଲୁନ୍ ଚଢ଼େଇ ବନେଇ ଦେ ସୁକୁମାରୀ । ନେଳୀ ଚଢ଼େଇଟିଏ କରିଦେ । ମୋ ଭିତରେ ପବନ ପୁରେଇ ଦେ । ମୋଡ଼ି ମାଡ଼ି ଭାଙ୍ଗି ଭୁଙ୍ଗି ଚଢ଼େଇ କରିଦେ । ଦି’ ପାଖରେ କରିଦେ ଦୁଇଟା ପର । ପଛରେ ଖଞ୍ଜିଦେ ପୁଚ୍ଛଟିଏ ଆଉ ବେକରେ ବାନ୍ଧିଦିଏ ନାଲି ରିବନଟିଏ । ମୁହଁରେ ଲଗେଇ ଦେ ଧଳା ଥଣ୍ଟୁଟିଏ । ଦୁଇପାଖେ ଦୁଇଟି ଚଢ଼େଇ ଆକ୍ଷି, ଏମିତିକା ଏଇମାନଙ୍କ ଭଳିଆ ଗୋଲ ଗୋଲ ।

 

ଡା: ଗୋକୁଳାନନ୍ଦ ସୁକୁମାରୀ ହାତରେ ଚଢ଼େଇ ଝାଡ଼ଟିକୁ ଘୂରାଇ ଦେଲେ । ଚଢ଼େଇମାନେ ଚକରକାଟି ଘୂରି ବୁଲିଲେ ଚମତ୍କାର । ତା’ ଲାଞ୍ଜରେ ୟା ଥଣ୍ଟ–ୟା ଥଣ୍ଟରେ ତା’ ଲାଞ୍ଜ ବାଜୁଥାଏ । ଦେ ବନେଇ ଦେ ସୁକୁମାରୀ ! ଟାଙ୍ଗୀ–ଦେ ମତେ ଏଇ ଚଢ଼େଇ ଝାଡ଼ରେ ସୂତାଟିଏ ମୋ ବେକରେ ବାନ୍ଧି । ମୁଁ ଏଇ ଚଢ଼େଇମାନଙ୍କ ମେଳରେ ଝୁଲି ଝୁଲି ତା’ ପାଖକୁ ଯିବି । ତୁ ମତେ ନେଇଯିବୁ ଯେମିତି ସେ ଦିନ ପ୍ରଥମ କରି ମତେ ପାଖକୁ ନେଇ ଯାଇଥିଲୁ । ନେ ନେ ସୁକୁମାରୀ ! ମତେ ନେ ! କୃଷ୍ଣା ପାଖକୁ ନେଇ ଚାଲ । ସେ ମତେ ଖେଳୁ । ମତେ ଚଢ଼େଇଟିଏ କରି ଉଡ଼ାଉ ।

 

ସତକୁ ସତ ଡ଼ା: ଗୋକୁଳାନନ୍ଦ ଉଲ୍ଲସିତ ଉଚ୍ଚାଟିତ ମୁଖରିତ ବିହଙ୍ଗଟିଏ ହୋଇଗଲେ । ସୁକୁମାରୀ ତାଙ୍କ ବେକରେ ସୂତାଟିଏ ବାନ୍ଧ ତାଙ୍କୁ ତା’ର ଚଢ଼େଇ ଝାଡ଼ରେ ଟାଙ୍ଗିନେଇ ଯାଇଥିଲା ତା’ର କୃଷ୍ଣା ଦିଦିଙ୍କ ପାଖକୁ । କୃଷ୍ଣା ଦିଦି ଖେଳିବ ଏଇ ନୂଆ ପ୍ରକାରର ପବନପଶା ନେଳୀ ବେଲୁନର ଚଢ଼େଇଟି ସାଙ୍ଗରେ । କୃଷ୍ଣାଦିଦି ମଣିଷ ନୁହେଁ–ଦେବୀ । କଳ୍ପଲୋକର ବାସିନ୍ଦା ସେ । ତାକୁ ରୂପାନ୍ତର ବିଦ୍ୟା ଜଣା । କୃଷ୍ଣାଦିଦିର ନାମ ସ୍ମରଣ କଲାମାତ୍ରେ କ’ଣ ସବୁ ପୁରୁଷ ଏମିତି ପବନପଶା ବେଲୁନ୍ ଚଢ଼େଇ ହୋଇ ତା’ର ଝାଡ଼ରେ ଝୁଲିବେ ? ଏଇ ଚଢ଼େଇଟିକୁ ଦେଖି କୃଷ୍ଣାଦିଦି ହସିବେ, ଫେର କାନ୍ଦିବେ, ସେଇଠୁ ଗୁମମାରି ବସିବ । ତା’ପରେ ଛାଡ଼ିଦେବ–ଉଡ଼େଇଦବ । କହିବ–ଯାରେ ଚଢ଼େଇ ଯା–ଯା ଉଡ଼ିଯା । ଆହୁରି ଦୂର ଆକାଶକୁ ଉଡ଼ିଯା । ଯା–ଯା–ଯା ଉଡ଼ିଯା । ମେଘ ଘରକୁ ଯା–ସୂର୍ଯ୍ୟଲୋକକୁ ଯା–ଚନ୍ଦ୍ରଲୋକକୁ ଯା–ନକ୍ଷତ୍ର ରାଇଜକୁ ଯା । ଯା ଯା ଉଡ଼ିଯା ! ଏଠି ବସି ଘୁମା ନାହିଁ–ଯା ଉଡ଼ିଯା । କୃଷ୍ଣାଦିଦି ଦାନା ବିଛାଡ଼ି ଚଢ଼େଇ ରୁଣ୍ଡେଇବ-। ଦେଖିବ–ଖେଳିବ ଘଡ଼ିଏ । ଫେର୍ ଛାଡ଼ି ଦେବ । କାହାକୁ ପଞ୍ଜୁରୀ ଭିତରେ ବାନ୍ଧି ରଖିବନାହିଁ-। ଖାଲି କହୁଥିବ ଉଡ଼ିଯା ଉଡ଼ିଯା ଉପରକୁ ଉଡ଼ିଯା, ଫେର୍ ଉପରକୁ । ଉଡ଼େଇ ଦେବ ଫେର୍ ଚାହିଁ ରହିଥିବ ଆକାଶକୁ । ଆହା ! ମୁଁ ମରିଯାଉ ଥାଏଁଟି । କୃଷ୍ଣାଦିଦି ଦେବୀ ନା ମାନବୀ-! ତାକୁ ରୂପାନ୍ତର ବିଦ୍ୟା ଜଣା ।

 

ଏହାର ଦୁଇଦିନ ପରେ ।

 

ଆଉ ଗୋଟିଏ ସକାଳେ । ସାହିରେ ଲୋକମାନେ ଦେଖିଲେ ସହରର ବିଶିଷ୍ଟ ପ୍ରତିଷ୍ଠାବାନ୍ ବୈଜ୍ଞାନିକ ଡଃ ଗୋକୁଳାନନ୍ଦ ପୂଜାରୀ କୋଡ଼ି କୋଦାଳ ଓ ଟ୍ରଲିଟିଏ ସହ କେତେକ ଯୁବକ ସ୍ୱେଚ୍ଛାସେବକଙ୍କ ଗହଣରେ କେନାଳକୁଳ ରାସ୍ତା ଉପରୁ ମଣିଷଗୁହ ସଫା କରିବାରେ ଲାଗି ପଡ଼ିଛନ୍ତି । ଗୋକୁଳାନନ୍ଦ କୋଦାଳରେ ମଇଳା କାଢ଼ୁ କାଢ଼ୁ ଯୁବକମାନଙ୍କୁ ଉଦବୋଧନ ଦେଇ ଚାଲିଥାନ୍ତି–

 

ବୁଝିଲ ବାବୁମାନେ ! ଏ ସହରକୁ ସୁନ୍ଦର କରିବାକୁ ହେବ–ନିର୍ମଳ କରିବାକୁ ହେବ । ସତେଜ ଓ ପ୍ରାଣବନ୍ତ କରିବାକୁ ହେବ ଏଇ ସହରଟାକୁ । ଏ ସହରଟାର ରୂପାନ୍ତର ଘଟାଇବାକୁ ହେବ । ତୁମ୍ଭେମାନେ ନିରାଶ ହୁଅ ନାହିଁ । ବୃଥାରେ ଏଣେତେଣେ ଦଉଡ଼ଧାପଡ଼ କରନାହିଁ । ତୁମେ ଯାହା ଖୋଜୁଛ–ଯାହାକୁ ଖୋଜୁଚ ତା’ର ମାଆ ଏଇ ସହର ଭିତରେ ଅଛି ମୁଁ ତାକୁ ପାଇଛି । ସେ କୁଆଡ଼େ ପଳେଇ ଯାଇନି–ତାକୁ କେହି ନେଇଯାଇନାହାନ୍ତି । ମୁଁ ତାକୁ ତୁମ ହାତରେ ଦେବି । ତୁମେ ଆଗ ସଫାକରି ଚାଲ । ଏହା ପରେ ଆମ୍ଭେମାନେ କୃଷ୍ଣଚୂଡ଼ା ଗଛମାନ ଏ କେନାଲ କୂଳେ କୂଳେ ଲଗାଇବା । ଶହେ ଚାରାଗଛ ମୁଁ ମୋ ବଗିଚାରେ ଉତ୍ତାରିଛି । ଚଲାଅ କାମ । ରୂପାନ୍ତର କର–ରୂପାନ୍ତର । ଲାଗ କାମରେ....

 

ଗୋକୁଳାନନ୍ଦଙ୍କର ଏହି କାର୍ଯ୍ୟକୁ ଅଦୂରରେ କେତେକ ସାହିବାଲା ଲୋକ ରୁଣ୍ଡହୋଇ ଦେଖୁଥିଲେ ଓ ମଜା ପାଉଥିଲେ । ସେମାନଙ୍କ ଭିତରେ ଜଣେ ହାମ୍ ବସ୍ତିବାଲା ଅନ୍ୟମାନଙ୍କ ଆଗେ ବକ୍ତୃତା ଝାଡ଼ୁଥିଲେ–‘‘ବୁଢ଼ାର ମଗଜ୍ ଖରାପ ହୋଇଗଲାଣି–ବୁଝିଲ ବଡ଼ ଭାଇ ! ଶନିବାର ଦିନ ବଡ଼ି ଫଜର୍ ହାମେ ଲଇକୂଳେ ମାହ୍‍ଧବ କାରିଗରକୁ ଛକିଥେଲ–ଦେଖିଲାବେଳକୁ ଏ ବେଧୁଆ ବୁଢ଼ା କ’ଣ କରୁଛି ଯାଇଁଲ ? ସେଇ ଯୋଉ କାଳୀ ବେଧ ମାଇକିନାଟା ବେଲୁନ୍ ବିକିବାକୁ ହାମ୍ ସାଇକି ଆସେଇନି ? ତା’ର ହାତଧରି ପରା ବେହଲ୍ ହଉଛି ! ମା’ ରାଣ ଅଛି ଭାଇ ! ଏ ଶ୍ଳା ଏସା ହାରାମୀ ବୁଢ଼ା ! ଦେଖୁନ ! ହାମ୍ ମା’ ଭଉଣୀ ସେଠି ଝାଡ଼ା ଫେରୁଛନ୍ତି–ଶ୍ଳା କେମନ୍ତା ଟୋକାଙ୍କୁ ରୁଣ୍ଡେଇ ସେଠି ତାମ୍‍ସା କରୁଛି !! ତାକୁ କ’ଣ ସରମ୍ ଅଛି ?

 

ତା’ କଥା ଶୁଣି ସାହିର ଆଉ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତି ଯେ କି ଗଲା ନିର୍ବାଚନରେ ସରକାରୀ ଦଳକୁ ଖୁବ୍ ସାହାଯ୍ୟ କରିଥିଲେ ବୋଲି ଶୁଣାଯାଏ–ସେ ତାଙ୍କର ଲମ୍ବୋଦରଟିକୁ ହଲାଇ ହଲାଇ ଓ ତା’ଉପରେ ଦୁଇ ଚାରି ଥର ପାଇଖାନା ଯିବା ପୂର୍ବରୁ ଫୋଟକା ମାରି କହିଲେ–ଏ ଛୋକାର୍ କ’ଣ ହାମର୍ ହଗ ବନ୍ଦ କରିଦେବ ? ହାମେ ଏମିତି ହଗି ଆଇଚନା–ଆଜି କ’ଣ ଏଠି ଲୁଆ ହଗୁଛ ? ଏଠି ଆଗ ହଗ ପଡ଼ିଆ ଥେଲା–ତା’ପରେ ଯାଇକରି ରାସ୍ତା ହେଲାନାଇଁ-! ଆଗ କ’ଣ ରାସ୍ତାଥେଲା ? ସେ ଛୋକାର୍ ବୁଢ଼ାକୁ କ’ଣ ଏତକ ହିଷ୍ଟ୍ରି ମାଲୁମ୍ ଅଛି ?

 

ଆଉ ଜଣେ ସାହିବାଲା କୁଲକୁଲ ହେଇ କହିଲା–

 

ଯାଉନ୍ନୁ ମାମୁଁ ! ସେ କେତେ ଝାଡ଼ୁ ମାରିବ ମାରୁଥାଉ । ହାମେ ଯଦି ସେଠି ଫେର୍ ନ ହଗିଛ !! ସେଠି ହାମେ ହଗିବା ନାଇଁ ତ କ’ଣ ତା’ର ମୁଣ୍ଡରେ ହଗିବା ?

 

ତେଣେ ଡଃ ଗୋକୁଳାନନ୍ଦ କହି ଚାଲିଥାନ୍ତି–ଶହେ କୃଷ୍ଣଚୁଡ଼ା ଲଗାଇବା ଏ ରାସ୍ତା କଡ଼େ କଡ଼େ ବୁଝିଲ ବାବୁମାନେ ! ଶହେ ପୁଷ୍ପିତା କୃଷ୍ଣଚୂଡ଼ାର ନାଲ ଟହ ଟହ ହସରେ ହସି ଉଠିବ ଏ ରାସ୍ତା– । ସେଇଠୁ ଧରିବା ନଈକୂଳ ରାସ୍ତା– । ଏ ସହର ବର୍ତ୍ତମାନ ଆମ ହାତରେ । ତୁମେମାନେ ଲାଗଯାଅ–ଆଉ ଏଣେତେଣେ ବୃଥା ଦଉଡ଼ଧାପଡ଼ କରନାହିଁ ।

 

ମୁଁ ପ୍ରତିଶ୍ରୁତି ଦେଉଛି–ତୁମେମାନେ ଯାହା ଖୋଜୁଛ ଯାହାକୁ ଖୋଜୁଛ–ତାକୁ ମୁଁ ତୁମ୍ଭମାନଙ୍କୁ ହାତରେଇ ଦେବି ଦେବି ଦେବି–ଦେଇଯିବି । କିନ୍ତୁ ଆଗ ରାସ୍ତା ସଫା କର–ରାସ୍ତା ସବୁ ଛାୟା–ଶୀତଳ କର–ପୁଷ୍ପାନ୍ୱିତ କର । ତା’ ନ ହେଲେ ସେ ଆସିବ କୋଉବାଟେ ? କୋଉବାଟେ ତୁମ୍ଭେମାନେ ତାକୁ ନେଇ ଚାଲିବ ? ଏ ସହର ବର୍ତ୍ତମାନ ତୁମର । ଚଲାଅ କାମ ।

 

ଯୁବକମାନେ ମହା ଉତ୍ସାହରେ ରାସ୍ତା ସଫା କରି ଚାଲିଥିଲେ ।

 

 

ସମୁଦ୍ର, ନୀଳକୁଣ୍ଡ ଓ ନୀଳବର୍ଣ୍ଣର ଶୃଗାଳ–ଉପାଖ୍ୟାନ

[ପ୍ରାଚୀନ ପାଠ୍ୟପୁସ୍ତକ ରୀତିରେ ଲିଖିତ ଏକ “ରୂପକ”]

 

ଏକଦା ନିଜକୁ ଚତୁର ବୋଲି ଭାବୁଥିବା କଶ୍ଚିଦ୍ ଶୃଗାଳ ଖୁବ୍ ତୃଷାର୍ତ୍ତ ହୋଇଉଠିଲା । ତା’ର ତୃଷାକୁ ସାଧାରଣଭାବେ ଶାନ୍ତ କରିବା ଲାଗି ନିକଟରେ କୂପ, ତଡ଼ାଗ, ବାମ୍ଫୀ, ପୁଷ୍କରିଣୀ, ନଦୀ ଓ ହ୍ରଦାଦି ଜଳାଶୟମାନ ପ୍ରସ୍ତୁତ ହୋଇ ରହିଥିଲେ । ମାତ୍ର ନିଜକୁ ଚତୁର ବୋଲି ମନେକରୁଥିବା ସେହି ଶୃଗାଳଟିର ମନୋଭୂମିରେ ଏକ ଅଦ୍ଭୁତ ଧାରଣା ଜାତ ହେଲା । ତା’ର ସେହି ତୃଷାର୍ତ୍ତ ମୁହୂର୍ତ୍ତରେ ମନେହେଲା–

 

“ମୁଁ ତୃଷାର୍ତ୍ତ ସତ୍ୟ, ମାତ୍ର ମୋର ଏହି ତୃଷା କଦାଶ୍ଚନ ସାଧାରଣ ତୃଷା ନୋହେଁ । ତେଣୁ ଏ ତୃଷା କୂପ, ବାମ୍ପୀ, ତଡ଼ାଗ, ହ୍ରଦ ବା ନଦୀମାନଙ୍କର ସାଧାରଣ ଜଳପାନରେ କେବେ ଶାନ୍ତ ହୋଇ ନ ପାରେ । ମୁଁ ସମୁଦ୍ରର ଜଳ ପାନ କରିବାକୁ ଚାହେଁ । ମୋର ଏ ତୃଷା ନିଶ୍ଚୟ ସାମୁଦ୍ରିକ ଅଟେ । ତେଣୁ ଆପାତତଃ ସାମୁଦ୍ରିକ ଜଳ ହିଁ ମୋର ଅବଶ୍ୟ ପାନୀୟ ଅଟେ ।”

 

(ଅବଶ୍ୟ “ଅସାଧାରଣ ତୃଷା” କ’ଣ, ତା’ର ସ୍ୱରୂପ କିପରି–ତାହା ଆମ୍ଭମାନଙ୍କର ସମ୍ପୂର୍ଣ୍ଣ ଅଜ୍ଞାତ ଅଟେ । ତେବେ ଏ ସ୍ଥଳେ ଏତିକି କୁହାଯାଇପାରେ–ଉପଯ୍ୟୁକ୍ତ ଶୃଗାଳଟି ଅନ୍ୟ ସମସ୍ତ ପ୍ରକାରେ ଆପାତତଃ ଅନ୍ୟ ଶୃଗାଳମାନଙ୍କ ସଦୃଶ ଥିଲା ଓ ଅନ୍ୟମାନଙ୍କଠାରୁ ତା’ର ପାର୍ଥକ୍ୟ ଆପାତତଃ କିଛି ଲକ୍ଷ୍ୟ କରି ହେଉ ନଥିଲା ।)

 

ନିଜକୁ ଚତୁର ବୋଲି ଭାବୁଥିବା ସେହି ଶୃଗାଳଟି ଏବଂବିଧ ଚିନ୍ତା ତା’ର ସାମୁଦ୍ରିକ ତୃଷା ନିବାରଣାର୍ଥ ସମୁଦ୍ରର ଅନ୍ୱେଷଣରେ ବହିର୍ଗତ ହେଲା । ଯଦିଓ ଏହି ସସାଗରାଧରାର ତିନି ଭାଗରୁ ଅଧିକାଂଶ ସମୁଦ୍ରଦ୍ଵାରା ବେଷ୍ଟିତ–ତଥାଚ ଶୃଗାଳଟି ସମୁଦ୍ର ଅନ୍ୱେଷଣରେ ବହୁକାଳ ଅତିବାହିତ କଲା । ବହୁକାଳ ଅତୀତ ହେବା ଉତ୍ତାରୁ ନିଜକୁ ଚତୁର ବୋଲି ମନେକରୁଥିବା ସେହି ତୃଷାର୍ତ୍ତ ଭ୍ରାମ୍ୟମାଣ ଶୃଗାଳଟି ଅତ୍ୟନ୍ତ କ୍ଲାନ୍ତ ହୋଇ ଦିନେ ଗୋଟିଏ ଅଶ୍ଵତ୍‍ଥ ବୃକ୍ଷ ସନ୍ନିକଟସ୍ଥ ଏବଂ ଗୁଳ୍ମ ଓ ବାଲ୍ମୀକଗୃହପରିବେଷ୍ଟିତ ଏକ ବିଲ ମଧ୍ୟରେ ଶରୀର ଗୋପନ କରି ବିଶ୍ରାମ ନେବାକୁ ଲାଗିଲା ଏବଂ ମନେ ମନେ ଚିନ୍ତା କଲା–

ଅହୋ ! ମୁଁ କି ଭ୍ରାନ୍ତ ଅଟେ !! ସମୁଦ୍ର କିପରି ପଦାର୍ଥ ତାହା ମୁଁ କସ୍ମିନ୍‍ କାଳେ ଏତଦ୍ ପୂର୍ବେ ଦେଖି ନାହିଁ । ପୁନଶ୍ଚ ସମୁଦ୍ରର ଆକାର ଓ ପ୍ରକାରାଦି ସମ୍ବନ୍ଧେ ମୁଁ ସମ୍ପୂର୍ଣ୍ଣ ଅଜ୍ଞ ଅଟେ । ତଥାଚ ମୁଁ ସାମୁଦ୍ରିକ ନିଶାରେ ସମୁଦ୍ର ଅନ୍ୱେଷଣ କରି ଏ ପୃଥିବୀକୁ ବୃଥା ପରିକ୍ରମଣ କରୁଅଛି ! ଧିକ୍ ମୋତେ ! ଶତଧିକ୍ ମୋର ମୂଢ଼ତାକୁ ।

ଏବଂବିଧ ଆତ୍ମଧିକ୍‍କାର କରୁ କରୁ କ୍ରମେ ସେ ନିଦ୍ରାକ୍ରାନ୍ତ ହେଲା ଏବଂ ତା’ର ଚକ୍ଷୁଦ୍ୱୟ ନିମୀଳିତ ହୋଇଆସିଲେ । ସେହି ବିଲ ମଧ୍ୟରେ ନିଜର ଶରୀରକୁ କିଞ୍ଚିତ୍ ସହଜଭାବେ ପ୍ରସାରିତ କରି ଶୃଗାଳଟି ଗର୍ତ୍ତ ବାହାରେ ନିଜର ମୁଖକୁ ସ୍ଥାପନ କରି ଉର୍ଦ୍ଧ୍ଵ ମୁଖ ହୋଇ ନିଦ୍ରା ଗଲା । ସେହି ନିଦ୍ର ବଶରେ ସେ ଗୋଟିଏ ସ୍ଵପ୍ନ ଦେଖିଲା । ତାହା ଏବଂବିଧ–

ନିକଟସ୍ଥ ବଲ୍ମୀକଗୃହ ମଧ୍ୟରୁ ଜନୈକ ମହାତେଜବିଗ୍ରହ ଦୀର୍ଘ ଜଟାଜୂଟ ଓ ଶୁଶ୍ରୁ ବିଲମ୍ବିତ ସନ୍ନ୍ୟାସୀ ତା’ର ସମ୍ମୁଖରେ ଆବିର୍ଭୂତ ହୋଇ କଲ୍ୟାଣମୁଦ୍ରା ପ୍ରଦର୍ଶନପୂର୍ବକ ହସ୍ତ ଉତ୍ତୋଳନ କରି ସସ୍ମିତ ବଦନରେ ପ୍ରଶ୍ନ କରୁଅଛନ୍ତି–

 

ବତ୍ସ ଶୃଗାଳପ୍ରବର ! ତୁମ୍ଭ ଉପରେ ଆମ୍ଭେ ପ୍ରସନ୍ନ ହୋଇଅଛୁ । ନିଜର ଅଭୀଷ୍ଟ ପ୍ରାର୍ଥନା କର ।

 

ଶୃଗାଳଟି କୃତାଞ୍ଜଳିପୁଟରେ କହିଲା–

 

ପ୍ରଭୋ ! ଅମାନିଶାର ତାମସୀ ବିଗ୍ରହକୁ ଅସଂଖ୍ୟ ରଶ୍ମିତୀରରେ ବାରମ୍ଵାର ଆଘାତକରତଃ, ତନ୍ନିର୍ଗତ ଶୋଣିତଧାରାର ଅବଲିପ୍ତ ସ୍ଵଶରୀରକୁ ରକ୍ତୋଜ୍ଜ୍ୱଳ–ଦୀପ୍ତିରେ ଉଦ୍ଭାସିତ କରୁଥିବା ଭଗବାନ ମରୀଚିମାଳୀଙ୍କର ବାଳାରୁଣଶୋଭାସଦୃଶ ଆପଣଙ୍କର ଏହି ଜ୍ୟୋତିବିଗ୍ରହ–ମୋର ମନରେ ଯୁଗପତ୍‍ ଭୟ, ବିସ୍ମୟ ଓ ଶ୍ରଦ୍ଧା ଜାତ କରୁଅଛି । ଅଜ୍ଞାନ–ତିମିରରେ ଅନ୍ଧୀଭୂତ ଚକ୍ଷୁ ଦୁଇଟିରେ ଜ୍ୱଳନ୍ତ ଜ୍ଞାନାଞ୍ଜନ–ଶଳାକା ସଦୃଶ ଆପଣଙ୍କର ଅପୂର୍ବ ତେଜୋଦ୍ଦୀପ୍ତ ଶରୀର ଦର୍ଶନ କରି ମୁଁ ହଠାତ୍ ନିଜକୁ ଦୂର ଓ ନିକଟଦର୍ଶୀ ଚକ୍ଷୁଷ୍ମାନବତ୍‍ ମନେକରୁଅଛି । ଭଗବାନ୍ ! ଏଥର କହିବା ହେଉନ୍ତୁ ଆପଣ କିଏ ?

 

ଦୀର୍ଘ ଜଟାଜାଳ–ଶ୍ମଶ୍ରୁବିଲମ୍ବିତ ମହାତେଜସ୍ଵୀ ସନ୍ନ୍ୟାସୀଟି କିଞ୍ଚିତ ପ୍ରସାଦଦୃଷ୍ଟି ନିକ୍ଷେପ କରି ସ୍ମିତହସି କହିଲେ–

 

ବତ୍ସ ଶୃଗାଳପ୍ରବର ! ତୁମ୍ଭେ ଯଥାର୍ଥ କହିଅଛ । ଏହା ତୁମ୍ଭର ପୂର୍ବଜନ୍ମର ସଂସ୍କାର ହେତୁ ସମ୍ଭବ ହୋଇଅଛି । ଆମ୍ଭେ ସ୍ଵୟଂ ‘ଜ୍ଞାନ’ ଅଟ । ବର୍ତ୍ତମାନ ନିର୍ଭୟରେ ସ୍ଵ–ଅଭୀଷ୍ଟ ପ୍ରାର୍ଥନା କର ।

 

ଶୃଗାଳଟି ତତ୍‍କ୍ଷଣାତ୍‍ ସନ୍ନ୍ୟାସୀଙ୍କର ସମ୍ମୁଖରେ ଭୂମିଷ୍ଠ ପ୍ରଣାମ କରି କହିଲା–

 

ଅହେ ! ମୋର ପରମ ସୌଭାଗ୍ୟ ଯେ ମୁଁ ସ୍ଵୟଂ ଅଜ୍ଞାନତିମିରବିଧ୍ୱଂସୀ ପରମ ତେଜୋଦ୍ଦୀପ୍ତ ଭଗବାନ୍ ଜ୍ଞାନଦେବଙ୍କର ଦର୍ଶନ ଲାଭ କଲି । ପ୍ରଭୋ ! ଯଦି ପ୍ରକୃତରେ ମୋ ଉପରେ ପ୍ରସନ୍ନ ହୋଇଥାଆନ୍ତି–ତେବେ ମୋତେ ସମୁଦ୍ରର ଆକାର ପ୍ରକାର ସମ୍ବନ୍ଧେ ଅବଗତ କରାନ୍ତୁ ଏବଂ ସମୁଦ୍ରର ସନ୍ଧାନ ବତାଇ ଦିଅନ୍ତୁ । ସାମୁଦ୍ରିକ ତୃଷାରେ ମୁଁ ଏତାଦୃଶ ବିକଳତା ପ୍ରାପ୍ତ ହୋଇଅଛି ।

 

ନିଜକୁ ଚତୁର ବୋଲି ଭାବୁଥିବା ସେହି ଶୃଗାଳଟି ଏବଂବିଧ ଅଭୀଷ୍ଟ ପ୍ରାର୍ଥନାରେ ସଂନ୍ୟାସୀଟି କିଞ୍ଚିତ ସିତହାସ୍ୟ କଲେ ଏବଂ କହିଲେ–

 

ହେ ଜମ୍ବୁକୋତ୍ତମ ! ଯାହାକୁ ଦେଖି ନାହିଁ ବା ଜାଣି ନାହିଁ–ତା’ର ତୃଷାରେ ବିକଳତା ପ୍ରାପ୍ତ ହେଲ କିପରି ?

 

ଜମ୍ବୁକଟି ବିନୟ ପ୍ରକାଶ କରି କହିଲା–

 

ମହାତ୍ମନ୍‍ ! ବେଦଜ୍ଞ ଓ ତତ୍ତ୍ଵଦର୍ଶୀମାନେ ଏବଂବିଧ କହିଛନ୍ତି, “ଯାହା ଅଦୃଶ୍ୟ, ମୁଁ ଦେଖିବାକୁ ଇଚ୍ଛା କରୁଅଛି । ଯାହା ଅସ୍ପୃଶ୍ୟ, ମୁଁ ତାକୁ ଛୁଇଁବାକୁ ଇଚ୍ଛା କରୁଅଛି । ଯାହା ଅନାଧଗମ୍ୟ, ତତ୍ରତ୍ୟ ମୁଁ ଯିବାକୁ ମନସ୍ଥ କରୁଅଛି ।” ହେ ମୁନିପୁଙ୍ଗବ ! ଆଉ କାଳକ୍ଷେପଣ କରନ୍ତୁ ନାହିଁ । ଯଥାଶୀଘ୍ର ମୋତେ ସମୁଦ୍ର ସମ୍ବନ୍ଧେ ଅବଜ୍ଞାତ କରାନ୍ତୁ । ପୁନଶ୍ଚ ଆପଣଙ୍କର ଅବଗତି ଲାଗି ମୋତେ ବାଧ୍ୟ ହୋଇ ବିନୟର ସହିତ କହିବାକୁ ପଡ଼ୁଛି ଯେ–ମୁଁ ଜଣେ ସାଧାରଣ ଶୃଗାଳ ନୋହେଁ-

 

ଦୀର୍ଘ ଜଟାକାଳ–ଶ୍ମଶ୍ରୁବିଲମ୍ବିତ ମହାନ୍ ତେଜସୀ ସନ୍ନ୍ୟାସୀରୂପୀ ‘ଜ୍ଞାନ’ ଦେବ ପୁନଶ୍ଚ କିଞ୍ଚିତ ସ୍ମିତହାସ୍ୟ ପ୍ରଦର୍ଶନ କରି ଶୃଗାଳଟିର ମସ୍ତକ ଉପରେ ଆପଣାର କଲ୍ୟାଣମୟ କର ଧୀରେ ସଞ୍ଚାଳନପୂର୍ବକ କହିଲେ–

 

ବତ୍ସ ଶୃଗାଳପୁଙ୍ଗବ ! ପୂର୍ବଜନ୍ମର ସଂସ୍କାର ଓ ଏହି ଜନ୍ମର ତତ୍ତ୍ୱାଲୋଚନା ଫଳରେ–ଯଦି ଅନଧିଗମ୍ୟ ତୁମର କାମ୍ୟ ହୋଇଥାଏ–ଯଦି ଅଦୃଶ୍ୟ ତୁମର ଲକ୍ଷ୍ୟ ହୋଇଥାଏ–ଯଦି ଅସ୍ପୃଶ୍ୟ ତୁମର ବାଞ୍ଚିତ ହୁଏ ଏବଂ ସର୍ବୋପରି ଯଦ୍ୟପି ତୁମେ ନିଜକୁ ଜଣେ ଅସାଧାରଣ ଶୃଗାଳ ବୋଲି ପ୍ରକୃତରେ ମନେକରୁଥାଅ–ତେବେ ଏହା ଅତ୍ୟନ୍ତ ଗୁଢ଼ତତ୍ତ୍ଵ ହେଲେ ବି ମୁଁ କହୁଅଛି–ଶ୍ରବଣ କର । “ସମୁଦ୍ର ଜଳର ଅଜସ୍ର ଭଣ୍ଡାର ଅଟେ ଏବଂ ଏହାର ବର୍ଣ୍ଣ ନୀଳ ଅଟେ ।

 

ସନ୍ନ୍ୟାସୀଙ୍କର ଏତିକି ମାତ୍ର କଥାରେ ହଠାତ୍ ଉତ୍‍ଫୁଲ୍ଲିତ ପ୍ରାଣ ହୋଇ ନିଜକୁ ଚତୁର ମନେକରୁଥିବା ଶୃଗାଳଟି ଆବେଗତର କଣ୍ଠରେ ଚିତ୍କାର କରିଉଠିଲା–“ଜାଣିଗଲି–ଜାଣିଗଲି । ଅଳମତିବିସ୍ତରେଣ” ।

 

ଏତିକି ଉତ୍‍ଫୁଲ୍ଲବାକ୍ୟ ଉଚ୍ଚାରଣ କରି ଶୃଗାଳଟି ତତ୍‍କ୍ଷଣାତ ନିଦ୍ରା ଭଙ୍ଗ କଲା (ସୁଷୁପ୍ତି ଓ ଜାଗରଣ ଶଂସିତ ଶୃଗାଳଟିର ସ୍ୱେଚ୍ଛାଧୀନ ଅଟେ) ଏବଂ ସନ୍ନ୍ୟାସୀଙ୍କର ଅବଶିଷ୍ଟ ସମୁଦ୍ର–ବର୍ଣ୍ଣନାକୁ କର୍ଣ୍ଣପାତ ନ କରି ତତ୍‍କ୍ଷଣାତ୍ ବିଳଶଯ୍ୟା ତ୍ୟାଗକରି ସମୁଦ୍ର ଉଦ୍ଦେଶ୍ୟରେ ଦକ୍ଷିଣ–ପୂର୍ବ କୋଣକୁ ଧାବମାନ ହେଲା ।

 

କିୟତ୍ ଦୂର ଯିବା ଉତ୍ତାରୁ ଗୋଟିଏ ଜଳଭଣ୍ଡାର ତା’ର ଦୃଷ୍ଟି ପଥାରୁଢ଼ ହେଲା । ନିଜକୁ ଚତୁର ବୋଲି ଭାବୁଥିବା ଶୃଗାଳଟି ନିରୀକ୍ଷଣ କରି ଦେଖିଲା ଯେ–ତାହାର ଜଳ ନୀଳିମାରେ ଆକାଶକୁ ଧିକ୍‍କାର କରୁଅଛି ।

 

ମହୋଲ୍ଲାସରେ ଗଦ୍‍ଗଦ୍ ହୋଇ ଶୃଗାଳଟି ସେ ନୀଳ ଜଳଭଣ୍ଡାର ଭିତରକୁ ଲମ୍ଫ ପ୍ରଦାନ କଲା ।

 

ଆହୋ ! ବିଧିର ବିଧାନ କି ବିଚିତ୍ର ଅଟଇ !! ସେହି ନୀଳ ଜଳଭଣ୍ଡାର ମଧ୍ୟରେ ଆକଣ୍ଠ ଅବଗାହନ କରି–ନିଜକୁ ଚତୁର ମନେ କରୁଥିବା ଶୃଗାଳଟି ଉତ୍‍ଫୁଲ୍ଲାତ୍ମା ହୋଇ କହିବାକୁ ଲାଗିଲା–

 

“ଧାନ୍ୟୋଽହଂ ! ମୋର ସମସ୍ତ ପରିକ୍ରମଣ ଏବଂ ଅନ୍ୱେଷଣ ଆଜି ସଫଳ ହେଲା । ଏହି ସୁନୀଳ ଓ ଶୀତଳ ସମୁଦ୍ରର ପ୍ରବାହ ଭିତରେ ଅବଗାହନ କରି ମୁଁ ବ୍ରହ୍ମାନନ୍ଦ ସହୋଦର ତୁଲ୍ୟ ଆହ୍ଲାଦ ଲଭୁଅଛି । ମୋର ସମସ୍ତ ତୃଷା ଆଜି ଶାନ୍ତ ହୋଇଅଛି । ବର୍ତ୍ତମାନ ମୁଁ ସ୍ଵର୍ଗଲୋକର ଅଧିବାସୀ ଅଟଇ ।”

 

ଏତାଦୃଶ ଆତ୍ମାନନ୍ଦ ଓ ଆତ୍ମଶ୍ଲାଘା ଅନୁଭବ ପୂର୍ବକ ଶୃଗାଳଟି ନିଜର ଶରୀର ଉପରେ ତା’ର ଦିବ୍ୟଦୃଷ୍ଟି ନିକ୍ଷେପ କଲା ଏବଂ ତତ୍‍କ୍ଷଣାତ୍ ନିଜ ଶରୀରର ବର୍ଣ୍ଣାନ୍ତର ଓ ବର୍ଣ୍ଣବିଭବ ପରିଦର୍ଶନ କରି ସେ ଆହୁରି ଅଧିକ ଆତ୍ମିକ ଉଲ୍ଲାସ ଓ ଶ୍ଳାଘାରେ ସ୍ଫୀତ ଓ ପ୍ରକମ୍ପିତ ହୋଇ ଉଠି ମହୋଲ୍ଲାସରେ ଚିତ୍କାର କଲା–

 

ଆହୋ ଭାଗ୍ୟ ! ମୋର ଏହି ମରଶରୀର ମଧ୍ୟ କି ଅପୂର୍ବ ସ୍ୱର୍ଗୀୟ ଜ୍ୟୋତିରେ ସମୁଜ୍ଜ୍ଵଳ ହୋଇ ଉଠିଅଛି !! ନିଶ୍ଚୟ ମୁଁ ଅମରଲୋକର ଅଧିବାସୀ ଅଟେ ।

 

ଏତାଦୃଶ ଭାବରେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ରୂପାନ୍ତର ସନ୍ଦର୍ଶନକରତଃ ସ୍ଵୀୟ ମନଭିତରେ ମଧ୍ୟ ଏକ ପ୍ରଗାଢ଼ ଆଧ୍ୟାତ୍ମିକ ସାତ୍ତ୍ୱିକ ଆଲୋଡ଼ନ ଅନୁଭବ କଲା ଏବଂ ଏହି ମହାନୁଭବରେ ଅତ୍ୟଧିକ ଉନ୍ନତ ହୋଇ ସେ ପ୍ରାୟ କାଣ୍ଡଜ୍ଞାନବିସର୍ଜନପୂର୍ବକ ଭଗବତ୍‍ମହିମାକୀର୍ତ୍ତନରେ ମୁଖର ହୋଇ ମହାପ୍ରେମରେ ନୃତ୍ୟ କରି ଉଠିଲା । ତା’ର ଉଦ୍ଦାମ ପ୍ରେମ–ଅନୁଭବ ମହାନୃତ୍ୟରେ ସଂକ୍ରମିତ ହୋଇ ତା’ର ଚତୁଃପାର୍ଶ୍ଵସ୍ଥ ନିଳ ଜଳରାଶି ଆଲୋଡ଼ିତ ଓ ଫେନାୟିତ ହୋଇଉଠିଲା ଏବଂ ତାହା ଅବିକଳ ସମୁଦ୍ରର ରୂପ ପରିଗ୍ରହଣ କଲା ।

 

ମାତ୍ର ହାୟ ! ଭାଗ୍ୟର କି ବିଡ଼ମ୍ବନା ଅଟଇ !! ନିୟତିରୂପିଣୀ ମାୟା କି କ୍ରୁରା ଅଟନ୍ତି !!! ନିଜକୁ ସମୁଦ୍ରବିଳାସୀ ବୋଲି ମନେକରୁଥିବା ସେହି ଶୃଗାଳଟିର ସମସ୍ତ ଅଧ୍ୟାତ୍ମିକ ସାତ୍ତ୍ଵିକ ଭାବର ମହେଲ୍ଲାସମୟ ଆବେଗ–ଚଞ୍ଚଳ–ପରିପ୍ରକାଶ, ଅତି ସାଧାରଣସ୍ତରୀୟ ଶୃଗାଳ ମାନଙ୍କର ସେହି ଚିରାଚରିତ “ହୁକେ ହୋ–ହୁକେ ହୋ” ରାବରେ ଇ ପର୍ଯ୍ୟବସିତ ହୋଇଉଠିଲା ।

 

ଅସ୍ମିନକାଳେ ପୂର୍ବ ପରିଷ୍କୃତ ଶୁଷ୍କ ବସ୍ତ୍ରଗୁଡ଼ିକୁ ସେହି ନୀଳ କୁଣ୍ଡରେ ନିମଜ୍ଜିତ କରିବାକୁ ମନସ୍ଥ କରିଥିବା ରଜକଟି ଗୋଟାଏ ଶୃଗାଳ ବିକଟାଳ ରାବ ଶୁଣି, ତା’ର ନିଳକୁଣ୍ଡ ସନ୍ନିକଟକୁ ଆସି ଦେଖେ ତ ଗୋଟିଏ ଅତି ସାଧାରଣ ଶୃଗାଳ–ସେହି ନୀଳକୁଣ୍ଡରେ ଅଧଃପତିତ ହୋଇ–ତା’ର ନୀଳଜଳକୁ ଆଲୋଡ଼ନକରତଃ ମହୋଲ୍ଲାସରେ ନୃତ୍ୟପୂର୍ବକ ବିକଟ ରବ କରୁଅଛି ।

 

ଏତଦ୍ ବିପାକ ଦର୍ଶନରେ ରଜକଟି କିଞ୍ଚିତ୍ ବିରକ୍ତି ଓ କିଞ୍ଚିତ୍ ଘୃଣାଭରେ ଗୋଟିଏ ଲଗୁଡ଼ ପ୍ରଦର୍ଶନପୂର୍ବକ ଶୃଗାଳଟିକୁ ତିରସ୍କାର କରିବାକୁ ଲାଗିଲା । ତା’ ଏବଂବିଧି–

 

“ଆରେ ରେ ଦୁଷ୍ଟ ଜମ୍ବୁକ ! ମୋହ ପ୍ରସ୍ତୁତ ଓ ମୋହ ସଞ୍ଚିତ ଏହି ନୀଳକୁଣ୍ଡରେ ଅବଗାହନ କରିବାର ଅଧିକାର ତୋତେ କିଏ ପ୍ରଦାନ କଲା ? ମୋର କୁଣ୍ଡ ଅପବିତ୍ର ଓ ଦୁଷ୍ଟ ହୋଇଅଛି । ସତ୍ତ୍ୱର ଏ ମଧ୍ୟରୁ ପଳାୟନ କର, ନୋଚେତ ଏହି ଲଗୁଡ଼ରେ ତୋର ମସ୍ତକ ଚୁର୍ଣ୍ଣକରିବି ।”

 

ଅଧ୍ୟାତ୍ମିକ ଭାବରେ ସମୁଦ୍ରଗତ ପ୍ରାଣ ଶୃଗାଳଟି ମୁଖରେ ଈଷତ୍‍ ଉଦାର ଓ କାରୁଣ୍ୟପୂର୍ଣ୍ଣ ସ୍ମିତ ପ୍ରକାଶ କରି କହିଲା–

 

“ହେ ରଜକ ପୁଙ୍ଗବ ! ଲଗୁଡ଼ ସମ୍ବରଣ ପୂର୍ବକ କ୍ରୋଧ ସଂଯତ କର । କ୍ରୋଧ ଜୀବର ଭୀଷଣତମ ରିପୁ ଅଟେ । କ୍ରୋଧରୁ ମୋହ ଜାତ ହୁଏ ଏବଂ ମୋହରୁ ସ୍ମୃତି-ବିଭ୍ରମ ହୋଇଥାଏ । ସ୍ମୃତିବିଭ୍ରମ ହେତୁ ବୃଦ୍ଧି ନଷ୍ଟ ହୁଏ ଏବଂ ବୃଦ୍ଧି-ନାଶରୁ ବିନାଶ ନିଶ୍ଚିତ ଭାବେ ହୋଇଥାଏ । ହେ ରଜକପୁଙ୍ଗବ ! ତୁମ୍ଭ କଥିତ, ତୁମ୍ଭ ପ୍ରସ୍ତୁତ ଓ ତୁମ ସଞ୍ଚିତ ଏହ ନୀଳକୁଣ୍ଡ ଯେ ସମୁଦ୍ର ନୋହେ, ଏହା ତୁମ୍ଭେ ପ୍ରମାଣ କରିପାରିବ କି ? କାରଣ ସମୁଦ୍ର ମଧ୍ୟ ଜଳର ଭଣ୍ଡାର ଅଟେ ଓ ତା’ର ବର୍ଣ୍ଣ ନୀଳ ଅଟେ । ମୁଁ ସମୁଦ୍ରରେ ଅବଗାହନ କରୁଅଛି । ଏହି ନୀଳକୁଣ୍ଡ ନିଶ୍ଚୟ ସମୁଦ୍ର ଅଟେ ।”

 

ଆପାତତଃ ପ୍ରତୀୟମାନ ହେଉଥିବା ସାମାନ୍ୟ ଶୃଗାଳଠାରୁ ଏତାଦୃଶ୍ୟ ତତ୍ତ୍ୱବାଣୀ ଶ୍ରବଣ କରନ୍ତେ ରଜକଟି ଲଗୁଡ଼ ସଂହତ କରି କିଞ୍ଚିତ୍ ନମ୍ର ଓ ବିସ୍ମୟ ସହକାରେ କହିଲା–

 

“ହେ ଶୃଗାଳକୁଳତିଳକ ! ସାମାନ୍ୟ ରଜକଦ୍ଵାରା ପ୍ରସ୍ତୁତ ଓ ସଞ୍ଚିତ ନୀଳକୁଣ୍ଡଟି କଦାଶ୍ଚନ ସମୁଦ୍ର ହୋଇ ନ ପାରେ । ଏହା ସମୁଦ୍ରର ‘ଭାନ’ * ଅଟେ । ଆପଣ ସମୁଦ୍ରର ‘ଭାନ’ରେ ନିମଜ୍ଜିତ ହୋଇଛନ୍ତି ।”

 

ଆକସ୍ମିକ ଅଥଚ ଅଦ୍ଭୁତଭାବେ ଆଧାତ୍ମିକ ତତ୍ତ୍ଵଜ୍ଞାନରେ ପରିପୂର୍ଣ୍ଣ ଅନ୍ତର ଶୃଗାଳଟି ସ୍ମିତହାସ୍ୟ କରି କହିଲା–

 

“ତା’ହେଲେ ତୁମ୍ଭେ କାହାର ‘ଭାନ’ ଅଟ ? ଆମ୍ଭେ ମଧ୍ୟ କାହାର ‘ଭାନ’ ଅଟୁ ? ଏହା ନିରୂପଣ କରିଅଛ କି ? ଏ ଜଗତ୍ କାହାର ‘ଭାନ’ ଅଟେ–ଏହି ତତ୍ତ୍ଵ ତୁମ୍ଭର ଅଧିଗମ୍ୟ ହୋଇଅଛି କି ? ହେ ରଜକସତ୍ତ୍ଵ ! ବସ୍ତୁ ନୁହେ–ବସ୍ତୁର ‘ଭାନ’ ହିଁ ଏକମାତ୍ର ପ୍ରତ୍ୟକ୍ଷୀଭୂତ ସତ୍ୟ ଅଟେ । ମୁଁ ସେହି ସତ୍ୟକୁ ପ୍ରତ୍ୟକ୍ଷ କରିଅଛି ।”

 

ପରମବିସ୍ମୟ ଓ ଭକ୍ତି–ତଦ୍‍ଗତ ଚିତ୍ତରେ ରଜକଟି ତତ୍ରତ୍ୟ ଆଭୂମିପ୍ରସାରିତ ହୋଇ ନୀଳକୁଣ୍ଡ–ଅଧଃପତିତ ସେହି ଶୃଗାଳଟିକୁ ଭୂମିଷ୍ଠ ପ୍ରଣାମ କରି କହିଲା–

 

* ଭାନ= ଛଳନା, ରୂପକ, ପ୍ରତୀତି ।

 

“ହେ ମହାତ୍ମନ୍ ! ମୋର ଅଜ୍ଞାନକୃତ ଦୋଷ କ୍ଷମା କରିବା ହୁଅନ୍ତୁ । ମୁଁ ମହାପାପୀ ଅଟେ । ମୁଁ ରଜକକୁଳର କଳଙ୍କ ଅଟେ । ଏହି ଲଗୁଡ଼ରେ ମୋର ମସ୍ତକ ଚୂର୍ଣ୍ଣ କରନ୍ତୁ ।”

 

ଏତିକି କହି ରଜକଟି ସାଷ୍ଟାଙ୍ଗ ପ୍ରଣିପାତ କରି ଭୂତଳରେ ପଡ଼ି ରହିଲା । ରଜକର ଏବଂ ଭୃତ ଅବସ୍ଥାନ୍ତର ସନ୍ଦର୍ଶନ କରି ଆକସ୍ମିକ ଓ ଅଦ୍ଭୂତଭାବେ ଆଧ୍ୟାତ୍ମିକ ତତ୍ତ୍ଵଜ୍ଞାନ ଲବ୍‍ଧ ହୋଇଥିବା ଶୃଗାଳଟିର ମନରେ ଏକ ନୂତନ ଧାରଣା ଜାତ ହେଲା । ସେ ମନେ କଲା କି–ସେ ଯଥାର୍ଥରେ ତତ୍ତ୍ଵଜ୍ଞାନ ଲାଭ କରିଅଛି । ଏତଦ୍ ଉତ୍ତାରୁ ସେ ଏହି ନବଲବ୍‍ଧ ଅଭିଜ୍ଞାନ ଓ ଅନୁଭୂତିକୁ ପ୍ରଚାର କରିବାଲାଗି ଅଗ୍ରସର ହେବ । ସମଗ୍ର ପୃଥିବୀ ପ୍ରଦକ୍ଷିଣ କରି ସେ ପାର୍ଥିବ ବସ୍ତୁଜ୍ଞାନରେ ମୁଢ଼ଚେତା ପ୍ରାଣୀମାନଙ୍କୁ ତତ୍ତ୍ଵଜ୍ଞାନ ଏବଂ ମହାଭାବରେ ଦୀକ୍ଷା ଦେଇ ମୁକ୍ତିର ପଥ ଦର୍ଶାଇବ ।

 

ଏତଦ୍‍ଭାବ–ଭାବନା–ସଞ୍ଚାଳିତ–ମାନସ ସେହି ଶୃଗାଳଟି ନୀଳକୁଣ୍ଡରୁ ତତ୍‍କ୍ଷଣାତ୍ ବହିର୍ଗତ ହୋଇ ପ୍ରଥମେ ରଜକଟିର ମସ୍ତକ ସ୍ପର୍ଶ ପୂର୍ବକ କହିଲା–

 

“ହେ ରଜକ–ଧୀରୋଦାତ୍ତ ! ଉତ୍ତିଷ୍ଠତ । ତୁମର ଅଭୀଷ୍ଟ ନିର୍ଭୟରେ ପ୍ରାର୍ଥନା କର । ବୃଥା ଅନୁଶୋଚନାରେ କାଳକ୍ଷେପଣ କରିବା ଅନୁଚିତ୍ ।”

 

ତଥାଚ ରଜକଟି ଭୂମିଲଗ୍ନ ହୋଇ ପ୍ରାର୍ଥନା କଲା....

 

“ମହାତ୍ମନ ! ଆପଣ ତତ୍ତ୍ଵଦର୍ଶୀ । ମୋତେ କିଛି ତତ୍ତ୍ଵ ଦୀକ୍ଷା ଦିଅନ୍ତୁ–ଏହି ନାରକୀୟ ରଜକବୃତ୍ତିରୁ ମୁଁ କିପରି ମୁକ୍ତି ଲାଭ କରେଁ ।”

 

ଶୃଗାଳଟି କିଞ୍ଚିତ୍ ଗମ୍ଭୀରତା ପ୍ରକାଶପୂର୍ବକ କହିଲା–

 

“ରଜକୋତ୍ତମ ! ଏହି ବୃତ୍ତି ତୁମ୍ଭ ଲାଗି ସର୍ବୋତ୍ତମ ଅଟେ । ତୁମ୍ଭେ ନିତ୍ୟ ଏହି ନୀଳକୁଣ୍ଡକୁ ସମୁଦ୍ର ଜ୍ଞାନରେ ପ୍ରଦକ୍ଷିଣ କର ଏବଂ ଏହାର ନୀଳଜଳକୁ ହସ୍ତଦ୍ଵାରା ନିତ୍ୟ ଆଲୋଡ଼ନ କର, ତୁମ୍ଭର ମୁକ୍ତି ଅବଶ୍ୟମ୍ଭାବୀ ।”

 

ଏତିକି କହି ପୃଥିବୀର ମୂଢ଼ଚେତାମାନଙ୍କୁ ମୁକ୍ତିର ବାର୍ତ୍ତା ଶୁଣାଇବା ଲାଗି ସେହି ନୀଳବର୍ଣ୍ଣର ଶୃଗାଳଟି ଅନ୍ୟ ଦିଗକୁ ଧାବମାନ ହେଲା ।

 

ତସ୍ମିନ୍ ସମୟେ ସନ୍ଧ୍ୟା ଆଗତପ୍ରାୟ । ପକ୍ଷୀଗଣ ସ୍ଵ ସ୍ଵ ନୀଡ଼ାଭି ମୁଖେ ପ୍ରତ୍ୟାବର୍ତ୍ତନ କରୁଅଛନ୍ତି । ଆକାଶର ପ୍ରାୟାନ୍ଧକାର ପରିବେଶରେ ଅତ୍ରତତ୍ର କଶ୍ଚିତ୍ କ୍ଵଚିତ୍ ତାରକା ସ୍ଵୀୟ ଦୀପ୍ତିରେ ଦେଦୀପ୍ୟମାନ ହେବାକୁ ଚେଷ୍ଟିତ ହେଉଛନ୍ତି । ତଥାପି ଅସ୍ତଗାମୀ ଅଂଶୁମାଳୀଙ୍କର ଗତପ୍ରାୟ କନକିତ କିରଣର ଅପସୂୟମାନ ଆଲୋକର ପ୍ରଭାବରେ ବାରୁଣୀ ହିଗ୍‍ବଧୂଙ୍କର ମୁଖଶ୍ରୀ ଅପୂର୍ବ ଐନ୍ଦ୍ରଜାଲିକ ବର୍ଣ୍ଣବିଭାରେ ଉଦ୍ଭାସିତ ହୋଇଅଛି । ଅପରଦିଗରେ ଭଗବାନଚନ୍ଦ୍ରଙ୍କର ଅମୃତୋପମ ଅଧରସ୍ପର୍ଶ ଲାଭକରି ପର୍ବ ଦିଗ୍‍ବଧୂଙ୍କର ମୁଖଶୋଭା ସୁଧାଧବଳିତ କାନ୍ତିରେ ସ୍ଵର୍ଗର ପାରିଜାତ ପୁଷ୍ପକୁ ମଧ୍ୟ ଲଜ୍ଜାରେ ମ୍ରିୟମାଣ କରୁଅଛି ।

 

ଏହି କାଳସନ୍ଧିକୁ ଅଙ୍ଗୀକାରପୂର୍ବକ ଉଦାତ୍ତ କଣ୍ଠରେ ଘୋଷଣା କରିବାର ଦାୟିତ୍ୱକୁ ସମୁଚିତ ପାଳନ କରିବା ଲାଗି ଉଦ୍ୟତ ହେଉଥିବା ଏକଦଳ ଶୃଗାଳଙ୍କର ସମବେତ ଦୃଷ୍ଟି ଏହି ନୀଳବର୍ଣ୍ଣର ଶୃଗାଳଟି ଉପରେ ପତିତ ହୁଅନ୍ତେ–ସେମାନେ ସମବେତ କଣ୍ଠରେ କିଞ୍ଚିତ୍ ପାର୍ଥିବ ପରିହାସବ୍ୟଞ୍ଜକ ସମ୍ଭାଷଣ କରିଉଠିଲେ–

 

“ଆହୋ ! ଆହୋ ! ପଶ୍ୟ, ପଶ୍ୟ, କୀଦୃଶ ସୁନୀଳରଙ୍ଗ–ରାଗରଞ୍ଜିତ–ବପୁଧର ଅସ୍ମାକଂ ସ୍ଵଜାତି–ଭ୍ରାତା ଶ୍ରୀମାନ୍ ଉଜ୍ଜ୍ୱଳନୀଳମଣି ଆଗଚ୍ଛତି ! ଭୋ ଭୋ ଭ୍ରାତଃ ! ତୁମ୍ଭେ କସ୍ୟଚିଦ୍ ରଜକର ନୀଳକୁଣ୍ଡରେ ଅକସ୍ମାତ୍ ପତିତ ହୋଇଥିଲ କି ? ହେ ଭଦ୍ର ! ଏହା ତୁମ୍ଭ ପକ୍ଷରେ ଆକସ୍ମିକ ଦୁର୍ଘଟଣା ? କିମ୍ଵା ଏହି ପତନରୁ ତୁମ୍ଭେ କୌଣସି ପ୍ରକାରେ ଲାଭବାନ୍ ହୋଇଅଛ ? ଏହି ବର୍ଣ୍ଣାନ୍ତର ତୁମ୍ଭ ପକ୍ଷରେ ମଙ୍ଗଳ ହୋଇଅଛି ତ ? ହେ ଭଦ୍ର ! କଥମେତତ୍ ? ସମସ୍ତ ବୃତ୍ତାନ୍ତ ବୟାନ୍ କରି ଅସ୍ମାକଂ ଉତ୍କଣ୍ଠା ଦୂର କର ।”

 

ଏହି ପାର୍ଥିବ ରାଗରସପରିପୂର୍ଣ୍ଣ ହୃଦୟ–ଯଥାର୍ଥ ଜ୍ଞାନମୃଢ଼ ପରିହାସପରାୟଣ ଶୃଗାଳମାନଙ୍କର ଇତର–ଜନ–ପ୍ରୟୋଜ୍ୟ ଗ୍ରାମ୍ୟ ବ୍ୟଙ୍ଗୋକ୍ତି ସମ୍ଭାଷଣରେ କିଞ୍ଚିତ୍ ରୁଷ୍ଟ ହୋଇ ମୋକ୍ଷଧର୍ମପ୍ରଚାରକାମୀ ନୀଳବର୍ଣ୍ଣର ଶୃଗାଳଟି କହିଲା–

 

“ଆରେ ରେ ମୁଢ଼ାଃ !! ଆମେ ତୁମ୍ଭମାନଙ୍କ ସଦୃଶ ସାଧାରଣ ଶୃଗାଳ ନୋହୁଁ । ଆମ୍ଭର ତତ୍ତ୍ଵଜ୍ଞାନ ଉଦିତ ହୋଇଅଛି । ଆମ୍ଭ ଶରୀରର ଏହି ରଙ୍ଗ । ସାମାନ୍ୟ ନୀଳ ନୁହେଁ, ଏହା ସ୍ଵଗୀୟ ଜ୍ୟୋତି ବିଚ୍ଛୁରିତ କରୁଅଛି । ମହାକାଶର ଯେଉଁ ଜ୍ୟୋତି ମହାସମୁଦ୍ରର ଚିଦାକାଶରେ ନିୟତ ପ୍ରତିଫଳିତ ହୁଏ ତାହା ହିଁ ମୋର ଶରୀରକୁ ନୀଳଶ୍ୟାମବର୍ଣ୍ଣରେ ଉଦ୍ଭାସିତ କରୁଅଛି । ସବତୀର୍ଥାଶ୍ରୟ ମହାସମୁଦ୍ରରେ ଅବଗାହନ କରି ମୁଁ ଅଧୁନା ମହାପୁଣ୍ୟଫଳର ଅଧିକାରୀ ଅଟେ । ମୋର ବସ୍ତୁ ସମ୍ପର୍କରେ ସ୍ଥୂଳ ଓ ସୂକ୍ଷ୍ମ ଉଭୟ ଜ୍ଞାନରେ ଅଧିକାର ଆସିଅଛି । ମୋର ଚିତ୍ତଦର୍ପଣରେ ସତ୍ୟର ସ୍ୱରୂପ ଓ ତାକୁ ଉପଲବ୍‍ଧି କରିବାର ଏବଂ କରାଇବାର ପନ୍ଥା ନିର୍ଦ୍ଦିଷ୍ଟଭାବେ ପ୍ରତିବିମ୍ବିତ ହୋଇଯାଇଛି । ବସ୍ତୁ ଓ ତା’ର ବିମ୍ବ ଏବଂ ପ୍ରତିବିମ୍ବ ସମ୍ବନ୍ଧୀୟ ଜ୍ଞାନ ମୋର ପ୍ରତ୍ୟକ୍ଷୀଭୂତ ହୋଇଅଛି । ହେ ମୁଢ଼ଚେତା ଶୃଗାଳଗଣ ! ତୁମ୍ଭେମାନେ ତତ୍ତ୍ଵଦର୍ଶୀ ହେବାକୁ ଇଚ୍ଛା କର କି ? ତୁମ୍ଭେମାନେ ମତ୍‍ସଦୃଶ ଆଧ୍ୟାତ୍ମିକ ଜ୍ଞାନ ଓ ଭାବ-ରାଜ୍ୟରେ ବିଳସିତ ହେବାକୁ ଚାହୁଁଅଛ କି ? ତୁମ୍ଭେମାନେ ମୋକ୍ଷପାପ୍ତ ହେବ କି ?

 

ନୀଳବର୍ଣ୍ଣର ଶୃଗାଳମୁଖରୁ ଏତଦ୍ ବାଗ୍‍ବିଳାସ ଶ୍ରବଣରେ ସମବେତ ସାଧାରଣ ଶୃଗାଳମାନଙ୍କ ମଧ୍ୟରୁ ଏକ ଅସାଧାରଣ ଶୃଗାଳୋଚିତ-ଧୀଶକ୍ତିବାନ୍ ବିଦଗ୍‍ଧବାକ୍ ଯୁବକ ବହର୍ଗତ ହୋଇ କହିଲା–

 

“ହେ ପ୍ରମୁକ୍ତ ! ଆମ୍ଭମାନଙ୍କ ଧୃଷ୍ଟତା ମାର୍ଜନା କରିବା ହେଉନ୍ତୁ । ଆମ୍ଭେମାନେ ଯଥାର୍ଥରେ ମୁଢ଼ ଅଟୁଁ, କିନ୍ତୁ ଆମ୍ଭେମାନେ ମଧ୍ୟ ଆପଣଙ୍କ ପରି ଏତାଦୃଶ ତତ୍ତ୍ଵଜ୍ଞାନର ବାଣୀ ଆମ୍ଭ ମୁଖରେ ପ୍ରକାଶ କରିପାରୁ ଏବଂ ତାହା ଅବିକଳ ଆଫଣଙ୍କ ମୁଖନିଃସୃତ ତତ୍ତ୍ଵବାଣୀ ପରି ଶୁଣାଯାଉଛି କି ନାହିଁ–ତାହା ଆପଣ ସ୍ଵୟଂ ପରୀକ୍ଷା କରି ଦେଖିବା ହୁଅନ୍ତୁ ।”

 

ସାଧାରଣ ଶୃଗାଳ ଯୁବକଟିର ଏତାଦୃଶ ପ୍ରଗଳ୍‍ଭ ଔଦ୍ଧତ୍ୟ ଓ ପୌରୁଷବାଣୀ ଶ୍ରବଣ କରି ଆଧ୍ୟାତ୍ମିକ ତତ୍ତ୍ଵଜ୍ଞାନ ଲାଭ କରିଥିବା ଓ ନିଜକୁ ମୋକ୍ଷପଥପ୍ରଦର୍ଶନକାରୀ ବୋଲି ଭାବୁଥିବା ସେହି ଶୃଗାଳଟି କିଞ୍ଚିତ୍ ରୋଷବାଣୀ ଉଚ୍ଚାରଣ କରି କହିଲା–

 

“ଆରେ ମୂର୍ଖ ! ଆଧ୍ୟାତ୍ମିକବାଣୀ କେବଳ ମୁଖର ବାଣୀ ନୁହେ । ଏହା ଆତ୍ମାର ନିଜସ୍ଵ ଉପଲବ୍‍ଧିର ବାଣୀ ଅଟେ ! ଏହା ସ୍ଵୟଂଭୂ ଏବଂ ବ୍ରହ୍ମର ସ୍ଫୋଟମୟ ପରିପ୍ରକାଶ ମାତ୍ର । ଏହି ଅଲୌକିକ ବାଣୀକୁ ତୁମ୍ଭ ପରି ମୃଢ଼ଚେତନ ବ୍ୟକ୍ତି କେବଳ ଜିହ୍ୱା, ଓଷ୍ଠ, ତାଳୁ ବା ନାସିକାଦିର ସଂଯୋଗରେ ଉଚ୍ଚାରଣ ମଧ୍ୟ କରିପାରିବ ନାହିଁ । ଅନୁକରଣ ତ ଦୂରର କଥା !”

 

ନିଜର ପୌରୁଷ ଉପରେ ଅତ୍ୟଧିକ ଆସ୍ଥାଶୀଳ ଏବଂ ଆପଣାର ଚାତୁର୍ଯ୍ୟ ଉପରେ ଅଧିକ ଉଦ୍ଧତ ଯୁବକ ଶୃଗାଳଟି ପୁନଶ୍ଚ କହିଲା–

 

“ହେ ତତ୍ତ୍ଵଦର୍ଶୀ ! ନାଳମତିତିରସ୍କରେଣ । ଆପଣ ଅନୁଗ୍ରହ–ପୂର୍ବକ ଆପଣଙ୍କ ଆଧ୍ୟାତ୍ମିକ ତତ୍ତ୍ୱାନୁଭୂତିର ସଂକୀର୍ତ୍ତନ କରନ୍ତୁ ତ ଦେଖି !”

 

ଆପଣାକୁ ଏକମାତ୍ର ତତ୍ତ୍ଵଦର୍ଶୀ ଓ ଆଧ୍ୟାତ୍ମିକ ଚେତନାରେ ଉଦ୍‍ବୁଦ୍ଧ ବୋଲି ମନେକରୁଥିବା ଶୃଗାଳଟି ହଠାତ୍ ସାତ୍ତ୍ୱିକ ଭାବରେ ଉଲ୍ଲସିତପ୍ରାଣ ହୋଇ ଭଗବତ୍ ମହିମା କୀର୍ତ୍ତନ କରି ଉଠିଲା–

 

“ହୁକେ ହୋ–ହୁକେ ହୋ–ହୁକେ ହୁକେ ହୋ–ହୋ ହୋ !!”

 

ସଙ୍ଗେ ସଙ୍ଗେ ସେହି ପ୍ରଗଳ୍‍ଭ ଉଦ୍ଧତ ଶୃଗାଳ ଯୁବକଟି ସମେତ ସମବେତ ଶୃଗାଳ ସମ୍ପ୍ରଦାୟ ସେହି ଶବ୍ଦପ୍ରବାହକୁ ଅବିକଳ ଅନୁକରଣ କରି ବୋବେଇ ଉଠିଲେ–

 

“ହୁକେ ହୋ–ହୁକେ ହୋ–ହୁକେ ହୁକେ ହୋ–ହୋ–ହୋ !!”

 

ଏତଦ୍ ଶ୍ରବଣରେ ଆପଣାକୁ ଏଯାବତ୍ ଏକମାତ୍ର ତତ୍ତ୍ଵଦର୍ଶୀ ଓ ଆଧ୍ୟାତ୍ମିକ ଚେତନାରେ ଉଦ୍‍ବୁଦ୍ଧ ବୋଲି ମନେକରୁଥିବା ଶୃଗାଳଟି ଏହି ସମବେତ ଚିତ୍କାର ମଧ୍ୟରୁ ଆପଣା ଧ୍ଵନିର ଅବିକଳ ପ୍ରତିରୂପ ବାଣୀ ପ୍ରତିଧ୍ୱନି ସ୍ୱରୂପ ଲକ୍ଷ୍ୟକରି ହତୋତ୍ସାହ ନ ହୋଇ ବରଂ ଅଧିକ ଉଲ୍ଲାସରେ ବୋବେଇ ଲାଗିଲା ଓ ବୋବାଉ ନୃତ୍ୟ ମଧ୍ୟ ଆରମ୍ଭ କରିଦେଲା ।

 

କାରଣ ତା’ର ମନେହେଲା–ଏହି ସମବେତ ସାଧାରଣ ଶୃଗାଳମାନଙ୍କ ମୁଖନିଃସୃତ “ହୁକେ ହୋ” ଚିତ୍କାର ମୋର ନିଜସ୍ଵ ଉପଲବ୍‍ଧିର ଧ୍ୱନି ହୋଇ ନ ପାରେ, ମାତ୍ର ତା’ର ଅବିକଳ ପ୍ରତିରୂପ ଅଟେ ଏବଂ ଯେହେତୁ ଏ ଜଗତରେ ‘ବସ୍ତୁ’ ଅପେକ୍ଷା ବା ‘ସତ୍ୟ’ ଅପେକ୍ଷା କେବଳ ‘ସତ୍ୟ’ର ‘ଭାନ’ ଟାଇ ଅଧିକ ସତ୍ୟ ଏବଂ ଯେହେତୁ “ରୂପ” ଅପେକ୍ଷା ‘ରୂପକ’ ଓ ‘ଧ୍ଵନି’ ଅପେକ୍ଷା “ପ୍ରତିଧ୍ଵନି” ହିଁ ପ୍ରାଣୀମାନଙ୍କର ଉପଲବ୍‍ଧି ଓ ତା’ର ପ୍ରକାଶ ଲାଗି ଏକମାତ୍ର ଅବଲମ୍ବନ–ସେହେତୁ ଆଉ ବୃଥା ସନ୍ଦେହ ଲାଗି ଅବକାଶ ନ ଦେଇ–ଏହି ସମବେତ “ହୁକେ ହୋ” ରବ ସଙ୍ଗେ ନିଜର “ହୁକେ ହୋ” ରବକୁ ମିଶାଇଦେଇ ଏକ ପୂର୍ଣ୍ଣସତ୍ୟରୂପେ ମନେକରିବା ଉଚିତ ଏବଂ ଏହି ଧ୍ଵନିର ସମବେତ ଅବିକଳ ପ୍ରତିଧ୍ଵନି ହିଁ ଯଥାର୍ଥରେ ଭଗବତ୍ ସଂକୀର୍ତ୍ତନ ଅଟେ । ତେଣୁ ଅଗତ୍ୟା ମୋ ପକ୍ଷରେ ଏଇ ଇତର ସାଧାରଣ ଶୃଗାଳମାନଙ୍କ ମଧ୍ୟରେ କିଛିଦିନ ବାସ କରି–ଏହିମାନଙ୍କ ସଙ୍ଗେ ମିଳିତ ସ୍ଵରରେ ପ୍ରତିଦିନ “ହୁକେ ହୋ” ରବ କରି ଭଗବତ୍ ମହିମା କୀର୍ତ୍ତନ କରିବା ବିଧେୟ ଅଟେ-। କାରଣ ଜଗତର ସମସ୍ତ ପ୍ରକାଶମାନ ରୂପ ଆପାତତଃ ସେହି ଅପ୍ରକାଶ୍ୟ ମୌଳରୂପର ବିକୃତ ରୂପକ ଅଟେ ଓ ସମସ୍ତ ପ୍ରକାଶମାନ ଧ୍ୱନି ସେହି ଅପ୍ରକାଶ୍ୟ ମୌଳଧ୍ଵନିର ବିକୃତ ପ୍ରତିଧ୍ୱନି ଅଟେ-। ମାତ୍ର ମୌଳସତ୍ୟ ଓ ତା’ର ଏବଂବିଧ ବିକାର, ଉଭୟେ ପରସ୍ପରର ପରିପୂରକ ହେବାକୁ ବାଧ୍ୟ ଅଟନ୍ତି । ....ଅହୋ ! ଏ ଜଗତ୍ କି ବିଚିତ୍ର ଅଟଇ !!

 

ଅତଃପର ସେହି ଶୃଗାଳମାନେ ଦିବା ଓ ରାତ୍ରିର ସେହି ବିଚିତ୍ର କାଳ–ସନ୍ଧିରୂପା ସନ୍ଧ୍ୟାଦେବୀଙ୍କର ନିଃଶବ୍ଦ ଗତିଶବ୍ଦକୁ ବିନମ୍ର ଅଙ୍ଗୀକାର–ପୂର୍ବକ ପ୍ରତ୍ୟକ୍ଷଭାବେ ସ୍ତୁତିବନ୍ଦନା ଗାଇଉଠିଲେ–

 

ହୁକେ–ହୁକେ–ହୁକେ ହୋ–

 

ହୋ–ହୋ–ହୋ–

 

ଗୋଟିଏ ଶୃଗାଳଶିଶୁ ବୟସ୍କମାନଙ୍କର ଏହି ସମବେତ ନଗର–କୀର୍ତ୍ତନ ଶ୍ରବଣରେ ଅତ୍ୟଧିକ ଉତ୍ସାହିତ ହୋଇ–ଅଥଚ ଏହି ଶବ୍ଦ–ପ୍ରବାହର କିଛି ଅର୍ଥ ବା ଉଦ୍ଦେଶ୍ୟ ନ ବୁଝି ମଧ୍ୟ ଓ ଏହି ମନ୍ତ୍ରଧ୍ଵନିକୁ ଶୁଦ୍ଧ ଓ ସ୍ପଷ୍ଟଭାବେ ଉଚ୍ଚାରଣ କରିବାକୁ ଅକ୍ଷମ ହୋଇଥିଲେ ସୁଦ୍ଧା ବାଳୋଚିତ ଅସ୍ଫଟ କଣ୍ଠରେ ବୋବେଇ ଉଠିଲା–ହୁଆ, ହୁଆ–ହୁଆ–ହୁଆ ।

 

ହୁଆ–ହୁଆ–ହୁଆ–ଆ–ଆ ।

 

ଶୃଗାଳଶିଶୁଟିର ଏହି ଅସ୍ଫୁଟ ଅର୍ଥହୀନ, ଚପଳ ଅଥଚ ସୁଧା–ମଧୁର କଣ୍ଠଧ୍ଵନିର ଶ୍ରବଣରେ ସେହି ସମୁଦ୍ରବିଳାସୀ ନୀଳବର୍ଣ୍ଣର ଶୃଗାଳଟିର ଜ୍ଞାନ, ପ୍ରେମ ଓ ଭକ୍ତିତଦ୍‍ଗତ ଚିତ୍ତରେ ଏକ ଅପୂର୍ବ ବାତ୍ସଲ୍ୟ ମମତା ଜାଗ୍ରତ ହୋଇଉଠିଲା । ସେ ତତ୍‍କ୍ଷଣାତ୍ ପ୍ରଗାଢ଼ ବଳଭାବରେ ଅନୁପ୍ରାଣିତ ହେଇ, ସେହି ଶୃଗାଳଶିଶୁଟିକୁ ନିବିଡ଼ ଆଲିଙ୍ଗନପୂର୍ବକ ତା’ର କ୍ଷୁଦ୍ର ଅବୋଧ ଓ ନିରୀହ ଜୁଳୁଜୁଳୁ ଚକ୍ଷୁ ଦୁଇଟିରେ ଓ ତା’ର କ୍ଷୁଦ୍ର ଚିବୁକସମେତ ଅଧର କିଶଳୟରେ ବାରମ୍ଵାର ବାତ୍ସଲ୍ୟ ଚୁମ୍ବନ ପ୍ରଦାନକରତଃ ହର୍ଷକମ୍ପିତ ବେଦନାର୍ଦ୍ର କଣ୍ଠରେ କହିଲା–ଅରେ ଦୁଷ୍ଟ !! ଅରେ ଅବୋଧ !!

 

କ୍ୟା ହୁଆ ? କ୍ୟା ହୁଆ ? କ୍ୟା ହୁଆ ?

☆☆☆

 

Unknown

ଶବଯାତ୍ରାର ଶେଷଦୃଶ୍ୟ

 

ଶବଟି ମହାସମାରୋହରେ ମଶାଣୀକୁ ବାହାରିବା ପରେ ଯାଇ ମୁଁ ମୋ ଅଫିସରେ ଖବରଟି ପାଇଲି । ମତେ ଖବରଟି ଯେ ଦେଲେ ସେ ଆମ ପ୍ରହରାଜ ବାବୁଙ୍କ ଅଭିନେତ୍ରୀ ପତ୍ନୀ । ସେ ଏଠି ଆମ ବଡ଼ସାହେବଙ୍କ ଷ୍ଟେନୋ । ସେ ଦୈବାତ୍ କରିଡ଼ରରେ ମୋ ସଙ୍ଗେ ଦେଖାହେଲେ ଓ କହିଲେ–ଶୁଣିଲେଣି ? ମୁଁ କହିଲି–କୋଉ କଥା ମହାରାଣୀ ? ସେ କହିଲେ, ସୁରବାବୁ ଚାଲିଗଲେ । ମୁଁ କହିଲି–ଆଃ ! କେବେ ? କୋଉଠିକି ? ସେ କହିଲେ–କାଲିରାତି ଦୁଇଟା ବେଳେ–ହାର୍ଟଫେଲ–ସ୍ଵର୍ଗକୁ । କହୁ କହୁ ଶ୍ରୀମତୀ ପ୍ରହରାଜ କାନ୍ଦି ପକାଇବେ ବୋଲି ହେଲେ । ସେ ରୁମାଲଟି ଆକ୍ଷି ଉପରେ ଲଗାଇ ନାହାନ୍ତି–ତାଙ୍କର ଚପ୍ରାସୀ ଆସି ଯାନ୍ତ୍ରିକଦମରେ ଜଣାଇଲେ–ଆଜ୍ଞା, ସାହେବ ଡାକୁଛନ୍ତି । ସେ ସଙ୍ଗେ ସଙ୍ଗେ କାନ୍ଦରୁ ରକ୍ଷା ପାଇ କୃତଜ୍ଞ ଓ ଆଶ୍ୱସ୍ତ ହେଲାଭଳି ଜଣା ପଡ଼ିଲେ ଓ ବେହେରା ପଛେ ପଛେ ତରବର ହୋଇ ଚାଲିଗଲେ । ମୁଁ କେବଳ ପଚାରିଦେଲି–ଶବ ଗଲାଣି ମଶାଣିକି ? ସେ କହିଲେ–ହଁ ! ସକାଳ ଦଶଟାରୁ ପ୍ରୋସେସନ୍ ବାହାରିଲାଣି । ମସ୍ତ ପ୍ରୋସେସନ୍, ପହୁଁଚି ନଥିବ–ଆପଣ ଯାନ୍ତୁ ।

 

ଅତଃପର ମୁଁ ଚିନ୍ତିତ ହେଲି । କ’ଣ କରିବା ଉଚିତ ? ଏଭଳି ଗୋଟିଏ ସମ୍ବାଦ ମୋର ନ ପାଇବା ଉଚିତ ହୋଇଥାନ୍ତା । କିମ୍ବା ତିନିଦିନ ପରେ ପାଇଥିଲେ ଚଳିଥାନ୍ତା । ମରିଯାଇଥିବା ଲୋକଙ୍କ ସଙ୍ଗେ ସମ୍ପର୍କ ରଖିଲେ ମହା ହଇରାଣ । ପ୍ରେତମାନଙ୍କ ଅବତରଣ ଲାଗି ମୁଁ ପୁଣି ଦୁର୍ଭାଗ୍ୟକ୍ରମେ ଗୋଟାଏ ପ୍ରଥମଶ୍ରେଣୀର ମିଡ଼ିଅମ୍ । କେତେଥର ତିନିଗୋଡ଼ିଆ ଟେବୁଲ ଉପରେ ତାହା ପ୍ରମାଣିତ ହୋଇ ଯାଇଛି । ମୀନକେତନ ପୂଜାରୀ ପ୍ରେତତତ୍ତ୍ଵ ଓ ଥିଓସୋଫିକାଲ ସୋସାଇଟିର ପ୍ରେସିଡ଼େଣ୍ଟ । ତାଙ୍କ ଘରେ ପ୍ରତି ଅମାବାସ୍ୟାରେ ତନ୍ତ୍ର ବସୁଥିଲା । ମୁଁ ସେଥିରେ ନିୟମିତ ଯୋଗ ଦେଉଥିଲି । ମୋ ଭିତର ଦେଇ ସେ ଯାବତୀୟ ପ୍ରେତଙ୍କୁ ସେପାରିରୁ ଏପାରିକି ଓହ୍ଲାଇ ଆଣନ୍ତି । ଏ ଅମାବାସ୍ୟାରେ କେହି ଜଣେ ମହାତ୍ମା ଆସିବେ ତ, ତା’ପର ଅମାବାସ୍ୟାରେ ଆସିବେ ଜଣେ ପ୍ରସିଦ୍ଧ ଡାକୁ ସର୍ଦ୍ଦାର । ପ୍ରଥମେ ପ୍ରଥମେ ଭାରି ମଜା ଲାଗୁଥିଲା । କିନ୍ତୁ ପରେ ପରେ ନାନାପ୍ରକାର ପ୍ରେତଙ୍କ ଅବତରଣର ନାନାପ୍ରକାର ସର୍ଦ୍ଦିଗର୍ମୀ ପ୍ରତିକ୍ରିୟାରେ ମୁଁ ବିବ୍ରତ ହୋଇ ପଡ଼ିଲି । ଏସବୁ ବ୍ୟାପାରରେ ମିଡ଼ିଅମ ହେବା ବଡ଼ ସାଂଘାତିକ କଥା । ମହାତ୍ମାଙ୍କ ପ୍ରେତ ତୁମ ଦେହରେ ଓହ୍ଲାଇଲେ ତୁମେ ଖବ ଭଲ ବୋଧ କରିବ ଓ ଡାକୁ ସର୍ଦ୍ଦାର ପ୍ରେତ ଓହ୍ଲାଇଲେ ତୁମକୁ ଭାରି ଆଶ୍ୱସ୍ତି ଲାଗିବ–ଏକଥା ଠିକ୍ ନୁହଁ । ପ୍ରେତମାନେ ପ୍ରେତ । ଡାକୁର ପ୍ରେତ ଓ ମହାତ୍ମାଙ୍କ ପ୍ରେତ ଜୀଅନ୍ତା ମଣିଷକୁ ମିଡ଼ିଅମ ପାଇଲେ ସମାନ ଭାବେ କାବୁ କରି ଦିଅନ୍ତି ଓ ତାକୁ ମୋଡ଼ିମାଡ଼ି ତା’ ପାଟିରୁ ବାଜୁ ବାଜୁ ଫେଣ ବାହାର କରି ଦିଅନ୍ତି । ଏକାକଥା । ମହାତ୍ମାଙ୍କ ପ୍ରେତ କହିବ ସେ ଡାକୁସର୍ଦ୍ଦାରକୁ ପ୍ରେମରେ ଆଲିଙ୍ଗନ କର । ଡାକୁସର୍ଦ୍ଦାରଙ୍କ ପ୍ରେତ କହିବ–ସେ ମହାତ୍ମାଟାର ଛାତିରେ ଛୁରି ଭୁଷି ମାରିଦେ । ଆରେ ଭାଇ ! ଆମ ଭଳି ଜୀଅନ୍ତା ମଣିଷଙ୍କ ପକ୍ଷରେ ଉଭୟ ଅତି କଷ୍ଟକର ଓ ଉଭୟ ପ୍ରକାର ଅନ୍ତରାଦେଶ ଅତୀବ ପୀଡ଼ାଦାୟକ ତଥା ଜ୍ଵାଳାତନ ବ୍ୟାପାର । ଏତେ ପ୍ରେମ ଓ ଏତେ ହିଂସାଠାରୁ ଆମ୍ଭେମାନେ ସାଧାରଣ ଲୋକେ ବହୁଦୂରରେ ଥାଇ ସର୍ବଦା ନିରୁପଦ୍ରବ ଶାନ୍ତିରେ ବାସ କରୁଥାଉଁ ।

 

ମୁଁ ଏବେ ଆଉ ସେ ଚକ୍ରକୁ ଯାଉନି । ମୋର ଭୟ ହୋଇଗଲାଣି । ସେତେବେଳେ ତ ଯାହା କଷ୍ଟହୁଏ । ପରେ ପୁଣି ଭାରି ଅବଶ ଓ ରୋଗା ରୋଗା ଲାଗେ । ଭାରି ବିଷଣ୍ଣ ଓ ଏକୁଟିଆ ଲାଗେ । ଅଯଥାରେ ସବୁବେଳେ ପାଟିରୁ ଲାଳ ବହେ ଓ ଘୁମ ଘୁମ ଲାଗେ । ବୋଧହୁଏ ଯେପରି ମୁଁ ସବୁବେଳେ ଚନ୍ଦ୍ରଲୋକରେ ରହିଛି ଓ ସ୍ଵପ୍ନ ଦେଖୁଛି । କିମ୍ବା ଅନ୍ୟମାନେ ମୋତେ ସ୍ୱପ୍ନରେ ଦେଖୁଛନ୍ତି–ମୁଁ ବୋଲି ସତରେ କିଛି ବ୍ୟକ୍ତି ବା ବସ୍ତୁ ନାହିଁ । ‘ମୁଁ’ ଅନ୍ୟମାନଙ୍କ ସ୍ଵପ୍ନ ଚେତନାରେ ଏକ ସ୍ୱପ୍ନମୟ ମାୟାପୁରୁଷ ଯେକି ନିଜକୁ ‘ମୁଁ’ ବୋଲି ଭ୍ରମରେ ଭାବୁଅଛି ଓ ପ୍ରତି ମୁହୂର୍ତ୍ତରେ ଫାଟିଯାଉଛି ପାଣିଫୋଟକା ଭଳି । ମୁଁ ସତେକି ପାଣି ଫୋଟକା ଭିତରେ ଥିବା ଶୂନ୍ୟ ଟିକିକ ବା ପବନ ଟିକିକ । ମୁଁ ସତ୍ୟ ନା ସ୍ଵପ୍ନ ? ବସ୍ତୁ ନା ତା’ର ଛାୟା ? ଏମିତି ସବୁବେଳେ ହେଲାରୁ ମୋ ଦେହ ଖରାପ ହେଲା । ଏତେ ଖରାପ ହେଲା ଯେ ମୁଁ ଆଉ ମୋ ପତ୍ନୀଙ୍କ ପାଖେ ଶୋଇ ପାରିଲି ନାହିଁ । ଦିକ୍‍ଦାର ହୋଇ ସେ ଦିନୁଁ ମୁଁ ଆଉ ମଲା ଲୋକଙ୍କ ବ୍ୟାପାରରେ ପଶୁ ନାହିଁ । ମୁଣ୍ଡ ବି ଖେଳାଉ ନାହିଁ ।

 

କିନ୍ତୁ ବର୍ତ୍ତମାନ ମୁଁ କ’ଣ କରିବି ? ସୁରବାବୁଙ୍କ ଶବ ପୋଡ଼ା ହେବା କଥା ଦେଖିବି ନା ନାହିଁ ? ସୁରବାବୁ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି । ପରୋପକାରୀ, ଗୋଟିଏ ଶ୍ରମିକ ସଂସ୍ଥା ଓ ଗୋଟିଏ ଧର୍ମ ସଂସ୍ଥା ସଙ୍ଗେ ସେ ସମ୍ପୃକ୍ତ ଥିଲେ । ସେ ମଧ୍ୟ ବିଶ୍ୱାସୀଗୋଷ୍ଠୀର ଜଣେ ବଡ଼ପଣ୍ଡା ଥିଲେ । ସେ କହୁଥିଲେ ମନୁଷ୍ୟ ତା’ର ବର୍ତ୍ତମାନର ସ୍ଥିତିର ସୀମାକୁ ଖୁବ୍‍ଶୀଘ୍ର ନିଶ୍ଚୟ ଅତିକ୍ରମ କରିଯିବ । ପୃଥିବୀରେ ଏକ ଶୋଷଣହୀନ ସଙ୍ଗତିପୂର୍ଣ୍ଣ ସୁଷମିତ ଭଗବତରାଜ୍ୟ ନିଶ୍ଚିୟ ପ୍ରତିଷ୍ଠିତ ହେବ । ମନୁପୁତ୍ରମାନେ ସେମାନଙ୍କର ମାନସିକ ସୀମାକୁ ଅତିକ୍ରମ କରି ଅତିମାନସିକ ମାନବ ଗୋଷ୍ଠୀକୁ ଉନ୍ନୀତ ହେବେ । ତୁମେମାନେ ସମସ୍ତେ ଏଥିଲାଗି ଆସ୍ପୃହା କର ଓ ଏଥିରେ ବିଶ୍ୱାସ ରଖ ।

 

ମୋତେ ଏକଥା ଶୁଣିବାକୁ ଭଲ ଲାଗେ । ମାତ୍ର ‘‘ଆସ୍ପୃହାକର’’ ଓ “ବିଶ୍ୱାସ ରଖ” କଥା ଦି’ଟା ମତେ ଭାରି ମାଡ଼ିପଡ଼େ । ଆରେ ବାବୁ ! ପୃଥିବୀ ଭଲ ହେଉ କିଏ ନ ଚାହେଁ ? ପୁଣି ଆମ ତୁମର ବିଶ୍ୱାସ ଅବିଶ୍ୱାସରେ ଅବଶ୍ୟମ୍ଭାବୀ ଘଟଣାମାନଙ୍କର କ’ଣ ଯାଏ ଆସେ ? ତା’ ଛଡ଼ା ବିଶ୍ୱାସ କ’ଣ ଆମ ହାତରେ ଅଛି ? ଥରେ ଗୋଟିଏ ମାଜିକବାଲା ତା’ପାଟିରୁ ଗୋଟି ଗୋଟିକରି ପଚାଶଟି ଅଣ୍ଡା ବାହାର କଲା । ଆମେ ଆକ୍ଷିରେ ଦେଖିଲୁ । ମାତ୍ର ରାଜୁ ମାହାନ୍ତି କହିଲା–ସେ ଶଳା ମାଜିକ୍ ବାଲା ଗୋଟାଏ ଜୀଅନ୍ତା ମୁରୁଗୀ ଗିଳିଛି । ସେ ତା’ ପେଟ ଭିତରେ ଅଣ୍ଡା ଦଉଛି ଓ ଏ ତାକୁ ସବୁ ପାଟିବାଟେ ବାହାର କରୁଛି । ମୁଁ ରାଜୁ ମାହାନ୍ତି ଗାଲରେ ଗୋଟାଏ ଖୁନ୍ଦା ବସାଇ ଦେଇ କହିଲି–ଶଳା ବେକୁଫ୍ ! ତୋର ଉର୍ବର ମସ୍ତିଷ୍କ ଖେଳାଇ ଏଭଳି ଗୋଟାଏ କାରଣ ବାହାର କରିବା ଅପେକ୍ଷା–ଶଳା କହୁନୁ କାହିଁକି ବେ ଯେ ଏସବୁ ହାତସଫେଇ କୁହୁକ ବିଦ୍ୟା ବୋଲି ?

 

ଛାଡ଼ନ୍ତୁ ! ସୁରବାବୁ ସଙ୍ଗେ ମୋର ବ୍ୟକ୍ତିଗତ ପରିଚୟ ଥିଲା–ମାତ୍ର ସାର୍ଥକ ସମ୍ପର୍କ ନ ଥିଲା । କେତେକ କହନ୍ତି, ସୁରବାବୁ ଭଗବାନଙ୍କୁ ଦେଖିଛନ୍ତି । ମୁଁ ଭାବେ–ହଁ ଦେଖିଥିବେ–ମାତ୍ର ସେଥିରୁ ଆମକୁ କି ମିଳିବ ? ଅବଶ୍ୟ ସୁରବାବୁଙ୍କୁ ଦେଖିଲେ ବେଶ ଭଲ ଲାଗେ । ସେ ଖୁବ୍ ବେଶି କଥାବାର୍ତ୍ତା କରନ୍ତି ନାହିଁ । କେବଳ ଶ୍ରମିକମାନଙ୍କ ସ୍ଵାର୍ଥ ନେଇ ମାଲିକ ସଙ୍ଗେ ଝଗଡ଼ା କଲାବେଳେ ଓ ଆମ୍ଭମାନଙ୍କୁ ପୃଥିବୀରେ ଅତିମାନସ ସ୍ଵର୍ଗରାଜ୍ୟ ପ୍ରତିଷ୍ଠିତ ହେବ–ଏଥିଲାଗି ସମସ୍ତେ ଅସ୍ପୃହାକର–‘‘ବିଶ୍ୱାସ ରଖ” ବୋଲି ଉଦତ୍ତ ଗମ୍ଭୀର ଭବିଷ୍ୟତ ବାଣୀ କଲାବେଳେ ସେ ଖୁବ୍ ଜୋରରେ ପାଟିକରି ବହୁ ସମୟ ଧରି କଥା କହନ୍ତି । ବାକି ସମୟତକ ସେ ଖୁବ୍ ସଞ୍ଜତବାକ୍ ହୋଇ ଚଳନ୍ତି । ବହୁ ଜନହିତକର ସଂସ୍ଥା ସଙ୍ଗେ ସକ୍ରିୟ ସମ୍ପର୍କ ରଖିଥିଲେ ବି ତାଙ୍କର ମୁହଁ ଓ ଚେହେରାରେ କିଞ୍ଚିତ ବିଷର୍ଣ୍ଣ ମଣିଷର, ଉଦାସୀନ ଏକୁଟିଆ ମଣିଷର କରୁଣ ଛାୟା ପଡ଼ିଥିଲା । ସେଥିଲାଗି ତାଙ୍କର ଖୁବ ତୋଫା ଗୋରା ଦେହ ଓ ମୁହଁ ମଧ୍ୟ ଟିକିଏ କରୁଣ ମଧୁର ଶ୍ୟାମଳିମାରେ ଅନୁଭବୀ ଲୋକର ହୃଦୟକୁ ପ୍ରେମିକାର ଭାବରେ ପୂର୍ଣ୍ଣ କରିଦିଏ । ମୋର କହିବାରେ ଲଜ୍ଜ୍ୟା ନାହିଁ ଯେ ପ୍ରଥମେ ଯେବେ ମୁଁ ସୁରବାବୁଙ୍କୁ ଦେଖିଥିଲି–ହଠାତ୍ ମୋ ଭିତରେ ଏକ କାମିନୀ–ସୁଲଭ ସ୍ପୃହା ଜାଗ୍ରତ ହୋଇ ଉଠିଥିଲା । ଆଃ ! ଏ ଲୋକଟିର ପତ୍ନୀ ହେବା ଭାରି ସୁଖର କଥା । ପରେ ଅବଶ୍ୟ ମୋର ଏହି ଅନୁଭବ ଲାଗି ମୁଁ ନିଜପାଖେ ଖୁବ୍ ଲଜ୍ଜିତ ହୋଇଥିଲି । ପୂର୍ବକାଳର ଶ୍ରୀରାମ, ଶ୍ରୀକୃଷ୍ଣ ଓ ଏବକାଳର ସ୍ଵାମୀ ବିବେକାନନ୍ଦ ଓ ଶ୍ରୀ ଅରବିନ୍ଦ ପ୍ରମୁଖ ମହାତ୍ମାମାନଙ୍କର ଚେହେରାରେ କୁଆଡ଼େ ଏମିତି ଏକ କରୁଣ, ବିଷର୍ଣ୍ଣ ଏକୁଟିଆ ପ୍ରେମିକମଣିଷର ଶ୍ୟାମଳ ରଙ୍ଗ ଲୁଚି ରହି ଏକ ଧରଣର ଅନୁଭବ ସ୍ତ୍ରୀ ପୁରୁଷଙ୍କ ମନରେ କାମଭାବ ଜାଗ୍ରତ କରୁଥିଲା ।

 

ଲୋକେ କୁହାକୁହି ହେବାର ମୁଁ ଶୁଣିଛି ଯେ କୁଆଡ଼େ ଭଗବାନଙ୍କୁ ଦେଖିଲେ ବା ଭଗବାନ ହୋଇଗଲେ ମଣିଷର ଚେହେରା ଏମିତି ଦିଶେ । ମୁଁ ଭାବେ–ହୋଇଥିବ । କାରଣ ଆମ ସହରର ଗୋଧି ପ୍ରଧାନର ଚେହେରା ଭାରି ଉଜ୍ଜଳ ଓ ଉତ୍‍ଫୁଲ୍ଲ ଦିଶେ । ସେ ପାଞ୍ଚଟି ଜନାକାରୀ, ଅଠରଟି ରାହାଜାନୀ ଓ କେତେନାକେତେ ଚୋରୀ ତସ୍କର କରି ବହୁବାର ଜେଲ ଯାଇଛି ଓ ଥରେ ଫାସୀରୁ ମୁକୁଳିଛି । ଲୋକେ କହନ୍ତି ସେ କୁଆଡ଼େ ସ୍ଵଂୟ ସଇତାନକୁ ଦେଖିଛି । ସଇତାନ ଦର୍ଶନ କଲେ କୁଆଡ଼େ ଚେହେରା ଏମିତି “ତଙ୍ଗ୍” ଦେଖାଯାଏ । ହୋଇଥିବ ବାବୁ ! ଭଗବାନ ବା ସଇତାନ ଦୁହେଁଯାକ ବର୍ତ୍ତମାନ ମୋ ଲାଗି ଅବାନ୍ତର ବ୍ୟାପାର ।

 

ମୋ ପକ୍ଷରେ ବର୍ତ୍ତମାନର ସମସ୍ୟା ହେଉଛି ସୁରବାବୁର ମୁର୍ଦ୍ଦାର ପୋଡ଼ିବାକୁ ନେଉଥିବା ବିରାଟ ପ୍ରୋସେସନରେ ଯୋଗ ଦେବି ନା ନାହିଁ ! “ଯୋଗ ଦେବି ନାହିଁ–ଏଭଳି ଏକ ସିଦ୍ଧାନ୍ତ କରିନେବା ଅବଶ୍ୟ ଖୁବ୍‍ ସୋଜା । ମାତ୍ର ‘‘ଯୋଗ ଦେବି’’ ବୋଲି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ମୋତେ ବର୍ତ୍ତମାନ ବେଶ୍ କିଛି ଭାବିବାକୁ ପଡ଼ିଲାଣି ଦେଖୁଛି । ଅଥଚ କିଛି ଗୋଟାଏ ଶୃଙ୍ଖଳିତ ଭାବେ ଭାବିବାଭଳି ମାନସିକତା ମୁଁ ବହୁଦିନ ହେଲା ହରାଇ ବସିଲିଣି । ବୋଧହୁଏ ଅନୁଭବୀ ଲୋକେ ଚିନ୍ତା କରିପାରନ୍ତି ନାହିଁ କି ଚିନ୍ତାଶୀଳ ଲୋକେ ଅନୁଭବ କରିପାରନ୍ତି ନାହିଁ ।

 

ଆଚ୍ଛା କାହିଁକି ଏଡ଼େବଡ଼ ଗୋଟାଏ ଶୋଭାଯାତ୍ରା ଗୋଟାଏ ଶବକୁ ବେଢ଼ିକରି ମଶାଣୀକି ଚାଲିଛି ? ଏମାନେ କ’ଣ ସୁରବାବୁ ଶୀଘ୍ର ମରନ୍ତୁ ବୋଲି ଚାହିଁଥିଲେ ନା କ’ଣ ? ଏମିତି ଅବଶ୍ୟ କେହି ଅମଣିଷ ନାହିଁ ଯେ କି ସିଧା ସଳଖ “ଅମୁକ ଲୋକଟା ମରିଯାଉ” ବୋଲି ଭାବିଦବ-। ମୁଣ୍ଡାକୁ ଢୁକିଲେ ଜିଭ କାମୁଡ଼ି ହେଇଯିବ । କାରଣ ଅପରକୁ ମରିଯାଉ ବୋଲି ଭିତରେ ଗାଳି ଦେଲେ ମରଣଟାକୁ ସେହିକ୍ଷଣି ସ୍ଵୀକାର କରିଯିବାକୁ ହୁଏ ଏବଂ ମରଣର ଅନିବାର୍ଯ୍ୟ ଶକ୍ତି ଓ ଅଧିକାର ଉପରେ ବିଶ୍ଵାସକରି ତାକୁ ମାନିଯିବାକୁ ହୁଏ । ଫଳରେ ମରଣ ଭୟ ନିଜକୁ ବି ମାଡ଼ିପଡ଼େ ।

 

କିନ୍ତୁ ସୁରବାବୁ ମରିଯାଉ ବୋଲି କେତେକ ଚାହୁଁଥିଲେ ବି ଅନବରତ ସେହି କଥାକୁ ଭୟ ଲାଗୁଥିଲା । ସୁରବାବଙ୍କୁ ଦେଖିଲେ ମୋର ମନେ ହେଉଥିଲା–ଲୋକଟାକୁ ଭଲ ନପାଇ ଏ ପୃଥିବୀ ରହିଛି କିପରି ? ତାଙ୍କର ସେହି ବିଷର୍ଣ୍ଣ ମୁଖରେ “ପାଇଛି ଓ ହଜାଇ ଦେଇଛି–ହୋଇ ପୁଣି ମିଳିଗଲା ଏବଂ ଏ ମଧ୍ୟ ହଜି ଯାଇପାରେ” ଭଳି ଭାବି ବ୍ୟକ୍ତ କରୁଥିବା ଦୁଇଟି ନିରୀହ ଅଥଚ ଶକ୍ତିଶାଳୀ ଆକ୍ଷି ଓ ନକଲି ଦାନ୍ତ ଦୁଇଧାଡ଼ି ଲାଗିଥିବା ପାଟିରେ ଧାରେ “ସମସ୍ତଙ୍କୁ ପାରିକର ହେ ଚକ୍ରଧର” ଭଳି ହସ ଦେଖିଲେ ଲୋକଟାକୁ ଭଲ ନପାଇ ରହିହେବ କେମିତି ? କିନ୍ତୁ ନାରଣବାବୁ କହନ୍ତି–ଲୋକଟା ଭଲ ସିନା, ଉଦାର ନୁହଁ । ନିଜ ମତ–ବିରୋଧୀ ଲୋକଙ୍କ ଉପରେ ଭିତରେ ଭିତରେ ଚିଡ଼େ । ଉପରେ ସିନା କିଛି କହେ ନାହିଁ । ମୁରଲୀବାବୁ ଓ ଜଗୁବାବୁ କହନ୍ତି...ସୁରବାବୁ ଭାବେ ସେ ସର୍ବଜ୍ଞ ଓ ସବୁକଥାରେ ସେଇ କେବଳ ନେତୃତ୍ଵ ନେବ । ସୁଧାଂଶୁବାବୁ କହନ୍ତି...ସୁରବାବୁ ରାତିରେ ବ୍ରାଣ୍ଡି ପିଏ ଓ ବହୁତ ଲଟେରୀ ଟିକେଟ କିଣେ । ମୁଁ ପ୍ରତିବାଦ କରେ...କିପରି ତୁମେମାନେ ଏସବୁ କଥା ଜାଣିଲ ? ସେମାନେ ମତେ ଚପାଇ ଦିଅନ୍ତି...ତୁ ଚୁପ୍‍କର । ତୁ ହ୍ୟାପ ପ୍ରେତଙ୍କର ମିଡ଼ିଅମ୍ ହେବା ଲୋକ...ତୁ ଜିଅନ୍ତାମଣିଷଙ୍କ ହାଲତ କାହୁଁ ବୁଝିବୁ-? ମୁଁ ଭାବେ–ହୋଇଥିବ ! ମୁଁ ବେକୁଫ୍‍ ମଣିଷ ଚରିତ୍ର ସମ୍ବନ୍ଧେ କ’ଣ ବୁଝିବି ? ସେଇଠୁ ମୋର ମୁଣ୍ଡରେ ପଶେ–ସୁରବାବୁକୁ ଟିକେ ଘୃଣା ଓ ନିନ୍ଦା କରିବା ମଧ୍ୟ ଉଚିତ । ସମସ୍ତଙ୍କୁ ମଧ୍ୟ ଟିକେ ଘୃଣା ଓ ନିନ୍ଦା କରିବା କଥା । ମୋ ଭଳି ହେଙ୍ଗେଳାଙ୍କ ଭଳି “ସମସ୍ତଙ୍କୁ ଭଲ ପାଇଗଲି ତ ଭଲ ପାଇଗଲି” କଥାଟା ନିହାତି ବେକୁଫି ବେ ଅକ୍‍କଲୀ ବାତ୍ । ମୁଁ ତେଣୁ ସାଙ୍ଗ ମେଳରେ କୁଆଡ଼ୁ ଶୁଣିଥିବା ବା ମୋ ନିଜ ମନରୁ, ସ୍ଵୟଂସମ୍ଭୂତ ହୋଇଥିବା ଗୋଟାଏ କୁତ୍ସବାଣୀ ଘୋଷଣା କରିଦିଏ...ଆହେ ! ସୁରବାବୁଙ୍କ ଗଲ୍‍ତି ମୁଁ ଜାଣିନି ଭାବିଛ ? ଶୁଣ ତେବେ । ସୁରବାବୁର ଧନେଶ୍ଵର ଗରାବଡ଼ୁଙ୍କ ସ୍ତ୍ରୀଙ୍କ ସଙ୍ଗେ ଗୁପ୍ତ ପ୍ରୀତି ରହିଛି । ମୁଁ ଦୁଇଟା ଚୋରା ପ୍ରେମପତ୍ର ମଧ୍ୟ ତାଙ୍କର ପାଇଛି । ଅନ୍ୟମାନେ ଶୁଣି ଖୁସି ହୁଅନ୍ତି ଓ ବଂଶୀବାବୁ ଅତ୍ୟନ୍ତ ଉତ୍‍ଫୁଲ୍ଲ ହୋଇ କହନ୍ତି– ଆରେ ଶଳା ଭୂତ ! ସେ ଚିଠି ଦି’ଟା ମତେ ଦେଇ ଦେ–ମୁଁ ତାକୁ ଟେଲିଗ୍ରାମ କାଗଜରେ ଛପାଇ ଦେଇ ସୁରବାବୁର ଇଜ୍ଜତ ନେଇଯିବି ।

 

ମୁଁ ଏତେକ କୁତ୍ସା କରି ଭାରି ଖୁସି ହୋଇଯାଏ ଏଇଆ ଭାବି ସେ...ଦେଖ ବାବୁ । ମୁଁ ଭଲ ପାଉଥିବା ଲୋକର ଦୋଷ ମଧ୍ୟ ଜାଣିଛି ଓ ତୁମମାନଙ୍କ ଆଗେ କହି ଦେଉଛି–ମୋର କିଛି ପକ୍ଷପାତ ନାହିଁ ।

 

ଅଥଚ ସୁରବାବୁର ଶବ ଯାତ୍ରା ସଙ୍ଗେ ଜଗୁବାବୁ, ନାରଣବାବୁ ମୁରଲୀବାବୁ ଓ ବଂଶୀବାବୁ ହେରିକା ମଧ୍ୟ ଯାଇଛନ୍ତି ।

 

ଛାଡ଼–ମୁଁ ବର୍ତ୍ତମାନ କ’ଣ କରିବି ? ଯିବି ? ମଝିରୁ ଯାଇ ଯୋଗ ଦେବି ? ନାରଣବାବୁ ବଂଶୀବାବୁ ହେରିକା ମତେ ଦେଖି ଖୁସି ହେବେ ଓ ଭାବିବେ–ଆସିଲା ଆମ ଭଳି ଆଉ ଜଣେ ଯେ କି ସୁରବାବୁକୁ ସବ୍‍ଜାନତା ବୋଲି–ମଦ ଖାଏ ବୋଲି–ସବୁ କଥାରେ ନେତୃତ୍ଵ ନିଏ ବୋଲି ଓ ଭଗବାନଙ୍କୁ ଦେଖିବା ଭଳିଆ ଦେଖାଏ ବୋଲି ଓ ଶ୍ରୀମତୀ ଗରାବଡ଼ୁଙ୍କ ସଙ୍ଗେ ପାପ ପ୍ରୀତି କରେ ବୋଲି ଘୃଣା କରେ ଏବେ ଆମ ସଙ୍ଗେ ମିଶି ତା’ ଶବ ଯାତ୍ରାରେ ଯୋଗ ଦେଲା ।

 

ମୁଁ ଏମିତି ଭାବୁଛି–ହଠାତ୍ ହରୀଶ ପ୍ରଧାନ ଆସି ମୋତେ ପ୍ରାୟ ଧକ୍‍କାଟାଏ ପକାଇ କହିଲା–ଯିବ କିଓ ? ସୁରବାବୁ ଶବ ସାଙ୍ଗରେ ? ମୁଁ କହିଲି–କାହିଁକି ଯିବି ? ସେ କହିଲା–ଆମେ ଯଦି ଏ ଶବଯାତ୍ରାରେ ଯୋଗ ନନେବା ତେବେ ଆମ ଶବଯାତ୍ରାରେ କିଏ କାହିଁକି ଯିବ ? ମୁଁ କହିଲି–ଅଲବତ ଯିବେ । ଯେଉଁମାନେ ଯିବ କଥା ନଯାଇ ରହି ପାରିବେ ନାହିଁ । ସେ ଖୁବ୍ ଗୁରୁତ୍ଵ ଦେଇ ଉତ୍ସୁକଭାବେ ପଚାରିଲା–କେଉଁମାନେ ଯିବେ ? ମୁଁ କହିଲି–ପ୍ରେତମାନେ ଯିବେ । ଜୀଅନ୍ତା ଲୋକ ଯାଇ ଲାଭ କ’ଣ ? ଖାଲି ବୃଥା ଗୋଳମାଳ । ପ୍ରେତଙ୍କ ସଙ୍ଗେ ପ୍ରେତଙ୍କର ଅଦୃଶ୍ୟ ନୀରବ ଯୋଗାଯୋଗ ଖୁବ୍ ଚମତ୍କାର ।

 

ହରୀଶ୍ ପ୍ରଧାନ ବିରକ୍ତ ହେଲା । କହିଲା–ତୁ ଖାଲି ପ୍ରେତଙ୍କ କଥା ଜାଣୁ ଶଳା ଭୂତ । ମୁଁ କହିଲି–ତୁ ନିଜେ ଭୂତ ବୋଲି ଜାଣିନୁ କିରେ ?

 

ତା’ପରେ ହରୀଶ ତା’ ନିଜକୁ ପ୍ରେତଙ୍କ ଠାରୁ ଅଲଗା ବୋଲି ଦେଖାଇବା ଲାଗି ତା’ ଡବାରୁ ଗୋଟାଏ ଚଉକଷିଆ ପାନଖିଲ କାଢ଼ି ତା’ ପାଟିରେ ଜାକି ତାକୁ ପାଶବିକ ଢଙ୍ଗରେ ଚୋବାଇ ଲାଗିଲା, ଓ ପକେଟରୁ କଲମଟାକୁ କାଢ଼ି ତାକୁ ଅକାରଣ ଖୋଲି ଓ ପୁଣି ବନ୍ଦ କରି ପକେଟରେ ଖୋଷିଦେଲା ଏବଂ ହାତ ଘଣ୍ଟାକୁ ଚାହିଁ ଖୁବ୍ ତରବରରେ କହିଲା–ହରିବୋଲ ଭାଇ ଗୋବିନ୍ଦ ବୋଲ–ଚାଲିଲି ମୁଁ । ସେ ଚାଲିଗଲା । ତା’ ପଛରେ ଏମିତି ମେଞ୍ଚାଏ ହୁଃସ୍‍କରି ପବନ ବହିଗଲା ଯାହାକି ପ୍ରେତମାନେ ପୃଥିବୀ ପୃଷ୍ଠରୁ ଆକାଶକୁ ଉଡ଼ିଗଲାବେଳେ ବହିଗଲା ଭଳି ଲାଗେ-

 

ଅତଃପର ମୁଁ ପୁଣି ଏକୁଟିଆ ହୋଇ ଭାବିଲି । କ’ଣ କରିବା ଉଚିତ । ଅବଶ୍ୟ ସୁରବାବୁର ମୁର୍ଦ୍ଦାରଟା କୋକେଇରେ ବୁହା ହୋଇ ଯାଉଥିବା ବେଳର ଦୃଶ୍ୟଟା ଗୋଟାଏ ଚିତ୍ତାକର୍ଷକ ବ୍ୟାପାର । ଭଗବାନଙ୍କୁ ଦେଖିଥିବା ବା ପାଇଥିବା ଲୋକଟି–ଅନ୍ୟଠାରୁ ନିଜକୁ ପୃଥକ ବୋଲି ଭାବୁଥିବା ଲୋକଟି–ହେ ଚକ୍ରଧର ! ସବୁ ଦୁଃଖୀରଙ୍କିଙ୍କି ପାରିକରି ବୋଲି ଭାବୁଥିବା ଲୋକଟି–ପୃଥିବୀରୁ ଶୋଷଣ ଦୂର ହେଉ ଓ ସ୍ଵର୍ଗରାଜ୍ୟ ପ୍ରତିଷ୍ଠିତ ହେଉ ବୋଲି କାମନା କରୁଥିବା ଲୋକଟି–ରାତ୍ରିରେ ବ୍ରାଣ୍ଡି ପିଉଥିବା ଲୋକଟି–ଓ ଶ୍ରୀମତୀ ଗରାବଡ଼ୁଙ୍କ ସଙ୍ଗେ ପାପପ୍ରୀତି କରୁଥିବା ଲୋକଟି ଏବଂ କିଞ୍ଚିତ ଛଦ୍ମ ଗର୍ବ ଓ ଔଦ୍ଧତ୍ୟବନ୍ତ ଲୋକଟି କୋକେଇରେ ବନ୍ଧା ହୋଇଯାଇ ମଶାଣୀରେ ପୋଡ଼ା ହେଉଥିବା ଦୃଶ୍ୟଟି ଦେଖିଲେ ମନରେ ଗୋଟାଏ ଖୁସି ଭାବ ମଧ୍ୟ ଆସିଯାଇ ପାରେ ।

 

ମଶାଣୀକି ମୁଁ ବହୁବାର ଯାଇଛି । ବହୁ ପିଲା, ଟୋକା, ବୁଢ଼ା ବୁଢ଼ୀ ଟୋକୀଙ୍କି ପୋଡ଼ିଛି, ପୋତିଛି ଓ ପୋଡ଼ା ହେବାର ପୋତା ହେବାର ଦେଖିଛି । ସେସବୁ ଏକପ୍ରକାର ଭଲ ଲାଗେ । ଯଦିଓ ଭଲ ଲାଗୁଛି ବୋଲି ଜାଣି ହୁଏନା କି ବୁଝି ହୁଏନା ।

 

ଥରେ ଗୋଟାଏ ବଡ଼ ଚିଲିକା କଙ୍କଡ଼ା ତା’ର ମୋଟା କରତିଆ ସଣ୍ଢୁଆଶି ଗୋଡ଼ରେ ମୋ ହାତକୁ ଚାପି ଧରିଲା । ଆଙ୍ଗୁଠିଟା ଛିଡ଼ି ପଡ଼ିଲା ଭଳି ଯନ୍ତ୍ରଣାରେ ମୁଁ ଅସ୍ଥିର ହୋଇ ଉଠିଲି । କଙ୍କଡ଼ାଟାକୁ ବିକଳରେ ଆର ହାତରେ ଛଡ଼ାଉ ଛଡ଼ାଉ ସେଇଟା ତା’ର ଆର ସଣ୍ଢୁଆଶି ଗୋଡ଼ରେ ମୋର ବାଁ ହାତର ବିଶି ଆଙ୍ଗୁଠିଟାକୁ ଚାପିଧରିଲା । ମୁଁ ଛଟପଟ ହୋଇଗଲି । କଷ୍ଟ ଓ କ୍ରୋଧରେ ଫାଟି ପଡ଼ିଲି । ଆଉ ଉପାୟ ନଥିଲା । ଦଉଡ଼ିଗଲି ରୋଷେଇ ଘରକୁ । ଭାତ ହାଣ୍ଡିରେ ପାଣି ଫୁଟୁଥିଲା । ଦି’ ହାତକୁ କଙ୍କଡ଼ା ସୁଦ୍ଧା ସେଇ ଫୁଟିଆଣୀରେ ବୁଡ଼ାଇ ଧରିଲି । ନିଜର ପ୍ରାଣାନ୍ତକ ଯନ୍ତ୍ରଣାକୁ ପ୍ରଚଣ୍ଡ ହିଂସାତ୍ମକ କ୍ରୋଧରେ ପରିଣତ କରି ଟକଟକ୍ ଫୁଟନ୍ତା ପାଣିରେ କଙ୍କଡ଼ା ସୁଦ୍ଧା ହାତକୁ ବୁଡ଼ାଇ ରଖିଲି ତିନି ମିନିଟ । ହାତଟା ସିଝି ଫୋଟକା ହୋଇଗଲା । କିନ୍ତୁ ସେଇଟା ବଡ଼ କଥା ନୁହେଁ । ସେ କିଛି ଜଣା ପଡ଼ିଲା ନାହିଁ । ମାତ୍ର କଙ୍କଡ଼ାଟା ସେଇ ବଜ୍ଜାତ କଙ୍କଡ଼ାଟା ଗରମ ପାଣିରେ ତିନି ମିନିଟରେ ଛଟପଟ ହୋଇ ନାଲି ପଡ଼ିଗଲା । ନାଲି–ନାଲି–ଠିକ୍ ମଶାଣୀର ନିଆଁ ଭଳି ନାଲି । ଅଗ୍ନିଦେବତା ଭଗବାନ ନୁହନ୍ତି କି ସଇତାନ ନୁହନ୍ତି । ସେ ସବୁକୁ ନାଲି କରିଦିଅନ୍ତି, ପାଉଁଶ କରିଦିଅନ୍ତି–ସାଫ୍ କରିଦିଅନ୍ତି । ଏ ଶଳା ଜୀବନଟା ସେମିତି । ତା’ର ସଣ୍ଢୁଆଶି କରଡ଼ିଆ ଗୋଡ଼ରେ ଆମକୁ ଚାପିରଖି ଛଟପଟ କରୁଛି । ତାକୁ ଚିତା ଉପରେ ପକାଇ ଦିଅ–ବାସ୍ ନାଲି ପଡ଼ିଯିବ–ସଫା ହୋଇଯିବ । ମୁଁ ସେଇ ସିଝା ନାଲି କଙ୍କଡ଼ାଟାକୁ ବିଧାମାରି ଫଟାଇ ଦେଲି । ତା’ ଭିତରର ଧଳା ମାଟିଆ ଓ ହଳଦିଆ ଶଶତକ ହିଂସାରେ ଖାଇଦେଲି । କହିଲି–ଏଥର ଯା ମୋ ପେଟ ଭିତରେ ପୁଣି ନାଲି ହବୁ–ଭସ୍ଵଁ ହେବୁ ।

 

ଆଜି ସୁରବାବୁର ଦେହ ସେମିତି ନାଲିହବ ଜଇ ଉପରେ–ସେଇଠୁ ଭସ୍ୱଁ ହେବ । ତାକୁ ତଳକାଠ ଉପରେ ତଳମୁହାଁ କରି ଶୁଆଇ ଦେବେ । ଉପରେ କାଠ ନଦିବେ । ଘିଅ ଢାଳିବେ । ଚନ୍ଦନକାଠ କେତୁଟା ପକାଇବେ । କେତୁଟ ! କାଠ ତା’ ମୁହଁ ଓ ଛାତି କାଖ ତଳେ ଓ ଅଣ୍ଟା ପାଖେ ଗେଞ୍ଜିବେ । ତା’ର କଣ୍ଟ୍ରାକ୍ଟର ବଡ଼ ପୁଅ ଶ୍ରାଦ୍ଧସାରି ହୁତୁହୁତୁ ଜଳୁଥିବା ନିଆଁ ଅଟାଟା ଆଣି ଆଗ ତା’ ମୁହଁ ପାଖେ ଗେଞ୍ଜିଦେଇ ତଳକୁ ମୁହଁ କରି ପଳାଇବେ । ତା’ପରେ ସମସ୍ତେ ନିଆଁ ଲଗାଇବେ । କଙ୍କଡ଼ା ଓ ମାଛଭଳି ତାକୁ ପୋଡ଼ିବେ । ନିଆଁ ତା’ଉପରେ ଚରିଯିବ । ହୁତୁହୁତୁ ନାଲି ନିଆଁ ଜଳିଉଠିବ । ସମସ୍ତେ ଖୁସି ହେବେ । ସୁରବାବୁର ମୁହଁଟା ଆଗ ଜଳିଯିବ । ସେହି ମୁହଁଟାଇ ଅସଲ-। ସବୁ ଅନର୍ଥର ମୂଳ । ସମସ୍ତେ ସବୁବେଳେ ତାକୁଇ ଦେଖନ୍ତି । ସେଇ ମୁହଁଟାକୁ ଦେଖି ଥୋକେ ତାକୁ ଛଦ୍ମ ଭଗବାନ ଅଂଶୀ ଓ ଆଉ ଥୋକେ ସଇତାନ ଅଂଶୀ କହୁଥିଲେ । ସେହି ମୁହଁଟା ଦିନରେ ଦୁଧ ଓ ରାତିରେ ବ୍ରାଣ୍ଡି ପିଉଥିଲା । ଦିନବେଳା ବିଷର୍ଣ୍ଣ ଓ ଉଦାସ ଦିଶୁଥିଲା ଓ ରାତିରେ ଗରାବଡ଼ୁ ବାବୁଙ୍କ ସ୍ତ୍ରୀକୁ ଗୋପନରେ ଚୁମ୍ବନ ଦେଉଥିଲା । ସେହି ମୁହଁଟା ସ୍ନେହ କରୁଥିଲା–ଘୃଣା କରୁଥିଲା-। ବିନୟ ଦେଖାଯାଉଥିଲା ଗର୍ବ ବି ଦେଖାଉଥିଲା । ସେହି ମୁହଁକୁ ଦେଖିଲେ ଭଲ ଲାଗୁଥିଲା, ଚିଡ଼ି ଲାଗୁଥିଲା । ଗରାବଡ଼ୁ ବାବୁଙ୍କର ଦୋଚାରୁଣୀ ସ୍ତ୍ରୀ ସେଇ ମୁହଁଟାରେ କାହାକୁ ଦେଖି କାମବାଈ ହେଇଥିଲା ? ଭଗବାନଙ୍କୁ ନା ସୟତାନଙ୍କୁ ? ନା ଉଭୟଙ୍କୁ ? ସେଇ ମୁହଁଟା କହେ ସୁରବାବୁ ହେଇ ଆସିଲେ–ସେଇ ମୁହଁଟା କହେ–ସୁରବାବୁ ହେଇଗଲେ । ହେଇ ସୁରବାବୁ କହୁଛନ୍ତି–ଚୁପ୍ ହୋଇଛନ୍ତି–ଚାହିଁଛନ୍ତି–ଆକ୍ଷି ବୁଜିଛନ୍ତି । ସେଇ ମୁହଁ ସବୁ କହେ । ସୁରବାବୁର ସେଇ ମୁହଁଟା ଆଗ ନାଲି ପଡ଼ିଯିବ–ପୋଡ଼ିଯିବ, ପାଉଁଶ ହୋଇଯିବ । ସେଇ ମୁହଁଟା ଲୁଚିଯିବ । ପୁଣି ଯାଇ କୋଟି କୋଟି ଅର୍ବୁଦାର୍ବୁଦ ଯୁଗପରେ କୋଟି କୋଟି ଅର୍ବୁଦାବୁର୍ଦ ମଣିଷଙ୍କ ଭିତରେ ହଠାତ୍ ସେଇ ମୁହଁଟା ଭଳି ଆଉ ଗୋଟାଏ ମୁହଁ ଦୁଶିଯିବା ଭଳି କାହା କାହାକୁ ଲାଗିବ ? କିନ୍ତୁ କାହା କାହାକୁ ଲାଗିବ-? ଆଜିର ମୁହଁମାନେ ସେତେବେଳେ ନଥିବେ ସେ ମୁହଁକୁ ଚିହ୍ନିବା ପାଇଁ–ମିଳେଇବା ପାଇଁ ! ସବୁ ମୁହଁକୁ ଏ ନିଆଁ ପୋଡ଼ି ପାଉଁଶ କରିଦେବ । ନିଆଁ ସବୁଠାରେ ଅଛି । ପାଣିରେ ଅଛି, ମାଟିରେ ଅଛି, ଆକାଶରେ ଅଛି । ଆକୃତିମାନଙ୍କୁ ଗଢ଼ୁଛି–ଫେର ତାକୁ ପୋଡ଼ି ଭସ୍ଵଁ କରୁଛି । କିନ୍ତୁ ଆକୃତିମାନଙ୍କୁ ମନେ ରଖିବ କିଏ ? ନିଆଁ କ’ଣ ମନେ ରଖିପାରେ ? ଚାରି ପ୍ରକାର ନିଆଁ ଅଛି-। ଏକ ନିଆଁ ଗଢ଼େ–ଏକ ନିଆଁ ପାଳେ–ଏଇ ନିଆଁ ଭସ୍ମ କରେ ଓ ଆରେକ ନିଆଁ ସବୁ ମନେରଖେ । ୟାକୁ ଦେଖି ତାକୁ ମନେ ପକାଏ । ତାକୁ ମନେରଖି ୟାକୁ ଗଢ଼େ । ଧନ୍ୟ ଧନ୍ୟ ଧନ୍ୟରେ ଅଗ୍ନି । ଓଁ ଅଗ୍ନିମୀଡ଼େ ପୁରୋହିତେ । ଅଗ୍ନିକୁ ଆଗରେ ରଖିଚାଲ ଭାଇମାନେ । ସୁଜ୍ଞଜନେ ଏବେ ଅଗ୍ନିକୁ ଧର–ସେଇ ସଇତାନ ସେଇ ଈଶ୍ଵର । ଅଗ୍ନି ମୋହର ନିଜ ଗୁରୁ । ଉଦ୍ଧବ କିମ୍ପା ଗାଲୁ ମାରୁ ?

 

ସୁରବାବୁ ଆଜି ଭସ୍ଵଁ ହବ । ମଜାଲାଗିବ, ସମସ୍ତେ ଭସ୍ୱଁ ହେବେ ହୁଅନ୍ତୁ । ଆମେ ସବୁ ଭସ୍ୱଁ ହେବା । ମଜାହେବ, କୋଉଶଳା କହୁଛିବେ ଭସ୍ୱଁ ହେବନି ବୋଲି ? ଶଳେ ସେ ମଜା ସେ ରହସ୍ୟ ଜାଣିନାହାନ୍ତି । ଶଳାମାନେ ଶୁଣ ! ମୁଁ ସତ୍ୟକୁ ଜାଣି ଅଛି । ଆମେ ସବୁ ମୃତ୍ୟୁ ମାତାର ସନ୍ତାନ । ଏହି ଆଣ୍ଠକୁଡ଼ୀ ଛୁଆ ଡାହାଣୀ ଜୀବନ ଆମକୁ ମୃତ୍ୟୁର ଅନ୍ଧକାର କୋଳରୁ ଲୁଚାଇ ଚୋରାଇ ଘେନି ଆଣି ଏତେ କଦର୍ଥନା ଦେଉଛି । ଜୀବନ ଆମକୁ କ’ଣ ଖାଇବାକୁ ଦବ ? ଖାଲି ଖେଳେଇ ମାରିବ । ଉପାସିଆ ରଖି ମାରିବ । ମାରିବ କ’ଣ ? ମାରିମାରି ବଞ୍ଚେଇବ । ମୃତ୍ୟୁମାଆ ଆମର ସେଇଦିନୁ କାମୁଡ଼ା ବାଘୁଣୀ ତା’ ଛୁଆକୁ ଖୋଜିଲା ଭଳି ଆମକୁ ଖୋଜି ବୁଲୁଛି । ଯେମିତି ଆମକୁ ପାଇବ ସେମିତି ପେଟତଳେ ଜାକି ମାରିବ କୁଦା । ବାଘୁଣୀ ପେଟତଳେ କେବେ ଜକାହୋଇଛ ? ଜାଣିଛ ସେ ମଜା ? କିଛି ଜାଣିନ । ଖାଲି ପରସ୍ପରକୁ ପଛକୁ ଠେଲି ଆଗକୁ ଦଉଡ଼ୁଛ । କ’ଣ ଆଗରେ ଅଛି ? କ’ଣଟା ଆଗରେ ପାଇଲେ କ’ଣଟା ବା ତୁମର ହୋଇଯିବ ? ପଞ୍ଝାଏ ଭଗବାନଙ୍କୁ ଡାକୁଛ–ହେ ଭଗବାନ ! ଚକ୍ରପେଷି ମୋ ଶତ୍ରୁକୁ ମାରିଦିଅ । ଆର ଦଳକ ସଇତାନକୁ ଡାକୁଛ–ହେ ପ୍ରଭୁ ସଇତାନ ! କୌଶଳ କରି ମୋ ଶତ୍ରୁ ପେଟରେ ଛୁରା ଭୂଷି ଦିଅ । ଆହେ ଶତ୍ରୁ କିଏ ? ସମସ୍ତେ ଏଠି ସମସ୍ତଙ୍କୁ ଶତ୍ରୁ କରି ସାରିଲେଣି । କେହି ତୁମେମାନେ ମୃତ୍ୟୁକୁ ଚିହ୍ନିନାହଁ । କେହି ତୁମର ଅସଲ ମାକୁ ଚିହ୍ନି ନାହିଁ । ବାଘୁଣୀ ପେଟତଳେ ଜକା ଖାଇଛ କେବେ ? ମୁଁ ଜାଣିଛି । ବାଘୁଣୀ କୋଳଜକା ସୁଖ ମୁଁ ଜାଣିଛି । ଥରେ ମୁଁ ବଣରେ ବୁଲୁଥିଲି । ମୋ ସାଙ୍ଗେ ରତନା ବାରିକ ଥାଏ । ଆମେ ମହୁ ଆଣିବାକୁ ଯାଇଥାଉଁ । ରତନାର କିନ୍ତୁ ଭିନ୍ନ ମତଲବ ଥାଏ । ସେ କୋଚିଲାଖାଇ ଚଢ଼େଇର ବସା ଠାବ କରିଥାଏ । ତା’ ମାଇକିନାର ଆମବାତ ଭଲ କରିବାକୁ ସେ କୋଚିଲାଖାଇ ଚଢ଼େଇ ଆଣି ତାକୁ ମାରି ତା’ ତେଲ ରାନ୍ଧି ତା’ ଅଣ୍ଟାରେ ଘଷିବାକୁ ସ୍ଥିର କରିଥାଏ । ଆଗ ମହୁ ସଂଗ୍ରହ କଲୁ । ମନଇଚ୍ଛା ମହୁ ଖାଇଲୁ । ରତନା ସେଇଠୁ ଗଲା କୋଚିଲାଖାଇ ଚଢ଼େଇ ବସା ଖୋଜିବାକୁ । ମୁଁ ଗୋଟାଏ ବେତ ବୁଦା ତଳେ ଗୋଟାଏ ଠେକୁଆ ଶୋଇଥିବାର ଦେଖି ତାକୁ ଧରିବାକୁ ଯାଉଛି–ହଠାତ୍ ଗୋଟେ ଥାପଡ଼ରେ ମୁଁ ପଡ଼ିଗଲି । ତା’ପରେ ମୋତେ କୋଳରେ ଜାକିଧରି ସେ କୁଦା ମାରି ମାରି ଦୌଡ଼ିଲା । ପ୍ରଥମେ ମୋର ହୋସ୍ ଚାଲିଗଲା । ତା’ପରେ ମୋର ହୋସ ଫେରି ଆସିଲା ବାଘୁଣୀଟା ତଥାପି ଦୌଡ଼ୁଥାଏ । ମତେ କେମିତି ଲାଗିଲା ମତେ ଖୁବ୍ ଭଲ ଲାଗୁଛି । କେମିତି ଭଲ ଲାଗୁଥାଏ କେମିତି କହିବି ? ତୁମେ କ’ଣ ଜାଣି ପାରିବ ! ଠିକ ମା’ କୋଳରେ ଜକାହେଲା ପରି, ମୋ ମନ ଭିତରୁ ସବୁ ଭୟ ଚାଲିଯାଇଥିଲା । ମୁଁ ତା’ କୋଳରେ ନିଜକୁ ସଅଁପି ଦେଇଥିଲା । ବରଂ କାଳେ ତା’ ହାତରୁ ଖସି ତଳେ ପଡ଼ିଯିବ ଭାବି ତାକୁ ଦୁଇ ହାତରେ କୁଣ୍ଢେଇ ଧରି ଦୁଇ ଗୋଡ଼କୁ ତା’ ଦେହରେ ଛନ୍ଦି ଦେଇଥିଲି । ସେହି ଅବସ୍ଥାରେ ମୋର ମଧ୍ୟ ଗୋଟାଏ ଖିଆଲ ହେଉଥାଏ ଯେ ମୁଁ ଯଦି ବାଘୁଣୀଟାର ଦୁଧ ଖାଇପାରନ୍ତି । ତା’ଚିରରେ ମୁହଁ ଲଗାଇ ଚୂକ ଚୂକ କରି ଆକ୍ଷିବୁଜି !! ମୁଁ ଏତେ ଆହ୍ଲାଦିତ ହୋଇ ଉଠିଲି ଯେ ମୋର ନିଦ ଭାଜିଗଲା । ସ୍ଵପ୍ନଟା ଆଜିଯାଏ ମନେଅଛି । ହଅ–ସ୍ଵପ୍ନ ହେଲେବି ଅସୁବିଧା କ’ଣ ? ସ୍ୱପ୍ନର ଅନୁଭୂତି ବାସ୍ତବର ଅନୁଭୂତି ଅପେକ୍ଷା ଆହୁରି ଗଭୀର–ଆହୁରି ସତ୍ୟ–ଜୀବନ୍ତ । କଥାଟା ସ୍ଵପ୍ନ କି ବାସ୍ତବରେ ନାହିଁ । ଅନୁଭୂତିର ସତ୍ୟତାଟାକୁ ଦେଖ । ମୃତ୍ୟୁ ଚମତ୍କାର । ମୃତ୍ୟୁ ଆମର ଅସଲ ମା । ଶୁଆଇ ପକାଏ ଆରାମ ଦିଏ ।

 

ଭଲ ହେବ । ମଜା ହେବ । ସୁରବାବୁ ପୋଡ଼ା ହେବ । ମୁଁ ଦେଖିବି । ସୁରବାବୁ–ଚିତାର ନିଆଁରେ ସମସ୍ତଙ୍କ ମୁହଁ ଝଲସି ଉଠିବ । ସମସ୍ତେ ଖୁସି ହେବେ । କିନ୍ତୁ ଖୁସି ହେଉଛନ୍ତି ବୋଲି ବୁଝି ପାରିବେ ନାହିଁ । ସୁରବାବୁଙ୍କ ସ୍ତ୍ରୀ କାନ୍ଦିବେ । ତାଙ୍କର ଗୁପ୍ତ ପ୍ରଣୟିନୀ ଶ୍ରୀମତି ଗରାବଡ଼ୁ କାନ୍ଦିବେ । ହୁଏତ ତେରଦିନ କାନ୍ଦିବେ । କିନ୍ତୁ ସେମାନେ ଖୁସି ହୋଇ କାନ୍ଦୁଛନ୍ତି ବୋଲି ବୁଝିପାରିବେ ନାହିଁ । ଭଲ ପାଉଥିବା ଲୋକର ମଲାପରେ କାନ୍ଦି କାନ୍ଦି ଖୁସୀ ହେବା ଭଲ । ଆମେ ଦୁଇ ବେଳାରେ ଖୁସି ହେଉଁ । ହସିଲା ବେଳେ ଓ କାନ୍ଦିଲା ବେଳେ । ଅନ୍ୟ ବେଳାରେ ଖାଲି କଷ୍ଟ ପାଉ । ସିଝୁଥାଉ–ଭସ୍ମଁ ହେଉ ନାହିଁ । ହସିଲା ବେଳେ ଆମେ ବୁଝି ପାରୁନା ଯେ ଆମେ କାନ୍ଦୁଛୁ । ସେମିତି କାନ୍ଦିଲା ବେଳେ ଆମେ କ’ଣ ବୁଝିପାରୁ ଯେ ଆମେ ହସୁଛୁ ବୋଲି ?

 

ଆଉ ଡେରି କରିବା ଅନୁଚିତ । ମୁଁ ରେକ୍‍ସାଟିଏ ଧରି ମଶାଣୀ ଅଭିମୁଖେ ଛୁଟିଲି । ବାଟରେ ମୋ ମୁଣ୍ଡକୁ ବୁଦ୍ଧି ଜୁଟିଲା–ମୁଁ ବନାସାହୁ ଦୋକାନରୁ କିଛି ଘିଅ କିଣିଲି । ଚନ୍ଦନ କାଠ ଦୁଇଖଣ୍ଡି କିଣିଲି । ସୁରବାବୁଙ୍କ ଚିତା ଉପରେ ସଂଯୋଗ କରି ଦେଖିବି କିପରି ମୁର୍ଦ୍ଦାରଟି ହୁତୁହୁତୁ ହୋଇ ଜଳିବ ।

 

ଅଳ୍ପ ସମୟ ଭିତରେ ମୁଁ ପ୍ରୋସେସନରେ ମିଶିଗଲି । ମଶାଣୀ ଆଉ ଅଳ୍ପବାଟ ଥାଏ । ମସ୍ତବଡ଼ ପ୍ରୋସେସନ । ସବା ଆଗରେ ଗୋଟାଏ ଟ୍ରକରେ ମୂର୍ଦ୍ଦାରକୁ ଧରି ମାଲ ଭାଇମାନେ ଠିଆ ହୋଇଥାନ୍ତି । ସେମାନେ ଚିଲାଉଥାନ୍ତି–“ରାମ ନାମ ସତ୍ୟ ହେ, ହରି ନାମ ସତ୍ୟ ହେ ।” ତାଙ୍କ ଚିତ୍କାରରୁ ମନେ ହେଉଥାଏ–ଦୁଇଦଳ “ରାମ ନାମ ସତ୍ୟ” କି “ହରି ନାମ ସତ୍ୟ”–ଏହା ଘେନି ବାଦାନୁବାଦ କରୁଛନ୍ତି । ମୁର୍ଖମାନେ ଛାର ନାମକୁ ଘେନି କଳି କରୁଛନ୍ତି କାହିଁକି ? ପୁଣି ଏ ଶେଷ ବେଳାରେ ? ସୁରବାବୁ ପାଖେ ବର୍ତ୍ତମାନ ସବୁ ନାମ ମିଥ୍ୟା ହୋଇପାରେ । ଆମ୍ଭମାନଙ୍କ ପକ୍ଷରେ ମଧ୍ୟ ଏ ପ୍ରଶ୍ନ ଆପାତତଃ ବର୍ତ୍ତମାନ ଅବାନ୍ତର । ଅସଲ ପ୍ରଶ୍ନ ସୁରବାବୁର ମୁର୍ଦ୍ଦାର ଆଜି ପୋଡ଼ି ସାରିଲା ପରେ ଅତଃପର ଆଉ କାହା ପାଳି ପଡ଼ିବ ? କାର୍ ପଛେ କାର୍ ଲାଗିଛି । ସାଇକେଲ ଧରି ଥୋକେ ଗପସପ କରି ଚାଲିଛନ୍ତି । ଗୋଟାଏ ମୁର୍ଦ୍ଦାର ଏ ସମସ୍ତଙ୍କୁ ମଶାଣୀକି ଅଡ଼େଇ ନେଉଛି । ଅଥଚ ସୁରବାବୁ ବଞ୍ଚିଥିବା ବେଳେ ଏମାନଙ୍କୁ ଏକାଠି ଡାକିଥିଲେ ଏମାନେ ସମସ୍ତେ ବାଁ କାଲିଆ ଦେଇ ଯେ ଯୁଆଡ଼େ ପଳାଉଥାନ୍ତେ । ଏ ସମସ୍ତଙ୍କ ପକ୍ଷରେ ଆଜି ଉଚିତ ହେବ ଯେ ସୁରବାବୁର ଚିତା ହୁତୁହୁତୁ ହୋଇ ଜଳିଲା ବେଳେ ସମସ୍ତେ ଗୋଟି ଗୋଟି ହୋଇ ସେଇ ଚିତା ଉପରେ ଶୋଇଯିବା ଓ ନିଆଁରେ ପୋଡ଼ି ଭସ୍ୱଁ ହୋଇଯିବା ।

 

କିଛି ବାଟ ଯାଇଛି–ହଠାତ୍ ଚାହିଁଦିଏ ତ ପୁରୋଭାଗରୁ ରିକ୍‍ସାଟିଏ ଆସୁଛି ଓ ତା’ ଭିତରେ ବସିଛି ସବିତା ଚୌଧୁରୀ । ମୁଁ ହାତ ଟେକି ତା’ ରିକ୍‍ସା ଅଟକେଇଲି । ସେ ପଚାରିଲା–କୁଆଡ଼େ ଚାଲିଛନ୍ତି ? ମୁଁ କହିଲି–ଆପାତତଃ ମଶାଣୀକି ଯାଉଛି । କିନ୍ତୁ ତୁମେ ଯଦି ଡାକିବ–ମୁଁ ମୋର ଗତିପଥ ବଦଳାଇ ଦେଇପାରେ ।

 

ସବିତା ହସିଲା । ସେ ସବୁବେଳେ ମୋ କଥା ଶୁଣି ଏମିତି ହସେ । ସେ ଆଉ ଉଚ୍ଚବାଚ ନକରି ରେକ୍‍ସାର ଗୋଟିଏ କଣକୁ ଘୁଞ୍ଚାଗଲା ଓ ମୁଁ ତା’ ଇସାରା ପାଇ ରିକ୍‍ସା ଉପରକୁ ଉଠିଗଲି-। ତା’ପରେ ତା’ ଅଣ୍ଟାରେ ହାତଗୁଡ଼ାଇ ତାକୁ ଧରି ଶବଯାତ୍ରାର ପ୍ରୋସେସନଟି ତ୍ୟାଗ କଲି-। ସବିତା ମୋ ପ୍ରତି ସବୁବେଳେ ସଦୟା । କେବେ ସେ ମୋ ଇଚ୍ଛାର ବିରୁଦ୍ଧାଚରଣ କରିନାହିଁ-। ସେ ଆସି ଅଧାବୁଢ଼ୀ ହେଲାଣି । ତା’ର ଅନ୍ୟ ପୁରୁଷବନ୍ଧୁ ମଧ୍ୟ ଅଛନ୍ତି । କିନ୍ତୁ ପ୍ରୀତି ବା ତତ୍‍ପ୍ରଣୋଦିତ ଯେ କୌଣସି ଅଳିଅଝଟକୁ ମୋର ସେ କେବେ ପ୍ରତ୍ୟାଖ୍ୟାନ କରିନାହିଁ-। ଅନ୍ୟମାନେ କିଏ କ’ଣ ଭାବୁଛନ୍ତି ଭାବନ୍ତୁ, ମାତ୍ର ସବିତା ପ୍ରତି ମୁଁ ଖୁବ୍ କୃତଜ୍ଞ । ବହୁ ସଙ୍କଟ ବେଳାରେ ଈଶ୍ଵରଙ୍କ ଭଳି ସେ ଅଚାନକ କୋଉଠୁ ଆସି ମୋ ଆଗରେ ଉଭା ହୋଇଯାଏ ଓ ମୋତେ କୋଳରେ ଧରି ସେ ସଙ୍କଟ ସମୁଦ୍ରରୁ ମୋତେ ପାରି କରିଦିଏ । ସବିତା କଥା କ’ଣ କିଏ ସବୁବେଳେ ଭାବୁଥାଏ ? ନା ମୁଁ ମଧ୍ୟ କେବେ ସବିତା ଲାଗି ପାଗଳ ହୋଇଛି ? ଏଇତ ଗତ ଛ’ମାସ ହେବ ମୁଁ ତା’ ନାଁ ମଧ୍ୟ ଭୁଲରେ ଧରିନାହିଁ । ଅଥଚ ଆଜି ସେ ହଠାତ୍ କୁଆଡ଼ୁ ଆସି ଠିକଣା ଜାଗାରେ ଠିକଣା ବେଳେ ପହୁଁଚି ମୋତେ ଧରି ନେଇ ଚାଲିଛି ଦେଖନ୍ତୁ ।

 

ସବିତା କେବେ ମୃତ୍ୟୁକୁ ସ୍ଵୀକାର କରେନାହିଁ । ସେ କହେ–ମୁଁ ନାରୀ ! ମୁଁ କାହାକୁ ମୃତ୍ୟୁ ମୁଖକୁ ଠେଲି ଦେବିନାହିଁ । ମୃତ୍ୟୁ ମୋର ସଉତୁଣୀ । ତା’ର ସବୁତକ ହିଂସା ମୋର ପିଲାଙ୍କ ଉପରେ । ମୁଁ ସତର୍କ ନଥିଲାବେଳେ ସେ ମୋ କୋଳରୁ ସେମାନଙ୍କୁ ଝାଁପିନିଏ । ତୁମେମାନେ ସମସ୍ତେ ଆସ । ମୋ କୋଳରେ ଶୁଅ । ମୁଁ ତୁମକୁ ପଣତ ତଳେ ଘୋଡ଼ାଇ ରଖିବି । ତୁମ୍ଭେମାନେ ମୋତେ ଖାଦ୍ୟରୂପେ ଗ୍ରହଣ କର । ମୋତେ ଶୋଷି ଖାଅ ଓ ପୃଷ୍ଟ ହୁଅ ।

 

ସବିତା ମୋ ନିକଟରେ ମୃତ୍ୟୁଠାରୁ ବେଶୀ ରହସ୍ୟମୟୀ ଓ ଶକ୍ତିମୟୀ ବୋଲି ପ୍ରତିଭାତ ହୁଏ । ମୋର ମନେହୁଏ–ମୃତ୍ୟୁ ମୋତେ ଚୋରାଇ ନେଲେ, ସେ ପୁଣି ତା’ଠାରୁ ଛଡ଼ାଇ ଆଣି ମୋତେ ପୁନଶ୍ଚ ଜନ୍ମକରି ଦେଇ ପାରିବ । ସେ ହାବୁଡ଼ିଗଲେ, କିମ୍ବା ସେ କୋଳରେ ଜାକି ଦେଲେ ମୋର ଆଉ ବାଘୁଣୀ କୋଳକୁ ଯିବାକୁ ମନ ବଳେ ନାହିଁ । ସବିତାକୁ ମୁଁ କେତେବାର ପଚାରିଛି–ସବିତା ! ତୁମେ ପ୍ରକୃତରେ କିଏ ? ତୁମେ କ’ଣ ପ୍ରକୃତରେ କୋଉ ଠାକୁରାଣୀ ଫାକୁରାଣୀ ଛଦ୍ମବେଶରେ ସବିତା ଚୌଧୁରୀ ବୋଲାଉଛ ? ସେ କହେ–ମୁଁ କିଛି ନୁହଁ–ମୁଁ କେବଳ ନାରୀ । ମୁଁ ପଚାରେ–ତୁମେ ଆମ୍ଭମାନଙ୍କୁ ଯେପରି କୋଳରେ ଜାକିଧରି ଯାହା ସବୁ ଭୁଞ୍ଜିବାକୁ ଦେଉଛ–ତାହା ପାପ ନୁହଁ ? ତୁମେ ମୃତ୍ୟୁଠାରୁ ଆମକୁ ଲୁଚାଇ ରଖି ପାପ କରୁନାହଁ ? ବିଧାତାର ବିରୁଦ୍ଧାଚରଣ କରୁନାହଁ ?

 

ସବିତା କହେ–ମୁଁ ନିଜେ ବିଧାତା । ମୋର ପାପ ପୁଣ୍ୟ କିଛି ନାହିଁ । ମୃତ୍ୟୁ ମୋର ସଉତୁଣୀ, ସେଇ କେବଳ ପାପପୁଣ୍ୟ ବିଚାର କରେ ଅଥଚ ପାପୀ ଓ ପୁଣ୍ୟବାନ ଉଭୟଙ୍କୁ ମୋଠାରୁ ଚୋରାଇ ନେଇଯାଏ–ବାଗରେ ପାଇ ଛଡ଼ାଇ ନିଏ । ମୋ ପାଖରେ ତୁମର ପାପ ଓ ଶ୍ୟାମବାବୁଙ୍କ ପୁଣ୍ୟ ସମାନ ଫଳ । ମୋର ସ୍ତନ ପାପୀ ଓ ପୁଣ୍ୟବାନ ଉଭୟଙ୍କ ପାଇଁ । ଆସ ମୋର କୋଳକୁ ଆସ । ମୋର ସ୍ତନକୁ ଧାରଣ କର ଓ ମୋତେ ଶୋଷିଖାଅ । ପୃଷ୍ଟ ହୁଅ ।

 

ସବିତାର କଥା ସବୁ ମୋତେ ଆଲୋକିତ ମନେହୁଏ । ମୋର ଜ୍ଞାନ ହଜିଯାଏ । ମୁଁ ତାକୁ ମୋର ରକ୍ଷାକର୍ତ୍ତୀ ଓ ପ୍ରାଣକର୍ତ୍ତୀ ବିଚାରେ । ତା’ପାଖରେ ସାନ ହୋଇଯାଏ । ସେ ସବୁବେଳେ ହସୁଥାଏ । ଯାହା ତାକୁ ମାଗିବ ହସି ହସି ଦଉଥାଏ । ମୁଁ ତା’କୋଳରେ ମୁହଁ ଗୁଞ୍ଜିଦିଏ-। ତାକୁ ଶୋଷେ । ତାକୁ ଜାବୁଡ଼ି ଧରେ । ସେ ମୋତେ ତା’ଭିତରକୁ ଟାଣିନିଏ । ତା’ପେଟ ଭିତରକୁ ଟାଣିନିଏ । ତା’ପରେ ମତେ ଲାଗେ ଯେ ସେ ମୋତେ ସବୁବେଳେ ଜନ୍ମ କରୁଛି-। ସେଇଥିଲାଗି ନିମିଷକ ଭିତରେ ସେ ମୋତେ ସମ୍ମୋହିତ କରି ତା’ ରେକ୍‍ସାରେ ବସାଇ ତା’ ଘରକୁ ନେଇଗଲା-

 

ଦୁଇଟିଦିନ ଓ ଦୁଇଟିରାତି ସବିତା ମୋତେ ରଖିଲା । ସେ ଦୁଇଟିଦିନ ଓ ଦୁଇଟିରାତି ମୁଁ ପ୍ରାୟ ଅଚେତନ ଥିଲି । ତୃତୀୟଦିନ ସକାଳେ ସେ ମୋତେ ଶଯ୍ୟାରୁ ଉଠାଇ ଦେଲା–ମୋ ମୁହଁକୁ ଚାହିଁଲା କେତୋଟି ମୁହୂର୍ତ୍ତ । ତା’ପରେ ହସିଦେଲା । ମୋତେ ଲାଜ ଲାଗିଲା । ଛୋଟିଆ ପିଲାଟିଏ ଭଳି ମୁଁ ଲାଜରେ ହାକୁ କୁଣ୍ଢାଇ ପକାଇଲି । ସେ ମୋତେ ଚୁମା ଦେଲା–କହିଲା–ଏବେ ଯାଅ ।

 

ମୁଁ ତା’ କଥା ମାନି ସୁନାପିଲାଟାଏ ଭଳି ଫେରି ଆସିଲା । ମୋତେ ସବୁ ନୂଆ ଲାଗିଲା-। ବାଟଘାଟ ଦୋକାନ ବଜାର ନଈ ଆକାଶ ଲୋକବାକ ପଶୁପକ୍ଷୀ ସମସ୍ତେ ନୂଆ ଲାଗିଲେ-। ସତେକି ସମସ୍ତେ ଜନ୍ମ ହେଉଛନ୍ତି । ସବିତା ସମସ୍ତଙ୍କୁ ଜନ୍ମ କରୁଛି !

 

ସେଇ ମଶାଣୀବାଟେ ଫେରିବା କଥା । ମୁଁ ଉତ୍‍ଫୁଲ୍ଲ ମନରେ ଶୀତଳମନରେ ମଶାଣୀକି ଗଲି । ଭାବିଲି–ସୁରବାବୁ ପୋଡ଼ାହେବା ଜାଗାଟା ଦେଖିଯିବି । ସେଠି ଗୋଟେ କାଠଚମ୍ପା ଗଛ ଥିଲା । ଜୁଇର ନାମଗନ୍ଧ ନଥିଲା । ମାଟି ସମତୁଲ ହୋଇ ଯାଇଥିଲା । କୁଆଟିଏ ସେଠି ବସି ତା’ ଥଣ୍ଟ ବଙ୍କା କରି ମୋତେ ଅନାଇ ଲାଗିଲା । ଆଖପାଖରେ ବହୁତ ପାଉଁଶ, କୁଲାଛିଣ୍ଡାତକିଆ ହେଁସ, ମସିଣା ହାଡ଼ଜମା ହୋଇଥାଏ । ଇତସ୍ତତଃ ପଡ଼ିଥାଏ । ମୁଁ ସେଠି ଦଣ୍ଡେ ଠିଆ ହେଲି । ସବୁ ଶୁନ୍‍ଶାନ୍–ମାତ୍ର ଏ କିଏ ? ସବିତା ବୋଧେ ! ମଶାଣୀରେ ବୁଲୁଛି । ସବୁ ହାଡ଼ ପାଉଁଶ ଘାଣ୍ଟି କ’ଣ ଖୋଜିଛି । କାହାକୁ ଖୋଜୁଛି ? ସୁରବାବୁକୁ ? ସୁରବାବୁ ମରିଛନ୍ତି ତ ? ଯଦି ମରିଥାନ୍ତି–ସବିତା କ’ଣ ତାଙ୍କୁ ଫେର୍ ଜନ୍ମ କରିବ ? ସବିତା ଏମିତି କ’ଣ କି ? କିଏ କି ?

 

ମୋ ଭିତରେ କିଏ ଯେମିତି ଏକ ଅଦ୍ଭୁତ ଭୟ ଓ ଆନନ୍ଦରେ ଥରିଉଠିଲା । କିଏ ଯେମିତି କହି ଉଠିଲା–ଚୁପ୍କର । ସବିତା କିଏ ସେ ବିଷୟରେ ମୁଣ୍ଡ ଘୂରା ନାହିଁ । ସବିତା ନାରୀ । ସେ ତୁମ ସମସ୍ତଙ୍କୁ ଜନ୍ମ କରିବ । ତୁମ୍ଭେମାନେ ତାକୁ ଶୋଷିବ, ପୁଷ୍ଟହେବ ଓ ସବୁବେଳେ ଜନ୍ମ ହେବ । ଶୀଘ୍ର ଏ ସ୍ଥାନ ତ୍ୟାଗକର । ଏଠି ବର୍ତ୍ତମାନ ଏନ୍ତୁଡ଼ି ଜଳିବ ।

☆☆☆

 

ବିହଙ୍ଗର ଉଚ୍ଚାକାଂକ୍ଷା

 

ଅନନ୍ତ ଓ ଭୀଷଣ ଆକାଶ ବକ୍ଷରେ ସେଦିନ ଉଡ଼ି ବୁଲୁଥିଲା କ୍ଷୁଦ୍ର ପକ୍ଷୀଟିଏ । ତା’ର ଊର୍ଦ୍ଧ୍ଵଦେଶରେ ମହାକାଶ ବକ୍ଷରୁ କ୍ଷୁଦ୍ର ଅଗ୍ନିବିନ୍ଦୁଟିଏ ସଦୃଶ ପ୍ରଚଣ୍ଡମାର୍ତ୍ତଣ୍ଡ ସ୍ଵୀୟ ତେଜୋରାଶିରେ ବିଗଳିତ ହୋଇ ଚତୁର୍ଦ୍ଦିଗକୁ ଯେପରି ବହ୍ନି–ପ୍ଲାବିତ କରୁଥିଲେ । ନିମ୍ନ ଦେଶରେ ନିଦାରୁଣ ଦାବଦଗ୍‍ଧ ଧରଣୀ, ଅସହ୍ୟ ସୂର୍ଯ୍ୟତାପର ଦହନ ଭିତରେ ତା’ର ଅନ୍ତରାତ୍ମା ମରୁ–ଅର୍ତ୍ତିରେ ବିକଳ ହୋଇ କାନ୍ଦି ଉଠୁଥିଲା । ଉଡ଼୍ଡ଼ୀୟମାନ ବିହଙ୍ଗଟି ତା’ର ଅତି କ୍ଷୁଦ୍ର ପକ୍ଷ ଦୁଇଟି ବିସ୍ତାର କରି ଭାବିଲା–

 

ହାୟ ! ମୁଁ ଯଦି ମୋର ଏହି ଡେଣା ଦୁଇଟିର ଛାୟାରେ ଦାବଦଗ୍‍ଧ ଧରଣୀର ଏହି ଅତ୍ୟୁଷ୍ଣ ହାହାକାରକୁ ଶୀତଳତର ଆଶ୍ଵାସନାରେ କିଞ୍ଚିତ୍ ଦୂର କରିପାରନ୍ତି ।

 

ଏତିକି ଭାବି ସେ ତା’ର ବିହଗ–ଦୃଷ୍ଟି ନିମ୍ନକୁ ନିକ୍ଷେପ କଲା । ଯୋଜନ ଯୋଜନ ବ୍ୟାପୀ ବିସ୍ତୃତ ଧରଣୀର ବକ୍ଷଦେଶକୁ ଶୀତଳ କରିବା ସାଧ୍ୟାତୀତ ବ୍ୟାପାର । ମାତ୍ର ବିହଗଟି ତା’ର ବିସ୍ତାରିତ ଡେଣା ଦ୍ଵାରା ପୃଥିବୀକୁ ଘୋଡ଼ାଇ ରଖିବା ଲାଗି ଆପ୍ରାଣ ଚେଷ୍ଟାକଲା । ତା’ର କ୍ଷୁଦ୍ର ଡେଣା ଦୁଇଟିର କ୍ଷୁଦ୍ର ଛାୟାପାତରେ ଭୁପୃଷ୍ଠର କିୟଦାଂଶ ମଧ୍ୟ ଶୀତଳ ହେଉଥିଲା କି ନାହିଁ ତାହା ଭିନ୍ନ କଥା । ମାତ୍ର ବିଚାରା ବିହଙ୍ଗଟି ପୃଥିବୀ ପୃଷ୍ଠରେ ତା’ର କ୍ଷୁଦ୍ର ଡେଣା ଦୁଇଟିର କ୍ଷୁଦ୍ର–ଛାୟା ବିସ୍ତାର ଟିକିକ ଦେଖିବାଲାଗି ବହୁତ ବ୍ୟାକୁଳ ହେଲା । ସେ ବହୁତ ନିରୀକ୍ଷଣ ମଧ୍ୟ କଲା । ମାତ୍ର ନାଃ ! ବିଶାଳ ଧରଣୀର କେଉଁ ଅଂଶରେ ଯେ ତା’ର କ୍ଷୁଦ୍ର ଡେଣା ଦୁଇଟିର କ୍ଷୁଦ୍ର ଛାଇ ଟିକିକ ଧରାର ତାପ ଦୂରୀକରଣରେ ନିୟୋଜିତ ହୋଇଅଛି ତା’ର କ୍ଷୁଦ୍ର ଆକ୍ଷି ଦୁଇଟିର କ୍ଷୀଣ–ଦୃଷ୍ଟି ତାକୁ ଛୁଇଁ ପାରିଲା ନାହିଁ ।

 

ବିଚାରା ବିହଙ୍ଗଟି ତା’ର ଛାୟା–ଅନୁସରଣରେ ସେହି ରୌଦ୍ରତପ୍ତ ଆକାଶରେ ଇତସ୍ତତଃ ପାଗଳ ପରି ଉଡ଼ି ବୁଲିଲା । ପ୍ରଚଣ୍ଡ ସୂର୍ଯ୍ୟ ତାପରେ ତା’ର ଦେହ ଓ ପ୍ରାଣ ନିସ୍ତେଜ ହୋଇ ଉଠିଲା । ବହୁକାଳ ଉଡ଼ି ବୁଲିଲା ପରେ ସେ ହଠାତ୍ ଅଚେତନପ୍ରାୟ ଧରଣୀ ଉପରେ ପତିତ ହେଲା ।

 

କିୟତ୍ ସମୟ ଉତ୍ତାରେ ସେ ଅନୁଭବ କଲା, ପୃଥିବୀ–ନିଃସୃତ ଦୁଃସହ ତାପରେ ତା’ର ବକ୍ଷ ଦଗ୍‍ଧୀଭୂତ ହୋଇଯାଉଛି । ଧୀରେ ଧୀରେ ଚକ୍ଷୁ କରି ସେ ଦେଖିଲା–ତା’ର ଚତୁର୍ଦ୍ଦିଗରେ ଭୀଷଣ ରୌଦ୍ର ବିକଟ ନୃତ୍ୟ କରୁଅଛି । ଅନନ୍ତ ମହାକାଶରେ ବିନ୍ଦୁ ସଦୃଶ ଗୋଟିଏ ଆଗ୍ନେୟ ପିଣ୍ଡରୁ ଅଜସ୍ର ଅଗ୍ନି–ସ୍ରୋତ ବିନିଗର୍ତ ହୋଇ ଧରଣୀକୁ ଦହନ କରୁଅଛି ଏବଂ ଧରଣୀ ବିକଳରେ ଛଟପଟ ହେଉଅଛି ।

 

ବିହଙ୍ଗଟି ଆଉ ମଧ୍ୟ ଅବଗତ ହେଲା ଯେ ସେ ପୃଥିବୀକୁ ସ୍ଵୀୟ ପକ୍ଷ ତଳେ ଆଚ୍ଛାଦନପୂର୍ବକ ଆଲିଙ୍ଗନ କରି ପଡ଼ିଅଛି ଏବଂ ଉତ୍ତପ୍ତ ପୃଥିବୀର ସମସ୍ତ ଉତ୍ତାପ ତା’ର କ୍ଷୁଦ୍ର ବକ୍ଷ ଭିତରେ ପ୍ରବେଶ କରି ତାକୁ ନିର୍ମମଭାବେ ଦଗ୍‍ଧ କରୁଅଛି ।

 

ନିଦାରୁଣ ଜ୍ଵାଳାରେ ଅସ୍ଥିର ହୋଇ ବିହଙ୍ଗଟି ଚିତ୍କାର କରି କହି ଉଠିଲା–

 

ଓଃ ! ଏ କ’ଣ ହେଲା ଧରଣୀ ? ତୁମର ସମସ୍ତ ଉତ୍ତାପକୁ ଗ୍ରହଣ କରି ଶୀତଳତା ପ୍ରଦାନ କରିବି ବୋଲି ତ ମୁଁ ଏ ଦାୟିତ୍ଵ ନେଇ ନଥିଲି । କ୍ଷୁଦ୍ର ପକ୍ଷୀଟିଏ ମୁଁ ! କେତେ ଟିକିଏ ବା ମୋର ପକ୍ଷ ଦୁଇଟିର ବିସ୍ତାର । ଆଉ କେତେ ସାମାନ୍ୟ ବା ମୋର ଏହି ବକ୍ଷପଞ୍ଜର । ଏହି କ୍ଷୁଦ୍ର ପଞ୍ଜରସ୍ଥ କ୍ଷୁଦ୍ର ହୃଦୟଟି କ’ଣ ଶୋଷିନେଇ ପାରିବି ସମଗ୍ର ପୃଥିବୀବକ୍ଷର ସମସ୍ତ ଦୁଃସହ ଉତ୍ତାପର ଜ୍ୱାଳା ? ମୁଁ ମରିଯିବି !

 

ତାପଦଗ୍‍ଧ ଜ୍ଵାଳାରେ ମୁର୍ମୁଷୁ ପ୍ରାୟ କ୍ଷୀଣ କଣ୍ଠରେ ଧରଣୀ କହିଲା–

 

ବିହଙ୍ଗମ ! କେବଳ ଛାୟାପାତର ଆଶ୍ୱାସନାରେ କେହି ପୃଥିବୀର ଉତ୍ତାପ–ଜ୍ୱାଳା ହରଣ କରିପାରେ କି ? ତୁମର ସମଗ୍ର କାୟାପାତ ଦ୍ୱାରା ବି ମୋର ଏହି ଉତ୍ତପ୍ତ ଜ୍ୱାଳା କିଞ୍ଚିତେ କ୍ଷୟ ହୋଇ ନ ପାରେ । ତୁମେ ମୋଠାରୁ କେବଳ ମାତ୍ର ବିହଙ୍ଗ–ପରିମାଣ ଜ୍ୱାଳା ଗ୍ରହଣ କରିଅଛ ଏବଂ ଏ ରୂପ ମୃତ୍ୟୁ ଯନ୍ତ୍ରଣା ଅନୁଭୋଗ କରୁଅଛ । ସମଗ୍ର ପୃଥିବୀର ଜ୍ୱାଳା କେତେ ତାହା ତୁମେ କାହୁଁ ବୁଝିବ ? ତୁମେ କାହୁଁ ବୁଝିବ ଯେ ଏଠାରେ ମୁଁ ନିତ୍ୟ-ଜ୍ୱାଳା ଭୋଗ କରୁଅଛି ? ମୋର ଜ୍ୱାଳା ମଧ୍ୟରୁ ହିଁ ଛପନ କୋଟି ପ୍ରାଣୀ ନିତ୍ୟ ଜନ୍ମଲାଭ କରୁଛନ୍ତି–ବର୍ଦ୍ଧିତ ହେଉଛନ୍ତି–ଏବଂ ମୃତ୍ୟୁବରଣ କରୁଛନ୍ତି । ମୋର ଏହି ଜ୍ୱାଳା ହରଣ କରିନେବାର ଉଚ୍ଚାକାଂକ୍ଷା ଯେଉଁମାନଙ୍କର ସେମାନେ ମୂଢ଼–ତୁମଭଳି ମୂଢ଼ ଓ ଅହଙ୍କାରୀ ।

 

ପୃଥିବୀର ଜ୍ୱାଳା ହରଣ କରିବାର ସ୍ଵପ୍ନ ନେଇ ତୁମେ ଆକାଶ ବକ୍ଷରେ ଉଡ଼ି ବୁଲୁଥିଲା ପାଗଳଭଳି । ତୁମରି ଭଳି ଅକାଂକ୍ଷା ଯେଉଁମାନଙ୍କର ସେମାନଙ୍କୁ ମୋ ଉପରେ ସହିଦ ହେବାକୁ ପଡ଼ିବ ଏବଂ ସେମାନେ ମୋର ଏହି ଜ୍ୱାଳାକୁ ଦୂର କରିବା ପରିବର୍ତ୍ତେ ଆହୁରି ବଢ଼ାଇ ଦେଇଥାନ୍ତି ମାତ୍ର । ...ଛାଡ଼ ! ବର୍ତ୍ତମାନ ମଧ୍ୟ ସମୟ ଅଛି । କାତର ହୁଅନାହିଁ–ମନ ମଧ୍ୟରୁ ଉଚ୍ଚାକାଂକ୍ଷା ତ୍ୟାଗକର । ...ତୁମର ମୃତ୍ୟୁ ବର୍ତ୍ତମାନ ଆସନ୍ନ ।

 

କହିବା ବାହୁଲ୍ୟ ଯେ, ଅଳ୍ପକ୍ଷଣ ଉତ୍ତାରେ ପକ୍ଷୀଟି ପୃଥିବୀର ଯନ୍ତ୍ରଣା ଦୂର କରିବା ପରିବର୍ତ୍ତେ ସ୍ଵୟଂ ପାର୍ଥିବ ତାପ ଯନ୍ତ୍ରଣାରୁ ମୁକ୍ତହୋଇ ପୁନଶ୍ଚ ପ୍ରାଣାକାଶ ଭିତରକୁ ଉଡ଼ିଗଲା ଓ ସେଠାରେ ମିଶିଗଲା ।

☆☆☆

 

ଶେଷ ସନ୍ଧ୍ୟାର ପ୍ରଳାପ

 

ରାଧୁଆ ! ସେ କିଏ କିରେ ? ସେ କିଏ ଆସିଥିଲା କହିଲୁ ? ଆଜି ସଞ୍ଜବେଳେ ? ଓହୋ ! ରାଧୁଆରେ ! ମୋର ଧିଅ କ’ଣ ହେଇଯାଉଛି । ମୋତେ ଟିକିଏ ଧଅ । ହଇରେ ସେ କିଏ ? ସତରେ ସେ କିଏ ବା ?

 

ସତ କଉଚୁ ତୁ ? ଆଖି ଛୁଇଁଲୁ । ସତ କହୁଚୁ ତୁ ସେ ଭରତ ସେନାପତି ପୁଅ ଦୀନବନ୍ଧୁ ? ଆରେ ନାଇଁବା ତୁ ମିଛ କହୁଥିବୁ । ତୋର କ’ଣ ଅଛି ? ତୁ ତ ବାଇଆଟେ–ଯାହା ଧରିଥିବୁ ସେଇଆ । ତୁ ଛତରାଟା ସବୁଦିନେ ମତେ ଏମିତି ମିଛକଥା କହି ଭୁଲାଇ ଦିଅଉ ।

 

ମିଛ କହଉ ନାହିଁ ? କହଉ ନାଇଁ ନାହିଁ କରଉ । ସେଦିନ ମିଛ କହି ନ ଥେଲୁ ? ପୀତାମ୍ବର ପାଢ଼ୀ ତା’ ଝିଅ ବାହାଘର କ୍ଷୀରୀପିଠା ଖାଇବାକୁ ମତେ ଡାକିଥେଲା ହଇରେ ? ତୁ କାହିଁକି ମତେ ମିଛ କହି ସେଠିକି ପଠେଇ ଦେଲୁ ? ତୁ ଭାବିଲୁ–ମଲ୍ଲୀ ବୁଢ଼ୀର ଆଇଁଷ ତୁଉଣରେ ଭାରି ଆଶା । ଯାଉ–ମାଛ ବେସର ମାଛ ମହୁର କାନିକା ଅମାଲୁ କରି ପୁଳାଏ ଗିଳି ଆସୁ । ହଇରେ ଡହରା ! ତୁ ମୋର କାଳଶତ୍ରୁ । ମିଛକହି ମତେ ପଠାଇଦେଲୁ । ମୁଁ ସେଠିକି ଗଲି । ତା’ ଖଳା ବାରିରେ ମାଈପଙ୍କ ପଙ୍ଗତ ବଇଥେଲା । ସେନାପତି ସାଇଆ, ରାଉତ ସାଇଆ, ପାଢ଼ୀ ସାଇଆ ସବୁ ମାଈପେ ବଇଥେଲେ ପତର ପକେଇ । ମୁଁ ସେଠି ଯାଇ କାହୁଁ ଅଇଲା ଭଳିଆ ଠିଆହେଲି । ଚାରିଟା କଳ ଆଲୁଅ ସେଠି ଜଳୁଥାଏ । ପୀତାମ୍ବର ପାଢ଼ୀ ନିଜେ ସେଠି ଠିଆହେଇ ପରଶୁଣିଆଙ୍କୁ ବରାଦ କରୁଥାଏ । ମୋ ଉପରେ ଆଖି ପଡ଼ୁ ପଡ଼ୁ ମୁହଁ ବୁଲେଇଦେଲା । ଭାରି ହୀନିମାନ ଲାଗିଲାରେ ! କେହି ତ ମତେ ଡାକୁ ନ ଥାନ୍ତି–ଭାବିଲି–ପଳେଇ ଆସିବି । ଫେର୍ ଭାବିଲି–ନା ନା ପୀତାମ୍ବର ପାଢ଼ୀ ଚୂଲ୍ଲୀକି ଯାଉ । ଆଜି ପରା ଦିନରେ ମୁଁ ଯଦି ନିରାଶ ହେଇ ଏଠୁ ଉଠିଯିବି ତେବେ କାଳେ ମୋ ନିଃଶ୍ଵାସରେ ତା’ ଝୁଅ ଜୋଇଁଙ୍କର କିଛି ଅମଙ୍ଗଳ ହବ ! ସେଇଠୁ ବଳେ ବଳେ ଯାଇ ସବା ଶେଷ ମୁଣ୍ଡରେ ବସିଲି । ଯାହା ଦେଲେ ଖାଇଲି–ଆଇଲି । ହଇରେ ରାଧୁଆ–ପୀତାମ୍ବର ପାଢ଼ୀ ମୋ ମୁହଁ ଚାହିଁଲା ନାହିଁ ସେଦିନ । କହିଲୁ ଭଲା, ମୁଁ ତାକୁ କ’ଣ ନ ଦେଇଛି ଜୀବନଯାକ ?

 

କ’ଣ ଦେଇଛି ? ହଇରେ ଛତରା–ତୁ ଫେର ଏଡ଼େ ବେହେଲ ହଇରେ ! ତୋ ଗାଲ ଚିପିଦେଲେ ଦୁଧ ବାହାରି ପଡ଼ିବ । ପଚାରୁଚୁ–କ’ଣ ଦେଇଛି ? ଯାହା ଦେଇଛି ଆଉ କ’ଣ ସେ ଜିନିଷରୁ ଏତେ ଟିକିଏ ମୋ ପାଖରେ ସାଇତି ରଖିଛି ଯେ ତତେ ଦେଖେଇ ଦେବି ? ସବୁ ଦେଇ ଦେଇଛିରେ ସବୁ ଦେଇ ଦେଇଛି । ଖାଲି କ’ଣ ପୀତାମ୍ବର ପାଢ଼ୀ କି ? ସୁର ରାଉତ, ମହନା ବଣିଆ, ଜମ୍ବୁ ମିଶର, ସୁଦରଶନ ଚଉଧୁରୀ କିଏ ନୁହଁ ? କିଏ ନ ନେଇଛନ୍ତି ବା ? କାହାକୁ ନ ଦେଇଛିରେ ? ଏ ନିଆଁନଗା ଗାଁଟାଯାକର ଅଣ୍ଡିରା ମୋର ଧାରୁଆ ବା ! ଆଉ ଅଛି ? ଦେଖୁନୁ, ଆଉ ଅଛି ? କିଛି ନାଇଁ ପରା । କିଛି ନ ଥେଲେ ନାଇଁ । ଥେଲେ ବା ଆଉ କ’ଣ କରିଥାନ୍ତି ? ଥେଲେ କ’ଣ ଆଜି ଯେ ଆଇଥେଲା ସେ ମୋଠୁଁ ନେଇଥାନ୍ତା ?

 

ସେଇ ବା ସେଇ । ଯେ ଆଜି ଆଇଥେଲା । କହୁଚୁ ତ ତୋ ତୁଣ୍ଡରେ ଭରତ ସେନାପତି ପୁଅ ଦୀନବନ୍ଧୁ ବୋଲି । ସେ କ’ଣ କିଛି ନେଇଥାନ୍ତା ମୋଠଉଁ ? କିଛି ନେଇ ନ ଥାନ୍ତା-। ସେ ନେବାର ହେଇଥିଲେ ତ କୋଉଦିନୁଁ ତା’ ପାଦପଦ୍ମରେ ମୋର ସର୍ବଂସ୍ୱ ଅଜାଡ଼ି ଦେଇଥାନ୍ତିରେ ! ଆଉ ଏତେ ଲୋକ କାହିଁକି ଶାଗୁଣା ଭଳିଆ ଥଣ୍ଟେ ଥଣ୍ଟେ ନେଇ ଆଜି ମତେ ଏମିତି କଙ୍କାଳ ଭଳିଆ କରି ଏଠି ପକେଇ ଦେଇଥାନ୍ତେ ? ସେ କ’ଣ ନେଲାବାଲା କି ? ସେ ଖାଲି ଦେଲାବାଲା ।

 

ହଅବା, ଭାରି ଦେଲାବାଲା !! ସେଇ ତ ଅସଲ ନେଲାବାଲାରେ ରାଧୁଆ । ସବୁ କଥାକୁ ନାଇଁ ନାଇଁ କରିବ–ଆଉ ଅସଲ ଜିନିଷଟି କୋଉ ଖଞ୍ଜରେ ନେଇ ତା’ ମୁଣିରେ ପୁରେଇ ଚାଲିଯିବ । ନେଇନି ? ନେଇନି ସେ ? ସେ ତ ମୋ ଅଜାଣତରେ ମୋ କଲିଜା ଟାଣି ନେଇଛିରେ-। ତୁ କହିଲୁ ରାଧୁଆ–ତୁ କହିଲୁ । କହ ବା କହ–ମୋ ସୁନାଟା ପରା–ତୁ ବାଳୁତଟିଏ ହେଲେ କ’ଣ ହେବ ତୋର ଭାରି ବୁଦ୍ଧିରେ ଧନ । ତୁ ତ ତା’ରି ଭଳିଆ ହବୁରେ ବଡ଼ ଦିନକୁ । ତା’ରି ଭଳିଆ ହବୁ ଅବିକଳ–ସେଇ ଭରତ ସେନାପତି ପୁଅ ଦୀନବନ୍ଧୁ ଭଳିଆ ବା ! ତୁ କହିଲୁ ଦେଖି ସେ ଯଦି ମୋ କଲିଜା ଟାଣି ନ ନେଇଥା’ନ୍ତା ତ ମୁଁ ଏମିତି ହୋଇଥାନ୍ତି ?

 

ରାଧୁଆରେ–ଫଡ଼ିଆରୁ ଫାଡ଼େ–ନଇଲେ ଛାତିରୁ ଫାଡ଼େ–ଗାଲରୁ ଫାଡ଼େ କି ଜଙ୍ଘରୁ ବାଡ଼ରେ–ଖୁମ୍ପିନବ ଯମନ୍ତ ଜଗତ୍ର ଜାଣିବ । ଆଉ କଲିଜା ? ତାକୁ ଯେ ନିଏ କୋଉ ଖଞ୍ଜରେ ନେଇଯାଏ କିଏ କେମିତି ଜାଣିବ ବା ? ନିଜେ ତ ଜାଣି ପାରିବ ନାଇଁ ଆଉ !!

 

ସେଇ ଦୀନବନ୍ଧୁ ରେ ରାଧୁଆ । ଏଡ଼ିକିଟିଏ ହେଇ ଥାଏବା । ମୁଁ ଭୁଆସୁଣୀ ବୋହୂ ହେଇ ଏ ଗାଁକୁ ଆଇଲାବେଳକୁ ତା’ର ଗଜୁରୀ ଆଉ ଥାଏ ନିଶ–ପୂଚୁପୁଚୂ ଗାଲ ଅରୁଆ ଚିତଉ ପିଠା ଭଳିଆ–ପରାଚୀ ନଈର କଳାଘୁମର ପାଣି ଭଳିଆ ଆଖି ଦୁଇଟାରେ ତା’ର । ଯାହା ଆଖିରେ ତା’ ଆଖି ପଡ଼ିବ ସେ ସେଇଠି ଘାରିହୋଇ ବଶ୍ୟ ହୋଇଯିବ । ଯୋଉ ସୁନ୍ଦର ! ରାଧୁଆରେ ଯୋଉ ସୁନ୍ଦର ! ହେଲେ ସେ କାହାକୁ ଚାହିଁବ କି ? ଇସିକୁଲ ପଢ଼ା କରୁଥାଏ ସେଣେ ଯାଇ କୁଆଡ଼େବା–ମୋ ମନେ ପଡ଼ୁନି–ତିଙ୍ଗାରପୁର ନା କୋଉଠି–। ଛୁଟିରେ ଆସେଇ ଗାଁକୁ–। ଝୁଲୁ ଝୁଲି ଯାଉଥିବ ଗାଁ ଦାଣ୍ଡରେ ଗଜା ଗୁଣ୍ଠୁଣି ହାତୀଟିଏ ଭଳି । ଖୋଜ ତଳେ ପିମ୍ପୁଡ଼ିଟିଏ ବି ମରିବ ନାଇଁ । କିଏ ଭଲା ତାକୁ ଚାହିଁ ନ ରୁହଇ ଘଡ଼ିଏ ସେତେବେଳେ ? ଗାଁ ଯାକର ଝୁଅ ବୋହୂ କବାଟ ସନ୍ଧିରେ, ଝରକା ସନ୍ଧିରେ ତାକୁ ଚାହିଁ ରହିଥେବେ । ମୁଁ ଦେଖିଛି ବା ମତେ କ’ଣ କହୁଛୁ ? ଆରେ ସବୁ ସତୀ ସାବିତିରୀଙ୍କି ମୁଁ ତୁମ ଗାଁର ଚିହ୍ନେଇବା ! ମୋରି ଉପରେ ସିନା ଖାନିକୀ, ଦୋଚାରୁଣୀ ଅପବାଦ ଲଦିଦେଲେ ଏଇ ତୁମ ଗାଁ ବାଲା ଯୋଗିନୀଖିଆଏ ! ରଇଜଳାଏ ଦେବଲାଗି ଅହ୍ମଣିଆକୁ ଟକଳାପଣରେ ଅଇଁଠା କରିଦେବେ । ଫେର୍ ସେଇ ଅନ୍ନପରା ପଦାର୍ଥକୁ କହିବେ ମାରା ହେଇଗଲା । ନିଜେ ଛୁଇଁଦେଇ କହିବେ ଅଛୁଆଁ । ନିଜର ପାପତକ ଜଣକ ଉପରେ ଅଜାଡ଼ି ଦେବେ । ଶେଷକୁ ଅପବାଦ ଦେବେ ପାପ–ପାପ–ତଫାତ୍ ରୁହ ।

 

ମୋ ଘଇତା ତ ବାହାଘର ଦୁଇବରଷ ନ ପୁରୁଣୁ ଦିନେ ହଇଜାରେ ମୋତେ ଛାଡ଼ି ଚାଲିଗଲା ସେପାରିକି–। ମୋର ସେତେବେଳେ ଭରାଯଉବନରେ ରାଧୁସୁନ୍ଦର ! ଧିଅରେ ମୋର ନିଆଁ ଜଳୁଥାଏ । ସେଇ ନିଆଁକୁ ଧରି ଏଠି ମାଟି କାମୁଡ଼ି ପଡ଼ି ରହିଲି । କାହା ସାଙ୍ଗରେ କୁଆଡ଼େ ପଳେଇ ଗଲି ନାଇଁ । ଆରେ କାହା ସାଙ୍ଗରେ କୁଆଡ଼େ ଯାଇଥାନ୍ତି ? କାହିଁକି ଯାଇଥାନ୍ତି ? ମୋ ମନ ମରିଗଲାରେ ରାଧୁଆ । ବାପଘରେ ତ କେହି ନ ଥେଲେ । ଭାଇ ତ ରହିଲା ଯାଇଁ କଲିକତାରେ ଗୋଟେ ଖାନିକୀକି ଧରି । ଆଉ ଘର ମାଡ଼ିଲା ନାହିଁ । ମୁଁ ମାଟି କାମୁଡ଼ି ଏଇ ଗାଁରେ ପଡ଼ି ରହିଥାଏ । କାଇଁକି କହିଲୁ ?

 

ତୁ ବିଶ୍ୱାସ କରିବୁ ନାହିଁ–କେହି ସତ କରିବେ ନାହିଁରେ–ସମସ୍ତେ କହିବେ ରାଣ୍ଡ ବେଧ ପକେଇବାକୁ ଏ ଗାଁରେ ପଡ଼ି ରହିଥେଲା । କିଏ କାହା କଥା ଜାଣେଇରେ ? ଏଠି ତିରିଶି ବର୍ଷକାଳ ଏମିତି ରହିଥେଲି ଖାଲି ସେଇ ଦୀନବନ୍ଧୁକୁ ଦେଖିବାକୁ ପାଇବି ବୋଲି । ଯୋଉ ଛୁଟିରେ ସେ ଗାଁକୁ ଆସେଇ ମୋ ଆଖି ଡାହାଣୀ ଭଳିଆ ଛାଇ ଭଳିଆ ତା’ ପଛେ ପଛେ ଛୁଟଇ । କେତେ ଲୋକଙ୍କୁ ଏ ଆଖି ଦେଖିଛି । ଆଖି ଘୋଳି ହେଇଯାଏ । ହେଲେ ତା’ଉପରେ ଆଖି ପଡ଼ିଲେ ଆଉ ଆଖିର ପଲକ ନ ପଡ଼େ । ସମସ୍ତେ କହନ୍ତି ମଲ୍ଲୀବୁଢ଼ୀର ପାପ ଆଖି । ହଇରେ ଗାଁଯାକର ମାଈପଙ୍କ ଆଖି ପୁଣ୍ୟ ଆଖି ? ହଉ ହଉରେ ରାଧୁଆ । ସଭିଙ୍କର ମଙ୍ଗଳ ହଉ । ସବୁ ମାଈପଙ୍କ କାଚ ବଜର ହଉ-। ଘଇତାକୁ ସିନା ମୋର ବାଡ଼ି ଖଇଲା । ହେ ମାହାପ୍ରୁ–ରାଧୁଆରେ ! ଜଗନ୍ନାଥେ ବଡ଼ଲୋକ–ଆଉ ଏ କାଳେ ଗାଁରେ ହଇଜା ନାହିଁ । ସରକାରଙ୍କ ଡରରେ ହଇଜାଠାକୁରାଣୀ ଗଡ଼ ଛାଡ଼ି ପଳେଇଛି ।

 

ସେଇ ଦୀନବନ୍ଧୁ ବା–ଗାଁ ଦାଣ୍ଡରେ ଯେତେବେଳେ ଚାଲି ଯାଉଥିବ–ମୋ ମନ ହୁଏ–ଟେକି ଆଣନ୍ତି କି ତାକୁ ଦାଣ୍ଡମଝିରୁ । ଜାକିପକାନ୍ତି ଛାତିରେ–ପଣତକାନିରେ ବାନ୍ଧି ପକେଇ କୋଡ଼ରେ ପୁରେଇ ଦିଅନ୍ତି ! କାହିଁକି ମୋର ଏମିତି ମନେ ହଅଇ କହିଲୁ ରାଧୁଆ–ତୁ ପରା ପାଠ ପଢ଼ୁଛୁ–କହିଲୁ ଦେଖି !

 

କହି ପାରିବୁ ନାଇଁ ? ହଅବା–ତୁ କୋଉଠି କହିବୁ ? ସାଇ ମାଈପେଙ୍କୁ ଏ କଥା କହିଲେ କିଏ କେତେ ପ୍ରକାର କରି କହିବେ । କହନ୍ତୁ ବା ଯେ ଯେମିତି । ମୋର ତ ସେଇମିତିଆ ମନ ହୁଏ ତାକୁ ଦେଖିଲା ମାତ୍ରେ । ଏଡ଼େ ସୁନ୍ଦର ପୁଣି ସେ ମୋ ଆଖିକି ଦିଶୁଥାଇ ସେତେବେଳେ-! ମୋତେ ଲାଗୁଥାଇ ଏ ଖତଗଦାରେ ପଦ୍ମ କେମିତି ଫୁଟିଲାରେ ! କୁଆଁର ପୁନେଇଁକି ଦାଣ୍ଡରେ ପୁଞ୍ଚି ଖେଳେଉ । ମଝିରେ ମଝିରେ ସରଗକୁ ଚାହିଁଦିଏ । ସେଇ ପୁନେଇଁ ଜହ୍ନକୁ ଦେଖି ମନ ମୋର କ’ଣ ହେଇଯାଏରେ ରାଧୁଆ । ଜହ୍ନ ଦେରିକା, ଅବିକଳ ସେଇ ପୁନେଇଁ ଜହ୍ନଦେରିକା ସେ ମତେ ଦୁଶେଇ ବା ! ବାରିରେ ମୋର ବର୍ଷେ କାକୁଡ଼ି ଫଳିଥେଲା ଯେ ରାଧୁଆ ଗୋଡ଼ି ପକେଇବାକୁ ଜାଗା ନ ଥିଲା । ପତର ଦୁଶେଇନି । କାକୁଡ଼ି ଦୁଶେଇ । ଥରକର କାକୁଡ଼ି ତୋଳୁଥାଇ । ଟୋକେଇଏ କାକୁଡ଼ି । ମଝିଖଣ୍ଡ ଏକାଦୁଶିଆ ସେତକ ନେଇ ହାଟରେ ବିକି ମତେ ଆଠଣା ଟଙ୍କେ ଦିଏଇ । କାକୁଡ଼ି ତୋଳି ସାରିଲାଣି–ଆଖି ପଡ଼ିଗଲା, ଆଖି ପଡ଼ିଗଲା ଗୋଟିଏ କାକୁଡ଼ି ଉପରେ । ରାଧୁଆରେ ଶଙ୍ଖୀ ପୁଷି ବିଲେଇ ଭଳିଆ ନାଦୁଲୁ ମାଦୁଲୁ ଦୁଧିଆଳିଆ କାକୁଡ଼ିଟାଏ–ଏଡ଼େ ଲମ୍ବା–ଏଡ଼େ ମୋଟା । ଯୋଉ ସୁନ୍ଦର ଦୁଉଥାଏ । କଅଁଳା ପିଲାଟିଏ ଭଳିଆ । ତାକୁ ତୋଳିଆଣି ଗାଲରେ ଛାତିରେ ଜାକି ଦେଉଥାଇ–ପୁଣି କାଢ଼ି କିରି ଦେଖୁଥାଇ । ମନେପଡ଼ି ଯାଉଥାଏ ଦୀନବନ୍ଧୁ କଥା । ସତେ କି ଦୀନବନ୍ଧୁ ମୋ ବାଡ଼ିରେ କାକୁଡ଼ି ହେଇ ଫଳିଥେଲେ । ମୁଁ ତୋଳି ଆଣିଛି ।

 

ଆରେ ନାଇଁରେ ରାଧୁଆ–ଦୀନବନ୍ଧୁକୁ ମୁଁ କୁଆଡ଼ୁ ଜାକିଥାନ୍ତି ଛାତିରେ ? ମୋ ଭଳିଆ ଅଲଖଣୀ, ଡଙ୍କୁଣୀ, ଖାନିକୀର କ’ଣ ଏଡ଼େ ପୁଣ୍ୟ ଅଛିରେ ରାଧୁଆ ? ଭରତ୍ ସେନାପତି ପୁଅ ସେ–ତା’ ବାପ ଦେଉଳ ତୋଳାଇଛି–ପୋଖରୀ ଖୋଳେଇଛି–ଇସ୍କୁଲ ବସେଇଛି । କେତେ ପୁଣ୍ୟକରି ସେ ଦୀନବନ୍ଧୁକୁ ପାଇଛି ! ଏ ଖଣ୍ଡ ମଣ୍ଡଳରେ କିଏ ଭଲା ତା’ ରୂପ ଗୁଣକୁ ବାହୁନେ ନାଇଁ ? ଏବେ ପୁଣି କୋଉଠି ସେଠି କଟକ ମୂଲକରେ କେତେ ନାଁ କମେଇଲେଣି । ବଡ଼ ଡାକ୍ତର ହେଇଛି ପରା ? ହଜାର ହଜାର ଟଙ୍କା କମଉଛି । କେତେ ଦୁଃଖୀ ରଙ୍କୀ ଅନାଥ ଛେଉଣ୍ଡଙ୍କ ପେଇଁ କୁଆଡ଼େ ଦାନା କନା ବେବସ୍ତା କରିଛି । କେତେ ଅସାଧ୍ୟ ରୋଗୀଙ୍କି ଯମ ହାତରୁ ଛଡ଼େଇ ଆଣିଛି ! ସବୁ ଶୁଣେରେ ରାଧୁଆ ! ତା’ ପ୍ରଶଂସା ଶୁଣିବାକୁ ଏଠି ଏ ଗାଁରେ ମୁଇଁ ଏ ପୋଡ଼ା କାନ ପାରି ରହିଥାଏ । ହାଡ଼ିଆ ମା’ର କ’ଣ ରକ୍ତ ପ୍ରସ୍ରାବ ହଉଥାଏ ଯେ କଟକ ଗଲା ଦୀନବନ୍ଧୁ ପାଖକୁ । ମାଗେଣା ତାକୁ ଘରେ ରଖି ଓଷଦ ଦେଲା–ପଥି ଦେଲା । ଝାଡ଼ିଝୁଡ଼ି ଦେଲା ରୋଗ । ହାଡ଼ିଆ ମା’କୁ ଦେଖିନୁ ଡଙ୍କୁଣୀଭଳିଆ ଦୁଶେଇ ! ସେଠୁ ଆଇଲା ବେଳକୁ ଷୋଳବରଷୀ ଭଳିଆ ଦୁଉଥାଇ-। ହାଡ଼ିଆ ମା ଯୋଉ ପରଶଂସା ତା’ର କରୁଥାଇରେ ରାଧୁଆ ? ମୁଁ ତ ଶୁଣିଲାବେଳେ ମୋ ଛାତି କୁରୁଳି ଉଠୁଥାଇ ! ମୋତେ ତ କ’ଣ ବୋଲି କ’ଣ ପାଇଲା ଭଳିଆ ଲାଗୁଥାଇ ! ମୁଁ ପଚାରୁଥାଏ ହାଡ଼ିଆ ମା’ ! ଆଉ ଟିକିଏ କହବା ଦୀନବନ୍ଧୁ କ’ଣ କଲେ ?

 

ରାଧୁଆରେ ! ଏ ପୋଡ଼ା ଛାତିରେ ତା’ଲାଗି ଏତେ ମମତା କୋଉଠି ଲୁଚି ଥାଇରେ ? ଯେ ଏ ଗାଁରେ ତା’ କଥା ପକାଏ ମୁଁ କାନପାରି ମନଦେଇ ଶୁଣୁଥାଇ । କାଇଁକି ଭଲା ଆଜିକୁ ତିରିଶ ବର୍ଷ ହେଲା ଖାଲି ତିଆରି କଥା ମୁଁ ଭାବି ମରୁଛି କହିଲୁରେ ମୋ ରାଧୁସୁନ୍ଦର !

 

ହଇରେ ରାଧୁ ! ମୋର ରାଧୁସୁନ୍ଦର । ସତ କହିଲୁ–ମୋ ଧିହ ଛୁଇଁ କହ । ସେଇ ଦୀନବନ୍ଧୁ ଆଜି ଆଇଥେଲେ ? ସେଇ ଆସି ଏ ଓଷଦ ଟଙ୍କା ଦେଇଗଲେ ?

 

କାହିଁକି ବା ? କାହିଁକି ସେ ଆଇଥେଲା ଏ ସୁଆଗ ଦେଖେଇବ ବୋଲି ? ଏ ଖାନିକୀ ପାପୀଘରକୁ ତା’ ଭଳିଆ ପୁଣ୍ୟବନ୍ତ ବଡ଼ଲୋକ ଫେର୍ ଆଇଲା କେମିତିରେ ? ତା’ ଦେହରେ ପାପ ଲାଗିଗଲା ନାଇଁ ? ରାଧୁଆରେ ! ସେ କାଳେ ସେଇ ମୋ ଭୁଆଷୁଣୀ ବେଳେ–ଯେତେବେଳେ ରକତ ମାଉଁସ ପଶି ଏ ଧିଅ ମୋର ଘୂମ ଭଳିଆ ହେଇଥାଇ–ସେକାଳେ ତାକୁ ଟିକିଏ ଦେଖିବି ବୋଲି–ତା’ ଠଉଁ ପଦେକଥା ଶୁଣିବି ବୋଲି–ଆହା ! କି ଠାଣୀରେ ତା’ର–କି ମାଣି-! କୋଇଲି ଭଳିଆ ତା’ ହସ ଶୁଭିଯାଉଛି ମୋ କାନକୁ–କଥା କହୁଥିବ ହସି ଦଉଥିବ-। ହସିଲାବେଳେ ତା’ର ଅରୁଆ ଚିତଉ ଭଳିଆ ଗାଲ ଦି’ ପାଖେ ଖାଲ ହେଇ ଯାଉଥିବ । ପାଟିରେ ତା’ର ଚନ୍ଦ୍ରଉଦିଆ ଜଳି ଉଠୁଥିବ । ସେଇତକ ଦେଖିବି ବୋଲି–ସେଇତକ ଶୁଣିବି ବୋଲି କମ୍‍ଥର ତା’ ପାଖକୁ ବାଆଁରେଇ ହେଇଯାଏ ! ଆରେ ରାଧୁଆ–ସମସ୍ତଙ୍କୁ ଅନେଇବ, କଥା କହିବ, ମୋ ଉପରେ ଆଖି ପଡ଼ୁ ପଡ଼ୁ ଆଖି ଫେରେଇନବ । ମୁହଁ ବୁଲେଇନବ । ମୁଁ ପରା ଖାନିକୀ–ଟାଏ–ଅଠରଘଇତୀଟାଏ–ସେ ପରା ପୁଣ୍ୟବନ୍ତ ଜନ । ଏଡ଼େବଡ଼ ଗାଁ ଟାରେ–ଏଇ ପୃଥିମଣ୍ଡଳରେ ସେଇ ଏକା ଜଣେ ଭଲ ମଣିଷରେ ରାଧୁଆ । ମୋ ପରା ଲୋକକୁ ଚାହିଁଲେ, ମୋ ପରା ଲୋକ ସଙ୍ଗେ କଥା କହିଲେ, ତା’ ଭଲଲୋକ ତେଜ ମଉଳିଯାଇ ନ ଥାନ୍ତା ? ଭଲ କରିଛି–କାହିଁକି ମତେ ସେ ଚାହିଁଥାନ୍ତା ରେ ? ମୁଁ ସବାଖାଇ ସତ୍ୟାନାଶୀ ସେତେବେଳେ ଡାହାଣୀ ଥେଲିରେ ରାଧୁଆ–ମୋ ଆଖିରେ ତା’ ଆଖି ପଡ଼ିଥେଲେ ଆଉ ତାକୁ ମୁଁ ପ୍ରାଣରେ ରଖିଥାନ୍ତି ? ଶୋଷି ଯାଇ ନ ଥାନ୍ତି ? ଆହା ! ଆହା ! କେଡ଼େ ପୁଣ୍ୟବନ୍ତ ଦେବତା ଭଳିଆ ପିଲାଟାରେ ସେ ! ବାଟ ଚାଲୁଥିଲା ତା’ ପାଦତଳେ ପଦ୍ମଫୁଟି ଯାଉଥିବ । ସେ ଚାଲିଲାବେଳେ ଗାଁ ଦାଣ୍ଡରେ ସତେ କି କୁଆଡ଼ୁ ଥଣ୍ଡା ବାସନା ପବନ ବହି ଯାଉଥିବ ? ଜହ୍ନି ଫୁଲ କାକୁଡ଼ି ଫୁଲ ବାଡ଼ କଡ଼ରେ ଫୁଟିଯାନ୍ତିରେ ରାଧୁଆ । ପାଳଧୁଆ ଗଛରେ ନାଲିନାଲି ଫୁଲ ପେନ୍ଥା ପେନ୍ଥା ହୋଇ ଫୁଟିଯାନ୍ତି । ମତେ ତ ସେଇଆ ନାଗେଇ–ସେଇଆ ଦୁଶେଇ !

 

ନାଥ ଓତାଙ୍କ ଦାଣ୍ଡରେ ସେ କାଳେ ଭାଗବତ ପୁରାଣ ପଢ଼ା ହଉଥାଇ ! ନାଥ ଓତାଙ୍କର ଯୋଉ ସୁନ୍ଦର କଣ୍ଠ ! ମିଣିପେ ମାଇପେ ସମସ୍ତେ ଘେରି ବଇଥାନ୍ତି । ସାହାସ୍ତ୍ର ଶୁଣୁଥାନ୍ତି । ମୁଁ ଅଲଖଣୀ ସବୁରି ପଛରେ ଯାଇ ବସେଇ । ଆହା କି ସୁନ୍ଦର ପଦମାନ ! ଗୋପପୁରରେ କହ୍ନେଇକି ଘେରି ଷୋଳଛଚ୍ର ଗୋପୀ ଲୀଳା କରୁଥାନ୍ତି । ଆହା କି ସୁନ୍ଦର ନବଘନ ରୂପରେ ରାଧୁଆ !! ଗୋପୀଏ ତାକୁ ଘେରି ରହିଥାନ୍ତି କଦମ୍ବମୁଳେ । ତା’ରି ଉପରେ ଆକ୍ଷିପଡ଼ିଲେ ଆଉ ସେ ଆଖି ସଂସାରକୁ ଫେରଇ ନାଇଁ । କିମିତି ଫେରିବ କହିଲୁ ? ସେ ପରା ସୋୟଂ ଭଗବାନ !! ମଣିଷ ରୂପ ହୋଇ ଆଇଥେଲେ ! ମୋ ଆଖିରୁ ଲୁହ ବହି ଯାଉଥାଇ । କିଏ କ’ଣ ଭାବୁଥାଇ କେଜାଣି–ମୁଁ ଖାଲି ଭାବୁଥାଇ ଭରତ ସେନାପତି ପୁଅ ମୋ ଦୀନବନ୍ଧୁ କଥା । ଅବିକଳ କୃଷ୍ଣ ସଙ୍ଗେ ମିଳି ଯାଉ–ଥାଇବା ତା’ ରୂପ ଗୁଣ ! ମୋ ମନ ବି ଅବିକଳ ସେଇ ଗୋପୀଙ୍କ ଭଳିଆ ହଉଥାଇ । କୃଷ୍ଣଙ୍କ ନାଁ ବି କୁଆଡ଼େ ଦୀନବନ୍ଧୁରେ ରାଧୁଆ !! ଦେଖିଲ କେମିତି ମିଳିଯାଉଛି !!

 

ହଇରେ ରାଧୁଆ । କହିଲୁ–ଏ ପୋଡ଼ପାଡ଼ ଗାଁ ଖଣ୍ଡକରେ ଆଉ କିଏ ମଣିଷୁଟାଏ ଅଛି ନା ଥେଲା ? କେହିତ କାହା ଶିରୀ ଦେଖି ପାରନ୍ତିନି । ଚଉଧୁରୀ ସାଇଆ ତ ଭାଇ ଭାଇରେ ମାଲିମକଦ୍ଦମା–ବାଡ଼ିଆବାଡ଼ି ହେଇଗଲେ । ରାଉତସାଇଆତ କିଏ କୁଆଡ଼େ ମରିହଜି ଗଲେଣି–ନଣ୍ଡୀ ବାଛୁରୀ କଣ୍ଟା ହେଇ ଦି’ଚାରିଖଣ୍ଡ ଆତଯାତ ହଉଛନ୍ତି । ରାଉତ ବୁଢ଼ା ଖାଲି ବଞ୍ଚିଛି । ସେ ଆଖି ବୁଜିଲା ବାସିଦିନ ସେ ଢିଅରେ ବିଲୁଆ ଡେଇଁବେ । ସେ ବୁଢ଼ା, ଭାରି ହଇରାଣରେ ତା’ ଦିନକାଳ ଯିବରେ ରାଧୁଆ କହି ଦଉଛି । ସେଇ ବୁଢ଼ା କ’ଣ କମ୍ ହୁରୁମା ଥେଲା ? ଭୂତକେଳି କରିବ, ଭୂତକେଳି । ଘରେ ତେଣେ ମାଇପକୁ ଶୁଆସ ବେମାରୀ । ଏ ବୁଢ଼ା କ’ଣ କରିବ ନା ରାତି ଅଧରେ ମୋ ଚାଳିଆ ଅଧାକାନ୍ଥି ଡେଇଁ ମୋ ଘରେ ପଶିବ । ମୁଁ ଡରିକରି ତା’ ଶରଣ ପଶି ଯାଏରେ ! ଆରେ ତାକୁ ସନ୍ତୁଷ୍ଟ ନ ରଖିଥେଲେ ସେ ମତେ ଆଉ ଜୀବନରେ ରଖିଥାନ୍ତା ? ତାଡ଼ି ପିଇଥିବ–କୁକୁଡ଼ା ଖାଇଥିବ । ରାତିଯାକ ମୋ ଧିଅରୁ ରକତ ଶୋଷିବ । ସେଇ ବୁଢ଼ା ଫେର ମୋ ଢିଅ ନିଲାମ କରି ନେଲାରେ ରାଧୁଆ । ସେ ନେଲା ବାରିତଳ ବାଉଁଶ ବଣତକ । ଆଉ ସେ କୂଅ ସେପଟ ଢିହ ନେଲା ବିଶନ ଚୌଧୁରୀ ବା ! ମଲାବେଳେ ଖୋଡ଼ଫୁଟି ଗଲା–ତଣ୍ଟିରେ ମହାର୍ଦ ପାଣିସୁଦ୍ଧା ଗଳିଲା ନାଇଁ । ଆଉ ଏ ରାଉତ ବୁଢ଼ା, ଦେଖିବୁ ରଇଥା । ତିନି ତିନିଟା ଭେଣ୍ଡା ପୁଅ ମଲେ । ଝୁଅଟେ ଥେଲା ଯେ ରାଣ୍ଡହେଇ ଶାଶୁଘରେ ପାପଗର୍ଭ ହେଲା । ଏଇଠି ଆସି ଭଙ୍ଗେଇ କରି ବୋପା ପାଖେ ରହିଛି । ନାଇଁରେ ରାଧୁଆ ! ମୁଁ ତା’ ଝୁଅକୁ ଦୋଷ ଦଉନାଇଁ । ମୋରି ଭଳିଆ ହତଭାଗୀଟେରେ । ଆସେଇ ଦିନେ ଦିନେବା ମୋ ପାଖକୁ । କହଇ–ମଲ୍ଲୀଖୁଡ଼ୀ ! ମୋ ଜୀବନ କେମିତି ଯିବ କହିଲି ? ମୁଁ କହିଲି–ସେ କଥା କିଆଁ ମତେ ପଚାରୁଛୁଲୋ–ମୋର ତ ଜୀବନ ସରିଲା ବୋଲି ଜାଣ ।

 

ଗାଁ ଗୋଟାକରେ ସେଇ ଭରତ ସେନାପତି ବୁଢ଼ା ଭାରି ଧର୍ମବନ୍ତ ! ଭାରି କର୍ମବନ୍ତ ! ଦେଖୁନୁ ! ତା’ ଉମରରେ ସେ କ’ଣ ନ କରିଛି ! ଦେଉଳ କଲା–ପୋଖରୀ ଖୋଳେଇଲା–ଇସ୍କୁଲ ବସେଇଲା । ପାଇଛି ବି ସେମିତି । ଦୁଇ ଝୁଅଜୋଇଁ ତ ପାଇଛି ଗଣେଷ କାର୍ତ୍ତିକ, ନାତି ନାତୁଣୀ ମାଡ଼ି ଗଲେଣି । ଆଉ ଏଇ ଗୋଟିକ ପୁଅ ଦୀନବନ୍ଧୁ । ଏତିକି ତା’ କର୍ମବିପାକ–ମାଇପ ମରିଗଲା, ଏଇ ଦୀନବନ୍ଧୁ ଛଅ ବରଷର ହୋଇଥାଇ । ମରୁବା ମାଇପ ! ଦୀନବନ୍ଧୁ ଭଳିଆ ପୁଅ ପାଇଛି । ସବୁ ଦୁଃଖ ସେଇଥିରେ ପାର ।

 

ଏ ଗାଁଟା ତ ମଶାଣୀପଦା ହେଲାଣି । ସବୁରି ମୁହଁ ଯେମିତି କଳାକାଠ ପଡ଼ିଗଲାଣି । କାହା ମୁହଁରେ ଆଉ ଶିରୀ ନାଇଁ । ସବୁରି ବେକରେ ଯେମିତି ଯମ ଦଉଡ଼ି ଲାଗିଛି ! ଦିନ ଦି’ପ୍ରହରେ ତ ଏ ଗାଁରେ ବିଲୁଆ ବୋବଉଛନ୍ତି । ରାତି ଦିନ ପେଚା ବୋବାଉଛନ୍ତି । ଦେଉଳ ଉପରେ ଶାଗୁଣା ବସିଲେଣି ଦି’ ଦି’ ଥର । କାଲି ରାତିଯାକ ଗୋଟେ ହୁଁ ହାଁ ଚଢ଼େଇ ବୋବଉଥିଲା ରାଉତ ଘର ସେଇ ତିନ୍ତୁଳିଗଛ ଉପରେ ।

 

ଡର ମାଡ଼ିବ ? ଡର କାହିଁକି ମାଡ଼ିବ ବା ? ମତେ ଡର ମାଡ଼େଇ ନାଇଁ । ଆରେ ଡରବେଳେ ତ ଡର ମାଡ଼ୁ ନ ଥିଲା । ରାତିଯାକ ଭୂତଙ୍କ ସଙ୍ଗେ କେଳିକରୁଥିଲି ଏଇ କୁଡ଼ିଆ ଖଣ୍ଡକରେ । ଆଉ ଅଇନେ–ମରିବାକୁ ବସିଲିଣି–

 

ମରିବି ନାଇଁ କ’ଣ ଆଉ ଯୁଗାବ୍‍ଧି ବଞ୍ଚିଥେବି ? କାହିଁକି ଆଉ ବଞ୍ଚିବି ବା ? ଯୋଉଥିପାଇଁ ଆଜିଯାଏ ବଞ୍ଚିଥେଲି ସେ ମନସ୍କାମନା ତ ଆଜି ପୂରଣ ହୋଇଗଲା !

 

ହଇରେ ଦୀନବନ୍ଧୁ ଆଜି ସତରେ ଆସିଥେଲେଟି । ଭରତ ସେନାପତି ପୁଅ ଦୀନବନ୍ଧୁ-? ନା–ଆଉ କାହାକୁ ଦୀନବନ୍ଧୁ ବୋଲି କହୁଚୁବା !! କି ଔଷଧ ଦେଇ ଯାଇଛି ବା ? ମୋର ଔଷଧ କ’ଣ ହବ ? ଆଉ କ’ଣ ଭୋଗିବି ବୋଲି ଭଲା ଓଷଧ ଖାଇବି ?

 

କାହିଁକି ସେ ଆଇଥେଲା ? କେମିତି ଆଇଥେଲା କେଜାଣି ? ମୋର ତ ଚେତା ବୁଡ଼ିଗଲା ତାକୁ ଦେଖିକରି । ଗାଁକୁ ଆଇଥେଲା ବୋଲି ତ ଶୁଣିଥେଲି ! ମୁଁ କ’ଣ ଜାଣିଛି ସେ ମୋ ଭଳିଆ ଖାନିକୀଟା ଘରକୁ ଏମିତି ମାଡ଼ି ଆସିବ ? ମଟରଟା ପଁ ପଁ କଲା । ମୋର ତ ଆଉ ଖଟିଆରୁ ଉଠିବା ଶକତି ନ ଥାଏ । ମୁଁ ଭାବିଲି–କିଏ ଯାଉଥିବ–ବି ଡ଼ି ଓ ବାବୁ କି ଉଗ୍ରେସର ବାବୁ-! ଆରେ ରାଧୁଆ ! ସେ ତ ପଶିଆସିଲା ଏ ଘରକୁ–ଘର ତ ଏଇମିତି ଅନ୍ଧାର । ତହିଁକି ମୋ ଆଖିକି ତ ଏବେ ଭଲ ଦୁଶୁନେଇ । ଖାଲି ତା’ ଧିଅ ବାସନରୁ ମତେ ଲାଗିଲା ତା’ରି ଭଳିଆ-

 

ଆରେ ନାଇଁବା, ସେ ସେମିତି ଅତର ଫତର ଲଗାଏ ନାଇଁ । ସେ ତ ଦାଣ୍ଡରେ ଚାଲିଯାଉଥିବ ଯେ ସେ ଦାଣ୍ଡଯାକ ମହକି ଉଠୁଥିବ । କେମିତି ଗୋଟେ ତା’ଧିଅ ବାସେଇବା ! ସେ ବାସନା ମୋ ନାକରେ ବାଜିଲେ ମୋର ତ ଧିଅ କ’ଣ ହୋଇଯାଏ ! ମୋର ତ ଜ୍ଞାନ ହାରିଯାଏରେ–ହଇରେ ଏମିତି ପୁଣି ମଣିଷ ଦେହ ବାସେଇ ?

 

ଆରେ ସେ କ’ଣ ମଣିଷ ? ମଣିଷ ହୋଇଥିଲେ ସେ ମତେ ଏମିତି ଆଜିଯାଏ ଅପ୍ରାପତ ହୋଇଥାନ୍ତା ? ସେ ଦେବତାରେ ରାଧୁ ସୁନ୍ଦର । ଶ୍ୟାପ ପାଇକାରି ଏ ମଞ୍ଚକୁ ଆଇଛି । ଆଇଚି ଲୋକମାନଙ୍କର ଉପୁକାର କରିବ–ମୋ ଭଳିଆ ପାପୀତାପୀ ଦୀନଦୁଃଖୀଙ୍କର ଦୁଃଖ ଝାଡ଼ି ଝୁଡ଼ି ଦେବ–ତା’ପରେ ଲୀଳା ଖେଳା ସାରି ସୋର୍ଗପୁରକୁ ବାହୁଡ଼ି ଯିବ ।

 

ଦେବତା ନୁହଁ ? ହଇରେ ତୋର ବିଶ୍ଵାସ ହଉନାହିଁ ? ଦେବତା ନୁହେଁ ଆଉ କ’ଣ ? ହଇରେ; ଆଉ କାହାକୁ ଦେଖିଲେ ତ ଏମିତି ପେଟ ପୂରି ଯାଏ ନାହିଁ । କାହା ଚରଣରେ ସର୍ବସ୍ୱ ସଅଁପି ଦେଇ ଏମିତି ଲୋଟିଯିବାକୁ ମନ ଡାକେଇ ନାହିଁ ? କେହି ତ ଏମିତି ଆତ୍ମାକୁ ଥଣ୍ଡାକରି ଦିଏ ନାଇଁ । ତାକୁ ଦେଖିଲେ ସବୁ ଦେଖିଲା ଭଳିଆ ନାଗେଇ । ତାକୁ ପାଇଲେ ସବୁ ପାଇଗଲା ଭଳିଆ ନାଗେଇ ।

 

ଆରେ ରାଧୁ ! ତିରିଶି ବର୍ଷ ହେଲା ମୁଁ ଏ ଗାଁକୁ ବୋହୂ ହୋଇ ଆଇଲିଣି । କେତେ କଦର୍ଥନା ଭୋଗିଲିଣି ମୁଁ ଏଠି ତୁ କାହୁଁ ଜାଣିବୁ ? ହଇରେ; ଏ ପୃଥିରେ ସମସ୍ତେ ଅସୁର । ଖାଲି ହାଁ କରି ବସିଛନ୍ତି ସମସ୍ତଙ୍କୁ ଗିଳିଯିବେ, ଶୋଷିନେବେ ସମସ୍ତଙ୍କୁ–ଆଖିବାଟେ, ପାଟିବାଟେ ଆଉ ଆଉ ବାଟେ । ଏ ସବାଖିଆମାନେ ଚାଲିଯାଉଥିବେ ଯୋଉବାଟେ, ସେବାଟେ ଘାସ ମରିଯାଉଥିବ । ଏ ସତ୍ୟାନାଶିଆଙ୍କ ଛାଇ ଯାହା ଉପରେ ପଡ଼ିବ ସେ କେହି ଉଧେଇବେ ନାଇଁ । ଦେଖୁନୁ, ଏ ଗାଁରେ କେହି ଉଧେଇଲେ ନା ଉଧଉଛନ୍ତି ! ୟା ଛାଇ ତା’ ଉପରେ ତା’ ଛାଇ ୟା ଉପରେ । କେହି କାହାକୁ ଏଠି ଆଶ୍ରା ନାହିଁରେ ରାଧୁଆ । ଏ ଗାଁ ଏମିତି ମଶାଣୀ ହବ, ମଶାଣୀ ହବ, ହବ, ହବ–ମୁଁ କହି ଦଉଛି । ଏଠି କାହା ହୃଦରେ ଦୟାପଦ ନାହିଁ–ମାୟା ନାହିଁ କାହାର କାହାରିକି । ଏ ତା’ ଚାଳରୁ ପୁଳାଏ ଟାଣି ନଉଛି ତ ସେ ୟା ଚାଳରୁ ଖଣ୍ଡେ ରୁଅ ଟାଣି ନଉଛି । ମରିବେ ନାଇଁ–ମରିବେ ତ । ଯିବେ କୁଆଡ଼େ ।

 

ରାଧୁରେ; ଏଇ ଦୀନବନ୍ଧୁ ଯମନ୍ତ ଏଠି ଆସି ରହନ୍ତେ ! ସେ କୁଆଡ଼ୁ ଏଠି ଆସି ରହିବରେ ? ଏ ରାକ୍ଷସପୁରୀକି ସେ କେମିତି ଆସିବ, ବିଷ୍ଣୁକଳାରେ ତା’ର ଜନ୍ମରେ ରାଧୁଆ !!

 

ଶୁଣ୍‍ବା ରାଧୁ ଶୁଣ୍‍ବା ! ଯେମିତି ସେ ମୋର ଘରଭିତରକୁ ପଶି ଆସିଲା । ମୋ ଘର ତ ମହକିଗଲା । ତା’ଧିହ ବାସନାରେ ଆଗ ମୋ ଚେତା ବୁଡ଼ିଗଲା ଭଳିଆ ଲାଗିଲା ।

 

ନାଇଁବା ଚେତା କାଇଁକି ବୁଡ଼ିବ ? ମତେ ସେମିତି ବେଚେଷ୍ଟା ଲାଗିଲା । ହଇରେ ସେ କିଏ–ମୁଁ କିଏ ? ଜୀବନଯାକ ତାକୁ ଟିକିଏ ଦେଖିବି ବୋଲି, ତାକୁ ଟିକିଏ ଧରିବି ବୋଲି କେତେଆଶା ନ କରିଛି–କେତେ ବିକଳ ନ ହେଇଛି !! ଯେମିତି ପଶି ଆସିଲା ମୁଁ ଖଟିଆ ଉପରେ ନାଥ୍‍କିନା ପଡ଼ିଗଲି । ମୋ ଧିହ ଝିମି ଝିମି ହେଇଗଲା । ତାକୁ ତ ଥରେ ଚାହିଁଛି–ଭଲକରି ତ ଦିଶୁନଥାଇ–ହେଲେ ଯଦି ମୋତେ ଆଗ ଭଳିଆ ଦୁଶୁଥାନ୍ତା, ଯଦି ସଞ୍ଜବୁଡ଼ ହୋଇ ନ ଥାନ୍ତା–ଆଉ ଯଦି ତା’ ଆଖିରେ ମୋ ଆଖି ପଡ଼ିଥାନ୍ତା, ଆଉ କ’ଣ ମୁଁ ବଞ୍ଚିଥାନ୍ତି ? ମୋ ଛାତି ଫାଟି ଯାଇ ନ ଥାନ୍ତା ?

 

ହଅବା, ମୋର ଟିକିଏ ଟିକିଏ ମନେ ପଡ଼ୁଛି । ସେ ମୋ ହାତ ଧଇଲା–ନାଡ଼ୀ ଚିପିଲା–ମତେ ଓଲଟ ପାଲଟ କଲା କଇଁଚ ଭଳିଆ । କ’ଣ ଯନ୍ତ୍ରୁଟାଏ ମାଡ଼ି ଦଉଥାଇ ମୋ ପିଠିରେ ଫେର ମୋ ଛାତିରେ । ଫେର ମୋ କପାଳକୁ ଆଉଁସିଲା । ଆହା–ମୁଁ ଅଜ୍ଞାନ ଦେରିକା ପଡ଼ିଥାଇ । ଜ୍ଞାନ ଥାଆଇ ଫେର୍ ବେଚେଷ୍ଟା ଲାଗୁଥାଇ । ଆକ୍ଷିବୁଜି ସେମିତି ଆକତା ହୋଇ ପଡ଼ିଥାଇ ! ସତିକି ସପନ ଦେଖୁଥାଇ !

 

ରାଧୁଆରେ ! ତୁଇ ସତ୍ୟାନାଶିଆ ତାକୁ ଏଠିକି ଡାକି ଆଣିଥେଲୁ । ନାଇଁ ? କାଇଁକି ଡାକିଲୁ କହିଲୁ ? ତୁ ନ ଡାକିଥିଲେ ସେ କେମିତି ଜାଣିଥାନ୍ତା ଯେ ମଲ୍ଲୀବୁଢ଼ୀ ଏମିତି ମଲାଗଲା ହେଇ ବାଧିକିଛି ? ତୁଇ ଛତରା ମୋର କାଳଶତ୍ରୁ । ଡାକି ନଉଁ ? ନିଶ୍ଚେ ଡାକିଛୁ ।

 

ରାଧୁଆରେ, ତାରି ହାତରେ ତାରି ଆଗରେ ଯଦି ମରି ଯାଇଥାନ୍ତି ତ ତରି ଯାଇଥାନ୍ତି । କିନ୍ତୁ ସେ କ’ଣ ମାରିବ କି ? ତା’ର ପରା ବିଷ୍ଣୁହାତ ! ଅମୃତହସ୍ତା ସେ । ହେଲେ ଆଉ ମୋର ବଞ୍ଚିକରି ଲାଭ କ’ଣରେ ରାଧୁସୁନ୍ଦର ? ମୋର ଆଜି ହୋଇଗଲା–ସବୁ ହୋଇଗଲା । ମୋ ମନ ତ ଆଜି ନାଚି ଉଠୁଛିରେ ମୋ ଧନ ! ମୋତେ କେତେ ହାଲୁକା ଲାଗୁଛି ବା ! ପବନ ଭଳିଆ ଲାଗୁଛି । ଫୁଲଟିଏ ଭଳିଆ ଲାଗୁଛି ।

 

ମୋର ଆଉ କିଛି ଦୁଃଖ ନାହିଁ–ମୋର ଆଉ କିଛି ପାପ ନାହିଁ । ଏଥରକ ମୋତେ ବିଷ୍ଣୁଦୂତ ନିଅନ୍ତୁ କି ଯମଦୂତ ନିଅନ୍ତୁ ।

 

ଏ ଗାଁରେ ତ ମୋତେ ଡାକନ୍ତି ମଲ୍ଲୀବେଧ ବୋଲି । ସମସ୍ତେ କହନ୍ତି–ମଲ୍ଲୀବେଧ ମଲାବେଳକୁ କେତେ କଦର୍ଥନା ଭୋଗିବ । ଦେଖିବ ଆସଲୋ ସତୀ ସାବିତିରୀଏ ! ଆସଲୋ ଅହିସୁଲଖଣୀଏ ! ଯା’ରେ ରାଧୁ ଯା; ଡାକିଆଣିବୁ ଯା । ଯା’ବା ଡାକିଆଣିବୁ ତୋ ଗାଁ ମାଈପିଙ୍କୁ–ମରଦଙ୍କୁ । ଦେଖିଯିବେ ଆସି ମଲ୍ଲୀବେଧ କି କଦର୍ଥନା ଭୋଗୁଛି । ମଲା ବେଳକୁ ।

 

ଆରେ ଆଉ ନାଇଁ–ଆଉ ମୋ ଭାଗ୍ୟରେ କିଛି କଦର୍ଥନା ନାଇଁ । ସେ ତ ଆଇଥେଲେ–ଏ ଆଖି ଦେଖିଲାଭଳି ଲାଗୁଛି–ଏ ନାକ ଶୁଙ୍ଘିଲା ଭଳି ଲାଗୁଛି–ଏ ଧିହ ଛୁଇଁଲା ଭଳି ଲାଗୁଛି । ଆଇଥେଲେ ସେ ଦୀନବନ୍ଧୁ ଦୁଃଖୀସୋଦର–ପତିତପାବନ । ଜୀବନଯାକ ଯାହାକୁ ମୁହୂର୍ତ୍ତେ ହେଲେ ପାଇନାଇଁ ବୋଲି ଏତେ ଲୋକଙ୍କ ପାଖେ ମୋର ସର୍ବଂଶ୍ୱ ଉଜାଡ଼ି ଦେଲି । ସେ ତ ଆଇଥେଲେ–ମୋ ଘରକୁ–ଏଇ ମଲ୍ଲୀବେଧ ଘରକୁ–ଏଇ ଅନ୍ଧାରିଆ ସନ୍ତସନ୍ତିଆ ପାପ ପୂରକୁ-। ଆଇଥେଲେ ସେ–ମୋତେ ଛୁଇଁଲେ, ଆଉଁସିଲେ, ଚିପିଲେ । ଆଉ କ’ଣ ? ଆଉ ମୋର କ’ଣ ପାପ ଅଛି ବା ? କି ପାପ ବା କିଏ କରିଛି ? ଆରେ ଯା ଯାରେ–

 

ଆରେ ଯାଉନୁ !! ପାପ ! ଦେଖିଲୁ କୋଉଠି ଆଉ ପାପ ମୋ ଧିହରେ ଲାଗିଛି ! ଦେଖ୍‍ବା–ଦେଖ୍ ।

 

ରାଧୁଆରେ ! ଶୁଙ୍ଘିଲୁ ମୋ ଧିଅ ବାସୁନାଇ ? ଦୀନବନ୍ଧୁଙ୍କ ଧିହରୁ ଯୋଉ ବାସେନା ବାହାରେ ସେ ବାସେନା ମୋ ଧିହରୁ ବାହାରୁ ନାଇଁ ?

 

ମୋତେ ପରା ସେମିତି ସେତିକିବେଳୁ ବାସୁଛି !! ମଲାଯାଏ ଏମିତି ବାସୁଥବରେ ରାଧୁ ସୁନ୍ଦର !! ମୋ ମନସ୍କାମନା ପୂର୍ଣ୍ଣ ହୋଇଗଲା । ମୋ ଆତ୍ମାପୁରୁଷ ଆଜି ଶୀତଳ ହୋଇଗଲେ । ସେ ଆଇଥିଲେ–ଶେଷ କାଳକୁ ଆଇଥିଲେ–ତାଙ୍କର ମନେ ପଇଲା ଏତେ କାଳକେ !!!

 

ଆରେ ରାଧୁ ! ଏ ଗାଁକୁ ବୋହୂ ହୋଇ ଆଇଲା ଦିନୁଁ ତିରିଶି ବର୍ଷକାଳ ଖାଲି କ’ଣ ବେଧ ପକେଇଥିଲି ? ବର୍ଷକ ବାରମାସୀ ବଡ଼ିଭୋରରୁ ଉଠି ଏ ଗାଁ ଦାଣ୍ଡକୁ ଏ ମୁଣ୍ଡୁ ସେମୁଣ୍ଡ ଓଳାଇ ନାହିଁ ? ନିର୍ଜଳା ଏକାଦୁଶୀ କରିନାଇଁ ? କାର୍ତ୍ତିକ ମାସରେ ରାଈଦାମୋଦର ପୂଜି ନାଇଁ ଅଂଳାମୂଳେ ! ଜାଗର ଜାଳି ନାଇଁ ରାତିସାରା ଅନିଦ୍ରା ହୋଇ ? ଠାକୁର ଅଗଣା ଓଳାଏ ନାହିଁ ବର୍ଷକ ବାରମାସ ? ଦୁଃଖୀରଙ୍କିକି ଆହାପଦ କରେଇ ନାଇଁ ? ଫି ବରଷ ବଗଲ ବାବାଜୀଙ୍କ ପଛରେ ଗୋଡ଼େଇ ଗୋଡ଼େଇ କୋଡ଼ିଏ କୋଶ ବାଟ ପୁରସ୍ତମ ଯାଏ ନାଇଁ ଚାଲି ଚାଲି ରଥଯାତ୍ରାରେ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ? ? ମହାଦେବଙ୍କ ପାଚେରୀ କଡ଼ରେ ସଞ୍ଜବତୀ ଦେଇ ସବୁଦିନେ ଏ ଗାଁର ଶୁଭ ମନାସେ ନାଇଁ ? ରାଧୁଆରେ ! ସବୁଦିନେ ଏ ଘରେ କବାଟ କିଳି ସେଇ ଦୀନବନ୍ଧୁ ପେଇଁ କାନ୍ଦେଇ ନାଇଁ ? କିଏ ଜାଣିଛିରେ କିଏ ଜାଣିଛି ?

 

ଆରେ ସେଇଥି ପାଇଁ ଆଇଥେଲା ବା ! ମୋର ତପସ୍ୟା ସେମିତି ନ ଥେଲେ ସେ କୁଆଡ଼ୁ ଆଇଥାନ୍ତା ? ରାଧୁଆରେ ସେ ଆଇଥେଲେ ! ହେଇଟି ପରା ଘରଟାଯାକ ମହକୁଛି ! ମୋ ଧିହ ଶୁଙ୍ଘୁନ–ବାସୁଛି ! ଯା’ ଚାଲିଯା–ଯା’ ଚାଲିଯା–ଆଉ ମୋର କ’ଣ ଦରକାର ଭଲା ?

 

କଣ କହିଲୁ–କାଲିଫେର ଆସିବେ ? ନାଇଁ ନାଇଁରେ ରାଧୁଆ । ଆଉ–ଆଉ ଦରକାର ନାଇଁ । ଯା ଯା ମୋ ସୁନାଟା ପରା ! ମୋ ଧନୁଟା ପରା ! ଯା’ ତାଙ୍କୁ କହିଦେଇ ଆସିବୁ–ଆଉ ଆସିବା ଦରକାର ନାହିଁ । ଆରେ ଭଗବାନଙ୍କୁ ଥରେ ଦେଖିବ ନା ଦଶଥର ଦେଖିବ ବା ? ମୋ’ଠାରୁ ବଳି ଭାଗ୍ୟବତୀ, ପୁଣ୍ୟବତୀ ଆଉ କିଏ ଅଛିବା ? ମୋ ଦୀନବନ୍ଧୁ ଭଳିଆ ବନ୍ଧୁ ଆଉ କୋଉଠି ଅଛି, କିଏ ଅଛି ବା ?

 

ରାଧୁଆ; ମୋ ରାଧୁସୁନ୍ଦରରେ ! ତୋର କୋଟି ପରମାୟୁ ହଉ । ଏଇ ଗାଁରେ ତୁ ଆଉ ଗୋଟିଏ ଦୀନବନ୍ଧୁ ହବୁରେ–ତେବେ ଯାଇଁ ଏ ଗାଁ ଫେର୍ ବଞ୍ଚି ଉଠିବ । ହବୁରେ ତୁ ଟୋକା ହବୁ । ସେଇ ଦୀନବନ୍ଧୁ ଭଳିଆ ହବୁ ତୁ ଜଣେ । ତା’ ନ ହେଲେ ତୋର ମୋ ପ୍ରତି ଆଉ ମୋର ତୋ’ପ୍ରତି ଏତେ ମାୟା ଲାଗନ୍ତା କେମିତି ?

 

ଗଲୁ ଗୁଲୁ ଧନ ! ଯା’ ତାଙ୍କୁ କହିଦେଇ ଆସିବୁ–ଆଉ ଯେମିତି ସେ ମୋ ଘରକୁ କାଲି ନ ଆସନ୍ତି ! ମୁଁ ଆଉ ଓଷଦ ଫୋଷଦ ଖାଇବିନି । ମୁଁ ଆଉ ବଞ୍ଚିବିନି–ଆଉ ମୋର ବଞ୍ଚିବା କ’ଣ ଦରକାର ? ମୁଁ ପାଇଗଲି–ସବୁ ପାଇଗଲି......ରାଧୁଆରେ ! ସତରେ କହିଲୁ–ସେ ଯେ ସଞ୍ଜବୁଡ଼େ ମୋ ଘରକୁ ଆଇଥେଲେ ସେ ଦୀନବନ୍ଧୁଟି ? .......ନାଇଁ ନାଇଁ ମୁଁ ତତେ ଅବିଶ୍ଵାସ କରୁନି–ସେ ସେଇ ଭରତ ସେନାପତି ପୁଅ ଦୀନବନ୍ଧୁ ତ ? ସତ କହୁଛୁ ? ମୋ ଧିହ ଛୁଇଁଲୁ–କେ...ଜା...ଣି...ରେ ରା...ଧୁ...ଆ–ଫେର୍ କାହିଁକି ବିଶ୍ଵାସ ଆସୁନାହିଁ !! ମୁଁ ଜାଣିଛି–ତୁ ବି କହୁଛୁ ! ତଥାଚ କାହିଁକି ମୋର ବିଶ୍ଵାସ ହଉନାଇଁ । ଆରେ ମୋ ଛାତି କାଇଁକି ଏମିତି ହେଇଯାଉଛି...ମୋ ଧିହ କ’ଣ ହେଇଯାଉଛି......ରାଧୁଆରେ ।

 

ମୋ ରାଧୁସୁନ୍ଦର !!

 

ମୁଁ କ’ଣ କରିବିଟି !!!

Image